Unknown

 

 

 

 

 

 

 

 

 

 

 

ହେ ବନ୍ଧୁ ବିଦାୟ

ବିଭୂତି ପଟ୍ଟନାୟକ

 

ଏଇ ଲେଖକଙ୍କର

 

ଉପନ୍ୟାସ

୧.

ଅଭିମାନ

୨.

ହେ ବନ୍ଧୁ ବିଦାୟ

୩.

ନଷ୍ଟ ଚରିତ୍ର

୪.

ମାୟାବୀ ହୃଦୟ

୫.

ବଧୂ ନିରୁପମା

୬.

ନାୟିକାର ନାମ ଶ୍ରାବଣୀ

୭.

କାଳବୈଶାଖୀ

୮.

ଦଗ୍ଧ ଫୁଲବନ

୯.

କେଶବତୀ କନ୍ୟା

୧୦.

ସମୟର ଶୋକ

୧୧.

ଏଇ ଗାଁ ଏଇ ମାଟି

୧୨.

ଚପଳ ଛନ୍ଦା

୧୩.

ତୃତୀୟ ପୁରୁଷ

୧୪.

ପାପ-ପୁଣ୍ୟ

୧୫.

ଛାୟା-ଚନ୍ଦ୍ରିକା

୧୬.

ଦିନ ଯାଏ ଚିହ୍ନ ରହେ

୧୭.

ଅନ୍ଧକାରର ସିଡ଼ି

୧୮.

ଗାରେ କଜ୍ଵଳ ଧାରେ ଲୁହ

୧୯.

ଉଜାଣି ଯମୁନା

୨୦.

ପରପୁ ରୁଷ

୨୧.

ବିଦାୟବେଳା

୨୨.

ଅଗ୍ନି-ପତଙ୍ଗ

ଗଳ୍ପ ସଞ୍ଚୟନ

ଶ୍ରେଷ୍ଠ ଗଳ୍ପ

୨.

ମନ-ନିର୍ଜ୍ଜନ

୩.

କେତେ ଯେ ବସନ୍ତ ସତେ !

୪.

ଅନେକ ତରାର ରାତ୍ରି

୫.

ରାଜକନ୍ୟା ଓ-କୃଷ୍ଣସର୍ପ କଥା

୬.

ନୀଳ ଆଖିର ନଦୀ

କିଶୋର-ଉପନ୍ୟାସ

୧.

ନୌକା ନଗରୀର ନୀଳ ପରୀ

୨.

ଖରା ବର୍ଷାର ଖେଳ

ସାହିତ୍ୟ-ସମାଲୋଚନା

୧.

ସାଂପ୍ରତିକ ସାହିତ୍ୟ

Image

 

ରାତି ପାହି ବି ଭଲ ହୋଇ ପାହିନି । ଆମ୍ବ ଆଉ ବରଗଛର ଶାଖା ପ୍ରଶାଖାରେ କାଳି ଅନ୍ଧାରର ଅଳନ୍ଧୁ ଏବେ ବି କେମିତି କେଉଁଠି ଲାଗିରହିଛି । ସକାଳ ହୋଇଆଶୁଛି ମାତ୍ର... !

 

ବଡ଼ ବିଲ ଉପରେ ବିହଙ୍ଗମ ଦୃଷ୍ଟିଟାଏ ଘୂରେଇଆଣି ସନାତନ ମିଶ୍ରେ ଧମସି କରି ଆଗକୁ ଆଗକୁ ମାଡ଼ି ଆସୁଥିଲେ । ରାତି ନ ପାହୁଣୁ ଧାନକିଆରିଗୁଡ଼ାକ ଉପରେ ଆଖି ବୁଲାଇନେବା ତାଙ୍କର ଗୋଟାଏ ଦୀଘଦିନର ବଦଭ୍ୟାସ । ରାତି ପହରେ ଥାଇ ତାଙ୍କର ନିଦ ଭାଙ୍ଗେ...ଯେତେ ଡେରିରେ ଶୋଇଲେ ମଧ୍ୟ । ନିଦ ଭାଙ୍ଗିଲେ ହଠାତ୍‍ ମନେପଡ଼େ ତାଙ୍କର ଏଇ ଧାନବିଲ କଥା...ରାତିଯାକ ନିଦରେ ସତେ ଯେମିତି ସେ ଏଇ ଧାନବିଲକୁ ସପନ ଦେଖୁ ଥାନ୍ତି !

 

ସନାତନ ମିଶ୍ରେ ମୁହଁକୁ ତଳକୁ ପୋତି ଧମସି ଆଗକୁ ମାଡ଼ି ଆସୁଥିଲେ । ହଠାତ୍‍ ଆଉ ଜଣଙ୍କ ସାଥିରେ ଭେଟ ହୋଇଗଲା । ମୁହଁ ଟେକି ମିଶ୍ରେ ଚାହିଁଲେ । ଓଃ...ଏ ନାରଣ ମାଷ୍ଟ୍ରେ । ହାତରେ ଅନ୍ଧୁଲିଟାଏ । ବୋଧହୁଏ କେଉଁ ଧାନକିଆରିରେ ବସିଥିଲା ରାତିରେ...ରୂପାଫୁଲ ପରି କେତେଟା କେରାଣ୍ଡି, ଦଣ୍ଡିଖିରି ଜକ୍‍ ଜକ୍‍ ହେଉଛନ୍ତି ତା’ ଭିତରେ…ସକାଳୁ... !

 

ମିଶ୍ରଙ୍କୁ ଓଳିକିଟାଏ ପକାଇ ନାରଣ ମାଷ୍ଟ୍ରେ ବାଟଭାଙ୍ଗି ଗଲେ । ପୂର୍ବପଟ ଧାନକିଆରି ଆଡ଼ୁ ସକାଳର ଆଲୁଅ ଝରଣା ଫିଟିଆସୁଛି ସେତେବେଳକୁ । ନିମଖଣ୍ଡି ଗା ନିଦରୁ ଚେଇଁ ଉଠିଲାଣି । କୋଳାହଳ ଜମିଉଠୁଛି । ସକାଳର ସେଇ ଫିକା ଆଲୁଅରେ ମିଶ୍ରେ ଟିକିଏ ନାରଣ ମାଷ୍ଟ୍ରଙ୍କ ଆଡ଼କୁ ମୁହଁଟେକି ଅନେଇଲେ । ତା’ପରେ ତଳକୁ ମୁହଁ ପୋତିଦେଇ ଆଗଠୁଁ ବଳି ଜୋରରେ ଆଗେଇ ଚାଲିଲେ ।

 

କିଛି ବାଟ ଚାଲିଗଲା ପରେ ପୁଣି ପଛକୁ ଚାହିଁଲେ ମିଶ୍ରେ । ନାରଣ.ମାଷ୍ଟ୍ରେ ସେତେବେଳକୁ କିଆରି ଧାନଗଛ ଆଢ଼ୁ ଆଳରେ କୁଆଡ଼େ ହଜିଗଲେଣି । ଧାନକିଆରି ଆଡ଼ୁ ନିମଖଣ୍ଡି ଭିତରୁ ଯେଉଁ ସରୁ ସଡ଼କଟି ଲମ୍ବି ଆସିଛି; ସେଇ ସଡ଼କ ଉପରେ ବିଳୁଆ କେତେଟା ଦେଖା ଯାଉଛନ୍ତି ।

 

ମିଶ୍ରେ ମନେ ମନେ ଟିକିଏ କାହିଁକି ଚିଡ଼ିଗଲେ । ନାରଣ ମାଷ୍ଟ୍ରଙ୍କୁ ଦେଖିଲେ ଏବେ ତାଙ୍କ ହାଡ଼ କାହିଁକ ଶୂଳେଇ ହେଉଛି । ତାଙ୍କର ଧାରଣା ହୋଇଛି, ଗାଁରେ ତାଙ୍କର ଯେଉଁ ଅଖଣ୍ଡ ପ୍ରତିପତ୍ତି ଥିଲା, ଏଇ ନାରଣ ମାଷ୍ଟ୍ରେ ତା ଉପରେ ଗୋଟାଏ ପ୍ରଚଣ୍ଡ ଆଘାତ କରିଛନ୍ତି । ଏବେ ଧର୍ମ କର୍ମ ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି । ସମସ୍ତେ ଖାଲି ଭଜି ହେଉଛନ୍ତି ପାଠ....ପାଠ !

 

ଧେତ୍‍ !

 

ମିଶ୍ରେ ମନେ ମନେ ପୁଣି ଭାରି ଚିଡ଼ିଗଲେ । ପାଠ ପଛରେ ଲୋକଗୁଡ଼ାକ ଗୋଡ଼େଇଲା ଦିନୁ ନାରଣ ମାଷ୍ଟ୍ରଙ୍କ ଭାଉ ବଢ଼ିଯାଇଛି । ନାରଣ ମାଷ୍ଟ୍ରଙ୍କୁ ବାଟରେ ଘାଟରେ ଯିଏ ଦେଖୁଛି, ଭକ୍ତିରେ ଗଦଗଦ ହୋଇ ନମସ୍କାର ଅଜାଡ଼ି ପକାଉଛି । ଆଉ ତାଙ୍କୁ ଭୁଲରେ ଓଲିକିଟାଏ ପକାଇବା ଏବେ ସାତ ସପନ ହେଲଣି । ଲୋକଗୁଡ଼ାକ ଏବେ ଉପରମୁହାଁ ଧରିଲେଣି କି ନା ! ମିଶ୍ରଙ୍କର ଏବେ ବି ମନେଅଛି ।

 

ହୋଇ ହୋଇ ବରଷ ତିରିଶଟା ତଳର କଥା । ଆଖପାଖ ପଚାଶଖଣ୍ଡ ଗାଁର କୁଳପୁରୋହିତ ଥାଆନ୍ତି ତାଙ୍କର ନନା ବଳଭଦ୍ର ମିଶ୍ର । ଶ୍ରାଦ୍ଧ, ଶୁଦ୍ଧକ୍ରିୟାଠାରୁ ଆରମ୍ଭକରି ବିବାହ ବ୍ରତ ପର୍ଯ୍ୟନ୍ତ ସବୁକଥାରେ ତାଙ୍କୁ ଡାକରା । ମାଛ ନ ଥାଇ ପୋଖରି ଥାଇପାରେ; କିନ୍ତୁ ବଳଭଦ୍ର ମିଶ୍ରେ ନ ଥାଇ କୌଣସି ପର୍ବପର୍ବାଣି, ଶୁଭକାମ ହେବା ଅସମ୍ଭବ କଥା ।

 

ପୁଡ଼ା ପୁଡ଼ା ଅରୁଆଚାଉଳ, ଧୋତି, ଦକ୍ଷିଣା ଭାର ଲାଗି ବୁହାହୁଏ ତାଙ୍କ ଘରକୁ । ସନାତନ ମିଶ୍ରେ ନିଜେ ଦେଖିଛନ୍ତି, ଝାଟି ମାଟିର ଘର ଏଇ ଦକ୍ଷିଣା ପଇସାରେ କାଠର ମାଣ୍ଟୁ ଘର ହେଲା ।

 

ସନାତନଙ୍କୁ ସେତେବେଳେ ମୋଟେ ଛ’ ବରଷ । ବ୍ରତ ହୋଇସାରି ଲଙ୍ଗଳା ହୋଇପଡ଼ନ୍ତି ବୋଲି ଅନେକଥର ସେ ନନାଙ୍କଠାରୁ କାନମୋଡ଼ା ଖାଇଛନ୍ତି । ନନାଙ୍କ ଏ ଝାଳବୁହା ଖଟଣି ଦେଖି ସେତେବେଳେ ସେ ମନେ ମନେ ପାଞ୍ଚ କରୁଥାନ୍ତି, ମୁଁ ଏ ମାଣ୍ଟୁ ଘରକୁ କୋଠା କରିବି-

 

ସେଇ ମାଣ୍ଟୁ ଘର କୋଠା ହେଲା । ଡିହ ବାଡ଼ି ଛଡ଼ା ଆଉ ବାଡ଼ି ଗୋବରେ ଗୋବେ ଜମି ନ ଥିବା ମିଶ୍ର ଘରର ମାଟି ମୂଳଦୁଆ ତଡ଼ାହୋଇ ଇଟା ସିମେଣ୍ଟର ଘର ଗଢ଼ି ଉଠିଲା ।

 

କିପରି ?

 

ସନାତନ ମିଶ୍ରେ କଥାଟା ଭାବିନେଇ ମନେ ମନେ ଟିକିଏ ହସିନେଲେ । ନିଜର ଶକ୍ତି ଉପରେ ତାଙ୍କର କେମିତି ଅହଂକାର ଆସୁଥିଲା । ନିଜର ସାମର୍ଥ୍ୟ ନେଇ ମନେ ମନେ ସେ ଗର୍ବ ଅନୁଭବ କରୁଥିଲେ ।

 

ମାଟିଘରରୁ କୋଠା ହେଲା । ଠାକୁରପୂଜା ଛାଡ଼ି ମାମଲତକାରି ହେଲା । ଗୋଡ଼ତଳକୁ ଆସିଲା ଜମିଦାରୀ । ମିଶ୍ରଙ୍କ ଉଆସ ପାଖରେ ଶହ ଶହ ଲୋକ ରାତି ନ ପାହୁଣୁ ଧାନକରଜ ପାଇଁ, ଟଙ୍କା ଧାର ପାଇଁ ଦାନ୍ତରେ ତିରଣ ଧରି ଠିଆହେଲେ । ଶୂନ୍ୟରେ ଖାଁ ଖାଁ କରୁଥିବା ମିଶ୍ର ସାଇ ‘ଛାମୁ’, ‘ହଜୁର’ ଡାକରେ ଗହ ଗହ ଡାକିଲା । ପଦାକୁ ବାହାରିଲେ ନମସ୍କାର, ଓଲିକି, ଲମ୍ବହୋଇ ଗୋଡ଼ତଳେ ଭୂମିଷ୍ଠ ପ୍ରଣତି ।

 

ମିଶ୍ର ପରିବାର ନାମ ଡାକରେ ଆଖପାଖ ପଚାଶଖଣ୍ଡ ଗାଁ ହୁଲସ୍ତୁଲ ହେଲା ।

 

ତା’ପରେ !

 

ତା’ପରେ ମିଶ୍ରେ ଗୋଟାଏ ଦୀର୍ଘନିଶ୍ଵାସ ଛାଡ଼ିଲେ । ଆଖି ଆଗରେ ତା’ ପରର ସେଇ ଦୃଶ୍ୟଟା ମିଶ୍ରଙ୍କ ଆଖିରେ ଦିଶି ଯାଇଥିଲା । ସେ ଏକ ଅସହ୍ୟ ଦୃଶ୍ୟ ।

 

ଦେଶ ସ୍ଵାଧୀନ ହେଲା ପରେ ହଠାତ୍‍ ଦିନେ ମିଶ୍ରେ ଦେଖିଲେ, ତାଙ୍କର ବର୍ତ୍ତମାନ ଆଉ ଭବିଷ୍ୟତଟା ବୈଶାଖର ଶୁଖିଲା ତତଲା ନଈବାଲି ଭଳି ଭୟଙ୍କର ହୋଇଉଠିଛି ।

 

ଯେଉଁମାନଙ୍କୁ ସେ ଆଙ୍ଗୁଠି ଆଗରେ ‘ବସ’, ‘ଉଠୁ’ କରଉଥିଲେ, ସେମାନେ ହଠାତ୍‍ କେମିତି ‘ଛାମୁ’, ‘ଗୋସାଇଁ ହୋଇ ଯାଇଛନ୍ତି । ଆଉ ନିଜ ଅଜାଣତରେ ସେ ହୋଇଯାଇଛନ୍ତି ‘‘ଆଜ୍ଞା’’...“ହଜୁର୍‍” ।

 

ପନ୍ଦରବର୍ଷ ଧରି ଭୋଗି ଆସିଥିବା ଜମି ଦାରୀଟା ତାଙ୍କର କେମିତି କେଜାଣି ସରକାରଙ୍କ ହାତକୁ ଚାଲିଯାଇଛି । ସେ ହୋଇ ଯାଇଛନ୍ତି ଏକ ଘସରା ଅଚଳ ମୁଦ୍ରା !

 

ସେଇଦିନୁ ଏ ନିମଖଣ୍ଡି ଗାଁରେ ତାଙ୍କୁ କେହି ଆଡ଼ ଆଖିରେ ଅନାଉ ନାହିଁ । ଭୂମିଷ୍ଠ ପ୍ରଣାମ ସ୍ଵପ୍ନ ହେଲାଣି । କଦବା କେହି ଯଦି ଓଳିକିଟାଏ କି ନମସ୍କାରଟାଏ ମୁହଁରେ କରିଦେଉଛି, ହାତ ଉଠୁ ନାହଁ କି ମୁଣ୍ଡ ନଉଁ ନାହିଁ ।

 

ଅଥଚ ସେଇ ସନାତନ ମିଶ୍ରେ ସେମିତ ଅଛନ୍ତି !

 

ତାଙ୍କ ସାଙ୍ଗରେ ବାଦ ସାଧୁଛନ୍ତି ଏଇ ନାରଣ ମାଷ୍ଟ୍ରେ । ସେ ଗାଁରେ ଗୋଟାଏ ସ୍କୁଲ କରି, ଛୋଟ ଲୋକଗୁଡ଼ାଙ୍କୁ ଉପରମୁହାଁ କରି ସାରିଲେଣି ।

 

ନାରଣ ମାଷ୍ଟ୍ରଙ୍କ ଉପରେ ମିଶ୍ରଙ୍କ ରାଗ ପୁଣି କାହିଁକି ଠୁଳ ହୋଇ ଯାଉଥିଲା । ତଳ ଓଠଟା ଦାନ୍ତ ଦୁଇ ଭାଡ଼ିକ ମଝିରେ ରହି ଚିପିହୋଇ ଯାଇଥିଲା । କିନ୍ତୁ ନାରଣ ମାଷ୍ଟ୍ରେ ସେତେବେଳକୁ ଅଶିଣ ମାସର ଥୋଡ଼ କାଢ଼ି ଆସୁଥିବା ଧାନ କିଆରି ମଝିରେ ମାହାରା କରି ମାଛ ଧରିବାକୁ ପାଣି ବୁହା ଲଗେଇଛନ୍ତି !

 

ମିଶ୍ରେ ଆସି ନିଜ ଚଉପାଢ଼ୀ ପାଖରେ ହେଲାବେଳକୁ ସକାଳର ନାରଙ୍ଗୀ ଖରା ଡେଙ୍ଗା ନଡ଼ିଆ ଗଛର ବାହୁଙ୍ଗା ଦେହରେ ବିଞ୍ଚିହୋଇ ପଡ଼ିଲାଣି ।

 

ମିଶ୍ରେ ଅନେଇଲେ ପକ୍‍କା ଚଉରା କଡ଼େ ଧୂଳିଘର କରି ଲୀଳା ଖେଳୁଛି I ଚଉରା ଆଢ଼ୁଆଳରେ ଯାହା ମୁଣ୍ଡଟି କେବଳ ଅଧା ଦିଶୁଛି, ସିଏ ବୋଧହୁଏ ସୁରିଆ...ନାରଣ ମାଷ୍ଟ୍ରଙ୍କ ପୁଅ-

 

ନାରଣ ମାଷ୍ଟ୍ରଙ୍କ ପୁଅ ସାଙ୍ଗରେ ନିଜ ଝିଅ ଖେଳୁଥିବା କଥାଟା ମିଶ୍ରଙ୍କ ଦେହସୁହା ହେଲେ ନାହିଁ । ସେ ଡାକ ଛାଡ଼ିଲେ, ଲୀଳା କିଲୋ ! ଏଣିକି ଆସିଲୁ... !

 

ମିଶ୍ରଙ୍କ ବିକଟ ରଡ଼ି ଶୁଣି ଚିଲ ଭଲି ଛୁଟି ପଳାଇଲା ସୁରିଆ । ଭାତ–ରାନ୍ଧିସାରି ତିଅଣ ରାନ୍ଧୁଥିବା କଣା ସଢ଼େଇଟାକୁ ଦୂରକୁ ପକେଇ ଦେଇ ଲୀଳା ଡାକିଲା, ହେ ସୁରିଆ ଭାଇ ! ମୁ ଯିବି ରହ... ।

 

ଲୀଳା ପୁଣି ଦୌଡ଼ ଆରମ୍ଭ କରିଦେଲା ।

 

ମିଶ୍ରେ କେବଳ ଗାମୁଛାରେ ମୁହଁ ପୋଛିଲେ । ଏଡ଼େ ସକାଳୁ ମୁହଁରୁ ତାଙ୍କର ଝାଳ ବୋହିଯାଇଛି କେମିତି.. !

 

ଅଣନିଶ୍ଵାସୀ ହୋଇ ଦଉଡ଼ି ଦଉଡ଼ି ସୁରିଆ ଯାଇ ଯଦୁ ରାଉତ ଘର ବାଇଗିଆ ଭେଡ଼ା ପାଖରେ ଠିଆ ହେଲା । ସେତେବେଳକୁ ସେ କେବଳ ଧଇଁ ସଇଁ ହୋଇ ଯାଉଥାଏ । ନିଃଶ୍ଵାସ ଘରେ ପଶୁ ନ ଥାଏ ।

 

ଆରେ ବାପାରେ ! ଯଦି ମିଶ୍ରଙ୍କ ହାବୁଡ଼େ ଆଜି ସେ ପଡ଼ି ଯାଇଥାନ୍ତା !

 

ପଛରେ ଲୀଳା ‘‘ସୁରିଆ’ଇ ସୁରଆ’ଇ’ ଡାକି ଦଉଡ଼ିଛି । ପନ୍ଦର ମିନିଟ ଖଣ୍ଡେ ଠିଆହୋଇ ସୁରିଆ କେବଳ ବହେ ଦମ୍‍ ନେଲା । ସେତେବେଳ ଯାଏ ମଧ୍ୟ ମିଶ୍ରଙ୍କ ଡର ତା’ ମନରୁ ଯାଇନି । ରହି ରହି ତାଙ୍କର ବିକଟାଳ ରଡ଼ି, ଡିମା ଡିମା ଆଖି ସୁରଆ ଆଖିରେ ନାଚିଯାଉଛି-

 

ଏମିତି ଦିନେ ସେ ଖେଲୁଥିଲା ଲୀଳା ସାଙ୍ଗରେ । କ’ଣ ଟିକିଏ ଖଳବ କଲା ବୋଲି ମିଶ୍ରେ ଚଉପାଢ଼ୀ ଉପରୁ ଉହୁଁକି ଆସିଲେ । କହିଲେ, ଦବୁଟିରେ ବଳିଆ ସେ ମହାନ୍ତି ଟୋକା କାନମୋଡ଼ି ଛିଣ୍ଡେଇ ମେଞ୍ଚଡ଼ ଛୁଆ ବକଟେ ମୋ ଝିଅକୁ ଗାଳି ଦେଉଛି !

 

କଳା ମଚ ମଚ ହୋଇ ସେ ଯେଉଁ ଅଧା ତାଳଗଛ ବାବନା ଭୂତ ବଳିଆ, ମିଶ୍ରଙ୍କ ଚାକର, ମିଶ୍ରଙ୍କ ଆଦେଶ ପାଇଲା ମାନେ ଆସି ଧରି ପକାଇଲା ତା’ କାନକୁ ଜୋର୍‍ରେ । କାନମୁଣ୍ଡାଟା ଫୁଲିଗଲା ସେ ରଗଡ଼ାରେ । ତିନି ଦିନରେ ଯାଇ ଦରଜ ଯାଇଛି । କାନ୍ଦିକାନ୍ଦି ତା’ ଆଖିପତା ବି ଫୁଲି ଯାଇଥିଲା ।

 

କଣ୍ଢେଇ ବାପା ମନା କରିଥିଲେ—ମିଶ୍ରଙ୍କ ଦାଣ୍ଡକୁ ଯିବୁ ନାହିଁ ରେ ବାପା ! ବଡ଼ଲୋକ ସିଏ । କେତେବେଳେ ନାଇଁ କୋଉକଥା । ଲୀଳା ସାଙ୍ଗରେ ତୁ ଆଉ ଖେଲିବୁ ନାହିଁ । ହେଇ ନେ’ ଏ ରବର କଣ୍ଢେଇ...ଦେଖ୍‍....ଚିପିଦେଲେ ବୋବାଉଛି । ଏଇ କଣ୍ଢେଇ ସାଙ୍ଗରେ ଖେଳ୍‍ । ପାଠ ପଢ଼ । ତୁ ପୁଣି ବାବୁ ହେବୁ ନାହିଁ କି ? ବଡ଼ ହୋଇ ବାବୁ ହେଲେ ତୁ ପୁଣି ଲୀଳା ସାଙ୍ଗରେ ଖେଲିବୁ । ନେ’.....ଏ କଣ୍ଢେଇ ନେ’...

 

ବାପା ଗୋଟାଏ ଜାପାନି ରବର କଣ୍ଢେଇ ଦେଇଥିଲେ ।

 

କାନମୁଣ୍ଡାର ଦରଜ ନ କମିବା ଯାଏ ଘରେ ବସି ସେ ସେଇ କଣ୍ଡେଇ ସାଙ୍ଗରେ ଖେଳିଥିଲା । କଣ୍ଢେଇକି ଧରି ସେ ପଚାରେ, ତୁ ଭାତ ରାନ୍ଧିବୁ ?

 

ଚିପିଦେଲେ କଣ୍ଡେଇ କହେ, କୁଉଁ...

 

ପୁଣି ସେ ପଚାରେ, ତୁ ତୁଅଣ ରାନ୍ଧିବୁ ?

 

କଣ୍ଢେଇକି ଚିପିଦେଲେ ସେ କହେ, କୁଉଁ...

 

ଦୂଗୁଣେଇ ହୋଇ ସେ ଆହୁରି ପଚାରେ, ତୁ ମୋ ଉପରେ ରାଗିବୁ ନାହିଁ ତ ?

 

କଣ୍ଢେଇକୁ ଚିପିଦେଲେ ସେ କହେ, କୁଉଁ.... ?

 

ମନେ ମନେ ବିରକ୍ତ ହୋଇଯାଏ ସୁରିଆ । ସବୁବେଳେ ଖାଲି “କୁଉଁ ? ନାଇଁ ନାଇଁ .ଏମିତିଆ କଣ୍ଟେଇଟାଏ ନେଇ ସେ ଖେଳିବ ନାହିଁ । କଣ୍ଢେଇକୁ ଚିପି ମୋଡ଼ିମାଡ଼ି ସୁରିଆ ଖତଗଦାକୁ ଫୋପାଡ଼ି ଦେଲା ।

 

ତା’ ଆରଦିନ ଦେଖିଲାବେଳକୁ ବାରିପାଖ ଝରକାବାଟେ ଲୀଳା ଡାକୁଛି, ସୁରିଆ’ଇ ! ଖେଲିବୁ ଆ..

 

କାନମୁଣ୍ଡାର ଦରଜ ସେତେବେଳକୁ ତା’ର ଅନେକ ପରିମାଣରେ କମି ଯାଇଥିଲା । ଭୁଲି ଯାଇଥଲା ସେ ମିଶ୍ରଙ୍କ ଡିମାଡିମା ନାଲି ଆଖି. ପାସୋରି ପକାଇଥିଲା ସେ ବଳିଆ ବାଉରିର ରଗଡ଼ା କାନମୋଡ଼ା । ଲୀଳା ଡାକଦେଲାକ୍ଷଣି ତା’ ଦେହରେ ଚାଇଁକିନି ଗୋଟାଏ କ’ଣ ଲାଗିଗଲା-। ଚାରିଆଡ଼କୁ ସେ ଅନେଇଲା, କେହି ନାହାନ୍ତି । ବାପା ସ୍କୁଲକୁ ଯାଇଛନ୍ତି । ବୋଉ ଶୋଇପଡ଼ିଛି ଚୈତ୍ରମାସ । ଖରାବେଳ । ବାହାରେ ତତଲା ପବନର ଝାଞ୍ଜି ପିଟୁଛି । ପୋଖରିକୁଳ ଗୁରୁଡ଼ି ଗଛରୁ ଶୁଭୁଛି ଆମ୍ବ ଝଡ଼ିବାର ଶବ୍ଦ...

 

ଗୋଡ଼ ଚିପି ଚିପି ଆସ୍ତେ ଆସ୍ତେ ସେ ବାହାରି ଆସିଲା ପଦାକୁ । ଲୀଳାକୁ ସାଙ୍ଗରେ ଧରି ପଳାଇଲା ସେ ପୋଖରି ଆଡ଼କୁ । ସେଇଦିନରୁ ପୁଣି ଲୀଳା ସାଙ୍ଗରେ ତା’ର ଖେଳ ଆରମ୍ଭ ହୋଇଗଲା । ମିଶ୍ରଙ୍କୁ ଲୁଚି ଲୁଚି ସେମାନେ ଖେଳନ୍ତି । ହଠାତ୍‍ ଆଜି କେମିତି ମିଶ୍ରଙ୍କ ଆଖିରେ ପଡ଼ିଗଲା । ଯଦି ସେ ଧରା ପଡ଼ିଥାନ୍ତା !

 

ଲୀଳା ସେତେବେଳକୁ ଆସି ପହଞ୍ଚି ଯାଇଥିଲା ।

 

ଆସିଲାବେଳେ ବାଟରେ କେଉଁଠି ସେ ପଡ଼ିଛି । ପିଠିରେ ଧୂଳି ଲାଗିଛି । ଲୀଳା ପିଠିରୁ ଧୂଳି ଝାଡ଼ି ଝାଡ଼ି, ସୁରିଆ କହିଲା, ତୋ ପଛେ ପଛେ ତୋ ନନା ଆସୁ ନାହାନ୍ତି ତ !

 

ମୁହରେ ମେଞ୍ଚାଏ ହସ ଚହିଲେଇ ଦେଇ ଲୀଳା କହିଲା, ଆସୁ ନନା ! ନନା କ’ଣ ବାଘ ନା ଭାଲୁ ! ତତେ ଖାଲି କାମୁଡ଼ି ପକାଉଛି ।

 

ଉଃ ସେଦିନ କଥା ମନେ ନାହିଁ କି ? ତମ ଚାକିରିଆ ସେ ବଳିଆ । ଏଇ କାନମୁଣ୍ଡା ସୁରିଆ ନିଜ କାନମୁଣ୍ଡାକୁ ଆଉଁସିବାକୁ ଲାଗିଲା ।

 

ସୁରିଆର କାନମୁଣ୍ଡା ଆଊଁସା ଦେଖି ଲୀଳା ମନଟା ବି କେମିତି କଅଁଳ ହୋଇଗଲା । ସେ କହି ପକାଇଲା, ନନାଟା ଯଦି ମରିଯାଆନ୍ତା, ତେବେ ଭାରି ଭଲ ହୁଅନ୍ତା ନାଇଁ ?

 

ନିଜ କାନମୁଣ୍ଡା ଆଉଁସା ଛାଡ଼ି ଲୀଳା ପାଟିରେ ହାତ ଦେଇଦେଲ ସୁରିଆ । କହିଲା, . ନନା ପରି ଗୁରୁଜନ ! ତାଙ୍କୁ ସବୁ ଗାଳି ଦିଅନ୍ତି !

 

ଲୀଳା କିଛି ବୁଝିପାରିଲା ନାହିଁ । ଗୁରୁଜନମାନେ ଖରାପ ଲୋକ ହେଲେ ତାଙ୍କୁ କାହିଁକ ଗାଳି ଦିଆନଯିବ, ସେକଥା ଲୀଳାର ଛୋଟ ମୁଣ୍ଡରେ ପଶୁନ ଥିଲା । ଯେଉଁ ନନା ସୁରିଆର କାନ ମୋଡ଼ାଇଥିଲେ, ତାଙ୍କୁ ଗାଲିଦେଲେ ସୁରିଆ’ଇ କାହିଁକି ବାରଣ କରୁଛି, ସେ କିଛି ସେକଥା ଧରିପାରୁ ନ ଥିଲା । କଥାଟାକୁ ପୂରାପୂରି ଏଡ଼େଇ ଦେଇ ସେ କହିଲେ, ଏ ସୁରିଆ’ଇ । ସେ ବାଇଗିଆ ଗଛରେ ଗୋଟାଏ ସୁନ୍ଦରିଆ କଙ୍କିଟାଏ ବସିଛି । ମତେ ଧରିଦେ....

 

ସୁରିଆ କହିଲା, କାହିଁକି ? ଧରିଦେଲେ ତୁ ମତେ କ’ଣ ଦେବୁ ?

 

ଆଖି ମିଟିମିଟି କରି ଓଠ ଚିପି ଚିପି ଲୀଳା କହିଲା, ଆମ ବଙ୍ଗଳା ଘର ଶିକାରେ ଯେଉଁ ଆଚାର ହାଣ୍ଡି ନାହିଁ, ତା’ ଦେହରୁ ବଢ଼ିଆ କାଗେଜି ଆଚାର ଆଣି ଦେବି । ଥରେ ଖାଇଲେ ପାଞ୍ଚଥର ମାଗୁଥିବୁ ହେଁ ହେଁ....

 

କହିସାରି ଫି କିନା ହସିଦେଲା ଲୀଳା । ନୀଳା ରଙ୍ଗର ସେ କଙ୍କିଟା ଠିକ୍‍ ସେତିକିବେଳେ ଧରୁ ଧରୁ ଖସିଗଲା ସୂରିଆ ହାତରୁ । ଅଳ୍ପଦୂରରୁ ସେହି ସମୟରେ ଡାକ ଶୁଭିଲା, ସୁର ହେ ସୁର ।

 

ଚମକି ଚାହିଁ ସୁର ଦେଖିଲା ବାପା ଆସୁଛନ୍ତି । ହାତରେ ଅନ୍ଧୁଲି । ଅନ୍ଧୁଲି ଦେହରେ ଜିକ୍‍ ଜିକ୍‍ କରୁଛନ୍ତି କେରାଣ୍ଡି ମାଛଗୁଡ଼ାକ । ବାପା ଗୋଟିସୁଦ୍ଧା ଓଦା । ଦେହରେ କାଦୁଅ ଛିଟିକା ଲଗିଛି-

 

ଲୀଳା କହିଲା—ହେଇ ମାଷ୍ଟ୍ରେ ଆସିଲେଣି ସୁରିଆ’ଇ । ମୁଁ ଯାଉଛି ।

 

ସୁରିଆ କଙ୍କିଧରା ଛାଡ଼ି ଭଲ ପିଲାଟି ପରି ସ୍ଥିର ହୋଇ ଠିଆ ହେଲା । କେଜାଣି କାହିଁକି ବାପାଙ୍କୁ ଦେଖିଲେ ତା’ର ସବୁ ଶିଶୁସୁଲଭ ଚପଲ ଗାରିମା ଜଡ଼ ପାଲଟିଯାଏ ।

 

ନାରଣ ମାଷ୍ଟ୍ରେ ପାଖକୁ ଆସି ସ୍ନେହ-ସଜଳ କଣ୍ଠରେ କହିଲେ, ସକାଳୁ ପଢ଼ା ଛାଡିଦେଇ-। ଏଣେ ଚାଲି ଅଇଲୁ । ଦେଖିଲୁ କେଯାଏ ମାଛ ଆଣିଚି.....

 

ସୁରିଆ ଖୁସିହେଲା ଭଳି ଟିକିଏ ହସିଦେଲା ।

 

ଖରା ସେତେବେଳକୁ ନଇଁ ଆସିଲାଣି ।

 

ଗୋଧୂଳିର ମହଲାଣ ଛାଇ ଚାରିଆଡ଼େ ଘୋଟିଆସୁଛି । ମଲା ଗୋଧୂଳିର ସେହି ପାଉଁଶିଆ ଖରା ସଜନା ଗଛର ହଲୀଲା ପତରରେ ଦୋହଲି ଦୋହଲି ସତେ ଯେମିତି କହିହେଉଛି-ରାତି ଆସୁଛି, ଅନ୍ଧାର ଆସୁଛି, ଦିନ ଯାଉଛି ।

 

ଦିନର ଟାଣ ଖରା ପରେ ରାତିର ଶୀତଳ ଅନ୍ଧାର ମାଡ଼ି ଆସିବା ଏକ ସାଧାରଣ କଥା-

 

ବଙ୍ଗଳା ଘର ସେଇ ପଲଙ୍କ ଉପରେ ଚେଇଁ ଚେଇଁ ଶୋଇ ସେହି ଆସନ୍ନ ରାତିର କଥା ଚିନ୍ତା କରୁଥିଲେ ସନାତନ ମିଶ୍ରେ । ତାଙ୍କ ପ୍ରଭାବ, ପ୍ରତିପତ୍ତିର ଟାଣ ଖରା ଏଇ ଦିନ କେଇଟା ଭିତରେ ଶୀତଳ ହୋଇ ଆସିଲାଣି...ଏଣିକି ଅନ୍ଧାର ଆସିବ.....ନିନ୍ଦା, ଅପମାନର ଅନ୍ଧକାର । କେମିତି ସେଇ ଅନ୍ଧାର ଭିତରେ ପଡ଼ି ଅଣ୍ଡାଳି ହେବେ ସେ ।

 

ମିଶ୍ର ସେଇ କଥା ଭାବୁଥିଲେ । ଦେହରେ ଶିହରଣ ଖେଲୁଥିଲା । ଲେମମୁଳ ଟାଙ୍କୁରି ଉଠୁଥିଲା । କେତେ ଧଡ଼ି ମଡ଼ି ସହି ପୋରିହାଁ ହୋଇ ଯାଇଥିବା ତାଙ୍କର ପ୍ରୌଢ଼ ଶରୀରର ରକ୍ତବାହୀ ଶିରା ପ୍ରଶିରା ସେଇ କଥା ଚିନ୍ତାକରି କେମିତି ଜଡ଼ ପାଲଟି ଯାଉଥିଲେ ।

 

ଲିଭି ଯାଉଥିବା ଦିନର ଆଲୁଅରେ ନିରିଖି ନିରିଖି ସନାତନ ମିଶ୍ର ଘର କାନ୍ଥରେ ଝୁଲୁଥିବା ସେଇ ଫଟୋ ଖଣ୍ଡକ ଆଡ଼େ ଚାହୁଥିଲେ ଅତି ବିକଳ, ବିବ୍ରତ ଭାବରେ । ଫଟୋ ଖଣ୍ଡିକରୁ ରଙ୍ଗ ଛାଡ଼ି ଆସିଲାଣି । ଅନେକ ଦିନର ପୁରୁଣା ଫଟୋ । ଗାଁକୁ ଆସିଥିବା ଜଣେ ଫଟୋ ଉଠାଳୀଠାରୁ ସେ ଫଟୋଟି ନିଆ ଯାଇଥିଲା । ଖର୍ଚ ଦୁଇଟଙ୍କା । ସାଙ୍ଗେ ସାଙ୍ଗେ ଫଟୋ ଉଠାଇ ଧୋଇ ସେ ଦେଇ ଯାଇଥିଲା ଫଟୋକୁ ।

 

ନନା ଚିହିଁକି ପଡ଼ିଥିଲେ ।

 

ଟଙ୍କାଗୁଡ଼ାକ କ’ଣ ଗୋଡ଼ି ମାଟି କିରେ ସନିଆ ? ଠଣ୍‍ ଠଣ୍‍ କରି ଏଇ ଚିତ୍ରପଟ ପାଇଁ ଦୁଇଟା ଟଙ୍କା ଗଣିଦେଲୁ । ହେ ରାଧାମାଧବ । ଜାଣିଥିଲେ ମୁଁ ମୋଟେ ଏ ଫଟ ଉଠାଇବାକୁ ଆସି ନ ଥାନ୍ତି.... ।

 

ଦାନ୍ତ ଚିପିକରି ସେ ଗାଳିକୁ ହଜମ କରି ନେଇଥଲେ ମିଶ୍ରେ । ସେତେବେଳେ ଦେହର ରକ୍ତ ଭାରି ଉଷୁମ ଥିଲା । ନନାଙ୍କ ଫଟୋ ଖଣ୍ଡିକ ଆଡ଼କୁ ଚାହିଁ ସେ ଖୁବ୍‍ ଖୁସି ହୋଇ ଯାଇଥିଲେ-

 

ଇସ୍‍ ! କି ସୁନ୍ଦର ଉଠିଛି ଫଟୋଟା । ଦେହରେ ଖଣ୍ଡେ ଧଳା ଚାଦର । ନାକଠାରୁ ତାଳୁଯାଏ ରମନନ୍ଦୀ ଚିତା । ମୁଣ୍ଡର ଚୁଟିରେ ଗଣ୍ଠି ପଡ଼ିଛି । ସାରା ମୁହଁରୁ ବାହାରୁଛି କେମିତି ଗୋଟାଏ ଜ୍ୟୋତି ।

 

ଏବେ ସେ ଫଟୋରୁ ରଙ୍ଗ ଛାଡ଼ି ଆସିଲାଣି । ତଥାପି ଚାହିଁ–ଦେଲେ ମିଶ୍ରେ ଥମିଯାଆନ୍ତି । ନନାଙ୍କ ବ୍ରହ୍ମତେଜ ପାଖରେ ତାଙ୍କର ସବୁ ପ୍ରଭାବ, ପ୍ରତିପତ୍ତି ମଲିନ ପଡ଼ିଯାଏ । ନିଜର ବର୍ତ୍ତମାନ ସହିତ ନନାଙ୍କ ଅତୀତକୁ ତୁଳନା କରି ସେ ଦୋଷୀଟି ଭଲି ଅସହାୟ ହୋଇଉଠନ୍ତି ।

 

ନନା ଆଖି ବୁଜିଲାବେଳକୁ ଛାଡ଼ି ଛାଡ଼ି ଯାଇଥିଲେ ଜମି ପାଞ୍ଚମାଣ—ଚାରି ବଖୁରିଆ ମାଣ୍ଟୁ ଘର ଖଣ୍ଡେ । ଆଉ ତା’ ସହିତ ଗୋଟିଏ ଶେଷହୀନ ଅସନ୍ତୋଷ ଯାହା ସନାତନକୁ ପ୍ରେରଣା ଯୋଗାଇଥିଲା ବଡ଼ଲୋକ ହେବାକୁ ।

 

ନନାଙ୍କ ଶ୍ରାଦ୍ଧଦିନ ପରେ ସନାତନ ପ୍ରତିଜ୍ଞା କରିଥିଲେ, ବଡ଼ଲେକ ହେବ । ଏ ପାଞ୍ଚମାଣ ଜମିକୁ ଦଶଗୁଣା କରିବ । ମାଣ୍ଟୁ ଘରକୁ କରିବ ଇଟାଘର । ମାଗନ୍ତା ବ୍ରାହ୍ମଣ ବୋଲି ନନାଙ୍କୁ ଯିଏ ପରିହାସ କରିଛନ୍ତି, ତାଙ୍କୁ ଆଣି ଗୋଡ଼ତଲେ ବସାଇବି । କାନ ଧରାଇ ବସ ଉଠି କରାଇବି ।

 

ନନାଙ୍କ ମଲା ପରେ ଯେଉଁ ଦୁର୍ଦ୍ଦଶା, ସେ କଥା ଏବେ ବି ମନେପଡ଼ିଲେ ଆଖିରୁ ପାଣି ନିଗିଡ଼ିପଡ଼େ । ଭାଇମାନେ ଅଡ଼ି ବସିଲେ—ଶୀତଳ ପଣା, ନବମୀ ପଣା ଦେବାକୁ ହେବ । ଖର୍ଚ କରିବାକୁ ପଡ଼ିବ । କ’ଣ କରଯାଇନି କି ବଳଭଦ୍ର । ଜେଜମାନୀ କରି ଜମି ପାଞ୍ଚମାଣ କିଣିଛି.... ମାଣ୍ଟୁ ଘର ତୋଳିଛି । ସେ କ’ଣ ଆଉ ଥରେ ମରିବ । ତା’ ଶ୍ରାଦ୍ଧକୁ ଖର୍ଚ୍ଚ କରିବାକୁ ପଡ଼ିବ ।

 

ସେ ବର୍ଷ ପୁଣି ଫସଲ ଗଜାମରୁଡ଼ି ।

 

ଖଳାକୁ ଧାନ ଆସି ନ ଥାଏ । ଘରୁ ଟଙ୍କା ପଇସା ପୋଛା ପୋଛି । ପିତୃଦାୟରେ ପଡ଼ି ସନାତନଙ୍କ ମୁଣ୍ଡ ଘୂରେଇଲା । ବହୁ କଷ୍ଟରେ କେତେ ନେହୁରା ହୋଇ ଆ’ ହାତ, ତା’ ହାତ ଧରି ନନାଙ୍କ ଶ୍ରାଦ୍ଧକାମ ତୁଟେଇଲେ ।

 

ତା’ପରେ ସେ ବ୍ରହ୍ମପଇତା ଛୁଇଁ ଶପଥ କଲେ, ବଡ଼ଲୋକ ହେବି । ଛାଡ଼ିଦେବି ଏଇ ପୁରୋହିତ କାମ । ମାଗନ୍ତା ବ୍ରାହ୍ମଣ ବୋଲି କହିବାକୁ କାହାର ପାଟି ଫିଟିବ ନାହିଁ । ଜମିଦାର ହେବି-। ଇଟାଘର କରିବି ।

 

କିନ୍ତୁ କେମିତି ?

 

କୁଆଡ଼ୁ ଆସିବ ଟଙ୍କା । କିଏ ସେ ଦେବ ସାହାଯ୍ୟ ?

 

ପୁଣି ମନରେ ଦମ୍ଭ ଆସିଲା, କୁଶ ଉପାଡୁଥିବା ବ୍ରାହ୍ମଣ ଚାଣକ୍ୟ ଯେବେ ନନ୍ଦବଂଶର ମୂଳ ଉପାଡ଼ି ଚନ୍ଦ୍ର ଗୁପ୍ତଙ୍କ ମନ୍ତ୍ରୀ ହୋଇପାରିଲେ, କାହିଁକି ପାରିବେ ନାହିଁ ସେ ଜମିଦାରି କିଣି—କୋଠାଘର ତୋଳି ।

 

ଇଚ୍ଛା ଥିଲେ....ବାଟା ମିଳେ ।

 

ଅଭାବ ଥିଲେ ଇଚ୍ଛା ହୁଏ ।

 

ମିଶ୍ରଙ୍କୁ ବାଟ ମିଲିଲା ।

 

ଲେକେ କହନ୍ତି; ଯେଉଁ ବାଟ ଧରି ସନାତନ ମିଶ୍ରେ ଜମିଦାରି କଣିଲେ, କୋଠାଘର ତୋଳିଲେ, ସେଇଟା ଭଲ ବାଟ ନୁହେଁ । ବଳଭଦ୍ର ମିଶ୍ରଙ୍କର ପୁରୋହିତ ହିସାବରେ ପଚଶଖଣ୍ଡ ଗାଁରେ ଯେଉଁ ସମ୍ମାନ ଭକ୍ତି ଥିଲା, ସେଇ ସମ୍ମାନ, ଭକ୍ତିକୁ ବିକ୍ରୀକରି, ତାଙ୍କର ପବିତ୍ର ସ୍ମୃତି ଉପରେ କଳଙ୍କର ପାଉଁଶ କୁଢ଼େଇଦେଇ ସନାତନ ମିଶ୍ରେ ବଡ଼ଲେକ ହେଲେ...ଆ’ ମୁଚୁଳା ତା’ ମୁଣ୍ଡ ତଳେ ଦେଇ ପାଞ୍ଚଟା ଘରେ ନିଆଁ ଲଗେଇ ଗୋଟିଏ ଘର ଗଢ଼ି, ଆଖପାଖ ପଚାଶ ଖଣ୍ଡ ଗାଁରେ ବିବାଦର ଧୂଆଁ କୁହୁଳେଇ ଜମିଦାର ହେଲେ ସନାତନ ମିଶ୍ରେ ।

 

ମିଶ୍ରେ କହନ୍ତି, ଦଶଜଣଙ୍କୁ ତଳକୁ ନ ଦାବିଲେ ଜଣେ ଉପରକୁ ଉଠିପାରିବ ନାହିଁ । ଦଶଟା ରାଜ୍ୟକୁ ପଦାନତ ନ କଲେ ଜଣେ ସମ୍ରାଟ ହୋଇପାରିବ ନାହିଁ । ଜଣେ ବଡ଼ଲେକ ହେବାକୁ ହେଲେ ପାଞ୍ଚଜଣଙ୍କୁ ଗରିବ ହେବାକୁ ହିଁ ହେବ । ଜଣକୁ ହସାଇବାକୁ ହେଲେ ସାତଜଣଙ୍କୁ ଲୁହ ଝାରିବାକୁ ପଡ଼ିବ ।

 

ଯେଉଁମାନେ ସେ କଥା କରି ନ ପାରିବେ, ସେମାନେ ମୁର୍ଖ । ଯେଉଁମାନେ ଅନ୍ୟର ଲୁହ ଦେଖି ନିଜେ ଆଖି ଓଦା କରନ୍ତି, ସେମାନେ ମାଇଚିଆ । ଯେଉଁ ମାନେ ଗରିବ, ସେମାନେ ନିର୍ବୋଧ । ବଡ଼ଲୋକ ହେବାକୁ ହେଲେ ବଦମାସ ହେବାକୁ ହିଁ ହେବ । ଧନ ବଢ଼ାଇବାକୁ ହେଲେ ଠକିବାକୁ ନିଶ୍ଚୟ ପଡ଼ିବ ।

 

ଆଦର୍ଶ ଦେଖାଇ ଦୟାଧର୍ମ କରି ଗରିବ ହୋଇ ରହି ଆଖିଲୁହ କହୁଣିରେ ପୋଛିବା ଜୀବନର ଗୋଟାଏ ଦର୍ଶନ ହୋଇପାରେ; କିନ୍ତୁ ଅନ୍ୟର ସୁନାଘର ଚୁନାକରି ନିଜର ପାରଭାଡ଼ି ଭଲ ମାଣ୍ଟୁ ଘରକୁ ଇଟା ସିମେଣ୍ଟର ଘର କରିବା ହେଉଛି ଏକ କଳା । ସେଇ କଳା ଉପରେ ଥିଲା ସନାତନ ମିଶ୍ରଙ୍କର ଅଗାଧ ବିଶ୍ଵାସ, ଅକଳନ୍ତି ଭରସା । ଅପରଲୋକର ଘରେ ଜଲୁଥିବା ଦୀପକୁ ଜୋରରେ ଫୁଙ୍କି ଲିଭେଇଦେଇ ନିଜର ଅନ୍ଧାର ଘରେ ଆଲୁଅର ଦୀପାଳୀ ଜାଳିବାର କଳାକୁ ସନାତନ ମିଶ୍ରେ ଠିକ୍‍ ଭାବରେ ଉପଯୋଗ କରି ପାରିଥିଲେ ।

 

ସେଥିପାଇଁ ଦେଖାଗଲା ନିତି ସକାଳୁ ମିଶ୍ରଙ୍କ ଦାଣ୍ଡରେ ଲୋକେ ଭେଳା ଭେଳା ହେଉଛନ୍ତି । ମିଶ୍ରେ ଉଠିଲାକ୍ଷଣି ଲେକେ ଲମ୍ବହୋଇ ଗୋଡ଼ତଳେ ପଡ଼ୁଛନ୍ତି । ମାଗୁଣି କରୁଛନ୍ତି, ମୋ ସୁନାପାଟ ଜମି ଉପରେ ନିଧୀ ବେହେର ଚାକୁଣ୍ଡାଗଛ ପକେଇ ଦେଇଛି ଆଜ୍ଞା ! ...ଚାକୁଣ୍ଡାଗଛର ଛାଇରେ ସେ ସୁନାଥଳି ଜମିରେ ଆଉ କୁଶ କଅଁଳୁ ନାହିଁ । ଆପଣ ଏ ଗାଁର ଠାକୁର—ଟିକଏ ବିଚାର କରିଦିଅନ୍ତୁ....ଗରିବ ଲୋକ ଆଜ୍ଞା । ଘରଲୋକ ଗହଣା ବନ୍ଧା ପକାଇ ଆପଣଙ୍କ ପାନଖିଆ ପାଇଁ ଏ ଟଙ୍କା ଦଶଟା ଆଣିଛି....

 

ସକାଲୁ ଦଶଟଙ୍କିଆ ନୋଟ ମୁହଁଟା ଦେଖି ମିଶ୍ରେ ଟିକିଏ ଗମ୍ଭୀର ହୁଅନ୍ତି, ସତେ ଯେମିତି ଟଙ୍କା ନେବା ପାଇଁ ଆଦୌ ଇଚ୍ଛା ନାହିଁ । କିନ୍ତୁ ପାନଖିଆ ଟଙ୍କା କେବେ ମିଶ୍ରେ ଫେରାଇଦେବା କେହି ଜାଣି ନାହାନ୍ତି । ମିଶ୍ର କହନ୍ତି, ଦୀପ ତେଜି ଜାଣିଲେ ହାତ ଚିକ୍‍କଣ । ଯେଉଁମାନେ ଦୀପ ଜାଳି ହାତ ନୁଖୁରା ରଖନ୍ତି, ସେମାନେ ଗର୍ଦ୍ଧଭ ବଂଶଧର ।

 

ସେଥିପାଇଁ ସକାଳଓଳି ନିଧି ବେହେରା ଚାକୁଣ୍ଡାଗଛ ନାମରେ ଅଭିଯୋଗ କରି ପାନଖିଆ ଦଶଟଙ୍କା ଦେଇ କାମ ହାସଲ ହୋଇଯିବାର ନିର୍ଭର ପ୍ରତିଶ୍ରୁତି ନେଇ ଦାମ ସାହୁ ଗଲା ପରେ ତିରିଶିଟଙ୍କା ପାନଖିଆ ଖର୍ଚ୍ଚ ଆଣି ସଞ୍ଜବେଳକୁ ଆସି ପହଞ୍ଚେ ନିଧି ବେହେରା....

 

ମିଶ୍ରଙ୍କ ପାଖରେ ମିନତି କରେ, ପିଲା ଛୁଆ ନେଇ ଘର କରିଛି ଆଜ୍ଞା । ମୁଣ୍ଡ ଗୁଞ୍ଜିବାକୁ ସେ ଘରେ ଜାଗା ମିଳୁ ନାହିଁ । ଘର ଖଣ୍ଡ କରିବି ବୋଲି ବସିଛି । ହେଲେ ମୂଳଦୁଆ ପକାଇବାକୁ ଭାଗ ମିଳୁ ନାହିଁ । ମୋ ଘରକୁ ଲାଗି ଦାମ ସାହୁର ଜମି...ସେ ଖଣ୍ଡକ ହେଲେ ହୁଅନ୍ତା । ତାକୁ ଅକଳରେ ପକାଇବା ପାଇଁ ତା’ ଜମି ଛାଇ କରିବାକୁ ଚାକୁଣ୍ଡାଗଛ–‘ଦି’ଟା ମୋ’ ବାରିରେ ପକାଇଛି-। ଆପଣ ଟିକିଏ ଜମି ଟା କବଲା କରି ଦିଅନ୍ତୁ...ଏ ପାନଖିଆ ଟଙ୍କା ତିରିଶଟା । ଗରିବ ଲୋକ ଆଜ୍ଞା ।

 

ଆଚ୍ଛା ଆଚ୍ଛା କହି ସେ ଟଙ୍କା ତିରିଶଟା ଗାଞ୍ଜିଆରେ ପୁରାନ୍ତି ମିଶ୍ରେ । ନିଧି ବେହେରାକୁ ଅଭୟ ଦିଅନ୍ତି, ଜମି ନଶ୍ଚୟ କବଲା ହେବ ।

 

ତା’ ଆରଦିନ ସକାଳୁ ଦାମ ସାହୁ ଆସିଲେ ମିଶ୍ରେ ଭାରି ବ୍ୟସ୍ତଥିବା ଭଳି ଭଙ୍ଗୀ କରନ୍ତି-। କହନ୍ତି, ନିଧିଆକୁ ବହୁତ ବୁଝାଇଲି । ହେଲେ ତା’ ବାଡ଼ରେ ସେ ଗଛ ପକାଇଛି । ତୋ ବାଡିକି ଛାଇ ହେଲେ ସରକାର କ’ଣ କରିବ ? ତେବେ ଗୋଟାଏ କଥା କରିଛି…..ସେ ତୋ ବାଡ଼ିଟା କଣିନେବ । ଗୁଣ୍ଠ ପଚାଷ ଟଙ୍କା ! ଜମିରେ ତ’ କୁଶ କଅଁଳୁନି । ଦେଇ ଦେ’ ତାକୁ ସେ ଜମି-। ସେଇ ଟଙ୍କାରେ ଅନ୍ୟ କେଉଁଠୁ ଜମି କଣିନେ । ଆଉ—ହଁ, ଡେରିହେଲେ ଜମି ଦାମ୍‍ ପୁଣି ତିରୀଶ ଟଙ୍କାକୁ ଖସିଆସିବ । ମୋ ଦୋଷ ଦେବୁ ନାହିଁ ।

 

ସେ ଛାଇ ଜମି କୁ ଆଉ କଏ କିଣିବ ?

 

ଦାମ ସାହୁର ଆଖି ଜକେଇଆସେ ଲୁହରେ । ଭାତ ଥାଳିକି ଶାଗ ମାଛ ଦରରେ ବିକିବା କଥା ଶୁଣି ତା’ ମନ ଆଉଟି ହୋଇ–ଯାଏ । କିନ୍ତୁ ତା’ ଛଡ଼ା ଆଉ ବାଟ କ’ଣ ।

 

ଜମି କବଲା କଥା ସ୍ଥି’ର ହୁଏ ।

 

ସଞ୍ଜବେଳକୁ ନିଧି ବେହେରା ଆସିଲେ ମିଶ୍ରେ କହନ୍ତି, ବହୁ କଷ୍ଟରେ ତାକୁ ଗୁଣ୍ଠ ଶହେ ଶଙ୍କାରେ ରାଜି କରାଇଛି । ମଙ୍ଗୁ ନ ଥିଲା । ଢିଅ ଜମି । ଯଦି କବଲା କରିବା କଥା ଶୀଘ୍ର ଟଙ୍କା ଆଣ୍‍...

 

ଦାମ ସାହୁ ଜମି କବଲା ହୁଏ ନଧି ବେହେରା ନାମରେ ତିନି ଗୁଣ୍ଠ ଜମିରେ କବଲା କରିବା ମଝିରେ ମିଶ୍ରେ ପାଆନ୍ତି ଦେଢ଼ଶହ ଟଙ୍କା.....ପାନଖିଆ ଟଙ୍କା ମିଶାଇଲେ ଏହାର ପରମାଣ ଦୁଇଶହ ଆଡ଼କୁ ଲମ୍ବି ଯାଏ... ଦାମ ସାହୁ, ନିଧି ବେହେରା ମୂର୍ଖ ଲୋକ....ମିଶ୍ରଙ୍କ ମାୟାରେ ପଶିପାରନ୍ତି ନାହିଁ । ମିଶ୍ରଙ୍କ ପାଞ୍ଚମାଣ ଜମି ହୁଏ ପଚାଶ ମାଣ !

 

ଜାଣିବା ଶୁଣିବା ଲୋକେ କହନ୍ତି, ମିଶ୍ର ଟାଉଟର ।

 

ନିଧି ବେହେରା କହେ, ମିଶ୍ରେ ନାମକୁ ମାତ୍ର ଠାକୁର ନୁହନ୍ତି, କାମରେ ବି ଠାକୁର । ଯେଉଁ ଦାମ ସାହୁକୁ ଜମି ବିକବା କଥା କହିଲେ ଠେଙ୍ଗା ଉଠାଇଥଲା, ମିଶ୍ରଙ୍କ ପଦେ କଥାରେ ଗୁଣ୍ଠ ଶହେ ଟଙ୍କାରେ ଦେଇଦେବାକୁ ସେ ବାଟ ପାଇଲା ନାହିଁ ।

 

ଦାମ ସାହୁ ପ୍ରଶଂସା କରେ, ମିଶ୍ରେ ଗରିବଙ୍କ ମା’ ବାପ । ଚାକୁଣ୍ଡାଗଛ ଛାଇରେ ଦୁବ କଅଁଳୁ ନ ଥିବା ଜମିକୁ ଗୁଣ୍ଠ ପଚାଶ ଟଙ୍କାରେ ବିକେଇଦେଲେ ।

 

ମଝିରେ ଥାଇ ମିଶ୍ରେ ହସନ୍ତି । ମନେ ମନେ ଭବନ୍ତି, ଏ ପୃଥିବୀ କେବଳ ଚାଲାଖ ଲେକଙ୍କ ପାଇଁ ସୃଷ୍ଟି ହୋଇଛି । ଯେ ଠକି ଜାଣିଲା ସେ ବଞ୍ଚିବ । ଯେ ଠକି ନ ପାରିଲା, ସେ ନିଃଶେଷ ହୋଇଯିବ ।

ନନା ଧର୍ମ କରୁଥିଲେ । ପୂଜାପାଠ କରି ଅରୁଆ ଚାଉଳ କେତେ ସେର ଆଣୁଥିଲେ । ଲୋକେ ତାଙ୍କୁ ନମସ୍କାର କରୁଥିଲେ । ସେ ନମସ୍କାର ବୁର୍ବଳ ଲୋକର ନବୋଧତା ପ୍ରତି ସହାନୁଭୁତି ଦେଖାଇବାର ପ୍ରତିକ । ନନାଙ୍କ ପଛରେ କହୁଥିଲେ—ବଳଭଦ୍ର ।

ମିଶ୍ର ମାଗନ୍ତା ବ୍ରାହ୍ମଣ । ଆମର ଅରୁଆ ରୁଉଳରେ ମାଣ୍ଟୁ ଘର କରିଛି । ନନା ଥିଲେ ନର୍ବୋଧ ।

ସେ ନିଜେ ଠକୁଛନ୍ତି, ଲୋକେ ଜାଣୁଛନ୍ତି ସେ ଠକ । ତଥାପି ଲୋକେ ଆସୁଛନ୍ତି, ପାନଖିଆ ଦେଉଛନ୍ତି, ଠକେଇ ହେଉଛନ୍ତି, ନମସ୍କାର କରୁଛନ୍ତି । ସେ ନମସ୍କାର ତାଙ୍କ ବୁଦ୍ଧି ପାଖରେ ହାରି ପରାଜିତ ହୋଇଥିବା ସୀକୃତିର ନମସ୍କାର !

କାହାରି ଦୟା, ସହାନୁଭୁତି ଯୋଗୁ ନୁହେଁ, ନିଜର ଶାଣିତ ବୁଦ୍ଧି ଯୋଗୁ ସନିଆ’ନା ଜମିଦାର ସନାତନ ମିଶ୍ରରେ ପରିଣତ ହୋଇଥିଲେ । କନ୍ତୁ ଜମିଦାରୀ ଉଚ୍ଛେଦ ପରେ ପରେ ମିଶ୍ରଙ୍କ ପାରିବାରିକ ପ୍ରତିପତ୍ତିର ସେ ରଙ୍ଗ ହଠାତ୍‍ ଲିଭିଗଲା ।

ଜମିଦାରୀ ଗଲା । ସାରା ମୁଲକ ଉପରେ ହାକିମି କରିବାର ଅଧିକାର ଗଲା । ଗତ ବର୍ଷ ଏଇ ତିନି ବର୍ଷର ଝିଅ ଲୀଳାକୁ ତାଙ୍କ ହାତରେ ଟେକିଦେଇ ଆଖି ବୁଜିଦେଲା ତାଙ୍କର ସ୍ତ୍ରୀ ।

ସ୍ତ୍ରୀ ମଲାଦିନୁ ମିଶ୍ରଙ୍କ ପରିବାର ଉପରେ କେମିତି ଗୋଟାଏ ସର୍ବନାସି ଝଡ଼ ବହିବାରେ ଲାଗିଛି ପଇସାପତ୍ର ଅଣ୍ଟୁ ନାହିଁ । ଠିକ୍‍ ସମୟରେ ଚାଷ କରିବାକୁ ମୁଲିଆ ମିଳୁ ନାହାନ୍ତି । ଫସଲ ହେଉ ନାହିଁ । ତା’ ଛଡ଼ା ପୁଣି ଜମି ଉପରେ ସରକାରଙ୍କର ଶାଗୁଣା ଆଖି ପଡ଼ିଛି...।

 

ପଲଙ୍କ ଉପରେ ସେମିତି ଶୋଇ ଶୋଇ ମିଶ୍ରେ ନିଜ ହଜିଗଲା ଦିନର ସେଇ ଅଭୁଲା ସ୍ମୃତି ଗୁଡ଼ିକ ହେଜି ହେଉଥିଲେ... ତାଙ୍କ ଶୋଇବା ଘର କକ୍ଷରେ ସନ୍ଧ୍ୟାର ଅନ୍ଧକାର ଖୁନ୍ଧାହୋଇ ଆସୁଥିଲା ।

 

ଭିତରେ କେତେବେଳକେ ଆଲୁଅ ଆଣି ପଶିଲେ ଯଶୋଧାରା... ଯଶୋଧାରା ହାତର ଆଲୁଅ ଦେଖି ମିଶ୍ରଙ୍କର ଖିଆଲ ହେଲା ଯେ ସନ୍ଧ୍ୟା ହୋଇଗଲଣି ଏଥି ମଧ୍ୟରେ...ଯଶୋଧାରା ଆଲୁଅ ଆଣିଛି...

 

ସେଇ ଆଲୁଅରେ ଯଶୋଧାରା ଆଡ଼େ ମିଶ୍ରେ ଅନେଇ ରହିଲେ । ଜମିଦାରୀ ଗଲା ପରେ ଚାକର କୋଠିଆ, ସାଙ୍ଗ ସାଥି ସମସ୍ତେ ତାଙ୍କୁ ଏକ ପ୍ରକାର ଛାଡ଼ିଦେଇ ଯାଇଛନ୍ତି....କିନ୍ତୁ ଜମିଦାରୀ ଗଲାପରେ ମଧ୍ୟ ଜମିଦାର ଉପାଧି ରହିଗଲା ଭଳି ତାଙ୍କ ପରିବାରରେ ରହିଯାଇଛି ଏକା ଯଶୋଧାରା । ଏବେ ବି ତାଙ୍କ ଅନ୍ଧାର ଘରେ ଆଲୋକ ଜାଲୁଛି ସେ ।

 

ଯଶୋଧାରା ତାଙ୍କର କଏ ?

 

ଦାସୀ.....ଚାକରଣୀ ! ନା ଆଉ କିଛି !

 

ମିଶ୍ରଙ୍କ ଆଖି ଆଗରେ ରୂପେଲୀ ପରଦାରେ ଚଲୁଚ୍ଚିତ୍ରର ଛବି ଭଳି ଯଶୋଧାରାର ସବୁ ଇତିବୃତ୍ତି ଭାସିଉଠୁଥିଲା...

 

ଖଣ୍ଡାୟତ ଘରର ଝିଅ ଯଶୋଧାରା ମାଗୁଣି ଗଉରର ସ୍ତ୍ରୀ । ମାଗୁଣି ରାଉତ ଡିହକୁ ନିଜର ଠାକୁର ଘର କରିବାକୁ ଚାକ୍ରାନ୍ତ କରି ଜାଲ ହାଣ୍ଡ୍‍ନୋଟ କରି ଯେଉଁଦିନ ସେ ଦଖଲ କଲେ, ସେଇଦିନ ଦୁଃଖରେ ପାଗଳ ହୋଇ ମାଗୁଣି ପଳାଇଲା କାଳିମାଟି.. ତା’ପରେ ଲେକେ କହନ୍ତି, ସେ କୁଆଡ଼େ ପାଗଳ ହୋଇଗଲା ଆଉ ଘରକୁ ଆସିଲା ନାହିଁ ।

 

ସେତେବେଳେ ଯଶୋଧାରା କୁଳଭୂଆସୁଣୀ । ପୁଆଣିଘର ହେବା ମାସ ଆଠଟା ହୋଇ ନ ଥାଏ । ଡିହଟା ଚାଲିଗଲା ପରେ ବାଧ୍ୟହୋଇ ସେ ଆସିଲା ତାଙ୍କ ଘରକୁ । ଘରେ କାମ ଧନ୍ଦା କରେ .. । ଖାଏ ଗଣ୍ଡାଏ, ପିନ୍ଧି ଖଣ୍ଡେ । ମାଗୁଣି ଆସିବ ଆସିବ ବୋଲି ଅପେକ୍ଷା କରି ଆଖିରୁ ତା’ର ପାଣି ମରିଛି । ହେଲେ ମାଗୁଣି ଫେରିନି.

 

ମାଗୁଣି ଡିହକୁ ଜାଲ୍‍ ହାଣ୍ଡ୍‍ନୋଟ କରିନେବା ଯୋଗୁଁ ଗାଁ-ଲୋକେ ତାଙ୍କୁ ନାନା ଅସୁନ୍ଦର କଥା କହନ୍ତି । କିନ୍ତୁ ମିଶ୍ରେ ସେଥିରେ କାନ ଦିଅନ୍ତି ନାହିଁ । ନିଜ ସୁଖ ସୁବିଧା ପାଇଁ ସେ କିଛି ମାଗୁଣି ଡିହକୁ ଆଣି ନ ଥିଲେ । ମାଗୁଣି ଡିହ ଠାକୁର ଘର ହେଲା । ଠାକୁର କ’ଣ ଏକା ତାଙ୍କର, ମାଗୁଣିର ନୁହେଁ ?

 

ମାଗଣି ଫେରିଲା ନାହିଁ...

 

ଯଶୋଧାରା ରହିଗଲା ତାଙ୍କ ଘରେ । ସାତବର୍ଷ ହେଲାଣି । ଲୀଳାକୁ ସେ ହାତରେ ମଣିଷ କରୁଛି । ହୁଏତ ସେଇ ଲୀଳାକୁ ମଣିଷ କରିବାର ସୁଖ ଦୁଃଖ ଭିତରେ ହିଁ ତା’ର ଜୀବନ କଟିଯିବ ।

 

ମିଶ୍ରେ ଯଶୋଧାରକୁ ଅନାଉଥିଲେ । ନିରୀକ୍ଷଣ କରୁଥିଲେ । ଲଣ୍ଠନର ଆଲୁଅରେ ଯଶୋଧାରାର ମୁହଁ ଆରିସି କାଚ ଭଲ ଜକଜକ କରୁଥିଲା । ଯଶୋଧାରା ବୋଧହୁଏ ବିଜୁଳି ଆଲୁଅ ଭଲି ଝଲସି ଉଠିବାର ବୟସ ଡେଇଁ ଆସିଲାଣି । ତଥାପି ରୂପର ଆଲୁଅ ତା’ ମୁହଁରେ ଲହଡ଼ି ଭାଙ୍ଗଚି ।

 

ପ୍ରଥମେ ଯେତେବେଳେ ଯଶୋଧାରା ଆସି ତାଙ୍କ ଘରେ ରହିଲା, ଅନେକ ଅସଙ୍ଗତ କଥା ଲୋକମୁଖରେ ଖେଳିବୁଲିଲା । ଯଶୋଧାରା କିନ୍ତୁ ସେ କଥାକୁ ଖାତିର କରି ନାହିଁ । ଲୋକମତର ଅକ୍ଷାଂଶ ଦ୍ରାଘିମାକୁ ଚ୍ଛିନ୍ନ ବିଚ୍ଛିନ୍ନ କରି ସେ ବଞ୍ଛିଛି....

 

ଯଶୋଧାରା ଚାଲି ଯାଉଥିଲା ଲଣ୍ଠନ ଥୋଇଦେଇ ।

 

ମିଶ୍ରେ ଡାକିଲେ, ଶୁଣ୍‍ ।

 

ଯଶୋଧାରା ଠିଆହେଲା ।

 

ମିଶ୍ର କହିଲେ, ଠିଆ ହେଲୁ ଯେ ! ବ’ । କଥା ଅଛି....ଯଶୋଧାରା ଅବାଧ୍ୟ ନ ହୋଇ ବସିଲା ।

 

ମିଶ୍ରେ କଥା ଆରମ୍ଭ କରିବାକୁ ଚେଷ୍ଟା କଲେ । କିନ୍ତୁ ଯାହା କହିବେ ବୋଲି ଭାବୁଥିଲେ-। ହଠାତ୍‍ ତାହା ତାଙ୍କ ପାଟିକୁ ଆସିଲା ନାହିଁ । କେମିତି ସେ ହଠାତ୍‍ ଏମିତି ଗୋଟାଏ କଥା ଯଶୋଧାରାକୁ ପଚାରିଦେବେ ?

 

ଯଶୋଧାରାକୁ ଅନେକ କଥା ସେ ଅନେକ ଥର କହିବାକୁ ଇଚ୍ଛା କରିଛନ୍ତି; କିନ୍ତୁ ନାନା କଥା ମନରେ ତାଙ୍କର ମୁଣ୍ଡ ଟେକିବା ଫଳରେ ଗୋଟିଏ ହେଲେ କଥା ସେ କେବେ ପଚାରି ପାରି ନାହାନ୍ତି । ଯଶୋଧାରା ଏ ଘରେ ରହଆସିଛି କେମିତି ଗୋଟାଏ ଅସ୍ଵାଭାବିକ ଭାବରେ ।

 

କିନ୍ତୁ ତାଙ୍କୁ ଆଜି ଏ କଥା ପଚାରିବାକୁ ହେବ । ସେ ପଚାରିଲେ ଆଉ କଏ ଅଛି ଯଶୋଧାରାକୁ ସେ କଥା ପଚାରିବ ?

 

ମିଶ୍ରେ ଓଠ ଦୋହଲେଇଲେ, ଆଚ୍ଛା ଧାରା !

 

ଯୋଶାଧାରା ମିଶ୍ରଙ୍କ ମୁହଁକୁ ଅନେଇ ରହିଲା, କ’ଣ କହିବେ ସେ ଶୁଣିବ ବୋଲି ।

 

ମିଶ୍ରେ କହିଲେ, ତୁ ଜାଣୁ ଜମିଦାରୀ ଗଲା ପରେ ମୋର ଅବସ୍ଥା ସରିଯାଇଛି । ଜମିଦାରୀକୁ ଯେମିତି ମାରପେଞ୍ଚ କରି ଅଚାନକ ଭାବରେ ମୁଁ ନେଇ ଆସିଥିଲି ମଧୁ ମହାନ୍ତିଠାରୁ, ଏ ସରକାର ସେମିତି ଚଞ୍ଚକ କରି ମୋଠାରୁ ହଠାତ୍‍ ଜମିଦାରୀଟା ନେଇଗଲ । ମୁଁ ଯେଉଁ ସନେଇ ମିଶ୍ର କୁ ସେଇ ସନେଇ ମିଶ୍ର ହୋଇଗଲା । ଏବେ ଦେଖଛୁ ନା.. ।

 

‘ଲଣ୍ଠନ ସେମିତ ଜଳୁଛି । ଯଶୋଧାରା ତଳକୁ ମୁହଁପୋତି ପକ୍‍କା ଚଟାଣ ଉପରେ ନଖ ଘୋଷାରୁଛି । ମିଶ୍ରଙ୍କ କଥାର ସେ ଉତ୍ତର ଦେଉ ନାହିଁ । କ’ଣ ଦେବ ?

 

ମିଶ୍ରେ କହି ଚାଲିଛନ୍ତି, ସେ ଯାହା ହେଉ ଜମିଦାରୀ ଗଲା ପରେ ପରେ ଏ ଘରୁ ଶିରୀ ତୁଟିଛି । ଲୀଳାର ମା’ ଚାଲିଗଲା ପରେ ମୁଁ କେମିତ ଏକୁଟିଆ ଏକୁଟିଆ ବୋଧକରୁଛି । ଯାହା ସମ୍ପତିବାଡ଼ି ଅଛି, ଲୀଳା ପାଇଁ ସିଏ ଯଥେଷ୍ଟ । ଗୋଟାଏ ବୋଲି ଛୁଆ ।

 

ଯଶୋଧାରା ଏତେବେଳକେ ତଳୁ ମୁଣ୍ଡ ତୋଳି ଚାହିଁଲା । ମିଶ୍ରେ କ’ଣ କହିବାକୁ ଯାଉଛନ୍ତି ସେ ବୁଝିପାରୁ ନାହିଁ । ଯଶୋଧାରା ମୁଣ୍ଡ ଉଠେଇବା ଦେଖି ମିଶ୍ରେ ବି କେମିତି ଟିକିଏ ଦବିଗଲେ । ନିଜର ସମସ୍ତ ଭାବନାକୁ ସଂକ୍ଷିପ୍ତ କରିଦେଇ କହିଲେ, ମୁଁ ଆଜି ଅଛି କାଲି ନ ଥବି । ମଣିଷ ଜୀବନ, ପାଣିର ଗାର । ମୁଁ ଗଲା ପରେ ତୁ.... !

 

ମିଶ୍ରଙ୍କ କଥା ପଦକ ଶୁଣି ଯଶୋଧାରା ହଠାତ୍‍ ଚମକି ଉଠିଲ । ସତରେ ମିଶ୍ରଙ୍କ ପରେ ସେ... !

 

ଯଶୋଧାରାର ଏ ପରବର୍ତ୍ତନ ମିଶ୍ରଙ୍କ ଆଖିରୁ ବି ବାଦ୍‍ ଯାଇ ନାହିଁ । ସେ ଜାଣନ୍ତି, କଥା ପଦକର ଛିଟିକା’ ଯାଇ ଯଶୋଧାରାର ମନଗହନର ଗହିରରେ ବାଜିଲା । ସେ କହିଲେ, ମୁଁ ସେଥିପାଇଁ ଗୋଟାଏ ବ୍ୟବସ୍ଥା କରିବାକୁ ଚାହେଁ । ତୁ କହ, ତୁ ଯାହା ଚାହିବୁ ।

 

ହଠାତ୍‍ ଲୀଳାର ବୁକୁଫଟା କାନ୍ଦଣା ଶୁଭିଲା ଆର ଘରେ । ମିଶ୍ରଙ୍କ କଥା ସେମିତି ତାଙ୍କ ତୁଣ୍ଡରେ ଅଛି । କ’ଣ ହେଲା ବୋଲି ବୁଝିବା ପାଇଁ ଯଶୋଧାରା ଉଠିଗଲା । ପଛେ ପଛେ ମିଶ୍ରେ ।

 

ଆରଘରେ କୋରଣା ଉପରେ ପଡ଼ି ଲୀଳା କାନ୍ଦୁଛି । କୋରଣା ଧାର ବାଜିଛି ତା’ର ତାଳୁରେ । ହାତରେ ଧରିଛି ପୁଳାଏ କାଗେଜି ଆଚାର । ପାଖରେ ପିଢ଼ାଟାଏ ପଡ଼ିଛି ।

 

ଯଶୋଧାରା ତାକୁ କୋଳକୁ ତୋଲିନେଲେ । କୋରଣା ଧାର ବାଜି ମୁଣ୍ଡରୁ ତା’ର ରକ୍ତ ବାହାରୁଛି । ନିଜ ଲୁଗାକାନିରେ ରକ୍ତ ପୋଛିନେଇ ଗୋଟାଏ କ’ଣ ମଲମ ଲଗାଇଦେଲା ଯଶୋଧାରା ।

 

କିନ୍ତୁ ଲୀଳାର କାନ୍ଦ ବନ୍ଦ ହୋଇ ନ ଥାଏ । କଇଁ ଉଠି ଆସୁଥାଏ ପେଟ ଭିତରୁ । ଆଘାତ ବୋଧହୁଏ ଜୋରରେ ହୋଇଛି ।

 

ଯଶୋଧାରା ପଚାରିଲା, ତୁ ପଡ଼ିଲୁ କେମିତି ଲୋ !

 

ସେମିତ କାନ୍ଦ କାନ୍ଦ ହୋଇ ଯାହା କହିଲା, ତା ଶୁଣିକରି ଯଶୋଧାରା ଅବାକ୍‍ । କାଗେଜି ଆଚାର କାଢ଼ିବା ପାଇଁ ଶିକାକୁ ହାତ ନ ପାଇବାରୁ ପିଢ଼ା ଉପରେ କୋରଣାଟା ରଖି ରା ଉପରେ ଚଢ଼ି କାଗେଜି ଆଚାର ଆଣୁଥିଲା । ହଠାତ୍‍ ପଟା ଖସି ଯିବାରୁ ପଡ଼ିଯାଇ ଏ ଅବସ୍ଥା ।

 

ଯଶୋଧାରା ପଚାରିଲା, କାହା ପାଇଁ ଏ ଆଚାର କାଢ଼ୁଥିଲୁ ?

 

କୋହ ଉଠା କଣ୍ଠରେ ଲୀଳା କହିଲା ସୁରିଆଇ ପାଇଁ....

 

ମିଶ୍ରେ ପଚାରିଲେ, କାହା ପାଇଁ କହୁଚି ?

 

ଯଶୋଧାରା କହିଲା, ନାରଣ ମାଷ୍ଟ୍ରଙ୍କ ପୁଅ ସୁରିଆ ପାଇଁ....

 

ମିଶ୍ରେ ଚମକଉଠି ହଠାତ୍‍ ଗମ୍ଭୀର ହୋଇଗଲେ । ମନେ ମନେ ଗୁଣିହେଲେ ସୁରିଆ ! …..ନାରଣ ମାଷ୍ଟ୍ରଙ୍କ ପୁଅ ସୁରିଆ... !

 

ଆଲୁଅ ଲିଭିଲା । ଲୀଳା ସେମିତି କାନ୍ଦୁଛି । କୋହ ଉଠୁଛି । ଲୀଳାକୁ କୋଳେଇ ନେଇ ଯଶୋଧାରା ଶୋଇଲା । ଲୁଗାକାନିରେ ଲୀଳା ଆଖିରୁ ଲୁହ ପୋଛିଦେଇ ଗେଲ କଲା । କହିଲା, ସୁନାଟା ପରା, ଶୋଇପଡ଼ !

 

ଯଶୋଧାରା କୋଳର ଉଷୁମରେ ଲୀଳା ଆଖିକି ମଧ୍ୟ ନିଦ ଘୋଟିଆସିଲା । ବୋଉ ମଲାଦିନୁ ଏଇ ଯଶୋଧାରା କୋଳରେ ସେ ସବୁ ଦୁଃଖ ସୁଖ ଭୁଲିଛି । ବୋଉ ମରିବାର ଦୁଃଖ ସେ ପାଶୋରି ଦେଇଛି । କେହି ଯଦି ତାକୁ ପଚାରେ ତୋ ବୋଉ କାହିଁ..... ଲୀଳା ଯଶୋଧାରା ଆଡ଼କୁ ଆଙ୍ଗ ଠି ବଢ଼ାଏ । କହେ, ଏଇ.... ଏଇ....

 

ଯଶୋଧାରା ଆଖିକୁ ନିଦ ଆସୁ ନ ଥିଲା । ଲୀଳାକୁ ନିଜ ଆଡ଼କୁ କିଛି ସମୟ ଆଉଜାଇ ଆଣି ସେ ନିଜ ଛାତିରେ ଚାପି ଧରିଲା । ତା’ପରେ ହାତ ଦୁଇଟା ତା’ର ଆପେ ଆପେ ହୁଗୁଳା ହୋଇଆସିଲା । କୋଳରୁ ଖସିଗଲା ଲୀଳା । ନିଦ ବାଉଳାରେ ଆର ପଟକୁ ମୁହଁକରି ସେ ଶୋଇଲା ।

 

ସେଇ ଅନ୍ଧାରରେ ଯଶୋଧାରା ଅନେଇଲା ଲୀଳା ଆଡ଼େ । ଲୀଳାର ନିଶ୍ୱାସ ଶୁଭୁଛି । ଲୀଳା ତା’ର କିଏ ? ଲୀଲା ତା’ର ଝିଅ ବୋଲି ସମସ୍ତେ ଜାଣନ୍ତି । ସତେ କ’ଣ ଲୀଳାର ବୋଉ ସେ ହୋଇପାରିବ ?

 

ଲୀଳାର ବୋଉ ସେ ନୁହେଁ । ଲୀଳା ତା’ର ଝିଅ ହୋଇପାରେନା ।

 

ସନାତନ ମିଶ୍ରଙ୍କ ଝିଅ ଲୀଳା । ମାଗୁଣି ରାଉତର ସ୍ତ୍ରୀ ସେ ।

 

ଦୁନିଆର ସମସ୍ତେ କହିଲେ ବି ମନ ତା’ର କଦାପି କହିବ ନାହିଁ ଲୀଳା ତା’ର ଝିଅ । ଲୀଳାକୁ ଆସି ୫ । ୬ ବର୍ଷ ହେଲାଣି । ଆଉ କେଇଟା ବର୍ଷ ପରେ ସେ ପରଘରୀ ହେବ । ବ୍ରାହ୍ମଣ ଘର । ତା’ପରେ ସିଏ କ’ଣ କରିବ ?

 

ମିଶ୍ରଙ୍କ କଥା ତା’ର ମନେପଡ଼ିଲା । ସେଇ ପଦିକ କଥା, ମୁଁ ଗଲା ପରେ ତୁ......

 

ମଣିଷ ଜନ୍ମ ହେଲେ ମୃତ୍ୟୁ ତା’ର ନିଶ୍ଚୟ । ମିଶ୍ରେ ଯିବେ, ଆଜି ନ ହେଲେ କାଲି, ତା’ପରେ ସେ କ’ଣ କରିବ ?

 

ସେଇ ଅନ୍ଧାର ରାତିରେ ଯଶୋଧାରାକୁ ଚାରିଆଡ଼ ଅନ୍ଧାର ଦଶିଲା । ମିଶ୍ରଙ୍କ ଘରେ ପାଦ ଦେଲା ଦିନୁ ନିଜ କଥା କେବେ ସେ ଭାବି ନାହିଁ । ସ୍ଵାମୀ ତା’ର କଳିମାଟି ଗଲା ପରେ ସେ ଆସି ଏଇ ମିଶ୍ର ଘରେ ମୁଣ୍ଡଗୁଞ୍ଜି ରହିଛି । ଅନେକ ଲୋକ ଅନେକ କଥା କହିଛନ୍ତି । ନାନା କୁତ୍ସିର ଇଙ୍ଗିତ ଦେଇଛନ୍ତି । ନାନା ଅପପ୍ରଚାର ହୋଇଛି ।

 

ଅନେକେ ପରିହାସ କରିଛନ୍ତି—ଯଶୋଧାରା ସନାତନ ମିଶ୍ରଙ୍କ ବିଳାସ ସାମଗ୍ରୀ । ଜନରବ ରଟିଛି—ଯଶୋଧାରା ସନାତନ ମିଶ୍ରଙ୍କ ଉପପତ୍ନୀ ।

 

ହେଲେ ଏସବୁ କୌଣସି କଥାରେ ଯଶୋଧାରା କାନ ଦେଇ ନାହିଁ । କାରଣ ସେ ଜାଣେ, ତା’ର ବଞ୍ଚିବାଟା ଏକ ଝଅକ ମାରି ବଞ୍ଚିବା । ସ୍ଵାମୀ କାଳିମାଟି ଯାଇ ନିରୁଦ୍ଧିଷ୍ଟ ହେବା ପରେ ସେ ଯେଉଁଠି ଠିଆହେଲେ ବି ଲୋକେ ହସିବେ, ଥଟ୍ଟା କରିବେ; ତେଣୁ ଦାଣ୍ଡରେ ଠିଆହୋଇ ସେ ଟାପରା ଶୁଣିବା ଅପେକ୍ଷା ମିଶ୍ରଙ୍କ ଘରର କୋଳାହଳ ଭିତରେ ନିଜକୁ ମିଶେଇଦେବା ଭଲ ।

 

ଯଶୋଧାରା ନିଜର ନରମି ଆସୁଥିବା ମନକୁ ଦମ୍ଭ କରିନେଲା । ନିଜକୁ ନିଜେ ବୁଝାଇଲା, ଦୁନିଆ ଭିତରେ ବଞ୍ଚି ରହିବାକୁ ହେଲେ ଏସବୁ କଥା ଶୁଣିବାକୁ ହୁଏ, ସହିବାକୁ ପଡ଼େ । ଏସବୁ କଥା ସହି ନ ପାରିଲେ ବେକରେ ଦଉଡ଼ି ଲଗାଇ ଦେବାକୁ ପଡ଼େ ।

 

ଗରିବ ଘରର ଝିଅ ଯଶୋଧାରା । ଦୁଇଶହ ଟଙ୍କା କନ୍ୟାସୁନା ନେଇ ବାପା ତା’ର ମାଗୁଣି ରାଉତ ହାତରେ ତାକୁ ଟେକିଦେଇଥିଲେ । ଭଗ୍ୟଦୋଷରୁ ସେ ପୁଣି ମାଗୁଣି ରାଉତ ହାତରୁ ବଦଳି ଆସିଲା ମିଶ୍ରଙ୍କ ହାତକୁ । କିନ୍ତୁ ମିଶ୍ରେ କେବେ ତାକୁ ଅଣହେଲା କରି ନାହାନ୍ତି । ପାପ ଆଖିରେ ଅନେଇ ନାହାନ୍ତି । ଲୋକେ ନାନା ଦୁର୍ନାମ କରିଛନ୍ତି । କୁକୁର ଭଳି ଭୁକି ହୋଇଛନ୍ତି-। ଶେଷରେ ଆପେ ଆପେ ତୁନୀ ପଡ଼ିଛନ୍ତି ।

 

ମିଶ୍ରେ ଖରାପ ଲୋକ ବୋଲି ସେ ଅନେକ ତୁଣ୍ଡରୁ ଶୁଣିଛି । ଅଙ୍ଗେ ଲିଭେଇଛି, ଧନ ସମ୍ପତ୍ତି ପାଇଁ ମିଶ୍ରେ ଗୋଟିଏ ଚଣ୍ଡାଳ । ଭାଇ ବେକରେ ଛୁରି ଲଗେଇଦେବେ । କିନ୍ତୁ ଚରିତ୍ର ବିଷୟରେ... !

 

ଗାଁରେ ସେତେବେଳେ ସମସ୍ତେ ପ୍ରଚାର ଚଳାଇଥାଆନ୍ତି, ଚଞ୍ଚକ କରି ମିଶ୍ରେ ମାଗୁଣି ରାଉତକୁ ତଡ଼ିଲେ ଯଶୋଧାରାକୁ ପାଖରେ ରଖିବାକୁ । ଯଶୋଧାରା ମନରେ ବି କେମିତି ଗୋଟିଏ ସେମିତିଆ ଧାରଣା ପଶିଗଲା । ମନ ତା’ର ପାପ ଛୁଇଁଲା । ମିଶ୍ର ସେଦିନ ଭୀତର ପଟୁ କବାଟ ଦେଇ କ’ଣ କବଲାପତ୍ର ସଜାଡ଼ୁ ଥାଆନ୍ତି । ସେ ଯାଇ କବାଟ ଠକ୍‍ ଠକ୍‍ କଲା ।

 

ଗତି ସେତେବେଳକୁ ବାରରୁ ଗଡ଼ିଲାଣି ।

 

ମିଶ୍ର କବାଟ ଖୋଲି ଯଶୋଧାରାକୁ ଦେଖି ଅବାକ୍‍ ହୋଇଗଲେ । ପଚାରିଲେ, ତୁ ଏତେବେଳଯାଏ ଶୋଇନୁ !

 

ଯଶୋଧାରା ସେସବୁ କଥା ନ ଶୁଣି ତା’ କଥା ଆରମ୍ଭ କଲା । କହିଲା, ଲୋକେ କହୁଛନ୍ତି....

 

ଲୋକେ ଯାହା କହୁଛନ୍ତି ବୋଲି ଯଶୋଧାର କହିଲା, ମିଶ୍ରେ ତାକୁ ଶୁଣିଲେ । ଆଖି ଉପରର ଭ୍ରୁଲତା ତାଙ୍କର ଉପରକୁ ଉଠିଗଲା । କେତେବେଳକେ ସେ କହିଲେ, ଲୋକେ ମୋ ନାଁରେ ଅନେକ କଥା କହନ୍ତି । ମୁଁ ସେ କଥାରେ କାନ ଦିଏ ନାହିଁ । ତୋ ନାଁକୁ ମୋ ନାଁ ସହିତ ଯୋଡ଼ି ହୁଏତ ସେ ସେମିତି କହୁଥିବେ । ତୋର କ’ଣ ସେକଥା ବିଶ୍ଵାସ ହେଉଛି ?

 

ଯଶୋଧାରା ବଡ଼ ଅଡ଼ୁଆରେ ପଡ଼ିଗଲା । କ’ଣ ଉତ୍ତର ଦେବ କିଛି ବାଟ ପାଇଲା ନାହିଁ-

 

ମିଶ୍ରେ ପୁଣି ନିଜେ ନିଜେ କହିଲେ, ବଳଭଦ୍ର ମିଶ୍ରଙ୍କ ପୁଅ ମୁଁ......କାନ୍ୟକୁବ୍‍ଜର ବ୍ରାହ୍ମଣବଂଶରେ ଜନ୍ମ ଯଯାତି କେଶରୀ ଯଜ୍ଞ କରିବାକୁ ଡାକିଆଣି ଆମକୁ ଏଠି ଥାପିଛନ୍ତି ଭରଦ୍ଵାଜ ଗୋତ୍ର ଆମର କାହାକୁ ପାପ ଆଖିରେ ଅନେଇଲେ ଆମର ଆତ୍ମା ନଷ୍ଟ ହେବ ସାତ ପୁରୁଷ ଅହିନର୍କରେ ପଡ଼ି ଘାଣ୍ଟି ହେବେ...ମୁଁ ସବୁ କରିପାରେ ହେଲେ ଆତ୍ମାକୁ ନଷ୍ଟକରି ମୋର ସାତ ପୁରୁଷଙ୍କୁ ନର୍କରେ ପକାଇପାରିବି ନାଇଁ ବ୍ରାହ୍ମଣ ସବୁ ବର୍ଣ୍ଣରେ ଶ୍ରେଷ୍ଠ ହୋଇଥିଲା ତା’ର ଧନ ନେଇ ନୁହେଁ, ପବିତ୍ର ଆତ୍ମା ପାଇଁ, ମୁଁ ତାକୁ ନଷ୍ଟ କରିପାରିବି ?

 

କଥା କହୁ କହୁ ମିଶ୍ରଙ୍କ ଆଖିରେ ଆଲୁଅ ଝଲସି ଉଠିଲା । ଯଶୋଧାରା ଦେହରୁ ସେତେବେଳକୁ ଆତଙ୍କରେ ଝାଳ ନଗିଡ଼ିଲାଣି । ମିଶ୍ରଙ୍କ ଆଖି ଦୁଇଟା ସତେ ଯେମିତି ଜଲୁଛି !

 

ମିଶ୍ର ପୁଣି କହିଲେ, କିନ୍ତୁ ତୋର ଯେତେବେଳେ ମୋ ଉପରେ ଅବିଶ୍ୱାସ ହେଉଛି, ଧାରା, ତୁ ଏଠୁ ଚାଲିଯା । ମୁଁ ତତେ ତୋ ଢିଅ ବାବଦ ଟଙ୍କା ଦେବି; ହଁ, ହଁ, ଟଙ୍କା ଦେବି....

 

ସେତକି କହି ମିଶ୍ରେ ଘରଭିତରେ ପଶି କବାଟ କିଳିଲେ । ଯଶୋଧାରା ଫେରିଆସିଲା-

 

ତା’ ପରେ ସେ ଅନେକ ଭାବିଛି । ମିଶ୍ରଙ୍କ ଘର ଛାଡ଼ି ସେ ଯିବ ! କୁଆଡ଼େ ଯାଇ ଠିଆହେବ ! ଦେହରେ ତା’ର ରୂପ ଯୌବନର ଢେଉ । ଅବାଟରେ ଗୋଡ଼ ଥୋଇବାକୁ ସମସ୍ତେ ତାକୁ ପ୍ରଲେଭନ ଦେଖାଇବେ । ସେଥିରୁ ସେ ନିଜକୁ ଅଟକେଇ ପାରିବ !

 

ତା’ ଆରଦିନ ମିଶ୍ରେ ଠାକୁର ପୂଜା କରି ଫେରୁଥାନ୍ତି ।

 

ଯଶୋଧାରା କହିଲା, ମୁଁ କୁଆଡ଼େ ଯିବି ନାଇ, ଏଇଠି ରହିବି । ମିଶ୍ରେ ଗୋଟାଏ ହସ ହସିଦେଇ କହିଲେ, ତୋ ଘରେ ତୁ ରହିବୁ, ମତେ ପଚାରୁଛୁ କାହିଁକି ?

 

ସେଇଦିନୁ ମିଶ୍ରଙ୍କ ଘରକୁ ନିଜ ଘର ଭାବି ଯଶୋଧାରା ରହିଆସିଛି । ଦେହରେ ହିଂସ୍ର, ଉଚ୍ଛୃଙ୍ଖଳ ହୋଇଉଠିବା ତା’ର ଯୌବନ ଏଥିଭିତରେ ଶାନ୍ତ, ଶୀତଳ ହୋଇଗଲାଣି । ନାଗସାପ ଭଲି ଫଣା ଟେକି ଉଠୁଥିବା ଅସଂଖ୍ୟ କାମନା ଏଥିଭିତରେ ମନରେ ତା’ର ନିଘୋଡ଼ ନିଦରେ ଶୋଇଗଲେଣି । ସେ କାମନାକୁ ନିଦରୁ କେବେ ଉଠାଇଦେବାକୁ ମିଶ୍ରେ ଭୁଲରେ ସୁଦ୍ଧା ତା’ ଆଡ଼େ ଚାହିଁ ନାହାନ୍ତି ।

 

ଏଥି ଭୀତରେ ମିଶ୍ର ପରିବାର ଉପରେ ଅନେକ ଝଡ଼ ଉଠିଛି । ଆତଙ୍କର ବିଜୁଳି ଝଲସିଛି । ଯେଉଁ ଆଖିରେ ସେ ମିଶ୍ର ଘରର ବଡ଼ତି ଦେଖିଥିଲା, ସେଇ ଆଖିରେ ସେ ମିଶ୍ରଘରର ପଡ଼ତି ଦେଖୁଛି । ଜମିଦାରୀ ଯାଇଛି । ମାନ ସମ୍ମାନ;ନଇଁଛି ତଳକୁ—ଘରର ଗହଳ ଚହଳ କମିଛି-

 

ଯେଉଁ ଲୋକମାନେ ତା’ ଘରର ଢିଅ ନେଇଥିବାରୁ ମିଶ୍ରଙ୍କୁ ନିନ୍ଦା କରୁଥିଲେ, ମିଶ୍ର ପରିବାର ପତନ ପାଇଁ ପୁଣି ସେମାନେ ଯଶୋଧାରାକୁ ଗାଳି ଦେଉଛନ୍ତି । କହୁଛନ୍ତି, ସନେଇ ମିଶ୍ର ବ୍ରାହ୍ମଣ ହୋଇ ଗୋଟାଏ ଚାଷୁଣୀ ରଖିଲା...ତା’ର ନିଶ୍ୱାସରେ ମିଶ୍ର ଘରର ମେଘନାଦ ପାଚେରୀ ଭାଙ୍ଗି ପଡ଼ିଲା ମାଗୁଣି ରାଉତ ନିଃଶ୍ଵାସ ପଡ଼ିଲା ସନେଇ ମିଶ୍ର ଉପରେ.....

 

ସେଇଦିନ ମିଶ୍ରଙ୍କ ନିନ୍ଦା ଶୁଣିଥିଲା ଯଶୋଧାରା, ଆଜି ନିଜର ନିନ୍ଦା ଶୁଣୁଛି । ସେଥିପାଇଁ ମନରେ ତା’ର ଦୁଃଖ ନାହିଁ, ଆନନ୍ଦ ନାହିଁ । ଏମିତି ଅନେକ କଥା ସେ ନିଜ ଜୀବନରେ ଶୁଣିଛି । କେଉଁଥିରେ ହେଲେ କାନ ଦେଇ ନାହିଁ । କିନ୍ତୁ ମିଶ୍ରଙ୍କ କଥା ପଦକରେ ତାକୁ କାନ ଦେବାକୁ ହେବ ।

 

ଯଦି ମିଶ୍ରେ ଚାଲିଯାଆନ୍ତି, ତା’ପରେ... !

 

ଲୀଳା ନିଦବାଉଳାରେ ‘ଆଚାର ଆଚାର’ ବୋଲି ବିଳିବିଳେଇ ଉଠିଲା । ତାକୁ ନିଜ ଆଡ଼କୁ ଆଉଜେଇ ଆଣି କୋଳରେ ଜାକିନେଲା ଯଶୋଧାରା । ଆହା ! ପିଲଟା ସେ ସୁରିଆ ପାଇଁ କେଡ଼େ ଦଣ୍ଡଟାଏ ପାଇଲା !

 

ଯଶୋଧାରା ମନେ ମନେ ଦୁଃଖିତ ହୋଇ ଲୀଳା ଗାଲରେ ନିଜ ପାଉଁଶିଆ ଓଠକୁ ଚିପିଧରି ।

 

ସକାଳର ଝଲମଲ ଆଲୁରେ ଟୁବି ଗଡ଼ିଆର ଢେଉ ଢେଉକା ପାଣି ଚକ୍‍ ଚକ୍‍ କରୁଛି । ସେଇ ଢେଉ ଢେଉକା ପାଣିରେ ସିଆର କାଟି ଦୁଇଟା ଏଣ୍ଡଳାମାଛ ତିର ବେଗରେ ପହଁରି ଯାଉଛନ୍ତି । ହେମାଙ୍ଗିନୀ ସେଇ ଏଣ୍ଡଳାମାଛ ଦୁଇଟା ଆଡ଼େ ଅନେଇ ରହିଥିଲେ ଅପଲକ ଆଖିରେ-। ଆହା ! ମାଛ ଦୁଇଟା କେଡ଼େ ସୁନ୍ଦର ଖେଳୁଛନ୍ତି ।

 

ନାରଣ ମାଷ୍ଟ୍ରେ ହେମାଙ୍ଗିନୀକୁ ହଲାଇ ଦେଇ କହିଲେ, ହେଇ ଦେଖିଲଣି, ସୁରିଆ କେମିତି ରାଜା ପାର୍ଟ କରୁଚ....

 

ହେମାଙ୍ଗିନୀ ବୁଲିପଡ଼ି ଅନେଇଲେ, ପୋଖରୀହୁଡ଼ା କଦଳୀବାଡ଼ିରେ ସୁରଆ ଅମୃତଭଣ୍ଡାଗଛ ବାଉଁଙ୍ଗା ଭାଙ୍ଗି ତରୱାଲ୍‍ କରି ବୁଲାଉଛି ଗୁଣୁ ଗୁଣୁ ହୋଇ କ’ଣ ମନକୁ ମନ କହୁଛି । ଗତ ରାତ୍ରିରେ ଗାଁକୁ ଯାତ୍ରାବାଲା ଆସିଥିଲେ । ଯାତ୍ରା ଦେଖି ଯାଇଥିଲା ସୁରିଆ । ଅଭିମନ୍ୟୁ ବଧ ନାଟକ ସେମାନେ ଅଭିନୟ କରିଥିଲେ । ତାକୁ ସେ ଦେଖିଆସିଛି । ଆଜି ସକାଳୁ ଅମୃତଭଣ୍ଡା ନଳୀକୁ ତରୱାଲ୍‍ କରି ବୋଧହୁଏ ସେ ଅଭିମନ୍ୟୁ ସାଜିଛି ।

 

କଥା ଅନୁମାନ କରି ହେମାଙ୍ଗିନୀ ହସିଲେ ।

 

ନାରଣ ମାଷ୍ଟ୍ରେ ଗମ୍ଭୀର ହୋଇଯାଇ କହିଲେ, ତମେ ଜାଣ ହେମ ! ସୁରକୁ ମୁଁ ଗୋଟିଏ ବଡ଼ ମଣିଷ କରି ଗଢ଼ିବ । ତମେ ଦେଖିବ, ସେ ଦେଶରେ ଗୋଟାଏ ଆଦର୍ଶ ମଣିଷ ହୋଇ ବାହାରବ....

 

ତେଣେ ହେମାଙ୍ଗିନୀ ବଡ଼ି ପକାଇବେ ବୋଲି ବିରି ବାଟି ଶିଳରେ ଲଦିଦେଇ ଆସିଛନ୍ତି-। ଏଣୁ ଗଲେ ବଡ଼ ପକାଇବେ । ଖରା ମାଡ଼ି ଆସିଲାଣି । ସ୍ଵାମୀଙ୍କ ଏ ବକ୍ତୃତା ତାଙ୍କୁ ଆରେଇଲି ନାହିଁ ।

 

ସେ କଥାଟାକୁ ସେଇଠି ଛିଣ୍ଡେଇଦେବା ପାଇଁ କହିଲେ, ବକଟେ ନାଆଁକୁ ବୋଲି ପିଲା-। ରୋଗ ବଇରାଗ ଲଗିରହିବ । ସେଥିରେ ପୁଣି ବଡ଼ ମଣିଷ ହେବ...ବଡ଼ ମଣିଷ !

 

ହେମାଙ୍ଗିନୀ ରାଗିଲା କଣ୍ଠରେ କଥାଟା ଖତେଇହେବା ଢଙ୍ଗରେ କହି ଚାଲିଯିବାକୁ ବସିଲେ । ନାରଣ ମାଷ୍ଟ୍ରଙ୍କୁ କଥାଟା ଖୁବ୍‍ ଜୋରରେ କାଟିଲା ।

 

ଖଡ଼ାକିଆରିରେ ପାଣିଦେବା ପାଇଁ ମାଠିଆଟା ଧରି ସେ ପୋଖରକୁ ଆସିଥିଲେ । ହେମାଙ୍ଗିନୀ ଫୋପାଡ଼ିଲା ଭଳି କଥାଟା କହି ଚାଲିଗଲା ପରେ ସେ ଥକ୍‌କା ହୋଇ ଠିଆ ହୋଇଗଲେ ।

 

ଘରେ ବାହାରେ ସମସ୍ତେ ତାଙ୍କ କଥାକୁ ଥଟା କରୁଛନ୍ତି, ଅବିଶ୍ଵାସ କରୁଛନ୍ତି । ସେ ଯାହା କହୁଛନ୍ତି, ତାକୁ ସେ କାମରେ ଦେଖେଇ ପାରିବେ ବୋଲି କାହାରି ବିଶ୍ଵାସ ହେଉ ନାହିଁ । ସମସ୍ତେ ଭାବୁଛନ୍ତି—ଆହା ବିଚରା ମାଷ୍ଟ୍ରରଟି !

 

ହେମାଙ୍ଗିନୀ ବଡ଼ଲୋକ ଘରର ଝିଅ । ରଜା, ଜମିଦାର ଘର ନ ହେଲେ ବି ଥିଲାବାଲା ଘର । ନ’ବର୍ଷ ତଳେ ଯେତେବେଳେ ସେ ତାଙ୍କ ହାତଧରି ଏ ଘରକୁ ଆସିଥିଲେ, ସେତେବେଳେ ଦେହରେ ଥିଲା ତାଙ୍କର ପୂରା ସୁନାଗହଣା । ସଙ୍ଗରେ ଆଣିଥିଲେ ସେ ଖଟ, ଆଲମିରା, ଚାରି ସାର କଂସାବାସନ । ନିମଖଣ୍ଡି ଗାଁଲୋକେ ଈର୍ଷାରେ ଜଳି ଯାଇଥିଲେ । ଟୁପ୍‍ଟାପ୍‍, ଫୁସୁଫାସ୍‍ ହେଉଥିଲେ, ଏ ନାରଣ ମାଷ୍ଟ୍ର ହୋ, ଘରବାଡ଼ି ଛଡ଼ା ଚାଷଜମି ବାଡ଼ି ଗୋବରେ ଗୋବେ ନାହିଁ । ମଙ୍ଗଳପୁର ରାଧାଶ୍ୟାମ ମହାନ୍ତି ଘରେ ବାହାହେଲା–ବୋହୂଟା ଦିହଯାକ ସୁନାଗହଣା ନାଇଛି ସାଙ୍ଗରେ ଆଣିଛି ଖଟ, ଆଲମିରା, କଂସା ବାସନ, ଟ୍ରଙ୍କ, ସୁଟ୍‍କେଶ୍‍... !

 

ଆଜି ସିନା ମଟର ସାଇକେଲ, ରେଡ଼ିଓ ସେଟ୍‍ ଯଉତୁକ ସାଧାରଣ କଥା ହୋଇଗଲାଣି; କିନ୍ତୁ ସେତେବେଳେ ସୁନା ଗହଣା, ଖଟ, ଆଲମାରି ଯଉତୁକ ଦେଲେ ଖୁବ୍‍ ହେଉଥିଲା ।

 

କିନ୍ତୁ ହେମାଙ୍ଗିନୀ ଯେଉଁ ଯଉତୁକ ସବୁ ଆଣିଥିଲେ, ବର୍ଷ ଦୁଇଟା ପରେ ତାକୁ ସବୁ ଘରୁ ଖାଲି କରିଦେବାରେ ନାରଣ ମାଷ୍ଟ୍ରେ କାର୍ପଣ୍ୟ କରି ନ ଥିଲେ । ବିଭାଘରବେଳେ ଯେଉଁ କରଜ ହୋଇଥିଲା, ହେମାଙ୍ଗିନୀଙ୍କ ଦେହର ଅଧେ ଗହଣା ବିକି ତା’ ଶୁଝିବାକୁ ପଡ଼ିଥିଲା ମାସ ତିନିଟା ପରେ—ତା’ ପରେ କ୍ରମାନ୍ଵୟେ ବୋଉଙ୍କ ଅନ୍ତ୍ୟେଷ୍ଟିକ୍ରୀୟା, ନିଜର ଦେହବେମାର ଖର୍ଚ୍ଚ ଓ ପରେ ସୁରିଆର ଜନ୍ମ-ଉତ୍ସବ ଖର୍ଚ୍ଚ ବାବଦରେ ହେମାଙ୍ଗିନୀଙ୍କ ଦେହର ଅବଶିଷ୍ଟ ସୁନାଗହଣା, ଆଲମିରା ପ୍ରଭୃତି ନାରଣ ମାଷ୍ଟ୍ରଙ୍କ ଘରର ସୀମା ଛାଡ଼ି ଦୂରେଇ ଯାଇଥିଲା ।

 

ହେମାଙ୍ଗୀନୀ ବାପଘରର ସୁଖସମ୍ଭୋଗ ଛାଡ଼ି ନିମଖଣ୍ଡି ଗାଁକୁ ବୋହୂ, ହୋଇ ଆସିଲା ଦିନ ବୋଉ ତାଙ୍କର କାନେ କାନେ କହିଥିଲେ—ସ୍ୱାମୀ ଦେବତା । ସ୍ଵାମୀ ଦେବତାଙ୍କ ସୁଖ ଓ ଦୁଃଖରେ ନାରୀର ହସ, ଆନନ୍ଦ । ସେ ଯଦି ନଲ ହୋଇ ଦାଣ୍ଡର ଭିକାରୀ ହୁଅନ୍ତି, ଦମୟନ୍ତୀ ସାଜି ତୁ ବି ତାଙ୍କ ସାଙ୍ଗରେ ଧୂଳିଧୂସର ଦାଣ୍ଡକୁ ଓହ୍ଲାଇଯିବୁ...

 

ବୋଉର ଏ କଥା କେଇପଦ ହେମାଙ୍ଗିନୀଙ୍କ ମନରେ ଅନେକ ଦିନ ପାଇଁ ଅଲିଭା ଗାର ଟାଣି ଦେଇଥିଲା । ତେଣୁ ନାରଣ ମାଷ୍ଟ୍ରେ ଯେତେବେଳେ ଅସୁବିଧାରେ ପଡ଼ି ପରେ ଗହଣା ତିଆରି କରିଦେବେ ବୋଲି କହି ତାଙ୍କଠାରୁ ସବୁ ଗହଣା ଓହ୍ଲାଇ ନିଅନ୍ତି, ହେମାଙ୍ଗିନୀ ହସି ହସି ସେ ସବୁ ବଢ଼ାଇ ଦିଅନ୍ତି ତାଙ୍କ ହାତକୁ ।

 

କିନ୍ତୁ ଗହଣା ଗଢ଼ିବା ବା କଥା ଆଉ ହୁଏ ନାହିଁ । ସ୍ଵାମୀଙ୍କୁ ସେକଥା ଥରେ ଦି’ଥର ମନେ ପକାଇଦେଇ ଚୁପ୍‍ ହୋଇ ଯାଆନ୍ତି ହେମାଙ୍ଗିନୀ । ସ୍ଵାମୀ ହନ୍ଦୁ ନାରୀର ଦେବତା । ତାଙ୍କ ମନରେ କଷ୍ଟ ଦେବା ମଧ୍ୟ ମହାପାପ ।

 

ହେମାଙ୍ଗିନୀ ସ୍ୱାମୀଙ୍କ ମନରେ କେବେ କଷ୍ଟ ଦେବା ପାଇଁ କିଛି କଥା କହି ନାହାନ୍ତି; କିନ୍ତୁ ସ୍ଵାମୀଙ୍କ ସାମର୍ଥ୍ୟ ଉପରେ ତାଙ୍କ ନିଜ ଅନିଚ୍ଛାସତ୍ତ୍ୱେ କେମିତି ଏକ ଦୁର୍ବଳ ଧାରଣା ଠୁଳ ହୋଇଯାଇଛି । ସେଥିପାଇଁ ନାରଣ ମାଷ୍ଟ୍ରେ ନିଜ ଶକ୍ତି ବାହାରକୁ ଯାଇ କୌଣସି କଥା କହିଲେ ହେମାଙ୍ଗିନୀଙ୍କ ପକ୍ଷରେ ତାହା ଅସହ୍ୟ ହୁଏ । ସେ ବିରକ୍ତ ହୁଅନ୍ତି । ସେ ବିରକ୍ତ ଅନେକ ସମୟରେ ଥଟ୍ଟା ଗାଳି ଆକାରରେ ପ୍ରକାଶ ପାଏ ।

 

ସୁରକୁ ବଡ଼ ମଣିଷ କରି ଗଢ଼ିବେ ବୋଲି ନାରଣ ମାଷ୍ଟ୍ରେ କହିବାକ୍ଷଣି ହେମାଙ୍ଗିନୀ ସେଥିପାଇଁ ଆଜି ଅସହିଷ୍ଣୁ ହୋଇଉଠିଲେ । ଦି’ଟା ମାଠିଆରେ ପାଣି ଭର୍ତ୍ତିକରି ଖଡ଼ାକିଆରିକୁ ଯାଉ ଯାଉ ହେମାଙ୍ଗିନୀଙ୍କ ଏହି ଅସହିଷ୍ଣୁ, କଥା ନାରଣ ମାଷ୍ଟ୍ରେ, ମନେ ମନେ ହେଜି ହେଉଥିଲେ । ନିଜ ଉପରେ ସତକୁ ସତ ତାଙ୍କର କାହିଁକି ଅବିଶ୍ୱାସ ଆସୁଥିଲା ।

 

ମାଷ୍ଟ୍ରେ ମାଷ୍ଟ୍ରେ ହୋ ! ବାହାରେ କାହାର ପାଟି ଶୁଭିଲା ।

 

ନାରଣ ମାଷ୍ଟ୍ରେ ଖଡ଼ାକିଆରରେ ପାଣି ଢାଲୁ ଢାଲୁ ଜବାବ ଦେଲେ, ହଁ ହଁ... କିଏ ଝର କରେ ! କ’ଣ କଥା କ’ଣ ?

 

ଝରି ଓରଫ ବିହାରୀ ଜେନା ନାରଣ ମାଷ୍ଟ୍ରେଙ୍କ ଖଡ଼ାକିଆରି ପାଖକୁ ମାଡ଼ି ଆସୁ ଆସୁ କହି କହି ଆସିଲା, ଏହି କାଳିଆଟା ଆମର ଆଜି ଅଝଟ କରିଛି ଯେ ମୋଟେ ଖାଉନି.. ମା ସାଙ୍ଗରେ ତା’ର କ’ଣ ଝଗଡ଼ା ହୋଇଛି, ମୁଁ ବୁଝେଇ ବୁଝେଇ ଥକିଗଲିଣି । ଇସ୍କୁଲ ବେଳା ଆସି ହେଲାଣି । ଆପଣ ଟିକେଏ ନ ଗଲେ...

 

ଗାଁରେ ମାଷ୍ଟ୍ର ଚାକିରି କଲେ କାହା ପିଲା ଅଝଟ କଲା, କିଏ ନଳିତାକିଆରିରେ ଲୁଚିଲା କିମ୍ବା ମାଙ୍କଡ଼ ହୁରୁଡ଼େଇଲା, ସେ କଥା ମଧ୍ୟ ତାଙ୍କୁ ଦେଖିବାକୁ ହୁଏ । ଶିକ୍ଷାବିଭାଗ ନିର୍ଦ୍ଦେଶକୁ ଅମାନ୍ୟ କରି ପାଠପଢ଼ାରେ ଢିଲାକଲେ ଚଳିବ; କିନ୍ତୁ ଗାଁର ଏ କଳିତକରାଳ ନ ମେଣ୍ଟାଇଲେ ମାଷ୍ଟ୍ରଙ୍କ ଦୁଆରେ ନୀତି ସଇତାନ ଆସି ଟେକା ପକାଇବ । ମାଷ୍ଟ୍ରେ ପଢ଼ାଉ ନାହାନ୍ତି ବୋଲି ଇନ୍ସପେକ୍ଟରଙ୍କ ପାଖକୁ ଦରଖାସ୍ତ ଯିବ । ନାରଣ ମାଷ୍ଟ୍ରେ ଏକଥା ଅନେକ ଥର ଅଙ୍ଗେ ଲିଭାଇଛନ୍ତି-। ତେଣୁ ଖଡ଼ାକିଆରିରେ ପାଣିଦେବା ବନ୍ଦ କରି ଗାମୁଛଟା ବଦଳାଇ ପକାଇ କହିଲେ–ଚାଲ୍‍, ଝରି ଚାଲ୍‍, ମୁଁ ପଛେ ପଛେ ଯାଉଛି । ପିଲାଗୁଡ଼ାକ ଏବେ ଏମିତି ଦୁଷ୍ଟ ହେଲେଣି ଯେ...

 

ବିହାରି ଜେନା ମାଷ୍ଟ୍ରଙ୍କ ଲଙ୍କାମରିଚ ବାଡ଼ିରୁ ପୁଳାଏ ଲଙ୍କାମରିଚ ସେତେବଳକୁ ଛିଣ୍ଡାଇ ଅଣ୍ଟିରେ ପୂରାଇ ସାରିଥିଲା । ମାଷ୍ଟ୍ରେ ପଛରେ ଯିବେ ବୋଲି କହିବା ପରେ ସେ ସନ୍ତର୍ପଣରେ ବାହାରିଆସିଲା ପଦାକୁ ।

 

ନିମଖଣ୍ଡି ଗାଁର ଏଇ ସ୍କୁଲ ।

 

ନାରଣ ମାଷ୍ଟ୍ରଙ୍କର ଏଇ ସ୍କୁଲ ଖଣ୍ଡିକ ଉପରେ ଅକଳନ୍ତି ଭରସା, ଅସରନ୍ତି ମମତା । ଏଇ ସ୍କୁଲଘରର ଚାରି କାନ୍ଥ ଭିତରେ ସେ ନିଜ ଜୀବନର ସବୁ ସୁଖ ସ୍ଵପ୍ନକୁ ଖୋଜି ପାଆନ୍ତି । ଏଇ ସ୍କୁଲ ଘର ଭିତରେ ପାଦ ପକାଇଲେ ନିଜ ଜୀବନର ସବୁ ବେଦନା, ଅଭାବ ଅନାଟନ ସେ ପାଶୋରି ପକାନ୍ତି ।

 

ସ୍କୁଲଘରକୁ ଅନେଇଲେ ତାଙ୍କ ପେଟ ପୂରିଉଠେ.....

 

ଏ ଯୁଗର ଦେବମନ୍ଦିର ଏଇ ସ୍କୁଲଘର । କେତେ ଅଜ୍ଞାନ ଶିଶୁଙ୍କୁ ସେ ଏଇ ଶିକ୍ଷାମନ୍ଦିରରେ ଜ୍ଞାନର ଆଲୋକ ଦେଇଛନ୍ତି ! ଦୁଷ୍ଟ, ପଦହୁଡ଼ା ପିଲାଙ୍କୁ ଶାନ୍ତଶିଷ୍ଟ କରି ଗଢ଼ି ତୋଳିଛନ୍ତି ।

 

ଏଇ ସ୍କୁଲଘରକୁ ଅନେଇଲେ ଅନେକ ଦିନର ଅନେକ ଭଙ୍ଗା ଭଙ୍ଗା ସ୍ମୃତି ତାଙ୍କ ମନର ଆକାଶକୁ ଆଛନ୍ନ କରିଆଣେ ସ୍ମୃତିର ସେଇ ଅନନ୍ତ ଅନ୍ତରିକ୍ଷ ଦେହରେ ପଛଦିନର, ସେଇ ହଜିଗଲା ଦିନର କଥାଗୁଡ଼ିକ ଜହ୍ନ ଆଉ ଟିକି ଟିକି ସଂଖ୍ୟାହୀନ ତରକାରାଶି ଭଳି ଝଲମଲ କରି ଉଠନ୍ତି...

 

ଏଇ ତ, ସେସବୁ କଥା କାଲି ଭଲି ଆଖି ଆଗରେ ନାଚି ଯାଉଛି ।

 

ମୁଣ୍ଡରେ ଠେକା ବାନ୍ଧି ମାଟି ଟୋକେଇରେ ଟୋକେଇଏ ଟୋକେଇଏ ମାଟି ଭରି ସେ ଏଇ ଖାଲୁଆ ଗୋଚର ଜମିରେ ଏ ସ୍କୁଲର ମୂଳଦୁଆ ପକେଇଥିଲେ, ସ୍କୁଲଘରର ଶୁଭ ଦେଇଥିଲେ-। ସେ ଦୀର୍ଘ ଷୋଳବର୍ଷ ତଳର କଥା । ଆଜିକାଲି ଭଳି ସେଦିନ ପାଠ ପଢ଼ିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ନ ଥିଲା । ପାଠ ପଢ଼ିଲେ ବିଶେଷ କିଛି ଲାଭ ହେବ ବୋଲି ସେମାନେ ବୁଝୁ ନ ଥିଲେ । ତେଣୁ ସ୍କୁଲଘର ତୋଳିବା ପାଇଁ ଗାଁ’ରେ ପ୍ରତି ଘରୁ ଖଣ୍ଡେ ଖଣ୍ଡେ ବାଉଁଶ ମାଗିବାକୁ ଗଲାବେଳେ ଗାଁ’ଲେକେ ହସି ଉଡ଼ାଇ ଦେଇଥିଲେ କଥାକୁ । ତାଙ୍କୁ ପରାମର୍ଶ ଦେଇଥିଲେ, ମିଶ୍ରଙ୍କ ସିରସ୍ତାରେ ଗୁମାସ୍ତା ଚାକିରି ଖାଲି ଅଛି ନାରଣ । ଚାକିରି କଲେ ଦି’ପଇସା ମିଲିବ । ଏ ଇସ୍କୁଲରେ ଖାଉଡ଼େ ପିଲା ଜମାଇଲେ ଲାଭ କ’ଣ ?

 

ନାରଣ ମାଷ୍ଟ୍ରଙ୍କ ଉତ୍ସାହ ସେଥିରେ ଦବିଯାଇ ନ ଥିଲା । ସେ ଭାଙ୍ଗି ପଡ଼ି ନ ଥିଲେ ।

 

ନିଜ ହାଡ଼କୁ ଚୂନାକରି ସେ ଠିଆ କରିଥିଲେ ସ୍କୁଲଘର । ସେ କଷ୍ଟ ତାଙ୍କୁ ବାଧି ନ ଥିଲା-

 

ଗାଁ’ରେ ସ୍କୁଲ୍‍ ହେବ । ପିଲାଏ ପାଠ ପଢ଼ିବେ । ଜ୍ଞାନର ଆଲୋକ ପାଇବେ । ଦେଶ ଉନ୍ନତି କରିବେ । ଏଇସବୁ ମିଠା ମିଠା ସ୍ଵପ୍ନରେ ମନ ତାଙ୍କର ଭରିଯାଉଥିଲା । ତେଣୁ ସ୍କୁଲ ତିଆରି କରିବା ଦୁଃଖ ତାଙ୍କୁ ବାଧି ନ ଥିଲା, ଜଣାପଡ଼ି ନ ଥିଲା ।

 

ସ୍କୁଲଘର ତୋଳା ସରିଲା । କିନ୍ତୁ ପିଲା... !

 

କେବଳ ଘର ତୋଳିଦେଲେ ସ୍କୁଲ ହୋଇଯାଏ ନାହିଁ । ସ୍କୁଲକୁ ପିଲା ପଢ଼ିବାକୁ ନ ଆସିଲେ ସ୍କୁଲ ଚଳିବ କେମିତି ? ସେ ପଢ଼ାଇବେ କାହାକୁ ?

 

ଏ କଥା ଚିନ୍ତାକଲେ ସନାତନ ମିଶ୍ରଙ୍କ ମୁହଁ ଭାସିଉଠେ ନାରଣ ମାଷ୍ଟ୍ରଙ୍କ ଆଖିରେ । ସ୍କୁଲଘର ତୋଳା ସରିବା ପରେ ସନାତନ ମାଷ୍ଟ୍ରେ ରାଗରେ ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ । ସ୍କୁଲକୁ ଯେମିତି ପିଲା ନ ଆସିବେ, ସେଥିପାଇଁ ପିଆଦା ପଠାଇ ଘରେ ଘରେ ତାଗିଦକରି ଦେଇଗଲେ ।

 

ତାଙ୍କର ଆଶଙ୍କା ହେଲା, ଲେକେ ପାଠ ପଢ଼ିଲେ ଉପରମୁହାଁ ହେବେ, ଜମିଦାରଙ୍କୁ ମାନବେ ନାହିଁ । ଶୋଷଣ, ଅତ୍ୟାର ବିରୁଦ୍ଧରେ ତୁଣ୍ଡ ଖୋଲିବେ । ତାଙ୍କ ସ୍ଵାର୍ଥରେ ବାଧା ପଡ଼ିବ ।

 

କିନ୍ତୁ ସମୟର ସୁଅ ଆଗରେ ସନାତନ ମିଶ୍ରେ କ’ଣ ଠିଆ ହୋଇପାରିଲେ ?

 

ନାରଣ ମାଷ୍ଟ୍ରେ ହସନ୍ତି ମନେ ମନେ । ଭାବନ୍ତି, ସନାତନ ମିଶ୍ରଙ୍କ ତାଗିଦା କିଛି କାମ ଦେଲା ନାହିଁ । ସେ ପ୍ରତି ଘରକୁ ଯାଇ କାଖେଇ କୁଣ୍ଢେଇ ପିଲାଙ୍କୁ ଆଣି ସ୍କୁଲରେ ବସାଇଲେ । ନିର୍ଜୀବ ସ୍କୁଲଗୃହରେ ପ୍ରାଣ ସଞ୍ଚାର ହେଲା । କଥା କହିଉଠିଲା ସ୍କୁଲଘରର ପ୍ରତି କୋଣ, ଅନୁକୋଣ । କୋଳାହଳ ଜମିଉଠିଲା ସ୍କୁଲରେ ।

 

ସେସବୁ ଅନେକ, ଅନେକ ଦିନ ତଳର କଥା ।

 

ସେ ଏଇ ସ୍କୁଲଘରକୁ ଗଢ଼ିଥିଲେ । ତଥାପି ଯେତେବେଳେ ସ୍କୁଲ ସବୁରି ଦୃଷ୍ଟିକୁ ଆସିଲା, ତାଙ୍କୁ ଏ ସ୍କୁଲରୁ ତଡ଼ିବା ପାଇଁ କେତେ ଉଦ୍ୟମ ହୋଇଛି । କେତେ ଦରଖାସ୍ତ ଯାଇଚି ତାଙ୍କ ବିରୁଦ୍ଧରେ ତାଙ୍କ ଉପର ହାକିମଙ୍କ ପାଖକୁ । ହେଲେ, ଏସବୁ ଧଡ଼ିମଡ଼ିକୁ ଏଡ଼େଇ ସେ ଗତ ଷୋଳବରଷ ହେଲା ରହିଛନ୍ତି ଏଇ ସ୍କୁଲରେ ।

 

ଏଇ ସ୍କୁଲ.. ତାଙ୍କର ଅତି ପ୍ରିୟ ଅତି ଆଦରର !

 

ଏ ଯେଉଁ ଛୋଟ ଛୋଟ ପିଲା, ମୁହଁରେ ହସ ଚହଟେଇ, ମନରେ କେତେ ଚପଲ ଆନନ୍ଦର ଢେଉ ନଚାଇ ନଚାଇ ଏଣେ ତେଣେ ଦଉଡ଼ୁଛନ୍ତି, ଖେଳୁଛନ୍ତି, ଚୁପ ହୋଇ ବସି ବହି ପଢ଼ୁଛନ୍ତି, ଖୁଜୁରୁ ବୁଜୁରୁ ହୋଇ ଚୁମୁଟା ଚୁମୁଟି ହେଉଛନ୍ତି, ପାଟିତୁଣ୍ଡ କରି ଗଣ୍ଡଗୋଳ କରୁଛନ୍ତି, ସେମାନଙ୍କୁ ଶାସନ କରି ପଢ଼ାଇବାକୁ ତାଙ୍କର ଭାରି ଆଗ୍ରହ, ଅତି ଉତ୍ସାହ । ପିଲାଟିଏ ଯେତେବେଳେ ନିଜ ବାପ ମାଆଙ୍କୁ ଫାଙ୍କିଦେଇ ଚାଲିଗଲା ଶଗଡ଼ରେ ହାତ ପୁରାଇ ଦେବାକୁ ଧାଇଁ ଯାଉଥାଏ, ସେତେବେଳେ ତାଙ୍କ ପାଟି ଶୁଣିଲେ ଚମକି ଠିଆ ହୋଇ ବାମ ହାତରେ ମୁଣ୍ଡ କୁଣ୍ଡାଏ । ସେତେବେଳେ ସେ ନିଜେ ଗୋଟିଏ ଗଡ଼ ଜୟ କରିଥିବା ଭଳି ଖୁସିରେ ନାଚିଉଠନ୍ତି...

 

ସେଥିପାଇଁ ସ୍କୁଲବେଳ ହୋଇଗଲେ । ତାଙ୍କ ଆଖିରେ ନାଚିଉଠେ ଏଇ ସ୍କୁଲ ଖଣ୍ଡିକର ଛବି, ଏଇ ଟିକିଟିକି ପିଲାଙ୍କ ହସ, ପ୍ରଫୁଲ୍ଲ ମୁହଁ । ରୋଷେଇ ସରି ନ ଥିଲେ ଏଣୁ ତେଣୁ ପେଟରେ ଦୁଇଟା ପୂରାଇଦେଇ ଦେହରେ ପୁରୁଣା ଚିରା ପତେଇ ଖଣ୍ଡେ ଗଳାଇ ଦେଇ ସେ ଅଣନିଶ୍ଵାସୀ ହୋଇ ଧଇଁଆସନ୍ତି ଏଇ ସ୍କୁଲ ଖଣ୍ଡିକ ପାଖକୁ.....ଦିନକୁ ଦୁଇଦିନ ଛୁଟି ପଡ଼ିଗଲେ । ଘରେ ତାଙ୍କୁ ସବୁ ଜିନିଷ ଚିଡ଼ିଲାଗେ । ଭୁଲରେ ଛୁଟିଦିନେ ଥରେ ଥରେ ସେ ସ୍କୁଲକୁ ଚାଲିଆସନ୍ତି । ବାଟରେ ହଠାତ୍‍ ତାଙ୍କର ମନେପଡ଼େ, ସ୍କୁଲ ଛୁଟି । ପିଲାଏ କେହି ଆସି ନ ଥିବେ ।

 

ସେ କେତେ ଅବାଧ୍ୟ, ଦୁଷ୍ଟ ପିଲାଙ୍କୁ ଆଖି ଦେଖାଇ ଶାସନ କରିଛନ୍ତି । ମଣିଷ କରି ଗଢ଼ି ତୋଳିଛନ୍ତି । ଅସାଧକୁ ସାଧ୍ୟ କରିଛନ୍ତି । ତାଙ୍କର କାନ୍ଧରେ ‘ଗୋଡ଼ଦେଇ ଅନେକ ନିର୍ବୋଧ ମଣିଷ ଉପରକୁ ଉଠିଛନ୍ତି ବଡ଼ଲୋକ ହୋଇଛନ୍ତି । ନେତା ହୋଇଛନ୍ତି, ମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସେ ସେମିତି ଗୋଟିଏ ତୁଠପଥର ଭଳି ରହି ଯାଇଛନ୍ତି ନଗଣ୍ୟ ହୋଇ । ତାଙ୍କରି ଦେହରେ ଗୋଡ଼ ଘଷି ଯେଉଁମାନେ ଉପରକୁ ଉଠିଛନ୍ତି, ଉପର ମହଲରୁ ସେ ଆଉ ତଳକୁ ଚାହୁଁ ନାହାନ୍ତି ।

 

ତଥାପି ତାଙ୍କ ମନରେ ଅବଶୋଷ ନାହିଁ ।

 

ମନେ ମନେ ସେ ନିଜ କୃତଘ୍ନ ଛାତ୍ରମାନଙ୍କୁ କ୍ଷମାକରି ଯାଇଛନ୍ତି । ଯୁକ୍ତି କରିଛନ୍ତି, ହାତି ବଣରେ ଥିଲେ ବି ରଜାଙ୍କର......

 

ନାରଣ ମାଷ୍ଟ୍ରେ ସବୁଦିନେ ସାଦାସିଧା, ଖୋଲାମନ, ନିର୍ମଳ ହୃଦୟ ।

 

ଏଇ ନିମଖଣ୍ଡି ଗାଁ ସ୍କୁଲ ଉପରେ ତାଙ୍କର ଅକଳନ୍ତି ଭରସା, ଅଟଳ ବିଶ୍ୱାସ...

 

କିନ୍ତୁ.....ହେମାଙ୍ଗିନୀ.... !

 

ହେମାଙ୍ଗିନୀର ଯେତେ ଘୃଣା ସବୁ ଏଇ ଶିକ୍ଷକ ଚାକିରି ଉପରେ । ତାଙ୍କର ବିଚିତ୍ର ଏକ ଧାରଣା । ଅଦ୍ଭୁତ ଏକ ବିଶ୍ଵାସ । ଶିକ୍ଷକ ଚାକିରି ଏକ ପେଟପୋଷା ଚାକିରି । ଶିକ୍ଷକ ଜୀବନ ପିଲାଙ୍କ ସ୍ଳେଟ ଭଳି ସମତଳ । ସେଥିରେ ରୋମାଞ୍ଚ ନାହିଁ, ସେଥିରେ ଆକର୍ଷଣ ନାହିଁ ।

 

ସେ ଅନେକ ସମୟରେ ଭାବନ୍ତି, ନାରଣ ମାଷ୍ଟ୍ରଙ୍କ ହାତ ଧରି ସଂସାରର ହାଟରେ ସେ ହଟହଟା ହେଉଛନ୍ତି ।

 

ସେଦିନ ନାରଣ ମାଷ୍ଟ୍ରେ ପହଞ୍ଚି ଦେଖିଲେ, ଜଣେ ଶିକ୍ଷକ ଆସି ନାହାନ୍ତି ସ୍କୁଲକୁ । ଦିନେ ଦିନେ ଏମିତି ଘଟେ । ଶିକ୍ଷକ ଜଣେ ଜଣେ ସ୍କୁଲକୁ ଆସନ୍ତି ନାହିଁ । ସେଦିନ ନାରଣ ମାଷ୍ଟ୍ରଙ୍କ କାମ ବଢ଼ିଯାଏ ବହୁତ । ଦୁଇଟା ଶ୍ରେଣୀର ଦାୟିତ୍ଵ ତାଙ୍କୁ ନିଜେ ବହନ କରିବାକୁ ହୁଏ ।

 

ପିଲାଙ୍କ ପରୀକ୍ଷା ପାଖ ହୋଇ ଆସୁଛି । ପଢ଼ାପଢ଼ିରେ ଅବହେଳା କଲେ ଚଳିବ ନାହିଁ-। ନାରଣ ମାଷ୍ଟ୍ରେ ଉପର ଶ୍ରେଣୀ ପିଲଙ୍କୁା ପଢ଼ା ଦେଇ ଅନ୍ୟ ଶ୍ରେଣୀର ଛୋଟ ଛୋଟ ପିଲାଙ୍କୁ ପଢ଼ାଇବା ପାଇଁ ଚାଲିଗଲେ ।

 

ଯେଉଁ ଶ୍ରେଣୀରେ ପଢ଼ା ଦେଇ ନାରଣ ମାଷ୍ଟ୍ରେ ଚାଲିଗଲେ, ସେଇ ଶ୍ରେଣୀର ଛାତ୍ର ହେଉଛନ୍ତି ସୁର ଆଉ ଲୀଳା । ମାଷ୍ଟ୍ରେ ଚାଲିଗଲା ପରେ ପିଲାଙ୍କ ଭିତରେ ଆନନ୍ଦର ଏକ କଳଗୁଞ୍ଜନ ଉଠିଲା । ମହୁଫେଣାରେ ଟେକା ବାଜିଲେ ମହୁମାଛିମାନେ କଳରବ କରି ଉଠିଲା ଭଳି ମାଷ୍ଟ୍ରେ ଚାଲିଗଲା ପରେ ଶ୍ରେଣୀର ପିଲାମାନେ ଛୋଟ ପାଟିରେ କଥାବାର୍ତ୍ତା କରି ଉଠିଲେ ।

 

ଲୀଳା ଦେଖିଲା, ଟେବୁଲ୍‍ ଉପରେ ଏକ ଗ୍ଲୋବ୍‍ ଥୁଆ ହୋଇଛି ମାଷ୍ଟ୍ରେ ଗ୍ଲୋବ୍‍ ଦେଖାଇ ଭୂଗୋଳ ପଢ଼ାଇଲାବେଳେ ଗ୍ଲୋବ୍‍କୁ ଭଲକରି ଦେଖିବା ପାଇଁ ଲୀଳାର ଅନେକ ଦିନୁ ଇଚ୍ଛା । ମାଷ୍ଟ୍ରଙ୍କ ଆଗରେ ସେ ଭରସା କରି କେବେ ଗ୍ଲୋବ୍‍ ପାଖକୁ ଯାଇପାରି ନାହିଁ । ଆଜି ମାଷ୍ଟ୍ରେ କ୍ଳାସ୍‍ ଛାଡ଼ି ଚାଲିଗଲା ପରେ ସେ ଆସ୍ତେ ଆସ୍ତେ ଗ୍ଲୋବ୍‍ ପାଖକୁ ଗଲା । ଗ୍ଲୋବ୍‌କୁ ଏପାଖ ସେପାଖ ଘୂରାଇ ଦେଖିଲା ।

 

ଲୀଳାର ଭାଗ୍ୟ ଖରାପ ।

 

ହଠାତ୍‍ ତା’ର ହାତ ବାଜି କାଠର ଗ୍ଲୋବ୍‍ ତଳେ ପଡ଼ି ଭାଙ୍ଗିଗଲା । ଶ୍ରେଣୀର ପିଲାସବୁ ଏ ଘଟଣା ଦେଖି ଚକିତ ହୋଇଉଠିଲେ । ଗ୍ଲୋବ୍‍ ଭାଙ୍ଗି ଯିବା ପରେ ଅପରାଧିନିଟି ଭଲି ଲୀଳା ଫେରିଆସି ନିଜ ସିଟ୍‌ରେ ବସିପଡ଼ିଲା ।

ମୁହଁ ତା’ର କଳା ପଡ଼ିଯାଇଥାଏ । ଭୟରେ ଗୋଟିସୁଦ୍ଧା ଥରୁଥାଏ ସେ । ମନରେ ଆଶଙ୍କାର ଢେଉ ଖେଳୁଥାଏ—ମାଷ୍ଟ୍ରେ ଆସିବେ, ଦେଖିବେ, ତାକୁ କେତେ ମାଡ଼ ଦେବେ !

 

ଲୀଳାର ଆଖି ଛଳଛଳ ହୋଇଆସୁଥାଏ ଲୁହରେ ।

 

ଶ୍ରେଣୀରେ ବସି ସୁର ଏସବୁ ଦେଖୁଥିଲା । ଲୀଳାର ଏ ଅବସ୍ଥା ଲକ୍ଷ୍ୟ କରୁଥିଲା । ତା’ ଆଖିରେ ଲୁହ ଟଲମଳ ହୋଇଯିବା ଦେଖି ସେ ଟାଣିନେଇ ଆସିଲା ତାକୁ ତା’ ନିଜପାଖକୁ କହିଲା, କଛି କହ ନାହିଁ, କାନ୍ଦନି । ବସ୍‍ ।

 

ଆରଘରେ ମାଷ୍ଟ୍ରେ ଶୁଣିଲେ ଶ୍ରେଣୀରେ କ’ଣ ଗୋଟାଏ ପଡ଼ିବାର ଶବ୍ଦ । କ’ଣ ଗୋଟାଏ ଅଘଟଣ ଘଟିଲା ବୋଲି ଜାଣିବା ପାଇଁ ସେ ଏ ଘରକୁ ଚାଲିଆସିଲେ ।

 

ଗ୍ଲୋବ୍‍ଟି ଭାଙ୍ଗି ଯାଇଛି । ଅନେକ ଦିନର ପୁରୁଣା ଗ୍ଲୋବ୍‍ । ସ୍କୁଲଘରର ଏକ ପ୍ରଧାନ ସମ୍ପରି । ସ୍କୁଲଘରର ସେଇ ଗୋଟିଏ ବୋଲି ଗ୍ଲୋବ୍‍ । ଆଲମିରା ଭିତରେ ଥୁଆ ହୋଇଥାଏ । କେହି ଶିକ୍ଷାବିଭାଗର ପରିଦର୍ଶକ ଆସିଲେ ଆଲମିରା ଭିତରୁ ପଦାକୁ ବାହାରେ ଏଇ ଗ୍ଲୋବ୍‍ । ପିଲାଏ ତା’ର ସ୍ଵରୂପ ଦେଖନ୍ତି ।

 

ପରୀକ୍ଷାବେଳ ବୋଲି ପଢ଼ାଇବା ପାଇଁ ସେ ଗ୍ଲୋବ୍‍ଟି କାଢ଼ିଥିଲେ ପଦାକୁ । କିଏ ତାକୁ ଭାଙ୍ଗି ଚୂନା କରିଦେଲା !

 

ନାରଣ ମାଷ୍ଟ୍ରଙ୍କୁ ଦେଖି ପିଲା ତଟସ୍ଥ ହୋଇଗଲେଣି । ତାଙ୍କ ମୁହଁରେ ନାଲି ଚହଟି ଉଠୁଚି । ଖୁବ୍‍ ରାଗିଛନ୍ତି ସେ ବୋଧହୁଏ । ଲୀଳା ବ୍ୟତିତ ଗ୍ଲୋବ୍‍ ଭାଙ୍ଗି ଥିବା ଅପରାଧରେ ତାଙ୍କ ଉପରେ ମଧ୍ୟ ସାମୂହିକ ମାଡ଼ ହୋଇପାରେ ବୋଲି ଶ୍ରେଣୀରେ ସବୁ ପିଲା ଭୟରେ ଥରିବାକୁ ଆରମ୍ଭ କରିଥାନ୍ତି ।

 

ରାଗଜର୍ଜରିତ କଣ୍ଠରେ ନାରଣ ମାଷ୍ଟ୍ରେ ପ୍ରଶ୍ନ କଲେ, କିଏ ଏ ଗ୍ଲୋବ୍‍ ଭାଙ୍ଗିଚ ଉଠି ଠିଆ ହୁଅ ।

 

ନାରଣ ମାଷ୍ଟ୍ରଙ୍କ କଣ୍ଠସ୍ଵର ଶୁଣି ପିଲାମାନଙ୍କ ତଣ୍ଟି ଅଠା ହୋଇ ଆସିଲାଣି । ଭୟରେ କେହି କିଛି କହିପାରୁ ନ ଥାନ୍ତି ।

 

ଶେଷରେ ଦେଖାଗଲା ଶ୍ରେଣୀର ଶେଷଭଗରେ ସୁର ଉଠି ଠିଆ ହୋଇଚି ।

 

ଲୀଳା ବଦଳରେ ସୁରକୁ ଗ୍ଲୋବ୍‍ ଭାଙ୍ଗି ଥିବା ଅପରାଧରେ ଠିଆହେବା ଦେଖି ଶ୍ରେଣୀ ପିଲାଙ୍କ ମଧ୍ୟରେ ଏକ ମୃଦୁଗୁଞ୍ଜନ ଉଠି ନୀରବ ହୋଇଗଲା । ଥରେ ସୁର ଏବଂ ଆଉଥରେ ନାରଣ ମାଷ୍ଟ୍ରଙ୍କ ମୁହଁକୁ ଚାହିଁ ଲୀଳା ଭୟ, ଲଜ୍ଜା ଓ ସଂକୋଚରେ ତଳକୁ ମୁହଁ ପୋତିଦେଲା ।

 

ଗ୍ଲୋବ୍‍ ଭାଙ୍ଗିବା ଅପରାଧରେ ସ୍ଵୟଂ ନିଜ ଯୋଗ୍ୟ ପୁତ୍ରକୁ ଠିଆ ହେବା ଦେଖି ନାରଣ ମାଷ୍ଟ୍ରଙ୍କ ବୁଦ୍ଧି ବୃତ୍ତି ଲୋପ ପାଇଗଲା । ସେ ଛଞ୍ଚାଣ ଭଲି ଛୁଟିଯାଇ ସୁର ପିଠିରେ ଦୁଇଟା ଶକ୍ତ ବିଧା ବସାଇଦେଲେ । ତାକୁ ଟାଣି ଟାଣି ଶ୍ରେଣୀ ଭିତରୁ ବାହାର କରି ପଦାକୁ ବିଦା କରିଦେଲେ ।

 

କିନ୍ତୁ ଆଶ୍ଚର୍ଯ୍ୟ !

 

ସୁର ଆଖିରେ ଲୁହ ନାହିଁ; ସତେ ଯେମିତି ସେ ନିଜ ମନ ଆଉ ଦେହକୁ ଇସ୍ପାତ ଭଳି ଟାଣ୍‍ କରିନେଇଛି !

 

କିଛି ସମୟ ଆଗରୁ ଶ୍ରେଣୀରେ ଯେଉଁ ଆତଙ୍କର କଳାମେଘ ଶ୍ରେଣୀ ପିଲାଙ୍କ ମନରେ ଘୋଟିଯାଇଥିଲା, ଏ ଘଟଣା ପରେ ତାହା ଆସ୍ତେ ଆସ୍ତେ ଅପସରିଗଲା । କିନ୍ତୁ ଲୀଳା ବଦଳରେ ସୁର ମାଡ଼ ଖାଇଥିବାରୁ ଏକ ଚହଳ ସୃଷ୍ଟି ହୋଇଗଲା ପିଲାମାନଙ୍କ ମନ ଭିତରେ ।

 

ସୁରକୁ ଖୁବ୍‍ ଜୋର୍‌ରେ ମାଡ଼ ଦେଇସାରିବା ପରେ ନାରଣ ମାଷ୍ଟ୍ରଙ୍କର ଖିଆଲ ହେଲା ଯେ ସେ ସାମାନ୍ୟ ଗୋଟିଏ ଘଟଣା ପାଇଁ ଏତେଟା ନିଷ୍ଠୁର ହେବା ଉଚିତ ହୋଇ ନାହିଁ । ସୁରକୁ ଏଭଲି ନିଷ୍ଠୁର ଭାବରେ ମାଡ଼ଦେବା ତାଙ୍କ ପକ୍ଷରେ ଏଇ ପ୍ରଥମ ।

 

ମାଡ଼ ଦେଇ ପିଲାଙ୍କୁ ଶାସନ କରିବାରେ ନାରଣ ମାଷ୍ଟ୍ରଙ୍କର କେବେହେଲେ ବିଶ୍ଵାସ ନ ଥିଲା କିମ୍ବା ଆଜି ମଧ୍ୟ ନାହିଁ । ତେବେ ସୁରକୁ ସେ ଏତେ ଜୋର୍‌ରେ ମାଡ଼ ଦେଲେ କାହିଁକି ?

 

ସୁର ଉପରେ ତାଙ୍କର ଅଗାଧ ବିଶ୍ଵାସ ।

 

ତାଙ୍କ ମନ ଭିତରେ ଯେଉଁ ସୁନାର ସ୍ଵପ୍ନ ଅନେକ ଦିନ ହେଲା ଜମାଟ ବାନ୍ଧିବାକୁ ଆରମ୍ଭ କରିଚି, ସେଇ ସ୍ଵପ୍ନକୁ ସଫଳ କରିବ ସୁର । ସେ ଦେଶରେ ଜଣେ ବଡ଼ଲୋକ ହେବ । ତାଙ୍କ ନାମ ରଖିବ । ଗରିବ ମାଷ୍ଟ୍ରଙ୍କର ପୁଅ ବୋଲି ଯେଉଁ ଦୁର୍ନାମ ତାଙ୍କରି ରହିଛି, ତା’ର ଅବସାନ ହେବ ।

 

ସୁର ଆଜି କେବଳ ଗ୍ଲୋବ୍‍ ଭାଙ୍ଗି ନାହିଁ; ସେ ଏଭଳି ଏକ ଅସୁନ୍ଦର କାମ କରି ନାରଣ ମାଷ୍ଟ୍ରଙ୍କ ମନରେ ଅନେକଦିନୁ ଗଢ଼ି ହୋଇ ଉଠୁଥିବା ଆଶାର ଏକ ସୌଧକୁ ଭାଙ୍ଗି ଚୁରମାର୍‍ କରିଦେଇଛି । ସେଇଥିପାଇଁ ନାରଣ ମାଷ୍ଟ୍ର ତାକୁ ଏପରି ନିର୍ମମ ଭାବରେ ମାଡ଼ ଦେଲେ ।

 

କେଜାଣି କାହିଁକ ନାରଣ ମାଷ୍ଟ୍ରଙ୍କ ମନଟା ଆପେ ଆପେ ଖରାପ ହୋଇଗଲା । ସେ ଚୁପ୍‌କିନା ପୁଣି ପାଠ ପଢ଼ାଇବା ପାଇଁ ଆର ଶ୍ରେଣୀକୁ ଚାଲିଗଲେ ।

 

ପିଲଙ୍କୁ ସେ ମାନସାଙ୍କ ପଢ଼ାଇବା କଥା ।

 

ସେ ପ୍ରଶ୍ନ କଲେ, ଟଙ୍କାକ ଚଉଷଠୀ ପଇସା ହେଲେ ଛ’ ଅଣାକ କେତେ ପଇସା ହେଲା କହିଲ ପିଲେ !

 

ଜଣେ ପିଲା ହଠାତ୍‍ ମଝିରୁ ଉଠି କହିଲା, ଟଙ୍କାକ ଶହେ ନୂଆ ପଇସା ମାଷ୍ଟ୍ରେ.....

 

ନାରଣ ମାଷ୍ଟ୍ରଙ୍କ ମୁହଁ ଲଜ୍ଜାରେ କଳା ପଡ଼ିଗଲା । ଜୀବନର ଅଧେ ବୟସ ସେ ଟଙ୍କାକ ଚଉଷଠୀ ପଇସା ବୋଲି ପଢ଼ାଇ ଆସିଛନ୍ତି । ହଠାତ୍‍ ଏଇ କେଇ ବର୍ଷ ହେଲା ଟଙ୍କାକ ଶହେ ନୂଆ ପଇସା ହୋଇଯାଇଛି । ଟଙ୍କାକ ଶହେ ପଇସାର ନୂତନ ପୃଥିବୀ ଉପରେ ସେ ହୋଇଯାଇଛନ୍ତି ଏକ ଅଚଳ ମୁଦ୍ରା !

 

ଟିଣ୍‍ ଟିଣ୍‍ ହୋଇ ସ୍କୁଲ ଘଣ୍ଟା ବାଜିଲା ।

 

ଛୁଟି ।

 

ସବୁଦିନ ଭଲି ପିଲାଏ ହୋ’ ହୋ’ ହୋଇ ଉଠି ଆନନ୍ଦରେ ଘରମୁହାଁ ବାହାରିପଡ଼ିଲେ । ଲୀଳା କିନ୍ତୁ ସମସ୍ତଙ୍କ ଭଲି ଡେଇଁ ଡେଇଁ ପାଟିକରି ଯାଇପାରିଲା ନାହିଁ । ସୁରିଆ ମାଡ଼ ଖାଇ ସ୍କୁଲରୁ ପଳାଇଆସିବା ପରେ ତା’ ଦେହରେ ଆଉ ଜୀବନ ନାହିଁ । ରକ୍ତ ସବୁ ଯେମିତି ଶୁଖିଯାଇଛି-

 

କନ କନ ହୋଇ ଏଣିକି ତେଣିକି ଚାହିଁ ସେ ଆସୁଥାଏ । ମନେ ମନେ ଖୋଜୁଥାଏ ବାଟରେ ସୁରିଆ’ଇ କୋଉଠି ରହିଯାଇଛି କି ! କାହିଁ, କୁଆଡ଼େ ଦେଖାଯାଉ ନାହିଁ ତ !

 

ଲୀଳା ଅଳ୍ପ ବାଟ ଆସିଚି, ହଠାତ୍‍ ତା’ ଉପରେ ଗୋଟାଏ ଜାମୁକୋଳି ପଡ଼ିଲା । ଚମକି ଚାହିଁ ଲୀଳା ଦେଖିଲା, ନଈକୂଳ ପାଖ ଜାମୁକୋଳି ଗଛରେ ବସି ସୁରିଆ’ଇ ତା’ର ଜାମୁକୋଳି ଖାଉଛି ।

 

କିଏ ? ସୁରିଆ’ଇ ! ତୁ ଏଠି ବସି ଜାମୁକୋଳି ଖାଉଚୁ ? ଲୀଳା ବସ୍ତାନିଟା ଜାମୁକୋଳି ଗଛମୂଳେ ଥୋଇଦେଇ ଅବାକ୍‍ ହେଲା ଭଳି ଠିଆ ହୋଇଗଲା ।

 

ଜାମୁକୋଳି ଗଛ ଡାଳରେ ବସି ଗୋଟାକୁ ଗୋଟା କୋଳି ପାଟିରେ ପକାଇ ସୁରିଆ ଗୁମ୍‍ ମାରି ବସି ଥାଏ । ଓଠ ଆଉ ଜିଭ ତା’ର ପୂରାପୂରି କଳା ପଡ଼ିଗଲାଣି । ଲୀଳା କଥାର ସେ ମୋଟେ ଜବାବ୍‍ ଦେଉ ନ ଥାଏ ।

 

ଲୀଳା କହିଲା, ତୁ ମତେ ମୋଟେ କଥା କହୁନୁ ଦେଖିବୁ ଅବି....!

 

ସେମିତ ଗୁମ୍‍ ମାରି ବସି ସୁରିଆ କୋଳି ଖାଇବାରେ ଲାଗିଲା ।

 

ଲୀଳା ଏଥର ସତରେ ଟିକିଏ ରାଗିଗଲା । କହିଲା, ତୁ ଯଦି ଏମିତି ମାଙ୍କଡ଼ଙ୍କ ଭଳିଆ ବସି କୋଳି ଚୋବାଇବୁ ସୁରିଆ’ଇ, ତେବେ ତୋ’ର ମୋର କଥାବାତ୍ତା ଏତିକି.. ହେଇ.. ଏତକ କହିଦେଲା ଲୀଳା ଦୁଇ ହାତର ବିଶିଆଙ୍ଗୁଠିରେ ଗୋଟାଏ ବିଚିତ୍ର ଛବି ତିଆରି କରି କହିଲା, ଏଇ...ତୋର ମୋର ଅପଡ଼. ଆଉ ଯଦି ତତେ କଥା କହିଛି ପୁଣି ଦେଖିବୁ !

 

ଲୀଳା ଏଥର ଜାମୁଗଛର ଶିଅରୁ ବସ୍ତାନି ଉଠାଇ ଚାଲି ଯିବାର ଉପକ୍ରମ କଲା । କିନ୍ତୁ ଏତିକିବେଳେ ସୁରିଆ ଜାମୁ ଗଛଡ଼ାଳଟାକୁ ଏମିତି ଦୋହଲାଇଦେଲା ଯେ ଗୁଡ଼ାଏ କୋଳି ଜମା ହୋଇପଡ଼ିଲା ଲୀଳା ଉପରେ । ଲୀଳା ଏଥିରେ ନିହାତି ବିରକ୍ତ ହୋଇ ଦାନ୍ତ ଦେଖାଇ ଖତେଇ ହେଲା । ଧମକଦେଇ କହିଲା, ଯାଉଛି ଏଇନେ, ମାଷ୍ଟ୍ରଙ୍କୁ କହିଦେବି...ଆଉ ଦିଇଟା ଦୁମୁକା ପିଠିରେ ବସିଲେ ଯାଇ କୋଲିଖିଆ ମଜା ବାହାରିଯିବ....

 

ମାଡ଼ କଥା ଶୁଣି ସୁରିଆ ନିଦ ଭାଙ୍ଗିଗଲା ଭଳି ଚେଇଁଉଠିଲା ।

 

କହିଲା, ତୁ ବାପାଙ୍କୁ ଗଛଚଢ଼ା କଥା କହିବୁ ସତରେ ଲୀଳା !

 

ଉତ୍ସାହିତ ହୋଇ ଲୀଳା କହିଲା, କହିବି ନାହିଁ ଡରିବି ତତେ...ହେଇ ଯାଉଛି, ଯଦି ନ କହିଛି ମୋ କାନ ମୋଡି ଛିଣ୍ଡେଇ ଦେବୁ…

 

ଲୀଳା ଚାଲିଯିବା ପାଇଁ ଗୋଡ଼ ବଢ଼ାଇଛି କି ନାହିଁ, ସୁରିଆ କହିଲା, ବେଶ୍‍ । ବାପାଙ୍କୁ କାହିଁକି କହି ମାଡ଼ ଖୁଆଇବୁ . ଏଇ ମୁଁ ଗଛଡ଼ାଳରୁ ଡେଇଁଲି...ଡେଇଁଲି...ଅନା...ଡେଇଁଲି.....

 

ଲୀଳା ଆଖି ବୁଜି ହୋଇପଡ଼ିଲା । ଏଡ଼େ ଉଚ୍ଚା ଗଛଡାଳରୁ ଡେଇଁ ପଡ଼ିଲେ ସୁରିଆ’ଇ ମୁଣ୍ଡ ଆଉ ରହିବ ! ସେ ବଡ଼ ପାଟିରେ ଚିତ୍କାର କରିଉଠିଲା, ମୁଁ କାନ ମୋଡି ହେଉଛି ସୁରିଆ’ଇ, ମୋଟେ କହିବି ନାଇଁ.. ତୁ ଗଛରୁ ମୋଟେ ଡେଁନା......ମୋ ରାଣ... ମୋ ମୁଣ୍ଡ ଖାଆଟି–ଏଁ–ଏଁ-

 

କହି କହି ଚିରିଚିରେଇ ଉଠି ଲୀଳା କାନ୍ଦି ପକାଇଲା । ସତରେ ଯଦି ସୁରିଆ’ଇ ଉଚ୍ଚ ଜାମୁଗଛ ଡାଳରୁ ଡେଇଁପଡ଼େ !

 

ସରିଆ ଆସ୍ତେକନା ଗଛରୁ ଓହ୍ଲାଇଆସି ଲୀଳାର ହାତଟା ଧରିନେଲା । ସେତେବେଳଯାଏ ମଧ୍ୟ ଲୀଳା ସେମିତି କାନ୍ଦୁଥାଏ । ତା’ ଦୁଇ ହାତକୁ ଧରିପକାଇ ସୁରିଆ କହିଲା, ମୁଁ କ’ଣ ସତରେ ଏଡ଼େ ଉଞ୍ଚା ଗଛରୁ କେବେ ଡେଇଁ ପଡ଼ିଥାନ୍ତି ଲୀଳା ! ତୁ. ଏମିତି କାନ୍ଦୁଛୁ । ଯଦି କିଏ ଦେଖିବ...

 

ଗୋଧୂଳିର ଖରା ସେତେବେଳକୁ ପାଂଶୁଳ ହୋଇ ଆସିଲାଣି । ସେହି ମଳିନ ଦିବାଲୋକରେ ଲୀଳା ଆଖିରେ ଲୁହ ଜକ୍‍ ଜକ୍‍ କରୁଛି । ସୁରିଆ ହାତ ଉପରେ ତା’ ନିଜର କମ୍ପିତ ପାପୁଲି ଦୁଇଟାକୁ ଆଉ ଟିକିଏ ଦୋହଲାଇ ଦେଇ ସେ କହିଲା ଇସ୍କୁଲରେ ସେମିତି ମୋ ପାଇଁ ମିଛ କହି ଗୁଡ଼ାଏ ମାଡ଼ ଖାଇଲୁ...ଏଥର ଗଛରୁ ଡେଇଁ ପଡ଼ିବୁ ବୋଲି ଧମକଉଛୁ. ମୁଁ ଏଥର ଜମା ତୋ’ ସାଙ୍ଗରେ ଖେଳିବି ନାହିଁ...

 

ନିଜ ପ୍ୟାଣ୍ଟ ପକେଟରୁ ଦୁଇଟା ଭଲ ପାଚିଲା ଜାମୁ କୋଳି ଆଣି ଲୀଳା ପାଟିରେ ପୂରାଇଦେଇ ସୁରିଆ କୈଫିୟତ ଦେବା ଭଙ୍ଗୀରେ କହିଲା, ସ୍କୁଲରେ ମୁଁ ମାଡ଼ ଖାଇ ନ ଥିଲେ ତୁ ଖାଇଥାନ୍ତୁ.....ନ ହେଲା ମୁଁ ମାଡ଼ ଖାଇଲି । କ’ଣ ସେଇଠୁ ହୋଇଗଲା ।

 

ସେମିତି ଫୁଲି ଫୁଲି କାନ୍ଦୁ କାନ୍ଦୁ ଲୀଲା କହିଲା, ମୋ ପାଇଁ ତୁ କାହିଁକି ମାଡ଼ ଖାଇଲୁ ? ତୁ କାହିଁକି ମୋ ପାଇଁ ମିଛ କହିଲୁ ? ଆଉ କାହିଁକି କେଉଁ ପିଲା ମୋ ପାଇଁ ମାଡ଼ ଖାଇଲେ ନାଇଁ ।

 

ଲୀଳା ପ୍ରଶ୍ନର କୌଣସି ଠିକଣା ଉତ୍ତର ଦେଇପାରିଲା ନାହିଁ ସୁରିଆ । ସେ ଲୀଳାକୁ ଭୁଲେଇବା ପାଇଁ ଅନ୍ୟ ଗୋଟିଏ ବାଟ ବାହାର କଲା ।

 

ମୁଁ ଗୋଟିଏ ଚମତ୍କାର ଛବି ଆଙ୍କିଚି, ତୁ ଦେଖିବୁ ନା ।

 

ଛବି ଦେଖେଇ...ଦେଖେଇ...ଲୀଳା ହଠାତ୍‍ ତା କାନ୍ଦଣା ଭୁଲିଗଲା । ସୁରିଆ କହଲା, ସ୍କୁଲରୁ ଆସି ମୁଁ କ’ଣ ଏଠି ଖାଲି ବସିଥିଲି ..ଦେଖ୍‍, ଜାମୁକୋଳି ଗଛର କେମିତି ଗୋଟାଏ ବଢ଼ିଆ ଛବି ଆଙ୍କି ଦେଇଛି ।

 

ସୁରିଆ ଆଉ ଲୀଳା ଦୁହେଁଯାକ ସେ ଜାମୁଗଛ ସିଅ ଉପରେ ବସିପଡ଼ିଲେ । ସୁରିଆ ନିଜେ ଆଙ୍କିଥିବା ଛବିଟାକୁ ଦେଖାଇଲେ । ଇସ୍‍, କି ଚମତ୍କାର ହୋଇଛି ।

 

ତୁ ବଡ଼ ଦିନେ ଗୋଟାଏ ଭାରି ବଡ଼ ଶିଳ୍ପୀ ହେବ ସୁରିଆ’ଇ । ଆଉ ସେତେବେଳେ ମତେ ମନେ ପକାଇବୁ ନା...।

 

ଥଟ୍ଟାକରି ସୁରିଆ କହିଲା, ଓଃ, ଶିଳ୍ପୀ ନା ଆଉ କଛି । ଯୋଉ ଛବି ତ... ।

 

ହଠାତ୍‍ ଲୀଳାର ଆଖି ପଡ଼ିଗଲା ତୋଟା ଆରପଟକୁ । ମିଶ୍ରେ ଆସୁଛନ୍ତି । ହାତରେ ଗୋଟାଏ ବାଇଗିଆ ଛାଟ ।

 

ହେଇ ଦେଖିଲୁଣି ସୁରିଆଇ.. ନନା ବାଇଗିଆ ଛାଟ ଧରି ଆସୁଛନ୍ତି... ବାଡ଼େଇବେ...

 

ମିଶ୍ରଙ୍କୁ ଦେଖି ସୁରିଆ ଗୋଟାଏ ଡିଆଁ ମାରିଲା । ବସ୍ତାନିକୁ ଫୋପାଡ଼ିଦେଇ ତା’ ପଛେ ପଛେ ଛୁଟିଲା ଲୀଳା ।

 

ମିଶ୍ରେ ଦୂରରୁ କୁହାଟ ଛାଡ଼ିଲେ, ହେ..ଲୀଳା....

 

ସେ କୁହାଟ ବାୟୁମଣ୍ଡଲର ସ୍ତରରେ କେବଳ ଏକ ବ୍ୟର୍ଥକମ୍ପନ ସୃଷ୍ଟି କରି ନିରବ ହୋଇଗଲା ।

 

ଝୁଣା, ଗୋଗଳର ସୁଗନ୍ଧ ଆସୁଚି ।

 

ରାଧାମାଧବଙ୍କ ମନ୍ଦିର । ଏକାଦଶସ୍କନ୍ଧ ଭାଗବତ ଆବୃତ୍ତି କରୁଛି ଲୀଳା । ତନ୍ମୟ ହୋଇ ସନାତନ ମିଶ୍ରେ ଶୁଣୁଛନ୍ତି । କି ଅମୃତ ସତେ । ଲୀଳା କଣ୍ଠରୁ ଭାଗବତର ସେଇ ଅମୃତ କେମିତି ଧାର ଧାର ହୋଇ ଝରିପଡ଼ୁଛି ।

 

ମିଶ୍ରଙ୍କ ମୁଣ୍ଡବାଳ ରଙ୍ଗ ବଦଳାଇବାକୁ ଆରମ୍ଭ କରିଛନ୍ତି ଏହା ଭିତରେ । ବୟସ ହୋଇଆସୁଛି । ରକ୍ତପ୍ରବାହ ମନ୍ଥର ହୋଇଆସୁଛି । ଦେହର ଚର୍ମ ଶିଥିଳ ହୋଇଆସୁଛି ।

 

ସନାତନ ମିଶ୍ରେ ବାର୍ଦ୍ଧକ୍ୟ ଆଡ଼କୁ ଦ୍ରୁତଗତିରେ ଆଗେଇ ଯାଉଛନ୍ତି ।

 

ସ୍ତ୍ରୀ ମରିଗଲା ପରେ, ଜମିଦାରୀ ଚାଲିଗଲା ପରେ ହଠାତ୍‍ ମିଶ୍ର ଅନୁଭବ କରୁଛନ୍ତି ତାଙ୍କର ତାରୁଣ୍ୟର ସବୁଜିମା ହଠାତ୍‍ ଯେମିତି ଶୁଖି ଧୂସର ହୋଇ ଆସୁଛି । ବୟସ କୋଡ଼ିଏବର୍ଷ ଆଗକୁ ଆକସ୍ମିକ ଭାବରେ ଆଗେଇ ଆସିଛୁ ।

 

ବୟସ ବଢ଼ିଲେ ଭଗବାନ ବେଶି ମନେପଡ଼ନ୍ତି ।

 

ଜମିଦାରୀ ଥିଲାବେଳେ, ଭୋଗ-ବିଲାସରେ ବଢ଼ୁ ଥିବାବେଳେ ମିଶ୍ରେ କିଛିଦିନ ପାଇଁ ଭଗବାନଙ୍କୁ ପାସୋରି ଦେଇଥିଲେ । ନନାଙ୍କ ମାଣ୍ଟୁ ଘରୁ ରାଧାମାଧବଙ୍କୁ ଆଣି ସେ ମାଗୁଣି ରାଉତ ଢ଼ିଅରେ କୋଠା ତୋଳି ସେଇ ପଥର ଘର ଭିତରେ ରାଧାମାଧବଙ୍କୁ ବନ୍ଦୀ କରି ଦେଇଥିଲେ ।

 

ଜମିଦାରୀ ଖଣ୍ଡକ ସରକାର ନେଇଗଲା ପରେ ହଠାତ୍‍ ତାଙ୍କର ସ୍ମରଣ ହେଲା, ସେ ବ୍ରାହ୍ମଣ କାନ୍ୟକୁବ୍‍ଜର ପବିତ୍ର ଦେବବଂଶରେ ତାଙ୍କର ଜନ୍ମ...ରାଧାମାଧବ ତାଙ୍କର କୁଳଦେବତା । ତାଙ୍କର ଆର୍ଶୀବାଦ ବିନା ସେ ନର୍କକୁ ଯିବେ ।

 

ସନାତନ ମିଶ୍ରେ ସବୁକଥା କଳ୍ପନା କରିପାରନ୍ତି...କିନ୍ତୁ ନର୍କ କଥା ମନେପଡ଼ିଲେ ତାଙ୍କ ଦେହର ଲୋମମୂଳ ଟାଙ୍କୁରି ଉଠେ ।

 

ନା......ନା......ସେ ନର୍କକୁ ଯାଇପାରିବେ ନାହିଁ । ପବିତ୍ର ବ୍ରାହ୍ମଣବଂଶରେ ତାଙ୍କର ଜନ୍ମ ନର୍କ ତାଙ୍କପାଇଁ ତିଆରି ହୋଇ ନାହିଁ । ସେ ବାଟ ଭୁଲିଥିଲେ । ପୁଣି ବାଟକୁ ଫେରିଆସିବାର ଅଧିକାର ତାଙ୍କର ଅଛି । ସେ ସବୁ ସହିପାରିବେ, ହେଲେ ନର୍କ ଯନ୍ତ୍ରଣା...!

 

ରାଧାମାଧବଙ୍କ ମନ୍ଦିରରେ ଏଣିକ ପୂଜା ଆଳତିର ଝଙ୍କାର ଉଠିଲା । ଝୁଣା, ଗୋଳ, ଚନ୍ଦନର ସୁରଭି ଆସିଲା । ମିଶ୍ରେ ନିଜେ ଠାକୁରପୂଜାରେ ମନ ଦେଲେ । ଭଗବତ ବୋଲିଲା ଲୀଳା...

 

ଲୀଳା କଣ୍ଠରେ ଭଗବତର ସେଇ ପଦାମୃତ ଜୀବନ୍ତ ହୋଇଉଠୁଛି । ମିଶ୍ରଙ୍କ ବିଦଗ୍ଧ ପ୍ରାଣରେ ତାହା ସଞ୍ଚାର କରୁଛି ଅପୁର୍ବ ଏକ ଉଲ୍ଲାସ ।

 

ମିଶ୍ରଙ୍କର ପୁଅ ନାହିଁ । ନ ଥାଉ । ସେଥିପାଇଁ ଅବଶୋଷ ନାହିଁ । ଚିନ୍ତା ନାହିଁ । ଲୀଳା ଭାଗବତ ବୋଲୁଛି । ହୃଦୟରେ ଅମୃତ ସଞ୍ଚାର କରୁଛି । ପୁଅ ଥିଲେ ଆଉ ଅଧିକା କ’ଣ କରନ୍ତା !

 

ମିଶ୍ରଙ୍କ ଚିନ୍ତା କରିବା ଭିତରେ ଲୀଳାର ଭାଗବତ ବୋଲା ଶେଷ ହୋଇଯାଇଛି । ଭାଗବତ ବହିକୁ ଟାଦି ଉପରେ ଥୋଇଦେଇ ଲୀଲା କହିଲା, ଭାଗବତ ବୋଲାସରିଲା ନନା ! ମୁଁ ଯାଉଛି.....

 

ମିଶ୍ରେ ସଚେତନ ହୋଇଉଠିଲେ । ହଁ....ହଁ, ଭାଗବତ ଅଧ୍ୟାୟ ଶେଷ ହୋଇଯାଇଛି । ଚମତ୍କାର ବୋଲୁଛି ଲୀଳା ।

 

ମୁଁ ଯାଉଛୁ ନନା । ପାଠ ପଢ଼ିବି । କାଲି ପରୀକ୍ଷା ।

 

ପରିକ୍ଷା ? ଓଃ....ସ୍କୁଲ ପରିକ୍ଷା । ପଢ଼ିବୁ ?

 

ହଁ....ଷଡ଼ମାସିକ ପରୀକ୍ଷାରେ ସୁରିଆ’ଇ ଶ୍ରେଣୀରେ ପ୍ରଥମ ହୋଇଛି ମୁଁ ତାକୁ ଏଥର ହରେଇଦେବି । ଯାଉଛି, ପାଠ ପଢ଼ିବି ।

 

ମିଶ୍ରେ ଟିକିଏ ଅନ୍ୟମନସ୍କ ହୋଇଉଠିଲେ । ସୁରିଆ ଶ୍ରେଣୀରେ ପ୍ରଥମ ହେଉଛି ? ଆଉ ତାଙ୍କ ଝିଅ...

 

ମିଶ୍ର କହିଲେ, ତୁ ଆଉ ସେ ସ୍କୁଲକୁ ଯିବା ଦରକାର ନାହଁ ମା । ନାରଣ ମଷ୍ଟ୍ରେ ଜାଣି ଜାଣି ତା’ ପୁଅକୁ ଶ୍ରେଣୀରେ ପ୍ରଥମ କରାଉଛି. ମୁଁ ତତେ ମାମୁଁ ଘର ଗାଁ ହାଇସ୍କୁଲକୁ ପଠାଇଦେବି....ମାମୁଁ ଘରେ ରହି ପାଠ ପଢ଼ିବୁ ଶ୍ରେଣୀରେ ପ୍ରଥମ ହେବୁ ।

 

ଲୀଳା ଚମକି ଉଠିଲା । ମାମୁଁ ଘର ଗାଁ ହାଇସ୍କୁଲ ! ସେ ନିଜ ଗାଁ ଛାଡ଼ି ଯିବ । ତା’ ସୁରିଆ’ଇ ଜାମୁକୋଳି ଗଛ ସବୁ ରହଯିବେ ଏ ଗାଁ’ରେ ।

 

ମିଶ୍ରେ ଲୀଳାର ଅନ୍ୟମନସ୍କତା ଲକ୍ଷ୍ୟ କଲେ । ପିଲାଟା ଦିନକୁ ଦିନ ଅବାଗିଆ ହୋଇଯାଉଛି ସେ ସୁରିଆଟା ସାଙ୍ଗରେ ପଡ଼ି ।

 

ଲୀଳା ଉଠିଲା । ପଢ଼ାବହି ତାକୁ ଡାକୁଛି । କାଲି ପରୀକ୍ଷା ।

 

ମିଶ୍ରେ ଉଠିଲେ । ମନ ତାଙ୍କର ଭାରାକ୍ରାନ୍ତ ।

 

ଯଶୋଧାରା ଠାକୁର ଘର ଦୁଆର ମୁହଁରେ ଗୋଟାଏ ବଡ଼ ମୁଣ୍ଡିଆ ମାଇଲା I ହେ, ମହାପ୍ରଭୁ ! ରାଧାମାଧବ !

 

ନିମଖଣ୍ଡି ଗାଁ । ସ୍କୁଲରେ ଚହଳ ଜମିଆସିଛି ।

 

ପରିକ୍ଷା । ପିଲାଏ ଖାତାପତ୍ର ଧରି ସବୁ ଆସି ଠୁଳ ହୋଇଗଲେଣି । ନାରଣ ମାଷ୍ଟ୍ରେ ତାଙ୍କ ସହକର୍ମୀ ଶିକ୍ଷକ ଜଣଙ୍କ ସହ ଏପାଖ ସେପାଖ ହେଉଛନ୍ତି । ଆଉ ଅଳ୍ପ ସମୟ ବାକି । ଘଣ୍ଟା ବାଜିବ । ପରୀକ୍ଷା ଆରମ୍ଭ ହେବାର ଘଣ୍ଟା ।

 

ପିଲାଏ ସବୁ ବହି ଉପରେ ମୁହଁମାଡ଼ି ପଢ଼ା ଆରମ୍ଭ କରି ଦେଇଛନ୍ତି । ପରୀକ୍ଷା ଆଉ ଅଳ୍ପ ସମୟ ମାତ୍ର ଅବଶିଷ୍ଟ ।

 

ସୁରିଆ ଏଣେ ତେଣେ ଚାହୁଁଛି । ତା’ର ପଢ଼ା ସରିଯାଇଛି ଆଗରୁ । ସେ ଜାଣେ, ଶ୍ରେଣୀରେ ସେ ପ୍ରଥମ ହେବ । ଆଖି ତା’ର ଖୋଜୁଛି ଲୀଳାକୁ I ଲୀଳା କାହିଁ ?

 

ଲଳା ସ୍କୁଲ ବଗିଚା ଭେଡ଼ାରୁ ଯାଇ କଙ୍କି ଧରୁଛି ।

 

ସୁରିଆ ଦୌଡ଼ି ଦୌଡ଼ି ଯାଇ “ଲୀଳା ପାଖରେ ପହଞ୍ଚିଲା ।

 

ପରୀକ୍ଷା ହେବାକୁ ସମୟ ବାକି ମାତ୍ର ଆଉ ଅଧଘଣ୍ଟାଏ ।

 

ଏଠି କ’ଣ କରୁଛୁ କିଲୋ ?

 

କଙ୍କି ଧରୁଛି । —ଲୀଳା ସୁରିଆ ଆଡ଼କୁ ନ ଚାହିଁ ନିର୍ଲିପ୍ତ ଭାବରେ କହିଲା । କଙ୍କି ଧରିବାରେ ତା’ର ମନ । ନାଲି କଙ୍କିଟା ଉଡ଼ିଯାଉଛି ଏ ବାଇଗିଆ ଗଛରୁ ସେ ବାଇଗିଆ ଗଛକୁ ।

 

ଥଟ୍ଟାକରି ସୁରିଆ କହିଲା, କଙ୍କି ଧରଣ, ମା’ ମରଣ ।’

 

ତୁ କଙ୍କି ଧରୁଛୁ କାହିଁ କି ?

 

ମୁହଁ ବୁଲାଇ ଲୀଳା ଏଥର କଟମଟ କରି ସୁରିଆ ଆଡ଼କୁ ଚାହିଁଲା । କହିଲା, ପରୀକ୍ଷାରେ ଫାଷ୍ଟ୍‍ ହେବ ବୋଲି ଫୁଲେଇ ହେଉଛି । ମୁଁ କଙ୍କି ଧରିଲେ, ତୋ’ର କ’ଣ ଗଲା ?

 

ଲୀଳା ମୁହଁ ଚମକ ଉପରେ ପୁଳାଏ ନାଲି ଜମିଯାଇଛି । ସେ ରାଗିଛି । କାହିଁକି ? ତାକୁ କେବେ କିଛି ରାଗିଲା ଭଳି କଥା କହିଥିବାର ସୁରିଆର ମନେ ପଡ଼ୁ ନାହିଁ ତ ! ସେ କହିଲା, ପରୀକ୍ଷାବେଳ ହୋଇଗଲାଣି । ବହିପଢ଼ା ଛାଡ଼ିଦେଇ କଙ୍କି ଧରୁଛୁ ? କହିଲେ ରାଗ ଗଳି ପଡ଼ୁଛି ?

 

ଲୀଳା ସେମିତି କ୍ରୋଧଦୀପ୍ତ କଣ୍ଠରେ କହିଲା, ମୁଁ କୋଉ ଏ ସ୍କୁଲରେ ପଢ଼ୁଛି ଯେ ପରୀକ୍ଷାରେ ଫେଲ୍‍ ହୋଇଗଲେ ଅଡ଼ୁଆ ହୋଇଯାଉଛି !

 

ଏ ଇସ୍କୁଲରେ ପଢ଼ିବୁ ନାହିଁ କାହିଁକି ? ସୁରିଆ କଣ୍ଠରେ ଉଦବିଗ୍ନତାର ଚିହ୍ନ । ଲୀଳାର କଥାଖିଅକୁ ସେ ସତେ ଯେମିତି ଧରି ପାରୁନି ।

 

ଯେଉଁ ସାରୁପତ୍ର ଦିଇଟାରେ ଲୀଳା କଙ୍କି ଧରୁଥିଲା, ସେ ସାରୁପତ୍ର ଦୁଇଟାକୁ ମକଚି ଦୂରକୁ ପକାଇଦେଇ ଲୀଳା କହିଲା, ନନା କହୁଥିଲେ, ମୁଁ ମାମୁଁ ଘର ଗାଁ ହାଇସ୍କୁଲକୁ ଯିବି ପଢ଼ିବାକୁ । ତୁ ଏଠି ସବୁବେଳେ ଶ୍ରେଣୀରେ ପ୍ରଥମ ହେଉଛୁ, ମାଷ୍ଟ୍ରେ କୁଆଡ଼େ ତତେ ଜାଣି ଜାଣି ଏଠି ଫାଷ୍ଟ୍‍ କରି ମତେ ସେକେଣ୍ଡ କରୁଛନ୍ତି । ମାମୁଁ ଘର ଗାଁ ହାଇସ୍କୁଲରେ ମୁଁ ଫାଷ୍ଟ୍‍ ହେବି ମାମୁଁ ଘରେ ରହିବି.....

 

ସୁରିଆ ଗୁମ୍‍ ଖାଇଗଲା । ଲୀଳା ରାଗିବାର କାରଣ ଏତେବେଲକେ ସେ କିଛି କିଛି ବୁଝିପାରୁଛି । ଲୀଳାର ନନା ତାକୁ ଏଥର ଏଇ ସ୍କୁଲରୁ ଉଠାଇନେବେ । ସେ ଶ୍ରେଣୀରେ ତା’ ଯୋଗୁ ଫାଷ୍ଟ୍‍ ହୋଇପାରୁନି ।

 

ଲୀଳା ଚାଲିଯିବ । ସେ ଏକା ଏ ସ୍କୁଲରେ ଫାଷ୍ଟ୍‍ ହେବ !

 

ଲୀଳା ଚାଲିଯିବା କଥା ଭାବିଲାବେଳକୁ ସୁରିଆର କଣ୍ଠନଳୀରେ କେମିତି କେତେ କେଜାଣି ଅଜ୍ଞାତ ବେଦନା ଅନୁଭୂତ ହେଉଥିଲା । ଲୀଳା ନ ଥିବା ସ୍କୁଲରେ ଫାଷ୍ଟ୍‍ ହେବା କଥା ଚିନ୍ତା କଲାବେଳକୁ ତା’ ଛାତି ଭିତର କେମିତି ଦୁହିଁ ହୋଇ ଯାଉଥିଲା ।

 

ସ୍କୁଲଘଣ୍ଟା ଟିଣି ଟିଣି ହୋଇ ବାଜିଉଠିଲା । ପରୀକ୍ଷାର ପ୍ରଥମ ଘଣ୍ଟା । ଲୀଳା ଆଉ ସୁର ଦୁହେଁଯାକ ପରୀକ୍ଷା ଦେବା ପାଇଁ ବାହାରି ପଡ଼ିଲେ । କେହି ଆଉ କାହାରିକୁ ପାଟି ଫିଟାଇ ନାହାନ୍ତି-

 

ପୁଣି ଘଣ୍ଟା ଟିଣି ଟିଣି ହୋଇ ବାଜିଉଠିଲା । ପରୀକ୍ଷା ଶେଷ ହେଲା ।

 

ଗୁହାଳରୁ ଗୋରୁ ବାହାରିଲା ପରି ସ୍କୁଲପିଲାଏ ହାତରେ କାଳି କଲମ ଧରି ବାହାରି ଆସିଲେ । ପରୀକ୍ଷା ସରିଲା ।

 

ଲୀଳା ଆଉ ସୁର ଦୁହେଁ ଏକାଠି ଆସୁଥିଲେ । କିନ୍ତୁ କେହି କାହାରିକୁ କିଛି କଥା କହୁ ନ ଥିଲେ । ଦୁହିଁଙ୍କ ମନ ଭାରାକ୍ରାନ୍ତ ।

 

ସୁର....ହେ ସୁର !

 

ନାରଣ ମାଷ୍ଟ୍ର ପଛରୁ ଡାକୁଛନ୍ତି । ସୁର ଠିଆହେଲା । ଆଉ ଦୁଇ ଖୋଜ ଆଗକୁ ଯାଇ ଲୀଳାର ପାଦ ଦୁଇଟି ମଧ୍ୟ ସ୍ଥିର ହୋଇଗଲା ।

 

ନାରଣ ମାଷ୍ଟ୍ରେ ପାଖକୁ ଆସିଲେ । ପଚାରିଲେ, ଅଙ୍କ କଲୁ । କେତେ ଖଣ୍ଡ ଠିକ୍‍ ହୋଇଛି ?

 

ସୁର ତଳକୁ ମୁଣ୍ଡପୋତି କହିଲା, ତିନିଖଣ୍ଡ କରିଛି । ତିନିଖଣ୍ଡ ଯାକ ଉତ୍ତର ଅନ୍ୟ ପିଲାଙ୍କ ସାଙ୍ଗରେ ମିଳାଇଲିଣି । ଠିକ୍ ହୋଇଛି ।

 

ଆଉ ଦୁଇଖଣ୍ଡ ?

 

କରିନି ।

 

କରିନୁ ? କାହିଁକି ?

 

ଆସିଲା ନାହିଁ ।

 

ଏଡ଼େ ସହଜ ଅଙ୍କ ଆସିଲା ନାହିଁ ? ବୋକା । ରାଗରେ ନାରଣ ମାଷ୍ଟ୍ର ପୁଅକୁ ଗୋଟାଏ ଚଟକଣା ପକାଇଲେ । ପୁଅକୁ ବଡ଼ ମଣିଷ କରିବାର ତାଙ୍କର ଯେଉଁ କଳ୍ପନା, ସେ କଳ୍ପନାକୁ ଏତେ ସହଜରେ ସୁରିଆ ଫାଙ୍କିଦେବ, ଏ କଥା ସେ ସହ୍ୟ କରିପାରୁ ନ ଥିଲେ ।

 

ସୁର ମାଡ଼ ଖାଇଲାବେଳେ ଲୀଳା ଦେହରେ କ’ଣ ଗୋଟାଏ ଚାଉଁକିନୀ ହୋଇଗଲା । ସୁର ନିଜେ କିନ୍ତୁ କାନ୍ଦିନୀ । ମାଡ଼ ଖାଇସାରି ପୁଣି ସେ ଆଗେଇଲା । ଗୁଡ଼ାଏ ପାଟିତୁଣ୍ଡ କରି ନାରଣ ମାଷ୍ଟ୍ରେ ଫେରିଗଲେ ।

 

ସୁର ଆଉ ଲୀଳା । ଦୁହେଁଯାକ ସମାନ୍ତରାଳ ଭାବରେ ଚାଲୁଛନ୍ତି କିନ୍ତୁ କେହି କାହାରିକୁ କିଛି କହୁ ନାହାନ୍ତି ।

 

କେତେବେଳକେ ଲୀଳା ତୁଣ୍ଡ ଖୋଲିଲା, ଅଙ୍କ ପ୍ରଶ୍ନ ଆଜି ଭାରି ସହଜ ଥିଲା, ମୁଁ ପାଞ୍ଚ ଖଣ୍ଡ ଠିକ୍‍ କରିଛି । ତୁ କାହିଁକି ଦୁଇଖଣ୍ଡ କଲୁ ନାହିଁ ?

 

ସୁରିଆ ପ୍ରଥମେ ଲୀଳା ପ୍ରଶ୍ନର କଛି ଉତ୍ତର ଦେଲା ନାହିଁ । ତା’ପରେ ଅତି ବିରକ୍ତରେ କହିଲା, ମୁଁ ଜାଣି ଜାଣି ସେ ଅଙ୍କ ଦୁଇଟି କରି ନାହିଁ । ମତେ ଆସୁଥିଲା ।

 

ତତେ ଅଙ୍କ ଆସୁଥିଲା, କଲୁ ନାହିଁ କାହିଁକି ?

 

ଅଙ୍କ ପାଞ୍ଚଖଣ୍ଡ ଯାକ ଠିକ୍‍ କରିଥିଲେ ମୁଁ ଶ୍ରେଣୀରେ ପ୍ରଥମ ହୋଇଥାନ୍ତି । ତୁ ଦ୍ୱିତୀୟ ହୋଇଥାନ୍ତୁ । ଶେଶକୁ ତୋ’’ ନନା ତତେ ତୋ ମାମୁଁ ଘର ଗାଁ ସ୍କୁଲକୁ ଉଠାଇ ନିଅନ୍ତେ ନାହିଁ ? ଓଲି

 

କହୁ କହୁ ସୁର କାନ୍ଦି ପକାଇଲା । ବାପାଙ୍କଠାରୁ ମାଡ଼ ଖାଇଲାବେଳେ କିନ୍ତୁ ସେ କାନ୍ଦି ନ ଥିଲା ।

 

ସୁରିଆର କାନ୍ଦ ଦେଖି ଲୀଳା ବି କାନ୍ଦିଉଠିଲା । ଦୁଇ ଜଣଙ୍କ କାନ୍ଦଣା ମିଶି ସ୍କୁଲ ଫେରନ୍ତା ବାଟରେ ପବନରେ ତୋଳିଲା ଏକ କରୁଣ ଝଙ୍କାର । ବାଟରେ ଯାଉଥିବା ସ୍କୁଲ ପିଲାମାନେ ଦଉଡ଼ା ଦଉଡ଼ି ହୋଇ ଆସିଲେ । କହିଲେ ଦେଖରେ, ଲୀଳା ସୁରିଆ କାନ୍ଦୁଛନ୍ତି ଦେଖ...ଦେଖ... ହଇରେ ! କାହିଁକି କାନ୍ଦୁଛ ?

 

ଲୀଳା, ସୁର କାନ୍ଦୁଛନ୍ତି ।

 

ପିଲାଏ ପ୍ରଶ୍ନ କରୁଛନ୍ତି, କାହିଁକି କାନ୍ଦୁଛ ?

 

ଲୀଳା, ସୁର ନିଜେ ଜାଣନ୍ତି ନାହିଁ ସେ ଦୁହେଁ କାହିଁକି କାନ୍ଦୁଛନ୍ତି । ମଣିଷ ଅନେକ ସମୟରେ କାନ୍ଦେ ତା’ର କାନ୍ଦିବାର କାରଣ ନ ଜାଣି । ନିଜ ଅନିଚ୍ଛାରେ, ନିଜ ଅଜ୍ଞାତରେ ଆଖିକୁ ଲୁହ ଆସେ ।

 

ଯଶୋଧାରା ଲଣ୍ଠନ ପୋଛୁଥିଲା ।

 

ଆଉ ଟିକିଏ ଗଲେ ଦିନ ଯିବ ଅନ୍ଧାର ଆସିବ । ସଂଧ୍ୟା । ଘରକାମ ବହୁତ ବାକି ପଡ଼ିଛି-। ଚାକର ବାକର ଗଲାଦିନୁ ଘର ଗୋଟାକର କାମ ତା’ ଉପରେ । ସେ ଯାହା ନ ଦେଖିବ, ତା’ ନ ହେବ । ଏ ଘରେ ଆଉ କିଏ ଅଛି ଏସବୁ ଦେଖିବାକୁ !

 

ଲୀଳାବୋଉ ଆଖି ବୁଜିଲା ଦିନୁ ସେ ସବୁ । ମିଶ୍ରେ ଏବେ କେମିତି ଭେଳେକା ହୋଇଗଲେଣି । କିଛି କୁଆଡ଼େ ମନ ନାହିଁ । ଖାଲି ସବୁବେଳେ ରହ ରହ ଭାବ । କେତେବେଲୁ କୁଆଡ଼େ ଯାଇଛନ୍ତି ଯେ....

 

ଯଶୋଧାର ଲଣ୍ଠନ ପୋଛି କନା ପୁଳାକ ରଖିଦେଇ ଉଠିଲା ।

 

ଯଶୋଧାର ଲଣ୍ଠନ ଜାଳିଦେଇ ଯିବାର କିଛି ସମୟ ପରେ ମିଶ୍ରେ ଫେରିଲେ ଘରକୁ । ମୁହଁରେ ତାଙ୍କର କେମିତି ଏକ ଚାପା ଉତ୍ତେଜନାର ଚିହ୍ନ । ହୁଏତ କାହା ଉପରେ ରଗାରଗି କରି ଆସିଛନ୍ତି । ଯଶୋଧାର ତାଙ୍କର ଏ ଭାବାନ୍ତର ଲକ୍ଷ୍ୟକରି ଆଶ୍ଚର୍ଯ୍ୟ ହେଲା ।

 

ଜମିଦାର ଥିବାବେଳେ ପ୍ରତି ଦୁଇ ତିନି ଘଣ୍ଟାରେ ମିଶ୍ରେ ଏମିତି ବରାବର ରାଗନ୍ତି । ବିନା କାରଣରେ ମଧ୍ୟ ସେ ଅନେକ ଥର ଭୟଙ୍କର ଭାବରେ ରାଗିବା ଯଶୋଧାର ଲକ୍ଷ୍ୟ କରିଛି । କିନ୍ତୁ ଜମିଦାରୀ ଉଚ୍ଛେଦ ପରେ ଆଉ ସେପରି ରାଗିବା କେବେ ଦେଖିଥିବା କଥା ଯଶୋଧାର ମନେ ନାହିଁ । ନିଆଁରେ ପାଣି ପଡ଼ିଲା ପରି ଜମିଦାରୀ ଚାଲିଗଲା ପରେ ମିଶ୍ରେଙ୍କ ରାଗ କୁଆଡ଼େ ଚାଲିପାଇଛି ବୋଲି ସେ ଭାବିଥିଲା । କିନ୍ତୁ ଆଜି ପୁଣି ତାଙ୍କର ଥମଥମ ଭାବ ଦେଖି ଯଶୋଧାର ଶଙ୍କିତ ହୋଇପଡ଼ିଲା ।

 

କିଏ କ’ଣ କହିଛି !

 

ମିଶ୍ରେ ଚଟାଣ ଉପରେ ପଡ଼ିଥିବା ଚେୟାରଟାକୁ ଟିକିଏ ଘୁଞ୍ଚାଇ ଆଣି ବସିପଡ଼ିଲେ । ତାଙ୍କ ମନ ଭିତରେ ଅନେକ ଭାବନା ତତଲାପାଣି ଭଳି ଟକ ଟକ ହୋଇ ଫୁଟୁଥିବା ପରି ଜଣା ପଡ଼ୁଥିଲା । ଏବେ ଯେମିତି ସେ ଭାବନା ବାଟ ଖୋଜୁଛି ପଦାକୁ ବାହାରି ଆସିବାକୁ ।

 

ଯଶୋଧାର ସ୍ତମ୍ଭିତ ହୋଇ ଠିଆ ହୋଇଚି । ପାଖ ଘରେ ଲଣ୍ଠନ ଜାଳି ବସି କ’ଣ ପଢ଼ୁଛି ଲୀଳା । କବାଟ ଫାଙ୍କରୁ ଲଣ୍ଠନର ଆଲୁଅ ଆସୁଚି ।

 

ମିଶ୍ରେ ସମ୍ଭାଲି ପାରିଲେ ନାହିଁ । କହିଲେ, ଏ ଗାଁ ଗୋଟାଯାକ ମୋ ବିରୁଦ୍ଧରେ ଗୋଟାଏ ଚକ୍ରାନ୍ତ କରିଛନ୍ତି ମୋ ଜମି ପଡ଼ିଆ ପକାଇବେ । ସମସ୍ତଙ୍କ ଜମି ଚାଷ ସରିଲାଣି, ମୋ ଜମିକୁ ହଳ ଯିବାକୁ ନାହିଁ । ଗାଁ ଗୋଟାଯାକ ଲୋକ ମେଣ୍ଟ ବାନ୍ଧିଛନ୍ତି କେହି ଚାଷ କରିବାକୁ ଆସିବେ ନାହିଁ ମୋ ଜମିକୁ । ତିନିଦିନ ହେଲା ବାଉରି ସାହିକୁ ମୂଲିଆ ପାଇଁ ଦଉଡ଼ି ଦଉଡ଼ି ଗୋଡ଼ରୁ ମୋର ପାଣି ମଲାଣି । ସମସ୍ତେ ଲଗାଇଛନ୍ତି, ଆମକୁ ଜମି ଭାଗ ଦିଅ ।

 

ଯଶୋଧାରା କୁଣ୍ଠିତ କଣ୍ଠରେ କହିଲା, ଯଦି ଜମି ଭାଗ ମାଗୁଛନ୍ତି, ଭାଗ ଦେଇଦେଲେ ତ କାମ ଛିଡ଼ନ୍ତା । କିଏ ଆଉ ଅଛି ଯେ ଏତେ ଦହଗଞ୍ଜ....

 

ଲିଭିଯାଇଥିବା ନିଆଁ ରେ ପେଟ୍ରୋଲ ପଡ଼ି ଜଲିଉଠିଲା ଭଳି ଶାନ୍ତହୋଇ ଆସୁଥିବା ମିଶ୍ରଙ୍କ ରାଗ ଏ ପଦକ କଥାରେ ହଠାତ୍‍ ଊଦ୍ଧ୍ୱମୁଖୀ ହୋଇଉଠିଲା ।

 

ଭାଗ ! ଭାଗଚାଷ ଦେବି ଜମି ! କାଲି ସକାଳେ ଦାବି କରିବେ ଫସଲ ତମର ଛ’ଅଣା ଆମର ଦଶ’ଣା ! ତା’ପରେ ଅଡ଼ିବସିବେ ଜମି ଆମର ।

 

ଯଶୋଧାରା ତଥାପି କହିଲା, ସେ ଖାଲି ତାଙ୍କର କହିଲେ ହୋଇଯିବ ନାହିଁ ତ । ସରକାର ଅଛି, ଆଇନ ଅଛି ।

 

ଏଥର ମିଶ୍ରେ ଖୁବ୍‍ ରଗିଗଲେ । କହିଲେ, କ’ଣ କହିଲୁ ? ଏ ଦେଶରେ ସରକାର ଅଛି, ଆଇନ ଅଛି ! ତା ଥିଲେ ମୋ ଜମିଦାରୀଟା ଆଖିପିଛୁଡ଼ାକେ ହାତରୁ ଅନ୍ତର୍ଦ୍ଧାନ ହୋଇ ଯାଇଥାନ୍ତା-। ଏ ସରକାର ପରା ଆଇନ କରୁଛି, ଭାଗଚାଷୀ ହାତକୁ ଜମି ଯିବ । ହେଃ, ମୁଁ କ’ଣ ବୋକା ହୋଇଛି ଜମି ଭାଗ ଦେବି । ପଡ଼ିଥାଉ ଜମି ପଡ଼ିଆ....

 

ଜମି ପଡ଼ିଆ ପଡ଼ିଥିବ ! ଖଳା ଖାଲି ପଡ଼ିବ ! —ଯଶୋଧାରା ଡରି ଡରି ଏକଥା ଦିପଦ ଉଚ୍ଛାରଣ କଲା ।

 

ମିଶ୍ରେ ଏଥର ଆପେ ଆପେ ଶାନ୍ତ ହୋଇଗଲେ । ଖଳା ଖାଲି ପଡ଼ିବ.....ସନାତନ ମିଶ୍ରଙ୍କ ଲକ୍ଷ୍ମୀଖଳା !

 

ସେ ଶାନ୍ତ କଣ୍ଠରେ କହିଲେ, ଏସବୁ ଅନର୍ଥର ମୂଳ ସେଇ ନାରଣ ମାଷ୍ଟ୍ରେ ଗୋଟାଏ କୋଉଠୁ ଖବର କାଗଜ ଆଣି ପଢ଼ି ବାଉରି ସାଇଯାକ ମତାଇବାରେ ଲଗିଛି, ଲଙ୍ଗଲ ଯାର ଜମି ତା’ର ! ହେଃ...ବଳଭଦ୍ର ମିଶ୍ରଙ୍କ ପୁଅ ମୁଁ...କାନ୍ୟକୁବ୍‍ଜ ପବିତ୍ର ବ୍ରାହ୍ମଣବଂଶରେ ମୋର ଜନ୍ମ—ଏ ଦୁଇ ବାଟି ଜମି ପାଇଁ ମୁଁ ଲଙ୍ଗଳ କଣ୍ଟିରେ ହାତ ପକାଇବି ? ଅସମ୍ଭବ—ଏ ଗୋଟିଏ ଚକ୍ରାନ୍ତ ଚାଲିଛି....ଛୋଟ ଲୋକଙ୍କ ଚକ୍ରାନ୍ତ ମତେ ଦାଣ୍ଡରେ ଠିଆ କରିବା ପାଇଁ ଏ ଗୋଟାଏ ଷଡ଼ଯନ୍ତ୍ର—

 

ଶେଷ ଆଡ଼କୁ ମିଶ୍ରଙ୍କ କଣ୍ଠ ବେଦନାର୍ଦ୍ର ‘ହୋଇଉଠିଲା । ସତେ ଯେପରି ତାଙ୍କ ବିରୁଦ୍ଧରେ ଝୁଲିଥିବା ଷଡ଼ଯନ୍ତ୍ର ପାଖରେ ସେ ଅତି ଅସହାୟ ଭାବରେ ହାରି ଯାଇଛନ୍ତି ।

 

ତା’ପରେ କିଛି ସମୟ ପରେ ଯଶୋଧାର ରୋଷେଇ କରିବା ଉଦ୍ଦେଶ୍ୟରେ ସେଠାରୁ ଅପସରିଗଲା । ମିଶ୍ର ଲଣ୍ଠନ ଆଲୁଅ. କମେଇଦେଇ ସେ ସନ୍ଧ୍ୟାର ଅନ୍ଧକାରରେ କିଛି ସମୟ ବସି ଭାବିଲେ । ତା’ପରେ ସ୍ନେହାକୁଳିତ କଣ୍ଠରେ ଡାକ ଛାଡ଼ିଲେ, ଲୀଳା...ଲୀଳା ।

 

ଲୀଳାର ପଢ଼ାଘର କବାଟ ଫାଙ୍କରୁ ଉତ୍ତର ଆସିଲା—ଯାଉଛି ।

 

କିଛି ସମୟ ପରେ ଲୀଲା ଆସିଲା । ନିଜ ବାବୁରି ବାଳ କେରାକ ମୁହଁ ଉପରେ ବିଞ୍ଚିଦେଇ ସେ ଆସି ମିଶ୍ରଙ୍କ କୋଳରେ ଆଉଜି ପଡ଼ିଲା । ସ୍ନେହରେ ଲୀଳାର ମୁଣ୍ଡବାଳ ସଜାଡ଼ି ଦେଉ ଦେଉ ମିଶ୍ରେ କହିଲେ—ମୁଁ ‘ମାମୁଁ’ ଘରକୁ ଖବର ପଠାଇ ଦେଇଛି ମା’.....ତୁ ତାଙ୍କ ହାଇସ୍କୁଲରେ ଯାଇ ପଢ଼ିବୁ କିଛି ଅସୁବିଧା ହେବ ନାଇଁ । ମୁଁ ବରାବର ଯାଇ ତତେ ଦେଖି ଆସୁଥିବ.....ତୁ ବହୁତ ପାଠ ପଢ଼ିବୁ—କଟକରେ ପଢ଼ିବୁ ଏ.....।

 

ମାମୁଁ ଘରକୁ ଯିବା କଥା ଶୁଣି ଲୀଳା ତଟସ୍ଥ ହୋଇଗଲାଣି । ଏଡ଼େ ଚଞ୍ଚଳ ତାକୁ ମାମୁଁ ଘରକୁ ଯିବାକୁ ହେବ ବୋଲି ସେ ତା’ର ସୁରିଆ’ଇକି କହି ନାହିଁ । ଯଦି ସତରେ ତାକୁ ଯିବାକୁ ହୁଏ... ।

 

ମିଶ୍ର ପୁଣି କହିଲେ, ଏ ଇସ୍କୁଲରେ ମୋଟେ ଭଲ ପଢ଼ା ହେଉନି—ଏ ମାଷ୍ଟ୍ରଗୁଡ଼ାକ ସବୁବେଳେ ଘର କାମରେ ଲାଗିଛନ୍ତି—ନିଜ ଚାଷ, ଗୋରୁ, ବଲଦ କଥା ବୁଝୁ ବୁଝୁ ସମୟ ଯାଉଛି, ପାଠ ପଢ଼ାର ନା ନାହିଁ ।

 

ଲୀଳା କ୍ଷୀଣ କଣ୍ଠରେ ପ୍ରତିବାଦ କଲା, ମୁଁ ଏଥର କ୍ଲାସ୍‌ରେ ଫାଷ୍ଟ୍‍ ହୋଇଛି ନନା ! ସୁରିଆ’ଇ ଥାର୍ଡ଼ ସୁଦ୍ଧା ହୋଇପାରିନି ।

 

ମିଶ୍ରେ ହସି ହସି କହିଲେ, ଫାଷ୍ଟ ତୁ ହେବୁ ମା, ନିଶ୍ଚୟ ହେବୁ । ତତେ କେହି ଦୟାକରି ଫାଷ୍ଟ କରିନି । ସନାତନ ମିଶ୍ର ଝିଅ ତୁ; ତା ହେବ । ହେଲେ ଏଠି ଏ ସ୍କୁଲରେ ଫାଷ୍ଟ୍‍ ସେକେଣ୍ଡର କଛି ମୂଲ୍ୟ ନାହିଁ—ତତେ ମାମୁଁ ଘର ଗାଁ ସ୍କୁଲକୁ ଯିବାକୁ ହିଁ ହେବ । ତୋ’ ସାଙ୍ଗରେ ଯଶୋଧାର ବି ଯାଉ । ମୁଁ ଏଠି ଏକୁଟିଆ ରହିବି । ତୁ ପଢ଼ ମା ! ବହୁତ ପାଠ ପଢ଼ ।

 

ଲୀଳା ମିଶ୍ରଙ୍କ କୋଲରୁ ଓହ୍ଲାଇ ସିଧା ଚାଲିଗଲା ପଢ଼ାଘରକୁ ।

 

ମିଶ୍ରେ ଶାନ୍ତରେ ଏକ ନିଶ୍ଵାସ ମାରିଲେ ।

 

ତାଙ୍କ ମନରେ କେମିତି ଏକ ଧାରଣା ପଶିଛି, ଏ ଯୁଗରେ ପାଠ ନ ପଢ଼ିଲେ କିଛି କରିହେବ ନାହିଁ । ସେ ବେଶୀ ପାଠ ନ ପଢ଼ି ଥିବାରୁ ଏ ସମୟର ଯୁଦ୍ଧରେ ସେ ହାରି ଯାଇଛନ୍ତି । ଲୀଳାକୁ ତାଙ୍କୁ ପାଠ ପଢ଼ାଇବାକୁ ହେବ । ତାଙ୍କୁ ଦେଖାଇଦେବାକୁ ପଡ଼ିବ ମିଶ୍ରବଂଶର ଲେକେ କେବଳ ଠାକୁରପୂଜା କରି ଧର୍ମ କର୍ମ କରି ଜାଣନ୍ତି ନାହିଁ, ପାଠ ପଢ଼ି ଦେଶର ଦଶଜଣଙ୍କ ସାଙ୍ଗରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଜାଣନ୍ତି....

 

ଲୀଳା ପାଠ ପଢ଼ିବ—ବହୁତ ପାଠ !

 

ସେଥିପାଇଁ ତାଙ୍କୁ ଯଦି ସବୁ ଜମିବାଡ଼ି ବିକ୍ରି କରିବାକୁ ହୁଏ, ଚିନ୍ତା ନାହିଁ, ଦୁଃଖ ନାହିଁ । ନିଜେ ବେଶୀ ପାଠ ପଢ଼ି ନାହାନ୍ତି ବୋଲି ତାଙ୍କର ଯେଉଁ ଅବଶୋଷ ଅଛି, ଲୀଳାକୁ ପାଠ ପଢ଼ାଇ ସେ ତାହା ମେଣ୍ଟାଇନେବେ ।

 

ହେମାଙ୍ଗିନୀ ତକିଆରେ ମୁହଁମାଡ଼ି ଶୋଇଥିଲେ । ତକିଆ ଓଦାଲିଆ ଲଗୁଥିଲା । ଆଖି ଫୁଲିଛି । ହେମାଙ୍ଗିନୀ କାନ୍ଦୁଥିଲେ ।

 

ଭାତ, ଡାଲି ହୋଇ ଥୁଆ ହୋଇଛି । କେହି ଛୁଇଁ ନାହାନ୍ତି । ସ୍କୁଲବେଳ ଟିକିଏ ଡେରି ହୋଇଗଲା ବୋଲି ନାରଣ ମାଷ୍ଟ୍ରେ ରାଗରେ ପାଟିତୁଣ୍ଡ କରି ସ୍କୁଲ ଯାଇଛନ୍ତି । ଆଜି ଦିନ ସାରା ଉପାସ । ସୁରିଆ ବି ବାପା ପଛରେ ଗୋଡ଼ାଇ ଯାଇଛି । ଖାଇନି ।

 

ମାଷ୍ଟ୍ରଙ୍କ ସାଙ୍ଗରେ କଜିଆ କରି ରୋଷେଇ ସାରି ଅଖିଆ ଶୋଇଛନ୍ତି ହେମାଙ୍ଗିନୀ । ଆଖିର ଲୁହରେ ତକିଆ ଭିଜାଉଛନ୍ତି ।

 

ପାରିବାରକ ଜୀବନରେ କଜିଆ ହୁଏ; କିନ୍ତୁ ଏଥର କଜିଆ ଟିକିଏ ସୀମା ଡେଇଁଗଲା । ନାରଣ ମାଷ୍ଟ୍ରେ ଏଥର ଖୁବ୍‍ ରାଗିଗଲେ । ପିଲାଙ୍କ ପରୀକ୍ଷାବେଳ । ଦ୍ୱିତୀୟ ଶିକ୍ଷକ ସ୍କୁଲରୁ ଛୁଟି ନେଇ ଯାଇଛନ୍ତି । ପିଲଗୁଡ଼ାକ ଆସି ସ୍କୁଲ ବାରଣ୍ଡାରେ ହୁମ୍‍ ଦୁମ୍‍ ହେଉଥିବେ । ବାଡ଼ିରେ କାମ କରି ଆସି ସ୍କୁଲକୁ ବାହାରିଲାବେଳକୁ ରୋଷେଇ ସରି ନାହିଁ ।

 

ନାରଣ ମାଷ୍ଟ୍ରଙ୍କ ମୁଣ୍ଡ ଗରମ ହୋଇଉଠିଲା । ସେ ହେମାଙ୍ଗିନୀକୁ ଅନେକ କଥା କହିଲେ, ଯାହା ନ କହିଲେ ଚଳିଥାନ୍ତା !

 

କ’ଣ ବା ଦୋଷ ହେମାଙ୍ଗିନୀଙ୍କର !

 

ହେମାଙ୍ଗିନୀ ଶୋଇ ଶୋଇ ଭାବୁଥିଲେ । ଘରକୁ ସେ ଏକା । ଘରର କାମ ସାରୁ ସାରୁ ଦିନ ଓଳିକ ହେଉଛି । ଯେଉଁ କାମ ସେ ନ କରିବେ, ତା’ ହେବ ନାହିଁ । ଘରେ ଚାକର ବାକର ନାହାନ୍ତି । ଏଠି ସେଠି ହେଉ ହେଉ ଦିନ ଗଡ଼ିଯାଉଛି । ରୋଷେଇ କରୁ କରୁ ଏଗାର....

 

ଘର କାମକୁ ପୁଣି ପାରଙ୍ଗମ ନୁହଁନ୍ତି ହେମାଙ୍ଗିନୀ । ବାପ ଘରେ କୁଟା ଖିଅକୁ ଦି’ଖଣ୍ଡ କରୁ ନ ଥିଲେ । ଘର ଓଳେଇବା ପାଇଁ ପହଁରା ଧରି ପକାଇଲେ ଚାକରାଣୀ ଆସି ହାତରୁ ଛଡ଼ାଇ ପକାଉଥିଲା । ଜମିଦାର ଝିଅ ଘର ପହଁରିବେ ନିଜ ହାତରେ !

 

‘ମିଶ୍ରଘର ଭଳି ବଡ଼ ଜମିଦାରୀ ନ ଥିଲେ ବି ହୋମାଙ୍ଗିନିଙ୍କ ବାପା ଥିଲେ ଛୋଟ କାଟର ଜଣେ ଜମିଦାର । ମାସକୁ ତହବିଲ ଦୁଇଶହ ଶଙ୍କା । ସେହି ଜମିଦାରୀ ଥିଲା ତାଙ୍କ ଜୀବନ ନିର୍ବାହର ବଡ଼ ଉପାୟ । କିନ୍ତୁ ଜମିଦାରୀ ଖଣ୍ଡକ ହାତଛଡ଼ା ହୋଇଗଲା ପରେ ସେ ନିରୁପାୟ ହୋଇପଡ଼ିଲେ ।

 

ଦାରିଦ୍ର୍ୟ କିନ୍ତୁ ତାଙ୍କ ଝିଅ ବିବାହ ପାଇଁ ଅପେକ୍ଷା କରିପାରଲା ନାହିଁ ।

 

ହେମାଙ୍ଗିନୀ ଧରିଲେ ନାରଣ ମାଷ୍ଟ୍ରଙ୍କ ହାତ ।

 

ନିଜ ବାପାଙ୍କ ଉପରେ ହେମାଙ୍ଗିନୀଙ୍କର ଭାରି ରାଗ ହେଉଥିଲା । ବିଷ ଦେଇ ମାରି ନ ଦେଇ ଏମିତି ଦହଗଞ୍ଜ କରିବାରେ କି ଲାଭ ବା ସେ ପାଇଲେ !

 

ବିଭା ହୋଇ ପ୍ରଥମେ ଆସିଲାବେଳେ ହେମାଙ୍ଗିନୀଙ୍କୁ ଘରର ସବୁ କାମ କରିବାକୁ ପଡ଼ୁନଥିଲା । ସେତେବେଳେ ଶାଶୁ ଥିଲେ ଜୀବିତା; କିନ୍ତୁ ଶାଶୁଙ୍କ ମୃତ୍ୟୁ ପରେ ଏଇ ଦୁଇବର୍ଷ ହେଲା ଘରର ସବୁ ବୋଝ ପଡ଼ୁଛି ତାଙ୍କରି ଉପରେ ।

 

ଅଭାବ, ଅନାଟନ ଦିନକୁ ଦିନ ବଢ଼ୁଛି ।

 

ଆଜି ଘରେ ତେଲ ନ ଥିଲା ଡାଲି ବଘାରିବାକୁ, ଫୁଟଣ ନ ଥିଲା ଫୁଟାଇବାକୁ । ତେଲ ଆଣିଲେ ରୋଷେଇ ଆରମ୍ଭ କରିବେ ବୋଲି ସେ ଡେରି କରିଦେଲେ । କିନ୍ତୁ ତେଲ ଆଣିବା ବଦଳରେ ଓଲଟି ଶୋଧିବାକୁ ଆସିଲେ ନାରଣ ମାଷ୍ଟ୍ରେ...ନିଜର ଅଭାବ, ଅସୁବିଧା ଯେତେବେଳେ ତୀବ୍ର ହୁଏ, ସେତେବେଳେ ସେ ହେମାଙ୍ଗିନୀ ଉପରେ ବେଶୀ ପାଟି କରନ୍ତି... ।

 

କାହିଁକି ?

 

ହେମାଙ୍ଗିନୀ ମନେ ମନେ ଭାବୁଥିଲେ । ନିଜ ସାଂସାରିକ ଜୀବନ ପ୍ରତି ତାଙ୍କର କେମିତି ଏକ ତିକ୍ତ ଧାରଣା ହୋଇଯାଉଥିଲା । ଏଭଲି ନିଃସହାୟା ଭାବରେ ଅବୁଝା ସ୍ଵାମୀକୁ ନେଇ କେତେଦିନ ଚଲିବେ ?

 

ବୋଉ ! ସୁରିଆର ଡାକ ଶୁଭିଲା ।

 

ହେମାଙ୍ଗିନୀ ଫେରି ଚାହିଁଲେ, ସୁରିଆ ଦୁଆର ମୁହଁରେ ଆସି ଠିଆ ହୋଇଛି । ସମ୍ଭବତଃ ଭୋକହେଲାରୁ ପଳାଇ ଆସିଛି ସିଏ ସ୍କୁଲରୁ । ଦାରିଦ୍ର୍ୟ, ଅଭାବ ବୋଲି ସିନା ସେମାନେ ବୁଝିବେ, ଛୋଟ ପିଲାର ଭୋକ ସେକଥା ବୁଝିବ କାହିଁକି ?

 

ସୁରିଆ ଠିଆ ହୋଇଛି । ମଉଲୀଳା ଫୁଲ ଭଳି ମୁହଁ ଶୁଖିଯାଇଛି ।

 

ଏହି ସୁରିଆ ଉପରେ ପୁଣି ଭରସା ରଖାଯାଇଛି, ସେ ବଡ଼ ଲୋକ ହେବ—ନାଁ କମେଇବ !

 

ହେମାଙ୍ଗିନୀ ମୁହଁ ଲେଉଟାଇ ଅନାଇଲେ । ପଚାରିଲେ, ଭୋକ କରୁଛି !

 

ସୁରିଆ ଶୁଖିଲ କଣ୍ଠରେ କହିଲା, ନାଇଁ—ଭୋକ କରୁନି । ଲୀଳା ଘରେ ଧୀରା ମାଉସୀ ଖୁଆଇ ଦେଇଛି ।

 

ଯଶୋଧାରାକୁ ମିଶ୍ରେ ଡାକନ୍ତି ଧାରା ଅନ୍ୟ ଲୋକମାନେ ସେହି ଧାରାକୁ ଧରନ୍ତି ଧୀରା-। ଧୀରା ମାଉସି ଖୁଆଇ ଦେଇଛି ସୁରିଆକୁ ? ମିଶ୍ରେ ଦେଖି ନାହାନ୍ତି ! ହେମାଙ୍ଗିନୀ ମନେ ମନେ ଶଙ୍କିତ ହୋଇ ପଡ଼ୁଥିଲେ ।

 

ଖାଇଛୁ ତ ମୁହଁ ଶୁଖିଯାଇଛି କାହିଁକି ?

 

ବୋଉର ଏ ପ୍ରଶ୍ନରେ ସୁର ଟିକିଏ ଘାବରେଇ ଗଲା । କହିବ କହିବ ବୋଲି ଓଠ ଏପାଖ ସେପାଖ କଲା, କହିପାରିଲା ନାହିଁ ।

 

ହେମାଙ୍ଗିନୀ ଉଠି ବସିଲେ । କହିଲେ, ଚାଲ ! ଭୋକରେ ଅନ୍ତ ଦୁହିଁ ହୋଇଗଲାଣି ଗଣ୍ଡେ ଖାଇଦେବୁ ଚାଲ... ।

 

ସୁରିଆ ପୁଣି ତା’ର ସେଇ ଆଗ କଥାକୁ ପୁନରାବୃତ୍ତି କଲା, ନାଇଁ....ମୁଁ ପରା ଲୀଳାଘରେ ଖାଇଛି...ଏଇ ପେଟ ଦେଖୁନୁ ।

 

ସତରେ ପେଟ ପୂରିଛି, ଖାଇଛି ସୁରିଆ । ମୁହଁ ଶୁଖିଯାଇଛି କାହିଁକି ?

 

ସୁରିଆକୁ ହେମାଙ୍ଗିନୀ କୋଳକୁ ଉଠାଇନେଲେ । ବିବାହିତ ଜୀବନରେ ଏଇ ଏକମାତ୍ର ହେଉଛି ତାଙ୍କର ସନ୍ତ୍ୱନାର ଉତ୍ସ ।

 

ବୋଉ କାଖରେ ମୁହଁ ରଖି ସୁରିଆ କହିଲା, ମୁଁ ଲୀଳା ମାମୁଁ ଘର ଗାଁ ହାଇସ୍କୁଲକୁ ପଢ଼ିବାକୁ ଯିବି ବୋଉ ।

 

ଅବାକ୍‍ କଣ୍ଠରେ ହେମାଙ୍ଗିନୀ ପଚାରିଲେ, କାହିଁକି ? ଏ ସ୍କୁଲରେ କ’ଣ ବାପା ବେଶୀ ମାଡ଼ ଦେଉଛନ୍ତି ?

 

ନାଇଁ ଲୀଳା ଏ ସ୍କୁଲୁରୁ ଚାଲିଯାଉଛି.. ମୁଁ ଯିବି....

 

ହେମାଙ୍ଗିନୀ ଏଥର ବୁଝିଲେ, କାହିଁକ ସୁରିଆର ମୁହଁ ଶୁଖିଯାଇଛି । ସେ ଟିକଏ ହସିଲେ । ସୁରିଆ ମୁଣ୍ଡରେ ହାତ ମାରି କହିଲେ, ତତେ କିଏ କହିଲା ଏ ମିଛ କଥା । ଲୀଳା ଏଇଠି ପଢ଼ିବ ଯେ...

 

ସୁରିଆ ସେତେବେଳକୁ ହେମାଙ୍ଗିନୀଙ୍କ କାନ୍ଧ ଉପରେ ମୁହଁ ରଖି ଆଖି ଛଳଛଳ କରି ସାରିଥିଲା । ତା’ ପାଟିରୁ କେବଳ ଅତି ଅସ୍ପଷ୍ଟ ଭାବରେ ଶୁଭିଲା, ନାଇଁ ଧୀରା ମାଉସି ନିଜେ କହୁଥିଲା— ।

 

ହେମାଙ୍ଗିନୀ ସୁରିଆକୁ ଗେଲ କରି କହିଲେ, ଧେତ୍‍ ! ଗୋଟାଏ ମିଛ କଥା । ଗାଁ ଛାଡ଼ି, ନନାକୁ ଛାଡ଼ି ଲୀଳା ଯିବ ମାମୁଁ ଘର ଗାଁ’କୁ ପାଠ ପଢ଼ିବାକୁ ? ତୁ ଦେଖିବୁ ନାଇଁ—

 

ସୁରିଆ ସେତେବେଳକୁ କାନ୍ଦୁଚି କଇଁ କଇଁ ହୋଇ ।

 

ନାରଣ ମାଷ୍ଟ୍ରେ ବେତଟାକୁ ଦୋହଲାଇ ଦେଇ ପଚାରିଲେ, କହିଲେ ପିଲେ, ବାଇଗଣ ସେର ଛ’ଣା ହେଲେ ପାଞ୍ଚ ସେର ଆଲୁର ଦାମ୍‍ କେତେ ?

ସେରେ ବାଇଗଣ ମୂଲ୍ୟରୁ ପାଞ୍ଚ ସେର ଆଳୁ ମୂଲ୍ୟ କେମିତି ସ୍ଥିର ହେବ ସେକଥା ବୁଝି ନ ପାରି ଦ୍ୱିତୀୟ ଶ୍ରେଣୀର ପିଲା ପଞ୍ଚାକ ଯାକ ବୋକା ପାଲଟିଗଲେ । ତେଣେ ନାରଣ ମାଷ୍ଟ୍ରଙ୍କ ବେତ ଦୋହଲୁଛି । ସତେ ଯେମିତି ସେ ବେତ କହିଦେଉଛି, ଉତ୍ତର ଠିକ୍‍ ଦେଇ ନ ପାରିଲେ ପିଠି ଫାଟିବ ।

ବେତଟା ସବ୍‌ଇନସପେକଟର ଆସିଥିବାବେଳେ ସ୍କୁଲପୋଖରୀ ଭିତରେ ପଡ଼ିଥିଲା । କାରଣ ପିଲାଙ୍କୁ ବେତର ଧମକ ଦେଇ ପାଠ ପଢ଼ାଇବା ନିୟମବିରୁଦ୍ଧ । କିନ୍ତୁ ନାରଣ ମାଷ୍ଟ୍ରେ ବେତରେ ବାଡ଼େଇବା ଅଭ୍ୟାସଟା ଛାଡ଼ିପାରି ନାହାନ୍ତି । ତେଣୁ ସବ୍‌ଇନସପେକଟର ମହୋଦୟ ସ୍କୁଲ ଛାଡ଼ିବା ସଙ୍ଗେ ସଙ୍ଗେ ବେତଟା ପୁଣି ପୋଖରୀରୁ ଛଣା ହୋଇ ଆସିଲା ।

ନାରଣ ମାଷ୍ଟ୍ରଙ୍କ ବେତ ଦୋହଲୁଛି ନହ ନହ ହୋଇ । କହୁଛି, କହ କହ ସେରେ ବାଇଗଣ ଦାମ ଛ’ଣା ହେଲେ ପାଞ୍ଚ ସେର ଆଲୁର ଦାମ୍‍ କେତେ ?

ଶ୍ରେଣୀ ଭିତରୁ ଜଣେ କିଏ ସାହସ କରି ପଚାରିଲା, ବାଇଗଣ ସେର ହିସାବରୁ ଆଳୁ ଦାମ୍‍ କେମିତି ବାହାରିବ ମାଷ୍ଟ୍ରେ ?

ପିଲାଟାର ଅଯୋଗ୍ୟତାକୁ ଶାସନ କରିବା ପାଇଁ ନାରଣ ମାଷ୍ଟ୍ରେ ଉହିଁକି ଯାଉଥିଲେ । ହଠାତ୍‍ ତାଙ୍କର ଖିଆଲ ହୋଇଗଲା ଯେ, ସେ ଭୁଲ ପ୍ରଶ୍ନଟାଏ ପଚାରି ଦେଇଛନ୍ତି । ନିଆଁରେ ପାଣି ପଡ଼ିଲା ଭଳି ଆପେ ଆପେ ସେ ଥମିଗଲେ ।

 

ସତେ ତାଙ୍କର ସବୁ ଭୁଲ୍‍ ହୋଇଯାଉଛି ଆଜି । କାହିଁକି ?

 

ଭୋକରେ ପେଟ ଆଉଟି ହେଉଛି । ସେ ଦିନଯାକ ଉପାସ ।

 

ଶ୍ରେଣୀରେ ଆଉ କିଛି ପ୍ରଶ୍ନ ନ ପଚାରି ନାରଣ ମାଷ୍ଟ୍ରେ ବାହାରକୁ ଉଠିଗଲେ ।

 

ହେମାଙ୍ଗିନୀଙ୍କୁ ଗୁଡ଼ାଏ ଗାଲିଦେଇ, ରାଗି, ନ ଖାଇ କରି ସ୍କୁଲକୁ ଚାଲିଆସିଲା ପରେ ତାଙ୍କ ମନର ସବୁ ଚିନ୍ତାଧାର ଗୋଳମାଳ ହୋଇଯାଇଛି । ମନେ ହେଉଛି ସତେ ଯେମିତି ସେ ଗୋଟାଏ ବଡ଼ ଅପରାଧ କରି ଆସିଛନ୍ତି ।

 

ବିଚାରୀ ନିରୀହା ହେମାଙ୍ଗିନୀ । ଦୀପର ସଳିତା ଭଲି ନିଜକୁ ଜାଳି ତାଙ୍କ ପରିବାରର ଅନ୍ଧକାର ଦିନରେ ଆଲୁଅ ଦେଖାଇ ଆସିଛି । କାହିଁକି ତାଙ୍କୁ ସେ ମିଛରେ ଗାଳି ଦେଇ ଆସିଲେ ?

 

ସେ ଜାଣନ୍ତି, ହେମାଙ୍ଗିନୀ ନିର୍ଦୋଷ । ଘରେ ତେଲ ନ ଥିଲା ହାଣ୍ଡିରେ ପକାଇବାକୁ, ଫୁଟଣ ନ ଥିଲା ଫୁଟାଇବାକୁ । ରୋଷେଇ ଡେରି ହେଲା । ସେଥପାଇଁ ମିଛରେ ସେ ତାଙ୍କୁ ଗାଳିଦେଲେ କାହିଁକି ?

 

ନାରଣ ମାଷ୍ଟ୍ରଙ୍କ ନିଜ ଉପରେ ଭାରି ଅଭିମାନ ହେଉଥିଲା । ତାଙ୍କ ସ୍କୁଲବେଳ ଡେରି ହୋଇଗଲା ବୋଲି ସିନା ସେ ବୁଝିବେ, ହେମାଙ୍ଗିନୀ ସେ କଥା ଭାବିବେ କାହିଁକି ?

 

ନାରଣ ମାଷ୍ଟ୍ରେ ସବୁ ସହିପାରନ୍ତି; କିନ୍ତୁ ନିଜ ସ୍କୁଲ ସମୟ ଡେରି ହୋଇଯିବା ତାଙ୍କ ପକ୍ଷରେ ଅସହ୍ୟ । ସେଥିପାଇଁ ହେମାଙ୍ଗିନୀଙ୍କୁ ଏକ ଇତରଲୋକ ଭଳି ଗାଲି ଦେବାକୁ ସେ ପଛେଇଲେ ନାହିଁ ।

 

ଜୀବନ-ସଂଗ୍ରାମରେ କ୍ଷତବିକ୍ଷତ ହୋଇ ଫେରିଲା ପରେ ସେ ସବୁ ରାଗ ସୁଝାନ୍ତି ହେମାଙ୍ଗିନୀଙ୍କ ଉପରେ । ମଧ୍ୟବିତ୍ତ ଶ୍ରେଣୀର ଲୋକ ସେ । ଚାରିଆଡ଼େ ଅଭାବ ଆଁ ମେଲାକରି ଅନେଇଛି । ଯେତେ ଯୁଆଡ଼େ ପଇସା ରେଜଗାରର ଫନ୍ଦି କଲେ ବି ସବୁ ନିଅଣ୍ଟ । ନିଜ ଅଭାବ ଅସୁବିଧା ପାଇଁ ସେ କାହାରିକୁ ଦାୟୀ କରିପାରନ୍ତି ନାହିଁ । କାରଣ ପୃଥିବୀ ଭିତରେ ସେ ନିଃସହାୟ ମଧ୍ୟବିତ୍ତ । ଗରିବ ଖଟିଖିଆ ଲୋକଙ୍କ ଭଳି ତଳେ ନିଜ ଗୋଡ଼ରେ ଠିଆହୋଇ ଉପରେ ଥିବା ଲୋକଙ୍କୁ ସେ ଗାଳି ଦେଇପାରନ୍ତି ନାହିଁ କିମ୍ବା ଧନୀ ବଡ଼ଲୋକଙ୍କ ଭଳି ଓଜନିଆ ପାଦରେ ଉପରେ ଥାଇ ଅନ୍ୟମାନଙ୍କୁ ତଳକୁ ଦାବି ପାରନ୍ତି ନାହିଁ । କାରଣ ସେ ମଧ୍ୟବିତ୍ତ । ତାଙ୍କର ସବୁ ଗାଳିର ବୋଝ ପଡ଼େ ହେମାଙ୍ଗନିଙ୍କ ଉପରେ । କାରଣ ସେ ତଳ ଶ୍ରେଣୀର ଖଟିଖିଆ ନୁହନ୍ତି କି ଉପର ଶ୍ରେଣୀର ଧନି, ପୁଞ୍ଜିପତି ନୁହନ୍ତି । ସେ ତାଙ୍କର ନିଜର ଅତି ବାଧ୍ୟ ବଶମ୍ବଦ !

Unknown

 

ନାରଣ ମାଷ୍ଟ୍ରେଙ୍କ ମନରେ କେମିତି ଅନୁତାପ ଘୋଟି ଆସୁଥିଲା । ହେମାଙ୍ଗିନୀଙ୍କ ଉପରେ କରିଥିବା ଅବିଚାର ପାଇଁ ତାଙ୍କ ଆଖିରେ ପାଣି ଜମି ଆସୁଥିଲା । ଆହା ! ବିଚାରୀ ତାଙ୍କ ନିଜ ଦୁଃଖ କଷ୍ଟ ସହି ଘୋଷାରି ହୋଇ କେତେ ଦୁଃଖରେ ଚଳୁଛି !

 

ସ୍କୁଲରେ ଆଉ ମନ ଲାଗିଲା ନାହିଁ ।

 

ଯେଉଁ ସ୍କୁଲକୁ ଆସିବା ପାଇଁ ଉଚ୍ଛନ୍ନ ହୋଇ ସେ ହେମାଙ୍ଗିନୀକୁ ଯାହା ମନ ତାହା ଗାଳିଦେଇ ଆସିଥିଲେ, ସେଇ ସ୍କୁଲଛାଡ଼ି ହେମାଙ୍ଗିନୀଙ୍କ ପାଖକୁ ଫେରିଯିବାକୁ ତାଙ୍କ ମନ ଅଥୟ ହେଲା ।

 

ସ୍କୁଲ ଅଧାଛୁଟି କରିଦେଇ ସେ ବାହାରି ପଡ଼ିଲେ ।

 

ସେତେବେଳକୁ ଟାଣ ଖରାବେଳ । ଚାରିଆଡ଼େ ଖାଲି ନିଆଁ ବରଷୁଛି ।

 

ଘର କବାଟରେ ସେ ଆସି ହାତ ମାରିଲେ । କବାଟ ଆଉଜା ହୋଇଛି ।

 

ଘର ଭିତରେ ପଶିଲେ । ଚାରିଆଡ଼େ ଶୁନଶାନ୍‍ ଲାଗୁଛି । ଦାଣ୍ଡପଟେ ସୁରିଆର ପାଟି ଶୁଭୁଛି । ସେ ବୋଧହୃଏ ଖେଲୁଛି ଦୂଆର ପିଜୁଳି ଗଛରେ ଦୁଇଟା କି ଅନାମିକା ଚଢ଼େଇ ବସି କେଉଁ ଅବୁଝା ସଂଗୀତର ସୁର ଧରିଛନ୍ତି ।

 

ଶୋଇବାଘର ଭିତରେ ପଶି ନାରଣ ମାଷ୍ଟ୍ରେ ଦେଖିଲେ, ହେମାଙ୍ଗିନୀ ଶୋଇ ଯାଇଛନ୍ତି-। ଆଖିରେ ଶୁଖିଲା ଲୁହର ଦାଗ ଲଗିଛି । ମୁହଁ ଦିଶୁଚି ଶେତୋଳିଆ । ମୁଣ୍ଡର ଅସଜଡ଼ା କେଶଗୁଡ଼ାକ ଶେଯଯାକ ଖେଳେଇ ହୋଇ ପଡ଼ିଛି ।

 

ସେ ତିନି ଚାରି ଡାକ ଡାକିଲେ । କିଛି ଉତ୍ତର ଦେଲେ ନାହଁ ହେମାଙ୍ଗିନୀ । ତା’ପରେ ଶୋଇବାଘର ଛାଡ଼ି ନାରଣ ମାଷ୍ଟ୍ରେ ପଶିଲେ ରୋଷେଇ ଘରେ । ଦେଖିଲେ ଭାତହାଣ୍ଡି ସେମିତି ଗଳା ହୋଇ ହୋଇ ଥୁଆ ହୋଇଛି, ଖଣ୍ଡିଆ ହୋଇ ନାହିଁ । ଭାତ ଉପରୁ ଲିଭି ନାହିଁ ଚଟୁର ଚିହ୍ନ ।

 

ତେବେ ହେମାଙ୍ଗିନୀ ଉପାସ ଶୋଇଛନ୍ତି !

 

ନାରଣ ମାଷ୍ଟ୍ରେ ଚମକି ଉଠିଲେ । ହେମାଙ୍ଗିନୀ ଭାତହାଣ୍ଡିକୁ ରୁଷିବା ଏଇ ପ୍ରଥମ । ସେ ବୁଝିଲେ, ତାଙ୍କ ଗାଳିଟା ହେମାଙ୍ଗିନୀଙ୍କୁ ଖୁବ୍‍ ବେଶି ଆଘାତ ଦେଇଛି । ସେ ଥାଲି ଆଣି ଭାତ, ଡାଲି ବାଢ଼ିଲେ । ଆସିଲେ ଏ ଘରକୁ ।

 

ଡାକିଲେ, ହେମ....ହେମ !

 

ହେମାଙ୍ଗିନୀଙ୍କ ନିଘୋଡ଼ ନିଦରେ ବୋଧହୁଏ ଚମକ ଲାଗିଲା । ପରିଚିତ କଣ୍ଠର ‘ହେମ’ ଡାକ ଶୁଣି ସେ ଆଖିପତା ଖୋଲିଲେ । ନାରଣ ମାଷ୍ଟ୍ରେ କହିଲେ, ଉଠ ! ଭାତ ଖାଇବ ।

 

ହେମାଙ୍ଗିନୀ ଦେଖିଲେ ଭାତ ବଢ଼ା ହୋଇଛି । ତା’ପରେ ସେ ଚାହିଁଲେ ନାରଣ ମାଷ୍ଟ୍ରଙ୍କ ଆଡ଼କୁ । ଆଖି ଛଳଛଳ ହେଲା । ମୁହଁ ବୁଲଇ ପୁଣି ସେ ଶୋଇଲେ ।

 

ନାରଣ ମାଷ୍ଟ୍ରେ ହେମାଙ୍ଗିନୀଙ୍କ ପାଖକୁ ଉଠିଯାଇ କହିଲେ, ତମେ ମୋ ଉପରେ ରାଗିଛ ହେମ ! ଛି ! ମୋର ଭୁଲ୍‍ ହୋଇଛି....ଉଠ ।

 

ହେମାଙ୍ଗିନୀ କଥାପଦକ ଶୁଣି କଇଁ କଇଁ ହୋଇ କାନ୍ଦିଉଠିଲେ । ନାରଣ ମାଷ୍ଟ୍ରେଙ୍କ ଆଖିରେ ମଧ୍ୟ ଲୁହ ଅସମ୍ଭାଳ ହୋଇଉଠିଲା । ବିବାହର ଜୀବନର ଦୀର୍ଘଦିନ ପରେ ଏଭଳି ଅଶ୍ରୁତର୍ପଣ ନାରଣ ମାଷ୍ଟ୍ରଙ୍କ ଦାମ୍ପତ୍ୟ ଜୀବନରେ ଏକ ଚମକ ସୃଷ୍ଟି କରିଦେଲା ।

 

ମାମୁଁ ଘର ଗାଁ’କୁ ଗଲେ ତୁ ଚିଠି ଦେବୁଟି !

 

ଚିଠି ! ସେ ପୁଣି କ’ଣରେ ସୁରିଆ’ଇ ଲୀଲା କଣ୍ଢେଇ ବେକରୁ କଣ୍ଠି ଓହ୍ଲାଉ ଓହ୍ଲାଉ ପଚାରିଲା । ସୁରିଆ କହିଲା, ବାପା ଯେମିତି ସବୁ ଚିଠି ଲେଖନ୍ତି ମ ! ଦେଖିନୁ ? ଡାକଘରୁ କାର୍ଡ଼ କିଣି ସେଥିରେ ତୋ ଭଲମନ୍ଦ କଥା ଲେଖିବୁ. ସେଠି ଜାମୁକୋଳି ଗଛ ଅଛି କି ନାହିଁ...ଥିଲେ କିଏ ଜାମୁକୋଳି ପାରି ଦେଉଛି....କାହା ସାଙ୍ଗରେ ତୁ କଣ୍ଢେଇ ବାହାଘର କରୁଛୁ...ସବୁ ଲେଖିବୁ ନା !

 

କଣ୍ଢେଇ ବେକରୁ ସବୁ କଣ୍ଠିତକ ସେତେବେଳକୁ ଲୀଳା ଛିଣ୍ଡେଇ ଦେଇ ସାରିଥିଲା । ସୁରିଆ କଥା ଶୁଣି ସେ ଆଖି ଉପରକୁ କଲା । କହିଲା, ଓଃ ! କ୍ଳାସରେ ମାଷ୍ଟ୍ରେ ଯେମିତି ପତ୍ରଲିଖନ ଶିଖାଇଛନ୍ତି, ସେଇ ପତ୍ରଲିଖନ କଥା କହୁଛୁ...ନାଇଁରେ ଭାଇ ! ସେକଥା ମୋ ଦେଇ ହୋଇପାରିବ ନାଇଁ ତୁ ପଛେ ଚିଠି ଦେବୁ ଏଠୁ... !

 

ସୁରିଆ ସେତେବେଳକୁ ସପ୍ତସ୍ୱରକୁ ଓଠରେ ଦେଇ ପରୀକ୍ଷା କରୁଥିଲା, ଠିକ୍‍ ବାଜୁଛି କି ନାହିଁ ଜାଣିବା ଲାଗି । ଲୀଳା କଥା ଶୁଣି ସେ ସପ୍ତସ୍ଵର ବଜା ବନ୍ଦ କରିଦେଲା ।

 

ଗୋଧୂଳିର ଆଲୁଅ ସେତେବେଳକୁ ପାଉଁଶିଆ ପଡ଼ି ଆସିଲାଣି । ଆକାଶର ନୀଳ ପରଦା ଆଢ଼ୁଆଳରେ ତରା କେଇଟି ମୁହଁ ଦେଖାଦେଖି ହେବାକୁ ଉଙ୍କି ମାରୁଛନ୍ତି । ପଢ଼ାବେଳ ହୋଇଆସୁଛି ।

 

ସୁରିଆ ମନେ ମନେ ଭାବିଲା, ବାପା ଖୋଜୁ ଥିବେ ପଢ଼ାଘରେ । ତାକୁ ଶୀଘ୍ର ଯିବାକୁ ହେବ । ଲୀଳାକୁ ଡାକି କହିଲା, ତୁ ଏ କଣ୍ଢେଇ, ସପ୍ତସ୍ଵର ବାଜା ସବୁ ନେଇଯା’ । ମୋର କିଛି ଦରକାର ନାହିଁ । ମାମୁଁ ଘର ଗାଁରେ ଏସବୁ ମିଳୁଥିବ କି ନାହିଁ...କ’ଣ ନେଇ କାହା ସାଙ୍ଗରେ ତୁ ଖେଲିବୁ ?

 

ଲୀଳା ସାଙ୍ଗେ ସାଙ୍ଗେ ଚଟକିନି ଉତ୍ତର ଦେଇଦେଲା, ବାଃରେ, ମୁଁ ଚାଲିଗଲେ ତୁ କ’ଣ ନେଇ ପୁଣି ଖେଲିବୁ ! ନାଇଁ...ତୁ ଏଗୁରା ସବୁ ରଖ । ମୋର କ’ଣ ହେବ । ମୁଁ ତ ସେଠି ପଢ଼ିବାକୁ ଯାଉଛି—ଖେଳିବା ଜିନିଷ କ’ଣ ଦରକାର ?

 

ଶେଷ ଆଡ଼କୁ ଲୀଳାର କଣ୍ଠ କେମିତି ଓଜନିଆ ହୋଇଉଠିଲା ସୁରିଆ ବୁଝିଲା, ଲୀଳାକୁ ଏ ଗାଁ ଭୂଇଁ ଛାଡ଼ି ମାମୁଁ ଘର ଗାଁ’କୁ ଯିବାକୁ ଭଲ ଲାଗୁ ନାହିଁ । ତାକୁ ବି ଏସବୁ କଥା କେମିତି ଅଡ଼ୁଆ ଅଡ଼ୁଆ ଲାଗୁଛି । ତଥାପି ସେ ମନ ଦମ୍ଭ କରି ଧମକ ଦେବା କଣ୍ଠରେ କହିଲା, ନାଇଁ, ତତେ ଏଗୁଡ଼ାକ ସବୁ ନେଇଯିବାକୁ ହେବ.....ଏ କଣ୍ଢେଇ, ବାଜା ସବୁ ତୋ’’ ନନା କଣିଛନ୍ତି । ମୁଁ କାଇଁକି ରଖିବି । ମୋ ସାଙ୍ଗରେ ଏଠି ଖେଲିବାକୁ ବଳିଆ କୁକୁର.....ପାତି ମାଙ୍କଡ଼ ଅଛନ୍ତି . ଜାମୁକୋଳି ଗଛ ଅଛି.....ତମ ଜିନିଷ, ତୁ ନେଇ ଯା’...

 

ଏଥର ଲୀଳା ଆଉ ଭରସି କରି କିଛି କହିଲା ନାହିଁ । ସେ ଜାଣେ, ସେ ଏ ଗାଁ ଛାଡ଼ି ଚାଲିଯାଉଛି ବୋଲି ସୁରଆ’ଇ ତା’ ଉପରେ ରାଗିଛି । କିନ୍ତୁ ଏଥିପାଇଁ ସେ ନିଜେ କ’ଣ କରି ପାରିଥାଆନ୍ତା ।

 

ସୁରିଆ ସବୁ ବାଜା, କଣ୍ଢେଇକୁ ଗୋଟିଏ ପୁଡ଼ାରେ ବାନ୍ଧି ଦେଇ ରଖିଲା । ଉଠି କହିଲା, ମୁଁ ଯାଉଛି ଲୋ । ବାପା ତେଣେ ଖୋଜି ହେଉଥିବେ । ତୁ କାଲି ସକାଲୁ ଯିବୁ ତ...ମତେ ମନେ ରଖିଥିବୁ...ଯା...ଉ...ଛି ।

 

କହି କହି ସୁରିଆ ଏକ ମୁହାଁ ହୋଇ ଦଉଡ଼ି ପଳାଇଲା । ପଛକୁ ଆଉ ସେ ଫେରି ଚାହିଁନି ।

 

ସୁରିଆ ଚାଲିଗଲା ପରେ ସେ କଣ୍ଢେଇଗୁଡ଼ିକ ଆଡ଼କୁ ଅନେଇଲା ଲୀଳା । ଆଖି ତା’ର ଲୁହରେ ଝଲ ମଲ ହୋଇଉଠିଲା । ଫ୍ରକ୍‍ ଦେହରେ ମୁହଁ ଚାପିଧରି କିଛି ସମୟ ପରେ ସେ କାନ୍ଦିଉଠିଲା କଇଁ କଇଁ ହୋଇ ।

 

ଧିମେଇ ଧିମେଇ ବଳଦ ଗାଡ଼ି ଚାଲିଛି । ସେଇ ବଳଦ ଗାଡ଼ିର ବରଡ଼ା ତାଟ ବାଟେ ବାହାରକୁ ଉହୁଁକି ଉହୁଁକି ଅନଉଛି ଲୀଳା । ସୁରିଆ’ଇ ସାଙ୍ଗରେ ଦେଖା ହୋଇଯିବ କି ! କାଇଁ ସେ ଗଲାବେଳକୁ ସେ ଆସିଲା ନାହିଁ ତ ! ସତରେ କ’ଣ ତା’ ଉପରେ ସେ ଏତେ ରାଗିଛି ।

 

ଗାଡ଼ି ଉପରେ ବସିଛି ଯଶୋଧାର । ଲୀଳାର ମାମୁଁ ଘର ଗାଁରେ ଗାଡ଼ି ପହଞ୍ଚୁ ପହଞ୍ଚୁ ଟାଣ ଖରାବେଳ ହୋଇଯିବ ନିଶ୍ଚୟ । ଏଇ ତ ଖରା ପଡ଼ିଲାଣି ।

 

ଗାଡ଼ି ଚାଲିଛି । ଗା ପଛରେ ରହିଯାଉଛି । ଲୀଳା ଅନଉଛି । ସୁରିଆ’ଇ ଆସିଲା କି ।

 

ନା, ସୁରିଆର ଦେଖା ନାହିଁ । ସେ ରାଗିଛି । ଆସିବ ନାହିଁ । ହତାଶରେ, ମନ ଦୁଃଖରେ ଲୀଳା ଗାଡ଼ି ଭିତରକୁ ଆସି ଚୁପ୍‌ହୋଇ ବସିଲା । ଗୁଡ଼ାଏ ବେଦନା ମନରେ ତା’ର ଜମା ହୋଇଯାଇଛି ।

 

ହେ ରଘୁଆ । ଗାଡ଼ି ରଖ ।

 

ମିଶ୍ରଙ୍କ ଚାକର ରଘୁଆ ଦେଖିଲା ନାରଣ ମାଷ୍ଟ୍ରଙ୍କ ପୁଅ ସୁର । ହାତରେ ସାରୁପତ୍ରରେ ପୁଳାଏ ଜାମୁକୋଳି ଧରି ଗାଡ଼ି ଅଟକାଉଛି ।

 

ସେ ଗାଡ଼ି ଠିଆ କଲା ।

 

ଭିତରୁ ମୁହଁ ଗଳାଇ ଲୀଳା ଦେଖିଲା, ସୁରିଆ’ଇ । ମୁହଁରେ ହସ ଦଲକାଏ ଚହଲି ଉଠିଲା । ପଚାରିଲା, କୁଆଡ଼େ ଆସିଥିଲୁ କି ଏଣେ—ଏଡ଼େ ରାତିରୁ ।

 

ସୁରିଆ କିଛି ଜବାବ ଦେଲା ନାହିଁ । ଖାଲି ସାରୁପତ୍ର ଛାଁ ଜାମୁକୋଲିତକ ଲୀଳା ଆଡ଼କୁ ବଢ଼େଇ ଦେଇ କହିଲା, ନେ’ । ବାଟରେ ଖାଇବୁ ।

 

ଯଶୋଧାର ସୁର ହାତରୁ କୋଳିତକ ନେଇ ଲୀଳା ହାରକୁ ବଢ଼ାଇଦେଲା ।

 

ଲୀଳା ଅନେଇଲା ସୁରିଆ ଆଡ଼କୁ । ସୁରିଆ ମୁହଁ କେମିତି ଗମ୍ଭୀର ଦିଶୁଛି । ଆଖିରେ ଶାଣିତ ଚାହାଣୀ ।

 

ସେ କହିଲା କୋଳି ତୋଳିବୁ ବୋଲି ଏ ଜାଙ୍ଗୁଲୁ ଜାଙ୍ଗୁଲୁ ରାତିରୁ ଆସି ଜାମୁଗଛରେ ଚଢ଼ୁଛୁ. ମାଷ୍ଟ୍ରେ ଯଦି ଜାଣିବେ ?

 

ସୁରିଆ ଲୀଳା ମୁହଁକୁ ଏକ ତୀକ୍ଷଣ ଦୃଷ୍ଟି ନିକ୍ଷେପ କରି ପୁଣି ମୁହଁ ତଳକୁ କରିଦେଲ । ତା’ପରେ ଆସ୍ତେ ଆସ୍ତେ ଦୌଡ଼ି ପଳାଇଲା ଜାମୁଗଛ ତୋଟାଆଡ଼କୁ ଏକ ଦମରେ । ରଘୁଆ ପାଞ୍ଚଣଟା ବଳଦ ଉପରେ ପିଟିଦେଇ କହିଲା, ଚାଲ....

 

ଲୀଳା ଦେହରେ ସେଇ ପାଞ୍ଚଣ ପାହାରଟା ସତେ ଯେମିତ ପିଟି ହୋଇଗଲା ଯଶୋଧାର କୋଳରେ ସେ ମୁହଁ ଗୁଞ୍ଜି ଦେଇ କାନ୍ଦିଉଠିଲା— ଏଁ—ଏଁ

 

ସକାଳର ଆଲୁଅ ସେତେବେଳକୁ କ୍ରମେ ପରିଷ୍କାର ହୋଇ ଆସୁଥିଲା ।

 

ଲୀଳା ଗାଁ ଛାଡ଼ି ଚାଲିଯିବା ପରେ ସୁରିଆ ଆଖିରେ ଗାଁର ଶ୍ୟାମଳିମା କେମିତି ଧୁସର ହୋଇଉଠିଲା । ଗାଁର ସେଇ ପରିଚିତ ବିଲ, ବଣ, ମାଟି ଶୂନ୍ୟତାରେ ହାହାକାର କରିବାକୁ ଲାଗିଲା-। ସ୍କୁଲର ପଢ଼ିବା ଘରକୁ ଗଲେ ସବୁ ଥିବା ଭିତରେ ତାକୁ କେମିତ କିଛି ନ ଥିଲା ଭଳି ଲାଗେ-। ଅକାରଣରେ ପଢ଼ିବାବେଳେ ସେ ଅନ୍ୟମନସ୍କ ହୋଇଉଠେ—ଗୋଟାଏ କଛି ପ୍ରଶ୍ନ ପଚାରଗଲେ ସେ ଅନ୍ୟ ଗୋଟିଏ ପ୍ରଶ୍ନର ଖିଅ ଧରି ଉତ୍ତର ଦିଏ । ମାଡ଼ ଖାଏ, ଗାଳି ଖାଏ; କିନ୍ତୁ ମନରେ ତା’ର କିଛି ପରିବର୍ତ୍ତନ ହୁଏ ନାହିଁ ।

 

ସ୍କୁଲ ଫେରନ୍ତି ଜାମୁକୋଳି ଗଛ ପାଖରେ ଠିଆହୋଇ ସେ ଦୂରକୁ ଅନାଏ—ଅପେକ୍ଷା କରେ ମନେ ମନେ କାହାକୁ—ଅବୁଝା ଆଖି ଦୁଇଟି ତା’ର କାହାକୁ ଖୋଜି ବୁଲେ—ନିରାଶରେ— ବ୍ୟର୍ଥତାରେ— ।

 

କାହାର ପାଦ ଶବ୍ଦ ଶୁଣିଲେ ସେ ପଛକୁ ଫେରି ଅନାଏ ।

 

ଓଃ. ଆର ସାଇ ପଦନା ଗୁଡ଼ିଆ ମିଠେଇ ପସରା ନେଇ ଯାଉଛି । ନା, ସେ ନୁହେଁ....

 

ବସ୍ତାନିଟି କାଖରେ ଯାକି ସୁରିଆ ଘରମୁହାଁ ଧାଏଁ । ମୁହଁରେ ହସ ମରିଯାଇଥାଏ ତା’ର ଅତି କରୁଣ ଭାବରେ । ଆଖିର ଡୋଳା ଦୁଇଟି ହୋଇ ଆସିଥାଏ ଅଶ୍ରୁ ସଜଳ ।

 

ଦିନାନ୍ତ ସୂର୍ଯ୍ୟର ନାଲି କଅଁଳ ଖରା ଯେତେବେଳେ କଅଁଳା ବାଛୁରି ଭଳି ଆକାଶ କୋଳକୁ ଡେଇଁପଡ଼ିବା ପାଇଁ ଅସ୍ଥିର ହୋଇ ଉଠୁଥାଏ, କାହାର ଆଗମନ ଅପେକ୍ଷାରେ ସୁରିଆ ଚାହିଁ ବସିଥାଏ ସେତେବେଳେ ଗାଁ ଶେଷ ନଈ କୂଳର ବାଲିଗଦା ଉପରେ–

 

ଯେଉଁ ସରୁ ରାସ୍ତାଟି ଲୀଳାର ମାମୁଁ ଘର ଆଡ଼କୁ ଲମ୍ବିଯାଇଛି ସେଇଆଡ଼କୁ ସେ ବାରମ୍ବାର ଅନେଇଥାଏ ଅପଲକ ଆଖିରେ...ମ୍ଳାନବିଧୁର ଗୋଧୂଳିର ଖରା ନଈପଠା–ସୋରିଷ କିଆରିଧାରରେ ଯାଇ ହଜିଯାଏ....ସଂଧ୍ୟା ଆସେ ।

 

କିନ୍ତୁ ସୁରିଆ ଭେଟି ପାଏ ନାହିଁ ତା’ର ମନର ମଣିଷର....

 

ନଈପଠାର ସରୁବାଲିରେ ବସି ସେ ଚିତ୍ର ଆଙ୍କେ ସପନପୁରୀର କେଉଁ ରଜକୁମାରୀର ଛବି ହଠାତ୍‍ କୁଆଡ଼ୁ ଧୂଲି ଝଡ଼ଟିଏ ଆସି ତା’ର ଅଙ୍କିତ ଚିତ୍ରକୁ ବିପର୍ଯ୍ୟସ୍ତ କରିଦିଏ...ହତାଶରେ ଉଠିଆସେ ସୁରିଆ....

 

ସୁରିଆ ଉଠିଆସେ ଆସନ୍ନ ସଂଧ୍ୟାର ପ୍ରାୟାନ୍ଧକାର ମଧ୍ୟରେ ଧୀର ମନ୍ଥର ଗତିରେ । ବାଉରି ସାହି ଗୋବରା ସାଙ୍ଗରେ ବସି ସେ ବଇଁଶୀ ଫୁଙ୍କେ.....

 

ଏଇ କେତେଦିନ ଉପରେ ଖୁବ୍‍ ସୁନ୍ଦର ବଇଁଶୀ ବଜେଇ ଶିଖିଛି ସୁରିଆ । ପବନର ତରଙ୍ଗରେ ବଂଶୀର ସ୍ଵର ତା’ର ବେଶ୍‍ ଚମତ୍କାର ଶୁଭେ....

 

ନାରଣ ମାଷ୍ଟ୍ରେ ଖୋଜି ଖୋଜି ଆସି ତାକୁ ଭେଟନ୍ତି ବାଉରି ସାହିରେ ବଇଁଶୀ ଫୁଙ୍କିବା ଦେଖି ତାଙ୍କ ହାଡ଼ ଜଲିଯାଏ । ସେଇ ବାଉଁଶ ବଇଁଶୀ ଛଡ଼ାଇ ସେ ସୁରିଆକୁ ପିଟନ୍ତି ।

 

ସୁରିଆ ନିର୍ବିକାର ଭାବରେ ସେ ନିର୍ଘାତ ମାଡ଼କୁ ସହ୍ୟକରି ଆସି ପଢ଼ାଘରେ ବସେ ଖାତାରେ ଲେଖାଲେଖି କରେ... ଅଙ୍କ କଷେ.....

 

ନାରଣ ମାଷ୍ଟ୍ରେ କଛି ସମୟ ପରେ ଆସି ଦେଖନ୍ତି ପଢ଼ୁ ପଢ଼ୁ ସୁରିଆ କେତେବେଳେ ନିଦରେ ଶୋଇଯାଇଛି ଅଙ୍କ ଖାତା ଆଣି ଦେଖନ୍ତି ଅଙ୍କଖାତାରେ ହୋଇଛି ଗୋଟିଏ ନାରୀଚିତ୍ର....”

 

ବିରକ୍ତିରେ ସେ ଅତିଷ୍ଠ ହୋଇଉଠନ୍ତି ।

 

ଏଇ ସୁରିଆ ଉପରେ ତାଙ୍କର କେତେ ଭରସା...ସୁରିଆ ମଣିଷ ହେବ....ବଡ଼ଲୋକ ହେବ.....ଦାରିଦ୍ର୍ୟର ନର୍କ ଭିତରୁ ତାଙ୍କୁ ଉଦ୍ଧାର କରି ସମାଜରେ ପ୍ରତିଷ୍ଠିତ କରାଇବ—ସମସ୍ତେ କହିବେ ନାରଣ ମାଷ୍ଟ୍ରେ ଯେତେହେଲେ ପିଲାକୁ ମଣିଷ କଲେ !

 

କିନ୍ତୁ ଏ କ’ଣ ହେଉଛି ?

ଅଙ୍କ କଷିବା ବଦଳରେ ଖାତାରେ ଚିତ୍ର ଆଙ୍କୁଛି ସୁରିଆ । ପାଠ ପଢ଼ିବା ବଦଳରେ ବାଉରି ସାହିରେ ବଇଁଶୀ ବଜାଉଛି !!

ରାଗରେ ସୁରିଆକୁ ହଲେଇ ଦେଇ ସେ ଚିତ୍‍ତ୍କାର କରିଉଠନ୍ତି । ପାଖ ଘରୁ ଦୌଡ଼ିଆସି ହେମାଙ୍ଗିନୀ କହନ୍ତି, ତମେ କ’ଣ ପିଲାଟାକୁ ରଖିଥୋଇ ଦେବ ନାହିଁ—ସବୁବେଳେ ଖାଲି ପାଠ—ବହି ଖାତା ମାଡ଼ ।

ପାଠ ଉପରେ ହେମାଙ୍ଗିନୀଙ୍କର କେଉଁ କାରଣରୁ କାହିଁକ ଭାରି ଅନାସ୍ତା ।

ନାରଣ ମାଷ୍ଟ୍ରେ ଚୁପ୍‍ ହୋଇଯାଆନ୍ତି । ଦୁଃଖରେ ମନ ତାଙ୍କର ଭାରି ହୋଇଉଠେ ।

ଏମିତି ବର୍ଷେ, ଦୁଇବର୍ଷ, ତନିବର୍ଷ ।

ବର୍ଷ ପରେ ବର୍ଷ ବିତିଯିବାକୁ ଲାଗିଲା । ଜାମୁକୋଳି ଗଛରେ ମୁଥକୁ ମୁଥ କୋଳି ହୋଇ ଝଡ଼ିଗଲା । ତୋଟାରେ ଗାଁ ପାଖ ଅଳକା ନଈରେ ଅନେକ ଥର ବଢ଼ି ଆସି ନିମଖଣ୍ଡି ଗାଁର ପାଦ ଧୋଇଦେଇ ପୁଣି ଶୁଖିଗଲା କାହିଁ କୁଆଡ଼େ ।

ଜାମୁ ତୋଟାରେ ଠିଆ ହୋଇ, ନଈ ପଠାରେ ବସି ବସି ସୁରିଆ ଆଖିରୁ ପାଣି ମଲା–କିନ୍ତୁ ଆସିଲା ନାହିଁ ଲୀଳା ଗାଁକୁ । ସବୁଥର ଚିଠି ଲେଖେ, ଏଇଥର ଗ୍ରୀଷ୍ମ ଛୁଟିରେ ସ୍କୁଲ ବନ୍ଦ ହେଲେ ଗାଁକୁ ଯିବ–କେତେ ଆଶାରେ ଅନେଇ ବସେ ସୁରିଆ । ଲୀଳା କିନ୍ତୁ ଆସେ ନାହିଁ–

 

ଲୀଳାର ଚିଠିକୁ ପୁଣି ଥରେ ଭଲ କରି ଦେଖେ ସୁରିଆ, ଅକ୍ଷରଗୁଡ଼ାକ ତା’ର ସୁନ୍ଦର ଗୋଲ୍‍ ଗୋଲ୍‍ ହୋଇଉଠୁଛି ଦିନକୁ ଦିନ । ଶ୍ରେଣୀରେ ଭଲ ପଢ଼ୁଛି ବୋଧହୁଏ । ଏଇ ଗୋଲ୍‍ ଗୋଲ୍‍ ଅକ୍ଷର ଭଳି ଲୀଳା ସମ୍ଭବତଃ ଆହୁରି ସୁନ୍ଦର ହୋଇ ଉଠିବଣି । କଥା କହିବାର ରଙ୍ଗ ତା’ର ବଦଳିଯିବଣି ।

 

କିନ୍ତୁ ସେ ।

 

ସେ ଗାଁ ଅପର ପ୍ରାଇମେରି ସ୍କୁଲର ସୀମା ଡେଇଁ ପାଖ ହାଇସ୍କୁଲରେ ନାମ ଲେଖାଇଲାଣି କିନ୍ତୁ ପାଠପଢ଼ାରେ ସେମିତି କିଛି ତା’ର ଉନ୍ନତି ହୋଇ ନାହିଁ ।

 

ଥରେ ଲୀଳାକୁ ନ ହରେଇ ଶ୍ରେଣୀରେ ଫାଷ୍ଟ୍‍ ନ ହେବାକୁ ସେ ଜାଣି ଜାଣି ଅଙ୍କ ଦୁଇଖଣ୍ଡ ଭୁଲ୍‍ କରି ଦେଇ ଆସିଥିଲା । ପରୀକ୍ଷାରେ ସେଇଦିନୁ ଚେଷ୍ଟା କରି ମଧ୍ୟ ଆଉ ସେ ଫାଷ୍ଟ୍‍ କି ସେକେଣ୍ଡ କିଛି ହୋଇପାରୁ ନାହିଁ...ଲୀଳା ତାକୁ ଛାଡ଼ି ତା’ର ମାମୁଁ ଘର ଗାଁ’କୁ ଚାଲିଯିବା ପରେ ପାଠ ପଢ଼ିବାର ପ୍ରବୃତ୍ତି ଆଗ୍ରହ ତା’ର କେମିତି ଲୋପ ପାଇଯାଇଛି ।

 

ଶ୍ରେଣୀକୁ ଗଲେ ତାକୁ କେମିତି ଖାଁ ଖାଁ ଲାଗେ । କାହାରି ସହିତ ମିଶି ହସି ଖେଳିପାରେ ନାହିଁ ସେ ପାଠ ପଢ଼ିଲାବେଳେ ଅନ୍ୟମନସ୍କ ହୋଇ ରହେ—ଶ୍ରେଣୀରେ ପାଠପଢ଼ା ହେଉଥିବାବେଳେ ରଫ ଖାତାରେ ବସି ସେ ଚିତ୍ର କରେ...

 

ଗାଁ’ରେ, ଘରେ ସମସ୍ତେ ଅବାକ୍‍ ହୁଅନ୍ତି ।

 

ସୁରିଆ ବଦଳି ଯାଉଛି । ଆଗର ଦୁଷ୍ଟାମୀ ନାହିଁ । ଗଛଚଢ଼ା, ମାଙ୍କଡ଼ ହୁରୁଡ଼ା ସେ ପାଶୋରି ପକାଇଛି । କାହାର ସହିତ ଆଗ ଭଳି ମାଡପିଟ୍‍ କରିବାରେ ଆଗ୍ରହ ନାହିଁ ।

 

କେହି ତା’ ସହିତ କଜିଆ କି ମାରପିଟ କଲେ ସେ ଚୁପ୍‍ ହୋଇଯାଏ । ବଡ଼ ବଡ଼ ଆଖିରେ ସେମାନଙ୍କୁ ଅନାଏ । ତା’ପରେ ଦୃଷ୍ଟି ତଳକୁ କରି ପଳାଇଆସେ ।

 

ସୁରିଆ ଦିନକୁ ଦିନ ବଦଳି ଯାଉଛି ।

 

ଏଇ କେଇ ବର୍ଷ ଭିତରେ ଅସମ୍ଭବ ରକମର ଡେଙ୍ଗା ହୋଇଯାଇଛି ସେ । ଦେହର ଗୋରା ରଙ୍ଗ ତମ୍ବାଳିଆ ହୋଇଯାଇଛି । ଆଖି ପତାତଳେ ପଡ଼ିଯାଇଛି ଗୋଟାଏ ଲେଖାଁ କଳାଗାର ।

 

ଏଇ କେତେଟା ବା ବର୍ଷ !

 

ସୁରିଆ ନିଜେ ଅନୁଭବ କରେ ସେ କେମିତି ଭିନ୍ନ ପ୍ରକାରର ହୋଇଯାଉଛି । ଗାଁ’ର ଲୋକଙ୍କ ଭିତରେ ସତେ ଯେମିତି ସେ ଏକୁଟିଆ । ବୟସ୍କ ଲୋକଙ୍କ ସହିତ ସେ ମିଶିପାରେ ନାହିଁ-। ସେମାନେ ଯଦି କଥାବାର୍ତ୍ତା ହେଉଥାନ୍ତି, ସୁରିଆ ସେଠି ପହଞ୍ଚିଗଲେ ସେମାନଙ୍କ କଥାବାର୍ତ୍ତା ଅନେକ ସମୟରେ ବନ୍ଦ ହୋଇଯାଏ । ସେମାନଙ୍କ କଥାବାର୍ତ୍ତା ସୁରିଆ ଶୁଣୁ, ସତେ ଯେମିତି ସେମାନେ ତାହା ଚାହାନ୍ତି ନାହିଁ !

 

ଛୋଟ ଛୋଟ ପିଲାଙ୍କ ସାଙ୍ଗରେ ମିଶି ଖେଳିବାକୁ ସୁରିଆକୁ ଆପେ ଆପେ କେମିତି ସଙ୍କୋଚ ଆସେ । ହାଇସ୍କୁଲରେ ସେ ପଢ଼ିଲାଣି । କେଡ଼େ କେଡ଼େ ମୋଟା ବହି ସେ ପଢ଼ୁଛି । ଛୋଟ ପିଲାଙ୍କ ସାଙ୍ଗରେ ସେ ମିଶିବ କେମିତି !

 

ନିଜ ଅଜାଣତରେ, ଅନିଚ୍ଛା ସତ୍ତ୍ୱେ ସେ ଏକୁଟିଆ ହୋଇଯାଏ ।

 

ଏକୁଟିଆ ସେ ବସି କାଗଜରେ ଚିତ୍ର କରେ—ନଈ ପଠା ବାଲରେ ଛବି କରି ଲିଭାଏ । ବେଳେବେଳେ ଜାମୁତୋଟାରେ ବଇଁଶୀ ବଜାଏ—

 

ଦିନ, ମାସ, ବର୍ଷ ବଢ଼ିବା ସଙ୍ଗେ ସଙ୍ଗେ ଲୀଳାର ସ୍ମୃତି ମନରୁ ତା’ର କ୍ରମେ କ୍ରମେ ନିଭି ଆସେ—ଆଗ ଭଳି ଲୀଳା କଥା ମନେପକାଇ ସେ ଆଖି ଓଦା କରେ ନାହିଁ, ରାତି ଅନିଦ୍ରା ହୁଏ ନାହିଁ । କିନ୍ତୁ ହଠାତ୍‍ କେବେ କେମିତି ଉଦାସିଆ ଅପରାହ୍ନରେ କିମ୍ବା କ୍ଳାନ୍ତ ଗୋଧୂଳିରେ ପଛକଥା ମନେ ପଡ଼ିଗଲେ ଛାତି ଭୀତରଟା ତା’ର କେମିତି କେମିତି ହୋଇଯାଏ ।

 

ଆଉ ଲୀଳା.... !!

 

ପୋଖରିକୂଳ ଲେଉଆ ଗଛ ଉପରେ ଚଢ଼ି ଲୀଳା କହେ, କହିଲୁ ଧୀରା ! ଏଇ ଯେଉଁ ଧାନ ବିଲ ଦିଶୁଛି ତା’ର କେତେ ଦୂରରେ ଆମ ଗାଁ !

 

ଯଶୋଧାରା କହେ, ବହୁତ ଦୂର ଅନେକ ବାଟ ପାଞ୍ଚ, ସାତ କୋଶ ହେବ ।

 

ଲୀଳା ପ୍ରଶ୍ନ କରେ, ମୁଁ ଏକୁଟିଆ ଚାଲି ଯାଇପାରିବି ନାଇଁ ? କୋଉଦିନୁ ଗାଁ’କୁ ଯାଇନି....

 

ଯଶୋଧାରା ଟିକିଏ ହସିଦିଏ । କହେ, ନନା କହିଛନ୍ତି ଆଉ କେଉଁଦିନ ଆସିବେ—ମିଝିରେ ଘରକୁ ଯାଇ ଲାଭ କ’ଣ ?

 

ଲୀଳା ଗୁମ୍‍ ଖାଇଯାଏ । ଘରକୁ ଯିବ ଯିବ ବୋଲି ସେ ଅନେକ ଥର ବସିଛି । କେତେ ଛୁଟି ଗଲାଣି । କେତେ ଥର ସେ ଏଇ ଲେଉଆ ଗଛରେ ଚଢ଼ି ତା’ ଗାଁ ଆଡ଼କୁ ଅନାଏ । ଭାବେ, ଗାଁ’କୁ ଯିବ । ସୁରିଆ’ଇ ସହିତ ଖେଳିବ । ନଈପଠା, ଜାମୁତୋଟା ଆଡ଼େ ବୁଲିବ । କେତେ ଥର ଯିବ ବୋଲି ସେ ସୁରୀଆ’ଇକୁ ଚିଠି ଲେଖିଛି । ହେଲେ କୋଉଥର ସେ ଯାଇପାରିନି ।

 

ନନା ତେଣୁ ଖବର ପଠାନ୍ତି, ଏଠିକି ଆସିବା ଦରକାର ନାହିଁ । ଏଠି ଗାଁ ପିଲାଙ୍କ ସାଙ୍ଗରେ ମିଶି ଖରାପ ହୋଇଯିବୁ । ଯାହା ଦରକାର, ଲେଖ୍‍—କିଣିକରି ସବୁ ପଠାଇ ଦେବି । ଏଠିକି ଆସିବା ନାଁ ଧରନା । ମୁଁ ଯାଇଁ ପଛେ ଦେଖି ଆସିବି.....

 

ଲୀଳା ମନ ବିଦ୍ରୋହ କରେ । ଛଟପଟ ହୁଏ । ନା . .ନା, ମୁଁ ଯିବି । ଛୁଟି ହେଲେ ସମସ୍ତେ ଘରକୁ ଯାଉଛନ୍ତି । ମୁଁ କାହିଁକ ମାମୁଁ ଘରେ ପଡ଼ି ରହିବି ?

 

ଯଶୋଧାରା ଲୀଳା କଥା ଶୁଣି ଆଖି ଦେଖାଏ । କହେ, ନନାଙ୍କ ରାଗ ଜାଣିଛୁଟି ! ଘରେ ଯାଇ କ’ଣ କରିବୁ ?

 

ଲୀଳା ଚୁପ୍‍ ହୋଇଯାଏ । ହେଲେ ମନ ଭିତରେ ଗୋଟାଏ ଚାପା ଅସନ୍ତୋଷର ନିଆଁ କୁହୁଳିଥାଏ । ସୁରିଆ’ଇକୁ ଦେଖିବ ବୋଲି କାହାରି ଆଗରେ ମୁହଁ ଖୋଲି ସିନା କହିପାରେ ନାହିଁ, କିନ୍ତୁ ସେଇଥପାଇଁ ମନଟା ଭାରି ଗୋଳେଇଘାଣ୍ଟି ହୁଏ ।

 

ସ୍କୁଲରେ ଭଲ ପଢ଼େ ବୋଲି ଲୀଳାର ଭାରି ଖ୍ୟାତି । ଅନେକ ଥର ସେ ସ୍କୁଲରୁ ଭଲ ପାଠ ପଢ଼ିବା ପାଇଁ ପୁରସ୍କାର ପାଏ । କିନ୍ତୁ କେଜାଣି କାହିଁକି ସେଥିରୁ କିଛି ଆନନ୍ଦ ତାକୁ ମିଳେ ନାହିଁ ।

 

ଅନେକ ସମୟରେ ସୁରିଆ’ଇ ବାନ୍ଧିଦେଇଥିବା ଖେଳନା, ବାଜା ପୁଡ଼ାକୁ ସେ ଫିଟାଏ । ଖେଳିବାକୁ ଆରମ୍ଭ କରେ । ମାମୁଁ ଘର ଗାଁର ଅନେକ ପିଲା ଆସି ଲୀଳା ସହିତ ଖେଳିବାକୁ ଭିଡ଼ ଜମାନ୍ତି । କିନ୍ତୁ ଲୀଳା ସେ ପୁଡ଼ାର କୌଣସି ଖେଳନାରେ କେହି ହାତ ଦେଲେ ଚିଡ଼ି ଉଠେ । ସମସ୍ତଙ୍କୁ ତଡ଼ିଦେଇ ନିଜ ଖେଳନାପୁଡ଼ା ଧରି ପଳାଇ ଆସେ । କ୍ରମେ କ୍ରମେ ଧୂଲିଖେଳ ଘରର ବୟସ ଡେଇଁଆସିଲା ଲୀଳା । ଚପଳ ବାଳିକା ବୟସର ସୀମା ଡେଇଁ ସେ ଆଗେଇ ଆସିଲା ଆଗକୁ ।

 

ମାଈଁ ବାରଣ କଲେ, ତମେ ଫ୍ରକ୍‍ ପିନ୍ଧି ବାହାରକୁ ବାହାରନା ଲୀଳା, ଏଣିକି ଶାଢ଼ୀ ପିନ୍ଧ-। ଦେଖୁନ, ସାହି ଝିଅ ସବୁ କେମିତି ଶାଢ଼ୀ ପିନ୍ଧୁଛନ୍ତି ।

 

ନିଜ ଅନିଚ୍ଛାସତ୍ତ୍ୱେ ଲୀଳା ଦେହରେ ଶାଢ଼ୀ ଗୁଡ଼େଇହେଲା । ଅବାଗିଆ ଅବାଗିଆ ଲାଗୁଥାଏ । ପ୍ରଥମେ ଶାଢ଼ୀ ପିନ୍ଧି ସ୍କୁଲକୁ ଗଲାଦିନ ତା’ର ଖାଲି ମନେ ପଡ଼ୁଥାଏ ସୁରିଆ’ଇ କଥା । ସୁରିଆ’ଇ କ’ଣ ଏବେ ସେଇ ଛୋଟ ହାଫ୍‍ ପ୍ୟାଣ୍ଟ୍‍ ପିନ୍ଧୁଥିବ ।

 

ଲୀଳା ଅନେକ ଥର ଚିଠି ଲେଖିଛି, ତମେ ଟିକିଏ ଆସ ଏଣିକି ସୁରିଆ’ଇ । ମୁଁ ତ ଏଠୁ ଯାଇପାରୁନି । ତମେ କ’ଣ ଟିକିଏ ଆସି ଦେଖାକରି ଯାଇପାରନ୍ତ ନାଇଁ ।

 

ସୁରିଆ’ଇ ଆସେ ନାହିଁ ।

 

ଲୀଳା ଆଖିର ପାଣି ଶୁଖିଯାଏ ଆସି ତା’ର ଗାଲ ଉପରେ ।

 

ସ୍କୁଲ୍‍ର ଗୋଟିଏ ପରେ ଗୋଟିଏ ପାହାଚ ଡେଇଁ ଆଗକୁ ବଢ଼ିବାରେ ଲାଗିଲା । ସପ୍ତମରୁ ଅଷ୍ଟମ । ଅଷ୍ଟମରୁ ନବମ । ନବମରୁ ଦଶମ । ଗୋଟିଏ ପରେ ଗୋଟିଏ । ବର୍ଷକ ପରେ ବର୍ଷ ଗଡ଼ିଯିବା ସଙ୍ଗେ ସଙ୍ଗେ ମନର କେତେ ସୁତାଖିଅ ଏଣେତେଣେ ଗୁଡ଼େଇ ହୋଇଯାଏ । କେତେ ଜ୍ଞାନ, ଅଭିଜ୍ଞତା ମନସାରା ଖେଳେଇ ହୋଇପଡ଼େ । ଲୀଳା ଆଗକୁ ବଢ଼େ—ଖୁବ୍‍ ଆଗକୁ-

 

ଏତେଦିନ ଧରି ଗାଁକୁ ନ ଯିବା ଫଳରେ ଗାଁର ଚିତ୍ର ବି ଆଖି ଆଗରୁ ଝାପ୍‌ସା ଝାପ୍‌ସା ହୋଇଗଲାଣି । ଗାଁର ସ୍କୁଲଘର, ଚାଳ, କଦଳୀ ଗଛ, ନଈକୂଳ, ଜାମୁ ତୋଟା ସବୁ କେମିତି ଅସ୍ପଷ୍ଟ ହୋଇଗଲାଣି ।

 

ଗାଁ ଲେକଙ୍କ ମୁହଁ ବି ପାଶୋର ଗଲାଣି ମନରୁ ।

 

କେବଳ ଚିତ୍ରପଟ ଭଳି ଗୋଟିଏ ମୁହଁ ବେଳେ ବେଳେ ଲୀଳା ଆଖିରେ ହଠାତ୍‍ ଝଲମଲ ହୋଇଉଠେ ।

 

ସେ ମୁହଁଟି ସୁରିଆ’ଇର...

 

ସ୍କୁଲରେ ସେ ଗ୍ଲୋବ୍‍ ଭାଙ୍ଗିବା ପରେ ତା’ ପାଇଁ ଯିଏ ମାଡ଼ ଖାଇବାକୁ ପିଠି ଦେଖାଇଥିଲା—

 

ତାକୁ କ୍ଳାସରେ ଫାଷ୍ଟ୍‍ କରିବାକୁ ଯାଇ ନିଜେ ଯିଏ ଜାଣି ଜାଣି ପରିକ୍ଷାରେ ଅଙ୍କ ନ କରି ଛାଡ଼ିଦେଇ ଆସିଥିଲା—

 

ଗାଁ ଛାଡ଼ି ଆସିଲାଦିନ ସାରୁପତ୍ରରେ ଜାମୁକୋଳି ଯିଏ ଗୁଞ୍ଜିଦେଇ ଯାଇଥିଲା ତା’ ହାତରେ...ସେଇ ସୁରିଆ’ଇ !

 

ସୁରୀଆ’ଇ କଥା ମନେପଡ଼ିଲେ ଲୀଳା ମନ ଭିତରେ କେମିତି ଗୋଟିଏ ଜୁଆର ଉଠିଆସେ । ସେ ଜୁଆର ଏକ ଅକୁହା ଦୁଃଖର ଜୁଆର ।

 

ସେଦିନ ଛାଇ ଲେଉଟାବେଳେ ସୁରିଆ’ଇ ବାନ୍ଧି ଦେଇଥିବା କଣ୍ଡେଇ ବାଜା ପୁଡ଼ାଟି ଫିଟାଇ ଲୀଳା ଖେଲୁଥିଲା । କଣ୍ଟେଇକୁ ଶାଢ଼ୀ ପିନ୍ଧାଇଦେଇ ଗେଲ କରୁଥିଲା, ପୁଣି ରାଗି ତା’ ଉପରେ ତୋଡ଼ କାଢ଼ୁଥିଲା । ପାଖରେ କେହି ନାହିଁ । ଏକା ଏକା ।

 

ମାଈଁ ସେଇ ପାଖ ଦେଇ ଯାଉଥିଲେ ପଡ଼ିଆ ଘରକୁ । ତାଙ୍କ ଆଖି ପଡ଼ିଗଲା । ସେ ଆନନ୍ଦ ବିଷ୍ମୟରେ ହସିଉଠିଲେ ।

 

ଚକିତା ହରଣୀ ଭଳି ପଛକୁ ଚାହିଁ ଲୀଳା ଦେଖିଲା, ମାଈଁ । ଅପ୍ରତିଭ ହୋଇ ସେ ଜିଭ କାମୁଡ଼ି ପକାଇଲା ।

 

ମାଈଁ ହସି ହସି କହିଲେ, ଏଡ଼ୁଟିଏ ହେଲଣି, ବସି କଣ୍ଢେଇ ସାଙ୍ଗରେ ଖେଲୁଚ ! ଯିଏ ଦେଖିବ ।

 

ମାଈଁ ଏତିକ କହିଦେଇ ନିଜ କାମରେ ଚାଲିଗଲେ । ଲୀଳା ତଟସ୍ଥ ହୋଇଗଲା । କଣ୍ଢେଇତକ ପୁଣି ବାନ୍ଧିବୁନ୍ଧି ଦେଇ ସେ ହେଜିବାକୁ ଲାଗିଲା ମାଈଁଙ୍କ କଥା ପଦକ...ଏଡ଼ୁଟିଏ ହେଲଣି ।

 

ଚମକ ଲାଗିଛି ଲୀଳାର କିଶୋରି ମନରେ । ସେ ନିଜ ଆଡ଼କୁ ଯେତେ ବେଶୀ ବେଶୀ ଅନଉଛି ସେତେ ବେଶୀ ମାଈଁଙ୍କ କଥା ବୁଝି ହୋଇଯାଉଛି ତା’ ମନକୁ ସେ ବୁଝୁଛି କଣ୍ଢେଇ ସଙ୍ଗରେ ଖେଲିବାର ବୟସ ସେ ଡେଇଁ ଆସିଲାଣି । ଧୂଲିଘରର ମମତା ତାକୁ ତୁଟେଇବାକୁ ହେବ-

 

ଆଉ ସୁରିଆ’ଇ ।

 

ସେ କ’ଣ ଆଉ ବାଲିଘର କରୁଥିବ ?

 

ଲୀଳାର ମନ ଉଚ୍ଛନ୍ନ ହେଲା, ସେ ଗାଁକୁ ଯିବ । ଦେଖିବ ଯାଇ ସୁରିଆ’ଇକୁ । ସୁରିଆ’ଇ କେଡ଼ୁଟିଏ ହୋଇଯିବଣି ।

 

ସେଦିନ ସଂଜବେଳେ ଯଶୋଧାରା ପାଖରେ ଅଳିକଲା ଲୀଳା—ମତେ ତୁ ଆମ ଗାଁକୁ ନେଇ ଚାଲ୍‍ ଧୀରା । ମୁଁ ଗାଁକୁ ଯିବି । ଯଶୋଧାରା ଆଶ୍ଚର୍ଯ୍ୟ ହେଲା । ପଚାରିଲା, ମାଈଁ କ’ଣ ଗାଳି ଦେଇଛନ୍ତି ? ଲୀଳା କହିଲା, ସୁରିଆ’ଇ କଥା ମନେ ପଡ଼ୁଛି । ମୁଁ ଯିବି.....ସୁରରିଆ’ଇ...

 

ଚମକି ଉଠିଲା ଯଶୋଧାରା I ଲୀଳା ଆଡ଼କୁ ଚାହିଲା । ଲୀଳା ଖୁବ୍‍ ନିରେଖି କରି ଅନାଇଲା । ହଁ, ଲୀଳା ଆଉ ଧୂଲିଘରର ପିଲା ହୋଇ ନାହିଁ । ଛ’ ବର୍ଷ ହେଲା ଗାଁ ଛାଡ଼ି ଆସିଲାଣି-। ସବୁ ସେ ପାଶୋରି ଦେଇଛି । କିନ୍ତୁ ମନେପଡ଼ିଛି ତା’ର କେବଳ ସୁରିଆ କଥା, ନାରଣ ମାଷ୍ଟ୍ରଙ୍କ ପୁଅ ସୁରିଆ ।

 

ଯଶୋଧାରାର ମନ ଆନନ୍ଦ, ବିସ୍ମୟ ଓ ଭୟରେ ଉଲ୍ଲସିତ ହୋଇଉଠିଲା । ଲୀଳାକୁ ବା’ର ପଶିଲା । ବ୍ରାହ୍ମଣ ଘରେ ବିଭାଘର ବୟସ ଏଇ ଏଗାର ବାରବର୍ଷ । ସେ ସେକଥା କେବେ ଭାବି ନାହିଁ । ତା’ ଛଡ଼ା ଲୀଳା ପାଇଁ ଭାବିବାକୁ କିଏ ଅଛି ?

 

ଲୀଳା ପୁଣି ପଚାରିଲା, ଘରକୁ ଯିବା ନାଇଁ ?

 

ଯଶୋଧାରା ହସିଲା ହସନ୍ତ ଗଳାରେ କହିଲା, ମୁଁ ନନାଙ୍କୁ ଲେଖେ । ତୋର ଛୁଟି ହେଉ, ଯିବା ।

 

ସ୍କୁଲରୁ ଫେରି ସୁରୀଆ ଭାତ ଖାଇ ବସି ଥିଲା ।

 

ମିଶ୍ରଘର ଚାକର ବଳିଆ ଆସି ଖବର ଦେଲା, ନାନୀ ଆସି ଛନ୍ତି ବାବୁ । ଡାକୁଛନ୍ତି ଦେଖା କରିବାକୁ....

 

ସୁରିଆ ଦେହରେ ଗୋଟିଏ ଚମକ ଖେଲିଗଲା । ନାନୀ ଆସିଛନ୍ତି—କୋଉ ନାନୀରେ-। କାହା କଥା କହୁଛୁ ।

 

ସୁରିଆ ବେଶୀ ବେଶୀ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଗାଁରେ ତାକୁ ଚାକରବାକରମାନେ ଏବେ ସମ୍ମାନ କରି ଶିଖିଲେଣି । ଯେଉଁ ବଳିଆ ତା’ କାନମୋଡ଼ି ଅପମାନିତ କରୁଥିଲା, ଏବେ ସେ ବାବୁ ବାବୁ ଡାକୁଛି....

 

ବଳିଆ କହିଲା, ଲୀଳା ନାନୀଙ୍କ କଥା କହୁଛି । ଆଜି ଆସି ପହଞ୍ଚିଲେ ଯେ...

 

ସୁରିଆର ଭତାଖିଆ ବନ୍ଦ ହୋଇଗଲା । ଲୀଳା ଆସିଛି ! ଲୀଳା ! ଲୀଳା) । ସୁରିଆ ଆଖିରେ ଅନେକ ବର୍ଷ ତଳର ଗୁଡ଼ାଏ ଚିତ୍ର ଛାୟାଛବି ଭଳି ଆସି ନାଚିଗଲା । ତା’ର ପିଲାଦିନର ଧୂଲିଘରର ସହଚରୀ ଲୀଳା ଆସିଛି.।

 

ତୁ’ ଯା—ମୁଁ ଖାଇଦେଇ ଯାଉଛି—

 

ସୁରିଆ କଥା ଶୁଣି ଚାଲିଗଲା ବଳିଆ ।

 

ସୁରିଆ କିନ୍ତୁ ଆଉ କିଛି ଖାଇ ପାରିଲା ନାହିଁ । କୂଅରୁ ପାଣିଗରା କାଖରେ ଆଣି ହେମାଙ୍ଗିନୀ ଭିତରକୁ ଆସିଲେ । ସୁରିଆ କହିଲେ ମୁଁ ଆଉ ଭାତ ଖାଇପାରିବିନି ବୋଉ...ଭୋକ ହେଉନି...ଏ ଘରେ କଂସାତଳେ ଭାତତକ ଘୋଡ଼େଇ ପକାଇ ଯାଉଛି...

 

ହେମାଙ୍ଗିନୀ ଭାବିଲେ, ତରକାରି ବୋଧହୁଏ ଭଲ ହୋଇନି ବୋଲି ସୁରିଆ ଖାଇପାରୁନି । ସେ କହିଲେ, ଟିକିଏ ବଅ’...ମୁଁ କାଗେଜି ଆଚାର ଟିକିଏ ଦେଉଛି ।

 

ସେତେବେଳକୁ ଭାତତକ କଂସା ତଳେ ଘୋଡ଼େଇ ପକେଇ ସୁରିଆ ଆସି ହାତ ଧୋଇଲାଣି । ହେମାଙ୍ଗନୀଙ୍କ କଥା ଶୁଣି ଖାଲି ‘ନାହିଁ, ନାହିଁ’ କହି ସେ ଦାଣ୍ଡକୁ ଚାଲିଆସିଲା ।

 

ଦାଣ୍ଡ ପାଖରୁ ଲୀଳା ଘରଯାଏ ସେ କେତେ ଜୋର୍‌ରେ ଆସିଛି, ସେ କଥା ତା’ର ଖିଆଲ ନାହିଁ । ଲୀଳା ଘର ଦୁଆର ମୁହଁ ପାଖରେ ପହଞ୍ଚିଗଲା ପରେ ହଠାତ୍‍ ସେ ଠିଆ ହୋଇଗଲା ।

 

ଲୀଳା ଆସିଛି । ବର୍ତ୍ତମାନ କ’ଣ କରୁଥିବ ।

 

କେଡ଼ୁଟିଏ ହୋଇ ଯାଇଥିବ ସେ । ବଦଳି ଯାଇ ନ ଥିବ ତା’ର କଥାବର୍ତ୍ତା । କ’ଣ ସେ ଆଗ କହିବ ତାକୁ ।

 

ଏତେଗୁଡ଼ିଏ ପ୍ରଶ୍ନର ଗୋଟିଏ ହେଲେ ଉତ୍ତର ସୁରିଆ ମୁଣ୍ଡରେ ଢୁକିଲା ନାହିଁ । ଘର ଭିତରକୁ ଯିବ କି ନ ଯିବ ସେଇ ଦ୍ୱନ୍ଦରେ ପଡ଼ି ସେ ଠିଆ ହୋଇଗଲା ଦୁଆର ମୁହଁ ପାଖରେ । ଯଶୋଧାରା ଆସୁଥିଲା ଠିକ୍‍ ସେତିକିବେଳକୁ ଦୁଅର ମୁହଁ ଆଡ଼େ । ସୁରିଆକୁ ଦେଖି ଡାକ ପକାଇଲା, କିଏ ସୁର କିରେ । ଆରେ ଭିତରକୁ ଆଶୁନୁ ।

ସୁର ନାମ ଶୁଣି ଲୀଳା ତେଣୁ ଦୌଡ଼ି ଦୌଡ଼ି ଆସୁଥିଲା । ସୁରକୁ ଦେଖି ହଠାତ୍‍ ଠିଆ ହୋଇଗଲା ।

ଏଇ ତା’ର ସୁରିଆ’ଇ ।

ଇସ୍...ମୋଟେ ଚିହ୍ନି ହେଉନାହିଁ । କେତେ ଝଡ଼ି ସରୁ ହୋଇଯାଇଛି । ଡେଙ୍ଗା ହୋଇଯାଇଛି ଅସମ୍ଭବ ଭାବରେ । ମୁଣ୍ଡବାଳଗୁଡ଼ାକ କେମିତି ଟାଆଁସିଆ ଧୂଆଁସିଆ ଦେଖାଯାଉଛି-। ଆଖି ଦୁଇଟି କେମିତି ଫି କାଳିଆ ଭିତରକୁ ପଶିଯାଇଛି ।

ଇସ୍‍ । ଏଇ ତା’ର ସୁରିଆ’ଇ ।

ସୁର ଅନେଇଥିଲା ଏକ ଲୟରେ ଲୀଳାକୁ ।

ଲୀଳା କେତେ ବଦଳି ଯାଇଛି । ଛ’ ସାତ ବର୍ଷର ଟିକିଏ ନାଆଁକୁ ଏଇ ଲୀଳା । ଏଥି ଭିତରେ କେତେ ମୋଟା ହୋଇଗଲାଣି । ଆଖି ଦୁଇଟି ବଡ଼ ବଡ଼ ଆଉ ଉଜ୍ଜଲ ଦିଶୁଛି...ଡୋଳା ଦୁଇଟି ପୋଖରୀର କଳାବିବର ଜଳ ଭଳି ଢଳ ଢଳ, ଜ୍ୟୋତି ଛଳ ଛଳ ଦିଶୁଛି ଏଇ ଲୀଳା ଧୂଲିଘରର ସାର୍ଥୀ ତା’ର ।

 

ଲୀଳା ବଦଳି ଯାଇଛି ।

 

ପାଞ୍ଚ ଛ’ ବର୍ଷର ବ୍ୟବଧାନ । ଦୁହିଁଙ୍କ ଉପରେ କେତେ ଅଦଳ ବଦଳ ।

 

ଲୀଳା ହଠାତ୍‍ ତାକୁ ନମସ୍କାର ପକାଇ ଦେଲାକ୍ଷଣି ସେ ଲାଜରେ ଝାଉଁଳି ପଡ଼ିଲା । ଲୀଳାର ନମସ୍କାରଟା ତାକୁ କେମିତି ଅନୁଚିତ ଆଉ ଅସ୍ୱାଭାବିକ ଜଣା ପଡ଼ୁଥିଲା ।

 

ଲୀଳା କହିଲା, ଭିତରକୁ ଆସୁନ । ସେଠି ଠିଆହୋଇ କ’ଣ ଦେଖୁଛ ?

 

ଯନ୍ତ୍ରଚାଳିତ ଭଳି ଲୀଳା ପଛେ ପଛେ ସୁରିଆ ପଶିଲା ଭିତରକୁ । ଦୁହେଁଯାକ ଖଞ୍ଜା ଭିତରକୁ ପଶିଲେ ।

 

ସୁରୀଆ ଲୀଳାକୁ କ’ଣ କହି କଥା ଆରମ୍ଭ କରିବ, ସେହି କଥା ମନେ ମନେ ଭାବୁଥାଏ-। ଏହି ପାଞ୍ଚବର୍ଷ ଭିତରେ ସେ ଲୀଳାକୁ କହିବ ବୋଲି କେତେ କଥା କେତେଦିନ, କେତେ ରାତ୍ରି ଅନିଦ୍ରା ହୋଇ ଭାବିଛି । କିନ୍ତୁ ଲୀଳାକୁ ଦେଖିଲାକ୍ଷଣି ସେ ସବୁ କଥା ହଠାତ୍‍ କୁଆଡ଼େ ତା’ର ପାଶୋର ଚାଲିଗଲା ।

 

ଲୀଳା ପ୍ରଥମେ କଥା ଆରମ୍ଭ କଲା ।

 

ତମକୁ ମୁଁ କେତେଥର ଲେଖିଛି ଆମ ସ୍କୁଲ ଆଡ଼େ ବୁଲି ଯିବାକୁ । କାଇଁ ଗଲ ନାଇଁ ତ-? ଏଠି କ’ଣ କରୁଥିଲ ?

 

ସୁରିଆ ଲୀଳାର ଅଭିଯୋଗ ପାଖରେ ନିଜେ ଅପରାଧୀ ଭଲି ଠିଆ ହୋଇଥାଏ । ସୁରିଆ ତଥାପି କଛି କଥା କହୁ ନ ଥାଏ । ଲୀଳାର ମନେ ହେଉଥାଏ ସତେ ଯେମିତି ଗୁଡ଼ାଏ କଥା କହିବ କହିବ ବୋଲି ଭାବି ସେ କିଛି କହିପାରୁ ନାହିଁ ।

 

ଏବେ ଜାମୁଗଛରେ କୋଳି ଫଲୁଛି ନା, ସୁରିଆ’ଇ ? ଏଠୁ ଗଲାଦିନୁ ମୋଟେ ଜାମୁକୋଳି ମୁଁ ଖାଇନି ।

 

ସୁରିଆ ଏତେବେଳେକେ ପୁଣି ପାଟି ଖୋଲିଲା, ମୁଁ ଏବେ ଜାମୁତୋଟା ଆଡ଼େ ଯାଉ ନାଇଁ । କୋଳି ପାରୁ ନାଇଁ ।

 

ଡୋଳା ନଚାଇ ନଚାଇ ଲୀଳା କହିଲା, କାଇଁକି ? ସେ ଜାମୁଗଛଟା କ’ଣ ଅପରାଧ କଲା ! ନଈକୂଳ ଆଡ଼େ ଯାଉଛତ !

 

କେବେ କେବେ ଯାଏ, ବେଶୀ ଯିବାକୁ ଭଲ ଲଗେ ନାଇଁ । ସୁରିଆ ଡରି ଡରି ଉତ୍ତର ଦେଲା ଭଳି ଲାଗୁଥାଏ । ସତେ ଯେମିତି ସ୍କୁଲର କୌଣସି ଶିକ୍ଷୟତ୍ରୀ ପାଖରେ ପଚରା ଯାଇଥିବା ପାଠର ଗୁଡ଼ାଏ ଭୁଲ ଉତ୍ତର ସେ ଦେଉଛି ।

 

ଯଶୋଧାରକୁ କହିଦେଇ ଲୀଳା ଡାକଲ, ଆସ ସୁରଭାଇ ! ଜାମୁତୋଟା ଆଡ଼େ ଯିବା କୋଳି ଖାଇବାକୁ ଭାରି ମନ ହେଉଛି ।

 

ସୁରିଆ’ଇ ଡାକରୁ ହଠାତ୍‍ ଏ ସୁରଭାଇ ଡାକ ଶୁଣି ସୁର ପ୍ରଥମେ କାବା ହୋଇଗଲା । କେବଳ ସ୍ଵାସ୍ଥ୍ୟରେ ନୁହେଁ, କଥା କହିବାର ଢଙ୍ଗରେ ମଧ୍ୟ ଲୀଳା ବଦଳି ଯାଇଛି ।

 

ପୁଣି ଡାକିଲା ଲୀଳା କୋଳି ଖାଇଯିବା ପାଇଁ ।

 

ସୁର କହିଲା, ଏ ଖରାବେଳଟାରେ

 

ଏଁ....ଖରାବେଳ ! ....ଲୀଳା ଆଶ୍ଚର୍ଯ୍ୟ ହେବା ଢଙ୍ଗରେ କହିଲା, ଜାମୁକୋଳି ତମେ ମୋଟେ ପାର ନାହିଁ ଖରାବେଳେ ! ... ଆସ ଆସ କହୁଛି ।

 

ସୁର ଗଲା ।

 

ଧୁ,ଧୁ ଖରା ।

ନଈପଠାର ବାଲିରେ ସତେ ଯେମିତ ନିଆଁ ଜଳଯାଉଛି ! ଚାରିଆଡ଼ ନିଃସଙ୍ଗ । ଖାଁ । ଖାଁ । । ପବନରେ ତାତି । ପାଦତଳମାଟିରେ ବି ସେଇ ତାତି ।

 

ସେଇ ତଳ ଉପର ତାତି ଭିତରେ କୁଦିକୁଦି ଚାଲିଛନ୍ତି ସୁର ଆଉ ଲୀଳା । ଏ ତାତି ସତେ ଯେମିତି ଆଜି ସେମାନଙ୍କୁ କାଟୁନି । ସତେ ଯେମିତି ଧୂପ ଖରାବେଳର ଏଇ ଗରମ ତାଙ୍କ ମନର ଉତ୍ତାପଠୁଁ ଖୁବ୍‍ କମ୍‍ ।

 

ଦମକାକୁ ଦମକା ତତଲା ପବନରେ ରକ୍ତ ଶୁଖିଯାଉଛି । ସାପ ବାହାରୁନି ଗାତରୁ । ଏମିତିକା ଏକ ନିର୍ଦ୍ଧୁମ ଖରାବେଳେ ଜାମୁତୋଟାରେ ପହଞ୍ଚିଲେ ଲୀଳା ଆଉ ସୁର ।

 

ଜାମୁଗଛ ମୂଳ ଘାସ ଉପରେ ସୁର ହାତ ଧରି ବସିପଡ଼ିଲା ଲୀଳା । କହିଲା, ମତେ ଏମିତି ଖରାବେଳେ କେବେ ମାମୁଁ କି ମାଈ କେବେ ଘରୁ ବାହାରକୁ ଛାଡ଼ନ୍ତି ନାହିଁ । ସେ ଘର ଭିତରେ ପଶି ପଶି ଯେଉଁ କଷ୍ଟ....

 

ଲୀଳାର କଥା କହିବାର ଢଙ୍ଗରେ ଯେଉଁ ପରିବର୍ତ୍ତନର ସୂଚନା ବାରିହୋଇ ପଡ଼ୁଥିଲା, ତାକୁହିଁ ମନେ ମନେ ଲକ୍ଷ୍ୟ କରୁଥିଲା ସୁର ।

 

କେତେବେଳକେ ସେ କହିଲା, ନଗି ଆଣିଲୁ ନାହିଁ ତ । କୋଳି କେମିତି ପାରିବା ?

 

କାଇଁ ତମେ ଗଛରେ ଚଢ଼ୁନ... ! —ଲୀଳା ମୁହଁରେ ବିସ୍ମୟ ଖେଳାଇ କହିଲା । ଅଳ୍ପ ହସି ସୁର କହିଲା, ଗଛଚଢ଼ା ମୁଁ ଛାଡ଼ିଦେଲିଣି ଅନେକ ଦିନୁ ଲୀଳା ! ଏବେ କେବେ କେମିତି ଗଛରେ ଚଢ଼ିଲେ ଛାତି ଥରୁଛି....ଗୋଡ଼ ପାଦତଳ ଝାଳେଇ ଆସୁଛି...

 

ଗଛଚଢ଼ା ଛାଡ଼ିଦେଲିଣି ! କାହିଁକି ? କେଇଟାରେ.... ! ବେଳକୁ ବେଳ ଲୀଳା ମନରେ ବିସ୍ମୟ କେବଳ ଜମାଟ ବାନ୍ଧି ଆସୁଥିଲା । ଏଇ ଦିନ କେଇଟା ଭୀତରେ ଅନେକ କଥା ଯେ ପରିବର୍ତ୍ତନ ହୋଇଯାଇଛି, ସେକଥା ସତେ ଯେମିତି ସ୍ୱୀକାର କରିବାକୁ ସେ ପ୍ରସ୍ତୁତ ନୁହେଁ !!

 

ସୁର ପୁଣି କହିଲା, ଗଛ ଚଢ଼ିବା ଦୁଷ୍ଟ, ଖରାପ ପିଲାଙ୍କ କାମ ବୋଲି ତୁ ଅନେକ ଥର କହିଛୁ ! ସେ କଥା କ’ଣ ତୁ ଏଇ ଦିନ କେଇଟା ଭିତରେ ପାଶୋରି ପକାଇଲୁଣି !!

 

ଲୀଳା ଟିକିଏ ବିଚଲିତ ହୋଇପଡ଼ିଲା । ତା’ର ମନେହେଲା ସତରେ ସେ ଗୋଟାଏ ଭୁଲ କଥା ସୁରକୁ କହି ପକାଇଛି । ମାଈ କହୁଥିଲେ, ସେ ନିଜେ କଣ୍ଢେଇ ଧରି ଖେଳିବା ବୟସ ଡେଇଁ ଆସୁଛି । ସୁର ଭାଇ ସେମିତି କାହିଁକ ଗଛଚଢ଼ା ବୟସ ଡେଇଁ ନ ଥିବ !

 

ସେ ଏଥର ସୁର ଆଡ଼କୁ ଆଉଥରେ ଭଲକରି ଚାହିଲ । ନରୀକ୍ଷଣ କରି ଦେଖିଲା, ସତେ କ’ଣ ତା’ର ଆଗ ଦିନର ସୁରଭାଇ ବଦଳି ଯାଇଛି ! ସେଇ ମୁହ.. ସେଇ ଆଖି. ସେଇ ହସ....ସେମିତି ଅବିକଳ ଅଛି ।

 

କିନ୍ତୁ ସେଇ ମୁହଁରେ ସେ ଦୁଷ୍ଟାମିର ଚିହ୍ନ ନାହିଁ । ସେ ଆଖିରେ ଫାଜିଲାମିର ଚଞ୍ଚଳତା ନାହିଁ.....ସେଇ ହାତରେ ଔଦ୍ଧତ୍ୟର ଉଦ୍ଦାମତା ନାହିଁ ।

 

ସୁର ଭାଇ ବଦଳି ଯାଇଛି ।

 

ସେ ସୁର ଭାଇ ଦୁଷ୍ଟ, ଫାଜିଲ୍‍ ସୁରିଆ’ଇ ନୁହେଁ !

 

ଏ ସୁର ଭାଇ ଯେମିତି ସତେ ତା’ର ନୁହେଁ ।

 

ସୁର କହିଲା, କ’ଣ ଦେଖୁଛୁ ମୋ’ଠି ? ତୁ ତ ତେଣେ ମାମୁଁ ଘରକୁ ଗଲୁ । ଆଉ ଆସିଲୁ ନାହିଁ । ମୁଁ କ’ଣ ଏକା କୋଳି ପାରିଥାନ୍ତି ? ବର୍ଷ ଦୁଇବର୍ଷ ଗଛରେ ଚଢ଼ି କୋଳି ପାରିଥିଲି । ଏକୁଟିଆ ଖାଇଲାବେଳକୁ ଖଟା ଲାଗିଲା । ସେଇଦିନୁ ଛାଡ଼ିଦେଇଛି ଗଛଚଢ଼ା । ଆଉ ଭଲ ଲଗୁ ନାହିଁ । ଏବେ ପିଲାଙ୍କ ଭଳି ଗଛରେ ଚଢ଼ିଲେ ଲୋକେ କ’ଣ କହିବେ !

 

ପିଲାଙ୍କ ଭଳି—

 

ତେବେ ସେମାନେ କ’ଣ ପିଲା ନୁହନ୍ତି !!

 

ଶିହରଣ ସୃଷ୍ଟି ହେଲା ଲୀଳାବତୀର ରକ୍ତସ୍ରୋତରେ ।

 

ସେ ଯାହା ସୁର ଉପରକୁ ଢଳିକରି ବସିଥିଲା, ଏଥର ସିଧାହୋଇ ବସିଲା । ମନର ଗହନ ଗହୀରରେ କେମିତି କେଜାଣି ତା’ର ସତେ ଯେମିତି ପରାସ ଲାଗିଛି ।

 

ଯେଉଁ ଆଗ୍ରହରେ ଜାମୁକୋଳି ଖାଇବାକୁ ସେ ସୁର ଭାଇ ସାଥୀରେ ଦୌଡ଼ି ଆସିଥିଲା, ସେ ଆଗ୍ରହଟା ଏଭଳି ଭାଙ୍ଗି ଚୂନା ହୋଇଯିବା ଫଳରେ ଶେଷ ଚୈତ୍ରର ଏଇ ଖରା ତା’ ଦେହରେ ଛୁଞ୍ଚି ଭଲି ଫୋଡ଼ି ହୋଇଯିବାକୁ ଲାଗିଲା ।

 

ସେ ଅନେଇଲା ସୁର ଆଡ଼କୁ ଅତି ହତାଶ ଆଖିରେ । ତମେ ଏମିତି ଝଡ଼ିଯାଉଛ କାହିଁକି ସୁରଭାଇ । ଭାରି ଦୁର୍ବଳିଆ ଦେଖାଯାଉଛ ।

 

ହସି ହସି ସୁରେନ୍ଦ୍ର କହିଲା, କାଇଁ ନାଇଁ ତ ? ମୁଁ ଯେମିତି ଥିଲି ସେମିତି....ଝଡ଼ିଗଲି କୁଆଡ଼େ ?

 

ଲୀଳା ସୁରେନ୍ଦ୍ର ର ଏ କଥାରେ ବିଶ୍ଵାସ କରିପାରିଲା ନାହିଁ । ତା’ ବଦଳରେ ହଠାତ୍‍ ଗୋଟାଏ ଅଦ୍ଭୁତ ପ୍ରଶ୍ନ ପଚାରି ବସିଲା, ଏଥର ବାହା ହେବ ନୂଆବୋଉ ଆସିବେ ତମେ ଏମିତି ଝଡ଼ିଗଲେ ତାଙ୍କ ଅତ୍ୟାଚାର ସହପାରିବ ନା ।

 

ଲୀଳାବତୀ ମୁହଁରୁ ଏଭଳି ଆକସ୍ମିକ ପ୍ରଶ୍ନ ଶୁଣି ହଠାତ୍‍ ଅପ୍ରତିଭ ହୋଇପଡ଼ିଲା ସରେନ୍ଦ୍ର-। ତା’ପରେ ହସ ହସ ଗଳାରେ କହିଲା, ମୋ ବାହାଘର ତ ଅନେକ ଡେରି । ତୋ ପାଳି ଆଗେ ପଡ଼ିବ । ଦେଖିବା ନାଇଁ କି ତୁ କେମିତି ଭାରି ଘର ସମ୍ଭାଲି ଓଲଟାଇ ପକାଇବୁ ।

 

ନିଜେ ନିକ୍ଷେପ କରିଥିବା ତୀର ପୁଣି ଓଲଟି ଆସି ତାକୁଇ ଯେ ପୁଣି ବିକ୍ଷତ କରିବ, ଏକଥା ମୋଟେ କଳ୍ପନା କରି ନ ଥିଲା ଲୀଳାବତୀ । ବଡ଼ ହେଲେ ବାହା ହେବାକୁ ହୁଏ, ଏକଥା ସେ ମାମୁଁ ଘରେ ଓ ସ୍କୁଲ ଛାତ୍ରୀ ବନ୍ଧୁଙ୍କଠାରୁ ସବୁ ଶୁଣିଛି । ସେଇ କଥା ପ୍ରସଙ୍ଗରେ ସେ ସୁରଭାଇ ବାହାଘର କଥା କହି ଦେଇଥିଲା । କିନ୍ତୁ ସୁରଭାଇ ପୁଣି ତାକୁ ସେଇ କଥା କହିବ, ଏ ଥିଲା ତା କଳ୍ପନାର ବାହାରେ ।

 

ମାଈଁ ଦିନେ ତାକୁ କହୁଥିଲେ, ତମେ ଏ ରବର କଣ୍ଢେଇକୁ ବର କରି ଆଉ ଖେଳ ନାହିଁ ଲୀଳା । ତମକୁ ସତରେ ଗୋଟିଏ ଭଲ ବରଟିଏ ଏଥର ଆଣିଦେବା.....

 

ସେଦିନ ସେ କଥାର ଓଜନ କିଛି ବୁଝିପାରି ନ ଥିଲା ଲୀଳା । ଅତି ହାଲୁକା ଭାବରେ ସେ ତାକୁ ଉଡ଼ାଇ ଦେଇଥିଲା । କିନ୍ତୁ ସୁର ମୁହଁରୁ ବାହାଘର କଥା ଶୁଣିଲା ପରେ ତାକୁ କେମିତି କଥାଟା ମିଠା ମିଠା ମନେ ହେଲା ।

 

ସେଇ କଥାର ଖିଅ ଧରି ସେ କହିଲା, ମୋ ନାମରେ କହି ତମେ ବାଆଁରେଇ ଦେଇପାରିବ ନାହିଁ ସୁରଭାଇ । ତମେ ଯେମିତି ଦିନକୁ ଦିନ ସରୁ ହୋଇଯାଉଛି ସେ କଥା ଦେଖିଲେ କେହି ହେଲେ ମୋ ନୂଆବୋଉ ହେବାକୁ ରାଜି ହେବେ ନାଇଁ .. ତମେ ଏଥର ଦେହର ଯତ୍ନ ନିଅ ଇସ୍‍ । କ’ଣ ଯେ ହେଲାଣି ତମର ଚେହେରା ।

 

ନଈପଠାର ସରୁ ସରୁ ସୁନା ବାଲି ଦେହରେ ଚିକ୍‍ ଚିକ୍‍ କରୁଥିବା ଖରା ଆଡ଼କୁ ଦୃଷ୍ଟି ଲମ୍ବେଇ ସୁର ଭାବୁଥିଲା ତା ବାହାଘର କଥା ପାଇଁ ଲୀଳାର କାହିଁକି ଏତେ ମୁଣ୍ଡ ବଥାଉଛି ।

 

ଜାମୁକୋଳି ଗଛରେ କୁଆଟିଏ କୁଆଡ଼ୁ ଆସି ବସିଗଲା । ଖସିପଡ଼ିଲା ଗୋଟାଏ ପାଚିଲା ଜାମୁକୋଳି ଠିକ୍‍ ଲୀଳାର ମୁଣ୍ଡ ଉପରେ । କୋଳିକୁ ଧରିନେଇ ଲୀଳା କହିଲା, ନିଅ । ତମେ ସିନା କୋଳି ପାରି ଦେଉ ନ ଥିଲ...ମୁଁ ଦେଉଛି ନିଅ....

 

ନାଇ. ତୁ ଖା’ । କୋଲି ଖାଇବୁ ବୋଲି ଆସିଥିଲୁ ଲୀଳା ଜିଦ୍‍ କଲା, ନାଇଁ ତମେ ଫାଳେ ଖାଅ—ମୁଁ ଫାଳେ ଖାଇବି....

 

ଛି । ମୁଁ ଅଇଁଠା କରିବି, ତୁ ଖାଇବୁ । ତୁ ପରା ବ୍ରାହ୍ମଣ, ଯେତେହେଲେ....

 

ନିଜ ଶାଢ଼ୀ, ଦେହ, ହାତ ଚାରିଆଡ଼କୁ ଅନାଇଁ ଲୀଳା କହିଲା, କାଇଁ ବ୍ରାହ୍ମଣ କାଇଁ । ମୁଁ ତ ଲୀଳା ବ୍ରାହ୍ମଣ ବୋଲି କୋଉଠି ଚିହ୍ନ ମରିଚି ।

 

ହସି ହସି ସୁର କହିଲା, ତୋ ଦେହଯାକ କ’ଣ ବ୍ରାହ୍ମଣ—ବ୍ରାହ୍ମଣ ବୋଲି ଲେଖା ହୋଇଥାନ୍ତା ।

 

ନିଜର କଳା ଭ୍ରୂଲତା ଦୁଇଟାକୁ ନଚାଇ ନଚାଇ ଲୀଳା କହିଲା, ବାଃ ରେ ! ଇତିହାସରେ କ’ଣ ତମର ସବୁବେଳେ ଖାଲି ଗୋଲା ଆଳୁ ରହୁଚି । ସେ ଜାତିଭେଦ କଥାଟା ତମେ ମୋଟେ ପଢ଼ିନି । କ’ଣ ଲେଖାଅଛି ସେଥିରେ । ଯିଏ ଠାକୁର ପୂଜା କରେ ସେ ବ୍ରାହ୍ମଣ, ମୁଁ କୋଉ ଠାକୁର ପୂଜା କରୁଛି ? ନିଅ କୋଳି ଖାଇଦିଅ କହୁଛି ।

 

କୋଳିଟା ସୁରର ମୁହଁରେ ମାଡ଼ିବାକୁ ହାତ ନେଉଥିଲା ଲୀଳା, ହଠାତ୍‍ ଆଖି ପଡ଼ିଗଲା ନନାଙ୍କ ଉପରେ ।

 

ନନାଙ୍କ ମୁହଁ ଗମ୍ଭୀର । ବିଲ ଆଡ଼ୁ ତୋଟା ଦେଇ ସେ ଘରକୁ ଫେରୁଛନ୍ତି ।

 

ସୁର ଦେହ ବି ଝାଳେଇ ଆସିଲା, ଖରାର ଗରମରେ ନୁହେଁ, ଆତଙ୍କର ଭୟରେ ।

 

ଲୀଳା ଚୁପ୍‌କରି କହିଲା, ମୁଁ ବ୍ରାହ୍ମଣ ନୁହେଁ ବ୍ରାହ୍ମଣ ଏଇ ନନା ପଇତା ଚନ୍ଦନ ଦେଖୁନ ।

 

ସୁର ଚୁପ୍‍ ହୋଇ ଠିଆ ହୋଇଥାଏ ।

 

ମିଶ୍ରେ ରାଗିଲା ରାଗିଲା ଆଖିରେ ଅନେଇ ଲୀଳାକୁ ଡାକିଲେ ଲୀଳା ନିଜ ଅନିଚ୍ଛାସତ୍ତ୍ୱେ ଆଗକୁ ଗୋଡ଼ ବଢ଼ାଇଲା ।

 

ଜାମୁତୋଟାରୁ ଫେରି ଲୀଳା ପଲଙ୍କ ଉପରେ ମୁହଁମାଡ଼ି ଶୋଇଲା । ଆଖିକୁ ନିଦ ଆସୁ ନାହିଁ । ସେକଥା ଛଡ଼ା ଅନ୍ୟ କିଛି ଭାବନା ଆସୁ ନାହିଁ ମନକୁ । ଛାତି ଭିତରଟା କାହିଁକି ଧପ୍‍ ଧପ୍‍ ହେଉଛି ।

 

ଯେଉଁ ସୁନାର କଳ୍ପନା ଘେନି ସେ ଗାଁକୁ ଆଣିଥିଲା, ସେ କଲ୍ପନା ଚୂନା ହୋଇଗଲା । ସେ ଗାଁ ବଦଳି ଯାଇଛି । ଲୋକ ବଦଳି ଯାଇଛନ୍ତି । ଯେଉଁ ସୁରିଆ’ଇଠୁଁ ଅନେକ କଥା ଶୁଣିବ, ଅନେକ କଥା ପାଇବ ବୋଲି ଆଶା କରି ଧାଇଁ ଆସିଥିଲା ସେ, ସୁରଭାଇର ଏଭଳି ପରବର୍ତ୍ତନ ଦେଖି ସେ ଆଚମ୍ବିତ ହୋଇଯାଇଛି ।

 

ନା’—ଆଉ ଏ ଗାଁ ନୁହେଁ । ତାକୁ ଏ ଗାଁ ଛାଡ଼ିବାକୁ ହେବ ।

 

ତା’ର ନିଜର କ’ଣ ବଦଳିଛି ।

 

କାହିଁକି ସିଏ ଗାଁ ଦାଣ୍ଡରେ ଧୂଲିଘର କରି ଖେଳିପାରିବ ନାହିଁ । କାହିଁକି ସୁରଭାଇ ଜାମୁଗଛରେ ଚଢ଼ି କୋଳି ତୋଳିଲେ ଗାଁ ଲୋକେ କେତେ ପ୍ରକାର କହିବେ ! ସୁରଭାଇ ସାଙ୍ଗରେ ଏକୁଟିଆ ଜାମୁକୋଳି ଗଛ ପାଖରେ ବସିଲେ କାହିଁକି ନନା ତା’ର ତାକୁ ଗାଳି ଦେବେ ।

 

ଏତେଗୁଡ଼ାଏ ପ୍ରଶ୍ନର କେହି ଗୋଟିଏ ହେଲେ ଉତ୍ତର ଦେଉ ନାହାନ୍ତି । ସମସ୍ତେ କହୁଛନ୍ତି, ତୁ ସେ ବୟସ ଡେଇଁ ଆସିଲୁଣି ଶେଷକୁ ସୁର ଭାଇ ବି ସେଇ କଥା କହିଲେ !

 

ନା, ଆଉ ଏ ଗାଁରେ ରହିହେବ ନାହିଁ । ରହିଲେ ପଛକଥା ମନେପଡ଼ି ବେଶୀ ମନ ଦୁଃଖ ହେବ । ସେ ଯିବ—ସେ ଯିବ ତା’ର ମାମୁଁ ଘର ଗାଁକୁ । ସେଇ ମାମୁଁ ଘର ଭିତରେ ସେ ଲୁଚି ରହିବ.....ସ୍କୁଲରେ ଯାଇ ବହି ପଢ଼ିବ. ପାଶ କରିବ.....ପୁରସ୍କାର ଅଣିବ—ସମସ୍ତେ ତାକୁ ପ୍ରଶଂସା କରିବେ ।

 

ବାସ୍‍—ସେତିକି ।

 

ସମସ୍ତେ ତାଠୁଁ ସେତିକି ଚାହୁଁଛନ୍ତି । ସେ ବେଶୀ କିଛି କରିବ ନାହିଁ ।

 

ଲୀଳା ପଲଙ୍କରୁ ଉଠି ଠିଆହେଲା ତଳେ । ଡାକିଲା ଧୀରା ଧୀରା ! ଯଶୋଧାରା ଲଣ୍ଠନ ପୋଛି ସଞ୍ଜ ବଳୁଥିଲା । ଲୀଳାର ପାଟି ଶୁଣି ଠିଆହେଲା ସେ ଆସି ଦୁଆରେ । ଦିନ ଶେଷର ଅଲୁଅ ସେତେବେଳକୁ ମଇଳା ଧରି ଧରି ଆସୁଥାଏ ।

 

ଲୀଲା କହିଲା ତୁ ନନାଙ୍କୁ କହ କାଲି ଆମେ ମାମୁଁ ଘରକୁ ଚାଲିଯିବା ।

 

ଯଶୋଧାରା ପ୍ରଥମେ କିଛି ବୁଝିପାରିଲା ନାହିଁ । କାଲି ଗାଁକୁ ଆସିବାକୁ ଯିଏ ଅଥୟ ହେଉଥିଲା, ଆଜି ସେ ପୁଣି ଗାଁ ଛାଡ଼ି ଯିବାକୁ ବ୍ୟସ୍ତ ହେଉଛି ! ସେ ପୁଣି ପଚାରିଲା, କ’ଣ କହୁଛୁ ।

 

ଲୀଳା ଟୀକିଏ ଚଢ଼ା ଗଳାରେ କହିଲା,ତୋ କାନରେ କ’ଣ ତେଲ ପକାଇନୁ କି ? କହୁଛି ପରା କାଲି ମାମୁଁ ଘରକୁ ଚାଲିଯିବା । ପଢ଼ା ପଢ଼ି ବହୃତ ଅଛି । ମାଟ୍ରିକ-ଫାଷ୍ଟକ୍ଲାସ ହେଲା । କ’ଣ ତତେ କିଛି ଜଣାପଡ଼ୁନି ।

 

ଯଶୋଧାର ବୁଝିଲା ଲୀଳା ରାଗିଯାଇଛି । ରାଗବେଳେ ତାକୁ କିଛି ପଚାରିଲେ ସେ ନଆଁ ହୋଇଯିବ ।

 

ଯଶୋଧାର ମନେପକାଇବାକୁ ଚେଷ୍ଟା କଲେ କ’ଣ ହୋଇ ପାରେ ଲୀଳାର ରାଗିବାର କାରଣ । ତା’ର ମନେପଡ଼ିଲା ଆଜି ଘଟଣା । ଖରାବେଳେ ନାରଣ ମାଷ୍ଟ୍ରଙ୍କ ପୁଅ ସୁର ସାଙ୍ଗରେ ଜାମୁତୋଟାକୁ ଯାଇଥିଲା ବୋଲି ଲୀଳାକୁ ଭୟଙ୍କର ଭାବରେ ଗାଳି ଦେଇଥିଲେ ମିଶ୍ର । ସେଇଥିପାଇଁ ହୁଏତ ଲୀଳା ମାମୁଁ ଘରକୁ ଫେରିଯିବାକୁ ଲଗାଇଛି ।

 

ଯଶୋଧାର ଏଥର ଓଠରେ ଟିକିଏ ହସ ଖେଳେଇ କହିଲେ, ନନା ଟିକିଏ ଗାଲିଦେଲେ ବୋଲି ତୁ ଏମିତି ରାଗିଯାଉଛୁ । ଛି.....ଏଣିକି ତୋର ବୁଦ୍ଧି ଶୁଦ୍ଧି ହେଲା । ପାଠ ପଢ଼ିଲୁ । ଯାହା ମନ ତା’ ସାଙ୍ଗର, ଯେତେବେଳେ ମନଇଚ୍ଛା ସେତେବେଳେ ଚାଲିଗଲେ ନନା ଆକଟିବେ ନାହିଁ ।

 

ନନା ଗାଲିଦେବା ପରଠାରୁ ଦୁଃଖ, ଅଭିମାନରେ ଲୀଳାର ମନ ଗୋଟିଏ ଜୀବନ୍ତ ଆଗ୍ନେୟଗିରି ଭଳି ହୋଇ ରହିଥିଲା । ଯଶୋଧାରାର ଏଇ ଶେଷ କଥାପଦକରେ ହଠାତ୍‍ ସେ ଜୀବନ୍ତ ଆଗ୍ନେୟଗିରି ଭଳି ଅଗ୍ନି ଉଦାଗାର କରିବାରେ ଲାଗିଲା ।

 

ସେ କଇଁ କଇଁ ହୋଇ କାନ୍ଦିଉଠିଲା ।

 

ମିଶ୍ର ଫେରୁଥିଲେ ସେତେବେଳକୁ ଘରକୁ । ମୂଲିଆମାନେ ଜିଦ୍‌ରେ ମେଣ୍ଟକରି କେହି ହଳ କରୁ ନ ଥିବାରୁ ଜମି ପଡ଼ିଆ ପଡ଼ିଛି । ସେ ଦୁଃଖରେ ମନଟା ତାଙ୍କର ମରି ଯାଇଥିଲା । ଲୀଳାର କାନ୍ଦଣା ଶୁଣି ସେ ହଠାତ୍‍ ଅତିଷ୍ଠ ହୋଇ ଉଠିଲେ । ପଚାରିଲେ’ କ’ଣ ହୋଇଛି ତା’ର । କାହିଁକ ସିଏ କାନ୍ଦୁଛି ?

 

ଯଶୋଧାରା କହିଲା, କାଲି ମାମୁଁ ଘରକୁ ଯିବାକୁ ବସିଛି ।

 

ମିଶ୍ର ଖୁସି ହୋଇ କହିଲେ, ଯାଉ ! ଏଥିରେ କାନ୍ଦିବାର କ’ଣ ଅଛି ? ଆସିଲା ଗାଁକୁ । ବୁଲିଗଲା । ପାଠୁଆ ପିଲା । ପଢ଼ା ପଢ଼ି କରିବାକୁ ଯିବ, ଏଥିରେ କାନ୍ଦିବାର କ’ଣ ଅଛି ? ମୁଁ ଗାଡ଼ି ବନ୍ଦୋବସ୍ତ କରିଦେଉଛି–

 

ଯଶୋଧାର ଆଉ କ’ଣ କହିଥାନ୍ତା’ ପୁଣି କ’ଣ ଭାବି କିଛି କହିଲା ନାହିଁ । ଲୀଲା କାନ୍ଦର ସ୍ଵର ବଢ଼ିଗଲା ।

 

ତା’ ଆଖି ପୋଛିଦେଇ ମିଶ୍ରେ କହିଲେ, କାନ୍ଦୁଛୁ କାହିଁକି ମା ! କାଲି ମୁଁ ଗାଡ଼ି ଠିକ୍‍ କରିଦେଉଛି, ଯିବୁ । ଯଦି ହେବ ମୁଁ ବି ତୋ ସଙ୍ଗରେ ଯିବି । ମାମୁଁ ଘର ଚାକର ଦୁଇଟା ଆସିଲେ କଛି ଚାଷ କରାଯିବ । ଏ ଗାଁ ଲୋକେ ତ’ ମେଳି କରିଛନ୍ତି ଯେ—ହେଁ.....ଯଶୋଧାର ଲୀଳୀକୁ ନେଇଗଲା ବାଡ଼ିଆଡ଼କୁ ।

 

ତା’ ଆରଦିନ ଉପରଓଳି ।

 

ସୁର ଶୋଇକରି ଦାଣ୍ଡକୁ ଆସିଥିଲା । ଦେଖିଲା ଜାମୁତୋଟା ବାଟେ ଗୋଟିଏ ବଳଦ ଗାଡ଼ି ଯାଉଛି । ସେ ମିଶ୍ରଙ୍କ ଚାକର ଟୋକାକୁ ପଚାରିଲା, ଏ କାହା ଗାଡ଼ି କିରେ ବଳିଆ ? ...ଆମ ଗାଡ଼ି ପରା ! ନାନୀ ଯାଉଛନ୍ତି ମାମୁଁ ଘରକୁ । କ’ଣ ଭିଡ଼ ପଢ଼ାପଢ଼ି ଅଛି ଯେ—ବଳିଆ ବୁଝାଇବସିଲା ସୁରେନ୍ଦ୍ରକୁ ।

 

ସରେନ୍ଦ୍ର ଛାତିରୁ ହଠାତ୍‍ ନିଆ ଖସିପଡ଼ିଲା । ଲୀଳା ଚାଲିଗଲା ଯେତେ ଦୂର ପାରେ ସେ ଅନେଇଲା, ଗାଡ଼ି ଚାଲିଯାଉଛି, ହଁ...ହଁ, ଲୀଳାଘର ଗାଡ଼ି ।

 

ଲୀଳା କାଲି ଆସିଥିଲା । ଆଜି ଚାଲିଗଲା । କାହିଁକି ?

 

ସୁର ଆଖି ଓଦା ହୋଇ ଆସୁଥିଲା ଲୁହରେ, କୋହରେ ।

 

ପରୀକ୍ଷା ବୋଲି ଚାରିଆଡ଼େ ଧୁମ୍‍ଧାମ୍‍

 

ନାରଣ ମାଷ୍ଟ୍ରଙ୍କ ପରିବାରରେ ଏଇ ପରୀକ୍ଷା ଏକ ଚହଳ ସୃଷ୍ଟି କରିଛି । ସୁରିଆ ମାଟ୍ରିକ ପରୀକ୍ଷା ଦେବ । ଆଗକୁ ପାହାଚେ ଆଗେଇବ । ସେଇ ପାହାଚ ଉପରେ ଠିଆହୋଇ ନିଜ ନିମ୍ନମଧ୍ୟବିତ୍ତ ପରିବାରର ଦାରିଦ୍ର୍ୟକୁ ପଛକୁ ପେଲିଦେବେ ନାରଣ ମାଷ୍ଟ୍ରେ । ଦୁନିଆ ଦରବାରରେ ସୁର ଗୋଟାଏ ମଣିଷ ହୋଇ ଠିଆହେବ ।

 

ସୁରର ପରୀକ୍ଷା ଫିସ୍‍ ଯୋଗାଡ଼ କରିବା ପାଇଁ ନାରଣ ମାଷ୍ଟ୍ରଙ୍କ ନାକରେ ପାଣି ପଶିଗଲା । ବଡ଼ ଭରସା ରଖିଥିଲେ । ସେ ନିଜ ଦରମା ଗଣ୍ଡାକ ଉପରେ । ତାହାହେଲେ ଆଉ କିଛି ମିଶାଇ ସେ ପରିକ୍ଷା ଫିସ୍‍ ଟା ଚଳାଇ ନେଇଥାନ୍ତେ । କିନ୍ତୁ ସବ୍‌ଇନ୍ସପେକ୍ଟରବାବୁ ଯେଉଁ ଦରମା ବିଲ୍‍ ପଠାଇଥିଲେ, ସେଥିରେ କ’ଣ ଭୁଲ୍‍ ଥିଲା । ବିଲ୍‍ ଫେରିଆସିଛି । ତା’ ଛଡ଼ା ଶୁଣାଯାଉଛି, ସରକାରଙ୍କ ଘରେ କ’ଣ ଟଙ୍କା ନାହିଁ । ଏ ମାସରେ ସେ ଦରମାରୁ ଛ’ ଟଙ୍କା ବାକି ରହିବ ।

 

ଶୁଣିସାରି ହେମାଙ୍ଗିନୀ ମୁହଁଛାଟି କହିଲେ, ଅଉ କିଛି ଚାକିରି ମିଳିଲା ନାହିଁ ଯଦି ଘାସ କାଟିଲ ନାହିଁ । କାହିଁକି କରୁଥିଲ ଏ ମାଷ୍ଟର ଚାକିରି ? ଦରକାର ବେଳକୁ ଯଦି ଟଙ୍କା କେଇଟା ନ ମିଲିଲା ।

 

କଥା କହି କହି ହେମାଙ୍ଗିନୀ ରୋଷେଇଘରକୁ ଚାଲିଗଲେ ଡାଲି ବଘାରିବାକୁ । କଥାର ଶେଷ ଭାଗଟା ଆଉ ବିଶେଷ ଶୁଭିଲା ନାହିଁ । ତଥାପି ଯେତିକି–ଶୁଭିଲା, ଅନ୍ୟ ଦିନ ହୋଇଥିଲେ ନାରଣ ମାଷ୍ଟ୍ରେ ସେଇ କଥାକୁ ମୂଳକରି ଗୋଟିଏ ମହାଭାରତ ଯୁ ଆଦ୍ଧରମ୍ଭ କରିଥାନ୍ତେ । କିନ୍ତୁ ଆଜି ସତରେ କାହିଁକି ହେମାଙ୍ଗନିଙ୍କ କଥାଟା ତାଙ୍କୁ ଭାରି ନିରାଟ ସତ ଭଳି ଜଣାପଡ଼ିଲା । ଚାକିରି ନ କରି ପଛେ ଉପାସ ରହିବି, କିନ୍ତୁ ଏ ଦେଶରେ ସ୍କଲ୍‍ ଶିକ୍ଷକ ହେବାର ଭୁଲ କେବେ କରିବାର ନୁହେଁ ।

 

କିନ୍ତୁ ନାରଣ ମାଷ୍ଟ୍ରେ ଯେତେବେଳେ ଏ ଭୁଲଟା ନିଜେ ବହୁ ତ୍ୟାଗ ସ୍ଵୀକାର କରି ବୁଝିଲେ, ସେତେବେଳକୁ ଅନେକ ଡେରି ହୋଇଯାଇଛି । ଏ ବିରାଟ ବୁଭୁକ୍ଷୁ ପରିବାରକୁ ନେଇ ଶିକ୍ଷକ ଚାକିରି ଛାଡ଼ିକରି ଭାଗ୍ୟ ପରୀକ୍ଷା କରିବାର ସମୟ ଆଉ ନାହିଁ । ନାରଣ ମାଷ୍ଟ୍ରେ ସାହସ ହରାଇ ଅଧୈର୍ଯ୍ୟ ହେଲେ ନାହିଁ ।

 

ଦାରିଦ୍ର୍ୟ ଅଭାବ,ଶୋଷଣ ଏବଂ ପିଲାଛୁଆଙ୍କ ଜଞ୍ଜାଳ ଭିତରେ ପଡ଼ି ସଢ଼ି ନାରଣ ମାଷ୍ଟ୍ରେ ଏଇ ସହିବାର ଗୁଣକୁ ବେଶୀ ହାସଲ କରିଛନ୍ତି । ଯେତେ ଯାହା ଝଡ଼, ଝଂଜା, ଅସୁବିଧା ଆସୁ, ନୀର୍ବିକାର ଭାବରେ ସେ ତାହା କଳରେ ପାନଖିଲେ ଯାକି ସହି ନିଅନ୍ତି ।

 

ପୁଅର ମାଟ୍ରିକ ପରୀକ୍ଷା ଫିସ୍‍ ଯୋଗାଡ଼ କରିବାକୁ ତାଙ୍କୁ ବ୍ୟସ୍ତ ହେବାର ଦେଖାଗଲା ନାହିଁ ସେଇଥିପାଇଁ । ନାରଣ ମାଷ୍ଟ୍ରଙ୍କ ଏହି ଅବିଚଳିତ ମନୋଭାବ ହେମାଙ୍ଗିନୀଙ୍କ ମନରେ କିନ୍ତୁ ବିରକ୍ତିର ଏକ ବାଲିଝଡ଼ ସୃଷ୍ଟି କରିଦେଲା ।

 

ଦାରିଦ୍ର,ଅଭାବ,ଅସୁବିଧା ସେ ସହିପାରିବେ; କିନ୍ତୁ ଏ ଦାରିଦ୍ର,ଅଭାବ, ଅସୁବିଧା ସତ୍ତ୍ୱେ ଘରର ମୁରବି ଲୋକ ବେପରୁଆ ହୋଇ ରହିବ, ସେ କଥା ହେମାଙ୍ଗୀନୀଙ୍କ ପକ୍ଷରେ ଏକାନ୍ତ ଅସହ୍ୟ ।

 

ହେମାଙ୍ଗିନୀଙ୍କ ଇଚ୍ଛା, ସବୁ କଥାରେ ନାରଣ ମାଷ୍ଟ୍ରେ ତାଙ୍କୁ ପଚାରନ୍ତେ । ପରମର୍ଶ କରନ୍ତେ । ହାନିରେ ଲାଭରେ ସବୁ କଥା ତାଙ୍କ ଆଗରେ କହନ୍ତେ । ବିପଦ ପଡ଼ିଲେ ମୁହଁ ଶୁଖାଇ ଆସି ପାଖରେ ଠିଆ ହୁଅନ୍ତେ । ତାହାହେଲେ ଦି’ପଦ ସହାନୁଭୂତି ଦେଖାଇ ନିଜକୁ ଧନ୍ୟ କରନ୍ତେ ହେମାଙ୍ଗିନୀ । ସେମିତି ହସ ଖୁସିବେଳେ ଗାଁରେ ଆଉ ପାଞ୍ଚ ଦଶଜଣ ଲୋକଙ୍କ ଭଳି ସେ ହସନ୍ତେ, ଗପନ୍ତେ ।

 

କିନ୍ତୁ ନାରଣ ମାଷ୍ଟ୍ରେ ଅନ୍ୟ ଉପାଦାନରେ ଗଢ଼ା ।

 

ସବୁବେଳେ କାର୍ଯ୍ୟବ୍ୟସ୍ତ । ସବୁବେଳେ ନିର୍ବିକାର ମନ ।

 

ଏଭଳି ଲେକଙ୍କୁ ନେଇ କେମିତି ସଂସାର କରିବେ ହେମାଙ୍ଗିନୀ !

 

ସେଥିପାଇଁ ସୁରର ପରୀକ୍ଷା ଫିସ୍‍ ପାଇଁ କୌଣସି ପରାମର୍ଶ ନ ଦେଇ କିମ୍ବା ନିଜ ଗହଣା ବନ୍ଧା ପକାଇବାକୁ ନ ଯାଚି ହେମାଙ୍ଗିନୀ ମନେ ମନେ ଅଡ଼ି ବସିଲେ, ଦେଖିବା ଭଲା ଟଙ୍କା କୋଉଠୁ ଆସିବ !

 

କିନ୍ତୁ ଟଙ୍କା ଆସିଲା । ନିଜ ବାଡ଼ି କେତେ ଗୁଣ୍ଠ ବନ୍ଧା ଦେଇ ନାରଣ ମାଷ୍ଟ୍ରେ ସୁରର ପରକ୍ଷା ଫିସ୍‍ ଯୋଗାଡ଼ କରିଦେଲେ ।

 

ଏ ଟଙ୍କା ଯୋଗାଡ଼ଟା ହେମାଙ୍ଗିନୀଙ୍କ ଅଭିମାନ ଉପରେ ବଡ଼ ଜୋର୍‌ରେ ଆଘାତ କଲା-

 

ପରୀକ୍ଷା ସରିଲା ।

 

ଫଳ ବାହାରିଲା ।

 

ନାରଣ ମାଷ୍ଟ୍ରେ ଖବର କାଗଜର ଏମୁଣ୍ଡ ସେମୁଣ୍ଡ ଯାଏ ଖେଳେଇ ଖେଳେଇ ଦେଖିଲେ ଶେଷ ଆଡ଼କୁ ବାହାରିଛି ସୁର ନାମ । ତୃତୀୟ ଶ୍ରେଣୀ ।

 

ହେମାଙ୍ଗିନୀ କଥାଟା ଶୁଣି କହିଲେ, ଯା’ତା ହୋଇ ପାଶ୍‍ ତ କଲା କିଲାସ କ’ଣ ହୋଇଥାନ୍ତା ଧୋଇକରି ପିଅନ୍ତା !

 

ନାରଣ ମାଷ୍ଟ୍ରଙ୍କର କିନ୍ତୁ ମନେ ହେଉଥିଲା ଏଇ ତୃତୀୟ ଶ୍ରେଣୀ ଡିଗ୍ରୀଟା ସୁରର ସୁନ୍ଦର ଭବିଷ୍ୟତ ଉପରେ । ଯେମିତି ଏକ ଅଶୁଭ କଳା ଛାଇ ଭଲି ଲମ୍ବି ଆସୁଛି ।

 

ସେଦିନ ଚଉପାଢ଼ିରେ ଦାମ ମିଶ୍ରେ, ହରି ସାବତ, କୈଳାସ ଲେଙ୍କାଙ୍କ ପାଖରେ ବସି ପକ୍‌କା ଦେହରେ ହାତ ବାଡ଼େଇ ଦେଇ ସନାତନ ମିଶ୍ରେ କହଲେ, ଦେଖିଲ ! ଲୀଳା ଆମର ଫାଷ୍ଟକିଲାସରେ ପାଶ୍‍ କରିଛି । ତା ପରୀକ୍ଷା ଦିନ ରାଧାମାଧବଙ୍କ ମନ୍ଦିରରେ ମୁଁ କ’ଣ ମିଛରେ ପାଞ୍ଚପା’ ଘିଅ ହୋମ କରିଛି । ହେଁ...ହେଁ....ହେଁ...

 

ମିଶ୍ରେ ହସିବାକୁ ଲଗିଲେ । ସେ ହସ ଯେମିତି ବନ୍ଦ ହେବାର ନୁହେଁ ।

 

ଦାମ ମିଶ୍ରଙ୍କ ମନେହେଲା ଜମିଦାରୀ ଯିବା ପରେ ଲୀଳା ପ୍ରଥମ ଶ୍ରେଶୀରେ ମାଟ୍ରିକ୍‍ ପାଶ୍‍ କରିବା ସମ୍ବାଦ ଶୁଣି ବୋଧହୁଏ ।

 

ପ୍ରଥମଥର ପାଇଁ ମିଶ୍ରେ ମନ ଖୋଲି ହସୁଛନ୍ତି. . .ଜମିଦାରୀ ଯିବାର ଦୁଃଖ ଲୀଳାର ଏଇ କୃତିତ୍ୱରେ ସତେ ଯେମିତି ସବୁ ପୋତିହୋଇ ପଡ଼ିଛି ।

 

ନଈପଠା ଭଇଁଚ କୋଳି ଗଛମୂଳେ ସୁରର ହାତ ଧରି ଲୀଳା ଠିକ୍‍ ସେତିକିବେଳେ କହୁଥିଲା, ଏଥର ଆମେ କଟକ ପଢ଼ିବାକୁ ଯିବା ସୁରଭାଇ ! ପୁଣି ଏକା କଲେଜ, ଏକା କ୍ଲାସ ହେବ । ନୀତି ଦିହେଁ ଦିହିଁକି ଦେଖିବା । ନାଇଁ ! ଏଇ କେତେ ବର୍ଷ ଯେଉଁ ହଇରାଣ ।

 

ସୁର ଖାଲି ହସୁଥିଲା ।

 

କହୁଥିଲା, ତୋର ଆଜିଯାଏ ପିଲାଳିଆ ଢଙ୍ଗ ଗଲା ନାଇଁ ଲୀଳା । ସବୁଦିନେ କ’ଣ ତୁ ଏମିତି ରହିଥିବୁ ।

 

ନଈ ପାଖ ବରଗଛର ପ୍ରଶାଖାରେ ବସି ହଳଦୀବସନ୍ତଟିଏ ଧରିଥିଲା କେଉଁ ଏକ ଅବୁଝା ସଙ୍ଗୀତର ସ୍ୱର...

 

ଆଦ୍ୟ ଫାଲ୍‌ଗୁନର ନାତିଶୀତୋଷ୍ଣ ଖରା ଝଲମଲ ହେଉଥିଲା ନଈପଠା ବାଲି ଆଉ ନଈର ଜଳସୁଅ ମଝିରେ ହଲି ହଲି... ନାଚି ନାଚି...

 

“ଜୀବନର କଅଁଳ ଗାଧୁଆ ବେଳ ।

 

ହାଇସ୍କୁଲର ସୀମା ଡେଇଁ ମୁଁ ଆସିଲି କଟକ । ସାଙ୍ଗରେ ସୁରଭାଇ । ମନରେ କେତେ ସମ୍ଭବ, ଅସମ୍ଭବ କଳ୍ପନା । କଲେଜରେ ପଢ଼ିବି । ବହୁତ ବହି । ବହୁତ ଖାତା । ଏ ପୁରୁଣା ପୃଥିବୀକୁ ଭଲକରି ଦେଖିବାକୁ ସୁବିଧା ହେବ । ଅସମ୍ଭବ ହେବ ସମ୍ଭବ ।

 

କଟକ ଆସିଲି । କିନ୍ତୁ ମତେ ନାମ ଲେଖାଇବାକୁ ହେଲା ବିଜ୍ଞାନ ଶ୍ରେଣୀରେ । ସୁରଭାଇ ନାମ ଲେଖାଇଲେ ଆଇ.ଏ.ରେ । କେଜାଣି କାହିଁକି ପଢ଼ା ଉପରେ ତାଙ୍କର ଝୁଙ୍କ କମି ଆସିଥାଏ । ଦିନଯାକ ଶ୍ରେଣୀରେ ଅନ୍ୟମନସ୍କ ହୋଇ ରହନ୍ତି ବୋଲି ଶୁଣେ । ବସାକୁ କୁ ଆସିଲେ ଚିତ୍ର ଆଙ୍କନ୍ତି । ହାଇସ୍କଲବେଳେ ଛବି ଆଙ୍କିବାର ଯେଉଁ ଅଭ୍ୟାସ ସେ ଆରମ୍ଭ କରିଥିଲେ, କଲେଜ ଜୀବନରେ ସେ ଅଭ୍ୟାସ ଆହୁରି ନିୟମିତ ହୋଇଉଠିଲା !”

 

ବାହାରେ କାହାର ଆସିବା ଶବ୍ଦ ଶୁଭିଲା ।

 

ଡାଏରିଟା ହଠାତ୍‍ ଚଟ୍‍କିନା ବନ୍ଦ କରିଦେଇ ସୁର ପଚାରିଲା, କିଏ ?

 

ଯଶୋଧାରା ଭିତରକୁ ଆସିଲା । କହିଲା, ନାଇଁ, ମୁଁ । କହିଲି ପରା ଲୀଳା ବାହାରକୁ ଯାଇଛି । ଆସିବ ଟିକିଏ ଡେରିରେ । ଅଥୟ ହେଉଛ କାହିଁକି ? ବସ, ପଢ଼—

 

ଯଶୋଧାରା ହସିଲା । ଟିକିଏ ଅପ୍ରତିଭ ହୋଇପଡ଼ି ସୁର କହିଲା, ନାଇଁ, ମୁଁ ପଢ଼ୁଛି । ଟିକିଏ କାମ ଥିଲା ଯେ...

 

ସୁର କାମ ଥିବା ଭଳି ବ୍ୟସ୍ତହୋଇ ବାହାରକୁ ଅନେଇବାର ବାହାନା କଲା ।

 

ବାହାରେ ଦିନ ଶେଷର ଆଲୁଅ ରଙ୍ଗ ଧରୁଛି ।

 

ପୁଣି ଆସ୍ତେକିନି ଲୀଳାର ଡାଏରି ଖେଳାଇଲା ସୁର । ପଢ଼ିଲା–

 

“ଏଥି ଭିତରେ ଦୁଇବର୍ଷ କଟିଗଲା । ଆଇ.ଏସ୍‍.ସି.ରେ ପ୍ରଥମ ଶ୍ରେଣୀରେ ମୁଁ ପାଶ୍‍ କଲି । ସୁର ଭାଇ ପାଶ୍‍ କଲେ ସେମିତି ସାଧାରଣ ଭାବରେ । ପାଠପଢ଼ାଠାରୁ–ଚିତ୍ର ଆଙ୍କିବାରେ ଏଥି ଭିତରେ ତାଙ୍କର ଝଙ୍କ ବଢ଼ିଛି ।”

 

ତା’ପରେ ପୁଲାଏ କ’ଣ ଲେଖା ହୋଇ କଟା ହୋଇଛି । ସୁର କିଛି ପଢ଼ିପାରିଲା ନାହିଁ ।

 

ତା’ ପରେ ଡାଏରିର କିଛି ପୃଷ୍ଠା ଓଲଟାଇ ଗଲା ।

 

ଲୀଳା ଲେଖିଛି, ‘‘ ପ୍ରଥମେ ଡାକ୍ତରୀ ପଢ଼ିବାର ଯେଉଁ ଝୁଙ୍କ ଥିଲା, ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ଶେଷ ନ ହେଉଣୁ ସେ ଝୁଙ୍କ ମୋର କମି ଆସିଲାଣି । ଆଉ ତିନିବର୍ଷ କେମିତି କଟାଇବି, ସେକଥା ଭାବିପାରୁ ନାହିଁ ।

 

ବୟସ ହୋଇ ଆସୁଛି । ଜୀବନ ଦୁର୍ବହ ମନେହେଉଛି ନନାଙ୍କ ଇଚ୍ଛା, ମୁଁ ପାଠ ପଢ଼ି ଖୁବ୍‍ ବଡ଼ ହେବି । ତାଙ୍କର ଟେକ ରଖିବି ।

 

ଆଜି ଶନିବାର ।

 

ଏଇ, ବାହାରେ ବର୍ଷା ହେଉଚି । ଇଚ୍ଛା ହେଉଚି ଏ ବର୍ଷାରେ ଭିଜି ଭିଜି ମୁଣ୍ଡବାଳ ମୁକୁଳା କରି ତିନ୍ତାଇବି । ଏଣେ ତେଣେ ପାଣିରେ ଚାବୁରୁ ଚାବୁରୁ କରି ଦଉଡ଼ିବି । କେଜାଣି କାହିଁକି ଗାଁ ନଈକୂଳ, ଜାମୁତୋଟା କଥା ମନେପଡ଼ୁଛି । ମନ ଉଦାସିଆ ଉଦାସିଆ ଲାଗୁଛି ।

 

ସେତିକି ପଢ଼ି ଦେଇ ସାରିବା ପରେ ସୁର ମନ ବି କେମିତି ଉଦାସ ହୋଇଉଠିଲା । ବାହାରକୁ ଚାହିଁଲା, ଦିନ ଶେଷ ହୋଇ ଯାଉଛି । ଲୀଳାର ଏଇ ବସାଘର ଭିତରେ ପାଉଁଶିଆ ଆଲୁଅ ଛନ ଛନ ହେଉଛି । ରୋଷେଇ ଘରେ ଚୁଲୀରେ ନିଆଁ ଧରାଉଛି ଯଶୋଧାରା । ଲୀଳା ଏପର୍ଯ୍ୟନ୍ତ ଆସିନି । କୁଆଡ଼େ ଯାଇଛି ?

 

ପୁଣି ଡାଏରିଟା ଆଡ଼େ ଅନେଇଲା ସୁର ।

 

ଆଉ ପୃଷ୍ଠା କେତୋଟି ମାତ୍ର ଅବଶିଷ୍ଟ ଅଛି ।

 

ଶେଷ ଆଡ଼କୁ ଓଲଟାଇଲା ସେ ।

 

ସେଇଦିନର ତାରିଖ ।

 

ଲୀଳା ଲେଖିଛି, ‘‘ନନାଙ୍କଠାରୁ ଚିଠି ପାଇ ଆଚମ୍ବିତ ହେଲି । ନନା ଲେଖିଛନ୍ତି, ତୁ କିଛି ଭାବିବୁ ନାଇଁ ମା’ । ମୁଁ ବିଭାଘର ଠିକ୍‍ କରିଛି । ଶୁଣି ଚମକି ପଡ଼ିବୁ ନାହିଁ । ବ୍ରାହ୍ମଣ ଘର । କାନ୍ୟକୁବଜର ପବିତ୍ର ବ୍ରାହ୍ମଣ ବଂଶ । ଝିଅ ବେଶୀଦିନ ଅଭିଆଡ଼ା ରହିବା ଶାସ୍ତ୍ରବିରୁଦ୍ଧ । ତତେ ବିବାହ କରିବାକୁ ହେବ । ଜୋଇଁଟି ରାଉରକେଲାର ଇଞ୍ଜିନିୟର । ତୋ ପଢ଼ାରେ କିଛି ବାଧା ପଡ଼ିବ ନାହିଁ । ଗ୍ରାମରେ ବିବାହ ସରିଗଲା ପରେ ତୁ ପୁଣି ତୋ’’ କଟକ ବସାକୁ ଚାଲିଯିବୁ । ପଢ଼ା ସରିଲା ପରେ ଚୁକ୍ତି ହୋଇଚି, । ତୁ ଶାଶୁଘରକୁ ଯିବୁ ।

 

ମୁଁ କ’ଣ ଉତ୍ତର ଦେବି ।

 

ବିଭାଘର କଥା ମୁଁ କେବେ ଭାବି ନାହିଁ । ଜୀବନରେ ବିବାହ କେବେ ଦରକାର କି ନାହିଁ, ସେ କଥା ଚିନ୍ତା କରି ନାହିଁ । ଜୀବନର ଏଇ ଯାତ୍ରାପଥରେ ଆଉ ଜଣେ କାହାର ସାହାର୍ଯ୍ୟ ଦରକାର, ଏକଥା ମୋ କଳ୍ପନା ଭିତରେ କେବେ ଉଙ୍କି ମାରି ନାହିଁ ।

 

ନନାଙ୍କୁ କ’ଣ ଉତ୍ତର ଦେବି ।

 

ତା’ପରେ ଆଉ କ’ଣ ଲେଖା ହେଇଛି, କିଛି ପଢ଼ି ହେଉନି । ଲେଖିସାରି ସାତପ୍ରସ୍ତ କାଟିଛି ଲୀଳା । ଯେତେ ଚେଷ୍ଟା କଲେ ବି ସୁର କିଛି ପଢ଼ିପାରିଲା ନାହିଁ । କ’ଣ ଲେଖିଥିଲା ଆଉ ଲୀଳା ।

 

ବାହାରେ ଲୀଳାର ପଟି ଶୁଭିଲା ।

 

ତରତର କରି ଡାଏରିଟା ବନ୍ଦ କରିଦେଇ ସୁର ରଖିଦେଲା ନେଇ ବହି ସେଲ୍‍ଫ ଭିତରେ । ଲୀଳାର ପାଟି ଶୁଭୁଛି । ଆସୁଛି ବୋଧହୁଏ ସେ ।

 

ଲୀଳା ଆସୁ ଥିଲା । ଧୀର ମନ୍ଥର ଗତି । ଲଘୁ ପଦକ୍ଷେପ । ଦୁଆର ମୁହଁ ପାଖରେ ଅଟକିଯାଇ ସେ ପାଟିକରି ଉଠିଲା, ଘରେ ଆଲୁଅ ଜଳିନି ଯେ । ଅନ୍ଧାରଟାରେ ବସି କ’ଣ କରୁଛ ସୁର ଭାଇ !

 

ସୁର ସୁଇଚ୍‍ ରେ ହାତ ମାରିଲା । ଅନ୍ଧାରର ବାଲି ବନ୍ଧକୁ ଭାଙ୍ଗୀ ପକାଇ ବିଜୁଳି ଆଲୁଅର ନଈବଢ଼ି ମାଡ଼ିଆସିଲା ଘର ଭିତରକୁ । ଆଲୁଅରେ ସୁର ଅନେଇଲା ଲୀଲା ଆଡ଼କୁ ।

 

ତା’ ଆଡ଼କୁ ଅନେଇ ଲୀଳା ହସୁଛି, ସେ ହସ ପଛରେ କିନ୍ତୁ କରୁଣତାର ଗୋଟାଏ ଛାୟା ଯେମିତି ଛପି ରହିଛି ।

 

କେତେବେଳୁ ଆସିଲଣି । ମୁଁ ଟିକିଏ ଏଇ ନଈକୂଳ ଆଡ଼େ ବୁଲି ଯାଇଥିଲି । ବହୁଦିନ ହେଲା ତ ଆମ ବସା ଆଡ଼େ ଆସିନ । ମୁଁ ଅନେକ ଥର ଭାବିଛି ଡାକିବି, ପୁଣି ଭାବିଲି ବାବୁ ଚିତ୍ର ଅଙ୍କାରେ ବ୍ୟସ୍ତ ଥିବେ...

 

କଥା ଶେଷ କରିବା ଆଗରୁ ଶାଢ଼ୀ ବଦଳାଇବାକୁ ଲୀଳା ଚାଲିଗଲା ପାଖ ଘରକୁ । ତା’ର ଠିକ୍‍ ପାଞ୍ଚ ମିନଟ୍‍ ପରେ ପୁଣି ହସି ହସି ବାହାରି ଆସୁ ଆସୁ କହିଲା, ଆଜି କିନ୍ତୁ ନ ଆସିଥିଲେ ତମକୁ ଡକାଇ ପଠାଇଥାନ୍ତି...

 

ସୁର କହିଲା, ମତେ ? କାହିଁକି ?

 

ଲୀଳା ସେତେବେଳକୁ ଗୋଟାଏ ଚେୟାରରେ ବସିଯାଇଛି । ସେଇ ଚେୟାରରେ ବସି ଦୋହଲୁ ଦୋହଲୁ ସେ କହିଲା, ତମକୁ ଗୋଟାଏ ମଜା ଖବର ଦେବି । ମତେ କ’ଣ ଦେବ କୁହ !

 

ମଜା ଖବର !

 

ସୁର ଯେମିତି ଚମକି ପଡ଼ିଲା ! କୋଉ କଥା କହିବ ଲୀଳା । ଲୀଳା କହିଲା— ନନା ଆଜି ଚିଠି ଲେଖିଛନ୍ତି ମୋର ବାହାଘର ହେବ...କ’ଣ ଶୁଭୁଛି ।

 

ମୁଣ୍ଡ ହଲେଇ ସୁର ସମ୍ମତି ଜଣାଇଲା ଯେ ସେ କାଲ ନୁହେଁ ।

ମୁହଁରେ ହସର ଆଉ ଗୋଟିଏ ଲହଡ଼ୀ ତୋଲି ଲୀଳା କହିଚାଲିଲା, ମୋ ମୁଣ୍ଡରେ ମୁକୁଟ ବନ୍ଧାହେବ...ହାତଗଣ୍ଠି ପଡ଼ିବ...ବାଜା ବାଜିବ ଯଦି ଇଞ୍ଜିନିୟର ବରଙ୍କର ମୋର ରୁଚିଜ୍ଞାନର ଅଭାବ ଥିବ, ତେବେ ବାଣ ମଧ୍ୟ ଗୁଡ଼ାଏ ଫୁଟାଯାଇପାରେ କ’ଣ ବୁଝୁଛ ନା ।

 

ଲୀଳାର ଏ ସହଜ ସରଳ କଥାକୁ ଉପଭୋଗ କରୁ କରୁ ସୁର କହିଲା, ହଁ ।

 

କ’ଣ ହଁ ? କ’ଣ ତମେ ସତରେ କହୁଛ ମୁଁ ବାହାହେଲେ ବେଶୀ ସୁଖରେ ରହିବି ? ...ସୁରଠାରୁ କଥାକୁ ଝାମ୍ପି ନେଇ ଲୀଳା ପ୍ରଶ୍ନ କଲା ।

 

ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ଏତେ ସହଜରେ ହେବ ବୋଲି ସୁର କେବେ ଭାବି ନଥିଲା । ଅନେକ ଲୋକଙ୍କ ବାହାଘର କଥା ସେ ଶୁଣିଛି । ତା’ ନିଜ ବାହାଘର ପ୍ରସ୍ତାବ ମଧ୍ୟ ବେଳେବେଳେ ଆସେ । କିନ୍ତୁ ବିବାହ କଲେ ମଣିଷ ସୁଖରେ ରହେ କି ନାହିଁ, ସେକଥା ସେ କେବେ ଚିନ୍ତା କରି ନାହିଁ । ତେଣୁ ଲୀଳାକୁ ହଠାତ୍‍ ଗୋଟିଏ ଉତ୍ତର ଦେବାକୁ ସେ ପ୍ରସ୍ତୁତ ହୋଇପାରିଲା ନାହିଁ ।

 

ସୁରର ଥ’ ଥ’ ମ’ ମ’ ଭାବ ଦେଖି ଲୀଲା କହିଲା, ତମେ କୁହ କି ନକୁହ, ମୁଁ ଭାବିଛି ନନାଙ୍କୁ ଲେଖିଦେବି ଯେ ମୁଁ ବିବାହ କରିବାକୁ ରାଜି । ତମେ କ’ଣ କହୁଛ ?

 

ସୁର ପୁଣି ଏଭଳି ଏକ ଉତ୍ତର ଶୁଣି ଟିକିଏ ଚମକି ଉଠିଲା ସେ ଜାଣେ, ଲୀଳା ଟିକିଏ ବେଶୀ ଫାଜିଲ୍‍ । କିନ୍ତୁ ନିଜ ଭବିଷ୍ୟତ ପ୍ରଶ୍ନ ସହିତ ମଧ୍ୟ ସେ ଫାଜିଲାମି କରିବ, ଏକଥା ସେ ବିଶ୍ଵାସ କରି ପାରୁ ନ ଥିଲା ।

 

ଅନେକ ଭାବିଚିନ୍ତି ସୁର କହିଲା, ଏଥିରେ ମୋର କ’ଣ କହିବାର ଅଛି ? ତୋର ବିବାହ ବୟସ ହୋଇଚି । ତୁ ବାହା ହେବା ଉଚିତ...

 

ସୁର କଥା ଶୁଣି ଆହାତ ବାଘୁଣୀ ଭଲି ଗର୍ଜିଉଠିଲା ଲୀଳା । ତା’ର ମନେହେଲା ସତେ ଯେମିତି ସୁର ଭାଇ କହିବାକୁ ଚାହୁଁଛି ଯେ ତା’ର ବୟସ ତାକୁ ଏମିତି ଏକ ଅବସ୍ତାରେ ଆଣି ପକାଇଲାଣି, ଯାହା ଫଳରେ ସେ ବିବାହ ନ କଲେ ଚଳିବ ନାହିଁ ।

 

ଲୀଳା ରାଗିବା କଣ୍ଠରେ କହିଲା, ତମେ ମୋଠାରୁ ବୟସରେ ବଡ଼ ବୋଲି ତମକୁ ସବୁ କଥାରେ ପରାମର୍ଶ ମାଗୁଛି । କିନ୍ତୁ ତମେ ଯେମିତି ଉତ୍ତର ଦେଉଛ, ସେଥିରୁ ମନେହେଉଛି ଯେ ତମେ ମୋଠୁ ଦଶବର୍ଷ ସାନ ।

 

ଲୀଳାର ଫାଜିଲାମି ଯେ ଏଥି ଭୀତରେ ଏତେ ଅଧିକ ହୋଇଯାଇଛି, ସେ କଥା ଲକ୍ଷ୍ୟକରି ସୁର ଆଶ୍ଚର୍ଯ୍ୟ ହେଲା । ତା’ର ଧାରଣା ହୋଇ ଥିଲା ବେଶୀ ପାଠ ପଢ଼ିବା ସଙ୍ଗେ ସଙ୍ଗେ’ ଲୀଳାର ସମ୍ମାନବୋଧ, ଗାମ୍ଭୀର୍ଯ୍ୟ, କଥା କହିବାର ଢଙ୍ଗରେ ପରିବର୍ତ୍ତନ ହୋଇଥିବ । ନାରୀସୁଲଭ ଲଜ୍ଜା ସଙ୍କୋଚ ତା’ର ହୃଦୟ, ମନକୁ ଆଚ୍ଛନ୍ନ କରି ରଖିଥିବ । କିନ୍ତୁ ମୁହୂର୍ତ୍ତ କେତେଟା ପରେ ସୁରର ସେ ଭୁଲ୍‍ କଟିଗଲା ।

 

କଥାର ଗତି ବଦଳାଇବା ପାଇଁ ସେ କହିଲା, କିନ୍ତୁ ମୁଁ ବାହାଘର ବେଦୀ ଉପରେ ତତେ ଦେଖିଲେ ସତରେ ଭାରି ଖୁସି ହେବି ।

 

ଟେବୁଲ ଉପରେ ହାତଟା ବାଡ଼େଇ ଦେଇ ଲୀଳା କହିଲା, ଖୁସି ହେବାକୁ ତ ତମେ ବାଧ୍ୟ । ତା’ ଛଡ଼ା ତମର ଉପାୟ ନାହିଁ । ମୁ ଯେତେବେଳେ ସେ ଖୁସିରେ ସୁଖୀ ହୋଇଛି, ତମେ ମୋ ଖୁସିରେ ଅନ୍ତତଃ ବନ୍ଧୁତା ଖାତିରିରେ ଖୁସି ହେବାର କଥା ।

 

ପ୍ରଥମେ ଟେବୁଲ ଉପରେ ହାତ ବାଡ଼େଇ କଥା ଆରମ୍ଭ କଲାବେଳେ ଲୀଲା ମୁହଁରେ ଯେଉଁ ଜ୍ୟୋତି ଛଳ ଛଳ ହେଉଥିଲା, ଶେଷ ଆଡ଼କୁ ସେ ଜ୍ୟୋତିର ଶିଖା କେମିତି ନିଭି ନିଭି ଆସିଲା । ନିର୍ଲିପ୍ତ ଭାବରେ ତା’ପରେ ସେ ଚେୟାର ଉପରକୁ ଆଉଜିପଡ଼ି ଗଣିବାକୁ ଲାଗିଲା ଛାତର ସବୁ କଡ଼ିଗୁଡ଼ାକ ।

 

ସୁର ଅନ୍ୟନୋପାୟ ହୋଇ ଚୁପ୍‍ ହୋଇଗଲା ।

 

ସାରା କକ୍ଷରେ ଏକ ଅସହ୍ୟ ନିରବତା ।

 

ମନେ ହେଉଥିଲା ସତେ ଯେମିତି କେତେ ମିନିଟ୍‍ ଆଗରୁ ଯେଉଁ କଥା ନେଇ ସୁର ଓ ଲୀଳା ଉଭୟେ ଯୁକ୍ତି କରୁଥିଲେ, ମିନିଟ୍‍ କେତୋଟି ପରେ ଦୁହେଁ ଅନୁଭବ କରୁଛନ୍ତି ଯେ ସେ ଯୁକ୍ତିଗୁଡ଼ାକ ସବୁ ଭୁଲ୍‍ ।

 

କକ୍ଷରେ ବ୍ୟାପିରହିଥିବା ନିଶ୍ଚଳତା ଉପରେ ପଦାଘାତ କରି ଯଶୋଧାରା ଗୃହରେ ପ୍ରବେଶ କଲା । ହାତରେ ତା’ର ଦୁଇ ପ୍ଲେଟ ଜଳଖିଆ । ଆଖିରେ ଏକ ପ୍ରଶ୍ନିଳ ଦୃଷ୍ଟି, କଥା କ’ଣ ?

 

ନିଜ ପ୍ଲେଟରୁ କିଛି ଜଳିଖିଆ ସୁର ପ୍ଲେଟରେ ଅଜାଡ଼ିଦେଇ ଲୀଳା ଖାଇବା ଆରମ୍ଭ କଲା । ଏତେଗୁଡ଼ାଏ ଜଳଖିଆ ଖାଇପାରିବ ନାହିଁ ବୋଲି ଆପତ୍ତି କରିବାକୁ ବୋଧହୁଏ ସୁର ମୁହଁ ଟେକୁଥିଲା, ଲୀଳା ଆଖିର କରୁଣତା ଦେଖି ସେ ଆପତ୍ତି ଆଉ ସେ ଉଠାଇ ପାରିଲା ନାହିଁ ।

 

ଛୋଟ ବଖୁରିଏ ଘର ।

 

ସହର ଉପକଣ୍ଠର ଏକ ଶେଷପ୍ରାନ୍ତରେ । ଝରକା ଖୋଲି, ଦେଲେ କାଠଯୋଡ଼ି ପୋଲ ଉପରେ ଅନେକ ସମୟରେ ଦିଶେ ଟ୍ରେନ୍‍ ଯାଉଛି । ଧୂଆଁ ଛାଡ଼ି ଛାଡ଼ି ଏକ ଶିଶୁମନମତାଣିଆ ଅବୋଧ ଶବ୍ଦ ସୃଷ୍ଟି କରି କରି । କଲେଜ ପାଖ କୁମାର ଭବନ ମେସ୍‍ ଛାଡ଼ି ଆସି ଏଇ ଛୋଟ ଘର ବଖୁରିକରେ ସୁର କୋଳାହଳ ଜମେଇଛି । ସାଙ୍ଗରେ ଆଉ ଗୋଟିଏ ଛୋଟ ପିଲା, ମନୁଆ । ରୋଷାଇ କରି ଦିଏ ।

 

ବିକ୍ଷିପ୍ତ କାଗଜପତ୍ରର ମଝିରେ ପୁରୁଣା ଟେବୁଲ୍‍ ଉପରେ ହାମୁଡ଼େଇ ପଡ଼ି ସୁର ଗୋଟିଏ ମୂଷାଛୁଆର ଚିତ୍ର ଆଙ୍କୁଥିଲା... ପଛରେ ଗୋଡ଼ାଉଛି ଗୋଟାଏ ଭୁଆଁ ବିଲେଇ.. । ଆଉ ଜୀବନ ବିକଳରେ ଧାଇଁ ପଳାଉଛି ମୂଷାଛୁଆଟି । ପଳାୟମାନ ମୁଷାଛୁଆଟିର ମୁହଁରେ ଫୁଟିଉଠିଛି ନିଶ୍ଚିତ ମୃତ୍ୟୁର ଆତଙ୍କ...

 

ଧେତ୍‍...

 

ମୋଟେ ଭଲ ହେଉନି । ଯେତେ ପେନସିଲ୍‍ ଗାର ଟାଣିଲେ ମଧ୍ୟ !

 

ବିରକ୍ତ ହୋଇ ସୁର କାଗଜଟିକୁ ଦୂରକୁ ଫିଙ୍ଗି ଦେଲା । ପବନର ତରଙ୍ଗରେ ଥରି ଥରି କାଗଜ ଉଡ଼ି ଉଡ଼ି ପଡ଼ିଲା ଅନେକ ଦୁରରେ ପେନସିଲ୍ ଉପରେ ଅଭିମାନ କରି ସୁର ପକାଇଦେଲା ତାକୁ ଟେବୁଲ ଉପରେ ।

 

ମୁହରେ ତା’ର ଅସନ୍ତୋଷ ଘୋଟି ଆସିଲା ।

 

ଅନେକ ସମୟରେ ଏମିତି ସୁର ନିଜ କାଗଜ, ପେନସିଲ୍‍ ଉପରେ ଅଭିମାନ କରେ । ରାଗେ, ଫୋପଡ଼ା ଫୋପଡ଼ି କରେ । ତା’ପରେ ପୁଣି ସ୍ନେହରେ ତଳୁ ଗୋଟାଇ ଆଣି ତାକୁ ମନ ଭରି ଦେଖେ । ଆଦର କରେ । ପୁଣି ବସିଯାଏ ଚିତ୍ର ଆଙ୍କେ ।

 

ଏଇ ନିର୍ଜୀବ ଜିନିଷଗୁଡ଼ାକ ଉପରେ ସୁରର ଅହେତୁକ ଅଭିମାନ । ଦୁନିଆ ଭିତରେ ଆଉ କାହାରି ଉପରେ ରାଗ, ଅଭିମାନ କରିବାକୁ ସୁରର ଯେମିତି କେହି ନାହାନ୍ତି ।

 

ପେନ୍‌ସିଲ ଓ କାଗଜକୁ ଦୂରକୁ ଫୋପାଡ଼ିଦେଇ ସୁର ସେଦିନ ଗୁଡ଼ାଏ କ’ଣ ବସି ଭାବିଲା । ମନୁଆ କହିଲା, ମେସ୍‍ରେ ତମେ ଭଲ ଥିଲ ବାବୁ । ଏ ବସା ମୋଟେ ଭଲ ଲାଗୁନି । ତମେ ସେ ମେସ୍‍କୁ ଚାଲ...

 

ମେସ୍‍ ! ସୁରର ହଠାତ ମନେ ପଡ଼ିଗଲା ।

 

ଅନେକ ଦିନର ମେସ୍‍ ଜୀବନ ଆପେ ଆପେ ଛାଡ଼ିଦେଇ ସେ ଆସିଛି ଏଇ ନିର୍ଜିବ ଏକୁଟିଆ ଘରକୁ । ମେସ୍‍ରେ ସେ ଚଳି—ପାରିଲା ନାହିଁ । ଗରିବ ଘରର ପିଲା ସେ । ମେସ୍‍ ଖର୍ଚ୍ଚ, ଜଳଖିଆ, ମେସ୍‍ ସାଙ୍ଗ ସାଥିଙ୍କ ସହିତ ସିନେମା ଦେଖିବା ପାଇଁ ତା’ ପାଖରେ ପଇସା ଅଣ୍ଟିଲା ନାହିଁ ।

 

ସୁର ଘରୁ ଜଳଖିଆ ଆସେ ଭଜା ଚାଉଳର ଚୂନା । କେଉଁ ପୁରୁଣା ଲୁଗାକନାରେ ବାନ୍ଧି ଯତ୍ନରେ ହେମାଙ୍ଗିନୀ ପଠାଇଥାଆନ୍ତି ତାକୁ ମେସ୍‍କୁ । ମେସ୍‍ ପିଲା ଦେଖିଲେ ଚାରିପାଖଯାକ ଘେରିଯାଆନ୍ତି । କଅଣ ଆସିଛି ବୋଲି ଖୋଜି ହୁଅନ୍ତି । ଚୂନା ପୁଡ଼ାକୁ ଖୋଲି ଦେଖେଇଲାବେଳକୁ ସଙ୍କୋଚ ଆଉ ଭୟରେ ସୁର ଦେହରୁ ରକ୍ତ ଶୁଖି ଯାଇଥାଏ । ପିଲାଏ ପୁଡ଼ାଟି ଫିଟାଇ ଦେଖିସାରି ପଛକୁ ଘୁଞ୍ଚିଥାନ୍ତି...ଧେତ୍‍ ! ଚାଉଳ ଚୁନାଗୁଡ଼ାକ !

 

କେହି ମୁହଁଖୋଲି କହିପାରନ୍ତି ନାହିଁ । ଆଉ କେହି କେହି ସୁରର ଦାରିଦ୍ର୍ୟର ସହାନୁଭୁତି ଦେଖାଇ କଅଁଳ କଥା ପଦେ ପଦେ କହନ୍ତି । ସବୁ ଶୁଣିସାରି ସୁର ଦେହରେ ଜହର ଚହଟିଯାଏ । ବୋଉ ଉପରେ ରାଗରେ ଦାନ୍ତ କଡ଼ ମଡ଼ କରେ । ଦିନେ ଦିନେ ମନ ଖରାପରେ ଚୂନାତକ ନେଇ ବିଞ୍ଚିଦିଏ ନର୍ଦ୍ଦମା ଦେହରେ ।

 

ଘରକୁ ଖବର ପଠାଏ, ଜଳଖିଆ ପଠାଇବ ନାହିଁ ଖାଇବାକୁ ମତେ ବେଳ ମିଳୁ ନାହିଁ ।

 

ଘରେ ଥାଇ ହେମାଙ୍ଗିନୀ ସବୁ ବୁଝନ୍ତି । ଆଖି ଓଦା କରନ୍ତି ଦୁଃଖରେ । ପୁଣି ମନ ଅଥୟ ହୁଏ । ସହର ଜାଗା, ପଇସା ନ ହେଲେ କେହି ମୁହଁକୁ ଅନାଉ ନ ଥିବେ । ପିଲାଟା ଉପାସ ରହୁଥିବ । ଚୂନା ନ ଦେଇ ସେ ଚାଉଳ ପଠାନ୍ତି । ଲୁଚେଇ ଲୁଚେଇ ଆ’ ହାତରେ ତା’ ହାତରେ ଖବର ପଠାନ୍ତି, ବାକ୍‍ସରେ ଲୁଚେଇ ରଖିଥିବୁ । କେହି ନ ଥିଲା ବେଳେ ପାଣିରେ ପକାଇ ଛାଣି ଖାଇ ଦେବୁ । ପେଟ ଥଣ୍ଡା ରହିବ ।

 

ସୁର ଛକି ଛକି ଗାଁ ଲୋକଙ୍କଠାରୁ ପୁଡ଼ାଟି ଆଣି ବାକ୍‌ସ ଭିତରେ ରଖେ, ସମସ୍ତଙ୍କୁ ଲୁଚେଇ ଲୁଚେଇ ଖାଏ । କିନ୍ତୁ ପିଲାଙ୍କୁ ଅଛପା ରହେ ନାହିଁ କଥାଟା ।

 

ଦିନେ କଲେଜରୁ ଫେରି ସୁର ଦେଖେ ତ ଲୁହା କଣ୍ଟାରେ ତା’ ଟ୍ରଙ୍କର ଶସ୍ତା ଛ’ଣା ଦୁଇପଇସିଆ ତାଲାଟି ଖୋଲା ହୋଇଛି ।

 

ଭୁଜା ଦେହରେ ପୁଳାଏ ସୋରିସତେଲ ପକାଇ ମେସ୍‍ ପିଲାଏ ଭୋଜି କରିବାରେ ଲାଗିଛନ୍ତି ।

 

ସୁରକୁ ଦେଖି କଳରୋଳ ଉଠେ ।

 

ବାଃ । ଆପଣ ଏମିତିଆ ବଢ଼ିଆ ଜିନଷକୁ ଟ୍ରଙ୍କ ଭୀତରେ ଜେଲ୍‍ ଦେଇଥିଲେ ସୁରବାବୁ .. ପୂଝାରି ଟୋକା କହିଲା ବୋଲି ସିନା ।

 

ସୁର ମୁଁହ ରଙ୍ଗା ପଡ଼ିଆସେ ସଙ୍କୋଚରେ । ବୋଉକୁ ମନେ ମନେ ସେ ଅଭିଶାପ ଦେବାକୁ ଲାଗେ ।

 

ସେମିତି ସବୁଦିନେ ସନ୍ଧ୍ୟାବେଳେ କଲେଜ ପିଲାଏ ଡାକନ୍ତି, ଆସନ୍ତୁ ସୁରବାବୁ ସିନେମା ଯିବା । ଭଲ ଛବି ଗୋଟାଏ ଆସିଛି....

 

ସୁର ମନେ ମନେ ହିସାବ କରେ, ବାପା ପଠାଇଛନ୍ତି ଟଙ୍କା ମାତ୍ର ଚାଳିଶିଟି । କଲେଜ ଦରମା ଦଶ । ମେସ୍‍ ଅଠେଇଶି । ଜଳଖିଆ ସେଲୁନ୍‍—ଧୋବା ।

 

ସେ ଚଟକରି ସାଥ୍‌ଙ୍କୁ ସ୍ମରଣ କରାଇଦିଏ, କାଲି ଇକନମିକ୍‍ସ ଟିଉଟରାଲ୍‍ ଅଛି—ପ୍ରଫେସର ସୁବ୍ରନିୟମଙ୍କ ଟାସ୍କ୍‍ କରି ନ ଗଲେ—

 

ଓଠରେ ଶୁଶୁରି ବଜାଇ ସୁରର ବକ୍ତୃତା ଶୁଣିବାକୁ ଅପେକ୍ଷା ନ କର ସାଥି ପିଲାମାନେ ଚଟି ଘୋଷାରି ଘୋଷାରି ବାହାରି ଯାଆନ୍ତି—

 

ତା’ ଆରଦିନ ପୁଣି ଆଉ ପଞ୍ଚାଏ ସାଙ୍ଗ ପିଲା ଡାକନ୍ତି, ହାଲୋ ମିଷ୍ଟର ରାୟ । ଚାଲାନ୍ତୁ ଆଜି ଯିବା ମ୍ୟାଚ୍‍ ଦେଖି—ମୋହନବାଗାନ ସାଙ୍ଗରେ ଓଡ଼ିଶାର ବେଷ୍ଟ୍‍ ଇଲେଭେନ୍‍ ଖେଳୁଛନ୍ତି—ଗୋଟାଏ ଦେଖିଲାଭଳିଆ ମ୍ୟାଚ—ଉଠନ୍ତୁ—

 

ସୁର ଉଠିପାରେ ନାହିଁ । ହିସାବ କରେ, ବାପା ପଠାଇଥିବା ଟଙ୍କା ଭିତରୁ ଆଉ ପଚିଶ ଟଙ୍କା ଅଛି—ଏ ମାସରେ ପରିକ୍ଷା ଫିସ୍‍ ଅଧିକା ପଡ଼ିଗଲା—ମେସ୍‍କୁ ଅଠେଇଶ ଟଙ୍କା ଆଡ଼ଭାନ୍‍ସ ଦେବାର କଥା—ତିନିଟଙ୍କା ନଅଣ୍ଟ ଅଛି ବୋଲି ସେ ଦେଇପାରି ନାହିଁ— ମ୍ୟାଚ୍‍ ପାଇଁ ଟଙ୍କା ଆଣିବ ସେ କେଉଁଠୁ ?

 

ସେ ଯୁକ୍ତି କରେ, ଦେହଟା କାଲିଠୁଁ ଭଲ ନାହିଁ ଭାଇ । ମୁଣ୍ଡ ବିନ୍ଧୁଛି ଯେ—ମୁଣ୍ଡକୁ ଚିପିଧରି ବିନ୍ଧୁ ଥିବାର ଛଳନା କରେ ସୁରେନ୍ଦ୍ର ।

 

ସୁରକୁ ପୁସ୍ତକ-କୀଟ ବୋଲି ଆକ୍ଷେପ କରି ସାଙ୍ଗ ପିଲାମାନେ ସିଗାରେଟ ଟାଣି ଟାଣି ବାହାରି ଯାଆନ୍ତି ପଦାକୁ । ସେମାନେ ଚାଲିଯିବା ପରେ ମୁଣ୍ଡରୁ ହାତ ଛାଡ଼ିଦେଇ ସୁର ଆସନ୍ନ ସନ୍ଧ୍ୟାର ଅନ୍ଧାର ଆଡ଼କୁ ଅନାଇ ରହେ ନିରୂପାୟ ଆଖିରେ । ନିଜର ଦାରିଦ୍ର୍ୟ, ଅସହାୟ ଅବସ୍ଥା ପ୍ରତି ତା’ର ଅଭିମାନ ଆସେ । ଆଖିରେ ଟଳମଳ ହୁଏ ଲୁହ । ମନେ ମନେ ଭାବେ ସେ ମେସ୍‍ ଛାଡ଼ିଦେବ....ଏ ଅପମାନରୁ ମୁକ୍ତି ପାଇଯିବ ।

 

ସୁର ମେସ୍‍ ଛାଡ଼ିଦେଲା ଆଉ ଗୋଟିଏ ଆଘାତରେ ।

 

ସେଦିନ କଲେଜରୁ ଫେରି ସେ ଦେଖିଲା ତା’ ବାକ୍‌ସ ଖୋଲା ହୋଇଛି । ସମସ୍ତେ ଶୋଇପଡ଼ିଲାବେଳେ ରାତିରେ ଉଠି ସେ ଯେଉଁ ଚିତ୍ର ଆଙ୍କେ, ସେ ଚିତ୍ରସବୁ ଛିନ୍ନଛିତ୍ର ହୋଇ ପଡ଼ିଛି ଏଣେତେଣେ । ଅନେକ ଚିତ୍ର ତଳେ ନାନା ଅବାନ୍ତର ମନ୍ତବ୍ୟ ଲେଖାହୋଇଛି । କେତେକ ଚିତ୍ରକୁ ବିକୃତ କରାଯାଇଛି ।

 

ସିନେମା ଦେଖିବାକୁ ସମସ୍ତେ ବାହାରି ଯାଇଛନ୍ତି ପଦାକୁ । କେହି ନାହାନ୍ତି ।

 

ବହୁ କଷ୍ଟରେ ଆଙ୍କି ଥିବା ଚିତ୍ରଗୁଡ଼ିକର ଏ ଅବସ୍ଥା ଦେଖି ସୁର ଆଖିରେ ହଠାତ୍‍ ଲୁହର ନଈବଢ଼ି ଆସିଲା । ସେ ନିଜ ଦାରିଦ୍ର୍ୟର ଅପମାନ ସହିପାରେ; କିନ୍ତୁ ନିଜ କଳାର ଅପମାନ ତା’ ପକ୍ଷରେ ଅସହ୍ୟ ।

 

ମିନିଟ୍‍ କେତୋଟିରେ ସେ ନିଷ୍ପତ୍ତି ଦେଲା ଯେ ଆଉ ଏ ମେସ୍‍ରେ ରହିବା ସମ୍ଭବ ନୁହେଁ-। ଆଉ ଏକ ନୂତନ ବସାର ସନ୍ଧାନରେ ସେ ବାହାରିପଡ଼ିଲା ।

 

ଏଇ ବସା । ଏଇ ଘର । ଏଇ ସାଥି ମନୁଆ ।

 

ମନୁଆ ଆଜି କହୁଛି, ଭଲ ଲାଗୁନି । ଚାଲ ମେସ୍‍କୁ ଫେରିଯିବା ।

 

ତାକୁ କ’ଣ ଉତ୍ତର ଦେବ ସୁରେନ୍ଦ୍ର ?

 

ମନୁଆକୁ କିଛି ଉତ୍ତର ଦେବା ଅପେକ୍ଷା ତଳେ ପଡ଼ିଥିବା କାଗଜ ଆଉ ପେନସିଲ୍‍କୁ ଆଣି ମୂଷା ଚିତ୍ର ଆଙ୍କିଲେ ବରଂ ଭଲ । ସୁର ତଳକୁ ଓହ୍ଲାଇଲା ।

 

ସେଦିନ ରବିବାର ।

 

ସକାଳ ଆଠଟା ହେବ । ମନୁଆ ଭାତ ଗାଳିସାରି ଡାଲି ବସାଇଥିଲା । ତା’ ପରେ ପୁଣି ଭେଣ୍ଡି ଖଟା କରିବାକୁ ପଡ଼ିବ । ଭାତରେ ପଡ଼ିଥିବା ଆଲୁରୁ ଚୋପା ଛଡ଼ାଇ ଚକଟି ଭର୍ତ୍ତା କରିବାକୁ ହେବ । ମନୁଆ ତରତର ହେଉଥିଲା ।

 

କବାଟ ଝାଞ୍ଜିର ଝଣ୍‍ ଝଣ୍‍ ହେଲା ।

 

ମନୁଆ କାନ ଡେରିଲା, କିଏ ? ବାବୁ ତ ନୁହନ୍ତି ! ହୋଇଥିଲେ ନାମ ଧରି ଡାକନ୍ତେ ।

 

ପୁଣି ଜୋରରେ ଝଞ୍ଜିର ଝଣ୍‍ ଝଣ୍‍ ହେଲା ।

 

ଡାଲି ହାଣ୍ଡିଟା ବସାଇଦେଇ ମନୁଆ ଗଲା କବାଟ ଖୋଲି ଦେବାକୁ । କବାଟ ଖୋଲିଲା । ଏ କିଏ ? ମାଇପି ଲୋକ ଜଣେତ । ଚିହ୍ନିବାକୁ ଚେଷ୍ଟାକଲା ମନୁଆ । କାହିଁ କେଉଁଠି ଦେଖିଲା ଭଳି ମନେ ପଡ଼ୁ ନାହିଁ ତ ।

 

ବାବୁ—ବାବୁ ଘରେ ଅଛନ୍ତି ?...ସ୍ତ୍ରୀଲୋକ ଜଣକ ପଚାରିଲେ । ମୁହଁରେ ହସ । ଚାହାଣିରେ ଆଲୁଅ ଦିଶୁଛି । ମନୁଆକୁ କେମିତି ମାଡ଼ି ମାଡ଼ି ପଡ଼ିଲା । ସେ କହିଲା, ବାବୁ...ବାବୁ କ’ଣ ପ୍ରଦର୍ଶନୀ ଦେଖି ଯାଇଛନ୍ତି ।

 

ପ୍ରଦର୍ଶନୀ ! ସ୍ତ୍ରୀଲୋକ ଜଣଙ୍କ କ’ଣ ମନେ ମନେ ଭାବିବାକୁ ଲାଗିଲେ, ପୁଣି ହଠାତ୍‍ ମନେ ପଡ଼ିଗଲା ଭଳି କହିଲେ,ଓଃ ଚିତ୍ରଶିଳ୍ପ ପ୍ରଦର୍ଶନୀ । ମ୍ୟୁନିସିପାଲିଟି ପଡ଼ିଆକୁ ଯାଇଛନ୍ତି ?

 

ମନୁଆ ଆଉ କିଛି କହିଲେ ନାହିଁ । ଭାବିଲା ବାବୁ ନାହାନ୍ତି ଶୁଣି ସ୍ତ୍ରୀଲୋକ ଜଣଙ୍କ ଫେରିଯିବେ । ସେ ପୁଣି ଡାଲି କରିବାରେ ମନ ଦେବ । ତେଣେ ହାଣ୍ଡି ବସାଇଦେଇ ଆସିଚି ଚୁଲୀରେ । ହାଣ୍ଡି ତାତି ଯାଉଥିବା ।

 

ସ୍ତ୍ରୀଲୋକଟି ଏଥର କିନ୍ତୁ ବଡ଼ ସହଜ ଭାବରେ ଭିତରେ ପଶି ପୁରୁଣା ଚେୟାର ଖଣ୍ଡିକରେ ବସିପଡ଼ିଲେ । ମନୁଆ କିଛି ସମୟ କବାଟ ପାଖରେ ଠିଆହୋଇ ରହିଲା । ପୁଣି କ’ଣ ଭାବି ପଚାରିଲା, କ’ଣ ଆପଣ ବସିବେ ?

 

ସ୍ତ୍ରୀଲୋକଟି ଏଥର ହସିଲା ମୁହଁକୁ ଉଠାଇ କହିଲେ, ନାଇଁ ଥାଉ, ମୁଁ ବସିଛି...ତମେ କ’ଣ ରୋଷେଇ କରୁଛ ! ହଉ... ଯାଅ କର ।

 

ମନୁଆ ଲାଜ ଲାଜ ହୋଇ ରୋଷେଇ ଘର ପାଖକୁ ଗଲା । ଚୁଲୀ ପାଖରେ ବସିବାକୁ ତାକୁ ଏଥର କେମିତି ଲାଜ ମାଡ଼ିଲା । ରୋଷେଇ ସ୍ତ୍ରୀଲୋକଙ୍କର କାମ । ସ୍ତ୍ରୀଲୋକ ଜଣେ ଚେୟାରରେ ବସିଥିବାବେଳେ ସେ ରୋଷେଇ କରିବ କେମିତି !

 

ବାର ତେର ବର୍ଷର ପିଲା ମନୁଆ । ଦେହ ଓ ମନରେ ତା’ର ପୌରୁଷ ଏବେ ସୁଦ୍ଧା ଜାଗ୍ରତ ହୋଇ ନାହିଁ । ତଥାପି ଜଣେ ସ୍ତ୍ରୀଲୋକ ପାଖରେ ରୋଷେଇ କରିବାକୁ ତାକୁ କେମିତି ସଂକୋଚ ବୋଧ ହେଉଥିଲା । ଡାଲି ବଘାରିଲା ବେଳେ ସେ କଣେଇ କଣେଇ ଦେଖି ନେଉଥିଲା, ସ୍ତ୍ରୀଲୋକଟି ତା’ ରୋଷେଇକୁ ଲକ୍ଷ୍ୟ କରୁଛନ୍ତି କି ନାହିଁ !

 

ସ୍ତ୍ରୀଲୋକ ଜଣଙ୍କ ମନୁଆ ଆଡ଼କୁ ଚାହୁ ନ ଥିଲେ । ଟେବୁଲକୁ ସଫାକରି ଖେଳିଆ ହୋଇ ପଡ଼ିଥିବା ବହିପତ୍ରକୁ ସଜାଡ଼ି ରଖି ସେ କ’ଣ ଗୋଟାଏ ବହିପଢ଼ାରେ ମନ ଦେଇଥିଲେ । ବେଳେ ବେଳେ ଚାହୁଁଥିଲେ ଦ୍ଵାରବାଟେ ବାହାରକୁ ବୋଧହୁଏ ଅପେକ୍ଷା କରୁଥିଲେ ସେ ବାବୁଙ୍କୁ....

 

ବାବୁ ଅଛି କି ?

 

ମନୁଆ ଭିତରୁ ଜବାବ ଦେଲା, କିଏ ସେ ?

 

ହାମେ ହାମେ ଅଗରୱାଲା ଅଛୁ । ହାମ ଘରଭଡ଼ା ଛ’ମାସର ଚୁକ୍ତି କରିଦେଲେ...

 

ଡାଲି ହାଣ୍ଡିଟା ଓହ୍ଲାଇ ଦେଇ ମନୁଆ ଦାଣ୍ଡକୁ ଆସି ଦେଖିଲା, ଘରବାଲା ଆସି ଠିଆ ହୋଇଛି । ବେଳେବେଳେ ସ୍ତ୍ରୀଲୋକ ଜଣଙ୍କ ଆଡ଼କୁ ଅନାଉଛି ।

 

ମନୁଆ କହିଲା,ବାବୁ ନାହାନ୍ତି । ପ୍ରଦର୍ଶନୀ ଦେଖି ଯାଇଛନ୍ତି ।

 

ଗାଲର ମାଂସପେଶୀକୁ ଫୁଲାଇ ଦେଇ ଅଗ୍ରଓ୍ୱାଲା ଗର୍ଜି ଉଠିଲା, ହର୍‌ରୋଜ ବାବୁ ଘରେ ନାହାନ୍ତି.. । ଛ’ମାସର ଘରଭଡ଼ା ପାଇଁ ଦୌଡ଼ି ଦୌଡ଼ି...

 

ଅଗ୍ରୱାଲାର ଗର୍ଜନକୁ ଚପାଇଦେବା ପାଇଁ କ’ଣ କହିବାକୁ ହେବ, ସେକଥା ମନୁଆ ମନେ ମନେ ଯୋଜନା କରୁଥିଲା । ସ୍ତ୍ରୀଲୋକ ଉଠିଆସିଲେ । ପଚାରିଲେ, ଘରଭଡ଼ା ? ଘରଭଡ଼ା କେତେ ?

 

କୃତକୃତ୍ୟ ହେବା ଭଙ୍ଗୀରେ ଅଗ୍ରୱାଲା ମାସକୁ ପଚିଶିଟଙ୍କା ହିସାବରେ ଗୁଣନ କରି ଛ’ ମାସକୁ କହିଦେଲା, ମାତ୍ର ଦେଢ଼ଶହ ଟଙ୍କା ।

 

ମନୁଆ ଅନେଇଛି । ଛୋଟ ଚମଡ଼ା ବ୍ୟାଗରୁ ପୁଳାଏ ନୋଟ୍‍ କାଢ଼ି ସ୍ତ୍ରୀଲୋକ ଅଗ୍ରୱାଲା ଆଡ଼କୁ ବଢ଼ାଇ ଦେଲେ । ଗୋଟିଏ ବିନୀତ ସଲାମ ବଜାଇ ଘରବାଲା ହନୁମାନ ଜୀଉଙ୍କର ରାସ୍ତା ଦେଖିଲା ।

 

ପୁଲାଏ ନୋଟ୍‍ । ବାବୁଙ୍କ ଘରଭଡ଼ା ଟଙ୍କା । ଏ ସ୍ତ୍ରୀଲୋକ ଜଣକ ଦେଲେ କାହିକି ? ମନୁଆର ମୁଣ୍ଡ ଭିରରେ ଗୋଟିଏ ଗୋଳମାଳ ଆରମ୍ଭ ହୋଇଗଲା ।

 

ସ୍ଵୀଲୋକ ଜଣକ ସତର୍କ କରାଇଦେଲେ, କୋଇଲା ଚୁଲୀ । ନିଆଁ ଲିଭିଲା । ରୋଷେଇ ସରିଛି ତ ।

 

ଆଳୁ ଭରତା ହେବାକୁ ଆହୁରି ବାକି ଅଛି । ମନୁଆ ଚୂଲୀ ପାଖକୁ ଫେରିଗଲା' । ମନରେ କିନ୍ତୁ ଗୋଟାଏ ସନ୍ଦେହ ତା’ର ବୁଢ଼ିଆଣୀ ସୁତା ଭଳି କେବଲ ଗୁଡ଼େଇ ତୁଡ଼େଇ ହେଉଛି । ଏ ସ୍ଵୀଲୋକ ଜଣକ କିଏ ?

 

ସ୍ତ୍ରୀଲୋକ ଜଣଙ୍କ ମଧ୍ୟ ଛଟପଟ ହେଉଛନ୍ତି । ସକାଳର ଖରା ତାତି ଆସିଲାଣି । ଯଶୋଧାରା ତେଣେ ବ୍ୟସ୍ତ ହେଉଥିବ । କୁଆଡ଼େ ଗଲେ ସୁରଭାଇ !

 

ଅନେକ ଅନୁଯୋଗ ଏକାଠି କରି ସେ ଏଠିକି ଆସିଥିଲା । ଗୋଟି ଗୋଟି କରି ପଚାରି ସବୁ ଉତ୍ତର ଆଦାୟ କରିଥାନ୍ତା । କିନ୍ତୁ ଏତେବେଳଯାଏ ସେ ଧରାଛୁଆଁ ମଧ୍ୟ ଦେଉ ନାହାନ୍ତି ।

 

ରାକ୍ ଉପରେ ମଇଳା ଲୁଗା ଗଦାଏ ଜମା ହୋଇଛି । ସଫା ହୋଇନି । ଘରଭଡ଼ା ଦିଆ ହୋଇ ନ ଥିଲା । ପରିବା ଦୋକାନୀର ମଧ୍ୟ ବାକି ଥିବ । ବଡ଼ ଅସୁବିଧାରେ ଚଲୁଛନ୍ତି ଏକା ସୁରଭାଇ ! ସେ କଥା କ’ଣ ତା’ର ବୁଝିବାର କଥା ନୁହେଁ ?

 

ନିଜକୁ ସେ ବଡ଼ ଅପରାଧିନୀ ମନେକଲା ଭଳି ଜାଣିପାରୁଥିଲା । ମୁଣ୍ଡ ନଇଁ ଆସୁଥିଲା ତା’ର ତଳକୁ—ଲାଜରେ...ସଂକୋଚରେ ।

 

ଦିନ ବେଳକୁ ବେଳ ବେଶୀ ହେଉଛି । ସୁରଭାଇ ଆସୁ–ନାହାନ୍ତି । ଶିଳ୍ପୀ ମନ । ହୁଏତ କେଉଁଠି ଅଟକି ଯାଇଥିବେ । ଆସୁ ଆସୁ କେତେ ନାହିଁ କେତେ ଡେରିହେବ । ଆଉ ଅପେକ୍ଷା କରିହେବ ନାହିଁ ।

 

ସେ ଡାକିଲା, ହେ ପିଲା, ଶୁଣ୍‍ ।

 

ମନୁଆ ଆସି ଠିଆହେଲା ।

 

ଦେଖ୍‍ ବାବୁ ଆସୁ ଆସୁ ଡେରିହେବ । ମୁଁ ଯାଉଛି । ବାବୁଙ୍କ ଠାରୁ ଧାର ନେଇଥିଲି ଏ ଟଙ୍କାତକ….ରଖ୍‍ । ଦେବୁ—କହିବୁ ଦେଈ ଦେଇ ଯାଇଛନ୍ତି । ଧାର ଟଙ୍କା ।

 

ସେ ମନିବ୍ୟାଗ୍‍ରୁ ପୁଣି ପୁଳାଏ ଟଙ୍କା କାଢ଼ି ମନୁଆ ହାତରେ ଦେଲା । ତା’ପରେ ଓହ୍ଲାଇ ଆସିଲା ରାଜପଥ ଉପରକୁ । ପିଚୁରାସ୍ତା ତାତିଲାଣି ।

 

ସ୍ତ୍ରୀଲୋକ ଜଣକ ଯିବା ପରେ ନୋଟ୍‍ ପୁଳାଏ ଧରି ମନୁଆ ଏପଟ ସେପଟ କଲା । ଏତେ ଟଙ୍କା ଏକାଥରେ ହାତରେ ଧରିବା ତା’ ଜୀବନରେ ଏଇ ପ୍ରଥମ । ବାବୁ ଏତେ ଟଙ୍କା ମାଇପି ଲୋକଙ୍କୁ ଧାର ଦେଉଛନ୍ତି.....ଅଥଚ ନିଜେ ପଇସା ବିନା ହଇରାଣ ହେଉଛନ୍ତି, ଆଉ ତା’ର ମାସିକ ପାଞ୍ଚଟଙ୍କା ଦରମା ବାକି ରଖୁଛନ୍ତି ।

 

ମନୁଆ ଟଙ୍କାଗୁଡ଼ାକ ହାତରେ ଏପଟ ସେପଟ କରି କେବଳ ଭାବିବାକୁ ଲାଗିଲା ।

 

ଯୋତା ଶବ୍ଦ ଶୁଭିଲା । ହେଇ,ବାବୁ ଆସିଲେ ।

 

ଏଇ ବାବୁ ନିଅ ! ଦେଈ ଦେଇଯାଇଛନ୍ତି ଏ ଧାର ଟଙ୍କା... ଗଣନ୍ତୁ । ମୁଁ ଗଣିନି....ଘରବାଲାକୁ ସେ ପୁଣି ଦେଢ଼ଶହ ଟଙ୍କା ଦେଲେ ଦେଈ ଆସିଥିଲେ—

 

ଦେଈ !

 

ସୁର ଅବାକ୍‍ ହେଲା । ହଠାତ୍‍ ଏତେ ଟଙ୍କା କୁଆଡ଼ୁ ଆସିଲା ?

 

ଦେଈ ! —କୋଉ ଦେଈ ଆସି ଥିଲେ ?

 

ମନୁଆ ହସିଲା— ଦେଈ ! ଦେଈ ମ ! କହିଗଲେ ତ ମତେ କହିଦେବୁ ଦେଈ ଧାର ଟଙ୍କା ନେଇଥିଲେ ଦେଇଗଲେ—ବସି ବସି ଏଇ ନଗଦ ଗଲେ—ଛକ ଡେଇଁଥିବେ କି ନାହିଁ ।

 

ସୁର ରାସ୍ତାକୁ ଯାଇ ଅନେଇଲା । କେହି ଦିଶୁ ନାହାନ୍ତି ।

 

ଦେଈ ଆସିଥିଲେ ! କଏ ଲୀଳା ?

 

କିରେ ମନୁଆ—ଲୀଳା ଆସିଥିଲା ?

 

ଲୀଳା ? ଲୀଳା କଏ ? ଦେଈ ଆସି ଥଲେ ତ—

 

ମନୁଆ ପୁଣି ଗୋଟାଏ ଗୋଲକଧନ୍ଦାରେ ପଡ଼ିଗଲା ।

 

ସୁର କହିଲା, ନାଇଁ ତୁ ଯା’ । ଭାତ ବାଢ଼୍‍— ।

 

ଗାଧୋଇ ନାହାନ୍ତି ଯେ, ଅଗାଧୁଆ ଖାଇବେ ?

 

ସୁରର ହଠାତ୍‍ ଖିଆଲ ହେଲା....ସତରେ ସେ ଗାଧୋଇ ନାହିଁ ।

 

ଲୀଳା ଆସି ଥିଲା । ଦେଇଯାଇଛି ଧାର ଟଙ୍କା । କି ଧାର ସେ ନେଇଥିଲା ?

 

ସୁର ଆଖିରେ ଅନେକ ଦିନର ଅନେକ କଥା ସିନେମାର ଚଳମାନ ଛବି ଭଳି ନାଚିଗଲା । ଅନେକ ଦିନର ଅନେକ ମୃତସ୍ମୃତି ଭଉଁରି ଖେଳି ଖେଳି ଦଶିଗଲା ଖାଲି ଆଖିରେ । ଆଖି ଝଲସି ଗଲା । ମାଡ଼ିହୋଇ ପଡ଼ିଲା ।

 

ଲୀଳାର ବାହାଘର ସରି ଯାଇଥିବ ଏଥି ଭିତରେ ।

 

ସ୍ଵାମୀ ହୀରାକୁଦର ଇଂଜିନିୟର !

 

କୁମାରୀ ଲୀଳାବତୀ ମିଶ୍ର ସେ ନୁହେଁ । ଶ୍ରୀମତି…କ’ଣ ? କ’ଣ ହୋଇଥିବ ?

 

ମନୁଆ କହିଲା, ତେଲ, ତେଲ ନିଅନ୍ତୁ ।

 

ସୁର ପ୍ରକୃତିସ୍ଥ ହୋଇ ଦେଖିଲା । ଥୁଆହୋଇଥିବା ନୋଟଗୁଡ଼ାକ ପୁରୁଣା ଟେବୁଲର ଶୋଭା ବଢ଼ାଇ ଦେଇଛନ୍ତି !

 

ସୁର ଆସିଛନ୍ତି ଲୀଳା ! ବାହାରେ ଅପେକ୍ଷା କରିଛନ୍ତି । ଯଶୋଧାରା ସମ୍ବାଦ ପରିବେଷଣ କରି ଚାଲିଗଲା ! ମୁହଁରେ ପାଉଡ଼ର ମାରିସାରି ସୀମନ୍ତରେ ସିନ୍ଧୁର ଲଗାଉଥିଲା ଲୀଳା । ଚମକି ଉଠିଲା । ସୁରଭାଇ ଆସିଛନ୍ତି !

 

ସୁର ଭୀତରକୁ ପଶିଲା, ମୁହଁରେ କେମିତି ଗାମ୍ଭୀର୍ଯ୍ୟର ଢେଉ ଖେଳୁଛି ।

 

ଆସ ବସ ସୁରଭାଇ ! ମୁଁ ତୁମକୁ ଅପେକ୍ଷା କରୁଥିଲି । ଆଜି ସେଇଥିପାଇଁ କଲେଜ ଯାଇ ନାହିଁ । ମୁଁ ଜାଣିଥିଲି ତମେ ଆସିବ ସୁର ନ ବସି ଠିଆ ହେଲା । ପ୍ରବାହମାନ ଝରଣାଟି ଭଲି ଲୀଳାର କଥାସ୍ରୋତ ବହିଚାଲିଛି ସତେ ଯେପରି ସେ କଥାର ଗତି ବନ୍ଦ ହେବାର ନୁହେଁ !!

 

ସକାଳର ଉଇଁଲା ସର୍ଯ୍ୟଟି ଭଲି ଲୀଳାର ସୀମନ୍ତରେ ସିନ୍ଦୂର ଟୋପାଟିଏ ଦାଉ ଦାଉ ହୋଇ ଜଳୁଛି । ମୁହଁରେ କେମିତି ଏକ ପରିବର୍ତ୍ତନର ଛାପ—ଯେଉଁ ମୁହଁକୁ ଦେଖିଲେ ଆକର୍ଷଣ ବଦଳରେ ମମତା ହିଁ ମନକୁ ଆବୋରି ବସେ ।

 

ଏକ ଲୟରେ ସୁର ସେ ସବୁ ଲକ୍ଷ୍ୟ କରି ଯାଇଥିଲା ।

 

ଠିଆ ହୋଇ ରହିଲ ଯେ, ବସ ।, ଲୀଳା ବାଧ୍ୟ କଲା ଭଳି କହିଲା, ନ ବସିବାର କୌଣସି ଯୁକ୍ତି ନ ପାଇ ଅଗତ୍ୟା ଚେୟାରରେ ବସିଲା ସୁର । ପାଖରେ ଆଉ ଏକ ଚେୟାର ଦଖଲ କରି ଲୀଳା ବସିଲା । ତା’ପରେ ନିଜର ସ୍ଵଭାବ ସୁଲଭ ଲୀଳାୟିତ ଭଙ୍ଗୀରେ କହିଲା—ମୁଁ ଜାଣେ, ତମ ପକେଟରେ କ’ଣ ଅଛି ସୁରଭାଇ । କହିବି ?

 

ସୁର କୌତୂହଳରେ ଆଖି ଦୁଇଟାକୁ ଉପରକୁ ଉଠାଇଲା । କହିଲା, କହ ।

 

ଟଙ୍କା ! ...ଟଙ୍କା ନିଶ୍ଚୟ ଅଛି । ଯେଉଁ ଟଙ୍କା ମୁଁ କାଲି ତମ ପୂଝାରୀ ଟୋକାକୁ ଦେଇ ଆସିଥିଲି । ନାଇଁ ! ସତ କୁହ !

 

ତୁ ମିଛ କହିନୁ । କିନ୍ତୁ କାହିଁକି ସେ ଟଙ୍କାଗୁଡ଼ାକ ତୁ କାଲି ଦେଇ ଆସିଥିଲୁ ମୁଁ ଜାଣିବାକୁ ଚାହୁଁଛି । ଏତିକି କହିସାରି ସୁର ଟଙ୍କାତକ କାଢ଼ି ଟେବୁଲ୍‍ ଉପରେ ଥୋଇଲା ।

 

ଶାଢ଼ୀ କାନକୁ ଦୁଇ ହାତରେ ମୋଡ଼ୁ ମୋଡ଼ୁ ଲୀଳା କହିଲା, ଅନେକ ଦିନ ହେଲା ତମେ ଆମ ବସାକୁ ଆସୁ ନାହଁ ! ବାହାଘରକୁ ଗଲ ନାହିଁ । କେତେ ଲୋକ ଆସିଲେ । ବାଜା ବାଜିଲା । ବାଣ ଫୁଟାଇ ବର ଆସିଲା । ଅଥଚ ଅଥଚ ତମେ ସାତପର ଭଳି ନ ଯାଇ ପଠାଇଦେଲ ଉପହାର ଗୋଟାଏ ବନ କପୋତୀର ଛବି ଶେଷ ଆଡ଼କୁ ଲୀଳାର କଣ୍ଠ ଅସହାୟ ହୋଇ ଆସୁଥିଲା । ନିଜକୁ ସଂଯତ କରିନେଇ ସେ କହିଲା, ସେଇଥିପାଇଁ ଏ ଟଙ୍କାତକ ମୁଁ ଦେଇ ଆସିଥିଲି...ମୁଁ ଜାଣିଥିଲି ତମେ ସେ ଟଙ୍କା ଫେରାଇ ଦେବାକୁ ନିଶ୍ଚୟ ଆସିବ.....ତମକୁ ଏଠିକି ଆଣିବାର ତା ଛଡ଼ା ଆଉ ବାଟ କ’ଣ ଥିଲା ?

 

ବେଶ୍‍ ମୁଁ ତ ଆସିଲି । ତୁ ଏ ଟଙ୍କାତକ ରଖ । ବାକି ଘରବାଲାକୁ ତୁ ଯେଉଁ ଟଙ୍କା ଦେଇଆସିଲୁ...

 

ଏ ଟଙ୍କାତକ ତମର ପାଖରେ ରହୁ—ଘରଭଡ଼ା ବାକି, ପରିବା ଦୋକାନାର ବାକି—ଚାରିଆଡ଼େ ବାକିର ଗୋଟାଏ ସାମ୍ରାଜ୍ୟ ବିସ୍ତାର କରି ହଇରାଣ ହେବା ଅପେକ୍ଷା ଏ ଟଙ୍କାତକ ରଖିବା ଭଲ—ତା’ ଛଡ଼ା ଟଙ୍କାତକ ଆଉ ମୋର ଦରକାର ନାହିଁ । କ’ଣ ହେବ ? ଜାଣିଛ ତ ସ୍ଵାମୀ ଇଞ୍ଜିନିୟର—ମାସକୁ ସାତଶହ ପଚାଶଟଙ୍କା ଦରମା ପାଆନ୍ତି—

 

କିନ୍ତୁ ତୋ’’ ଟଙ୍କା ମୋ ପାଖରେ ରହିବ, ଏହା ପଛରେ ଯୁକ୍ତି କ’ଣ ଅଛି ?

 

ସବୁ କାମ କଲାବେଳେ ତମେ ଯୁକ୍ତି ରଖି କାମ କର ନାହିଁ ସୁରଭାଇ ! ମୁଁ ସ୍କୁଲରେ ଗ୍ଲୋବ୍‍ ଭାଙ୍ଗିଲେ ତମେ ମାଡ଼ ଖାଇବାକୁ ପିଠି ଦେଖେଇ ଦେଇଛ—-ମୁଁ କ୍ଳାସ୍‍ରେ ଫାଷ୍ଟ ହେବି ବୋଲି ତମେ ଜାଣି ଜାଣି ଅଙ୍କ ଭୁଲ୍‍ କରିଦେଇ ଆସି ଚ—ଏହା ପଛରେ କ’ଣ ଯୁକ୍ତି କିଛି ରଖିଥିଲ ତମେ !

 

କିନ୍ତୁ ସେଇ ହଜିଗଲା ଦିନର କଥାକୁ ଧରି ତୁ ମୋ ଉପରେ କିଛି ବୋଝ ଲଦିଦେବୁ—ଏକଥା କେବେ ହୋଇପାରିବ ନାହିଁ ଲୀଳା ! ମୁଁ—

 

ସୁରଭାଇ ! —ସୁରର କଥା ମଝିରେ ହଠାତ୍‍ ପାଟିକରି ଉଠିଲା ଲୀଳା । ଆହତ ଗଳାରେ କହିଲା, ମୋ ପାଇଁ ସବୁ କରିଯିବ, ଆଉ ମୋଠୁଁ କିଛି ନେବ ନାହିଁ, ଏକଥା ମୁଁ ସହପାରିବି ନାହିଁ କହି ଦେଉଛି ! ତୁମକୁ ଏ ଟଙ୍କା ନେବାକୁ ହେବ—ହଁ, ପ୍ରତି ମାସରେ ତମକୁ ଟଙ୍କା ନେବାକୁ ହେବ—ମଇଳା, ମସିଆ ହୋଇ ଭୋକ ଉପାସରେ ଚଳିବ, ମୁଁ ଏକଥା କଦାପି ଘଟିବାକୁ ଦେବୀ ନାହିଁ । ସୁର ପକେଟରେ ଜବରଦସ୍ତ ସେ ନୋଟତକ ଭର୍ତ୍ତି କରିବାକୁ ଲାଗିଲା ଲୀଳା ।

 

ସୁର ଚୁପ୍‍ ହୋଇଗଲା । ଏକବାରେ ଚୁପ୍‍ । ସେ ନିଜେ ଅନୁଭବ କଲା, କୌଣସି ଆପତ୍ତି ଉଠାଇବାର ବାଟ ବହୁଦିନୁ ସେ ନିଜେ ନିଜେ ଯେମିତ ନିଜ ହାତରେ ବନ୍ଦ କରିଦେଇଛି !!

 

ଲୀଳା ବୁଝିଲା ସୁର ଆହତ ହୋଇଛି । ତେଣୁ କଥାରେ କଥାରେ ଢଙ୍ଗକୁ ବଦଳାଇବାକୁ ଯାଇ ସେ କହିଲା, ତମେ ତ ଗଲ ନାହିଁ ବାହାଘରକୁ ! ଭାରି ମଜା ହେଲା । ମୋ ବରକୁ ଦେଖିଛ ନା ! ତମ ଭଳି ନହନହକା ବାଉଁଶକଣି ନୁହେଁ— ବେଶ୍‍ ମୋଟାମୋଟି । ଗୋରା ତକତକ ଚେହେରା । ଝରକା ବାଟେ ମୁଁ ଦେଖିନେଇଛି—ହେଁ —ହେଁ—

 

ଲୀଳା ହସିବାକୁ ଲାଗିଲା । ସୁର ଭାବିବାକୁ ଲାଗିଲା, କେତେ ଫାଜିଲ ହୋଇଗଲାଣି ଲୀଳା ! ଟିକିଏ ସଙ୍କୋଚ ବି ନାହିଁ !!

 

ମୋ ବରଙ୍କ ପ୍ରଶଂସା କରୁଛି ବୋଲି ହିଂସା ହେଉଛି କି ମନରେ !...ଲୀଳା ପୁଣି ଆରମ୍ଭ କଲା ବାଃ–ତମେ ଯାଇ କିଛି ଦେଖିବ ନାହିଁ—କହିଲେ ମଧ୍ୟ ଶୁଣିବ ନାହିଁ ? ଦେଖିବା ଭଳି ତମ ବାହାଘରକୁ ଯେବେ ଯାଇଛି....

 

ସୁର ଏତେବେଳକେ ଓଠ ଖୋଲିଲା, ମୋ ବାହାଘର ।

 

ହଁ…ହଁ....ହଁ..... ତମରି ବାହାଘର । କେତେଥର କହିଲିଣି ନୂଆବୋଉଟିଏ ଆଣ । ଘରେ ମାଉସି ବ୍ୟସ୍ତ ହେଉଥିଲେ । କହୁଥିଲେ, ତମେ ଟିକଏ ଝିଅ କୁହ । ତମ କଥା ସେ ରଖିବ । ସତେ ସୁର ଭାଇ, ତମେ ମୋ କଥା ରଖିବ । ଭାରି ଭଲ ହୁଅନ୍ତା ଏକା... ଭଲ ଝିଅଟିଏ ଠିକ୍‍ କରିଛି...ମୋଠୁ ଆହୁରି ସୁନ୍ଦର ମୋ ଦେହ ରଙ୍ଗଠୁଁ ଆହୁରି ସଫା ଆମର କଲେଜରେ ନର୍ସି ପଢ଼ୁଛି.....ନା’ ତା’ର ସାଗରିକା । କ’ଣ ଶୁଭୁଛି ।

 

ସୁର ସେତେବେଳକୁ ଗୋଟିଏ ସିନେମା ପତ୍ରିକାର ଚିତ୍ର ଦେଖୁଥିଲା । ଲୀଳାର କଥା ଶୁଣି ବି ସେଥିପାଇଁ ସେ ଶୁଣୁ ନ ଥିଲା । ତେଣୁ ତା’ ପ୍ରଶ୍ନର ସେ କିଛି ଉତ୍ତର ଦେଲା ନାହିଁ ।

 

କେତେବେଲକେ ଲୀଳା ହଲେଇ ଦେଇକହିଲା, କ’ଣ ଶୁଭୁଛି ।

 

ଯଶୋଧାରା ସେତକବେଳେ ଠିକ୍‍ ଚା ନେଇ ଆସୁଥିଲା । ଲୀଳାର ବଡ଼ ପାଟିରେ ତା’ ହାତର ଚା’ ପିଆଲା ଚହଲିଯାଇ ସାମାନ୍ୟ ଢାଳି ହୋଇଗଲା ତଳେ ।

 

ଲୀଳାକୁ କିଛି ଉତ୍ତର ନ ଦେଇ ସୁର ପିଆଲାଟି ନେଇଗଲା ଆସି ଯଶୋଧାରା ହାତରୁ-

 

ଆଘାତ ଲାଗିଲା ଲୀଳାବତୀ ର ମନରେ । ତା’ର ମନେହେଲା ସତେ ଯେମିତି ତାକୁ ସୁର ଭାଇ ଆଉ ଆଗ ଭଳି ଭଲ ପାଉ ନାହିଁ ।

 

ନାରଣ ମାଷ୍ଟ୍ରେ ଭିତରକୁ ପଶିଲେ ।

 

ପିଠଉ ବାଟିବାରେ ବ୍ୟସ୍ତ ଥିଲେ ବି ହେମାଙ୍ଗିନୀଙ୍କ ମନ ଛଟପଟ ହେଉଥିଲା । ବାରମ୍ବାର ସେ ପଛକୁ ଫେରି ଚାହୁଁଥିଲେ । ନାରଣ ମାଷ୍ଟ୍ରଙ୍କୁ ଦେଖି ଶିଳ ଛାଡ଼ି ସେ ଆସି ଠିଆ ହୋଇଗଲେ । କ’ଣ ହେଲା ବୋଲି ପଚାରିଦେବାକୁ ତାଙ୍କର ଜିଭ ଲେଉଟୁ ନ ଥିଲା । ଯଦି ନାହିଁ ବୋଲି ସେ କହିଦେବେ—ତେଣୁ ସେ ଖାଲି ପଚାରିଲା ଆଖିରେ ଅନେଇଲେ ନାରଣ ମାଷ୍ଟ୍ରଙ୍କ ଆଡ଼କୁ ।

 

ନିଜ ଲୁଗା କୁଞ୍ଚ ଉପରୁ ଯତ୍ନରେ ଗୁଡ଼ା ହୋଇଥିବା ପୁଡ଼ାଟି କାଢ଼ି ନାରଣ ମାଷ୍ଟ୍ରେ ଦୁଆର ବନ୍ଧ ଉପରେ ଥୋଇ ଦେଲେ । କହିଲେ, ନାଇଁ...କିଛି ହେଲା ନାଇଁ । ଗାଁ ସାରା ବୁଲିଲି । ରୂପା ଜିନିଷ ବନ୍ଧା ରଖି ଟଙ୍କା ଦେବାକୁ କେହି ମଙ୍ଗିଲେ ନାହିଁ । ଆଜିକାଲି ରୂପା ଜିନିଷ ପଚାରୁଛି କିଏ ?

 

ହେମଙ୍ଗିନୀଙ୍କ ଦେହରୁ ରକ୍ତ ଶୁଖିଆସିଲା । ନିଜର ପିଞ୍ଜରା ହାଡ଼ ଦୋହଲାଇ ଉଠି ଆସୁଥିବା ତାତିଲା ଦୀର୍ଘ ନିଶ୍ୱାସକୁ ସେ ସଂଯତ କରିନେଲେ ।

 

ସାତଦିନ ହେଲା ସୁର ଚିଠି ଲେଖିଛି, ପରୀକ୍ଷା ଫିସ୍‍ ଦାଖଲ କରିବା ପାଇଁ କିଛି ଟଙ୍କା ପଠାଇବ । କାଲି ସକାଲୁ ପରୀକ୍ଷା ଫିସ୍‍ ଦାଖଲ ।

 

ମାସେ ପୂରି ସତରଦିନ ହେଲେ ମଧ୍ୟ ନାରଣ ମାଷ୍ଟ୍ରଙ୍କ ଦରମା ଆସି ନାହିଁ । ପ୍ରତିଦିନ ଡାକଘରକୁ ଦରମା ଆସିଥିବ ବୋଲି ବିଶ୍ୱାସ କରି ଦଉଡ଼ି ଦଉଡ଼ି ନିରାଶରେ ଫେରି ମାଷ୍ଟ୍ରଙ୍କ ଗୋଡ଼ରେ ଚାନ୍ଦି ଫୁଟିଲାନାହି | ଦରମା ଆସିଲା ନାହିଁ ।

 

ସୁର ପରୀକ୍ଷା ଦେବ ବି.ଏ. ପରୀକ୍ଷା ।

 

ଫିସ୍‍ ଦେଇ ନ ପାରିଲେ ପରକ୍ଷା ବନ୍ଦ । ଦୁଇବର୍ଷ କାଳ ହାଡ଼କୁ ଚନ୍ଦନ ଭଳି ଘୋରି ଘୋରି ସେ ଯେଉଁ ପାଠ ପଢ଼ିଛି, ସେ ବୃଥା ହୋଇଯିବ । ନାରଣ ମାଷ୍ଟ୍ରେ ଟଙ୍କା କେତେଟା ପଠାଇବେ ବୋଲି ରାତିରେ ଶୋଇପାରୁ ନାହାନ୍ତି ।

 

ସନାତନ ମିଶ୍ରଙ୍କ ପାଖକୁ ଯାଇଥିଲେ କରଜ ପାଇଁ ।

 

ସୁରର ପରୀକ୍ଷା କଥା ଶୁଣି ସେ ଆଖି ଉପରକୁ ଉଠାଇଲେ । ଏଁ, ସୁରିଆ ବି. ଏ. ପଢ଼ିଲାଣି । ନାଇଁ ନାଇଁ ମାଷ୍ଟ୍ରେ । ମୋ ପାଖରେ ଟଙ୍କା କେଉଁଠୁ ଆସିବ ? ଦେଖୁଚ ତ ଜମିଦାରୀ ଗଲା : ଗାଁ ମେଳିକରି ଜମି ପଡ଼ିଆ ପକାଇଲେ ଫସଲ ନାହିଁ....ମୁଁ କଞ୍ଚା ପଇସା କେଉଁଠୁ ପାଇବି ଏତେ । ମାସକୁ ମାସ ଲୀଳା ପାଇଁ ଶହ ଶହ ଟଙ୍କା ପଠାଇବାକୁ ପଡ଼ୁଛି.....

 

ନାରଣ ମାଷ୍ଟ୍ରେ ମିଶ୍ରଙ୍କ ପାଖରୁ ଏକମୁହାଁ ହୋଇ ଫେରି ଆସିଥିଲେ. ଆଉ ପଛକୁ ଫେରି ଅନାଇ ନାହାନ୍ତି ।

 

ଶେଷକୁ ହେମାଙ୍ଗିନୀ ଭାବି ଭାବି ଗୋଟାଏ ବାଟ ବାହାର କରିଥିଲେ । ଆଉ ତ କିଛି ଭରସା ନାହିଁ, ଘରେ ଅଛି ଏଇ ଅଣ୍ଟା ସୂତାଟା ଷୋଳ ଭରି ରୂପାରେ ତିଆରି ହୋଇଥିଲା—ଯଦି କେହି ବନ୍ଧା ରଖି କିଛି ଟଙ୍କା ଦେବ ।

 

ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କରି ଧରିଲା ଭଲି ନାରଣ ମାଷ୍ଟ୍ରେ ରୂପାର ଅଣ୍ଟା ସୂତାଟିକୁ ଲୁଗାରେ ଗୁଡ଼େଇ ପୁଡ଼େଇ ଗାଁର ମୁଣ୍ଡରୁ ସେ ମୁଣ୍ଡଯାଏ ଚକର ଦେଇ ଆସିଛନ୍ତି । ରୂପା ଜିନିଷ ଦେଖି ସମସ୍ତେ ମୁହଁ ମୋଡ଼ିଛନ୍ତି । ମନ୍ତବ୍ୟ କରିଛନ୍ତି ଅଣ୍ଡାସୂତା ଏବେ ଆଉ ପୁଣି କିଏ ନାଉଛି ମ ।

 

ନାରଣ ମାଷ୍ଟ୍ରେ ଫେରି ଆସିଛନ୍ତି । ଅଣ୍ଟାସୂତା ଫେରିଆସିଛି ।

 

ସୁରର ପରୀକ୍ଷା ।

 

ଟଙ୍କା ପାଠଇବାର ଆଉ କିଛି ବାଟ ନ ପାଇ ହେମାଙ୍ଗିନୀ ନାରଣ ମାଷ୍ଟ୍ରଙ୍କ ଉପରେ ବିରକ୍ତ ହେଲେ । କିଛି ନ ପାଇଲେ ନାରଣ ମାଷ୍ଟ୍ରଙ୍କ ଉପରେ ବିରକ୍ତ ହେବା ତାଙ୍କର ଅଭ୍ୟାସ । ସେ ପାଟି କରିବାକୁ ଲାଗିଲେ, ମୁଁ ମନା କରୁଛି ତାକୁ ଆଉ ପଢ଼ାଅନି । ମାଟ୍ରିକ ଠାରୁ ବନ୍ଦ କର । ମାଟ୍ରିକ ପାଶ୍‍ କରି କ’ଣ ପିଲା ଘର ସଂସାର କରୁ ନାହାନ୍ତି । ଆମର କୋଉ ତାଲବରିଆ ଘର ଯେ ବି ଏ. ନ ପଢ଼ିଲେ ସବୁ ଖାଲି ଅଚଳ ରହିଯାଉଛି ।

 

ହେମାଙ୍ଗିନୀଙ୍କ ଠାରୁ ଗାଳି ଶୁଣିଲାବେଳେ ନାରଣ ମାଷ୍ଟ୍ରେ ଚୁପ୍‍ ହୋଇଯାଆନ୍ତି । ସେ ଜାଣନ୍ତି, ଜୀବନ୍ତ ଆଗ୍ନେୟଗିରି ଆଗରେ ଯାଇ ବାଟ ଖୋଳିଲେ ତରଳ ଲାଭାସ୍ରୋତ ଭିତରେ ସେ ନିଜେ ଅଣନିଃଶ୍ୱାସୀ ହୋଇଯିବେ—ତେଣୁ ହେମାଙ୍ଗିନୀ ଗାଳି ଦେଇଯିବା ଭିତରେ ସେ କେବଳ ସୁରର ଭବିଷ୍ୟତ କଥା ହିଁ ତର ତର କରି ଭାବି ଯାଇଥିଲେ । ତାଙ୍କ ଭାବନା ଯଦି ମଝିରେ ମଝିରେ ମନ୍ଥର ହୋଇ ଆସୁଥିଲା, ତେବେ ହେମାଙ୍ଗିନୀଙ୍କ କଥାର ଛୁରି କାଟି ଦେଇ ଯାଉଥିଲା ତାଙ୍କର ଛାତି ତଳର କଲିଜାକୁ ।

 

ସୁର ଉପରେ ତାଙ୍କର କେତେ ଅକଳନ୍ତ ଭରସା ।

 

ସୁର ବଡ଼ ହେବ । ଖୁବ୍‍ ବଡ଼ ।

 

ଆଇ, ଏ. ପାଶ୍‍ ପରେ ସେ କ’ଣ ତାଙ୍କୁ ଅଟକାଇ ରଖିବା ଉଚିତ ହୋଇଥାନ୍ତା— ।

 

ମଶିଣାଟା ଅଧାବୁଣା ହୋଇ ପଡ଼ିଛି । ବାଣି ଟାକୁଆଟା ପାଖକୁ ନାରଣ ମଷ୍ଟ୍ରେ ଉଠିଗଲେ । କେଜାଣି କାହିଁକି ଅଦିନଟାରେ ଆକାଶରେ ମେଘ ଭାରି ଲଦିଲାଦି ରଖିଛି । ନାହିଁ ନାହିଁ ବୋଲି କେତେବେଳେ ଗାଲି ପଳାଇବ । ମାଙ୍କଡ଼ ଡେଇଁ ମଝିଘର ଛାତରୁ ଛଣ ଓଲରି ପଲାଇଛି । ଖୁଞ୍ଚା ଟିକିଏ ନ ଦେଲେ ପୁଣି ପାଣି ଝରିବ ।

 

ତରଟା ଗଛରେ ଫୁଟିଥିବା ଫୁଲରୁ ଦ ପବନ ବାସ ଚୋରେଇ ଆଣୁଛି ।

 

ସୁର ବି.ଏ. ପାଶ୍‍ କରିବ..... ଏମ୍‍.ଏ. ପଢ଼ିବ । ଚାକିରି କରିବ ନା’ ଗୋଟାଏ କିଛି ବ୍ୟବସାୟ କରିବ । ଚାକିରିରେ ଏବେ ପଇସା ନାହିଁ ଦହଗଞ୍ଜିଆ କାମ । ନ ହେଲେ କଣ୍ଟ୍ରାକ୍‍ଟରୀ କରୁ । ଛିଃ, ଏତେ ପାଠ ପଢ଼ି କଣ୍ଟ୍ରାକ୍‍ଟରୀ କରେ । ଏଇସାଧୁ ଜେନା ପୁଅଟା ତ କଣ୍ଟ୍ରାକ୍‍ଟରୀ ହୋଇଛି...ନିହାତି ଗଜ ମୁର୍ଖଟାଏ ।

 

ମଶିଣା ବୁଣିବା ସଙ୍ଗେ ସଙ୍ଗେ ନାରଣ ମାଷ୍ଟ୍ରେ ବି ସୁରର ଭବିଷ୍ୟତ ସଂପର୍କରେ ଗୋଟିଏ କଳ୍ପନାର ଜାଲ ବୁଣି ଯାଉଥିଲେ । ହଠାତ୍‍ ହେମାଙ୍ଗିନୀଙ୍କ ପାଟି ଶୁଭିଲା ।

 

ହେ, ଶୁଣୁଛ !

 

ନାରଣ ମାଷ୍ଟ୍ରେ ମୁହଁଟେକି ଚାହିଁଲେ । ଘଡ଼ିକ ଆଗରୁ ଯେଉଁ ହେମାଙ୍ଗିନୀଙ୍କ ମୁହଁରେ ବିରକ୍ତ,ରାଗ, ଅଭିମାନର କୁଟିଳ ରେଖା ଛନ୍ଦ ହୋଇଯାଇଥିଲା, ସେଇ ହେମାଙ୍ଗିନୀ ଏବେ ଶାନ୍ତ, ସରଳ ଭାବରେ କଥା କହୁଛନ୍ତି । ଉଜାଣି ଶ୍ରାବଣର କୂଳପ୍ଲାବିନୀ ନଦୀ ପୁଣି ଶାନ୍ତ, ଶୀର୍ଣ୍ଣା ହୋଇଆସିଛି ।

 

ହେମାଙ୍ଗିନୀ କହିଲେ, ଏଇ ସିନ୍ଧୁଆ ବାଉରା ସ୍ତ୍ରୀ । କହୁଛି ଜିନିଷଟା ବନ୍ଧା ରଖି କୋଡ଼ିଏଟା ଟଙ୍କା ଦେବ ଦେବି ?

 

ନାରଣ ମାଷ୍ଟ୍ରେ ଚମକି ଉଠିଲେ । କହିଲେ, କ’ଣ ? ସିନ୍ଧୁଆ ବାଉରି ସ୍ତ୍ରୀ ଟଙ୍କା ଦେବ ?

 

ହଁ, କହୁଛି ତ; ମିଛ କାହିଁକ କହିବ । ଏବେ ତ ସବୁ ଟଙ୍କା ପଇସା ଏଇ ବାଉରି କଣ୍ଡରାଙ୍କ ଘରେ କନିଷ ପିନ୍ଧବା ସଉକି ବି ତାଙ୍କରି । ଆମ କାନରେ ନାକରେ ସିନା ନିମକାଠି ପଶୁଚି ! ଦେଖୁନ ଅପନା କଣ୍ଡରା ସ୍ତ୍ରୀ କେମିତି ବଳା, ପାଉଞ୍ଜ, ବସଣୀ, ନୋଥ...

 

ନାରଣ ମାଷ୍ଟ୍ରଙ୍କୁ ଏ କଥାଗୁଡ଼ିକ ସୁହାଉ ନ ଥିଲା । ତାଙ୍କ ଘରର ଜିନିଷ ଯାଇ ସିନ୍ଧୁଆ ବାଉରି ଘରେ ପଡ଼ିବ, ଏ କଥା ସେ କଳ୍ପନା କରିପାରୁ ନ ଥିଲେ । ସେ ହେମାଙ୍ଗିନୀଙ୍କୁ ଶୁଣାଇଦେଲେ, ସୁର କାଲି ସକାଳେ ହାକିମ ହେବ...ବଡ଼ ମଣିଷ ହେବ—ସିନ୍ଧୁଆ ବାଉରି କହିବ’ ମୋର ଟଙ୍କାରେ ସେ ପାଠ ପଢ଼ୁଥିଲେ । ଏ କଥା ମୁଁ ସହପାରିବ ନାହିଁ ।

 

ଆଉ ଅଧିକ ଜୋର କରିବାକୁ ସାହସ କରିପାରିଲେ ନାହିଁ ହେମାଙ୍ଗିନୀ ।

 

ହେମାଙ୍ଗିନୀ ଅପିସରି ଗଲା ପରେ ମନେ ମନେ ଭାବିଲେ ନାରଣ ମାଷ୍ଟ୍ରେ । ସିନ୍ଧୁଆ ବାଉରି, ଅପନା କଣ୍ଡରା ଯିଏ ହାଡ଼ ଚୂନାକରି ମାଟି’ ସଙ୍ଗରେ ମାଟି ହୋଇଛନ୍ତି, ତାଙ୍କ ଘରେ ଧନ ଜମାହୋଇଛି । ତାଙ୍କ ଘର ସ୍ତ୍ରୀଲୋକମାନେ ଗହଣା ପିନ୍ଧୁଛନ୍ତି । ବଡ଼ ବଡ଼ କଲମାଲିକ, ଜମିମାଲିକଙ୍କ ଘରେ ବି ଧନ ଜମା ହୋଇଛି । ଆଉ ତାଙ୍କଭଳି ଯିଏ ପାଠ ପଢ଼ାଉଛନ୍ତି, ଫାଇଲ ଚଷୁଛନ୍ତି, ବହି ଲେଖୁଛନ୍ତି, ଚିତ୍ର କରୁଛନ୍ତି, ସମାଜର ତଥାକଥିତ ସେଇ ମେରୁଦଣ୍ଡ ମଧ୍ୟବତ୍ତୀ ଶ୍ରେଣୀ ତାଙ୍କର ଘରୁ ଲକ୍ଷ୍ମୀ କୁଆଡ଼େ ଉଭାନ୍‍ ହୋଇ ଯାଉଛନ୍ତି ।

 

ନାରଣ ମାଷ୍ଟ୍ରଙ୍କ ଇଚ୍ଛା ସେ କଳମାଳିକ, ଜମିମାଲିକଙ୍କ ଭଳି ବଡ଼ଲୋକ ହେବେ—ଉପରକୁ ଉଠିବେ; କିନ୍ତୁ ତଳେ ପଡ଼ିଥିବା ସିନ୍ଧୁଆ ବାଉରି ଅପନା କଣ୍ଡରାକୁ ଉପରକୁ ଉଠିବା ଦେଖିବା ତାଙ୍କ ଆଖିରେ ଯିବ ନାହିଁ —ସେ ତା’ ସହିପାରିବେ ନାହିଁ ।

 

ମଧ୍ୟବିତ୍ତ ମନ

 

ଝରକାର ଏଇ ଫାଙ୍କରେ ଯେଉଁ ଚେନାଏ ନାଆଁ କୁ ଆକାଶ ଦିଶୁଛି ଲୀଳା ! ସେଇ ଚେନାଏ ଆକାଶରେ ଦିଶୁଛନ୍ତି ଦୁଇଟି ବନପକ୍ଷୀ ଉଡ଼ି ଉଡ଼ି ଯାଉଛନ୍ତି ଦୁଏତ ତାଙ୍କର କେଉଁ କାଠି କୁଟାର ନୀଡ଼କୁ ଚଞ୍ଚୁରେ ଆହାର ଧରି !

 

ମୋର କ’ଣ ମନେହେଉଛି ଜାଣ ! ଏଇ ଦୁଇଟି ମୁକ୍ତ ବନପକ୍ଷୀ ଭଳି ଆମେ ଯଦି ସ୍ଵାଧୀନ ହୋଇଥାନ୍ତେ । ତମେ ଯଦି ଡାକ୍ତରୀ ପାଶ୍‍କରି ସାରିଥାଆନ୍ତି, ଆଉ ମୁଁ ଯଦି ଇଂଜିନିୟର ନ ହୋଇ ସ୍ଵାଧୀନ ଥାଆନ୍ତି, ତାହାହେଲେ ଏଇ ଦୁଇଟି ବନପକ୍ଷୀ ଭଳି ଆମେ ଏଣେତେଣେ ଉଡ଼ି ବୁଲୁଥାନ୍ତେ । ନାଇଁ ।

 

ଭାରି ଖରାପ ଲଗୁଛି ସତରେ । ଭାରି ଏକୁଟିଆ ଲାଗୁଛି । ବାହା ହେବା ପୂବରୁ ମୁଁ କେବେ ଏମିତି ଏକୁଟିଆ ବୋଧ କରୁ ନ ଥିଲି .ନିଜକୁ ଏମିତି ଅସମ୍ଭବ ଭାବରେ ଅସହାୟ ମନେ କରୁ ନ ଥିଲି...କିନ୍ତୁ ବାହା ହୋଇସାରି ସୁଦ୍ଧା ଏକୁଟିଆ...

 

ବାହାଘର ଦିନ ସେ ଲୋକ ମେଳିରେ ତମକୁ ଦେଖିଥିଲି ମାତ୍ର ମୁହୂର୍ତ୍ତ କେତୋଟି ପାଇଁ ତମ ଅଜାଣତରେ ତମେ ପୋଖର ଆଡ଼କୁ ଯାଉଥିଲ...ବୋଧହୁଏ ଗାଧୋଇବା ପାଇଁ ମୋର ଜଣେ ସାଙ୍ଗ ଚିହ୍ନେଇ ଦେଇଥିଲା, ସେଇ ହେଉଛ ତମେ ।

 

ଇସ୍‍ । କି ସୁନ୍ଦର ତୁମର ମୁହଁ ।

 

ତମକୁ ଖୁସାମତ କରିନି ଲୀଲା । ସେ ବଦଭ୍ୟାସ ମୋର ନାହିଁ; କିନ୍ତୁ ସେଇ ମୁହୂର୍ତ୍ତକର ଦେଖାରେ ମୁଁ କେମିତି ପାଗଳ ହୋଇଯାଇଛି ଏଇ ଇସ୍ପାତନଗରୀ ରାଉରକେଲା ।

 

ଦୁର୍ନ୍ନୀତି, ଦୁବ୍ୟବହାର, ଦୁର୍ଘଟଣାର ତୀର୍ଥଭୂମି ଏଇ ଇସ୍ପାତନଗରୀ ରାଉରକେଲା । ଏଇ କଳକାରଖାନାର କଳରୋଳ ବ୍ୟସ୍ତବହୁଳତା । ଭିତରେ ମୁଁ କେମିତି ଅଣନିଶ୍ଵାସୀ ହୋଇଯାଉଛି ଲୀଳା । ମୁଁ କେମିତି ରୁଗ୍‍ଣ ହୋଇଯାଉଛି ଲୀଳା ଦିନକୁ ଦିନ...

 

ଏଇ ଇସ୍ପାତ କାରଖାନାର ଆହ୍ୱାନ ଶୁଣି ଶୁଣି ମନଟା କେମିତି ମୋର ଇସ୍ପାତ ପାଲଟି ଯାଇଥିଲା...ତମରି ସ୍ପର୍ଶ ସେ ଇସ୍ପାତ ମନରେ ଛୁଇଁଦେଇଗଲା କୁହୁକର କେଉଁ ଯାଦୁକରୀ ମାୟା–କିନ୍ତୁ ତୁମେ କାହିଁ କେଉଁ ମେଡ଼ିକାଲ କଲେଜରେ, ଆଉ ମୁଁ–

 

ବାହାରେ ଏଇ ଟ୍ରକ୍‌ର ବିକଟ ଶିତ୍କାର ଶୁଭୁଛି—

 

ସବୁବେଳେ ଏଇ ବିକଟ ଆଉଁ ଚିତ୍କାର—

 

ଜୀବନକୁ ଖୋଜିହେଲେ ବି ମିଳେ ନାହିଁ—ଏଇ ଚିତ୍କାର—ହୋ’ହଲ୍ଲା ଭିତରେ ମୁଁ ଅନେକ ସମୟରେ ମୋ ନିଜ ଅଜାଣତରେ ସୁଦ୍ଧା ହଜିଯାଉଛି—ତମର ପରୀକ୍ଷା ସରିବ କେବେ ? ତମେ କେବେ ଆସିବ ମୋର ଏ ଇସ୍ପାତୀ ମନରେ କେତେ ଅସରନ୍ତି କଳ୍ପନାର ଫୁଲ ଫୁଟାଇଦେବାକୁ ।

 

ରାତ୍ରି ହୋଇ ଆସୁଛି ଲୀଳା । ଅଙ୍ଗାରକଳା ରହସ୍ୟମୟୀ ରାତ୍ରୀ । ଇସ୍ପାତ ନଗରୀର ପାହାଡ଼ୀ ବୁକୁରେ ଜଳିଉଠିଛି ଶତ ବିଜୁଳିର ମଶାଲ । କିନ୍ତୁ ମୋର ଏ ମନରେ—ମୋର ଏ ହୃଦୟରେ ଏ ଯେଉଁ ଅନ୍ଧକାର ପ୍ରସ୍ତରୀଭୂତ ହୋଇଯାଇଛି, ତା’ର ସୀମା କ’ଣ ଏ ବିଜୁଳି ଆଲୁଅ ଅତିନ୍ତ୍ରମ କରିପାରିବା ।

 

ତମେ ଚିଠି ଲେଖିଥିଲ, ମୋର ଆନନ୍ଦରେ ତମର ଆନନ୍ଦ—ମୋର ସୁଖରେ ତୁମର ସୁଖ—ମୋର ଦୁଃଖରେ ତମର ଦୁଃଖ ।

 

ଚିଠିଟା ପଢ଼ି ସେଦିନ ଖୁବ୍‍ ମନଭରି ହସିଥିଲି । ପୁରୁଷର ସୁଖରେ ସୁଖୀ ଏବଂ ତା’ର ଦୁଃଖରେ ଦୁଃଖୀହେବା ନାରୀର ପ୍ରାକ୍‍-ଇତିହାସ ଯୁଗର ଏ ଆଦିମ ଦୁର୍ବଲତା । ଏଥି ଭିତରେ ଇତିହାସର ଚକ କେତେ ଥର ଘୁରିଲାଣି—କିନ୍ତୁ ନାରୀର ସେଇ ମନସ୍ତତ୍ତ୍ଵରେ କ’ଣ ଟିକିଏ ହେଲେ କଛି ପରବର୍ତ୍ତନ ହୋଇ ନାହିଁ ।

 

ଚିଠିଟା ଟିକିଏ ଲମ୍ବା ହୋଇଯାଉଛି ବୋଧହୁଏ । କ୍ଷମା କରିବ । ଏ ନିଛାଟିଆ ଉପନଗରୀରେ ଏକୁଟିଆ ବସି ବସି ଚିଠି ଲେଖିବା ଛଡ଼ା ମୁଁ ଆଉ ଅଧିକ କ’ଣ କରିପାରିବି ।

Unknown

 

ତମ ପରୀକ୍ଷା କେବେ ସରିବ, ସେଇ ସୁଦିନର ଅପେକ୍ଷା ରଖୁଛି ।

 

ଶୁଭରାତ୍ରି ରହିଲା ।

 

ତୁମର

ଶୁକା,

 

ମୁଁ ।

 

ଚିଠିଟା ପଢ଼ିସାରି ଲୀଳା ବାହାରକୁ ଚାହିଁଲା । କେହି ନାହାନ୍ତି । ଯଶୋଧାରା ଭିତର ଘରେ ବସି ବୋଧହୁଏ ରୋଷେଇ ଆରମ୍ଭ କରିଛି ।

 

ଆଉ ସେ ।

 

ରାଉରକେଲରୁ ଚିଠି ଦେଇଛନ୍ତି ତା’ର ଇହକାଳ—ପରକାଳର ଦେବତା । ଚିଠି ନୁହେଁ–ଗୋଟାଏ ଖଣ୍ଡ କାବ୍ୟ । ସେ କେବଳ ଇଂଜିନିୟର ନୁହନ୍ତି, କବି ।

 

ତାକୁ ଏମିତି ଚିଠି କେବେ ଲେଖିଆସିଲା ନାହିଁ । ସେଥିପାଇଁ ସେ ଚିଠି ଲେଖିବାକୁ ଡରେ । ନନା ତାକୁ ଚିଠି ଲେଖିଥିଲେ, ରାଉରକେଲା ଚିଠି ଦେଉଥିବା । ନଇଲେ ତାଙ୍କ ମନ କଷ୍ଟ ହେବ । ମନେ ରହିଲା ।

 

ତାଙ୍କ ମନ କଷ୍ଟ ହେଉଥିବ ! କାହିଁକି ? ଆଜିଯାଏ ସେ ଭଲରେ ଥିଲେ ବିବାହ କରିବା ପରଠୁଁ କ’ଣ ତାଙ୍କ ମନରେ ପରବର୍ତ୍ତନ ହୋଇଗଲା ଯେ ଚିଠି ନ ଦେଲେ ମନ କଷ୍ଟ ହେବ ।

 

ନିଜ ମନକୁ ମନ ପ୍ରଶ୍ନ କରେ ଲୀଳା । ରାଉରକେଲାରେ ଥିବା ତା’ର ପରମ ଶୁଭକାଙ୍‍କ୍ଷୀ ସ୍ଵାମୀ ପାଇଁ ତା’ ମନ କ’ଣ କେବେ ଖରାପ ହୁଏ...ତାଙ୍କ ଭଳି କ’ଣ ସେ ନିର୍ଜନ ଅନ୍ଧାର ରାତିରେ କେବେ କଳ୍ପନା କରେ ତା’ ମନ ଭିତରେ ଅନ୍ଧାରଗୁଡ଼ାକ ଖାଲି ପଥର ପାଲଟିଯାଇଛି ।

 

କିଛି ଉତ୍ତର ଆସେ ନାହିଁ ମନରୁ—ସତେ ଯେମିତି ଏକ ପାହାଡ଼ୀ ମନ ।

 

ନନାଙ୍କ ମନରେ କଷ୍ଟ ଦେବ ନାହିଁ ବୋଲି ଦିନେ ଖିଆଲରେ ସେ ବିବାହ କରିବାକୁ ହଁ ଭରିଥିଲା । ସେ ଜାଣିଥିଲା, ବିବାହ ତାକୁ ଦିନେ ନା ଦିନେ କରିବାକୁ ହେବ । ତେଣୁ ତା’ ବିବାହ କରିବା ପାଇଁ ତା’ ନିଜ ମନ ହେବା ପର୍ଯ୍ୟନ୍ତ ଅପେକ୍ଷାକରି ନନାଙ୍କ ଧର୍ମଭୀରୁ ମନରେ ଆଘାତ କରିବାକୁ ସେ ପସନ୍ଦ କରି ନ ଥିଲା—

 

ତେଣୁ କେବଳ ଗୋଟାଏ ଖିଆଲ—ଗୋଟିଏ କଳ୍ପନାରେ ସେ ହଁ ଭରିଥିଲା ବିବାହ କରିବ—ନନା ଯାହାକୁ ଠିକ୍‍ କରିବେ—

 

କିନ୍ତୁ ଯାହାକୁ ସେ ବିବାହ କରିବ ତା’ ଅଭାବରେ ସେ ଆଖି ଓଦା କରିବ—ତା’ ପାଇଁ ଛନ୍ଦି ଛାନ୍ଦି ଏଣୁ ତେଣୁ କବିତ୍ୱମୟ ଭାଷାରେ ଚିଠି ଲେଖିବ, ଏକଥା ତ ସେ କେବେ କଳ୍ପନା କରି ନ ଥିଲା ।

 

ସ୍ଵାମୀ ତା’ର ତାକୁ ଦେଖୁଛନ୍ତି—ପୋଖରିକୁ ସେ କେବେ ସ୍ନାନ କରିଗଲାବେଲେ ।

 

ସେ କେବଳ ନିଜ ସ୍ଵାମୀଙ୍କ ଫଟୋଟି ଦେଖିଛି । ସେତିକି । ହାତଗଣ୍ଠି ପଡ଼ିଲାବେଳେ ଗୋଟାଏ ମୋଟା କର୍କଶ ହାତର ଚାପ ସେ ଅନୁଭବ କରିଥିଲା । ସେତିକି । ଆଉ ଅଧିକ କିଛି ଜାଣିବା ପାଇଁ କିମ୍ବା ଦେଖିବା ପାଇଁ କେବେ ସେ ମନ ବଦଳାଇ ନାହିଁ । ତାଙ୍କୁ କଟକ ଆସି କେବେ ଦେଖା କରିଯିବାକୁ ସେ ଚିଠି ଲେଖି ନାହିଁ—ବରଂ ନନା ଥରେ ଏଭଳି ପ୍ରସ୍ତାବ ଆଣିଥିବାବେଳେ ସେ ତା’ର ତୀବ୍ର ବିରୋଧ କରିଛି—

 

ତେଣୁ—

 

ତେଣୁ ଆଜି ଏ ଚିଠିଖଣ୍ଡକ ପଢ଼ିସାରିଲା ପରେ ମନରେ ଭାରି ବିଶେଷ କିଛି ପ୍ରତିକ୍ରିୟା ସୃଷ୍ଟି ହେଲା ନାହିଁ । ଚିଠିଟାକୁ ଭାଙ୍ଗି ଭୁଙ୍ଗି ଥୋଇଦେଇ ସେ ଡାକ ପକାଇଲା,ଧୀରା—ଧୀରା ।

 

ଚୂଲୀମୁଣ୍ଡ ଧୂଆଁ ରୁ ଆଖି ମଳିମଳି ଆସି ଯଶୋଧାର ଠିଆ—ହେଲା । ପଚାରିଲା, ଜୁଆଇଁ ବାବୁ କ’ଣ ଲେଖିଥିଲେ ?

 

ରାଗିଯାଇ ଲୀଳା ପାଟିକରି ଉଠିଲା, ତୋ ମୁଣ୍ଡ, ଗଣ୍ଡି । ନେ ପଢ଼ୁନୁ ବସି—କବିତା ଲେଖି ପଠାଇଛନ୍ତି ।

 

ଚାରି ଭାଙ୍ଗ କରି ଧରିଥିବା ଚିଠିଟାକୁ ଯଶୋଧାର ଉପରକୁ ପକାଇଦେଲା ଲୀଳା । ତା’ପରେ ସେ ଘରୁ ବାହାରି ପଦାକୁ ଚାଲିଗଲା ।

 

ଚିଠିଟାକୁ ତଳୁ ଉଠାଇ ଯଶୋଧାର ଦେଖିଲା । ମିଞ୍ଜି ମିଞ୍ଜି ହୋଇ ବାଇଗଣ ମଞ୍ଜି ଭଳି ଅକ୍ଷର । ସେ ପାଠ ପଢ଼ିନି । ତେଣୁ ପଢ଼ିବା ପ୍ରଶ୍ନ ଉଠୁନାହିଁ । କିନ୍ତୁ ଲୀଳାର ତଙ୍ଗଢାଙ୍ଗରୁ ସେ ଯାହା ବୁଝିଲା, ଏ ଚିଠିରେ କଛି ଖରାପ କଥା ଲେଖା ହୋଇଛି ।

 

କ’ଣ ହୋଇପାରେ ସେ ଖରାପ କଥା ।

 

ଜ୍ୱାଇଁ ସାହେବଙ୍କ ଉପରକୁ ଲୀଳାର ସବୁଦିନେ ଏମିତି ରଗ—ରଗ ଭାବ । କ’ଣ ହୋଇପାରେ ତା’ର କାରଣ ?

 

ଯଶୋଧାର ଦୁଆର ମୁହଁରେ ଠିଆହୋଇ ଭାବିବାକୁ ଲଗିଲା । ସନ୍ଦେହର ଧୂଆଁ ତା’ ମନକୁ ପୂରାପୂରି ଧୂଆଁଳିଆ କରିଆଣିଲା । କେତେ ଆଡ଼ର କେତେ ସନ୍ଦେହ—କେତେ ସମ୍ଭବ, ଅସମ୍ଭବ କଳ୍ପନା ।

 

ଲୀଳା କେମିତି ଦିନକୁ ଦିନ ଭିନ୍ନେ ପ୍ରକାର ହୋଇଯାଉଛି । ବିଭାଘର ପରେ ବି ।

 

କ’ଣ ହୋଇପାରେ ତା’ର କାରଣ ?

 

କବାଟଟାକୁ ଭିତରୁପଟୁ ଭଲକରି ବନ୍ଦ କରି ଦେଇଥିଲା ସୁର । ଝରକା ଗୁଡ଼ିକ ବନ୍ଦ କରିଦେଲା ପରେ ଘରଟା ମେଘୁଆ ହୋଇଗଲା । ପକେଟରୁ ଦିଆସିଲି କାଢ଼ି ସେ ଲଣ୍ଠନ ଲଗାଇଲା । ତା’ପରେ ଖୋଲି ବସିଲା ସେ ବାକ୍ସଟିକୁ—

 

ଚିତ୍ରବାକ୍‍ସ—

 

କେତେ ପ୍ରକାର ଚିତ୍ର । କେତେକ ଚିତ୍ରକୁ ସେ ମଧ୍ୟ ଫଟୋ ଫ୍ରେମ୍‍ ଦେଇ ବନ୍ଧେଇ କରିଛି-। କେତେ ରଙ୍ଗୀନ୍‍ ଚିତ୍ର ।

 

ସବୁଗୁଡ଼ିକୁ ସୁର ଥରେ ଚାହିଁଗଲା ।

 

କେତେ ରାତିରେ ଭୋକ ଶୋଷ ଭୁଲି ଅନିଦ୍ରା ହୋଇ ଏ ଚିତ୍ରଗୁଡ଼ିକୁ ସେ ଆଙ୍କିଛି—ଏଇ ଚିତ୍ରଗୁଡ଼ିକୁ ଆଙ୍କିବା ଭିତରେ ଜୀବନର ସବୁ ଜଞ୍ଜାଳ, ଦୁଃଖ, ଦୈନ୍ୟ ସେ ପାଶୋର ପକାଇଛି–ଅଥଚ ଏଇ ଚିତ୍ରଗୁଡ଼ାକ ଆଜି ତାକୁ କେମିତି ଅସୁନ୍ଦର ଦିଶୁଛନ୍ତି । ଏ ଚିତ୍ରଗୁଡ଼ାକ କରି ନିଜ ଶକ୍ତିର ଅପଚୟ କରିଛି ବୋଲି ମନରେ କେମିତି ଗୋଟିଏ ଧାରଣା ବଦ୍ଧମୂଳ ହୋଇଆସୁଛି ।

 

ଏଇ ଛବି ଚିତ୍ରଶିଳ୍ପ...

 

ଏଇଥିପାଇଁ କେତେ ଥର କଲେଜପଢ଼ା ଅବହେଳା କରି ସେ ଛବି ଆଙ୍କିଛି । ଖରାପ ଛାତ୍ରର ଦୁର୍ନାମକୁ ହସି ହସି ମୁଣ୍ଡରେ ତୋଳିନେଇଛୁ । ଇସ୍କୁଲରେ ଶିକ୍ଷକ ପାଠ ପଢ଼ାଇଲାବେଳେ, କଲେଜରେ ଅଧ୍ୟାପକ ବକ୍ତୃତା ଦେଲାବେଳେ ଲୁଚେଇ ଲୁଚେଇ ସେ କେତେ ଥର ଏଇ ଛବି ଆଙ୍କେ...ଅଙ୍କ କଷୁକଷୁ କରିଦିଏ କେଉଁ ନାରୀ ଛବି...

 

କେତେ ଗାଳି, କେତେ ମାଡ଼ ଏଇ ଛବି ଆଙ୍କିବା ପାଇଁ ସେ ଖାଇଛି; କିନ୍ତୁ ସେ ମାଡ଼ ଗାଳି ତାକୁ ବାଧି ନାହିଁ । ଏଇ ଛବି ଦେଖିଦେଲା ପରେ ସବୁ ସେ କୁଆଡ଼େ ପାଶୋରି ଦେଇଛି ।

 

ଏଇ ତା’ର ପ୍ରିୟତମ ଛବି !

 

ଏଇ ଟ୍ରଙ୍କ ଭିତରେ ବନ୍ଦହୋଇ ଅଣନିଶ୍ଵାସୀ ହୋଇଯାଇଛନ୍ତି ।

 

ସେ ଛବିକୁ ଆଜି ସେ ବାହାର କରିଛି । ସେମାନଙ୍କୁ ତାକୁ ମୁକ୍ତି ଦେବାକୁ ପଡ଼ିବ । ଟିକି ଟିକି କରି ଚିର ତାକୁ ସେ ଉଡ଼ାଇ ଦେବ ଆଜି ପବନରେ ।

 

ତା’ ଛଡ଼ା ବାଟ କ’ଣ ।

 

ତା’ର ଛବି ସମସ୍ତେ ଆଜି ବେପସନ୍ଦ କରୁଛନ୍ତି । ପ୍ରକାଶକଙ୍କୁ ନାରୀ ଛବିଟିଏ କରିଦେଲେ ସେ କହୁଛନ୍ତି ଏ ମୋଗଲସରାଇ ରେଲଜଙ୍କସନ୍‌ର ଛବି । ପତ୍ରପତ୍ରୀକାରେ ପ୍ରକାଶ ପାଇଁ ପଠାଇଲେ ସଂପାଦକଙ୍କଠାରୁ ଉତ୍ତର ଆସୁଛି, ଛବି କରିବାକୁ ଆପଣଙ୍କୁ ଆହୁରି ମହାସାଧନା କରିବାକୁ ହେବ ।

 

ସାଧନା ।

 

ସେ ସାଧନା ଆଉ କେତେ ଶହ ବର୍ଷ । ନା...ନା—ବରଂ ଛବିଗୁଡ଼ାକୁ ଚିରିଦେଲେ ମଣିଷ ଗୋଟାଏ ଅସୁବିଧାରୁ ରକ୍ଷା ପାଇଯିବ ।

 

ନିଜ ଅନିଚ୍ଛାସତ୍ତ୍ୱେ ସୁର ଛବିଗୁଡ଼ାକ ନଷ୍ଟ କରିଦେବ ପାଇଁ ମନେ ମନେ ଗୋଟାଏ ନିଦାରୁଣ ପ୍ରତିଜ୍ଞା କରି ବସିଲା । ପ୍ରକାଶକଙ୍କ ପାଖରୁ ଚାରି ପାଞ୍ଚ ଥର ଛବି ଡିଜାଇନ୍‍ ଅମନୋନୀତ ହୋଇ ଫେରିଆସିବା ପରେ ନିଜ କଳା ଉପରେ ସୁରର କେମିତି ଗୋଟାଏ ଭୟଙ୍କର ଅବିଶ୍ଵାସ ଆସିଯାଇଛି । ଏ ଯୁଗର ରୁଚି ସହିତ ତାଳ ଦେଇ ଚିତ୍ରକଳା ତା’ର ଗତି କରିପାରୁ ନାହିଁ । ଏ ସମୟର ସ୍ରୋତ୍ରରେ ବହୁତ ପଛରେ ସେ ପଡ଼ିଯାଇଛି ।

 

କିନ୍ତୁ ଚିତ୍ରଆଙ୍କି ବା ଛାଡ଼ି ସେ ବଞ୍ଚିପାରିବ ?

 

ଏଇ ପ୍ରଶ୍ନ ଥରେ ଦୁଇ ଥର ନୁହେଁ, ଅନେକ ଥର ତା’ ମନରେ, ଉଠି ଗୋଟାଏ ଗୋଟାଏ ଝଡ଼ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ ସେ ବଢ଼ି ଆସିଛି ଏଇ ଛବି ଆଙ୍କି ଆଙ୍କି—ଏଇ ଛବି ଆଙ୍କିବା ଭିତରେ ସେ ନିଜ ଦୁର୍ଦ୍ଦିନକୁ ଭୁଲିଛି—ନିଜକୁ ମଧ୍ୟ ହଜେଇ ଦେଇଛି । ଏ ଛବି ଅଙ୍କା ଛାଡ଼ିଦେଲେ ସେ ବଞ୍ଚିବ କେମିତି ।

 

ରୁଦ୍ଧ କକ୍ଷ ଭିତରେ କେମିତି ଗୋଟାଏ ନିଶ୍ଚଳ ଭାବ ଝମ୍‍ ଝମ୍‍ ହୋଇ ଉଠୁଛି—ସତେ ଯେମିତି ଏକ ମୃତ୍ୟୁର ହିମ ଶୀତଳ ଛାୟା ଘାରିଆସିଛି କକ୍ଷର ସମଗ୍ର ବାୟୁମଣ୍ଡଳକୁ ଆଦୃତ କରି ।

 

ସୁର ଏଥର ସିଧାହୋଇ ବସିଲା । ମୁହଁରେ ହାତ ମାରିଲା, ଝାଳ ଜମିଯାଇଛି । ଯାହାହେଉ ଏଥର ତାକୁ ଏ ଛବିଗୁଡ଼ାକୁ ନଷ୍ଟ କରିଦେବାକୁ ହେବ—ଶିଳ୍ପୀ ବୋଲି ତା’ର ଯେଉଁ ଦୁର୍ନାମ ବ୍ୟାପିଛି, ତାକୁ ସେ ଶେଷ କରିଦେବ—

 

ଗୋଟିକ ପରେ ଗୋଟିଏ—ତା’ପରେ ଆଉ ଗୋଟିଏ ଛବି କରିବାକୁ ଲଗିଲା ସୁର । ଖଣ୍ଡିଏ ଛବିକୁ ନଷ୍ଟ କରିଦେଲା ପରେ ତା ଦେହର ରକ୍ତସ୍ରୋତ ଦ୍ରୁତଗତିରେ ଶିଥିଳ ହୋଇ ଆସୁଥାଏ । ଯୁଦ୍ଧକ୍ଷେତ୍ରର ସୈନିକ ଭଳି ପ୍ରତିଜ୍ଞାବଦ୍ଧ ହୋଇ ସୁର ନଷ୍ଟ କରିବାକୁ ଲଗିଥାଏ ଛବିଗୁଡ଼ାକ ଗୋଟିକ ପରେ ଗୋଟିଏ...

 

କବାଟ ବାଡ଼େଇବାର ଶବ୍ଦ ହେଲା

 

କିଏ ? ମନୁଆ ?

 

ଆହୁରି ଜୋରରେ କବାଟ ବାଡ଼େଇବା ଶବ୍ଦ ହେଲା ।

ତଟସ୍ଥ ହୋଇଯାଇ କବାଟ ଖୋଲିଦେଲ ସୁର । ଅଦିନିଆ ଝଡ଼ ଭଳି ସେ କକ୍ଷ ଭତରକୁ ପଶି ଆସିଲା ଲୀଳା । ହଠାତ୍‍ ଆକସ୍ମିକ ଭାବରେ ଲୀଳାକୁ ଦେଖି ମୁହଁରେ ଦୁଇ ହାତକୁ ଚିପିଧଧରିଲା ସୁରେନ୍ଦ୍ର ଲୀଲା ଦେଖିଲା ଏ କ’ଣ ହୋଇଛି । ସୁନ୍ଦର ସୁନ୍ଦର ଛବି ଗୁଡ଼ାକ ଚିରା ହୋଇ ପଡ଼ିଛି । ଏଣେ ତେଣେ ଖେଳେଇ ହୋଇ ପଡ଼ିଛି ବନ୍ଧେଇ ହୋଇଥିବା ଛବି ଗୁଡ଼ାକ—ଏ କ’ଣ ହୋଇଛି ।

 

ଏ କ’ଣ କରୁଛ ସୁରଭାଇ ! କ’ଣ ପାଗଳ ହୋଇଛ । ସୁର ଆଡ଼କୁ ସେ ଚାହିଲା । ସୁର ଗୋଟି ସୁଦ୍ଧା ଥରୁଛି । ମୁହଁ କରିଛି ତଳକୁ ।

 

ତମେ ଏ କ’ଣ କଲ ସୁର ଭାଇ । ଏ ଛବି ଗୁଡ଼ାକ ଉପରେ ଅମିତି ଅତ୍ୟାଚାର କଲ କାହିଁକି ? ଲୀଳା କଣ୍ଠରେ ଅନୁଯୋଗ ଅଭିମାନ ଏବଂ କୈଫିୟତ ମାଗିବାର ଦୃଢ଼ତା ଭରି ରହିଥାଏ ।

 

ସୁର କିଛି ନ କହି ଚୁପ୍‍ ରହିଲା ।

 

ଲୀଳା ନଇଁ ପଡ଼ି ଗୋଟାଇ ସଜାଇବାକୁ ଲଗିଲା ଛବିଗୁଡ଼ାକ । ଚିରା ଛବିଗୁଡ଼ାକୁ ସ୍ପର୍ଶ କଲାବେଳେ ତାକୁ ଲଗୁଥାଏ ସତେ ଯେମିତି ବିଜୁଳିବତୀର କରେଣ୍ଟ ଛୁଇଁ ଯାଉଛି ତା’ର ହାତକୁ ।

 

ସୁର କହଲା, ତୁ ସେ ଛବିଗୁଡ଼ାକୁ ଗୋଟାନା’ ଲୀଳା । ସେ ଛବିର କିଛି ମୂଲ୍ୟ ନାହିଁ । ସେ ଛବି ପ୍ରକାଶକଙ୍କର ମନୋମତ ନୁହେଁ । ପତ୍ରିକା ସଂପାଦକ ତା’ ଭିତରେ କୌଣସି କଳାର ସଂଧାନ ପାଇ ନାହାନ୍ତି । ଏତେ ଦିନର ଶିଳ୍ପସାଧନା ମୋର ବ୍ୟର୍ଥ ହୋଇଛି । ସେଗୁଡ଼ାକ ନଷ୍ଟ ହଉ–

 

ଲୀଳା ବଡ଼ ବଡ଼ ଆଖିରେ ଅନେଇଲ ସୁର ଆଡ଼କୁ । କହିଲା, କଳାକୁ ତମେ ତା’ ହେଲେ ବ୍ୟବସାୟ କରୁଥିଲ ସୁର ଭାଇ । ନିଜ ଶିଳ୍ପକଳାକୁ ନିଲାମ କରି ତମେ ଚାହୁଁଥିଲ ନିଜର ସମ୍ମାନ ବଢ଼ାଇବାକୁ । ନିଜର ଆର୍ଥିକ ଅନାଟନ ଦୂର କରିବାକୁ ।

 

ସୁର ମୁଣ୍ଡରେ ଏ ପ୍ରଶ୍ନ କେବେ ଉଠି ନ ଥିଲା । ସେ ଛବି ଆଙ୍କୁ ଥିଲା କାହିଁକି ? ସେ କଥା ସେ କେବେ ଶୁଣି ନାହିଁ । ତେଣୁ ଲୀଳାକୁ କୌଣସି ଉତ୍ତର ନ ଦେଇ ସେ ଗୁମ୍‍ ଖାଇ ବସିରହିଲା ।

 

ଲୀଳା କହିଲା,ତମେ ଏଥର ବେଶୀ ବେଶୀ ଛବି ଆଙ୍କ ସୁରଭାଇ । ତାକୁ କେହି ନ ଛାପନ୍ତୁ କେହି ନ କିଣନ୍ତୁ କେହି ନ ଦେଖନ୍ତିୁମୁଁ ଦେଖିବି । ତମେ କ’ଣ ସେଇଥିରେ ଖୁସି ହେବ ନାହିଁ-। ପିଲାବେଳେ ଗାଁ ସ୍କୁଲରେ ପଢ଼ୁ ଥିବାବେଳେ କେତେ ଥର ଛବି ଆଙ୍କି ମତେ ତମେ ଖୁସି କରାଇବାକୁ ଚେଷ୍ଟା କରିଛ—ଆଜି କ’ଣ ସେ କଥା କରିବାକୁ ତମର ମନ ନାହିଁ । ମୁଁ କ’ଣ ତମର ପର ହୋଇଗଲିଣି ।

 

ସୁର ମୁହଁରୁ ଆଉ କିଛି କଥା ବାହାରୁ ନାହିଁ । ସେ ଯେମିତି ବହୁ ଦିନ ପରେ ହଜିଯାଇଥିବା ପଦେ ଗୀତକୁ ପୁଣି ଥରେ ମନେ ପକାଇ ଦେଇପାରିଛି ।

 

ଲୀଳା କହି ଚାଲିଛି, ତମେ ମୋ ଛୋଟ କଥା ମାନ । ନନା ଏବେ ସୁଦ୍ଧା ମୋ ପଢ଼ିବା ଖର୍ଚ୍ଚ ପାଇଁ ଶହ ଶହ ଟଙ୍କା ପଠାଉଛନ୍ତି—ତାଙ୍କର ଧାରଣା ଯେତେ ବେଶୀ ପାଠ ପଢ଼ିବ ସେତେ ବେଶୀ ଟଙ୍କା ଦରକାର— ସେ ଟଙ୍କା ମୁଁ ଏକା କ’ଣ କରିବି । ତମେ ତମ ଖର୍ଚ୍ଚ ପାଇଁ ସେ ଟଙ୍କା ଆଣ । ପ୍ରକାଶକଙ୍କ ପାଖରେ ଛବି ଡିଜାଇନ୍‍ ପାଇଁ ଗୋଡ଼ଭାଙ୍ଗି ଠିଆ ହୁଅ ନାଇଁ—ନିଜର ସୃଷ୍ଟି, ସାମର୍ଥ୍ୟ ଉପରେ ଅଯଥା ଅବିଶ୍ୱାସ କର ନାହିଁ—କ’ଣ କହୁଛ ? —ଶୁଭୁଛି ।

 

ସୁର ନ ଶୁଣିଲା ଭଳି ନିରବ ରହି ନିଜ ଛବିଗୁଡ଼ାକ ଅଡ଼କୁ ଏବଂ ଆଉ ଥରେ ଲୀଳା ମୁହଁକୁ କେବଳ ଚାହଁଲା । ତା’ କାନରେ କେବଳ ଲୀଳାର ପଦିଏ କଥା ଦୋହରେଇ ହୋଇ ଶୁଭି ଯାଉଥଲା, କେହି ନ ଜାଣନ୍ତୁ—ନ ଦେଖନ୍ତୁ—ମୁଁ ଦେଖିବି—ମୋ ପାଇଁ ତମେ ଛବି ଆଙ୍କ ।

 

କେବଳ ସେ ଲୀଳା ପାଇଁ ଛିବ ଆଙ୍କି ପାରିବ ।

 

ହେ ! କ’ଣ ଶୁଭୁଛି ?

 

ହେମାଙ୍ଗିନୀ ଆଉ ଥରେ ନାରଣ ମାଷ୍ଟ୍ରଙ୍କୁ ପ୍ରଶ୍ନ କଲା । ଗୁରିଆ ଗଉଡ଼ ଦାଣ୍ଡରେ ଠିଆ ହୋଇଛି । ତିନିମାସ ତଳେ ସେ ଘର ଛପର କରିଦେଇ ଯାଇଥିଲା । ପଇସା ବାକି ଅଛି । ମାଷ୍ଟ୍ରେ କହିଥିଲେ ତାକୁ ଆଜି ପଇସା ଦେବାକୁ । ସେ ଆସି ଅପେକ୍ଷା କରିଛି ଦୁଆର ମୁହଁରେ, ମାଷ୍ଟ୍ରେ ଖବର କାଗଜ ପଢ଼ୁଛନ୍ତି ହେମାଙ୍ଗିନୀ ବ୍ୟସ୍ତ ହୋଇ ପଚାରୁଛନ୍ତି, ହେ ! କ’ଣ ଶୁଭୁଛି । ଗୁରିଆ ଠିଆ ହୋଇଛି ଯେ—ନାରଣ ମାଷ୍ଟ୍ରଙ୍କ କାନ ପାଖରେ ଏସବୁ କଥା ପହଞ୍ଚି ପାରୁ ନ ଥିଲା । ବୁଲାବିକାଳିଙ୍କଠାରୁ ଟଙ୍କାଏ ପନ୍ଦରଅଣା ଦେଇ ସେ ଏବେ ଶସ୍ତାରେ ଯେଉଁ ଚାଲିଶିଆ ଚଷମାଟାକୁ ମାରି ଆଣିଥିଲେ ତାକୁ ଖବର କାଗଜ ଦେହରେ ମାଡ଼ିଦେଇ ଗୋଟାଏ ଚମତ୍କାର ସମ୍ବାଦ ପଢ଼ୁଥିଲେ—କିନ୍ତୁ ଟଙ୍କାଏ ପନ୍ଦରଣିଆ ଶସ୍ତା ଚଷମା କାଚରେ ଅକ୍ଷରଗୁଡ଼ାକ ବଡ଼ ଅସ୍ପଷ୍ଟ ଦିଶୁଥିଲା—

 

ସେଇ ଅସ୍ପଷ୍ଟ ଅକ୍ଷର ଭିତରୁ ଫୁଟି ଦିଶୁଥିଲା ଦେଶର ଶିକ୍ଷାମନ୍ତ୍ରୀଙ୍କର ଗୋଟିଏ ମର୍ମସ୍ପର୍ଶୀ ଭାଷଣର ବିବରଣୀ—ସମ୍ବାଦର ହେଡ଼ିଂଟା ହେଉଛି—ପ୍ରାଥମିକ ଶିକ୍ଷକମାନେ ହିଁ ଏ ଜାତିର ନିର୍ମାତା.....ସବ୍‍ହେଡ଼ିଂ ହେଉଛି—ଦେଶର ଭବିଷ୍ୟତ ଛୋଟଛୋଟ ଶିଶୁମାନଙ୍କ ଭବିଷ୍ୟତ ଗଠନ ସେମାନଙ୍କ ଉପରେ ନିର୍ଭର କରୁଛି ।

 

ସମ୍ବାଦଟା ପଢ଼ି ନାରଣ ମାଷ୍ଟ୍ରଙ୍କ ମନରେ ଅହଙ୍କାରଗୁଡ଼ାକ କେମିତି ପଥର ପାଲଟି ଯାଉଛନ୍ତି । ପ୍ରାଥମିକ ସ୍କୁଲ ଶିକ୍ଷକ ଏ ଜାତିରେ ନିର୍ମାତା । —ନଜେ ଶିକ୍ଷାମନ୍ତ୍ରୀ କହିଛନ୍ତି ।

 

ନାରଣ ମାଷ୍ଟ୍ରଙ୍କ ଇଚ୍ଛା ହେଉଥିଲା, ସେ ହେମାଙ୍ଗନିଙ୍କୁ ଡାକିବେ । କହିବେ, ଦେଖ ! ମାଷ୍ଟରୀ ଚକିରିକୁ ଘୃଣା କରୁଥିଲ ପରା ! କ’ଣ କହୁଛନ୍ତି ଶିକ୍ଷାମନ୍ତ୍ରୀ ଶୁଣ ! ପ୍ରାଥମିକ ସ୍କୁଲ ଶିକ୍ଷକ ଏ ଜାତିର ନିର୍ମାତା । କିନ୍ତୁ ସ୍ଵଳ୍ପଶିକ୍ଷିତା ହେମାଙ୍ଗିନୀ କ’ଣ ସେଥିରୁ କିଛି ବୁଝିବେ ।

 

ନିଜ ସ୍ତ୍ରୀଙ୍କ ଏଇ ଅଳ୍ପଶିକ୍ଷା ଉପରେ ନାରଣମାଷ୍ଟ୍ରଙ୍କର ଭାରି ହତାସ ଭାବ—ବିବାହର ପ୍ରଥମ କେତୋଟି ବର୍ଷ ଭିତରେ ସେ ଚେଷ୍ଟା କରିଥିଲେ ହେମାଙ୍ଗିନୀଙ୍କୁ କିଛି ଅଧିକ ପଢ଼ାଇବା ପାଇଁ—କିନ୍ତୁ ହେମାଙ୍ଗିନୀ ମୁହଁ ମୋଡ଼ିଲେ—ପଢ଼େଇ.ବସିଲେ ଖାଲି ହସ—ନିର୍ଦ୍ଧୁମ ହସ— ।

 

ବିରକ୍ତ ହୋଇ ହେମାଙ୍ଗିନୀଙ୍କୁ ପାଠ ପଢ଼ାଇବାର ଦୁଃସାହସ ତ୍ୟାଗ କରନ୍ତି ନାରଣ ମାଷ୍ଟ୍ରେ—ସେ ଅନେକ ଦିନ ତଳର କଥା ।

 

କିନ୍ତୁ ଖବର କାଗଜରୁ ଏମିତି ବେଳେବେଳେ କଛି ଭଲ ଖବର ପାଇଲେ ହେମାଙ୍ଗିନୀଙ୍କ ଅନିଚ୍ଛା ସତ୍ତ୍ୱେ ନାରଣ ମାଷ୍ଟ୍ରେ ସେ ସମ୍ପର୍କରେ ବକ୍ତୃତା ଆରମ୍ଭ କରନ୍ତି ହେମାଙ୍ଗିନୀ ଯେତେବଳେ ବକ୍ତୃତା ଶୁଣି ଶୁଣି ନିଜର ସମସ୍ତ ଧୈର୍ଯ୍ୟ ଖର୍ଚ୍ଚ କରି ଦିଅନ୍ତି, ସେତେବେଳେ ତାଙ୍କର ମନେ ପଡ଼ିଯାଏ, ଚୁଲି ଉପରେ ଡାଲି ପୋଡ଼ିଯାଉଛି...

 

ହେମାଙ୍ଗିନୀ ଉଠିଯାଆନ୍ତି ।

 

ବିରକ୍ତରେ ଅଗତ୍ୟା ବକ୍ତୃତା ବନ୍ଦ ରଖନ୍ତି ନାରଣ ମାଷ୍ଟ୍ରେ । ନାରଣ ମାଷ୍ଟ୍ରେ ସେ ସମ୍ବାଦଟା ତଳକୁ ଆହୁରି ଗୋଟିଏ ସମ୍ବାଦ ଦେଖିଥିଲେ, ହେମାଙ୍ଗିନୀଙ୍କ ଯୋର୍‍ ରେ ପାଟି ଶୁଭିଲା, କ’ଣ ଶୁଭୁଛି ନା ନାଇଁ ! ଗୁରିଆ ଠିଆହୋଇଛଇ ପରା—

 

ନାରଣ ମାଷ୍ଟ୍ରଙ୍କ ଧାନଭଗ୍ନ ହେଲା ଭଲି ସେ ଚମକି ଉଠିଲେ । କିଏ ? ଗୁରିଆ—

 

ହଁ ହଁ ଗୁରିଆ ଗୁରିଆ—କେତେବେଳୁ ମୁଁ ଡାକି ହେଉଛି ମଲାମୋର କି ନିଆଁ ଲଗା ଖବର କାଗଜ ପଢ଼ା ହେଉଛି ଯେ—ହେମାଙ୍ଗିନୀ ଖୁବ୍‍ ରାଗିଥିବାର ଗୁଡ଼ାଏ ପ୍ରମାଣ ଏକାଠି ହଠାତ୍‍ ଆତ୍ମପ୍ରକାଶ କରି ପକାଇଲେ । କ୍ରୋଧଦିପ୍ତା ସହଧର୍ମିଣୀଙ୍କ ଆଡ଼କୁ ବଡ଼ ଆଁ ଟାଏ କରି ନାରଣ ମାଷ୍ଟ୍ରେ ଅନେଇ ରହିଲେ—

 

କ’ଣ ଶୁଭୁଛି— !

 

ହଁ—ଧଳା ସାର୍ଟରେ ତ ପଇସା ଅଛି ତାକୁ ଦେଇଦେବ—ଏତେ ମୁହଁ ଖରାପ କରୁଛ କାହିଁକି ? ସକାଳୁ—ନାରଣ ମାଷ୍ଟ୍ରେ ଏତକ କଥା କହି ଜଣେଇଦେଲେ ଯେ ମୂଳରୁ ସବୁ କଥା ସେ ଶୁଣିଛନ୍ତି ।

 

ଧଳାଜାମା ପକେଟରୁ ପଇସା ଖୋଜିବାକୁ ହେମାଙ୍ଗିନୀ ବାହାରିଗଲେ । ନାରଣ ମଷ୍ଟ୍ରେ ପୁଣି ଖବର କାଗଜ ଉପରେ ନିଜ ଆଖିର ନିବିଷ୍ଟ ଚଷମା କାଚ ଦୁଇଟାକୁ ଦଉଡ଼ାଇବାକୁ ଆରମ୍ଭ କଲେ ।

 

କିନ୍ତୁ ସେ ଅନ୍ୟ କୌଣସି ଭଲ ସମ୍ବାଦ ଅବିଷ୍କାର କରିବା, ଆଗରୁ ହେମାଙ୍ଗିନୀ ଫେରିଆସିଲେ ଫେରି ଆସିବାର ଗତିରେ ତାଙ୍କର ବଣ୍ୟ-ବାଘୁଣୀର ହିଂସ୍ରତା ସ୍ଵଷ୍ଟ ହେଉଥିଲା...

 

ମୋ ସାଙ୍ଗରେ କ’ଣ ଥଟ୍ଟା ଖେଚ୍ଛୁଚ ! ଧଳାସାଟରେ ପଇସା ନାହିଁ ? କ’ଣ ଶୁଭୁଛି ନା’..ହେମାଙ୍ଗିନୀ ଅତି ବିରକ୍ତ ହୋଇ ପ୍ରଶ୍ନ କଲେ ।

 

ନାରଣ ମାଷ୍ଟ୍ରେ ବିଚଳିତ ହୋଇ ଉତ୍ତର ଦେଲେ, କେଉଁ ସାର୍ଟଟା ଦେଖିଲା ପଇସା ନାହିଁ...

 

ତମର ତ ଗୋଟାଏ ବୋଲି ସାର୍ଟ...ଅଉ କୋଉ ସାର୍ଟ ଦେଖିବି କ’ଣ ? କ’ଣ ଏମିତି ରଜା ପୁଅଙ୍କ ଭଳି କଥା କହୁଛ.....କେଇଟା ସାର୍ଟ କି ତମର... ? ହେମାଙ୍ଗିନୀଙ୍କ ବିରକ୍ତ ସେତେବେଳକୁ ରୀତମତ ଏକ ସାଙ୍ଘାତିରେ ଅବସ୍ଥାରେ ପହଞ୍ଚି ସାରିଲଣି ।

 

ନିଜ ଦାରିଦ୍ର୍ୟ ଉପରେ ହେମାଙ୍ଗିନୀଙ୍କ ଏ ଦାରୁଣ ଅଘାତକୁ ସହ୍ୟ ନ କରି ନାରଣ ମାଷ୍ଟ୍ରଙ୍କ ଇଚ୍ଛା ହେଉଥିଲା ସେ ଖବର କାଗଜରେ ପ୍ରକାଶ ପାଇଥିବା ଶିକ୍ଷାମନ୍ତ୍ରୀଙ୍କ ଭାଷଣଟା ବର୍ତ୍ତମାନ ବଡ଼ ପାଟିରେ ପୁରାପରି ପଢ଼ି ଶୁଣାଇ ଦିଅନ୍ତେ ବୁଝାଇ ଦିଅନ୍ତେ ସେମାନେ ହେଉଛନ୍ତି ଏ ଜାତିର ନିର୍ମତା ହେଲେ ନାରଣ ମାଷ୍ଟ୍ରେ ଜାଣନ୍ତି ସମ୍ବାଦପତ୍ର ଉପରେ ହେମାଙ୍ଗିନୀଙ୍କ ବିଶ୍ୱାସ ବଡ଼ କ୍ଷୀଣ...

 

ତେଣୁ ସେ ଦିଗରେ କୌଣସି ଅଗ୍ରଗତ ନ କରି ସେ ଟିକିଏ କଣ୍ଠକୁ ନରମ କରି କହିଲେ, ଦେଖ । ପଇସା ଆଉ କୁଆଡ଼େ ଯିବ ? କାଲି ଥିଲା ତ...

 

ହେମାଙ୍ଗିନୀ ପୁଣି ଅଉ କ’ଣ କହିବାକୁ ଆରମ୍ଭ କରୁଥିଲେ । ହଠାତ୍‍ ନାରଣ ମାଷ୍ଟ୍ରଙ୍କ ମନେ ପଡ଼ିଗଲା ଯେ କାଲି ରାତିରେ ସେ ଗୁଣ୍ଡି, ମସଲା, କିରୋସିନି ତେଲ କିଣିଥିଲେ ସେଇ ପଇସାରେ.....

 

ହେ ! ଶୁଣଶୁଣ ନାରଣ ମାଷ୍ଟ୍ରେ ଡାକିଲେ ସେ ହେମାଙ୍ଗିନୀଙ୍କୁ । କହିଲେ, କାଲି ଯେଉଁ ଗୁଣ୍ଡି, ମସଲା, କିରୋସିନୀ କିଣିବା ବରାଦ କରିଦେଲ ସେ ଆସିଲା କୁଆଡ଼ୁ ? ପଇସା କ’ଣ ସାଟ ଜନ୍ମ କରିବ !

 

ହେମାଙ୍ଗିନୀ ସେତେବଳକୁ ରୀତିମତ ରାଗି ଯାଇଥିଲେ । ତେଣୁ କିଛି କହିବାକୁ ଚେଷ୍ଟା କରୁଥିଲେ ବି ପାଟି ରୁ କଥା ବାହାରୁ ନ ଥିଲା ।

 

ଶିକ୍ଷାମନ୍ତ୍ରୀଙ୍କ ଭାଷଣଟା ନାରଣ ମାଷ୍ଟ୍ରଙ୍କ ଆଖିରେ ସେତେବେଳେ ପୁରାପୁରି ଜାଲଜାଳିଆ ଦିସିଲାଣି । ବାହାରେ ଗୁରିଆ ଠିଆହୋଇଛି । ତିନିମାସ ତଳେ ଘର ଛପର କରିଥିଲା-। ପଇସା ବାକି । ସାର୍ଟ ପକେଟରେ ପଇସା ନାହିଁ । କାଲି ରାତିରେ ଗୁଣ୍ଡି, ମସଲା, କରୋସିନି କିଣି ହୋଇଛି ।

 

ମଝିରେ ମୁହଁକୁ ପୋତି ଭକୁଆ ହୋଇ ବସିଛନ୍ତି ଏ ଜାତି ନିର୍ମାତା, ଉଚ୍ଚପ୍ରାଥମିକ ସ୍କୁଲ ହେଡ଼୍‍ ପଣ୍ଡିତ ନାରଣ ମାଷ୍ଟ୍ରେ...

 

ହେମାଙ୍ଗିନୀ ଙ୍କ ମୁହଁକୁ ଅନେଇ ହେଉନି । ସେ ଖୁବ୍‍ ରାଗିଛନ୍ତି । ଅନ୍ୟ ଉପାୟ ନ ପାଇ ନାରଣ ମାଷ୍ଟ୍ରେ ବାଧ୍ୟହୋଇ ପୁଣି ଖବର କାଗଜ ଓଲଟାଇଲେ ପଛପଟେ ଗୋଟିଏ ଛୋଟ ସମ୍ବାଦ.....ରାଉରକେଲାରେ ଟ୍ରକ୍‍ ଦୁର୍ଘଟଣା ଇଂଜିନିୟରଙ୍କ ଶୌଚନୀୟ ମୃତ୍ୟୁ ଖବର ନେବାରେ ଜଣାଯାଇଛି ଯେ ଜିପ୍‌ରେ ଆସୁଆସୁ ଗୋଟିଏ ମାଲବାହି ଟ୍ରକ୍‍ ସହିତ ହଠାତ୍‍ ଧକ୍କା ହେବାରୁ ଇଞ୍ଜିନିୟର ସଦାନନ୍ଦ ମିଶ୍ର . ନାରଣ ମାଷ୍ଟ୍ରଙ୍କ ଛାତିରୁ ନିଆଁ ଖସିପଡ଼ିଲା ।

 

ସଦାନନ୍ଦ ମିଶ୍ର...ସଦାନନ୍ଦ ମିଶ୍ର...ସଦାନନ୍ଦ :

 

ନାଟା ମନରେ ଖାଲି ଗୁରେଇ ତୁରେଇ ହେଉଛି । ସଦାନନ୍ଦ...ଇଞ୍ଜିନିୟର... ରାଉରକେଲା...ମିଶ୍ରଙ୍କ ଜୋଇଁ...

 

ହେମ...ହେମ ! ଶୁଣ ଟିକିଏ...

 

ହେମାଙ୍ଗିନୀ ବାଟ କାଟି ଚାଲି ଯାଉଥିଲେ । ନାରଣ ମାଷ୍ଟ୍ରଙ୍କ ଏ ଅତର୍ଚ୍ଛ ଡାକ ଶୁଣି ଆସି ଠିଆହେଲେ ସେ ପାଖରେ । ନାରଣ ମାଷ୍ଟ୍ରଙ୍କ ଓଠ ଥରୁଛି, ଆଖିପତାରେ ଛମ ଛମ ଭାବ । କ’ଣ ହେଲା ?

 

ଏ...ଏ...ମିଶ୍ରଙ୍କ ଜୋଇଁଙ୍କ ନା’ କଣଟି !

 

ହେମାଙ୍ଗିନୀ ଚମକି ଉଠି ପଚାରିଲେ, କାହିଁକି ? ସଦାନନ୍ଦ... ସଦାନନ୍ଦତ |

 

ସର୍ପାହତ ଭଳି ଚମକି ଉଠି ନାରଣ ମାଷ୍ଟ୍ରେ ପାଟିକରି ଉଠିଲେ, ମିଶ୍ରଙ୍କ ଘର ଭଙ୍ଗିଗଲା ହେମ ! ଲୀଳାର କପାଳ ପୋଡ଼ିଗଲା । ଟ୍ରକ ଦୁର୍ଘଟଣାରେ ସଦାନନ୍ଦ...ଏଇ ଦେଖ ଖବର ବାହାରିଛି...

 

ହେମାଙ୍ଗିନୀଙ୍କ ଆଖି ହଠାତ୍‍ ଚିହିଁକି ଉଠିଲା । ସେ ପାଟିକରି ଉଠିଲେ, କ’ଣ କହିଲ ! ସଦାନନ୍ଦ ଆଉ ନାହାନ୍ତି ।

 

ପଇସା ପାଇବାରେ ଏତେ ଡେରିହେବା ଦେଖି ଗୁରିଆ ଭିତରକୁ ପଶି ଆସୁଥିଲା । ସଦାନନ୍ଦଙ୍କ ଆକସ୍ମିକ ମୃତ୍ୟୁ ସମ୍ବାଦ ଶୁଣି ସେସ୍ଥିର ହୋଇ ଠିଆ ହୋଇଗଲା ଦୁଆର ବନ୍ଧ ପାଖରେ...

 

ହେମାଙ୍ଗିନୀଙ୍କ ଆଖିରୁ ସେତେବେଳକୁ ଗଙ୍ଗା ଯମୁନାର ଧାର ଫିଟିଛି । ଆହା ! ବିଚାରୀ ଲୀଳାଟି । ବର ମୁହଁ ବି ଥରେ ଅଭାଗିନୀ ଦେଖିପାରିଲା ନାଇଁ ।

 

ନାରଣ ମାଷ୍ଟ୍ରେ ଭାବୁଛନ୍ତି, କି ଦୁର୍ଯୋଗରେ ସେ ଆଜି କାଗଜ ଖୋଲିଥିଲେ । ମିଶ୍ରେ କ’ଣ ଖବର ପାଇବେଣି ? କିଏ ଏ ଖବର ଦେବ ?

 

ଗୁରିଆ ତାଟକା ହୋଇ ଠିଆ ହୋଇଛି । ମନରେ ତା’ର ସନ୍ଦେହ ଗୋଳେଇ ଘାଣ୍ଟି ହେଉଛି...ଖବର କାଗଜ କୋଉ ସତ ଲେଖି ପକାଏ ? ରାଉରକେଲା କେତେ ବଡ଼ ଅଞ୍ଚଳ, କେତେ ଇଞ୍ଜିନିୟର...କେତେ ସଦାନନ୍ଦ ସେଠି ନ ଥିବେ ।

 

କଥାଟା ମିଛ ହୋଇଥାନ୍ତା କି !

 

ସେଇ ଖବର କାଗଜ । ସେଇ ସମ୍ବାଦ ।

 

ପଢ଼ିସାରି ସୁର କେବଳ ଆକାଶକୁ ଚାହିଁଲା । ଆକାଶରେ ମେଘ ଘୋଟିଛି । ସତେ ଯେମିତି ଆକାଶ ବର୍ତ୍ତମାନ ଖବର କାଗଜର ସେଇ ଦୁଃସମ୍ବାଦରେ ବ୍ୟଥିତ ହୋଇ ଛିଡ଼ିପଡ଼ିବ ।

 

କ’ଣ କରୁଥିବ ବର୍ତ୍ତମାନ ଲୀଳା !

 

କାନ୍ଦୁ ଥିବ । ମୁଣ୍ଡ ବାଡ଼ଉଥିବ !

 

ଲୀଳା ଭଳି ଏକ ସରଳା, ନିରୀହା ଝିଅ ଜୀବନରେ ଏ ଦୁର୍ଯୋଗ ଆସିଲା—କାହିଁକି ? କାହିଁକି ଭଗବାନ ଲୀଳା ଭଳି ଏକ ନିରପରାଧନୀ ଝିଅର ଜୀବନରେ ଏଭଳି ଦୁର୍ଘଟଣା ସୃଷ୍ଟି କରିଦେଲେ ।

 

ରାଉରକେଲାର ଟ୍ରକ୍‍ ଦୁର୍ଘଟଣା ।

 

ସଦାନନ୍ଦ ମିଶ୍ର...ଇଞ୍ଜିନିୟର ସଦାନନ୍ଦ ମିଶ୍ରଙ୍କ ମୃତ୍ୟୁ ।

 

ସମ୍ବାଦଟି ପଢ଼ିଲାବେଳେ ଲୀଳା ଆଖି କେମିତି ଛଳଛଳ ହୋଇ ଆସିଥିବ—କେମିତି ତା’ର ହୃଦୟ-ସମୁଦ୍ର ମନ୍ଥନ କରି ଉଠିଥିବ ଦୀର୍ଘ ଶ୍ୱାସର କଳରୋଳ !

 

ସୁର କିଛି ଭାବିବାକୁ ସାହସ କରୁ ନ ଥିଲା । ଭରସି ପାରୁ ନ ଥିଲା ।

 

ତା’ର ଠିକ୍ ଗୋଟିଏ ମାସ ପରେ—

 

ଏଇ ମାସକ ଭିତରେ ସୁର ଅନେକ ଥର ଉଦ୍ୟମ କରି ମଧ୍ୟ ଲୀଳାର ବସାକୁ ଯାଇପାରି ନ ଥିଲା । ଘରୁ ଗୋଡ଼ କାଢ଼ିଲେ ତାକୁ ମାଡ଼ି ମାଡ଼ି ପଡ଼େ । କ’ଣ ଯାଇ ସେ ପଚାରିବ ? କ’ଣ ତାକୁ ଦେଖିଲେ ଭାବିବ ଲୀଳା !

 

କିନ୍ତୁ ଆଉ ଅଧିକ ଦିନ ସେ ଥୟ ଧରିପାରିଲା ନାହିଁ ।

 

ଉଠିଲା ଯାଇ ଲୀଳାର ଘରେ ।

 

ଦୁଇ ମିନଟ ପରେ ଶୁଭିଲା କାହାର ପାଦଧ୍ୱନି...ତା’ପରେ ଜଞ୍ଜିର ଖୋଲା ଶବ୍ଦ । ସୁର ଭାବୁଥିଲା, ଯଶୋଧାରା ବୋଧହୁଏ କବାଟ ଖୋଲୁଛି । କିନ୍ତୁ କବାଟ ଖୋଲିଲା ପରେ ହଠାତ୍‍ ଆଖି ଆଗରେ ଠିଆ ହୋଇଗଲା ଲୀଳା—

 

ସୁରର ଆଖି ସଙ୍ଗେ ସଙ୍ଗେ ତଲକୁ ନଇଁପଡ଼ିଲା । କ’ଣ ଦେଖିବାକୁ ସେ ଉପରକୁ ଆଖି ଉଠାଇବ ।

ଲୀଳା କିନ୍ତୁ ମୁହୂର୍ତ୍ତେ ଅପେକ୍ଷା କରି ନାହିଁ—ତିଳେ ହେଲେ ଚିନ୍ତା କଲା ନାହିଁ । କଣ୍ଠରୁ ତା’ର ସଙ୍ଗେ ସଙ୍ଗେ ଝଙ୍କାର ଉଠିଲା— ଆରେ ସୁର ଭାଇ ! କ’ଣ ଏମିତି ଚୋରଙ୍କ ଭଳି କବାଟ ବାଡ଼ଉଛ । ଆସୁନ—

ସୁର ଏଥର ଦୃଷ୍ଟି ଉଠାଇଲା ଉପରକୁ । ଲୀଳା ମୁଣ୍ଡରେ ଆଉ ସିନ୍ଦୁରର ଜ୍ୟୋତି ଦିଶୁ ନାହିଁ । କାଗଜ ଭଳି ମୁହଁ ସାଦା ହୋଇଯାଇଛି । କିନ୍ତୁ ସେଇ ମୁହଁରେ ହସର ଗୋଟିଏ ତରଙ୍ଗ ଉଠିଚି । ନିର୍ଦ୍ଦୋଷ ହସ ।

ସୁର ଭିତରକୁ ପଶିଲା । ଭିତରେ କେମିତି ଏକ ଅସହ୍ୟ ଶୂନ୍ୟତା । ଜିନିଷପତ୍ରଗୁଡ଼ାକ ସବୁଦିନ ଅପେକ୍ଷା କେମିତି ବେଶୀ ଖେଳେଇ ମେଳେଇ ହୋଇପଡ଼ିଥିବା ଭଳି ସୁରକୁ ବୋଧହେଲା । ସତେ ଯେମିତି ଏ ଘର ଉପରେ ଗୋଟାଏ ଅଦିନିଆ ଝଡ଼ ବହି ଯାଇଛି ।

ଲୀଳାର ଅନୁରୋଧକୁ ଅପେକ୍ଷା ନ ରଖି ସୁର ଗୋଟାଏ ଚେୟାର ଦେହରେ ନିଜ ଦେହଭାରକୁ ଢାଳିଦେଲା । ଠିକ୍‍ ତା’ର ପାଖ ଚେୟାରଟିରେ ବସିଲା ଲୀଳା...ତା’ପରେ ଯଶୋଧାରାକୁ ଗୋଟିଏ ଆଦେଶ—ଜଳଖିଆ ଟିକିଏ ଆଣ୍‍ ଧୀରା ! ଏଇ ସୁର ଭାଇ ଆସିଛନ୍ତି... !

ସୁର ସ୍ଥିର ହୋଇ ବସିଥାଏ । ମନେ ମନେ କିଛି ଭାବୁଥାଏ ।

ତେଣୁ ଲୀଳା ପ୍ରଥମେ କଥାରମ୍ଭ କଲା, ମାଟ୍ରିକ୍‍ ପଢ଼ିଲାବେଳେ ସଂସ୍କୃତ ବହିରେ ଗୋଟାଏ ଶ୍ଳୋକ ପଢ଼ିଥିଲେ । ମନେଅଛି ? ସେ ଶ୍ଳୋକର ଅର୍ଥ ହେଉଛି କେବଳ ସୁଖରେ ନୁହେଁ, ଦୁଃଖରେ ମଧ୍ୟ ଯିଏ ପାଖରେ ଆସି ଠିଆ ହୁଏ, ସେ ହେଉଛି ପ୍ରକୃତ ବନ୍ଧୁ ।

 

ନୁହେଁ ?

 

ସୁର କିଛି ନ କହି ଲୀଳା କଥାର ତାତ୍ପର୍ଯ୍ୟ ବୁଝିବାକୁ ଉଦ୍ୟମ କଲା ।

 

ଲୀଳା କହିଲା, ତମେ ମୋର ପ୍ରକୃତ ବନ୍ଧୁ ସୁର ଭାଇ ! ମାସକ ପରେ ହେଲେ ମଧ୍ୟ ମୋ ଦୁର୍ଦ୍ଦିନରେ ତମେ ଆସି ପାଖରେ ପହଞ୍ଚିଛ ।

 

ଯଶୋଧାରା ଜଳଖିଆ ଘେନି ଆସୁଥିଲା । ଲୀଳାର ଶେଷକଥା ପଦକ ତା’ କାନ ପାଖରେ ପହଞ୍ଚି ଯାଇଛି । ଜଳଖିଆ ଟେବୁଲ ଉପରେ ଥୋଇଦେଇ ଗଲାବେଳେ ସୁର ଲକ୍ଷ୍ୟ କଲା, ଯଶୋଧାରା ଦୁଇ ଆଖିର ଦୁଇ କୋଣରୁ ଦୁଇଟି ଜଳଧାରା ତଳକୁ ଖସିଆସିଛି । ମାସକ ତଳେ ବୋଧହୁଏ ତା’ ଆଖିର ଲୁହଗ୍ରନ୍ଥିରେ ଯେଉଁ ଅଶ୍ରୁର ଉତ୍ସ ସୃଷ୍ଟି ହୋଇଥିଲା, ସେଇ ଉତ୍ସ ଏପର୍ଯ୍ୟନ୍ତ ଅବିଶ୍ରାନ୍ତ ହୋଇ ରହିଛି ।

 

ଜଳଖିଆ ଖାଇବାକୁ ସୁରକୁ ସତର୍କ କରିଦେଇ ଲୀଳା କହିଲା, କିନ୍ତୁ ତମେ କ’ଣ ସତରେ ଭାବୁଛ ସୁର ଭାଇ ! ମୋ ଜୀବନରେ ଏକ ଦୁର୍ଦ୍ଦିନ ଆସିଛି ! ତମେ କ’ଣ ବିଶ୍ଵାସ କରୁଛ ରାରଉକେଲାରେ ନିତି ଘଟୁଥିବା ଏକାଧିକ ଟ୍ରକ୍‍ ଦୁର୍ଘଟଣା ଭିତରୁ ଗୋଟିଏ ଦୁର୍ଘଟଣା ପାଇଁ ମୋ ଜୀବନର ଏଇ ସୁନ୍ଦର ଫୁଲର ଅରଣ୍ୟରେ ଗୋଟିଏ କାଳ ବୈଶାଖୀର ଝଡ଼ ବହିଗଲା ବୋଲି... !

 

ସୁର ଲକ୍ଷ୍ୟକଲା, ଲୀଳାର କଥାରେ ସାହିତ୍ୟିକ ଛଟା କେମିତି ମୂର୍ତ୍ତିମନ୍ତ ହୋଇଉଠିଛି । ବୋଧହୁଏ ସେ ନିଜର ମନର ଭାଷାକୁ ଘୋଡ଼େଇ ରଖିବା ପାଇଁ ଏହି କବିତ୍ଵମୟ ଭାଷାକୁ କରିଛି ଏକ ଅମୋଘ ଅସ୍ତ୍ର !

 

ଲୀଳା କହି ଚାଲିଥାଏ...କେଇଦିନ ତଳେ ନନାଙ୍କୁ ଖୁସି କରିବା ପାଇଁ ଆମ ଘରେ ଗୋଟିଏ ବେଦୀରେ ବସି ମୁଁ ଯେଉଁ ଉତ୍ସବ କରିବାକୁ ରାଜି ହୋଇଥିଲି, ସେ ଉତ୍ସବର ଭୁଲ୍‍ ପାଇଁ ମୁଁ କ’ଣ ଖାଲି ଜୀବନସାରା ଧରି କାନ୍ଦିବି !

 

ସୁର ଏଥର ଲକ୍ଷ୍ୟକଲା, ଲୀଳା ମୁହଁରେ କେମିତି ଗୋଟିଏ ମେଘ ଘୋଟିଆସିଚି । ପ୍ରଥମେ ପ୍ରଥମେ ହସର ଢେଉ ନଚାଇ ନିଜ ଜୀବନର ଚରମ ଦୁର୍ଦ୍ଦିନକୁ ସେ ଯେପରି ଅସ୍ଵୀକାର କରିବା ପାଇଁ ଆୟୋଜନ କରିଥିଲା, ଏଇ କେତୋଟି ମିନିଟ୍‍ ପରେ ସେ ଅସ୍ୱୀକୃତିର ଆୟୋଜନ ସମ୍ପୂର୍ଣ୍ଣ ମାଟି ହୋଇଯାଇଛି । ସେଇ ମ୍ଳାନବିଧୁର ମୁହଁରୁ ଫୁଟି ଦିଶୁଛି ନିଃସହାୟା ବିଧବା ଲୀଳାର ନିଜ ରୂପ...ବଡ଼ କରୁଣ...ବଡ଼ ଅସହାୟ ଭାବରେ !

 

ଏତେବେଳଯାଏ ସୁର କେବଳ ଶୁଣୁଥିଲା । କିଛି କହି ନାହିଁ । ଜଳଖିଆ ଖାଇବାକୁ ଚେଷ୍ଟାକରି ମଧ୍ୟ ସେ ଖାଇପାରି ନାହିଁ । ତନ୍ତି ପାଖରେ ସବୁ ଅଟକି ଯାଇଛି । ଲୀଳାର କଥାରୁ ବେଦନାର ଝଙ୍କାର ଉଠି ଏଥର ତା’ ମନକୁ ପୁରାପୁରି ବେଦନାବ୍ୟଥିତ କରିଦେଲା । ସେ କହିଲା, ମନକୁ ଯେତେ ବୁଝାଇଲେ ବି ମନ କିଛି ବୁଝି ନାହିଁ ଲୀଳା । ଯେତେ ଅସ୍ୱୀକାର କରିବାକୁ ଚେଷ୍ଟାକଲେ ମଧ୍ୟ ସେ ଏକ ଅସହ୍ୟ ସତ୍ୟ—ସେ ସତ୍ୟକୁ ଆମେ ଅସ୍ୱୀକାର କଲେ ମଧ୍ୟ ଦୁନିଆରେ ଆଉ କେହି ସ୍ୱୀକାର କରିବେ ନାହିଁ— ।

 

ଲୀଳା ଆଖି କଥା ପଦକ ଶୁଣି ହଠାତ୍‍ ସ୍ତବ୍‌ଧ ହୋଇଗଲା । ସେ ଅନୁଭବ କଲା, ସତେ ଯେପରି ତାକୁ ଜ୍ଵର ପୂରେଇ ଆସଛି । କ’ଣ କହୁଛନ୍ତି ସୁର ଭାଇ ! ଏ ଦୁର୍ଯୋଗ ସତ୍ୟ—ମିଥ୍ୟା ନୁହେ ?

 

ଏ ମାସକ ଭିତରେ ସେ ଦୁର୍ଯୋଗ ସଂପର୍କରେ ଅନେକ ଲୋକ ତାକୁ ଚେତେଇ ଦେଇ ଯାଇଥିଲେ । ହାତରୁ କାଚ ଭାଙ୍ଗି ଦେଇ ଯାଇଥିଲେ । ସୀମନ୍ତରୁ ସିନ୍ଦୁର ପୋଛିଦେଇ ଯାଇଥିଲେ । ହେଲେ ତା’ ମନରେ କେମିତି ଏକ ଦମ୍ଭ ଥିଲା, ଏ ଦୁର୍ଯୋଗ କିଛି ନୁହେଁ । ଏ ଏକ ଅନାବଶ୍ୟକ ଦୁର୍ଯୋଗ । କିନ୍ତୁ ସୁର ଭାଇ ମୁହଁରୁ ସେ କଥା ପଦକ ଶୁଣିଲା ପରେ ସେ ଦମ୍ଭ ତା’ର ଭାଙ୍ଗି ଚୂନା ହୋଇଗଲା । ମୁହଁ ହୋଇଆସିଲା ବିବର୍ଣ୍ଣ । କଣ୍ଠନଳୀ ଶୁଷ୍କ ହୋଇଆସିଲା ।

 

ହଠାତ୍‍ ଲୀଳା ଉଠିଗଲା ଚେୟାରରୁ ସୁରକୁ କିଛି ନ କହି । ଦଶ ମିନିଟ ଗଲା ।

 

ଯଶୋଧାରା ଆସି କହିଲା, ଲୀଳା କାନ୍ଦୁଛି ସୁର । ତମେ ଯାଅ । କାଲି ଆସିବ ।

 

ଯଶୋଧାରା ଚାଲିଗଲା ।

 

ସୁର ଶୁଣିଲା, ଲୀଳାକାନ୍ଦୁଛି । ସଦାନନ୍ଦ ମିଶ୍ରଙ୍କ ବିଧବସ୍ତ୍ରୀ ଲୀଳା ।

 

ସେଇ ବାଟ ଦେଇ ଗଲାବେଳେ ସୁର ଭାବୁଥିଲା, ଲୀଳାର କାନ୍ଦ ବୋଧହୁଏ ତାକୁ ଶୁଭିବ । କିନ୍ତୁ ହାୟ... !

 

ନୀଳ ନିର୍ଜନ ଆକାଶଟା କେମିତି ସ୍ତବ୍‌ଧ ହୋଇଯାଇଛି । ପବନର ଦ୍ରୁତ ଗତିକୁ ସତେ ଯେମିତି କିଏ ଜଖମ କରିଦେଇଛି ! ଚାରିଆଡ଼େ କେମିତି ଏକ ଭୟାତୁର ଭାବ !

 

ଗମ୍ଭୀର ଘର ଚଟାଣ ଉପରୁ “ସନାତନ ମିଶ୍ରେ ଠିଆହୋଇ ସାରା ଉଆସଟା ଆଡ଼କୁ ଦୃଷ୍ଟି ପକାଇଲେ—ଖାଈ ଖାଁ ଖାଁ ଭୟଙ୍କର ଜଣାପଡ଼ୁଛି । ମେଘନାଦ ପ୍ରାଚୀର ଭଳି ଏତେ ବଡ଼ ଉଆସ—ଡେଙ୍ଗା ଡେଙ୍ଗା ଚୁନ ପଥରର ଘରଗୁଡ଼ାକ ସତେ ଯେମିତି ତାଙ୍କର ଦୁର୍ଭାଗ୍ୟକୁ ଉପହାସ କରି ମଥାଟେକି ଠିଆ ହୋଇଛନ୍ତି !

 

ସନାତନ ମିଶ୍ରେ ଆଖି ଡୋଲା ଦୁଇଟାକୁ ବଡ଼ ବଡ଼ କରି ଅନେଇଲେ—ଏଣେ ଲକ୍ଷ୍ମୀ ଖମାର ଖାଲି ପଡ଼ିଛି—ଗାଁର ଭାଗଚାଷୀମାନେ ମେଳିକରି ଜମିରୁ ଧାନ କାଟି ନେଇଛନ୍ତି—ମୋକଦ୍ଦମା ଚାଲିଛି—ଖମାର ଘର ଖାଲି !

 

ସେଇ ଖାଲି ଖମାର ଘରର ଆଢ଼ୁଆଳରୁ ଦିଶିଯାଉଛି ଲୀଳାର ଲୁହ ଛଳ ଛଳ ସଜଳ ଆଖିର କଜଳ ଡୋଳା ଦୁଇଟି— ଲୁହର ଭାରରେ ସେ ଡୋଳା ଦୁଇଟି ସତେ ଯେମିତି ଭାଙ୍ଗିପଡ଼ୁଛି ତଳକୁ !

 

ମୃତପତ୍ନୀର ସେଇ ଶେଷ ଉପହାର ଛୋଟ ଝିଅଟି ଲୀଳା—ଯାହାର ସୌଭାଗ୍ୟ ଦେଖିବା ପାଇଁ, ଯାହାକୁ ସୁଖୀ କରିବା ପାଇଁ ନିଜକୁ ନିଃଶେଷ କରି ସେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ—ଡାକ୍ତରୀ ପଢ଼ାଉଥିଲେ—କେତେ ସରାଗରେ ସୁଖ-ସ୍ୱପ୍ନରେ ବିଭୋର ହୋଇ ଦଶହଜାର ଟଙ୍କାର ଯୌତୁକ ଦେଇ ସେ ବିବାହ କରାଇ ଦେଇଥିଲେ ଜଣେ ଇଂଜିନିୟର ସାଥିରେ...

 

କ’ଣ ହେଲା ତା’ର ପରିଣତି !

 

ଲୀଳା ହାତରୁ କାଚ ଭାଙ୍ଗିଗଲା ।

 

ସୀମନ୍ତରୁ ସିନ୍ଦୁର ଲିଭିଗଲା ।

 

କାହାର ସେ କି ଅପରାଧ କରିଥିଲେ !

 

କାନ୍ଥଖୋଲ ଦେହରୁ ଡେଣା ଫଡ଼ ଫଡ଼ କରି ଚେମେଣିଆଟାଏ ଇଥରର ଢେଉ କାଟି ଉଡ଼ି ପଳାଇଲା ।

 

ସନାତନ ମିଶ୍ରେ ଚମକି ଉଠିଲେ । ଏବେ ଟିକିଏ କଥାରେ ସେ ଚମକି ଉଠିଛନ୍ତି । ଶଙ୍କିତ’ ହୋଇ ପଡ଼ୁଛନ୍ତି । ଅପରାଧ କଥା ଚିନ୍ତା କଲା‌ବେଳକୁ ଭୁତ ଭଳି ଅନେକ ଅଶରୀରୀ ଦେହର ଛାଇ ତାଙ୍କ ଆଖିରେ ଝଲ ମଲ ହୋଇଉଠୁଛି । ନନାଙ୍କ ମାଣ୍ଟୁ ଘରକୁ ଇଟାଘର କରିବା ପାଇଁ କେତେ ତରୁଣୀ, ଯୁବତୀ ଝିଅଙ୍କ ମୁଣ୍ଡରୁ ସିନ୍ଦୁର ପୋଛିଛନ୍ତି...ସବୁ ଝିଅଗୁଡ଼ିକ କ’ଣ ଲୀଳା ଭଳି ଏମିତି ସକାଳର ଗଙ୍ଗଶିଉଲ ଫୁଲ ଭଳି ଅସହାୟ । ମନରେ ଏକଥା ଭାବିବା ମାତ୍ରେ ସେ ଶିହରି ଉଠୁଥିଲେ ।

 

ସେକଥା ଚିନ୍ତା କଲା‌ବେଳକୁ ମିଶ୍ରଙ୍କ ମନରେ ଜହର ଚହଟି ଯାଉଥିଲା । ଆଖିରେ ଅଶ୍ରୁ ଅସମ୍ଭାଳ ହୋଇ ଉଠୁଥିଲା ! ଏତେଦିନ ପରେ ଗୋଟିଏ ଝିଅର ଦୁର୍ଯୋଗରେ ସେ ଗୋଟିଏ ବିଧବାର ବେଦନା ନିଜ ଦେହର ପ୍ରତିଟି ରକ୍ତକଣିକାରେ ଅନୁଭବ କରୁଥିଲେ ।

 

ଲୀଳା ସବୁଦିନ ପାଇଁ ହତଭାଗିନୀ ହୋଇଗଲା ।

 

ମଲା ଗଛରେ ପୁଣି ପତ୍ର କଅଁଳିପାରେ, କିନ୍ତୁ ବ୍ରାହ୍ମଣକନ୍ୟା ଲୀଳାର ହତଭାଗିନୀ ଜୀବନରେ ଆଉ ବସନ୍ତ ଆସିବ ନାହିଁ...

 

ମନର ଆମ୍ବଗଛର ଅରଣ୍ୟରେ ଆଉ କୋଇଲିର କୁହୁ ଡ଼ାକ ଶୁଭିବ ନାହିଁ . . .

 

ନନା ଯାଇଥିଲେ ।

 

ପତ୍ନୀ ଯାଇଥିଲା ।

 

ଶେଷରେ ଲୀଳା !

 

ବିଚଳିତ ହୋଇ ସନାତନ ମିଶ୍ରେ ଉଆସର ଡେଙ୍ଗା ଡେଙ୍ଗା ଘରଗୁଡ଼ାକ ଉପରେ ଦୃଷ୍ଟି ପହଁରେଇ ଆଣୁଥିଲେ...କିନ୍ତୁ ତାଙ୍କର ଶଙ୍କିତ ଭୟବିହ୍ଵଳିତ ଦୃଷ୍ଟି ଇଟା ପଥରର ସେ ପାଷାଣି କାନ୍ଥରେ ଆହତ ହୋଇ ନଇଁ ଆସୁଥିଲା ତଳକୁ...

 

ଉଆସରେ କେହି ନାହାନ୍ତି ।

 

ଲୀଳା, ଯଶୋଧାରା କଟକରେ ।

 

ଧନ ସମତ୍ତି ସବୁ ନିଃଶେଷ ପ୍ରାୟ । ଜମିଦାରୀ ଯାଇଛି । ମାନ ସମ୍ମାନ ସବୁ ରାତ୍ରର ଗୋଟାଏ ଦୁଃସ୍ଵପ୍ନ ଭଳି ମିଳେଇ ଯାଇଛି କୁଆଡ଼େ । କେବଳ ସମୟ-ସ୍ରୋତର ଉପକଣ୍ଠରେ ତାଙ୍କର ସବୁ କୁକର୍ମ, ଜାଲ ଫିସାଦି, ଅବିଚାର, ଅତ୍ୟାଚାରର କାହାଣୀକୁ ବୁକୁରେ ଧରି ତାଙ୍କର ସମସ୍ତ ସୌଭାଗ୍ୟର ଭଗ୍ନାଂଶ ରୂପେ ଠିଆ ହୋଇଛନ୍ତି ଏଇ ଉଆସର ଡ଼େଙ୍ଗା ଡେଙ୍ଗା ଇଟାପଥରର ଘରଗୁଡ଼ାକ; ଆଉ କୁଚକ୍ରୀ ଶକୁନି ଭଳି ପବିତ୍ର ମିଶ୍ରବଂଶର ଏଇ ଅପଯଶର କୀର୍ତ୍ତିସ୍ତମ୍ଭକୁ ସେ କାନ୍ଧରେ ଠେଙ୍ଗା ପକାଇ ଜଗି ବସିଛନ୍ତି ଏକୁଟିଆ !

 

ମିଶ୍ରଙ୍କ ମନରେ ଅନୁଶୋଚନାର ଝଡ଼ ତୁହାଇ ତୁହାଇ ଉଠିଥିଲା...ଯେଉଁ ପରିବାରକୁ ସେ ନିଜେ ନିଜେ ହାତରେ ଏତେ ବଡ଼ କରି ଗଢ଼ିଥିଲେ ସେଇ ପରିବାରର ମାନ, ଇଜ୍ଜତ, ସୌଭାଗ୍ୟ, ସୁଦିନ ଏମିତି ତାଙ୍କ ଆଖି ଆଗରେ ତାସ୍‌ର ଘର ଭଳି ଭାଙ୍ଗି ଚୂନା ହୋଇଯିବ, ଏ କଥା ତାଙ୍କ କଳ୍ପନାଶକ୍ତିକୁ ସ୍ପର୍ଶ କରିପାରି ନ ଥିଲା । ଜମିଦାରୀ ହରେଇ ଏ କଥା ମଧ୍ୟ ସେ ଅନୁଭବ କରି ନ ଥିଲେ । ଲୀଳାର ବୈଧବ୍ୟ ପରେ ଏବେ ପ୍ରଥମ ଥର ପାଇଁ ତାଙ୍କ ମନରେ ସେ ଅନୁଶୋଚନା ଆସୁଛି । କିନ୍ତୁ ଏ ଅନୁଶୋଚନା ଖୁବ୍‍ ବିଳମ୍ବରେ...

 

ଦମକାଏ ପବନ ଉଆସର ଖୋଲା ଝରକା ବାଟେ ପଶି ପୁଣି କିଲିକିଲି ହୋଇ ବାହାରିଗଲା ଗୋଟାଏ କିମ୍ଭୁତ ଶବ୍ଦ ସୃଷ୍ଟି କରି.....ସେଇ ପବନର ସଂଗୀତରେ ମିଶ୍ରଙ୍କ କାନକୁ ଶୁଭିଗଲା ସତେ ଯେମିତି ତାଙ୍କ ଦ୍ଵାରା ନିଷ୍ପେସିତ ଶତ ଶତ ହତଭାଗ୍ୟଙ୍କ ଆର୍ତ୍ତନାଦ... !

 

ସେ ଚମକି ଉଠିଲେ । ମୁହଁରେ ହାତମାରି ଦେଖିଲେ, ତାଙ୍କ ଆଖିରୁ କେତେବେଳେ ପାଣି ଗୁଡ଼ାଏ ବହିଆସି ଗାଲରେ ଠୁଳ ହୋଇଯାଇଛି ।

 

ସେ କ’ଣ କାନ୍ଦୁଥିଲେ !

 

ସନାତନ ମିଶ୍ରେ କାନ୍ଦିପାରନ୍ତି !

 

ମିଶ୍ରେ ନିଜେ ଏ କଥା ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହନ୍ତି—ଶହ ଶହ ଆଖିରୁ ଲୁହ ବୁହାଇ ସେ ହସିଛନ୍ତି—ଅନେକଙ୍କୁ ସେ ଲୁହ ଦେଖି ହସିବାକୁ ପ୍ରବର୍ତ୍ତାଇଛନ୍ତି—ସେ ବୁଝିଥିଲେ, ଶହେଟି ଆଖିରୁ ଲୁହ ବହିଲେ ଗୋଟିଏ ମୁହଁରେ ହସ ଚହଟେ—କିନ୍ତୁ ଆଜି ସେ ନିଜେ କାନ୍ଦିବେ, ଅନ୍ୟମାନେ ହସିବେ, ଏ କଥା କ’ଣ ନିଜେ ସେ ସହିପାରିବେ ! !

 

ମିଶ୍ରେ ନିଜ ପାକଲା ଗାମୁଛାରେ ନିଜ ଆଖି ମୁହଁ ସବୁ ପୋଛି ପରଷ୍କାର କରିଦେଲେ । କାନ୍ଥକୁ ଆଉଜି ଠିଆହେଲେ । ତା’ ପରେ କୁହାଟ ଛାଡ଼ିଲେ, ହେ ବଳିଆ...

 

ଚାକର ବଳିଆ ବଡ଼ି ଖଡ଼ାଗଛରେ ପାଣି ଢାଲୁଥିଲା । ମିଶ୍ରଙ୍କ ଡାକ ଶୁଣି ସେ ଜବାବ ଦେଲା—ଯାଉଛି...

 

ମିଶ୍ରେ ହସିଲେ । ମନକୁ ଦମ୍ଭ କଲେ । ଏବେ ବି ସେ ଡାକିଲେ ଲୋକ ଓ କରୁଛନ୍ତି । କର୍ପୂର ଉଡ଼ିଯାଇଛି, ହେଲେ ପଡ଼ିରହିଛି କନା !

 

ସୁର ଛବି ଆଙ୍କୁଥିଲା । ଗୋଟିଏ ରେଖା ଛବି ।

 

ମନୁଆ ଆସି ଖବର ଦେଲା, ସେ ମାଇପି ଲୋକ ଜଣଙ୍କ ଖୋଜୁଛନ୍ତି । ଭିତରକୁ ଡାକିଦେବି ?

 

ମନୁଆ କଥା ଶୁଣି ସୁରର ଛବି ଅଙ୍କା ତୁଳୀଟା ହଠାତ୍‍ ଅସ୍ଥିର ହୋଇଉଠିଲା । ମାଇପି ଲୋକ ଜଣେ କିଏ ଡାକୁଛନ୍ତି ! କିଏ ? ଲୀଳା ?

 

ତୁଳୀଟା ଟେବୁଲ ଉପରେ ଥୋଇଦେଇ ସୁର ମନୁଆ ମୁହଁକୁ କଟମଟ କରି ଅନେଇଲା-। କିଛି ବୁଝି ନ ପାରିଲା ଭଳି ମୁହଁ । ଲୀଳା ଆସିଛି !

 

ସେଦିନ ଲୀଳା ପାଖରୁ ବିଦାୟ ନେଇ ଆସିବା ପରେ ଏଥି ଭିତରେ କ୍ୟାଲେଣ୍ଡରରୁ ତିନି ପୃଷ୍ଠା ଚିରା ସରିଲାଣି—ଲୀଳା ବସାକୁ ଯିବାକୁ ସେ କେବେ ସାହସ କରି ନାହିଁ । ହଠାତ୍‍ ଲୀଳା ନିଜେ । ଆସି ପହଞ୍ଚି ଖୋଜୁଛି !

 

ମନୁଆ ପୁଣି ପ୍ରଶ୍ନ କଲା, କ’ଣ ଡାକିଦେବି ?

 

କିଏ ? ଲୀଳା ଦେଈ !

 

ହଁ, ତାଙ୍କ ସାଙ୍ଗରେ ଆଉ ମାଇପିଟିଏ କିଏ... ମନୁଆ ମୁହଁକୁ ବିକୃତ କରି କହିଲା, ସତେ ଯେମିତି ସେ ଏ ସ୍ତ୍ରୀଲୋକଙ୍କ ଆସିବା କଥାଟାକୁ ପସନ୍ଦ କରୁ ନାହିଁ ।

 

ଆଉ ଜଣେ ସ୍ତ୍ରୀଲୋକ କଥା ଶୁଣି ସୁର ଏଥର ନିଜେ ଉଠିପଦିଲା । ବାହାରେ ଦେଖିଲା, ଲୀଳା ସାଙ୍ଗରେ ଆଉ ଜଣେ ଝିଅ...

 

ଲୀଳା କହିଲା, ଏଇ ହେଉଛନ୍ତି ଶିଳ୍ପୀ ସୁରେନ୍ଦ୍ର ବାବୁ—ନମସ୍କାର କର...

 

ଝିଅ ଲଜ୍ଜ୍ୟା—କୁଣ୍ଠିତ ଭାବରେ ପ୍ରଣତି ଜ୍ଞାପନ କଲା ।

 

ସୁର ପ୍ରତି-ନମସ୍କାର ଜଣାଇସାରିଲା ପରେ ଅନୁଭବ କଲା ତା’ ଦେହରେ ରକ୍ତ ପ୍ରବାହ ହଠାତ୍‍ କେମିତି ଶିଥିଳ ହୋଇପଡ଼ିଛି । ମନରେ କେମିତି ଏକ ଅଜ୍ଞାତ ଶିହରଣର କଂପନ ଜାଗିଛି-

 

କିଏ, ଏଇ ଝିଅଟି ।

 

ଲୀଳା ଘର ଭିତରେ ପ୍ରବେଶ କରି ସାରିଲା ପରେ ପ୍ରଶ୍ନ କଲା, ୟାକୁ ଚିହ୍ନି ପାରୁଛ ସୁର ଭାଇ ! କହିଲ ଦେଖି ଇଏ କିଏ ?

 

ସୁର କେବଳ ଆହୁରି’ ଅପ୍ରତିଭ ହୋଇପଡ଼ିଲା । ସେ ଆଦୌ ଝିଅଟିକୁ ଆଗରୁ ଦେଖିଲା ଭଳି ମନେ କରିପାରୁ ନ ଥିଲା ।

 

ଲୀଳା ସୁର ମନର ଉଦ୍‌ବିଗ୍ନତାକୁ ଶେଷ କରିଦେଇ କହିଲା, ଚେହେରା ସିନା ଆଗରୁ ଦେଖି ନାହିଁ—ନାଁ କିନ୍ତୁ ନିଶ୍ଚୟ ଶୁଣିଛି । ଏ ହେଉଛି ସାଗରିକା—ତା’ପରେ ପୁଣି ସାଗରିକା ପ୍ରଶ୍ନ କଲା, ନାହିଁ ଲୋ ! ତୋ ନାଁ ସାଗରିକା ନୁହେଁ ?

 

ତା’ ପରେ ସାଗରିକା ଆଉ ଲୀଳା ଦୁହେଁଯାକ, ହସି ପକାଇଲେ । ସୁର ସେତେବେଳକୁ ଏକବାର ବ୍ୟସ୍ତ ହୋଇଉଠିଲାଣି । ସାଗରିକା । ନାମ ଶୁଣିଲା ପରେ ତା’ର ଦେହର ଶିରା ପ୍ରଶିରାରେ କେମିତି ଏକ ତଡ଼ିତ୍‍ପ୍ରବାହ ଆରମ୍ଭ ହୋଇଛି । ତା’ର ଚବିଶ ବର୍ଷର ତରୁଣ ଜୀବନରେ ଏଭଳି ଅନୁଭୂତି, ଅସ୍ଥିରତା ଏଇ ପ୍ରଥମ ।

 

ଏଇ ତେବେ ସାଗରିକା !

 

ଲୀଳା ସେତେବେଳକୁ ସୁରର ଛବିସବୁ ଆଣି ସାଗରିକାକୁ ଦେଖେଇବାରେ ଲାଗିଛି । ଗୋଟିକ ପରେ ଗୋଟିଏ ଛବିର ପ୍ରଶଂସା ସେ କରିଚାଲିଛି ମନକୁ ମନ ।

 

ସୁର ଟିକିଏ ଆଶ୍ଚର୍ଯ୍ୟ ହେଲା । ସେ ତିନି ମାସ ତଳେ ଯେଉଁ ଲୀଳାକୁ କ୍ରନ୍ଦନରତା ଅସହାୟା ନାରୀ ଭାବରେ ତା’ ବସାରେ ଛାଡ଼ି ଦେଇ ଆସିଲା, ସେଇ ଲୀଳାର ଏ ପରିବର୍ତ୍ତନ ତାକୁ କେମିତି ଅଦ୍ଭୁତ ଲଗୁଥିଲା । ସତେ ଯେମିତି ଏ ମାସ କେଇଟି ମଧ୍ୟରେ ଲୀଳା ଭୁଲିଯାଇଛି ସେ ରାଉଲକେଲାର ଏକ ଟ୍ରକ୍‍ ଦୁର୍ଘଣାରେ ତା’ ଜୀବନରେ ଏକ ଚିରସ୍ତାୟୀ ଦୁର୍ଯୋଗ ସୃଷ୍ଟି ହୋଇଯାଇଛି !

 

ଲୀଳା କହିଲା, ତମେ ଆଉ ଆମ ବସାଆଡ଼େ ଯାଉନ ସୁର ଭାଇ ! ନ ଯିବା କାରଣ ସମ୍ପର୍କରେ ମୁଁ ଯାହା ଅନୁମାନ କରୁଚି କହିବି ?

 

ସୁର କହିଲା, ସେଥିରେ ମୋର ଆପତ୍ତି କ’ଣ ଅଛି ?

 

ଲୀଳା ଟିକିଏ ତଳକୁ ଦୃଷ୍ଟି ନୁଆଇଁ କହିଲା, ବୋଧହୁଏ ବିଧବା ହେଲା ପରେ ମୋ ମୁହଁ ଚାହିଁଲେ ଅମଙ୍ଗଳ ହେବ ବୋଲି...

 

ଲୀଳା ! ହଠାତ୍‍ ମଝିରୁ ପାଟି କରି ଉଠିଲା ସୁର । ଲୀଲା କହିବାରେ ତା’ର ଆପତ୍ତି ନାହିଁ ବୋଲି କହି ହଠାତ୍‍ ଏତେବଡ଼ ଜବରଦସ୍ତ ଆପତ୍ତି ଉଠାଇବା ଫଳରେ ଲୀଳା କେବଳ କିରି କିରି ହୋଇ ହସିଉଠିଲା ।

 

କିନ୍ତୁ ସେ ହସ ପରେ ତା’ ମୁହଁରେ ଏକ ଗଭୀର ନିଶ୍ଚଲତା । ହଠାତ୍‍ ସେ ଯେମିତି ସ୍ତବ୍‌ଧ ହୋଇଯାଇଛି ! ସତେ ଯେମିତି ସେ ଏଇ ଅଭିଯୋଗଟି ଜଣାଇବା ପାଇଁ ଏତେଦିନ ପରେ ସୁର ବସାକୁ ଛୁଟି ଆସିଥିଲା !

 

ସୁରର କଣ୍ଠ ଏକ ଆବେଗରେ ହଠାତ୍‍ ରୁଦ୍ଧ ହୋଇଆସିଲା । ଆଖି ହୋଇଆସିଲା ଅଶ୍ରୁ ସଜଳ । ସୁର ଆଖିରେ ଏ ଗୋପନ ଅଶ୍ରୁ ସଞ୍ଚାରକୁ ସାଗରିକାର ବଡ଼ ବଡ଼ ଆଖି ଦୁଇଟି ଲକ୍ଷ୍ୟ କରିପାରି ନ ଥିଲେ ମଧ୍ୟ ଲୀଳା ଆଖିରୁ ତାହା ବାଦ ଯାଇନି ।

 

ମନେ ମନେ ବୋଧହୁଏ ଖୁସି ହେଲା ଲୀଳା । ଅସ୍ତ୍ର ତା’ର ଠିକ୍‍ ସ୍ଥାନରେ ଆଘାତ କରିଛି । ଏଥର ସୁର ଭାଇ ଜାଣନ୍ତୁ, ସତକଥା କହି କେବଳ ତାକୁ କନ୍ଦାଇ ଅସେ ନାହିଁ, ଅନ୍ୟମାନଙ୍କୁ ମଧ୍ୟ ସେ କଳା ଜଣାଅଛି । ଅନ୍ତତଃ ସେ କଳା ନିଜେ ସେ ଭଲରୂପେ ଜାଣେ ।

 

ସାଗରିକା ଏଥି ମଧ୍ୟରେ ସୁରର ଚିତ୍ରଗୁଡ଼ିକ ଦେଖିବା କାମ ଶେଷକରି ନେଇଥିଲା । ଲୀଳା ଆଉ ସୁରର ଏଇ କଥା ଓ ବ୍ୟଥା ବିନିମୟ ତା’ର ସେବିକା ମସ୍ତକରେ ପ୍ରବେଶ କରିପାରି ନାହିଁ ।

 

ଲୀଳା କହିଲା, ତମେ ତ ଆଉ କଥା କହୁନ ସୁର ଭାଇ ! ସାଗରିକାକୁ ମୁଁ ତମ ବସା ଦେଖାଇନେବାକୁ ଆସିଥିଲି । ସାଗରିକା ସେ କାମ ଏଥି ମଧ୍ୟରେ ଭଲକରି ଶେଷ କରିନେଇଛି । ଏଣିକି ତା’ ଇଚ୍ଛା ହେଲେ ସେ ଏକୁଟିଆ ଆସିବ । ଆମେ ଉଠୁଛୁ—

 

ଗୋଟିଏ ଶାଣିତ କଟାକ୍ଷ ହାଣି ସାଗରିକା ଲୀଳାର ସେ ଫାଜିଲାମିର ଏକ ମୃଦୁ ପ୍ରତିବାଦ ଜଣାଇଲା ।

 

ସୁରର ହଁ, ନାହିଁକୁ ଅପେକ୍ଷା ନ ରଖି ଲୀଳା ଉଠି ପଡ଼ିଲା । ହସିହସି ସେ ଦୁହେଁ ବାହାରକୁ ଚାଲିଗଲା ପରେ ଧଡ଼୍‍କିନି କବାଟଟାକୁ ବନ୍ଦ କରିଦେଇ ମନୁଆ ନିଶ୍ୱାସ ମାରିଲା । ତା’ର ରୋଷେଇ ବେଳ ଗଡ଼ିଯାଉଛି ଏଣେ ।

 

ମିଶ୍ରେ ମୌନ ହୋଇ ବସିଥାନ୍ତି । ତାଙ୍କ ପାଟିରେ କଥା ନାହିଁ । ଏ କ’ଣ ସେ ଶୁଣୁଛନ୍ତି । ଆର ସାଇ ବିଷ୍ଣୂଆ ଆସି ଗାଁରେ ହାଟ ବସାଇଛି ସୁରିଆ ସାଙ୍ଗରେ ଲୀଳାର ଭାବ ଚାଲିଛି ।

 

ଏ କ’ଣ ଶୁଣୁଛନ୍ତି ମିଶ୍ରେ ।

 

ଅର୍ଜ୍ଜୁନି ମିଶ୍ରେ ଡରି ଡରି ଶେଷକୁ କହିଲେ, ନିଆଁ ନ ଥିଲେ ଧୂଆଁ ହେବ ନାହିଁ କକେଇ... ବୟସ ପାଖରେ ପାଠ, ବୁଦ୍ଧି ସବୁ ନଇଁପଡ଼ିବ...ମୁଁ ମୋକଦ୍ଦମା ତାରିଖରେ କଟକ ଯାଇଥିଲି...ନିଜ ଆଖିରେ ଦେଖିଛି ସୁରିଆ ସାଙ୍ଗରେ ଲୀଳା ଠୋସ୍‍ ଠୋସ୍‍ କଥାବାର୍ତ୍ତା ହେଉଥାଏ ସେ ଘର କମ୍ପୁ ଥାଏ । ଯେତେହେଲେ ଝିଅ...ଏତେ ପାଠ ପଢ଼ାଇବା...

 

ଅର୍ଜ୍ଜୁନି ମିଶ୍ର ଆହୁରି କ’ଣ ଗୁଡ଼ାଏ କହିଥାନ୍ତେ । ମିଶ୍ରଙ୍କ ବଡ଼ ବଡ଼ ଡୋଳା ଦୁଇଟା ଦେଖି ତାଙ୍କର ତଣ୍ଟି ପାଖରେ କଥା ଅଟକି ଗଲା । ସେ ଢୋକ ଗିଲିନେଇ କଥାଟା ସେତିକିରେ ଇତି କରିଦେଲେ ।

 

ଶେଷ ମାଗଶୀରର ନାତିଶୀତୋଷ୍ଣ ଖରା ସେତେବେଳକୁ ଚଉପାଢ଼ି ଉପରକୁ ମାଡ଼ି ମାଡ଼ି ଆସୁଥାଏ । ମିଶ୍ରଙ୍କ ମନରେ କିନ୍ତୁ ଘୋଟି ଆସୁଥାଏ ଏକ ଶୀତଳ ଅନ୍ଧକାରର ଛାଇ ।

 

ଅର୍ଜ୍ଜୁନି ମିଶ୍ର କହିଛି ଲୀଳାର ସୁରିଆ ସହିତ ଭାବ ଚାଲିଛି । ଗୋଟିଏ ବଜ୍ର ଚାପୁଡ଼ାରେ ଅର୍ଜ୍ଜୁନିର କାନମୁଣ୍ଡାରୁ ରକ୍ତ ବାହାର କରି ନ ଦେଇ ସନାତନ ମିଶ୍ରେ ସେ କଥାକୁ ବସି ଶୁଣୁଛନ୍ତି !

 

ଜମିଦାରୀ ଥିବାବେଳ କଥା ହୋଇଥିଲେ ଏତେବେଳକୁ ଦୁଇଟା ଲୋକ ବିଷ୍ଣୁଆକୁ ତା’ ଘରୁ ଜବରଦସ୍ତ ଟାଣିଆଣି ଲଙ୍ଗଳା କରି ବିଛୁଆତି ଗଛରେ ପିଟୁଥାଆନ୍ତେ...ଅର୍ଜ୍ଜୁନି ମିଶ୍ର ଦାଣ୍ଡ ନଡ଼ିଆ ଗଛରେ ବନ୍ଧା ହୋଇ ବଳିଆ କଣ୍ଡରାଠାରୁ କୁନ୍ଦା ଖାଇଥାନ୍ତା ଆଉ ନିଜେ ଏଇ ଚଉପାଢ଼ୀରେ ବସି ସବୁ ଦେଖି ଦେଖି ପାନ ଚୋବାଉଥାନ୍ତେ....

 

କିନ୍ତୁ ଆଜି...

 

ସନାତନ ମିଶ୍ରଙ୍କ ମୁହ ଉତ୍ତେଜନାରେ ବିରକ୍ତ ହୋଇ ଆସୁଥାଏ । କିନ୍ତୁ ମୁହଁ ଖୋଲି କଥା କହିବାକୁ ତାଙ୍କ ଜିଭ ଲେଉଟୁ ନାହିଁ । କେଉଁ ଭରସାରେ ସେ ଆଜି ଅର୍ଜ୍ଜୁନି କଥାର ପ୍ରତିବାଦ କରିବେ... !

 

ମିଶ୍ର କେବଳ ତଟସ୍ଥ ହୋଇ ବସି ଭାବୁଥାଆନ୍ତି ।

 

ବଳିଆ ଆସି ଡାକିଲା, ଗୋସେଇଁ !

 

ମିଶ୍ରେ ପଛକୁ ଲେଉଟି ଅନେଇଲେ । ବଳିଆ କ’ଣ କହିବ ବୋଲି ଠିଆ ହୋଇଛି । ମୁହଁରୁ ତା’ର ଜଣା ପଡ଼ୁଛି ସତେ ଯେମିତି ସେ ଖୁବ୍‍ ରଗାରଗି କରି ଆସିଛି । କଥାରେ ତା’ର ଉତ୍ତେଜନାର ସ୍ପର୍ଶ—

 

କ’ଣ କହୁଛୁ ?

 

ଏଇ ଭାଗ ଜମି କଥା—ବଳିଆ ପୁଣି ଢ଼ୋକ ଗିଳିଲା । ତା’ପରେ ନିଜକୁ ଠିକ୍‍ କରିନେଇ କହିଲା...ତାଙ୍କ ସାଙ୍ଗରେ ଯେଉଁ ଆଠଣା ଆଠଣା ଭାଗପାଇଁ କଥା ହୋଇଥିଲା, ତା’ ସେମାନେ ମାନିବେ ନାହିଁ...ତାଙ୍କୁ କୋଉ ନେତା ଆସି ମତେଇଛି ଭାଗଚାଷୀଙ୍କର ଦଶ’ଣା...ଜମିମାଲିକଙ୍କର ଛ’ଣା—ସେଥିପାଇଁ.....

 

ମୀଶ୍ରେ ଆଉ ବଳିଆର କଥା ଶୁଣିବାକୁ ଅପେକ୍ଷା ନ ରଖି ପାଟିକରି ଉଠିଲେ...ତମେ ଆଉ ସବୁ କାହିଁକି ଅଛ...ନିମକହାରାମ ! —ଯାଅ କାଟି ଆଣ ସବୁ ଧାନତକ । ଜମାକର ନେଇ ଖଳାରେ—ଦଶ’ଣା ନେବେ କି ଘୋଡ଼ା—ରାଗଜର୍ଜ୍ଜରିତ ହୋଇ ମିଶ୍ରେ କେତେକ ଅକଥନୀୟ କଥା କହି ପକାଇବାକୁ ବସିଥିଲେ । ହଠାତ୍‍ କାଶ ଉଠିଲାରୁ ତାହା ବନ୍ଦ ହୋଇଗଲା । ଏଇ କେତେଦିନ ହେଲା ମିଶ୍ରଙ୍କ ଗୁଆଘିଅ, ଅରୁଆ ଭାତରେ ଗଢ଼ା ହୋଇଥିବା ଦେହ ବହୁ ପରିମାଣରେ ଭାଙ୍ଗି ପଡ଼ିଛି—ଜ୍ୱର, କାଶ ଲାଗିରହୁଛି ଅନବରତ ।

 

ମିଶ୍ରଙ୍କ ଓଲଟି ଗର୍ଜନରେ ବଳିଆ ଭୟରେ ଶଙ୍କିତ ହୋଇ ପଡ଼ିଥିଲା । ମିଶ୍ରଙ୍କ କାଶ ଉଠିବାବେଳେ ପାଣି ଆଣିବା ବାହାନାରେ ସେ ଖସିଗଲା ସେଠାରୁ ।

 

ପାଞ୍ଚ ମିନିଟ ଧରି ଲଟା କାଶ । କେତେ ସମୟ ପରେ ମିଶ୍ରେ ସ୍ଥିର ହୋଇ ବସିଲେ । ତାଙ୍କ ମୁହଁ କ୍ରୋଧ, ରାଗ ଓ ଉତ୍ତେଜନାରେ ଲାଲ୍‍ ହୋଇଉଠିଛି ।

 

ଅର୍ଜ୍ଜୁନି ମିଶ୍ରେ କହିଲେ, ଆପଣ ରାଗନ୍ତୁ ନାହିଁ କକେଇ ! ଏ ଯୁଗ ହୋଇଚି ସେଇଆ—କଟକରୁ ସବୁ କିଏ ନେତା ଆସି ଭାଗଚାଷୀଙ୍କୁ ସବୁ ମତାଉଛନ୍ତି—କ’ଣ କୁଆଡ଼େ ଆନ୍ଦୋଳନ ହେବ—ବଇପ୍ଳବ ହେବ ବୋଲି ସଭା ହେଉଛି ଯେ—

 

ବଇପ୍ଳବ ବୋଲି ଅର୍ଜ୍ଜୁନି ମିଶ୍ରେ ଯାହାକୁ କହିଲେ, ବିପ୍ଳବ ବୋଲି ବୁଝିବାକୁ ସନାତନ ମିଶ୍ରଙ୍କୁ ତାହା ଆଦୌ ଦୁଇମିନିଟ ସମୟ ଲଗିଲା ନାହିଁ—ସେ ଉଠି ଠିଆ ହେଲେ—ଏଇ କେତେ ଦିନ ହେଲା ବିପ୍ଳବ, ଆଇନ, ଆନ୍ଦୋଳନ ପ୍ରଭୃତି କେତେଟା ଶବ୍ଦ ଶୁଣିଲାକ୍ଷଣୀ ମିଶ୍ରଙ୍କ ଅନ୍ତନଳୀରୁ କ୍ରୋଧ ଉହୁଁକି ଆସୁଛି—ସେ ଅର୍ଜ୍ଜୁନି ମିଶ୍ରଙ୍କ ଉପରକୁ ପାଟି କରିଉଠିଲେ, ବିପ୍ଳବ ! ଆନ୍ଦୋଳନ ! ଯା—ଯା—ସେ କଟକ ନେତାଙ୍କ ସାଙ୍ଗରେ ମିଶି ଯାଆ ତୁ ବିପ୍ଳବ କରିବୁ—କିନ୍ତୁ ମୁଁ କହିରଖୁଛି—ଏ ଚଉପାଢ଼ୀ ଆରପଟେ ସେ ବିପ୍ଳବ ସେମିତି ଖାଲି ଖାଲି ଲେଉଟିଯିବ—ମିଶ୍ରଘର ପାଖରୁ ଗୋଟିଏ ଧାନଶିଷା ବି ଭାଗଚାଷୀ ପାଇବେ ନାହିଁ—ଶଳେ,—ମୋ ଧନ ମୋଫତ ପାଇଛନ୍ତି—ଜମି ମୁଁ କୁଣ୍ଡା ଦେଇ କିଣିଛି—ଦଶଣା’ ଛ’ଣା ! ଶଳେ—

 

ମିଶ୍ରେ କହି କହି ଘର ଭିତରକୁ ପଶିଗଲେ ।

ଅର୍ଜ୍ଜୁନି ମିଶ୍ରେ ମୁହଁ ଭୁରୁଙ୍ଗା କରି ଚଉପାଢ଼ୀରୁ ଉଠି ଗାମୁଛା ଝାଡ଼ିଲେ । ମନେ ମନେ ଭାବିଲେ, ବୁଢ଼ାଟା ଚିଡ଼ା ଧରିଗଲାଣି । ଭଲ କଥାରେ ରାଗ, ଭେଲ କଥାରେ ରାଗ ।

ଛିଃ—ଛି—ଧର୍ମ ଛାଡ଼ିଲା ବେଳକୁ—

ଅର୍ଜ୍ଜୁନି ମିଶ୍ରେ ଚଉପାଢ଼ୀରୁ ଓହ୍ଲାଇ ଆସ୍ତେ ଆସ୍ତେ ଚାଲିଯିବାକୁ ଲାଗିଲେ । ଦୁଆର ଅଧକୁ ଯାଇ ଠିଆ ହେଲେ ସନାତନ ମିଶ୍ରେ । ଅନେଇଲେ, ଅର୍ଜ୍ଜୁନି ଧୀରେ ଧୀରେ ଚାଲିଯାଉଚି । ଏଇ ଅର୍ଜ୍ଜୁନି, ତାଙ୍କର ଏକାନ୍ତ ଆତ୍ମୀୟ ଲୋକ । ଜମିଦାରୀ ଥିଲାବେଳେ କେତେ ନ କରିବା କଥା କରିଛି । କେତେ ଅସମ୍ଭବକୁ କରିଚି ସମ୍ଭବ । କିନ୍ତୁ ଆଜି ସେ କ’ଣ କହିଲା !

ମିଶ୍ରେ ଦାନ୍ତ କଡ଼ମଡ଼ କରି ଚାହିଁଲେ, ଅର୍ଜ୍ଜୁନି ଅପସରି ଯାଉଛି ଧୀରେ ଧୀରେ—ଚଉପାଢ଼ୀର ଉଢ଼ୁଆଳରେ—ଜମିଦାରୀ ଗଲା ପରେ ଜଣଙ୍କ ପରେ ଜଣେ ତାଙ୍କର ଏକାନ୍ତ ଆତ୍ମୀୟ ଲେକ ଶତ୍ରୁ ପାଲଟି ଏମିତି ଅପ୍‌ସରି ଯାଇଛନ୍ତି—ସମସ୍ତେ ତାଙ୍କଠାରୁ ଏମିତି ଦୂରେଇ ଯାଇଛନ୍ତି—କିନ୍ତୁ ତାଙ୍କ ପାଖକୁ କେବଳ ମାଡ଼ି ମାଡ଼ି ଆସୁଛି ଦୁର୍ଯୋଗ—ବିପ୍ଳବ— !

ସେ ଦୁର୍ଯୋଗକୁ ସେ ସହିପାରିବେ ।

ହେଲେ ବିପ୍ଳବ !

ନା—ନା, ଅସମ୍ଭବ । ତାଙ୍କର ଆଖି ଆଗରେ ସେ ନିଜେ ଅର୍ଜିଥିବା ସୁନାସବୁ ଏମିତି ଗୋଡ଼ି ପାଲଟିଯିବ—ଏକଥା ସେ ସହ୍ୟ କରିପାରିବେ ନାହିଁ...ବିପ୍ଳବ ଆସୁ ମନା ନାହିଁ...କିନ୍ତୁ ସେ ବିପ୍ଳବକୁ ଖାଲି ହାତରେ ଫେରଯିବାକୁ ପଡ଼ିବ...ତାଙ୍କ ଦାଣ୍ଡ ଚଉପାଢ଼ୀ ଆରପଟେ ସେ ବିପ୍ଳବ ସେମିତି ଶୁଖି ଶୁଖି ମରିବ... ଭିତରକୁ ଆସିବାକୁ କେବେ ସେ ଅନୁମତି ଦେଇପାରିବେ ନାହିଁ...କଦାପି ନୁହେଁ... ଖେଁ...ଖେଁ...ଖେଁ...ଏଁ...

ହଠାତ୍‍ କାଶ ଉଠିଲା । ଭୟଙ୍କର କାଶ ।

ଟିକେଏ ଉତ୍ତେଜିତ ହୋଇପଡ଼ିଲେ ଏ କାଶ ଉଠୁଛି ।

ସେମିତି କାଶି କାଶି ମୁଣ୍ଡକୁ ଦୁଇ ହାତରେ ଚିପିଧରି ମିଶ୍ରେ ରାଧାମାଧବଙ୍କ ମନ୍ଦିର ପାଖରେ ଯାଇ ଠିଆ ହେଲେ । ଦୁଇ ହାତରେ ମେଲାକଲେ ମନ୍ଦିର ଦ୍ୱାରର କବାଟ—ମେଘାଚ୍ଛନ୍ନ ଘରର ସ୍ଵଳ୍ପାନ୍ଧକାର ମଧ୍ୟରେ ରାଧାମାଧବଙ୍କ ସୁନାର ମୂର୍ତ୍ତି ଦାଉ ଦାଉ ହୋଇ ଜଳିଉଠୁଛି–ଆଗରେ ଭାଗବତ ଗାଦି—ଗଭାବତ ପୋଥି ଉପରେ ଚନ୍ଦନ, ତୁଳସୀପତ୍ର ଜମାହୋଇ ଯାଇଛି—

ମିଶ୍ରେ ରାଧାମାଧବଙ୍କ ଆଡ଼କୁ ଥରେ ଅନାଇ ନିଜ ଆଡ଼କୁ ଥରେ ଅନାଇଲେ । ତାଙ୍କୁ କେମିତି ଭାରି ଡର ମାଡ଼ିଲା । ନିଜ ଆଡ଼କୁ ନିଜେ ଚାହିଁ ସେ ଚମକି ଉଠିଲେ । ନିଜକୁ ଚାହିଁ ନିଜେ ଡରିବା ତାଙ୍କ ଜୀବନରେ ଏଇ ନୂତନ—

ତା’ପରେ ମନ୍ଦିର କବାଟ ଧଡ଼୍‍କିନା ବନ୍ଦ କରିଦେଇ ସେ ଦ୍ରୁତଗତିରେ ପଦାକୁ ଆସି ଦେଖିଲେ, ବଳିଆ ସେଣା ଲଗାଇ ବାଇଗଣ କିଆରୀକି ପାଣି ବୋହୁଛି—

ରିକ୍ସା ଠିଆ ହେଲା ।

 

ଦୁଆର ମୁହଁରେ ଲେଖାହୋଇଛି ଶିଳ୍ପୀ ସୁରେନ୍ଦ୍ର ମହାନ୍ତି ।

 

ରିକ୍‌ସା ଦେହରେ ସାଗରିକାକୁ ବସେଇଦେଇ ଲୀଳା ଯାଇ କବାଧ୍ୟ ଧଡ଼ ଧଡ଼ କଲା । ଦୁଇ ମିନିଟ—ପାଞ୍ଚ ମିନିଟ—ସାତ ମିନିଟ—ମିନିଟ ପରେ ମିନିଟ ବିତିଯାଇଛି—ରିକ୍ସା ଦେହରେ ବସି ନିଜ ସରୁ ଗୋରାହାତରେ ମଣିବନ୍ଧରେ ବନ୍ଧା ହୋଇଥିବା ଛୋଟ ରିଷ୍ଟୱାଚଟିକୁ ସାଗରିକା ଉଦ୍‌ବିଗ୍ନ ଭାବରେ ଅନେଇ ଚାଲିଛି—କବାଟ ଫିଟୁନି—

 

ସାତ ମିନିଟ ପରେ କବାଟ ଖୋଲିଲା ମନୁଆ ।

 

ଲୀଳା ଘର ଭିତରକୁ ପଶିଯାଉଥିଲା । ବାଧାଦେଲା ଭଳି ମନୁଆ କହିଉଠିଲା, ବାବୁ ନାହାନ୍ତି—ଯିବେ କୁଆଡ଼େ ?

 

ପଛକୁ ଫେରିପଡ଼ି ଲୀଳା କହିଲା, କୁଆଡ଼େ ଯାଇଛନ୍ତି ?

 

ଚଟ୍‍କିନି ମନୁଆ କହି ଦେଲା, କହିଯାଇ ନାହାନ୍ତି...କେତେବେଳେ ଆସିବେ ଜାଣି ନାହିଁ–ଆଜି ଆସିବାର କିଛି ଠିକ୍‍ ଠିକଣା ନାହିଁ—ଆପଣମାନେ ପରେ ଆସିବେ–

 

ଗୋଟିଏ ପ୍ରଶ୍ନ ପଚାରି ଏତେଗୁଡ଼ାଏ ଉତ୍ତର ପାଇଗଲା ପରେ ଲୀଲା ଆଉ ଭିତରକୁ ପଶିବାର ଭରସା କରିପାରିଲା ନାହିଁ । ପଛକୁ ଫେରିଆସି ରିକ୍ସାରେ ଉଠିପଡ଼ି ସେ କହିଳା, ହେ ରକ୍‌ସା ବାଲା—ଚାଲ ।

 

ମନୁଆ ଧଡ଼କିନା କବାଟଟା ବନ୍ଦ କରିଦେଲା ।

 

ସୁର ଶୋଇବା ଘରର ଝରକା ବାଟ ଦେଇ ରିକ୍ସା ଚାଲିଗଲା ବେଳେ ଲୀଳା ପାଟିକରି ଉଠିଲା, ହେ ରିକ୍ସାବାଲା—ରୋକ୍‍ ରିକ୍ସା—

 

ଲୀଳା ମୁହଁକୁ ବଲବଲ କରି ଅନେଇ ସାଗରିକା ପଚାରିଲା କ’ଣ ? ରିକ୍‌ସା ଅଟକେଇଲ ଯେ !

 

କିଛି ସମୟ ନିଜ ଭ୍ରୁଲତା କୁଞ୍ଚିତ କରି ଲୀଳା କହିଳା, ନାଇଁ ଚାଲ—ସେ କିଛି ନୁହେଁ—

 

ରିକ୍ସା ଘଣ୍ଟି ଟିଣ୍‍ ଟିଣ୍‍ ହୋଇ ପୁଣି ବାଜିଉଠିଲା ।

 

ସାଗରିକାର ବସା ପାଖରେ ଓହ୍ଲେଇ ପଡ଼ି ଲୀଳା କହିଲା, ଚାଲ୍‍ ଭିତରକୁ । ତୋ’ ସାଙ୍ଗରେ କେତେଟା କଥାବାର୍ତ୍ତା ସାରିଦିଏ–ସାଗରିକା ଲକ୍ଷ୍ୟ କଲା, ଲୀଳାବତୀର ମସ୍ତକର ଚିନ୍ତାରେଖାଗୁଡ଼ାକ ବାରମ୍ବାର ଖାଲି କୁଞ୍ଚିତ ହୋଇଯାଉଛି ।

 

ସାଗରିକାର ବସା । ଛୋଟ, ପରିଷ୍କାର, ପରିଚ୍ଛନ୍ନ । ଆସବାବପତ୍ର ଦେହରୁ ସାଗରିକାର ଆର୍ଥିକ ଅବସ୍ଥାର ଦୈନ୍ୟ ଓ ରୁଚିବୋଧର ଏକ ବିଚିତ୍ର ଚିହ୍ନ ସ୍ପଷ୍ଟ ହୋଇ ଉଠୁଥାଏ ।

 

ଖଣ୍ଡେ ଆର୍ମଚେୟାର ଦେହରେ ନିଜର ଅବସନ୍ନ ଦେହ–ଭାରକୁ ନିକ୍ଷେପ କରି ଲୀଲା ବିନା ଭୂମିକାରେ କଥା ଆରମ୍ଭ କଳା, ସୁର ଭାଇ ସହିତ ଦେଖା ହୋଇଥିଲେ କଥା କେତୋଟି ପକ୍‌କା ହୋଇ ଯାଇଥାନ୍ତା—କିନ୍ତୁ ଯେତେବେଳେ ଦେଖା ନହେଲା ଅନ୍ତତଃ ତୋ ସହିତ କଥାବାର୍ତ୍ତାଟା ଶେଷ କରିଦେବାକୁ ଭାବୁଛି—ଆଜି ଘରୁ ଚିଠି ପାଇଛି ନନାଙ୍କ ଦେହ ଅତିଶୟ—କାଲି ମତେ ନିଶ୍ଚୟ ଯିବାକୁ ହେବ—ଦେଖାହେଲେ ମାଉସୀ ପଚାରିବେ ସୁର ଭାଇଙ୍କ ବାହାଘର କଥା—ମୁଁ ତାଙ୍କୁ କ’ଣ ଉତ୍ତର ଦେବି— ?

 

ସୁରର ବିବାହ ତା’ ଉପରେ ଯେମିତି ଗୋଟାଏ ବୋଝ ହୋଇ ରହିଛି ଏବଂ ସେ ବୋଝକୁ ସାଗରିକାର ମୁଣ୍ଡକୁ ଯେପରି ସେ ଓହ୍ଲାଇ ଦେବାକୁ ଚାହୁଁଛି, ସେକଥା ଲୀଳାର କଥା କହିବାର ଢଙ୍ଗ ଢାଙ୍ଗରୁ ବାରି ହୋଇ ପଡ଼ୁଥିଲା ।

 

ଚୁଲୀ ଉପରେ ଚା କେଟଲି ବସାଇ ଲୀଳାର କଥା ଶୁଣି ସାଗରିକା ମୁହଁରେ ଚେନାଏଁ ହସ କେବଳ ଉତୁରି ପଡ଼ିଲା ।

 

ଲୀଳା ଅଶ୍ଵସ୍ତି ବୋଧ କରୁଛି ସୁରର ବିବାହ ପାଇଁ ! ଅନେକ ଦିନ ହେଲା ସାଗରିକା ସହିତ ସେ ଲଗାଇଛି ତାକୁ ସେ ଅଶ୍ୱସ୍ତି ରୁ ମୁକ୍ତ କରିଦେବା ପାଇଁ । ଆଜି ପୁଣି ସେଇ ପ୍ରଶ୍ନ ଉଠାଉଛି ଲୀଲା । ସାଗରିକାର ମନକଥା କ’ଣ ସେ ଜାଣିନାହିଁ ।

 

ସାଗରିକାକୁ ଲାଜ ଲାଗୁଛି ଲୀଳାର ପ୍ରଶ୍ନର ସମ୍ମୁଖୀନ ହେବା ପାଇଁ । ସେ କେମିତି ଏଡ଼େ ନିର୍ଲ୍ଲଜ ହୋଇପାରିବ ହଁ ଭରି ଦେବାପାଇଁ ।

 

ଚେୟାର ଛାଡ଼ି ସାଗରିକା ପାଖକୁ ଉଠି ଆସିଲା ଲୀଳା । ଚୁଲୀ ଉପରୁ ଜବରଦସ୍ତ କେଟଲିଟାକୁ ତଳେ ଥୋଇଦେଇ ସାଗରିକାକୁ ସେ ପାଖକୁ ଭିଡ଼ିନେଲା । ତା’ର ଅଲରା କେଶଗୁଡ଼ିକୁ ସଜାଡ଼ି ଦେଉ ଦେଉ ସେ କହିଲା, ସୁନାଟି ପରା, ତୁ ହଁ କହ ।

 

ସାଗରିକା କେବଳ ଲୀଳାମୁହଁକୁ ଥରେ ଅନେଇତଳକୁ ମୁହଁ ପୋତିଦେଲା ।

 

ଲୀଳାର ମନେହେଲା ସାଗରିକା ବୋଧହୁଏ ଅନ୍ୟ କିଛି ଭାବୁଛି । ସେ ତେଣୁ ତା’ ମନରୁ ସବୁ ସନ୍ଦେହର ଅଳିଆ ସଫା କରିଦେବା ପାଇଁ କହିଲା, ତତେ ମୁଁ କୌଣସି କଥା ଲୁଚେଇ ନାହିଁ ସାଗରିକା— ପଛ ଜୀବନର ସବୁ କଥା ତତେ କହିଛି—ସୁର ଭାଇ ମୋର ବନ୍ଧୁ ଏକାନ୍ତ ଆପଣାର—କିନ୍ତୁ ଅଦ୍ଭୁତ ତାଙ୍କର ଖିଆଲ—ବିଚିତ୍ର ତାଙ୍କର ମନୋଭାବ—ଦିନକୁ ଦିନ ସେ ଯେମିତି ଝଡ଼ି ପଡ଼ୁଛନ୍ତି—ମତେ ବୋଧହେଉଛି ଜୀବନଟା ତାଙ୍କର ଆସ୍ତେ ଆସ୍ତେ ବିପର୍ଯ୍ୟସ୍ତ ହୋଇପଡ଼ୁଛି—ସେଇଥିପାଇଁ ତୋ’ଭଳି ଗୋଟିଏ ନୂଆବୋଉ ହେଲେ—

 

ସାଗରିକା ଅପ୍ରତିଭ ହୋଇ ଚା’ କେଟଲି ପାଖକୁ ଉଠିଗଲା ।

 

ଲୀଳା କହି ଚାଲିଥାଏ, ତତେ ହଁ ଭରିବାକୁ ହେବ ! କ’ଣ କହୁଛୁ ?

 

ଧୂଆଁଳିଆ ଚା’ କପ୍‌ଟାକୁ ଟେବୁଲ୍‍ ଉପରେ ରଖି ସାଗରିକା କେବଳ ହସିଲା । ଲୀଳା ସୁରର ବିବାହ ପାଇଁ ବ୍ୟାକୁଳ ହୋଇ ଉଠିଛି । ସତେ ଯେମିତି ତା’ର ଏ ନିଜ କାମ ।

 

ଲୀଳା ଚା’ କପ୍ ଟା ଟେବୁଲ ଉପରୁ ନ ଉଠାଇ କହିଲା, ରହିଲା ଏ ଚା’ । ଖାଇବି ନାଇଁ ମୁଁ, ତୁ ହଁ ନ କହିଲେ—

 

ସାଗରିକା ଓଠ ଖୋଲିଲା, କେତେ ଥର କହିବି. ! ସୁରବାବୁ ଯଦି ରାଜି ନ ହୁଅନ୍ତି—

 

ସେ ଦାୟିତ୍ଵ ମୋର—ତୁ ଖାଲି ହଁ କର । ହଁ କରୁଛୁଟି !–ଲୀଲା ପୁଣି ପ୍ରଶ୍ନ କଲା ସାଗରିକାକୁ । ସାଗରିକା ମୁହଁରେ ସ୍ୱୀକୃତିର ହସ ଦେଖିସାରିଲା ପରେ ସେ ପୁଣି କହିଲା, ତତେ ଆଉ ଗୋଟିଏ କଥା କହିବି ସାଗରିକା ! ଶୁଣିବୁ !

 

ବିସ୍ମୟରେ ସାଗରିକା ତଳୁ ଦୃଷ୍ଟି ଉଠାଇଲା ।

 

ଲୀଳା ତଳକୁ ମୁହଁପୋତି କହି ଚାଲିଥାଏ, ମୋର ବିଶ୍ଵାସ ତୁ ମତେ ଭୁଲ୍‍ ବୁଝିବୁ ନାହିଁ–ଏଥିଭିତରେ ସହରରେ ଆଉ ଗାଁରେ ମୋ ନାମରେ ଓ ସୁର ଭାଇଙ୍କ ନାମରେ ନାନା ଅପପ୍ରଚାର ଚାଲିଛି—ତୋ’ ମନରେ କିଛି ସନ୍ଦେହ ହୋଇନିତ !

 

ସାଗରିକା କହିଲା, ସନ୍ଦେହ ହୋଇଛି !

 

ଲୀଳା ମୁହଁରେ ସତେ ଯେମିତି କିଏ ଖଣ୍ଡେ ଧଲା କାଗଜ ମଡ଼ାଇଦେଲା । ସେଇ ରକ୍ତହୀନ, ବିବର୍ଣ୍ଣ ମୁଖମଣ୍ଡଳରେ ଜକଜକ ହୋଇ ଜଳୁଥିବା ଆଖି ଡୋଳା ଦୁଇଟି ହଠାତ୍‍ ନିଷ୍ପ୍ରଭ ହୋଇ ପଡ଼ିଲା । ଗୋଟିଏ ଅବ୍ୟକ୍ତ କରୁଣତାରେ ଭରିଗଲା ସାଗ ମୁହଁଟି l

 

ଚା’ କପ୍‍ ଏଣେ ଥୁଆ ହୋଇଛି । ଶୀତଳ ହୋଇଯାଉଛି ।

 

ଳୀଳାର ଏଭଳି ଅବସ୍ଥା ଦେଖି ସେବିକା ସାଗରିକାର ପାତଳ ଛାତି ତଳେ ଆତଙ୍କର ଏକ ବାଲିଝଡ଼ ସୃଷ୍ଟି ହୋଇଗଲାଣି । ଦେହ ଝାଳେଇ ଆସୁଛି । କାହିଁକ ସେ ମିଛରେ ଲୀଳାକୁ ଥଟା କଲା !

 

ଲୀଳାର ହାତ ଦୁଇଟି ଧରିପକାଇ ଲୁହ ଛଳଛଳ ଆଖିରେ ସାଗରିକା କହିଲା, ତମକୁ ଆଉ ଥଟା କରିବି ନାହିଁ ଲୀଳା—ମୋର ଭୁଲ ହୋଇଛି । ତମ ସାଥିରେ ଏତେ ଦିନ ରହିଲା ପରେ, ଏତେ କଥା ଗପିଲା ପରେ ବି ମୁଁ ତମକୁ ସନ୍ଦେହ କରିପାରେ ? —ତମ ମନରେ ଏମିତିକା ପ୍ରଶ୍ନ ଉଠିପାରୁଛି !!

 

ମେଡ଼ିକାଲ କଲେଜରେ ପାଠ ପଢ଼ିଲା ଦିନରୁ ତା’ର ଏଇ ଅତି ଅନ୍ତରଙ୍ଗ ବନ୍ଧୁ ନର୍ସ ସାଗରିକା—ଏକପ୍ରାଣ, ଅଭିନ୍ନ ହୃଦୟ—ସେ ବେମାର ପଡ଼ିଥିବାବେଳେ ରାତିରାତି ଅନିଦ୍ରା ହୋଇ ତାକୁ ରୋଗମୁକ୍ତ କରିଥିଲା ଏଇ ସାଗରିକା—ଲୀଳା ଜୀବନର କିଛି କଥା ସାଗରିକା ପାଖରେ ଅଛପା ରହି ନାହିଁ—ଧନରେ ଗରିବ ହେଲେବି ମନରେ ଭାରି ଉଚ୍ଚରେ ସାଗରିକା—ତାକୁ ଏଭଳି ସନ୍ଦେହ କରିବା କଥା ପଚାରି ସେ କ’ଣ ଭୁଲ କରି ନାହିଁ !

 

ସାଗରିକାକୁ ନିଜ କୋଳକୁ ଆଉଜେଇ ଆଣି ତା’ ମୁହଁ ପାଖରେ ମୁହଁଲଗାଇ ଲୀଳା କହିଲା, ମୋ ଦେହ ଛୁଇଁଲୁ — ବାହା ହେଲା ପରେ ସୁର ଭାଇ ଓ ମୋ ବନ୍ଧୁତ୍ଵକୁ ତୁ ସନ୍ଦେହ କରିବୁ ନାହିଁ ତ ?

 

ସାଗରିକା ଦରହସିତ ମୁଖରେ ଲୀଳାର ଦେହ ଛୁଇଁ ନୀରବ ଶପଥ ଜଣାଇଲା—ମୃଦୁ କଣ୍ଠରେ କହିଲା, ତମେ ମତେ ଏମିତି କଥା ପଚାରି ଆଉ କେବେ ଲାଜ ଦେବ ନାହିଁ ଲୀଳା !

 

ଲୀଳା ଜୋରରେ ସାଗରିକାକୁ ନିଜ ଆଡ଼କୁ ଭିଡ଼ିଆଣିଲା ।

 

କଳା ପ୍ରଦର୍ଶନୀର ଦ୍ଵିତୀୟ ଫାଟକ ପାଖରୁ ବାହାରି ୧୦ । ୧୫ ହାତ ବାଟ ଆସିନି, ସୁରକୁ ପଛରୁ କେହି ନାଁ ଧରି ଡାକିଲା । ପଛକୁ ସେ ଫେରି ଚାହିଁ ଦେଖେ ତ ଲୀଳା ।

 

ଲୀଳାର ରିକ୍ସା ତା’ ପାଖକୁ ଲାଗିଆସିଲା ।

 

ରିକ୍ସାବାଲା ସହିତ ପଇସା ଚୁକ୍ତି କରିଦେଇ ଲୀଳା ଆଦେଶ ଦେବା ଭଳି ଗଳାରେ କହିଲା, ମୋ ସାଙ୍ଗରେ ଆସ ।

 

ଲୀଳା କଥାର ପ୍ରତିବାଦ କରିବାକୁ ସୁର ଆରମ୍ଭ କରୁଥିଲା । ମୃଦୁ ଧମକ ଦେଇ ଲୀଳା କହିଲା, ତମକୁ ଆସିବାକୁ ପଡ଼ିବ । ମୁଁ ତମର କିଛି ଆପତ୍ତି ଶୁଣିବି ନାହିଁ ।

 

ସୁର ଅଗତ୍ୟା ଅନୁସରଣ କଲା ଲୀଳାର । କିନ୍ତୁ ତା’ର ଚାଲିର ଛନ୍ଦରୁ ଜଣା ପଡ଼ୁଥାଏ, ସେ ଏଭଳି ଭାବରେ ଯିବାକୁ ଆଦୌ ପ୍ରସ୍ତୁତ ନୁହେଁ ।

 

ଗୋଟିଏ ଗଳିରାସ୍ତା ଦେଇ ମେନ୍ ରୋଡ଼ରୁ କିଛି ବାଟ ଆସିଲା ପରେ କାଠଯୋଡ଼ୀର ନଈବନ୍ଧ । ଶୀର୍ଣ୍ଣସୋତା କାଠଯୋଡ଼ୀର ଉପରିଭାଗ ସେତେବେଳକୁ ଏକ ପ୍ରକାର ନିର୍ଜନ ହୋଇ ଆସୁଥାଏ । ଦୂରାଗତ ଜଳଧାରା ଉପରେ କେଉଁ ଅନାମିକା ତିଥିରମ୍ଲାନ ଚନ୍ଦ୍ରଲୋକ ସୃଷ୍ଟି କରିଥାଏ ଆଲୋକ-ଛାୟାର ଏକ କରୁଣ ପରିବେଶ ।

 

ସୁର ଆଉ ଆଗକୁ ଯିବାକୁ ପ୍ରସ୍ତୁତ ନ ହୋଇ କହିଲା, ରାତି ଅନେକ ହୋଇଛି ଲୀଳା ! ବସାରେ ମନୁଆ ରୋଷେଇ ସାରି ଅପେକ୍ଷା କରିଥିବ—

 

ସୁର କଥାକୁ କୌଣସି ଭ୍ରୁକ୍ଷେପ ନ କରି ଲୀଳା ଚାଲୁ ଚାଲୁ କହିଲା, ରାତି ବେଶୀ ହେଲେ ଏକୁଟିଆ ବସାକୁ ଯିବାକୁ ଯଦି ଡର ମାଡ଼ିବ, ମୁଁ ସାଙ୍ଗରେ ଯାଇ ଛାଡ଼ିଦେଇ ଆସିବି । ଯଦି ମନୁଆ ଅନେକ ବେଳୁ ରନ୍ଧିଥିବା ଭାତ ତରକାରୀ ଥଣ୍ଡା ହୋଇଯାଇଥାଏ, ତମେ ନ ଖାଇଲେ ମୁଁ ଖାଇନେବି—ତମେ ହୋଟେଲରେ ଖାଇ ଦେଇ ଯିବ । ନା କ’ଣ ?

 

ଶେଷକୁ ସୁର ଆଡ଼କୁ ବୁଲି ଚାହିଁଲା ଲୀଳା । ତା’ର ସେ ସଦାଗମ୍ଭୀର ମୁହଁରେ ଲାଖି ରହିଥିବା ବେଖାତିର ହସ ଟିକକ ସୂଚାଇ ଦେଉଥାଏ ଯେ ଏବେ ସୁଦ୍ଧା ସେ ଗୋଟିଏ ପ୍ରଗଲ୍‌ଭା ବାଳିକା— ଜୀବନର ଘଟଣା ଦୁର୍ଘଟଣାକୁ ସ୍ୱୀକାର କରିବାକୁ ସେ ପ୍ରସ୍ତୁତ ନୁହେଁ ।

 

ନଈବନ୍ଧର ଗୋଟିଏ ପାର୍ଶ୍ଵ ଭାଗରେ ବସିପଡ଼ି ଲୀଳା କହିଲା, ଯଦି ନିହାତି ପାଖରେ ଲାଗି ବସିବାକୁ ତମକୁ ସଂକୋଚ ଲାଗୁଛି ତେବେ ତମେ ଟିକିଏ ଦୂରରେ ବସ ସୁର ଭାଇ ! କିନ୍ତୁ ଗୋଟି ଗୋଟି କରି ମୋ ପ୍ରଶ୍ନର ସବୁ ଠିକ୍‍ ଉତ୍ତର ଦିଅ—

 

ସୁର ପୁଣି ଆପତ୍ତି ଉଠାଉଥିଲା ।

 

ଟିକିଏ ବିରକ୍ତ ହେବା ଭଳି ଗଳାରେ ଲୀଳା କହିଲା, ତମେ କ’ଣ ଭାବୁଛ ତମକୁ ପ୍ରେମ କରିବାକୁ ମୁଁ ଏଠିକି ଡାକି ଆଣିଛି । ଏମିତି ଇତରଲୋକଙ୍କ ଭଳି ଭିଡ଼ି ମୋଡି ହେଉଛ କ’ଣ ।

 

ସୁର ପ୍ରତିବାଦ କଲା, ଲୀଳା !

 

ଲୀଳା ତାକୁ ବସିବାକୁ ଜୋର୍‍ କରି କହିଲା, ଭଗବାନ ତମକୁ ନାରୀ ଆଉ ମତେ ପୁରୁଷ ନ କରି ବଡ଼ ଭୁଲ୍‍ କରିଛନ୍ତି ସୁର ଭାଇ ! ତାଙ୍କର ସେ ଭୁଲ ପାଇଁ ତୁମକୁ ନିଶ୍ଚୟ ହଇରାଣ ହେବାକୁ ହେବ–

 

ପୁରାପୁରି ବିରକ୍ତ ହୋଇ ଲୀଳାଠାରୁ ଖସିଯିବାର କୌଣସି ସମ୍ଭାବନା ନ ଦେଖି ଅଗତ୍ୟା ସୁର ନଈବନ୍ଧର ସେ ଧୂଳି ଧୂସର ଘାସ ଉପରେ ବସିପଡ଼ିଲା ।

 

ଏଥର ଟିକିଏ ସଂଯତ ଗଳାରେ ଲୀଳା କହିଲା, ଆମ ଦୁହିଁଙ୍କ ନାମରେ ଲୋକେ ଯେଉଁ ଅପପ୍ରଚାର ଚଳାଇଛନ୍ତି ସେଥି ପାଇଁ ମତେ ଯେତେ ବେଶୀ ଦୁଃଖ ଲାଗୁ ନାହିଁ, ତାଠୁଁ ବେଶୀ ଦୁଃଖ ଲାଗୁଛି ତମ ମନର ଏ ଦୁର୍ବଳତା ଦେଖି—ଲୋକ ଅପବାଦକୁ ଡରି ତମେ ଯେ ଘରେ ଥାଇ ମନୁଆ ହାତରେ ନାହିଁ ବୋଲି ଖବର ପଠାଇପାର, ସେ କଥା ରିକ୍ସାରେ ଫେରି ଆସିଲା‌ବେଳେ ଝରକା ବାଟେ ତମକୁ ଦେଖି ଆତଙ୍କିତ ହୋଇପଡ଼ିଛି—

 

ସୁର ମୁହଁର ରକ୍ତଗୁଡ଼ାକ ହଠାତ୍‍ ଉପରକୁ ବାହାରି ଆସିବାକୁ ବିଦ୍ରୋହ କରିଉଠିଲା ଭଳି ଜଣାଗଲା—ଲୀଳା ତେବେ ଦେଖିନେଇଛି ସେ ଘରେ ଥାଇ ନାହିଁ ବୋଲି ମନୁଆ ହାତରେ କହି ପଠାଇଥିଲା !!

 

ଲୀଳା କାଠଯୋଡ଼ୀର ସେ ସରୁ ଜଳାଧାରକୁ ଅନାଇ ଅନାଇ କହିଲା, ମୋ ପ୍ରତି କ’ଣ ତମର ସତରେ କିଛି ଦୁର୍ବଳତା ଅଛି ସୁର ଭାଇ ! ତା’ନ ହେଲେ ତମେ ଲୋକ ଅପପ୍ରଚାରକୁ ଡରିଯାଉଛ କାହିଁକ ?

 

କମ୍ପିତ କଣ୍ଠରେ କହିଲା, ଆମେ ଗୋଟିଏ ସମାଜ ଭିତରେ ବାସ କରୁଛେ ଲୀଳା...ଆମ ନାମରେ ଅପପ୍ରଚାର ଚଳାଇଥିବା ସେହି ଲୋକଙ୍କୁ ନେଇ ଏ ସମାଜ...ଏ ଖବର ଯେତେବେଳେ ତୋ ନନା ଆଉ ଆମ ଘରେ ବୋଉ ବାପା ସବୁ ଶୁଣୁଥିବେ, ସେତେବେଳେ ତାଙ୍କ ମନରେ କ’ଣ ଧାରଣା ହେଉଥିବ ?

 

ଶେଷ ଆଡ଼କୁ ସୁରର କଣ୍ଠସ୍ୱର ଏକ ଅସହାୟ ଶିଶୁ ଭଳି ଥରିଉଠିଲା । ଲୀଳା ବୁଝିଲା, ସୁର ଭାଇ ଯାହା କହୁଛନ୍ତି ତା’ ମିଛ ନୁହେ । ଲୋକମତକୁ ଏଡ଼େଇ ସମାଜ ଭିତରେ ଚଳିବା ସମ୍ଭବ, କିନ୍ତୁ ସହଜ ନୁହେଁ ।

 

ସେ କହିଲା, ନାରି ଆଉ ପୁରୁଷ ଭିତରେ ବନ୍ଧୁତ୍ୱ କ’ଣ ବିକାରଶ୍ରସ୍ତ, ପ୍ରେମପଙ୍କିଳ ନ ହୋଇ କେବେ ନିର୍ମଳ, ସହଜ, ପବିତ୍ର ହୋଇପାରିବ ନାହିଁ ସୁର ଭାଇ !

 

ସୁର ଆକାଶରେ ଭାସିଯାଇଥିବା ତୁଳା ଭଲି କେତେଖଣ୍ଡି ଭସା ମେଘ ଆଡ଼େ ଚାହିଁ ରହିଥିଲା । ନାରି ଓ ପୁରୁଷ ମଧ୍ୟରେ ପବିତ୍ର ବନ୍ଧୁତ୍ଵ ସମ୍ଭବ କି ନୁହେଁ, ସେ କଥା ଜାଣିବାପାଇଁ ବ୍ୟାକୁଳ ଭାବରେ ପ୍ରଶ୍ନ କରୁଛି ଲୀଲା । ଦୁର୍ବଳ ହୃଦୟ, ସମାଜଭୀରୁ, ଶିଳ୍ପୀ ସୁର ତା’ର କି ଉତ୍ତର ଦେଇପାରିବ !!

 

ଲୀଲାର କେମିତି ଏକ ଧାରଣା ହେଲା, ସୁର ମନରେ କେଉଁଠି ଦୁର୍ବଳତା ଟିକିଏ ରହିଯାଇଛି ତା’ର ନିଜର ଅଜାଣତରେ । ସେଇଥିପାଇଁ ସେ ତା’ ପ୍ରଶ୍ନର କୌଣସି ଉତ୍ତର ଦେବାକୁ ଭରସି ପାରୁ ନାହିଁ ।

 

ସୁର ଭାଇକୁ ଏଭଳି ଲଗାମହୀନ ଭାବରେ ଆଉ ଛାଡ଼ିଦେବା ଉଚିତ୍‍ ହେବ ନାହିଁ । ତାଙ୍କ ପ୍ରତି ତା’ର ନିଜର ମଧ୍ୟ କର୍ତ୍ତବ୍ୟ ରହିଛି ।

 

ସେସବୁ କଥାକୁ ସେ ବାଦ ଦେଇ କହିଲା, ତମ ମନ ଭିତରେ ନିଶ୍ଚୟ କିଛି ଦୁର୍ବଲତା ଅଛି ସୁର ଭାଇ ! ସେଥିପାଇଁ ନାରି ଓ ପୁରୁଷର ବନ୍ଧୁତ୍ଵକୁ ତମେ ସହଜ ଭାବରେ କଳ୍ପନା କରିପାରୁ ନାହଁ । ମୁଁ ସବୁ ସହିପାରିବି, କିନ୍ତୁ ମୋ ପାଇଁ ତମ ମନରେ କଛି ଦୁର୍ବଳତା ରହିବ, ସେ କଥା ମୋ ପାଖରେ ଅସହ୍ୟ ।

 

ଲୀଳା କଥାର କୌଣସି ପ୍ରତିବାଦ କରିପାରିଲା ନାହିଁ ସୁର ! ତା’ର ଦୁର୍ବଳ ପୌରୁଷ ଉପରେ ଲୀଳାର ସେ ତୀବ୍ର ଆକ୍ରମଣ ମୁଣ୍ଡକୁ ତଳକୁ ନୁଆଇଁ ଦେଲା ।

 

ଲୀଳା କହିଲା, ତମେ କବି, ଲେଖକ, ଶିଳ୍ପୀ ସତରେ ଭାରି ଭାବପ୍ରବଣ । ସେ ଭାବପ୍ରବଣତାକୁ ଠିକ୍‍ ବାଟରେ ନେବା ପାଇଁ ତମେ ଚାହଁ ଜଣେ ନାରୀ...ମୁଁ ତମ ପାଇଁ ଗୋଟିଏ ନାରୀର ସନ୍ଧାନ କରିଥିଲି ବୋଲି ଅନେକ ଦିନୁ କହିଛି...ସେ ହେଉଛି ସାଗରିକା...ତମକୁ ସାଗରିକାକୁ ଗ୍ରହଣ କରିବାକୁ ପଡ଼ିବ ଖୁବ ଶୀଘ୍ର... ଏଇ ଦୁଇ ତିନି ସପ୍ତାହ ମଧ୍ୟରେ...ନନାଙ୍କ ଦେହ ଅସୁସ୍ଥ... ମୁଁ ଗ୍ରାମକୁ ଯାଉଛି କାଲି... ମାଉସୀଙ୍କ ସାଥି‌ରେ କଥାବାର୍ତ୍ତା ଶେଷ କରିଦେଇ ଆସିବି...କ’ଣ କହୁଛ ?

 

ସୁର ଥରେ ମୁଣ୍ଡ ଟେକି ପୁଣି ତଳକୁ କରିଦେଲା । ତା’ର ଦୁର୍ବଳତା ଲୀଳା ଭଳି ତାଠୁଁ ଏକ ସାତ ସାନ ଝିଅ ପାଖରେ ପଦାରେ ପଡ଼ିଯାଇଛି । ସେ ଆଉ କ’ଣ ଯୁକ୍ତି ଦେଖାଇ ପ୍ରତିବାଦ କରିବ ।

 

ତାକୁ ଶେଷରେ ସାଗରିକାକୁ ହିଁ ବିବାହ କରିବାକୁ ହେବ ।

 

ସୁର ପ୍ରତିବାଦ କରିପାରିଲା ନାହିଁ ।

 

ଲୀଳା ଖୁସି ହେଲା । କହିଲା, ଉଠ । ହେ ରିକ୍ସା—ଏଣିକି ଆ’...

 

ଘଣ୍ଟି ଟିଣ୍‍ ଟିଣ୍‍ କରି ନଇବନ୍ଧ ତଳ ରାସ୍ତାରେ ଯାଉଥିବା ରିକ୍ସାବାଲ ରିକ୍ସା ଠିଆକଲା ।

 

ସନାତନ ମିଶ୍ରେ ଶଯ୍ୟାଶାୟୀ ଅତି ସାଙ୍ଘାତିକ ଭାବରେ ।

 

ଲୀଲା ନାମରେ ଦୁର୍ନାମ ଶୁଣିଲା ଦିନଠାରୁ ଏ ଭୟଙ୍କର ରୋଗଟା ତାଙ୍କୁ ମାଡ଼ିବସିଛି । ସନାତନ ମିଶ୍ରେ ଅନୁଭବ କରିଛନ୍ତି, ଏ ରୋଗକୁ ଫୀଙ୍କିଦେବା ପାଇଁ ଯେତେ ସୁକୃତ ଦରକାର, ତାହା ତାଙ୍କର ନାହିଁ । ଶେଷକୁ ଲୀଳା... !

 

ରୋଗଶେଯରେ ସେ ମଧ୍ୟ କେବଳ ଲୀଳାର କଥା ଭାବୁଥିଲେ । କାନ୍ୟକୁବ୍‍ଜର ପବିତ୍ର ବ୍ରାହ୍ମଣବଂଶ ଭରଦ୍ଵାଜ ଗୋତ୍ରରେ ଲୀଳାର ଜନ୍ମ...ସେ କ’ଣ କେବେ କୁଳଟା ହୋଇପାରେ !

 

ଏକଥା ଚିନ୍ତା କଲାବେଳକୁ ସାଙ୍ଘାତିକ ରୋଗଶଯ୍ୟାରେ ମଧ୍ୟ ସନାତନ ମିଶ୍ରେ ଉତ୍ତେଜନାରେ ବିଚଳିତ ହୋଇ ଉଠୁଥାଆନ୍ତି । ବ୍ରାହ୍ମଣ ଏ ଯୁଗରେ ସବୁ ହରାଇଛି...ଧର୍ମ, କର୍ମ, ପବିତ୍ରତା ସବୁ । ହେଲେ ତା’ର ଆତ୍ମାକୁ ସେ କେବେ ହରଇପାରେନା...ଅନ୍ତତଃ ସନାତନ ମିଶ୍ରଙ୍କ ଝିଅ...

 

ବାହାରେ ହରିହାଟ, ଅଷ୍ଟପ୍ରହରି ବସିଛି । ରାଧାମାଧବଙ୍କ ମନ୍ଦିରରେ ପୂଜା ଉତ୍ସବ ଲାଗିରହିଛି । ସନାତନ ମିଶ୍ରେ ଅବଶିଷ୍ଟ ଥିବା ଭଣ୍ଡାରଘରର ସବୁ କିଛି ନିର୍ବିକାର ଭାବରେ ଉତ୍ସର୍ଗ କରି ଦେଇଛନ୍ତି ଏଇ ପୂଜା ପାଇଁ । କନ୍ୟକୁବ୍‍ଜ ଭରଦ୍ୱାଜ ବଂଶରେ ଜନ୍ମ ହୋଇ ବଡ଼ଲୋକ ହେବା ପାଇଁ ସେ ଯଦି କିଛି ପାପ କରିଥିଲେ, ସେ ପାପ ଏଇ ଧର୍ମକାମରେ ଧୋଇଯାଉ...

 

ଅଷ୍ଟପ୍ରହରୀ ସଂକୀର୍ତ୍ତନର ଧ୍ୱନି ଆସୁଛି... ପବିତ୍ର ହରିନାମ...

 

ସନାତନ ମିଶ୍ରେ ଅମୃତ ପିଇଲା ଭଳି କେବଳ ସବୁ ଶୁଣି ଯାଉଛନ୍ତି ଉତ୍କର୍ଣ୍ଣ ହୋଇ...ସେଇ ହରିନାମ ଧ୍ୱନି ଭିତରେ ସତେ ଯେମିତି ଅମୃତର ଧାରା ଛୁଟିଆସୁଛି !

 

ତିନିଦିନ ତଳେ ଅର୍ଜ୍ଜୁନି ମିଶ୍ରେ ଆସି ଲଗେଇଥିଲେ, କକେଇ ! ଜାଲ୍ ହାଣ୍ଡନୋଟ୍‍ କରି ଯେଉଁ ଜମିସବୁ ବନ୍ଧକ ରଖିଛ, ତାକୁ ସବୁ ସେ ଗାଁ ଲୋକଙ୍କୁ ଡାକି ଦେଇଦିଅ...ଗୋଟିଏ ବୋଲି ତ’ ପିଲା...କ’ଣ ହେବ ସେ ସମ୍ପତ୍ତି... !!

 

ଅର୍ଜ୍ଜୁନି ମୁହଁକୁ ରୋଗଶଯ୍ୟାଶାୟୀ ମିଶ୍ରେ ଭାବୁଥିଲେ ଛେପ ମେଞ୍ଚାଏ ପକାଇଦେବେ । କେତେ ସାହସରେ ଅର୍ଜ୍ଜୁନି ଆସି ଏତେ ବଡ଼ କଥା କହିପାରିଲା... !! ସେ ରୋଗରେ ପଡ଼ିଛନ୍ତି । ଯଦି ଚତ୍ରଗୁପ୍ତ ପାଞ୍ଜି ପୋଛିଥିବ, ତେବେ ତାଙ୍କୁ ଏ ପୃଥିବୀ ଛାଡ଼ିଯିବାକୁ ହେବ । ତା’ ବୋଲି ଜାଣି ଜାଣି ସେ ଯେଉଁ କାମ କରିଛନ୍ତି, ତାକୁ ଭୁଲ ବୋଲି ମାନି ସେ ତା’ର ପ୍ରାୟଶ୍ଚିତ୍ତ ସ୍ଵରୂପ ସେ ଜାଲ୍‍ କବଲା ଫେରସ୍ତ କରିଦେବେ ! ! ଲୋକେ କହିବେ, ସନାତନ ମିଶ୍ର ପାପ କରିଥିଲା...ମରିବାକୁ ଡରି ପ୍ରାୟଶ୍ଚିତ୍ତ କରିଯାଉଛି...ଏକଥା ଶୁଣି ଲୀଳା ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରିବ !!

 

ଉପରକୁ ଉଠିବାକୁ ହେଲେ ଲୋକେ ଯାହାକୁ ଅନ୍ୟାୟ, ପାପ ବୋଲି କହୁଛନ୍ତି, ତା’ କରିବାକୁ ହୁଏ । କେବଳ ସବଳ, ଶକ୍ତିମାନ ଲୋକ ଏ ଅନ୍ୟାୟକୁ ହଜମ କରି ବଡ଼ ହୋଇପାରେ । ନିଜର ବୟସ ଥିବାବେଳେ ମିଶ୍ରେ ନିଜକୁ ଶକ୍ତିମାନ ବୋଲି ପ୍ରମାଣିତ କରି ସାରିଛନ୍ତି । ଏ ରୋଗଶଯ୍ୟାରେ ସେ ଶକ୍ତିକୁ ସେ ଅସ୍ୱୀକାର କରିବେ !!

 

ସନାତନ ମିଶ୍ରେ ରୋଗଶଯ୍ୟାରେ ଅସ୍ଥିର ହୋଇଉଠିଲେ ।

 

ନା—ନା, ତା’ କଦାପି ହୋଇପାରିବ ନାହିଁ । ସେ ଯାହା କରିଛନ୍ତି, ଠିକ୍‍ କରିଛନ୍ତି । ଏ ମରଣର ଭୟ ତାଙ୍କୁ ଡରେଇ ପାରିବ ନାହିଁ

 

ମୁହଁ ଭୁରୁଙ୍ଗା କରି ଅର୍ଜୁନ ମିଶ୍ରେ ଫେରି ଯାଇଥିଲେ ସେଦିନ ।

 

ସେଇଦିନୁ ମିଶ୍ରଙ୍କ ଦେହ ବେଶୀ ହେଉଛି । ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ୁଛି ।

 

ବାହାରେ କୃଷ୍ଣନାମ କୀର୍ତ୍ତନ ହେଉଛି ।

 

ହରିହାଟ ବସିଛି ।

 

ରାଧାମାଧବଙ୍କ ମୁହଁକୁ ଅନାଇ ଠାକୁରଘରେ ରୋଗଶଯ୍ୟାରେ ଶୋଇ ରହିଛନ୍ତି ସନାତନ ମିଶ୍ରେ । ଠାକୁରଘର କାନ୍ଥରେ ନନା ବଳଭଦ୍ର ମିଶ୍ରଙ୍କ ଫଟୋ ଟଙ୍ଗା ହୋଇଛି । ଫଟୋ ଅଛି...ନନା ଚାଲିଯାଇଛନ୍ତି । ହୁଏତ ସେ ଚାଲିଯିବେ...ନନାଙ୍କ ଫଟୋ ପାଖରେ ତାଙ୍କର ଫଟୋ ଟଙ୍ଗାଯିବ । କ୍ଷତି କ’ଣ ?

 

ମିଶ୍ରେ ନିଜ ଶେଷ ନିଶ୍ୱାସ ନେବା ପାଇଁ ନିଜକୁ ପ୍ରସ୍ତୁତ କରି ନେଇଥିଲେ । ସେ ଜାଣି ପାରୁଥିଲେ, ମୃତ୍ୟୁର ହିମ ଶୀତଳ ଛାୟା ତାଙ୍କ ଚାରିପଟେ ଘେରିଆସୁଛି । ନିଜର ମୃତ୍ୟୁ କେବଳ ଧାର୍ମିକ, ସତ୍ୟବାନ୍‍ ମହାପୁରୁଷମାନେ ଜାଣିପାରନ୍ତି ।

 

ମିଶ୍ରେ ଆଖି ବୁଜି ଆଉ କ’ଣ ଭାବିବାକୁ ଚେଷ୍ଟା କରୁଥିଲେ । କେହି ଖବର ଦେଲା, ଲୀଳା ଆସିଛି... ଯଶୋଧାରା ଆସିଛି ।

 

ମିଶ୍ରେ ହସିଲେ । କହିଲେ, ମୁଁ ଜାଣିଥିଲି ସେମାନେ ଆସିବେ । ତାଙ୍କୁ ଭିତରକୁ ଡାକିଦିଅ । ଲୀଳା ଆଉ ଯଶୋଧାରା ଭିତରକୁ ଆସିଲେ । ଦୁହିଁଙ୍କ ଆଖିରେ ବିହ୍ୱଳ ଦୃଷ୍ଟି । ନିଜ ଜନ୍ମଦାତାଙ୍କ ଆଡ଼କୁ ଅନେଇଦେଇ ଲୀଳା ବୁଝିନେଲା, ଚିଠିରେ ଖାଲି ଦେହ ଖରାପ ବୋଲି ଯାହା ଲେଖା ଯାଇଥିଲା, ନନାଙ୍କ ଅବସ୍ଥା ତା’ଠୁଁ ଯଥେଷ୍ଟ ସାଙ୍ଘାତିକ ।

 

ସେ ଔଷଧ, ଡାକ୍ତରୀ ଯନ୍ତ୍ରପାତି ବାହାର କରୁଥିଲା ।

 

ମିଶ୍ରେ ହାତ ଠାରି ବାରଣ କଲେ । କହିଲେ, ତତେ ସେଇଥିପାଇଁ ଆଗରୁ ଖବର ଦେଇ ନ ଥିଲି । ଆସିଥିଲେ ତୁ ମତେ କେତେ ରଙ୍ଗର ପାଣି ପିଆଇଥାନ୍ତୁ... ଛୁଞ୍ଚିରେ ଫୋଡ଼ିଥାନ୍ତୁ । ମୁଁ ଜାଣି ଜାଣି ତତେ ଖବର ଦେଇ ନ ଥିଲି...

 

ଡାକ୍ତରୀ ଔଷଧ ବ୍ୟାଗ୍‍ ପାଖରେ ଲୀଳାର ହାତ ଅଟକି ଗଲା ।

 

ମିଶ୍ରେ କହିଲେ, ଯାହା ସତ୍ୟ, ଯାହା ଅବଶ୍ୟମ୍ଭାବୀ, ତା’ ବିରୁଦ୍ଧରେ ଡାକ୍ତରୀ ଔଷଧର ଏଇ ଅସ୍ତ୍ର ଉଠାଇଲେ କିଛି ଫଳ ହେବ ନାହିଁ ଲୀଳା ! କେବଳ ଡାକ୍ତରୀ ଔଷଧର ବଦନାମ ହେବ...

 

ଗୋଟିଏ ଛୋଟ ଶିଶୁ ଭଳି ଲୀଳା କେବଳ ସବୁ ଶୁଣିଲା... କିଛି ପ୍ରତିବାଦ କଲା ନାହିଁ ।

 

ମିଶ୍ରେ ଲୀଳା ମୁହଁକୁ ଅନେଇ ରହିଥିଲେ । ନିଜ ମା ମୁହଁ ଭଳି ସରସ, ଶାନ୍ତ, ସୁନ୍ଦର ମୁହଁଟି । ଓଠରେ ବିଲୋଳ ହସ...ଆଖିରେ ଅୟୁତ ଯୁଗର ଲଜ୍ଜା । କିଏ କହୁଚି ସେ ଚରିତ୍ରହୀନା !

 

ମିଶ୍ରେ କହିଲେ, ଲୁଗାପଟା ବଦଳି ଆସିବୁ ଯା’ ମା ! ବସ୍‌ରେ ଅନେକ ବାଟରୁ ଆସିଛୁ-

 

ଲୀଳା ଉଠିଗଲା ।

 

ଯଶୋଧାରା ଘୁଞ୍ଚିଗଲା ମିଶ୍ରଙ୍କ ପାଦ ପାଖକୁ । ଗୋଡ଼ ଘଷି ଦେବାକୁ ଆରମ୍ଭ କଲା ।

 

ମିଶ୍ରେ ଅନେଇଲେ ଯଶୋଧାରା ସେମିତି ଦିଶୁଛି । କିଛି ଅଦଳ ବଦଳ ତା’ଠି ଜଣା ପଡ଼ୁନି... ସେମିତି ଅନୁଗତ, ସେମିତି ବାଧ୍ୟ । ନିଜର ଲୋକ ଭଳି !

 

ଯଶୋଧାରା ମୁଣ୍ଡକୁ ଅନେଇ କେବଳ ମିଶ୍ରେ ବେଳେବେଳେ ଚମକି ଉଠୁଥିଲେ । ତାଙ୍କ ମନ ପାପ ଛୁଉଁଥିଲା, ସେ କ’ଣ ଯଶୋଧାରା ମୁଣ୍ଡରୁ ସିନ୍ଦୁର ପୋଛି ଦେଇଥିଲେ ବୋଲି ଲୀଳା ମୁଣ୍ଡରୁ—

 

ସେ କହିଲେ, ତୁ କ’ଣ ଭାବୁଛୁ ଧୀରା ! ମାଗୁଣି ଆଉ ଆସିବ ନାଇଁ ? ତୁ ମୁଣ୍ଡରୁ ସିନ୍ଦର ପୋଛି ଦେଇଛୁ କାହିଁକି ?

 

ଏକ ଅଦ୍ଭୁତ, ଅସ୍ୱାଭାବିକ ପ୍ରଶ୍ନ । ଯଶୋଧାରା ଚମକି ଉଠିଲା ।

 

ଯଶୋଧାରା ହାତ ଧରି ସ୍ନେହରେ ମିଶ୍ରେ କହିଲେ, ବୁଢ଼ା ବାପଟାର ଭୁଲ ମନରେ ଧରିବୁ ନାହିଁ ଧୀରା ! ଲୀଳା ତତେ ଲାଗିଲା...

 

ଯଶୋଧାରାର ବିସ୍ମୟବିମୂଢ଼ ମନରେ କରୁଣଭାର ଏକ ହିଲ୍ଲୋଳ ଉଠିଲା । ଆଖି ଅଶ୍ରୁସଜଳ ହୋଇଆସିଲା ।

 

ମିଶ୍ରେ କହିଲେ, ତୁ ଯା’ ଧାରା ! ଗୋଡ଼ହାତ ଧୋଇବୁ । ଲୀଳାକୁ ଟିକିଏ ଡାକିଦେ...

 

ଲୀଳା ଆସିଲା ପରେ ମିଶ୍ରେ କହିଲେ, କବାଟଟା ଆଉଜେଇ ଆଣ ମା’ ! ପାଖକୁ ଆ’ ବସ ।

 

କବାଟ ଆଉଜେଇ ଦେଇ ଲୀଳା ତାଙ୍କ ପାଖରେ ଯାଇ ବସିଲା ।

 

ଲୀଳାର ପିଠିରେ ହାତ ବୁଲାଉ ବୁଲାଉ ମିଶ୍ରେ କହିଲେ ତୋଠୁଁ କେଇପଦ କଥା ଶୁଣିବି ବୋଲି ତତେ ଡକାଇ ପଠାଇଥିଲି ।

 

ତେଣିକି ଆଉ ହଠାତ୍‍ ମିଶ୍ରେ କିଛି କହିପାରିଲେ ନାହିଁ । ରହିଗଲେ । କବାଟ ଆଉଜା ହୋଇଥିବା ହେତୁ ଘର ଭିତର ମେଘାୟିତ ହୋଇ ଯାଇଥିଲା । ସେଇ ଛାୟାଲୋକ ଭିତରେ ନନାଙ୍କ କଥା ଶୁଣି ହଠାତ୍‍ ଚମକିଉଠିଲା ଲୀଳା । ନନା କ’ଣ ପଚାରି‌ବେ ସତେ ଯେମିତି ସେ ଜାଣିଛି !

 

ମିଶ୍ରେ କହିଲେ, ତୋ ନାମରେ ଗାଁରେ ନାନା ଅପପ୍ରଚାର ଚାଲିଛି । ସେକଥା କ’ଣ ସତ !

 

ଲୀଳାର ତେଜଦୀପ୍ତି ମୁହଁ ହଠାତ୍‍ ମେଘାୟିତ ହୋଇଗଲା । କ’ଣ ସେ ଉତ୍ତର ଦେବ ଏ ପ୍ରଶ୍ନର ?

 

ମିଶ୍ରେ କହିଲେ, ମୁଁ ଏକଥା କେବେ ବିଶ୍ଵାସ କରିପାରିବି ନାହଁ ଲୀଳା ! କାନ୍ୟକୁବ୍‍ଜର ପବିତ୍ର ବ୍ରାହ୍ମଣ ବଂଶରେ ତୋ’’ ଭଳି ଝିଅ କେବେ କାଳିମା ବୋଳିପାରିବ ନାହିଁ ।

 

ଲୀଳା କେବଳ ମିଶ୍ରଙ୍କ ଛାତି ପାଖକୁ ଆହୁରି ଘୁଞ୍ଚିଗଲା ।

 

ମିଶ୍ରେ କହି ଚାଲିଥାନ୍ତି, ବଡ଼ଲୋକ ହେବାର ମୋହରେ ମୁଁ ସବୁ ହରେଇଛି ଲୀଳା ! ତୁ ସେକଥା ଜାଣୁ । କିନ୍ତୁ ଏ ଅତ୍ମା, ପବିତ୍ର ବ୍ରହ୍ମ ଆତ୍ମା ଉପରେ କଳଙ୍କ, ପାପର ଛାଇ କେବେ ପଡ଼ି ନାହିଁ... ସେକଥା କେହି ଛାତିରେ ହାତ ଦେଇ କହିପାରିବ ନାହିଁ । ...ଏ ଡାଲଡ଼ା...ରକେଟ୍‍ ଯୁଗରେ ବ୍ରାହ୍ମଣ ସବୁ ହରାଇଛି ... ବାକି ଯଦି ତା’ର ଆତ୍ମା...

 

ଲୀଳା ନନାଙ୍କ ଖୁବ୍‍ ନିକଟକୁ ଘୁଞ୍ଚିଯାଇ କୁଣ୍ଠିତ କଣ୍ଠରେ କହିଲା, ତମେ କ’ଣ ମତେ ଅବିଶ୍ଵାସ କରୁଛ ନନା ! ମୋ ଉପରେ ତମର ଭରସା ନାହିଁ ?

 

ସନାତନ ମିଶ୍ରେ ହଠାତ୍‍ ପ୍ରଗଲ୍‍ଭ ହୋଇଉଠିଲେ, ସେ ବିଶ୍ଵାସ ତୋ’ ଉପରେ ନ ଥିଲେ ଡାକ୍ତରୀ ପଢ଼ିବାକୁ ମୁଁ ତତେ କଟକ ଛାଡ଼ିଦେଇ ନ ଥାନ୍ତି ଲୀଳା ! କିନ୍ତୁ ତୁ ଯେଉଁ ସମାଜ, ଲୋକଙ୍କ ଭିତରେ ଚଳୁଛୁ—ରାଧାମାଧବଙ୍କୁ ଚାହିଁ କହିଲୁ—ତୁ ଭବିଷ୍ୟତରେ କେବେ ବାଟ ହୁଡ଼ିବୁ ନାହିଁ ?

 

ଥରେ ସୁବର୍ଣ୍ଣ ପ୍ରତିମା ରାଧାମାଧବଙ୍କ ମୁହଁକୁ ଆଉ ଥରେ ନନାଙ୍କ ମୁହଁକୁ ଅନେଇ ଲୀଳା କହିଲା, ମୁଁ ଶପଥ କରୁଛି ନନା...ଜୀବନରେ କେବେ ବାଟ ହୁଡ଼ିବି ନାଇଁ...

 

ଲୀଳାକୁ ନିଜ ରୋଗଦୁର୍ବଳ ହାତରେ ଜାକି ଧରି ମିଶ୍ରେ ଗଦ୍‌ଗଦ୍‍ ହୋଇଉଠିଲେ । କହିଲେ, ସେତିକି... ସେତିକି ମା’ ! ତୋଠୁ ମୁଁ ସେତିକି ଶୁଣିବାକୁ ଚାହୁଁଥିଲି...ମୋ ଆତ୍ମା ଏବେ ନର୍କରେ ପଡ଼ିଲେ ବି ଶାନ୍ତିରେ ରହିବ...କାନ୍ୟକୁବ୍‍ଜ ବ୍ରାହ୍ମଣ ବଂଶରେ ତୋର ଜନ୍ମ... ଭରଦ୍ଵାଜ ଗୋତ୍ରରେ ତୋର ଉତ୍ପତ୍ତି... ତୁ କେବେ ଇତରଲୋକଙ୍କ ଭଳି...ହେଁ...ହେଁ... ଆଃ’ ପାଖକୁଆ’ ମା’... ତତେ ଏ ରାଧାମାଧବଙ୍କ ଦାୟିତ୍ଵ ଲାଗିଲା... ।

 

ମିଶ୍ରେ ଖୁସିରେ ଲୀଳାକୁ ଛାତିରେ ଜାକିଧରିଲେ...ଖୁବ୍‍ ନିବିଡ଼ ଭାବରେ ।

 

ତା’ପରେ ଦେଖାଗଲା ମିଶ୍ରେ ଟିକିଏ ଚେଙ୍ଗାହୋଇ ଉଠିଛନ୍ତି । ବେଶ୍‍ କଥା କହୁଛନ୍ତି । ଖିଆପିଆ କରୁଛନ୍ତି । ଭାଗବତ ଶୁଣୁଛନ୍ତି ।

 

ସମସ୍ତଙ୍କର ବିଶ୍ଵାସ ହୋଇଗଲା ସେ ପୁଣି ଶେଯ ଛାଡ଼ି ଉଠିବେ । ଧାନକଆରୀକୁ ଅନେଇବେ । ଠାକୁର ପୂଜା କରିବେ ।

 

କିନ୍ତୁ ଲୋକଙ୍କର ଏ ବିଶ୍ଵାସ ସହିତ ବିଶ୍ଵାଘାତକତା କରି ଦିନେ ଏକ ଝଡ଼ବିକ୍ଷୁବ୍‌ଧ ରାତ୍ରିରେ ହଠାତ୍‍ ମିଶ୍ରେ ଲୀଳା ଓ ଯଶୋଧାରାକୁ ଏକୁଟିଆ ଛାଡ଼ି ଆଖି ବୁଜିଦେଲେ । ଆକସ୍ମିକ ମୃତ୍ୟୁ । ଓଠରେ ହସ । ମୁହଁରେ ଆନନ୍ଦ । କିନ୍ତୁ ଦେହରେ ଜୀବନ ନାହିଁ ।

 

ଏକ ଆଶ୍ଚର୍ଯ୍ୟ, ସୁନ୍ଦର ମୃତ୍ୟୁ ।

 

ମିଶ୍ରଙ୍କ ପରିବାର ଉପରେ ହଠାତ୍‍ ଏକ କଳାଛାଇ ଢାଙ୍କି ହୋଇଗଲା ।

 

ସଂଜ

 

ସଂଜ ହୋଇଆସୁଛି ଇରା ! ଅନ୍ଧାର ଘେରିଆସୁଛି ।

 

ତୋ ଚିଠି ଅନେକ ଦିନୁ ପାଇଥିଲେ ସୁଦ୍ଧା ଉତ୍ତର ଦେବାରେ ଅନୁଚିତ ବିଳମ୍ବ ପାଇଁ ମୋ ଉପରେ ତୁ ବହେ ରଗିଥିବୁ—ହୁଏତ ମନେ ମନେ ଭାବିଥିବୁ ସାଗରିକା ବାହା ହୋଇଗଲା ପରେ ବଦଳି–ଗଲା ନାଇଁ !

 

ଏବେ ବି ମୋ ଆଡ଼କୁ ମୁଁ ନିଜେ ଅନାଇ ଚମକି ପଡ଼ୁଛି । ସତରେ ହୁଏତ ମୁଁ ବଦଳି ଯାଇଛି । ବାହାହେଲେ ମଣିଷ ବଦଳି ଯାଏ । ଏଥିରେ କ’ଣ ଟିକିଏ ହେଲେ ସତ ନାହିଁ !

 

ତୋର ତ ଡାକ୍ତର ମହାପାତ୍ରଙ୍କ ସହ ବିବାହ ଏକ ପ୍ରକାର ଠିକ୍‍ ହୋଇ ଯାଇଥିଲା । ପ୍ରସ୍ତାବ କାର୍ଯ୍ୟକାରୀ ହେବାର ସୁଦିନ କେବେ !

 

ମୋ ବାହାଘର କଥା ନ ଲେଖିବା ଭଲ । ନିମନ୍ତ୍ରଣ ପାଇଥିବୁ । ଏଇ କଟକରେ ବିଭାଘର ହେଲା...ମୋ ତରଫରୁ ସବୁ ଆୟୋଜନ କରିଥିଲେ ଲୀଲା... ଲୀଳାଙ୍କ କଥା କ’ଣ ତୋର ତିଳେ ହେଲେ ମନେ ନ ଥିବ ! ଏଇ ବର୍ଷ ସେ ଏମ୍‍.ବି.ବି.ଏସ୍‍. ପାଶକରି, ଘରୋଇ ଭାବରେ ଚିକିତ୍ସା କରୁଛନ୍ତି । ସୁଦିନ କି ଦୁର୍ଦ୍ଦିନ କହିପାରିବି ନାହିଁ, ବଡ଼ ଆକସ୍ମିକ ଭାବରେ ତାଙ୍କ ସହିତ ମୋର ପରିଚୟ ହୋଇଥଲା ।

 

ବଡ଼ ସୁନ୍ଦର ତାଙ୍କର ବ୍ୟବହାର । ତାଠୁଁ ବଳି ସୁନ୍ଦର ତାଙ୍କର ହୃଦୟ । ମୋ ଭଲି ଏକ ନର୍ସିଂ ପଢ଼ିଥିବା ଗରିବ ଝିଅଟି ପ୍ରତି ତାଙ୍କର ମନ କାହିଁକି ପହିଲି ଦେଖାରୁ ବଳିପଡ଼ିଲା, ତା’ ମୁଁ ଜାଣେ ନାହିଁ । କିନ୍ତୁ ଆମ ଦୁହିଁଙ୍କ ମନ ଏମିତି ମିଲିଗଲା ଯେ ସେ ଆଉ ଭିନ୍ନ ହୋଇପାରିଲା ନାହିଁ-

 

ତାଙ୍କରି ଜଣେ ଶିଳ୍ପୀ ବନ୍ଧୁ ଶ୍ରୀ ମହାନ୍ତି...ଯାହାଙ୍କ ସହିତ ମୋର ବିବାହ ହେଲା... ଦିନେ ଲୀଳା ଜିଦ୍‍ କଲେ, ନର୍ସିଂ ପଢ଼ି ସାରିଲା ପରେ ତମେ କୁଆଡ଼େ ନାଇଁ କୁଆଡ଼େ ଚାଲିଯିବ ସାଗରିକା-! ଏ ବନ୍ଧୁତ୍ୱର ବନ୍ଧନ ଛିଣ୍ଡି ଶତଛିନ୍ନ ହୋଇଯିବ ।

 

ମୁଁ ପଚାରିଲି, ତମେ (ମୁଁ ତାଙ୍କୁ କେତେ ଥର ଆପଣ ବୋଲି କହିବା ଫଳରେ କାନମୋଡ଼ା ଖାଇ ତମେ କହିବାକୁ ଅନିଚ୍ଛା ସତ୍ତ୍ୱେ ଶିଖିଛି । ଶିକ୍ଷା, ଧନ, ସମ୍ମାନ ଦୃଷ୍ଟି ରୁ କେଉଁ ଗୁଣରେ ତାଙ୍କୁ ମୁଁ ତମେ କହିବାକୁ ଯୋଗ୍ୟ ! ସେ ଯାହାହେଉ–) ଏମ୍‍.ବି.ବି.ଏସ୍‍. ପଢ଼ୁଛି ଲୀଳା ! ମୁଁ ପଢ଼ୁଛି ସାମାନ୍ୟ ନର୍ସିଂ । ଗରିବ ଘରର ଝିଅ । ଆମ ବନ୍ଧୁତ୍ଵ ଅନେକ ଦିନ ଲାଗି ରହିବାରେ ଯୁକ୍ତି କେଉଁଠି ଅଛି ?

 

ସେ କିନ୍ତୁ ମାନିଲେ ନାହିଁ । ଜିଦ୍‍ କଲେ, ଏ ବନ୍ଧୁତ୍ଵକୁ ତୁମକୁ ଅତୁଟ ରଖିବାକୁ ହେବ । ତମେ ମୋର ଜଣେ ଶିଳ୍ପୀ ବନ୍ଧୁଙ୍କୁ ବିବାହ କର ।

 

ଓ’ ମା ! ସେଥିପାଇଁ କ’ଣ କମ୍‍ ଚେଷ୍ଟା ! ଶିଳ୍ପୀ ବନ୍ଧୁଜଣକ ବିଚାରା ବଡ଼ ନିରୀହ ଲୋକ-। ଶେଷକୁ ସେ ରାଜି ହେଲେ । ମୁଁ ମୋ ନିଜ ଅଜାଣତରେ କାହିଁକ କେଜାଣି ସେ ବନ୍ଧନ ଭିତରକୁ ଟାଣି ହୋଇଗଲି ।

 

ବିବାହବେଳେ ଯଦି ତୁ ଉପସ୍ଥିତ ଥାଆନ୍ତୁ, ଦେଖିଥାନ୍ତୁ ମୋ ବିବାହରେ ଲୀଳାଙ୍କର କି ଆନନ୍ଦ ! ତାଙ୍କ ନନାଙ୍କ ମୃତ୍ୟୁର ମାସ ପୁରି ନ ଥାଏ । ନିଜ ହାତରୁ ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ବାହାଘର ଆୟୋଜନ କଲେ—ବାହାଘର ଗୋଟାକଯାକର ଆୟୋଜନ କଲେ ସ ନିଜେ...ମତେଶାଢ଼ୀ ପିନ୍ଧାଇ ବେଦୀକୁ ପଠାଇବାଠୁଁ ଆରମ୍ଭ କରି ବରଯାତ୍ରୀଙ୍କୁ ଚର୍ଚ୍ଚା କରିବା ପର୍ଯ୍ୟନ୍ତ ସବୁ କଥା । ମୋର ବା କିଏ ଥିଲା ଏସବୁ କାମ କରିବାକୁ... !!

 

ସତରେ ମୋର ମନେ ହେଉଛି, ଲୀଳା ଗତଜନ୍ମରେ ମୋର ଭଉଣୀ କମ୍ବା ସେମିତି କିଛି ଆପଣାର ଲୋକ ଥିଲେ...ନ ହେଲେ ପର ଝିଅଟିଏ ପାଇଁ ଏତେ ଦରଦ ଆସିବ କାହାର !!

 

କିନ୍ତୁ ଏ ପୃଥିବୀ ବଡ଼ ବିଚିତ୍ର ଇରା !

 

ଲୀଳା ଭଳି ଏଡ଼େ ସରଳ, ପରୋପକାରି, ସ୍ନେହୀ ଝିଅଟି ନାମରେ ଅପପ୍ରଚାର କରିବାକୁ ବି ଏ ପୃଥିବୀରେ କମି ଲୋକ ନାହାନ୍ତି...ନର୍ସିଂ ପଢ଼ିଲାବେଳେ ଆମ ନାମରେ କେତେ ଅପପ୍ରଚାର ନ ହୋଇଛି ଯେ ! ସତେ ଯେମିତି ସବୁ ନସତକ ନର୍କର ଦ୍ୱାରପଥ !

 

ବିବାହ ପରେ ଆ’ଙ୍କରଜିଦ୍‍ ମୁଁ ଚାକିରି କରିବି ନାହିଁ ।

 

ଘରେ ରୋଷେଇବାସ କରିସାରିବା ପରେ ଆଉ କାମ କ’ଣ ? ବସି ବସି ଚିଡ଼ି ଲଗୁଛି.. ଲୀଳା ତ ତାଙ୍କ ଡାକ୍ତରୀ ଦୋକାନରେ ବ୍ୟସ୍ତ...ବିଭାଘର ପରେ ଖୁବ୍‍ କ୍ୱଚିତ୍‍ ଆସନ୍ତି । ଥରେ ଏଥିପାଇଁ କହିଲି ବୋଲି ଉତ୍ତର ଦେଲେ, ସୁରଭାଇଙ୍କୁ (ସେଇ ଶିଳ୍ପୀ—ଯାହାଙ୍କୁ ମୁଁ ଇହକାଳ, ପରକାଳର ଦେବତା ବୋଲି ମାସ କେଇଟି ତଳେ ବରଣ କରିଛି) ବ୍ୟସ୍ତ ରଖିବା ପାଇଁ ତ’ ତତେ ଆଣି ଦେଲି...ମୁଁ ଆଉ ଆସିବି କାହିଁକ ?

 

କେତେ ସରଳ, କେଡ଼େ ସ୍ନେହୀ ସତେ ଏଇ ଝିଅଟି ! ତାଙ୍କର ଏଇ ନିଃସ୍ୱାର୍ଥପରତା ପାଇଁ ବେଳେବେଳ ମୋର ଭାରି ହିଂସା ହେଉଛି ଇରା ! ଦୁନିଆରେ କ’ଣ ଏମିତିଆ ଝିଅ ସମ୍ଭବ !!

 

ଶାଶୁ ଶଶୁରଙ୍କ କଥା ଲେଖିବି ? ଭାରି ଭଲଲୋକ । କିନ୍ତୁ ଘରେ କିଛି ଦିନ ରହିଲା ପରେ ଧାରଣା ହେଲା, ଶାଶୁଙ୍କ ଭଳି ଶଶୁର ଏ ବିବାହରେ ସନ୍ତୁଷ୍ଟ ନୁହନ୍ତି—ସେ ଗୋଟିଏ ବଡ଼ ଘରୁ ବୋହୂ ଚାହୁଁଥିଲେ—ସ୍ଵାଭାବିକ କଥା । ବି. ଏ. ପାଶ କରିଥିବା ପୁଅକୁ ମୋ ଭଳି ଗୋଟିଏ ନର୍ସକୁ ବିବାହ କରିବା କିଏ ସହ୍ୟ କରିବ କହିଲୁ !

 

ଗାଁ ଛାଡ଼ି ସହରକୁ ଆସିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି ଏଠି ଭାରି ଏକୁଟିଆ ଲାଗୁଛି–ଆଉ ତୁ ! ତୁ ଭଲ ଅଛୁନା !

 

ଏ’ ମା ! ଚିଠିଟା କେଡ଼େ ହୋଇଗଲାଣି—ଲଫାପରେ ଆଉ ଅଧିକ ପଇସାରେ ଟିକେଟ ଲଗାଇବାକୁ ପଡ଼ିବ କି !

 

ହେଇ ସଂଜ ହୋଇ ଆସିଲାଣି ଇରା ! ସେ ଅଫିସରୁ ଫେରିବାବେଳ ହୋଇଗଲାଣି—ମୁଁ ପୁଣି ସଂଜ ଦେବି ଲଣ୍ଠନ ଲଗାଇବି ।

 

ଆପାତତଃ ମୋର ଶୁଭ-ସଂଧ୍ୟା ଗ୍ରହଣ କରିବୁ । ଇତି ।

 

ତୋର

ସାଗରିକା

 

ତା’ ପରେ ସାଗରିକା ଚିଠିଟା । ଲଫାପାରେ ଭର୍ତ୍ତିକରି ଠିକଣା ଲେଖିଲା । ଘରେ ଲଣ୍ଠନ ଲଗାଇଦେଇ ସଞ୍ଜବତୀ ଲଗାଇବାକୁ ବାହାରିଗଲା ପଦାକୁ ।

 

ତା’ର କିଛି ସମୟ ପରେ ସୁର ଆସିଲା ଭିତରକୁ । ଏଇ ସଙ୍ଗେ ସଙ୍ଗେ ଅଫିସରୁ ଫେରିଛି । ଦେହରେ ଝାଳର ଗତ୍ମ । ମୁହଁରେ କ୍ଳାନ୍ତିର ସ୍ଵାକ୍ଷର । ଲଣ୍ଠନଟି ତେଜିଦେଇ ଦେଖିଲା, ସାଗରିକାର ହାତ ଲେଖା ଖଣ୍ଡେ ଚିଠି । ବୋଧହୁଏ ତା’ର କୌଣସି ସୁଦୂରର ବାନ୍ଧବୀ ପାଖକୁ ପଠାଉଛି । ଉପରେ ଗୋଟିଏ ଝିଅର ଠିକଣା ।

 

ସୁର ସାର୍ଟ ଓହ୍ଲାଇଲା ।

 

ସୁର ସାର୍ଟରୁ ବୋତାମ ଖୋଲିଲା ଆସି ସାଗରିକା । କହିଲା, ଭାରି ଶୁଖିଲା ଦିଶୁଛ । ମୋଟେ ଜଳଖିଆ ଖାଇନ ବୋଧହୁଏ...

 

ସୁର କହିଲା, ମୁଁ ଏମିତି ଜଳଖିଆ ନ ଖାଇ ଶୁଖିଲା ଦିଶିବାରେ ଅଭ୍ୟସ୍ତ ହୋଇଯାଇଛି-। ତମେ ସିନା ଏବେ ଆସିଲ...ଆଗରୁ ତ କାହିଁ କେହି ଏ କଥା କହୁ ନ ଥିଲେ !

 

ସାଗରିକା ଲାଜେଇଗଲା । ସ୍ଵାଭାବିକ ଲଜ୍ଜା । ସୁରକୁ ଚାହିଁଦେଲେ ଏବେ ତାକୁ ଭାରି ଲାଜ ଲାଗୁଛି କାହିଁକି ! ସୁର ପାଖରେ ସେ ନିଜକୁ ଛୋଟ ମନେ କରୁଛି ।

 

ସୁର ଦୁଆରକୁ ବାହାରିଗଲା ।

 

ସାଗରିକା କହିଲା, ତମେ ବଜାରରୁ କାହିଁକି ଜଳଖିଆ ଖାଉନ ମୁଁ ଜାଣିଛି ।

 

ସୁର ଦରହସିତ ଭାବରେ କହିଲା, ସମସ୍ତେ ସେ କଥା କହି ପାରିବେ । ପଇସା ନ ଅଣ୍ଟିବାର ଭୟ ଏହାଠୁଁ ଅଧିକ କିଛି ତମେ କହିବ ? ସାଗରିକା ମାଟିରେ ଗାର ଟାଣୁଥିଲା । କହିଲା, ମୋତେ ବାହାହୋଇ ତମେ ଭୁଲ୍‍ କରିଚ । ନାଇଁ ?

 

ସୁର ଟିକିଏ ଚମକି ଉଠିଲା ଭଳି ହୋଇ କହିଲା, ସେ କଥା ମୁଁ କହିପାରିବି ନାଇଁ । ବୋଧହୁଏ ମତେ ଏ ଭୁଲ୍‍ ଦିନେ ନା ଦିନେ କରିବାକୁ ପଡ଼ିଥାଆନ୍ତା । ହୁଏତ ଟିକିଏ ବେଳାବେଳି ଭୁଲଟା ହୋଇଯାଇଛି ।

 

ସାଗରିକା ଟିକିଏ ଗୁମ୍‍ ଖାଇଗଲା । କହିଲା, ମୁଁ ଆଉ ଗୋଟିଏ କଥା କହିବି । ମୋ କଥା ରଖିବ ?

 

ସୁର ଏଥର କିଛି ନ କହି ପ୍ରଶ୍ନ ପଚାରିଲା ଆଖିରେ ସାଗରିକା ଆଡ଼େ ଅନାଇଲା । ସାଗରିକା କହିଲା, ମୁଁ ନର୍ସିଂ କରିବି । ଘରେ ବସି ବସି ଅଡ଼ୁଆ ଲାଗୁଛି । ମେଡ଼ିକାଲରେ ଘଣ୍ଟା କେତୋଟି ବେଶ୍‍ କଟିବ । ନର୍ସିଂ ପଢ଼ିଛି ଯେତେବେଳେ, କ୍ଷତି କ’ଣ ? ଟଙ୍କା ପଇସାର ଅସୁବିଧାଟା ଅନ୍ତତଃ...

 

ସୁର ଏଥର ହସିଲା । କହିଲା, ମୋର ସାମର୍ଥ୍ୟ ଉପରେ ତେବେ ତମର ଅବିଶ୍ୱାସ ଆସିଚି ସାଟରିକା ! ନାଇଁ !

 

ସାଗରିକା ବ୍ୟସ୍ତ ହୋଇଉଠିଲା ଭଳି କହିଲା, ଏଥିରେ ସାମର୍ଥ୍ୟ, ଦୁର୍ବଳତାର ପ୍ରଶ୍ନ କେଉଁଠୁ ଉଠିଲା ! ତମେ ଯେବେ ନ ଚାହିଁବ, ମୁଁ ଚାକିରି କରିବି ନାହିଁ । ଏହା ବୋଲି...

ସାଗରିକା ଆଖିରୁ ଲୁହ ପୋଛିଲା । ବୋଧହୁଏ ସେ ଚାହୁଁ ନ ଥିଲା ଯେ ସୁର ତା’ ପାଇଁ କୌଣସି କାରଣରୁ ହେଲେ ଦୁଃଖିତ ହେଉ । ସୁର ଆହତ ହୋଇପଡ଼ିଛି ଭାବି ସେ କାନ୍ଦି ପକାଇଲା-

ସୁର ଆସିଲା ସାଗରିକାର ଖୁବ୍‍ ପାଖକୁ । ବିବାହିତ ଜୀବନରେ ସାଗରିକ ଆଖିରେ ଏଇ ପ୍ରଥମ ଥର ପାଇଁ ଅଶ୍ରୁ-ସଂଚାର । ପ୍ରିୟାର ଆଖିର ଲୁହ ତା’ର ଶିଳ୍ପୀ-ହୃଦୟରେ କେମିତି ଏକ ଅଜ୍ଞାତ ବେଦନା ସୃଷ୍ଟି କରିଛି । ସାଗରିକାର ଖୁବ୍‍ ପାଖକୁ ଲାଗିଆସି ସେ କହିଲା, ତମେ କାନ୍ଦୁଛ ସାଗରିକା ! ଛି...

ସାଗରିକା ବେଶୀ ବେଶୀ କାନ୍ଦିବାକୁ ଲଗିଲା ।

ଡାକ୍ତର ଲୀଳାବତୀ ମିଶ୍ର, ଏମ୍‍. ବି, ବି. ଏସ୍‍ । ଗୋଟାଏ ବଡ଼ ସାଇବୋର୍ଡ଼ ଝୁଲୁଛି ଡାକ୍ତରୀ ଦୋକାନ ଆଗରେ ।

ଦୋକାନ ଭିତରକୁ ଲୋକେ ଯାଉଛନ୍ତି, ଆସୁଛନ୍ତି ।

ଡାକ୍ତର ମିଶ୍ର ଅବିଶ୍ରାନ୍ତ ଭାବରେ କାମକରି ଚାଲିଛନ୍ତି—ଦିନ କେଇଟା ଭିତରେ ବେଶ୍‍ ଜମିଆସିଛି ଦୋକାନଟି । ଲୋକମୁଖରେ ପ୍ରଚାରିତ ହେଉଛି, ଡାକ୍ତର ମିଶ୍ର ବେଶ୍‍ ଭଲ ମହିଳା ଚିକିତ୍ସକ । ଶୋଷଣ ନାହିଁ । ଯାହା ଦେବ, ନେବେ । ହସ ହସ କଥା । ରୋଗୀ ମନକିଣା ଢଙ୍ଗ ।

ଡାକ୍ତର ମିଶ୍ରଙ୍କ ଦୋକାନରେ ଭିଡ଼ ଜମୁଛି ।

 

ଜଣେ ମହିଳା କମ୍ପାଉଣ୍ଡର ମିସ୍‍ ଅଳକା ମିତ୍ର । ମିସ୍ ମିତ୍ର ଆଉ ମିସେସ୍ ମିଶ୍ର କାମ କରି ଚାଲିଛନ୍ତି ଅବାରିତ ଭାବରେ କେତେବେଳେ ବିଶ୍ରାମ ନାହିଁ । ରୋଗୀ ଯାଉଛନ୍ତି, ଆସୁଛନ୍ତି । ଗଲାବେଳର ରୋଗଦୁର୍ବଳଶଙ୍କିତ ଭୁରୁଙ୍ଗା ମୁହଁ ଫେରିଲା ବେଳକୁ ହସ ହସ । ହାତରେ ଔଷଧ, ପ୍ରେସ୍‌କ୍ରିପ୍‌ସନ୍‍ ।

 

ଡାକ୍ତର ମିଶ୍ର ସମସ୍ତଙ୍କ କଥା ବୁଝୁଛନ୍ତି, ହେ ପିଲା ! କ’ଣ ହେଉଛି ତୋର ! ଆଖିରେ ଫୁଲା ପଡ଼ିଛି ! ବେଶ୍‍ ବେଶ୍‍—ଅଳକା, ଦିଅ ତ ଟିକିଏ ଔଷଧ ପକାଇ ।

 

ଆରେ ! ଏ କିଏ ? ମନୋରମା ଯେ ! ତୋର ପୁଣି କ’ଣ ହୋଇଛି ! ରକ୍ତଶୂନ୍ୟତା ! କେଇଟି ପିଲା ହେଲେ ! ସାତ—ଇଜ୍‍ ଇଟ୍‍ ! ଆରେ କ’ଣ ମାସକୁ ଗୋଟାଏ ଲେଖାଁ ନା କ’ଣ ! କେମିତି, ଅଛନ୍ତି ଗୌରଗୋପାଳ ବାବୁ ! ଭଲ ! ହଁ—ହଁ—ଏ କିଛି ନୁହେଁ । ଭଲ ହୋଇଯିବ—ନିଅ ଏ ପୁଡ଼ିଆଟା—ଟଙ୍କା ନାହିଁ ! ସେଥିପାଇଁ ମୁହଁ ଶୁଖାଉଛ କାହିଁକି ? ଛି—ଛି—

 

ଇଏ କିଏ ? କି ସଦାନନ୍ଦବାବୁ—ତମ ଭଉଣୀ ! ବେଶ୍‍ ତ ଚେହେରାଟି । କ’ଣ ହେଉଛି ! ପେଟ ଟ୍ରବୁଲ୍ ! ଆଇ ସି ! ନିଅନ୍ତୁ ଏ ପାଣି ଔଷଧଟା—ପାଞ୍ଚ ଟଙ୍କା ? ହଉ ଯାହା ହେଲା—ନମସ୍କାର ।

 

କ’ଣ ହେଇଛି ତମର ମା’ । କାଲି ଔଷଧ ନେଇଥିଲ । ବେଶ୍‍ ଭଲ । ଏଇଟାକୁ ନିୟମିତ ଖାଆନ୍ତୁ—ଧରନ୍ତୁ ଏ ବଟିକା— କାନ୍ଦନ୍ତୁ ନାଇଁ—ଭଲ ହୋଇଯିବ । ଟଙ୍କା ନାଇଁ । କାଲି ଦେଇଯିବେ ନମସ୍କାର ।

 

ଡକ୍ଟର ମିଶ୍ର ।

 

ଡାକ୍ତର ଲୀଳା ମିଶ୍ର ପଛକୁ ଫେରି ଚାହିଁଲେ, ଅଳକା ଡାକୁଛନ୍ତି ।

 

ଅଳକା ଘଣ୍ଟାକୁ ଅନାଇବାକୁ କହିଲେ । ଗୋଟିଏ ବାଜିଗଲାଣି । ଆଉ ସାତଜଣ ରୋଗୀ ଠିଆ ହୋଇଛନ୍ତି । ଭାତ ଖିଆବେଳ ଗଡ଼ିଯାଉଛି । ଅଳକା ବୋଧହୁଏ ବ୍ୟସ୍ତହୋଇ ଉଠିଲେଣି ଘରକୁ ଯିବାକୁ ।

 

ତମେ ଘରକୁ ଯାଅ ଅଳକା, ଏ କେଇଜଣ ରୋଗୀଙ୍କ କାମ ତୁଟଇଦେଇ ମୁଁ ଯିବି । ଆରେ, ଠିଆ ହୋଇ ରହିଲ କାହିଁକି ? ଭୋକ ଲାଗିଲାଣି । ଯାଅ—

 

ଅଳକା ନିଃଶବ୍ଦରେ ପାହାଚ ତଳକୁ ଓହ୍ଳାଇଗଲେ ।

 

ରୋଗୀମାନଙ୍କ କାମ ସାରି ବସାକୁ ଫେରଲାବେଳକୁ ସାଢ଼େ ଦୁଇଟା । ଯଶୋଧାରା ଅନେଇ ବସିଥିଲା ।

 

ଷ୍ଟେଥିପ୍‍କୋସ୍‍ ଇତ୍ୟାଦି ଘରେ ରଖିଦେଇ ଡାକ୍ତର ମିଶ୍ର କେବଳ ସାଦା ବେଶରେ ପଦାକୁ ବାହାରି ଆସିଲା । ଏଥର ସେ ଲୀଳା... କେବଳ ଲୀଲା !

 

ଯଶୋଧାରା ଖାଇବା ଆଣି ଦେଲା ।

 

ଠାକୁର ପୂଜା ସରିଛି ? ...ଲୀଳା ପ୍ରଶ୍ନ କଲା ।

 

ଠାକୁର ପୂଜା ! ...କିଛି ବୁଝି ନ ପାରିଲା ଭଳି ସେଇ ପ୍ରଶ୍ନକୁ ସଂକ୍ଷିପ୍ତ କରି ପଚରିଲା ଯଶୋଧାରା ।

 

ଖାଇବା ଜିନିଷକୁ ଭିତରେ ରଖିବାକୁ କହି ଲୀଲା ସିଧା ଚାଲିଗଲା ଠାକୁର ଘର ଭିତରକୁ ।

 

ରାଧାମାଧବ ମନ୍ଦିର ।

 

ନନାଙ୍କ ମୃତ୍ୟୁ ପରେ ଏଇ ରାଧାମାଧବଙ୍କ ଦାୟିତ୍ୱ ପଡ଼ିଛି ଆସି ତା’ ଉପରେ । ନନା ମଲାବେଳେ ଘରଦ୍ୱାର, ସଂପତ୍ତିବାଡ଼ି ନୁହେଁ, ଏଇ ରାଧାମାଧବଙ୍କ ସେବାଦାୟିତ୍ଵ ଲଦି ଦେଇ ଯାଇଥିଲେ ତା’ ଉପରେ । ଜୀବନ ଭରି ମାଟି କାମୁଡ଼ି ଦାନ୍ତ ରଗଡ଼ି ସେ ଯେଉଁ ସଂପତ୍ତି ଅର୍ଜନ କରିଥଲେ, ତାହା ତାଙ୍କୁ ମମତାର ଡୋରି ଲଗାଇ ଟାଣି ନ ଥିଲା ।

 

ଏଇ ରାଧାମାଧବଙ୍କ ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ । ଶେଷକୁ ତାଙ୍କ ଦାୟିତ୍ୱ ସେ ଗଭୀର ବିଶ୍ଵାସରେ ଟେକି ଦେଇ ଯାଇଥିଲେ ତା’ ହାତରେ—

 

ନନାଙ୍କ ମୃତ୍ୟୁ ପରେ ସଂପତ୍ତି ଭାର ଚାକର ବଳିଆ ଆଉ ଭାଗଚାଷୀଙ୍କ ହାତରେ ଛାଡ଼ିଦେଇ ସେ ରାଧାମାଧବଙ୍କୁ ନେଇଆସିଚି ସହରକୁ । ରାଧାମାଧବଙ୍କ ନିରାଜନା ସେ କରେ ନିଜ ହାତରେ... ଯେତେ ଯାହା କାମ ଥିଲେ ବି ସେ ପଛକୁ ପଡ଼ିଯାଏ ।

 

ଖାଇବା କଥା ପଛକୁ ରଖି ଲୀଳା ଆସିଲା ମନ୍ଦିରକୁ ।

 

ଧୂପ ଦୀପ ଲଗାଇଲା । ଚନ୍ଦନ ଘୋରିଲା । ନୈବେଦ୍ୟ ସଜାଡ଼ିଲା । ଗୋଟିଏ କେମିତି ପବିତ୍ର ସୁଗନ୍ଧରେ ସାରା ଘରଟା ମହକି ଉଠୁଛି । ହୃଦୟ ଭକ୍ତି-ଆବେଗରେ ସ୍ପନ୍ଦିତ ହୋଇଉଠୁଛି...ରାଧାମାଧବ ସତେ ଯେମିତି ହସି ଉଠଛନ୍ତି...ଆଗ୍ରହରେ, ଆନନ୍ଦରେ ନୈବେଦ୍ୟକୁ ହାତ ବଢ଼ାଇ ତୋଳି ନେଉଛନ୍ତି ମଣୋହି କରିବା ପାଇଁ ।

 

ବିସ୍ମୟଚକିତ ଭାବରେ ଲୀଳା ଅନେଇ ରହିଲା ସେଇ ଯୁଗଳ ମୂର୍ତ୍ତି ଆଡ଼େ...ଆଖିରେ ତା’ର ଲୁହ ପୁରି ପୁରି ଆସିଲା—

 

ତା’ କାନରେ ବାଜିଗଲା ନନାଙ୍କ ବିଦାୟକାଳୀନ ସେଇ କଥା ପଦିକ—ପବିତ୍ର ବାହ୍ମଣ ବଂଶରେ ତୋର ଜନ୍ମ ମା’—, କାନ୍ୟକୁବ୍‍ରଜ ଶୁଦ୍ଧପୂତ ବ୍ରାହ୍ମଣବଂଶ—ଭରଦ୍ଵାଜ ଗୋତ୍ର— ବ୍ରାହ୍ମଣ ସବୁ ହରାଇଚି—ଅବଶିଷ୍ଟ ଅଛି କେବଳ ତା’ର ଆତ୍ମା ।

 

ନିଜର ଆତ୍ମା ଆଡ଼କୁ ଥରେ ନିରୀକ୍ଷଣ କଲା ଲୀଳା—ସେ ଏକ ବିଦଗ୍ଧ‌, ବିକଳ ଆତ୍ମା–ସେ ଆତ୍ମା କାମନାର ଦହନରେ ପୋଡ଼ି କଳାକାଠ ପଡ଼ିଯାଇଛି । ଭସ୍ମ ହେବାକୁ ଆଉ ମୁହୂର୍ତ୍ତ କେତୋଟି ବାକି—ପାରିବ—ପାରିବ ସେ ! ସମସ୍ତ କାମନାର ଉର୍ଦ୍ଧ୍ୱକୁ ଉଠି ନିଜ ବିକଳ, ବିରୂପ ଆତ୍ମାକୁ ଅମଳିନ, ପବିତ୍ର କରି ରଖିପାରିବ !

 

ରାଧାମାଧବ ହସୁଛନ୍ତି ଯେମିତି !

 

କହୁଛନ୍ତି, ସାରା ଦୁନିଆରେ କାମନା, ଲାଳସାର ଏ ନିଆଁ ହୁତୁହୁତୁ ହୋଇ ଜଲୁଛି । ଝଡ଼ ବେଗରେ ପତଙ୍ଗସବୁ ଛୁଟିଛନ୍ତି ସେ ନିଆଁରେ ଝାସ ଦେବା ପାଇଁ—ସେ ସାଧାରଣ ଜୀବନର ସ୍ରୋତ ଭିତରୁ ନିଜକୁ ସଂପୂର୍ଣ୍ଣ ଅଲଗା ରଖିପାରିବ ତମେ ଲୀଳା !

 

ଲୀଳା ଡରିଯାଉଛି ।

 

ହୁଏତ ନନାଙ୍କୁ ମୃତ୍ୟୁଶଯ୍ୟାରେ ଖୁସି କରିବା ପାଇଁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେ ପ୍ରତିଶ୍ରୁତି ସେ ରକ୍ଷା କରିପାରିବ ନାହଁ—ତା’ର ଆଗ ନାହିଁ, ପଛ ନାହିଁ — ଆଶ୍ରୟ ନାହିଁ, ଅବଲମ୍ବନ ମଧ୍ୟ ନାହିଁ । କାହା ଭରସାରେ ସେ ନନାଙ୍କୁ ଏଡ଼େ ବଡ଼ ପ୍ରତିଶ୍ରୁତି ଦେଇଆସିଥିଲା ।

 

ମା’ ଯାଇଥିଲେ—

 

ନନା ଗଲେ—

 

ଚାଲିଗଲେ ମଧ୍ୟ ନାରୀର ଇହକାଳ, ପରକାଳ ଦେବତା ଏକ ଦୁର୍ଘଟଣାରେ ।

 

ଆଉ ତା’ର କିଏ ଅଛି ? ଯଶୋଧାରା ।

 

ସୁର ଭାଇ !

 

ଲୀଳା ଆଖିରେ ଲୁହ ପୁରି ପୁରି ଆସୁଥିଲା । ଯଶୋଧାରା ସହିତ କ’ଣ ତା’ର ସଂପର୍କ-। ପତିହରା, ଗୃହହରା ଗୋଟିଏ ନିରାଶ୍ରୟା ଶୂଦ୍ର ଘରର କୁଳବଧୂ ଯଶୋଧାରା । ଅସୁବିଧାରେ ପଡ଼ି ତା’ର ସେବା କରୁଛି, ତା’ର ଯତ୍ନ ନେଉଛି । ତା’ର ଅତ୍ମାକୁ ପବିତ୍ର ରଖିବା ପାଇଁ ଯେତେ ଶକ୍ତି, ଅଧିକାର ଲୋଡ଼ା, ଯଶୋଧାରାର କ’ଣ ତା’ ଅଛି ।

 

ଯଦି ବହିଯାଉଥିବା ସମୟର ସୁଅ ତୋଡ଼ରେ ସେ ଠେଲିହୋଇ ଯାଇ ଅବାଟରେ ପାଦ ଥୋଇଦିଏ, ତେବେ ଯଶୋଧାରା କ’ଣ ଗୋଟାଏ ଚାବୁକ୍‍ ପାହାର ଦେଇ ତାକୁ ପଛକୁ ଟାଣିଆଣି ପାରିବ ।

 

ନା, କେବେ ନୁହେଁ । ଯଶୋଧାରା ସେଥିପାଇଁ ଅଯୋଗ୍ୟ । ସେ ହୁଏତ ବେମାର ପଡ଼ିଲେ ଯଶୋଧାରା ନିଜକୁ ଉତ୍ସର୍ଗ କରି ସେବା କରିପାରେ, କିନ୍ତୁ ଭୁଲ୍‍ ବାଟରୁ ଶାସନର ଧମକ ଦେଖାଇ ଟାଣି ଆଣିବା ପାଇଁ ଯେଉଁ ଅଧିକାର ଲୋଡ଼ା, ଯଶୋଧାରାଠାରେ ତାହା ସଂପୂର୍ଣ୍ଣ ଅନୁପସ୍ଥିତ ।

 

ଆଉ କିଏ ? ସୁର ଭାଇ !

 

ତା’ର ବାଳିକା-ଜୀବନର ସହଚର—ତରୁଣୀ-ଜୀବନର ସୁର ଭାଇ ! ଯିଏ ଗାଁ ଲୋକଙ୍କ ଟିକିଏ ନିନ୍ଦା ଶୁଣି ଘରେ ଥାଇ ନାହିଁ ବୋଲି ତାକୁ ଦୁଆରମୁହଁରୁ ଫେରାଇ ଦେଇଥିଲେ, ସେଇ ଶିଳ୍ପୀ ସୁର ଭାଇ !

 

ନା, ନା, ସୁର ଭାଇ ସେଥିପାଇଁ ଅଯୋଗ୍ୟ ।

 

ନିଜର ଦୂର୍ବଳତା ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ । ସେଇଥିପାଇଁ ଜିଦ୍‍ କରି ସାଗରିକା ସହିତ ସେ ତାଙ୍କର ବିବାହ କରି–ଦେଇଛି । କେଉଁ ସାହସରେ ନିଜର ଆତ୍ମାକୁ ସେ ସୁର ଭାଇଙ୍କ ଜିମା ଛାଡ଼ିଦେବ ?

 

ଲୀଳା ଆଖିରୁ ଅଶ୍ରୁଧାର ବେଳକୁ ବେଳ ବେଗବତୀ ହୋଇଉଠୁଛି... ସତେ ଯେମିତି ସେ ସୀମାହୀନ ଏକ ସମୁଦ୍ରରେ ଗୋଟିଏ ଭଙ୍ଗା ନୌକା ଉପରେ ଭାସିଯାଉଛି, ପାଖରେ ଆହୁଲା ନାହିଁ !

 

କେତେବେଳକେ ଲୀଳା ସ୍ଥିର ହେଲା ।

 

ଅଶ୍ରୁଧାର ତା’ର ହେଲା ଶୀର୍ଣ୍ଣସ୍ରୋତା ।

 

ସତେ ଯେମିତି ସେ ରାହା ପାଇଛି ।

 

ରାଧାମାଧବଙ୍କ ଆଡ଼କୁ ସେ ମିନିଟ୍‍ କେତୋଟି ଅପଲକ ଦୃଷ୍ଟିରେ ଚାହିଁ ରହିଲା । ତା’ପରେ ଠାକୁରଙ୍କ ପାଦତଳେ ଲୋଟିଯାଇ କହିଉଠିଲା, ମୁଁ ସଂଧାନ ପାଇଛି ମାଧବ । ସତ୍ୟର ସଂଧାନ ମତେ ମିଳିଛି । ଏ ଦେହ ମୋର ଅପବିତ୍ର—ଲୋଭ, ମୋହ, ମାୟା, ମମତାର ଗୁରୁଭାରରେ ଏ ଦେହ ମୋର ପୀଡ଼ିତ, ରୁଗ୍ଣ । ଏ ରୁଗ୍ଣ, ଅପବିତ୍ର ଦେହର ଅନ୍ତରାଳରେ ଯେଉଁ ବ୍ରାହ୍ମଣବଂଶର ଆତ୍ମା ଏବେ ବି ମୋର ପବିତ୍ର ଅଛି ବୋଲି ମନେ ହେଉଛି, ତାହା ଆପଣଙ୍କ ଜିମା ରହିଲା । ଏ ବିରାଟ ପୃଥିବୀର ଜନ କୋଳାହଳ ମଧ୍ୟରେ ମୁଁ ଏକୁଟିଆ, ନିଛାଟିଆ, ଅସହାୟା, ଅବଳା ନାରୀ । ମୋର ଶିକ୍ଷା, ସଭ୍ୟତା ମୋ ଜୀବନକୁ ଭିନ୍ନମୁଖୀ କରିଛି । ତମେ ମୋର ଏ ଆତ୍ମାକୁ ରକ୍ଷାକର ମାଧବ ! ତମେ ମତେ ଏ ନିଛାଟିଆ ମରୁଭୂମିରେ ଜଳର ସଂଧାନ ଦିଅ ।

 

ତେଣେ ଭାତ ଶୁଖି ଚାଉଲଭଜା ହୋଇଯାଉଛି ।

 

ଯଶୋଧାରା ଡାକିଲା, ଲୀଳା !

 

ଲୀଳା ଚମକି ଉଠିଲା । ଏଇ କାମନା, ଲାଳସାର ଡାକରା ଶୁଭୁଛି...ରକ୍ତ ମାଂସର ମଣିଷ ମୁଁ ମାଧବ । ...ମତେ ସେ ଡାକରା ଶୁଣିବାକୁ ହେବ ।

 

ରାଧାମାଧବ ମୂର୍ତ୍ତି ଉପରୁ ଗୋଟିଏ ଗୋଲାପ ପାଖୁଡ଼ା ଖସିପଡ଼ିଲା ।

 

ଲୀଳା ଚମକି ପଡ଼ିଲା, ଏଁ !!

 

ନାରଣ ମାଷ୍ଟ୍ରେ ଚଷମାର ଲେନ୍‍ସଟାକୁ ଖବର କାଗଜ ଉପରେ ଜୋରରେ ମାଡ଼ିଦେଇ ଖବରଟା ପଢ଼ୁ ଥିଲେ । ପଢ଼ିବା ସଙ୍ଗେ ସଙ୍ଗେ ମୁହଁର ରଙ୍ଗ ତାଙ୍କର ବେଳକୁ ବେଳ ବଦଳି ଯାଉଥିଲା । ଚିନ୍ତାରେଖା ହୋଇଆସୁଥିଲା କୁଞ୍ଚିତ ।

 

କୋଡ଼ିଏବର୍ଷ ଚାକିରି ପରେ ପ୍ରାଥମିକ ଶିକ୍ଷକମାନେ ଅବସର ନେବେ ।

 

ତାଙ୍କ ଚାକିରି ଆସି ଉଣେଇଶି ବର୍ଷରେ ପହଞ୍ଚିଲାଣି ।

 

ଆଉ ବର୍ଷେ ।

 

ତା’ପରେ !

 

ଖବର କାଗଜ ମୋଡ଼ିମାଡ଼ି ରଖିଦେଇ ନାରଣ ମଷ୍ଟ୍ରେ ବିରକ୍ତିରେ ଉଠିଆସିଲେ । ନିଜ ଦେହକୁ ଅନେଇଲେ । ନିଜ ମନ ଭିତରକୁ ଅନେଇଲେ । କାହିଁ, ନିଜକୁ ତ ସେ ବେଶ୍‍ ସବଳ ମନେ କରୁଛନ୍ତି ।

 

ଗୋଟାଏ ବର୍ଷ ଭୀତରେ କ’ଣ ତାଙ୍କର ସମସ୍ତ ଶକ୍ତି ଶୂନ୍ୟ ହୋଇଯିବ । ସେ କ’ଣ ପିଲାଙ୍କୁ ଅ’ ଆ’ କ’ ଖ’, ମିଶାଣ, ଗୁଣାଣ, ରମା, ରବର, ରମାର ରବର ପଢ଼ାଇବାକୁ ଅଯୋଗ୍ୟ ହୋଇଯିବେ ।

 

ଯଦି ତା’ ସତ୍ୟ ହୁଏ ।

 

ଖବର କାଗଜରେ ଯଦି ଏ ସଂବାଦର ଭ୍ରମ ସଂଶୋଧନ ନ ବାହାରେ ।

 

ତେବେ !

 

ନାରଣ ମାଷ୍ଟ୍ରଙ୍କ ଧଳା ଶ୍ମଶ୍ରୁଳ ରୁକ୍ଷ ମୁହଁଟା ହଠାତ୍‍ କେମିତି ରକ୍ତଶୂନ୍ୟ, ମଳିନ ପଡ଼ିଗଲା । କେମିତି ସେ ଚଳାଇବେ ଏ ସଂସାର ।

 

ସୁର !

 

ସୁର କଥା ତାଙ୍କ ପେଟ ଭିତରୁ ବାହାରିଆସି ତଣ୍ଟି ପାଖରେ ଅଟକିଯାଏ...ସେ ନିଜେ ଚିନ୍ତାଧାରାର ଗତି ବଦଳାଇ ଦିଅନ୍ତି । କିଛି ଦିନ ତଳେ ସୁରର ସୁନ୍ଦର ଭବିଷ୍ୟତ କଥା ଚିନ୍ତା କଲାବେଳକୁ ଚିନ୍ତାଧାରା ତାଙ୍କର ଉଷ୍ମ ହୋଇ ଉଠୁଥିଲା ନିଜ ନିର୍ଜୀବ ଦେହରେ ଶକ୍ତି ସଂଚାରିତ ହେଉଥିଲା । କିନ୍ତୁ ଆଜିକାଲି ସେକଥା ଚିନ୍ତା କଲାବେଳକୁ ମନ କେମିତି ବିଷେଇ ଉଠୁଛି...ସୁର ତାଙ୍କ ବିଶ୍ଵାସ, ଭରସା ସହିତ ବିଶ୍ଵାସଘାତକତା କରିଛି !

 

ସୁର ସେମିତି ଛୋଟ ହୋଇ ରହିଗଲା ।

 

ବାହାହେଲା ସହରର କେଉଁ ଏକ ନର୍ସକୁ—ଲୀଳାର ବୁଦ୍ଧିରେ ପଡ଼ି ।

 

ନିଜ ପୁଅ ବୋଲି କହି ଏ ଅସଙ୍ଗତିରୁ ଭାର୍ଗୀଦାର ହେବା ପାଇଁ ନାରଣ ମାଷ୍ଟ୍ରଙ୍କର କେମିତି ଏକ ବିରକ୍ତି ଆସିଯାଇଛି । ଏ ମାଟି ଘରକୁ ଭାଙ୍ଗି କୋଠାଘର କରିବା ପାଇଁ ଏବଂ ଏ ନିମ୍ନ–ମଧ୍ୟବିତ୍ତ ପରିବାରର ପରମ୍ପରାକୁ ଭାଙ୍ଗିବା ପାଇଁ ତାଙ୍କ ମନରେ ଯେଉଁ ଅସମ୍ଭବ କଳ୍ପନାସବୁ ଥିଲା, ତାହା ସେମିତି ତାଙ୍କ ମନ ଭିତରେ ଚାପା ପଡ଼ିଯାଇଛି ।

 

ସୁର ଅଯୋଗ୍ୟ ହେଲା ।

 

ସୁର ହେଲା ଚିତ୍ରକର—ଶିଳ୍ପୀ !

 

ସେ କ’ଣ ସୁରକୁ ଏଇଆ ହେବ ବୋଲି ଆଶା କରିଥିଲେ !

 

ନାରଣ ମାଷ୍ଟ୍ରେ ଉଠିଗଲେ ଦାଣ୍ଡପିଣ୍ଡାକୁ ।

 

ମିଶ୍ରଙ୍କର ଭଙ୍ଗାଘର ଦିଶୁଛି ।

 

କୋଠା ପାଣି ଖାଇ ଖାଇ ଭୁଷୁଡ଼ି ପଡ଼ି ଏକ ଇଟାସ୍ତୁପରେ ପରିଣତ ହୋଇଛି । କେହି ଦେଖାଶୁଣା କରିବାକୁ ନାହିଁ । ଚାକର ବଳିଆ ଏକା । ଲୀଳା ଡାକ୍ତରଣୀ ହୋଇଛି କଟକରେ । ମିଶ୍ର ଘର ବୁନିଆଦି, ଆଭିଜାତ୍ୟ ଇଟାଗଦାରେ ପରିଣତ ହୋଇଛି ।

 

ଅସ୍ତକାଳୀନ ସୂର୍ଯ୍ୟର ନାଲି କିରଣ ସେ ଇଟାଗଦା ଉପରେ ଜମା ହୋଇଛି । ନାରଣ ମାଷ୍ଟ୍ରେ ଅବାକ୍‍ ହୋଇ ସେଇଆଡ଼େ ଚାହିଁ ରହିଛନ୍ତି । ଏଇ ଆଖିରେ ସେ ଦେଖିଛନ୍ତି ସନାତନ ମିଶ୍ରଙ୍କ ଆଖି ପିଛୁଳାକେ ବଳଭଦ୍ର ମିଶ୍ରଙ୍କ କାଦୁଅ ମାଟିର ମାଣ୍ଟୁ ଘର ମେଘନାଦ ପାଚେରୀ ଭଳି ଆକାଶକୁ ମୁଣ୍ଡଟେକି ଠିଆହୋଇ ଯାଇଥିଲା । ଲୋକଗହଳିରେ ଥାଟପଟାଳି ଭାଙ୍ଗୁଥିଲା ଚଉପାଢ଼ୀ ।

 

କୁଆଡ଼େ ଗଲା ସେ ଘର !

 

କୁଆଡ଼େ ହଜିଗଲେ ମିଶ୍ରେ !

 

ନାରଣ ମାଷ୍ଟ୍ରେ ଦୃଷ୍ଟି ଫେରାଇଲେ—ଏପଟେ ବାଉରି ସାଇ—ଅପନା କଣ୍ଡରା ସିନ୍ଧୁଆ ବାଉରି ଘର—କେଳାକୁଡ଼ିଆ ଭଲି ଛୋଟ ଛୋଟ ଘରମାନ ଏବେ କଚ୍ଚା ଘର ହେଲାଣି—ସାମନା ବିଲରେ ଇଟା ପକାଇଛନ୍ତି ସେମାନେ—ଦାଣ୍ଡପିଣ୍ଡା ଏବର୍ଷ ଇଟା କରିବେ—

 

ହେମାଙ୍ଗିନୀ କହୁଥିଲେ, ସେଇମାନଙ୍କ ପାଖରେ ପଇସା । ଅପନା କଣ୍ଡରା ପୁଅ ଗଉତମା ଏବର୍ଷ ମାଇନର ସ୍କୁଲ ବୃତ୍ତି ପାଇଚି—ଏ ତ ସେଇମାନଙ୍କର ଯୁଗ—ସନାତନ ମିଶ୍ରଙ୍କ ଖାନଦାନି ଘର ଭାଙ୍ଗି ଯାଇଚି—ଗଢ଼ି ଉଠୁଚି ବାଉରି ସାହି, କଣ୍ଡରା ସାହିର ଇଟାଘର—

 

ଆଉ ସେ !

 

ସେ ଯେମିତି ଏ ଭଙ୍ଗା ଗଢ଼ାର ଛକା ପଞ୍ଝା ଭିତରେ ତ୍ରିଶଙ୍କୁ ହୋଇ ରହିଯାଇଛନ୍ତି । ଇଚ୍ଛା କଲେ ବି କିଛି କରିପାରୁ ନାହାନ୍ତି । ତାଙ୍କ କର୍ମକୁ ଅମୃତଭଣ୍ଡା ଗଛରେ କରମଙ୍ଗା ଫଳୁଚି—

 

ସୁରଟା ଯଦି ମଣିଷ ହୋଇଥାନ୍ତା !

 

ସୁର ରୀତିମତ ଗୋଟିଏ ଅମଣିଷ ହୋଇଗଲା ବୋଲି ନାରଣ ମାଷ୍ଟ୍ରଙ୍କର ଏକ ବଦ୍ଧମୂଳ ଧାରଣା ହୋଇଯାଇଛି । ସେଥିପାଇଁ କୌଣସି ଯୋଜନା କଲାବେଳେ ସୁରକୁ ସେ ହିସାବ ଭୀତରକୁ ଆଣୁ ନାହାନ୍ତି ।

 

ଟିକିଏ ଶୁଣ !

 

ନାରଣ ମାଷ୍ଟ୍ରେ ପଛକୁ ଚାହିଁଲେ । ହେମାଙ୍ଗିନୀ ଠିଆହୋଇ ଡାକୁଛନ୍ତି ।

 

ମତେ ଡାକୁଛ ! କ’ଣ ?

 

ହେମାଙ୍ଗିନୀ କହିଲେ, ଏଠିକି ଆସ । ଶୁଣ ।

 

ନାରଣ ମାଷ୍ଟ୍ରେ ପାଖକୁ ଗଲେ । ପଚାରିଲେ, କ’ଣ କହୁଥିଲ !

 

କଟକରୁ ଚିଠି ଆସିଚି । ବୋହୂ ଲେଖିଚି ସୁରର କ’ଣ ପିଲାଝିଲା ହେବ । ଲେଖିଚି ଯିବାକୁ, କ’ଣ କହୁଛ ?

 

ତାଚ୍ଛଲ୍ୟ କରି ମାଷ୍ଟ୍ରେ କହିଲେ, ବୋହୂ ! କି ବୋହୂ ସେ ।

 

କ’ଣ ସେମିତି ଗୋଟାଏ ହେଉଚ । ...କ’ଣ ସିଏ ଏମିତି ପାପ କରି ପକାଇଛି । ଏମିତି ତ ଦେଖାଚାହାଁ ବାହାଘର ଦୁନିଆଯାକ ଚାଲିଛି । କିଏ କହୁଥିଲା ସକ ସକ ହୋଇ ପୁଅକୁ ବେ’ ପଢ଼ାଇବାକୁ ।

 

ରାଗରେ ଗରଗର ହୋଇ ହେମାଙ୍ଗିନୀ ଚାଲିଗଲେ । ପୁଅ ବୋହୂଙ୍କ ପ୍ରତି ନାରଣ ମାଷ୍ଟ୍ରଙ୍କ ଏ ଅସହିଷ୍ଣୁ ଭାବକୁ ସେ ସହ୍ୟ କରି ପାରୁ ନ ଥିଲେ । ସେ ବୁଝନ୍ତି, ପୁଅ ଯାହାକୁ ବାହା ହେଲା ସେ ହେଲା ବୋହୂ । ସେ ନର୍ସ ହେଉ, ମାଷ୍ଟରଣୀ ହେଉ—ସେଥିରେ ତାଙ୍କର ଯାଏ ଆସେ କେତେ ?

 

ନାରଣ ମାଷ୍ଟ୍ରେ ଗମ୍ଭୀର ହୋଇଗଲେ ।

Unknown

 

ସମୟ–ସ୍ରୋତର ପ୍ରତିକୂଳରେ ଠିଆ ନ ହୋଇ ନିଜକୁ ସେ ସ୍ରୋତ ସହିତ ଖାପ ଖୁଆଇନେବାକୁ ମନେ ମନେ ଗୋଟାଏ ଯୋଜନା ଆରମ୍ଭ କରିଦେଲେ । ଯେତେହେଲେ....

 

ମୁଣ୍ଡରେ ସିନ୍ଦୁର ବଦଳରେ ଚନ୍ଦନ । ଗଳାରେ ସୁନାହାର ବଦଳରେ ରୁଦ୍ରାକ୍ଷର ମାଳା । ପରିଧେୟ ସିଲ୍‍କ ଶାଢ଼ୀ ନୁହେଁ— ଠିକ୍‍ ଖଡ଼ି ରଙ୍ଗର ଧଳା ଶାଢ଼ୀ ।

 

ରବିବାର ଦିନ ଡାକ୍ତରଖାନା ସମସ୍ତଙ୍କ ପାଇଁ ମୁକ୍ତ...ମାଗଣା । ଦିନ, ଦୁଃଖୀ, ନିରାଶ୍ରୟମାନଙ୍କର ଭିଡ଼ ସେଦିନ । ନିର୍ବିକାର ଭାବରେ ଲୀଳା ସେବା କରିଚାଲେ । ଅଳକା ଖଟି ଖଟି କ୍ଳାନ୍ତ ହୋଇପଡ଼ିଲେ ବିରକ୍ତ ହୁଏ, ଯୁକ୍ତି କରେ ।

 

ଏମିତି ମାଗଣା ସେବା କଲେ ଅନ୍ୟ ଦିନେ ବ୍ୟବସାୟ ଅଚଳ ହୋଇପଡ଼ିବ ମିସେସ୍‍ ମିଶ୍ର । କଟକ ସହରରେ ଡାକ୍ତରମାନେ ହାତବାନ୍ଧି ବସିବେ.....

 

ଲୀଳା ଅଳକା ମୁହଁକୁ ଚାହେଁ, ହସେ । କହେ, କ୍ଳାନ୍ତ ଲାଗିଲାଣି ? ଯାଅ । ମିଛରେ ବିରକ୍ତ ହୁଅ ନାହିଁ । ଚାଲିକରି ଯିବ କି । ରିକ୍‍ସା ଡାକିଦେଉଛି । ହେ ରିକ୍‌ସା ! ନେ ଦିଦିଙ୍କୁ ଟିକିଏ ବଙ୍ଗାଳୀ ସାହିରେ ଛାଡ଼ିଦେବୁ ନେ’ ଆଠଣା ପଇସା ରଖ କେତେ ଦଶ’ଣା ନେବୁ । କେତେ ମାଇଲ ବାଟ ? ନେ—ନେ,ଦଶ’ଣା ନେଲୁ. ଆଉ କାହରିକି ଏଠିକାର ନଜିର ଦେଖାଇ ଜୁଲମ୍‍ କରିବୁ ନାହିଁ ଯାଅ ଅଲକା ! —ବସ । ରିକ୍‌ସା ଠିଆହେଲା ଯେ !

 

ଅଳକା ଏଇ ଅଦ୍ଭୁତ ନାରୀଟିକୁ ମିନଟ୍‍ କେତୋଟି ଚାହେଁ । ତା’ପରେ ନିଃଶବ୍ଦରେ ପାହାଚରେ ଓହ୍ଲାଇଯାଇ ଧଡ଼୍‍ କିନି ବସିପଡ଼େ ରିକ୍‌ସା ଉପରେ...

 

ରିକ୍‍ସା ଯିବାର ଶବ୍ଦ ଶୁଭେ ଟିଣ୍‍...ଟିଣ୍‍...

 

ଲୀଳା ପୁଣି ଚିକିତ୍ସା ଆରମ୍ଭ କରେ ଜଣକ ପରେ ଜଣେ । ସହରରେ ହାଟ ବସିଚି, ମିଶ୍ର ଡାକ୍ତରାଣୀ ବୈଷ୍ଣବି ହୋଇ ଯାଇଛନ୍ତି । ମାଗଣା ଚିକିତ୍ସା କରୁଛନ୍ତି । ମୁଣ୍ଡରେ ଟିପି ଟିପି ଚନ୍ଦନ...ଗଳାରେ ରୁଦ୍ରାକ୍ଷମାଳ...ଦେହରେ ଶୁଭ୍ର ବସନ ।

 

ଗରିବ, ଦୁଃସ୍ଥ ଲୋକଙ୍କ କଣ୍ଠରେ ତା’ର ଜୟଜୟକାର । ସାକ୍ଷାତ ଦେବୀ ଦୟା, କରୁଣା, ଅନୁକମ୍ପାର ଏକ ଅସରନ୍ତି ଉତ୍ସ ଶେଷହୀନ ଧାରା । ସବୁବେଳେ କଣ୍ଠରେ ଆହା ପଦ । ଦିନ ନାହିଁ । ରାତି ନାହିଁ ଯେତେବେଳେ ଯାଅ ସେତେବେଳେ ସେବା ପାଇଁ ଦ୍ଵାର ତାଙ୍କର ମୁକୁଳା ।

 

ଲୀଳା ମଣିଷ ନୁହନ୍ତି, ଦେବୀ !

 

ଲୀଳାର ଲୋକପ୍ରିୟତା, ମାଗଣା ଚିକିତ୍ସା ଫଳରେ ଯେଉଁ ଡାକ୍ତରମାନଙ୍କ ଦୋକାନ ଗହଳି ନିର୍ଜନ ହୋଇଆସୁଛି, ସେମାନଙ୍କର ଆଖିରେ ଲୀଳା ଲୀଳାମୟୀ ହୋଇଉଠିଛି ।

 

ଡାକ୍ତର ସଦାନନ୍ଦ ମିଶ୍ର ସେଦିନ ଏକବାରେ ବିରକ୍ତ ହୋଇ ଉଠିଲେ । ତାଙ୍କ ମୁହଁରେ ଜଣେ ରୋଗୀ ସେଦିନ କଡ଼ା କଥା ଦି’ ପଦ ଶୁଣାଇଦେଲା ଆସିଥିଲା କୌଣସି ଏକ ରୋଗର ପରାମର୍ଶ ପାଇଁ ସେ..... ।

 

ଡାକ୍ତର ମିଶ୍ର କଥାବାର୍ତ୍ତା ଆରମ୍ଭ କରିବା ଆଗରୁ କହିଲେ, ଷୋଳଟଙ୍କା ଫିସ୍‍ ଆଣ । ମେଡ଼ିକାଲ କଲେଜ ପ୍ରଫେସର । କଥାବାର୍ତ୍ତା କଲେ ଷୋଳଟଙ୍କା ଫିସ୍‍ ଦେବାକୁ ପଡ଼ିବ ବୋଲି କ’ଣ ଜାଣିନାହଁ ?

 

ରୋଗୀ ଜଣକ ଆକାଶରୁ ଖସିପଡ଼ିଲା ଭଳି କହିଲା, କ’ଣ ? ଯୋଉ ରଜ୍ୟରେ ଲୀଳା ଦେବୀଙ୍କ ଭଳି ଡାକ୍ତରାଣୀ ଅଛନ୍ତି, ସେ ରାଜ୍ୟରେ ତମ ଭଳି ଜୋକ ଡାକ୍ତର ବି ଅଛନ୍ତି ବାବୁ ! ...ରାମ୍‍–ରାମ୍‍–

 

ରୋଗୀ ଜଣଙ୍କ ଷୋଳଟଙ୍କା ଫିସ୍‍ ନ ଦେଇ ଚାଲିଗଲା । ପାଖରେ ବସିଥିବା ଅନ୍ୟ ରୋଗୀମାନେ ମୁହଁ ବିକୃତ କଲେ । ଡାକ୍ତର ମିଶ୍ରଙ୍କ ପାଇଁ ଲୋକଟିର ଏ କଥା ପଦକ ଏକ ଶକ୍ତ ପାଞ୍ଚଣ ପାହାର ଭଳି ଲାଗିଲା । ସେ କହିଲେ, ହେ...ଲୀଲା ! ମୋରୀ ଛାତ୍ରୀ ଥିଲା ପାଠ ପଢ଼ୁଥିବାବେଳେ କେତେ ଛାତ୍ରଙ୍କୁ ମୋର କେତେ ଘାଟରେ ପାଣି ପିଆଇଛି ବିଧବା ହେଲା ପରେ ଏବେ କୁଆଡ଼େ ଗୋପୀ ସାଜିଛି ମୁଁଣ୍ଡରେ ଚନ୍ଦନର ଟୀକା, ବେକରେ ରୁଦ୍ରାକ୍ଷ ରାତିଯାକ ଯେଉଁ ଲୀଳା ଲଗାଇ ପାପ କରୁଛି, ଦିନରେ ମାଗଣା ଚିକିତ୍ସା କରି ସେ ପାପର ପ୍ରାୟଶ୍ଚିତ୍ତ ନ କଲେ.....

 

ଉପସ୍ଥିତ ରୋଗୀମାନଙ୍କ ମଧ୍ୟରୁ ଅନେକେ କାମରେ ହାତ ଦେଇଦେଲେ । ଆଉ କେତେକ କଥାଟାକୁ ଉପଭୋଗ କରିବା ପାଇଁ ଡାକ୍ତର ମିଶ୍ରଙ୍କ ସହିତ ଆଉ ଦି’ ପଦ ମିଶାଇଦେଲେ ।

 

ସହରରେ ଲୀଳାବତୀର ସୁନାମ ସହିତ ଦୁର୍ନାମଟା ମଧ୍ୟ ସମତାଳ ଦେଇ ଗତିକରି ଚାଲିଲା ।

 

ଲୀଳାର କିନ୍ତୁ ଏ କୌଣସି କଥାକୁ ଭ୍ରକ୍ଷେପ ନାହିଁ । ସେ ତା’ ବାଟରେ ଚାଲିଛି । ଦିନକୁ ଦିନ ସେବା, ଚିକିତ୍ସା ତା’ର ବଢ଼ି–ଚାଲିଛି । ତା’ ସହିତ ବଢ଼ି ଚାଲିଛି ରାଧାମାଧବଙ୍କ ପୂଜା.....

 

ଦେହ ତା’ର ଡାକ୍ତରଖାନାରେ ଶହ ଶହ ଦିନ, ମଳିନ, ଦୁଃସ୍ଥ, ପୀଡ଼ିତ ରୋଗୀଙ୍କ ପାଖରେ...ଆତ୍ମା ତା’ର ରାଧାମାଧବଙ୍କ ପାଖରେ—ତାଙ୍କର ନିରାଜନା—ପାଦସେବାରେ—

 

ସେଦିନ ଏକ ମେଘମେଦୂର ଅପରାହ୍ନରେ ଲୀଳା ଡାକ୍ତରଖାନାରେ ଚିକିତ୍ସା କରୁଥିଲାବେଳେ ଚମକି ଉଠିଲା ତ’ର ରୋଗୀମାନଙ୍କ ଆଧ୍ୟରେ ସାଗରିକା !

 

ତୋର କଣ ହୋଇଛି ସାଗରୀକା ! ତୁ ଏଠି କେମିତି ? ଲୀଳା । ନିଜ ଚେୟାରରୁ ଉଠିଯାଇ ଏକପ୍ରକାର ସାଗରୀକାକୁ ଆଲିଙ୍ଗନ କରି ପକାଇଲା ।

 

ପଛରେ ସୁର ।

 

ଅପ୍ରତିଭ ହୋଇପଡ଼ିଲା ଲୀଳା ।

 

ତମେ ତମେ ସୁର ଭାଇ....ଏଠାରେ କେତେବେଳୁ ! —ଲୀଳା କଣ୍ଠରେ କଥାବାର୍ତ୍ତାଗୁଡ଼ିକ ବିସ୍ମୟର ମୌସୁମି ସ୍ପର୍ଶରେ କେମିତି ଆର୍ଦ୍ର ହୋଇଉଠିଛି ।

 

ସୁର କହିଲା, ହଁ, ମୁଁ ଆସିଚି ଲୀଳା ! ସାଙ୍ଗରେ ସାଗରୀକା .ତାକୁ ତ ମୁଁ ଏଇ ଦେଖୁଚି–ତମ ଦୁହିଁଙ୍କ ପାଦ କେମିତି ମୋ ଦୋକାନରେ ହଠାତ୍‍ ପଡ଼ିଲା !

 

ଉତ୍ତର ଦେବା ଆଗରୁ ସୁର ଅନେଇଲା ଉପସ୍ଥିତ ରୋଗୀଗୁଡ଼ିକଙ୍କ ଆଡ଼କୁ । ଲୀଳା ବୁଝିଲା, ଏଇ ରୋଗୀମାନଙ୍କ ଉପସ୍ଥିତରେ ନିଜେ ଆସିବାର କାରଣ ବ୍ୟକ୍ତ କରିବାକୁ ସୁର ଭାଇ ତା’ର ପ୍ରସ୍ତୁତ ହେଉ ନାହିଁ ।

 

ଆଉରି ପାଞ୍ଚ ସାତଜଣ ରୋଗୀ ଅପେକ୍ଷା କରିଛନ୍ତି । ସେମାନଙ୍କ କାମ ଶେଷ କରୁ କରୁ ଘଣ୍ଟାଏ ଅତି କମ୍‌ରେ ଦରକାର । ସେ କ’ଣ ଏ ଦୁଇ ଘଣ୍ଟାର ବିଳମ୍ବ ନିରବରେ ସହ୍ୟ କରିପାରିବ !

 

ଅଳକା ! ଲୀଳା କୁଣ୍ଠିତ କଣ୍ଠରେ ଡାକିଲା ।

 

ମିସ୍‍ ଅଳକା ମିତ୍ର ଆସି ବାଧ୍ୟ ଛାତ୍ରୀଟି ଭଳି ପାଖରେ ଠିଆ ହେଲେ ।

 

ମୁ ଟିକିଏ ବସାକୁ ବାହାରି ଯାଉଛି...ଏ ରୋଗୀମାନଙ୍କ ବ୍ୟବସ୍ଥା ଟିକିଏ ତମେ କରିଦିଅ ଅଳକା ! ମୁଁ ଆସୁଛି ।

 

ସୁର ଓ ସାଗରିକା ସହିତ ଲୀଳା ଡାକ୍ତର ଦୋକାନ ପାହାଚ ଦେଇ ରାସ୍ତାକୁ ଅବତରଣ କରି ଆସିଲା । ନିଜ କର୍ତ୍ତବ୍ୟରେ ତୃଟି କରିବା ଲୀଳା ପକ୍ଷରେ ଏଇ ସର୍ବପ୍ରଥମ । ଅନ୍ୟ ଦିନ ଯେତେ କାମ ଥିଲେ ବି ରୋଗୀମାନଙ୍କ କାମ ନ ଛିଣ୍ଡାଇ ସେ କୁଆଡ଼େ ଯାଇ ନାହିଁ ।

 

ଅଳକା ଆଖିରେ ସନ୍ଦେହର ପରଳ ମାଡ଼ିଯାଇଛି ।

 

କିଏ ଏଇ ନାରୀ, ପୁରୁଷ ଦୁଇଜଣ !

 

କାହିଁକି ଏମାନଙ୍କୁ ଦେଖି ଲୀଳା ଦେବୀ ଆକସ୍ମିକ ଭାବରେ ନିଜ କର୍ତ୍ତବ୍ୟରେ ଏକ ବ୍ୟତିକ୍ରମ ସୃଷ୍ଟି କରି ହଠାତ୍‍ ଚାଲିଗଲେ !

 

ମିସ୍‍ ଅଳକା ମିତ୍ର ନିଜ ମନର ବିଚଳନ ସମ୍ଭାଳି ନେଇ ନିଜ କର୍ତ୍ତବ୍ୟ ପ୍ରତି ସତେଚ ହୋଇ ଉଠିଲେ ।

 

ସୁର, ସାଗରିକ ଆଉ ଲୀଳା ତିନିହେଁ ରାସ୍ତାରେ ଗୋଟିଏ କ୍ଷୁଦ୍ର ସରଳଲେଖା ସୃଷ୍ଟି କରି ନିଃଶବ୍ଦରେ ଆସୁଥିଲେ । ହଠାତ୍‍ ସାଗରିକା ହିଁ ସେ ନିଃଶବ୍ଦତାକୁ ଭଙ୍ଗ କଲା ।

 

ବାହାଘର ପରେ ତମେ ମତେ ଏମିତି ନିର୍ମମ ଭାବରେ ଭୁଲିଯିବ, ଏକଥା ମୁଁ ଅନ୍ତତଃ କଳ୍ପନା କରି ନ ଥିଲି ଲୀଳା !

 

ଲୀଳା ଏହାପରେ ସୁରର କୌଣସି ଏକ ସ୍ଵାଭାବିକ ମନ୍ତବ୍ୟର ଅପେକ୍ଷା ରଖିଥିଲା । ସୁର କିନ୍ତୁ ନିର୍ବିକାର ଭାବରେ ରାସ୍ତାରେ ଚାଲିଥାଏ । କୌଣସି ଶବ୍ଦର ଝଙ୍କାର ତା’ର କଣ୍ଠରୁ ଆଶା କରିବା ବୃଥା ହେଲା ।

 

ଅଗତ୍ୟା ଲୀଳା କହିଲା, ମୁଁ ଡାକ୍ତରଖାନାରେ ଏତେ ବ୍ୟସ୍ତ ଭାଉଜ’ଉ ! ଅସମ୍ଭବ ରକମର ଇଚ୍ଛା ଥିଲେ ମଧ୍ୟ ମୁଁ ଯାଇପାରି ନାହିଁ....

 

ଲୀଳା ମୁହଁରୁ ପ୍ରଥମ ଥର ପାଇଁ ଭାଉଜ’ଉ ଡାକ ଶୁଣି ସାଗରିକା ଆଉ ସୁର ଦୁହେଁ ଲୀଳା ଆଡ଼କୁ ଫେରି ଚାହିଁଲେ । ତଳକୁ ମୁହଁ ପୋତି ଲୀଳା ସମସ୍ତଙ୍କ ପଛରେ ଚାଲିଛି ।

 

ଏଥର ସୁରର ପାଳି । ସେ କହିଲା, ଆମ ଘରକୁ ଯିବାକୁ ତୁ କେବେ ଇଚ୍ଛାକରି ସମୟ ପାଇନୁ, ମୁଁ ବିଶ୍ଵାସ କରିବି କାହିଁକି ?

 

ତମେ 'ଭାଉଜଉ’କୁ ପାଇଲା ପରେ ମତେ ଆଉ ବିଶ୍ଵାସ କରିବ ନାହିଁ ମୁଁ ଜାଣେ । ସେଥିପାଇଁ ମଧ୍ୟ ମୋର କୌଣସି ଅବଶୋଷ ନାହିଁ… । ଲୀଳା ବେଦନା ଜଡ଼ିତ କଣ୍ଠରେ କହିଲା ।

 

ସତେ ଯେମିତି ସୁରର ବିବାହ ପରେ ଏକଦା ଅତି ଅନ୍ତରଙ୍ଗ ଥିବା ଏଇ ତିନିଜଣ ନରନାରୀଙ୍କ ମଧ୍ୟରେ କେମିତି ପାରସ୍ପରିକ ସଂପର୍କର ବୀଣା ତା’ର ଛିଡ଼ି ଛିନ୍ନ ଭିନ୍ନ ହୋଇଯାଇଛି ! ନିଜ ଅଜାଣତରେ ତହେଁଯାକ ନିଜ ନିଜର ସଂପର୍କକୁ ଭୁଲି ଯାଇଛନ୍ତି !

 

ଲୀଲାର ବସାଘର ପାଖ ହୋଇ ଯାଇଥିଲା ।

 

ତିନିହେଁ ବସାଘର ପିଣ୍ଡା ଉପରକୁ ଉଠିଲେ ।

 

ତିନିହେଁ ତିନୋଟି ଚେୟାର ଦଖଲ କରି ବସିସାରିବା ପରେ ଲୀଳା ଯଶୋଧାରକୁ ତିନୋଟି କୋଲ୍‌ଡ଼ ଡ୍ରିଙ୍କ୍ର ବରାଦ ଦେଲା ।

 

ତମ ଦୁଇଜଣଙ୍କୁ ଏକତ୍ର ଆଜି ଅତିଥି ରୂପେ ପାଇ ଏ କ୍ଷୁଦ୍ର ବସାଘର ମୋର ପବିତ୍ର ହୋଇଛି ସୁର ଭାଇ ! ଭିନ୍ନ ଭିନ୍ନ ଭାବରେ ଭିନ୍ନ ସମୟରେ ତମେ ଦୁହେଁ ଏ ବସାକୁ ଆସିଥିଲ କିନ୍ତୁ ମିଳିତ ଭାବରେ ଏକ ନୂତନ ସଂପର୍କର ଅଧିକାର ନେଇ ତମର ଏ ଉପସ୍ଥିତି ମୋ ବସାରେ ଏଇ ପ୍ରଥମ...ମୁଁ ସେଥିପାଇଁ ଆଜି ନିଜକୁ ଧନ୍ୟ ମନେକରୁଛି ଲୀଳା ଏତକ କଥା ଏକାଥରକେ କହିସାରି ଦମ୍‍ ନେଲା, ସତରେ ସେ ଆଜି ଯେମିତି ଧନ୍ୟ ହୋଇଛି !

 

ଲୀଳାର ଏ ନାଟକୀୟ ଭାଷଣ ଶୁଣିସାରି ସୁର କେବଳ ହସିଲା । ନିଲିପ୍ତ ଭାବରେ ଚାହଁ ରହିଲା ସେ ଲୀଳାର ମୁହଁ ଆଡ଼କୁ । ମୁଣ୍ଡରେ ସେମିତି ଚନ୍ଦନର ଗାର . କଣ୍ଠରେ ରୁଦ୍ରାକ୍ଷର ହାର—ବର୍ଷ କେତୋଟି ତଳର ଛନ୍ଦଚପଳା ତରୁଣୀଟି ଏଥି ଭିତରେ ସଂସାରର ପ୍ରତିଘାତ ଭିତରେ କେମିତି ସ୍ଥିର ଅଚଞ୍ଚଳ ହୋଇଉଠିଛି—

 

କୋଲ୍ଡ଼ ଡ୍ରିଙ୍କ ଆସି ଯାଇଥିଲା—

 

ଗୋଟାଏ ଗ୍ଲାସ ଉଠାଇନେଲା ସୁର ।

 

ଲୀଳା ଗୋଟିଏ ଗ୍ଲାସ୍‍ ଉଠାଇ ନେଉ ନେଉ ପ୍ରଶ୍ନ କଲା, କୁଆଡ଼େ ହଠାତ୍‍ ମୋ ଦୋକାନରେ ଉଠିଥିଲ, ସେ କଥା ତ ଏ ପର୍ଯ୍ୟନ୍ତ କହିଲ ନାହିଁ ସୁର ଭାଇ !

 

ଶେଷ ହୋଇ ଯାଇଥିବା ଗ୍ଳାସକୁ ଟେବୁଲ୍‍ ଉପରେ ରଖିଦେଇ ସୁର କହିଲା, ତୋ ଭାଉଜ’ଉ ସନ୍ତାନସମ୍ଭବା....ସେଇଥିପାଇଁ ତୋ’ ସହ ଟିକିଏ ପରାମର୍ଶ କରିବା ପାଇଁ...

 

କୋଲ୍‌ଡ଼ ଡ୍ରିଙ୍କଟା ଲୀଲା ସେପର୍ଯ୍ୟନ୍ତ ଶେଷ କରି ନ ଥିଲା । ସୁର କଥା ଶୁଣି ଗ୍ଲାସ୍‍ଟି ତା’ର ସ୍ଥିର ହୋଇଗଲା ହାତରେ ଟେବୁଲ ଉପରେ ଜୋରରେ ରଖିଦେଇ ସେ ଏକ ପ୍ରକାର ଚିତ୍କାର କରି ଉଠିଲା, ତମେ ଏତେ ବଡ଼ ଶୁଭ ସମ୍ବାଦଟାକୁ ଏପର୍ଯ୍ୟନ୍ତ ଚପେଇ ରଖିଛ ସୁର ଭାଇ ! ତମେ କେଡ଼େ ନିଷ୍ଠୁର ସତେ...

 

ବିନା ଭୂମିକାରେ ସୁର ତା’ର ଆସିବାର ଅଭିପ୍ରାୟଟାକୁ ଯେମିତି ଭାବରେ ବ୍ୟକ୍ତ କରିଥିଲା, ସେଥିରେ ସାଗରିକା ମୁହଁ ଲଜ୍ଜାରେ ରଙ୍ଗ ଧରି ଆସିଥାଏ । ସେ କେବଳ ନିରବରେ ସୁର ଆଉ ଲୀଳା ଦୁହିଁଙ୍କର କଥା ଶୁଣି ଯାଉଥିଲା ।

 

ସୁର କହିଲା, ଯେତେବେଳେ ଶୁଭ ସମ୍ବାଦଟା ଶୁଣିଲୁ, ଏଥର କହ କ’ଣ କରିବା ସେଥିପାଇଁ ପ୍ରଥମ ଥର ବୋଲି ସାଗରିକାର ଭାରି ଭୟ ।

 

ଲୀଳା ମନ୍ତବ୍ୟ କଲା, ନର୍ସିଂ ପାଶ୍‌କଲା ପରେ ବି ପ୍ରସବ ପାଇଁ ଡର !

 

ସେଇ ତ ହେଉଛି ମଜା କଥା ଅନ୍ୟ ସ୍ତ୍ରୀଲୋକକୁ ଯେ ପ୍ରସବ କରାଏ ସେ ଜାଣେ ପ୍ରସବର ଦାୟିତ୍ଵ କଷ୍ଟ ସତରେ ସାଗରିକା ଭାରି ଦୁର୍ବଳ ହୋଇପଡ଼ିଛି ଏ ବିଷୟରେ ସୁର ଉତ୍ତର ଦେଲା ।

 

ସନ୍ତାନ ହେବା ସମ୍ବାଦ ଶୁଣିବା ପରଠାରୁ ଲୀଳା ମନରେ ଆନନ୍ଦର ଡେଣା ଲାଗିଯାଇଛି ସେ ସୁରର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । ସାଗରିକା ଆଡ଼କୁ ଅନେଇ ସେ କହିଲା, ତମକୁ ଭାଉଜଉ ମୋର ଗୋଟିଏ ମାଗୁଣି । ମୋ ମାଗୁଣି ରଖିବ ନା !

 

ସାଗରିକା ଏଥର ଓଠ ଖୋଲିଲା, ମୁଁ ତମର କୌଣସି କଥା ଏଡ଼ିଦେବି—ତମେ ଏକଥା ମନକୁ ଆଣିପାରୁଛ ?

 

ଲୀଳା ଏଥର ଦୃଷ୍ଟି ଫେରାଇଲା ସୁର ଅଡ଼େ । କହିଲା, ତମେ କୁହ, ତମେ ମନା କରିବ ନାହିଁ ତ !

 

ସୁର ଓ ସାଗରିକା ସ୍ତମ୍ବିତ । କ’ଣ ମାଗିବ ଲୀଳା ?

 

ବିନୀତ କଣ୍ଠରେ ଲୀଳା କହିଲା, ମୋର ତମଠାରେ ଏଇ ପ୍ରଥମ ଆଉ ଶେଷ ମାଗୁଣି ଭାଉଜ’ଉ ତମର ପ୍ରଥମ ସନ୍ତାନଟିକୁ ତମେ ମୋ ହାତରେ ତୋଳିଦେବ. ମୁଁ ତାକୁ ତମଠୁ ଛଡ଼େଇ ଆଣିବି ନାଇଁ କିନ୍ତୁ ତାକୁ ମଣିଷ କରିବାକୁ ତମେ ମୋତେ ସୁବିଧା ଦେବ.....ଏ ନିଃସଙ୍ଗ ଜୀବନରେ ତାକୁ ମଣିଷ କରି ଗଢ଼ି ତୋଳିବାର ଗୌରବ ନେଇ ମୁଁ ମୋ ମନର ଓରମାନ ମେଣ୍ଟାଇ ନେବି....

 

କଥା କହିଲା ବେଳେ ଶେଷ ଆଡ଼କୁ ଲୀଳାର କଣ୍ଠ ବେଦନାରେ ଓଦା ହୋଇ ଆସିଲା । ଲୀଳାର ଏ ଅଦ୍ଭୁତ ମାଗୁଣି ଶୁଣି ସ୍ତବ୍‌ଧ ହୋଇଗଲା ସୁର । ସାଗରିକା ଦେଖିଲା, ବିଧବା ଲୀଳାର ମନର ପୁଞ୍ଜୀଭୂତ ଆଶା ସତେ ଯେମିତି ଏଇ ଗୋଟିଏ ମାଗୁଣିରେ ଠୁଳ ହୋଇଛି ! କେମିତି ସେ ନାହିଁ ବୋଲି ଜିଭରେ ଧରିପାରିବ !

 

ଦିନ ଶେଷ ହୋଇ ଯାଇଥିଲା ।

 

ସମାପ୍ତ ସର୍ଯ୍ୟର କିରଣ ଘରର ଝରକା ଦେଇ ଭିତରେ ଆସି ପଡ଼ୁଥିଲା ମୁର୍ଚ୍ଛିତ ହୋଇ-। ସେଇ ଅସ୍ତ ସୂର୍ଯ୍ୟ ଆଡ଼େ ଚାହିଁ ସୁର ଆଉ ସାଗରିକା ଶପଥ କଲେ, ଲୀଳାର ମାଗୁଣିକୁ ସେମାନେ ପୂରଣ କରିବେ ।

 

ମିନିଟ କେତୋଟି ପରେ ଦେହ ଭଲ ରଖିବା ପାଇଁ କେତୋଟି ପରାମର୍ଶ ନେଇ ସୁର ଓ ସାଗରିକା ଯେତେବେଳେ ରିକ୍ସାରେ ଉଠିଲେ, ଲୀଳା କେବଳ ସାମାନ୍ୟ ହସିଲା ତା’ପରେ ରାଧାମାଧବଙ୍କ ମନ୍ଦିର ଉଦ୍ଦେଶ୍ୟରେ ଜଣାଇଲା ଏକ ବିନମ୍ର ପ୍ରଣତି ।

 

ତା’ର ଠିକ୍‍ ମାସ ସାତୋଟି ପରେ ସୁରର ସେ ଭଡ଼ା ବସା ଘରେ ଗୋଟିଏ ପୁତ୍ର ସନ୍ତାନର କୁଆଁ କୁଆଁ ଡାକ ଶୁଭିଲା...ଲୀଳାର ଅସୀମ ଯତ୍ନ ଫଳରେ ସାମାନ୍ୟ କଷ୍ଟରେ ସାଗରିକା ଭୂମିଷ୍ଟ କରାଇଲା ଏଇ ଛୋଟ ସୁନ୍ଦର ଶିଶୁ ସନ୍ତାନଟିକୁ...

 

ସେତେବେଳକୁ ରାତ୍ରୀ ଶେଷ ପ୍ରହର ।

 

ସଂପୂର୍ଣ୍ଣ ସଚେତନ ହୋଇଉଠିବା ପରେ ସାଗରିକା ନବଜନ୍ମିତ ପିଲାଟାକୁ ଲୀଳା ହାତରେ ତୋଳିଦେଇ କହିଲା, ଜନ୍ମ ପରେ ଏ ଦାୟିତ୍ଵ ତମର ଲୀଳା ! ରାଧାମାଧବଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

 

ଲୀଳା ଛୋଟ ଶିଶୁଟିକୁ କେବଳ ବିହ୍ୱଳିତ ଆଖିରେ ଚାହିଁ ରହିଥିଲା । ଇସ୍ ! କେଡ଼େ ରଙ୍ଗା ହୋଇଛି ପିଲାଟା ! ଠିକ୍‍ ସୁର ଭାଇ ଭଳି ହେବ ।

 

ସୁର ଅଳ୍ପ ଅଳ୍ପ ହସୁଥିଲା । କହିଲା, ପିଲ୍‌ର ନାମ ତୁ ରଖିବୁ ଭଗୀରଥ । ଆମ ତିନିଙ୍କ ଜୀବନରେ ସେ ଶାନ୍ତିର ଗଙ୍ଗା ପ୍ରବାହିତ କରାଇଦେଇଛି ।

 

ସେଦିନ ସେ ରାତ୍ରୀର ଅନ୍ଧକାର ଭିତରେ ଭଗୀରଥ ବୋଲି ଯେଉଁ ପିଲାଟିର ନାମ ରଖାଯାଇଥିଲା, ପରବର୍ତ୍ତୀ ସମୟରେ ଟିଟୁ ବୋଲି ସେ ଆଖ ପାଖ, ସାଇପଡ଼ିଶା, ବନ୍ଧୁବାନ୍ଧବ ମହଲରେ ପରିଚିତ ହୋଇଗଲା ।

 

ସୁରର ବସା ପାଖରେ ଯେଉଁ କେତେଜଣ ଭଦ୍ରଲୋକ ନିଶ୍ଚଳରେ ସମୟ କଟାଉଥିଲେ, ଶିଶୁର ଚିତ୍କାର, କ୍ରନ୍ଦନ ଧ୍ଵନିରେ ସେମାନଙ୍କ କାନ ଅତଡ଼ା ପଡ଼ିଗଲା ।

 

ତା’ର କିଛିଦିନ ପରେ ଆରମ୍ଭ ହେଲା ଟିଟୁର ଅତ୍ୟାଚାର । ଅଫିସରୁ ଫେରି ସୁର ଯଦି କେଉଁଦିନ ଦେଖେ ତା’ର ଅଧାହୋଇ ପଡ଼ିଥିବା ଚିତ୍ରଟିରେ ସ୍ୟାହି ଢଳା ହୋଇଛି, ଆଉ କେଉଁଦିନ ତାକୁ ଦେଖିବାକୁ ମିଳେ ସମ୍ପୂର୍ଣ୍ଣ ହୋଇଥିବା ଚିତ୍ରଟି ପୂର୍ଣ୍ଣ ଚିରାହୋଇ ଯାଇଛି ।

 

ସୁର ସବୁ ସହିପାରେ, କିନ୍ତୁ ନିଜ ଚିତ୍ର-ଶିଳ୍ପ ଉପରେ ଅତ୍ୟାଚାର ତା’ ପକ୍ଷରେ ଅସହ୍ୟ ।

 

ସେଥିପାଇଁ ପ୍ରଥମ କିଛିଦିନ ଟିଟୁକୁ ସେ ଧମକ ଦେଇ ଏ ବିଷୟରେ ସତର୍କ କରିଦେଲା କିନ୍ତୁ ସେ ଧମକ ଯେତେବେଳେ ଟିଟୁ ପାଖରେ ସମ୍ପୂର୍ଣ୍ଣ ଅର୍ଥହୀନ ହୋଇପଡ଼ିଲା, ସେତେବେଳେ ସେ ତାକୁ ମୃଦୁ ଆଘାତ କରି ମାଡ଼ ଦେବାକୁ ମଧ୍ୟ ପଛେଇଲା ନାହିଁ ।

 

ସବୁଦିନେ ଡାକ୍ତରଖାନା ଫେରନ୍ତି ଲୀଳା ଫେରେ ସୁରର ଘର ଦେଇ । ଆସିଲାବେଳେ ଟିଟୁ ପାଇଁ ସେ କିଛି ନା କିଛି ଖେଳନା କିମ୍ବା ନୁଆ ପ୍ୟାଣ୍ଟ୍‍, ଟୋପି କିଣି ଆଣିଥାଏ ।

 

ଦିନେ ଆସି ସେ ପହିଞ୍ଚିଲାବେଳକୁ ଟିଟୁ କାନ୍ଦୁଛି । ସୁରର ଗୋଟାଏ ଛବି ଉପରେ ମୁତି ଦେଇଥିବା ହେତୁ ସୁର ତା କାନଟାକୁ ଜୋରରେ ମୋଡ଼ି ଦେଇଛି ।

 

ଲୀଳାକୁ ଦେଖି ଟିଟୁ ଚିରଚିରେଇ ଛୁଟି ପଳାଇଲା ତା’ ପାଖକୁ ।

 

ଲୀଳା ଦେଖିଲା ଫଗୁଣର କଅଁଲିଆ ଆମ୍ବପତ୍ର ଭଳି ଟିଟୁର ଛୋଟ କଅଁଳ କାନ ପୁରାପୁରି ରଙ୍ଗା ହେଇଯାଇଛି ।

 

ଲୀଳା ଡାକିଲା, ସୁର ଭାଇ !

 

ଲୀଳାର ଗମ୍ଭୀର ଡାକ ସୁରର ଛାତିରେ ଚମକ ସୃଷ୍ଟି କରିଦେଲା । କାଗଜ ଉପରେ ବୁଲାଉଥିବା ତୁଳିଟିକୁ ଥୋଇଦେଇ ସେ ପଛକୁ ଫେରି ଚାହିଁଲା ।

 

ତମେ ଟିଟୁକୁ ଏମିତି ମାରିଛ ! ଲୀଳା ଆଖିରେ ଲୁହ ଛଳ ଛଳ ହେଉଛି । ସୁର ଡରିଗଲା । ଏବେ ଲୀଳାକୁ ଦେଖିଲାକ୍ଷଣି ତାକୁ କାହିଁକି ଡର ଲଗୁଛି । ସେ କିଛି କହିପାରିଲା ନାହିଁ-

 

ଲୀଳା କହିଲା, ତମକୁ ଭଗବାନ ଅନେକ ଜିନିଷ ଦେଉଛନ୍ତି ସୁର ଭାଇ, ତମେ ଯେଉଁଥିପାଇଁ ଆଦୌ ଯୋଗ୍ୟ ନୁହେଁ । ତୁମକୁ ଯଦି ଟିଟୁ ବ୍ୟସ୍ତ କରୁଛି, ମୁଁ ତେବେ ତାକୁ ନେଇଯାଉଛି ଆମ ବସାକୁ ।

 

ଲିଲା ଉଠିଲା । ସୁର ମନା କରିପାରିଲା ନାହିଁ । ଟିଟୁ ସେତେବେଳକୁ ସମ୍ପୂର୍ଣ୍ଣ ଶୋଇଯାଇଛି ଲୀଳା କୋଳରେ ।

 

ସୁରର ପରିବାରରେ ଦୁର୍ଦ୍ଦିନର ଧୂସର ଗୋଧୂଲି କେମିତି ଘୋଟିଆସୁଛି । ଟିଟୁର ଜନ୍ମ ପରେ ସାଗରିକା କେମିତି ଭିନ୍ନ ପ୍ରକାର ମଣିଷ ହୋଇଯାଇଛି । ଘରର କୌଣସି ଅଭାବ ସେ ସହ୍ୟ କରିବାକୁ ପ୍ରସ୍ତୁତ ନୁହେଁ ।

 

ସୁରର ଛବି ବଜାରରେ ଭଲ କଟୁ ନାହିଁ । କମିସିଆଲ୍ ଆର୍ଟ ନୁହେଁ ବୋଲି ତା’ର ଛବିକୁ କେହି ପସନ୍ଦ କରୁ ନାହାନ୍ତି । କିରାଣୀ ଚାକିରିରୁ ଯେଉଁ ଟଙ୍କା କେତେଟା ଆସୁଚି, ଟିଟୁର ଜନ୍ମ ପରେ ସେସବୁ ନିଅଣ୍ଟ ପଡ଼ିଯାଉଛି ।

 

ଘରୁ ନାରଣ ମାଷ୍ଟ୍ରେ ଚିଠି ଲେଖୁଛନ୍ତି, ସର୍ଭିସ୍‍ କୋଡ଼ିଏବର୍ଷ ପୁରିଯିବାକୁ ବସିଲାଣି । ମାଷ୍ଟରୀ ଚାକିରି ଖଣ୍ଡିକ ଅନ୍ୟ ହାତ ହୋଇଯିବା ଉପରେ । ଚାକିରି ଜୀବନ ଭିତରେ ସବୁ ଟଙ୍କା ତୋରି ପାଠ ପଢ଼ାଇବାରେ ଖର୍ଚ୍ଚ କରିଛି । ଜମିବାଡ଼ି ବେଶୀ ନାହିଁ ।

 

ବୁଢ଼ାଦିନେ ଆମକୁ ପୋଷିବା ତୋର ଦାୟିତ୍ଵ । ମାସକୁ ଅତି କମ୍‌ରେ ପଚାଶଟଙ୍କା ନ ପଠାଇଲେ ଚଳିବ ନାହିଁ ।

 

ପାରିବାରିକ ଜଞ୍ଜାଳର ଏଇ ବିଷାକ୍ତ ବାୟୁମଣ୍ଡଳ ଭିତରେ ସୁରର ଶିଳ୍ପୀମନ କିଭଳି ବିବ୍ରତ ହୋଇପଡ଼ିଛି । ସେଥିପାଇଁ ଟିକକ କଥାରେ ବିରକ୍ତ ହୋଇଉଠିବା ତା’ର ଧର୍ମ ହୋଇପଡ଼ିଛି-

 

ସେ ଦିନର ସାମାନ୍ୟ କଥାରେ ସୁର ଆଉ ସାଗରିକା ଭିତରେ ଗୋଟାଏ ଦୀର୍ଘ ବ୍ୟବଧାନ ସୃଷ୍ଟି ହୋଇଗଲା ।

 

ଘରଭଡ଼ା ପାଇଁ ସୁର ଯେଉଁ ଟଙ୍କା କେତେ ରଖିଥିଲା, ନିଜର ଶାରିରିକ ଦୁର୍ବଳତା ଘୁଞ୍ଚାଇବା ପାଇଁ ସେଇ ଟଙ୍କାରେ ସାଗରିକା କଣିଆଣିଲା ଗୋଟାଏ ଟନିକ୍‍...

 

ସୁର ଘରଭଡ଼ାବାଲାକୁ ଟଙ୍କା ଦେବାକୁ ଖୋଜେ ତ ପକେଟ ଖାଲି ।

 

ଦାଣ୍ଡରେ ଘରଭଡ଼ାବାଲା ବସିଛି ଟଙ୍କା ପାଇଁ । ତାକୁ ହଁ ଦେଉଚି ବୋଲି କହି ଚାଲିଆସିଚି ସୁର ଘରକୁ । ଘରକୁ ଆସି ଦେଖେ ଟଙ୍କା ନାହିଁ, ଘରଭଡ଼ା ଟଙ୍କାରେ ଟନିକ୍‍ କିଣାଯାଇଛି ।

 

ସୁର ଆଖିରୁ ଜୁଳୁଜୁଳିଆ ପୋକ ବାହାରିପଡ଼ିଲା । ସେ ପାଟିକରି ଉଠିଲା, ଲୀଳା କଥାରେ ପଡ଼ି ତମକୁ ବାହାହୋଇ ଗୋଟାଏ ପାପ କରିଚି...ତମେ ଗୋଟାଏ ଅପଦାର୍ଥ...

 

ସାଗରିକା ଦେହରେ ତାହା ତଡ଼ିତ୍‍ ସ୍ରୋତ ପ୍ରବାହିତ କରାଇ ଦେଲା । ସାମାନ୍ୟ କେତେଟା ଟଙ୍କାରେ ଗୋଟାଏ ଟନିକ୍‍ ଆଣିଚି ବୋଲି ସ୍ଵାମୀ ହୋଇ ସେ ତାକୁ ଆଜି ଅପଦାର୍ଥ କହୁଛନ୍ତି !

 

ତକିଆ ରେ ମୁହଁମାଡ଼ି ମନଭରି କାନ୍ଦିଲା ସାଗରିକା । ତା’ର ଧାରଣା ହେଲା, ଟିଟୁର ଜନ୍ମ ପରେ ତା’ର ଯେଭଲି ସ୍ଵାସ୍ଥ୍ୟ ଓ ସୌନ୍ଦର୍ଜ୍ୟହାନି ଘଟିଛି, ସେଥିରେ ତାକୁ ଆଉ ଭଲ ପାଉ ନାହିଁ ସୁର । ସୁରର ଶିଳ୍ପୀ ମନ ତା’ର ବିରୂପ ଦେହଶ୍ରୀ ଉପରୁ ଘୁଞ୍ଛିଯାଇଛି ଅନ୍ୟ ଆଡ଼େ ।

 

ସେଦିନ ତାର ଖାଡ଼ା ଉପାସ ।

 

ସ୍ଵାମୀ ହୋଇ ଯଦି ସେ ଟଙ୍କା କେତେଟାର ଅପବ୍ୟୟକୁ ସହ୍ୟ କରିପାରିଲେ ନାହିଁ, ସେ ତାଙ୍କର କି ସ୍ତ୍ରୀ !!

 

ଟିଟୁ ଲୀଳା’ର ବସାକୁ ଆସିଲାଦିନୁ ଯଶୋଧାର ଲକ୍ଷ୍ୟ କରୁଛି ରାଧାମାଧବଙ୍କ ପୂଜାରେ କିଭଳି ବ୍ୟତିକ୍ରମ ଘଟୁଚି । ଟିଟୁର ସେବା କରୁ କରୁ ବହୁ ସମୟରେ ବିଳମ୍ବ ହୋଯାଇଉଚି ରାଧାମାଧବଙ୍କ ନିରାଜନା...

 

ସକାଳୁ ଟିଟୁକୁ ସୁରର ବସାକୁ ନେଇଆସେ ଯଶୋଧାର ଲୀଳାର ବସାରୁ ଟିଟୁକୁ ଗାଧୋଇ ଦେଇ ସଫା ଜାମ, କୁରୁତା ପିନ୍ଧେଇ ଦେଇ ଦୁଧ କିମ୍ବା ହର୍‍ଲିକ୍‍ସ ଇତ୍ୟାଦି ପିଆଇ ଦେଇ ତାକୁ ବିଭିନ୍ନ ଖେଳଣା ଦେଇ ତା’ ସହିତ ବସି ଖେଳେ ଲୀଳା ଖେଳୁ ଖେଳୁ ଏମିତି ବହୁ ସମୟ ବିତିଯାଏ ଠାକୁର ପୂଜା ନିୟମିତ ହୋଇ ପାରେ ନାହିଁ । ପୂଜା କଥା ସ୍ମରଣ କରି ଖେଳ ଛାଡ଼ି ଯଦି ଲୀଳା ଉଠିଆସେ, ତେବେ ଆରମ୍ଭ ହୋଇଯାଏ ଟିଟୁର ଶେଷହୀନ କ୍ରନ୍ଦନ.....

 

ଟିଟୁ ସହିତ ଖେଳି ଖେଳି ସେଦିନ ବହୁତ ବିଳମ୍ବ ହୋଇଗଲା ଠାକୁର ପୂଜା । ...ସେଇ ଅନୁସାରେ ଡାକ୍ତର ଦୋକାନକୁ ଯିବାକୁ ଡେରି ହୋଇଯିବ ବୋଲି ଆଶଙ୍କା କରି ଯଶୋଧାର କହନ୍ତି, ଲୀଳା ! ଏଣେ ଡେରି ହୋଇଯାଉଛି ଯେ... !

 

ଲୀଳା ସଚେତନ ହୋଇ ଉଠିଲା, ସତେ ତ ! ଅନେକ ଡେରି ହୋଇଗଲାଣି । କିନ୍ତୁ ଟିଟୁକୁ ଛାଡ଼ିଦେଲେ ସେ କାନ୍ଦିବ । ତେଣୁ ଟିଟୁକୁ କାଖେଇ କରି ସେ ମନ୍ଦିର ପାଖକୁ ନେଇଗଲା । କହିଲା, ଠାକୁରଙ୍କ ଗୋଡ଼ତଳେ ପଡ଼ ଟିଟୁ !

 

ଠାକୁର, ଭକ୍ତି, ନମସ୍କାର—ଏସବୁ ବୁଝିବାର ବୟସଠାରୁ ନିଶ୍ଚିତ ଦୂରରେ ରହି ଟିଟୁ କେବଳ ମୁଣ୍ଡ ନୁଆଇଁଦେଲା । ଏଥିରେ କିରି କିରି ହୋଇ ହସିଉଠିଲା ଲୀଳା । ଛୋଟ ପାଟିରେ କହିଲା, ହେ ରାଧାମାଧବ ! ଟିଟୁକୁ ତୁମେ ଜଣେ ବଡ଼ ମଣିଷ କର ।

 

ତା’ପରେ ପୂଜା, ଆରଧନା ସାରି ନିଜକୁ ଆଉ ଟିଟୁକୁ ସେ ଫୁଲ, ଚନ୍ଦନରେ ସଜାଇବାକୁ ଲାଗିଲା । ସେତେବେଳକୁ ମଧ୍ୟାହ୍ନ ଆସନ୍ନ ହୋଇ ଆସିଲାଣି ।

 

ଲୀଳା ! ...ଯଶୋଧାର ଡାକିଲା । ପଛକୁ ଫେରିଚାହିଁଲା ଲୀଳା । ସୁର ଆସି ଅପେକ୍ଷା କରିଛନ୍ତି କେତେବେଳୁ । ଚଞ୍ଚଳ ପୂଜାସାରି ଆ’ ।

 

ତରତର ହୋଇ ଲୀଲା ପୂଜା ସାରି ଟିଟୁକୁ ନେଇଆସି ଦେଖିଲା, ସୁର ତାକୁ ଅପେକ୍ଷା କରିଛି ଡ୍ରଇଂରୁମ୍‌ରେ ।

 

ପୁଷ୍ପଚନ୍ଦନରେ ସଜ୍ଜିତା ଲୀଳାର ପୂଜାରିଣୀ ବେଶ ଦେଖି ତଟସ୍ଥ ହୋଇଗଲା । ପ୍ରଗଳ୍‍ଭା ଲୀଳାର ଚଳଚଞ୍ଚଳ ମନ ଭତରେ ଏ ଭକ୍ତିଭାବ କେଉଁଠି ଲୁଚି ରହିଥଲା ?

 

ମୁଁ ଦେଖୁଚି....ଆଉ କିଛିଦିନେ ତୁ ଏ ସଂସାର ଛାଡ଼ି ବୈଷ୍ଣବୀ ହୋଇଯିବୁ ଲୀଳା ! ...ସୁର କଣ୍ଠରେ ଉଦ୍‌ବେଗର ସ୍ପର୍ଶ ।

 

ନର୍ଲିପ୍ତ ଭାବରେ ଚେୟାରରେ ବସି ଟିଟୁର ଛୋଟଛୋଟ ମୁଣ୍ଡବାଳରେ ଆଙ୍ଗୁଲି ଚାଳନା କରୁ କରୁ ଦରହସିତ କଣ୍ଠରେ ଲୀଳା କହିଲ, ତାହାହେଲେ ତମର ବ୍ୟସ୍ତ ହେବାର କ’ଣ ଅଛି ସୁର ଭାଇ’

 

କିନ୍ତୁ ମୁଁ ବୁଝିପାରୁ ନା, ସୁର ଛେପ ଢୋକି ପୁଣି ଆରମ୍ଭ କଲା . ଭଗବାନଙ୍କ ଅସ୍ତିତ୍ୱ ଉପରେ ତୋର ଏ ପ୍ରକାର ବିଶ୍ୱାସ ଆସିଲା କେଉଁଦିନ ! ସେଇ ପିଲାଦିନର ଲୀଳା ତୁ...ମୋ ଆଖି ଆଗରେ ନାଚିଯାଉଛି...କେଡ଼େ ଦୁଷ୍ଟ....କେଡେ ଫାଜିଲି ଝଡ଼ ଭିଳ ଦୁର୍ଦ୍ଦାନ୍ତ. ବର୍ଷା ଭଳି ପ୍ରଗଳ୍‍ଭ ତୋର ପ୍ରକୃତି....ହଠାତ୍‍ ଈଶ୍ଵରଙ୍କ ଉପରେ ତୋର ବିଶ୍ୱାସ....

 

ଲୀଳା କହିଲା, ଯୁକ୍ତିରେ ଭଗବାନ ମିଳନ୍ତ ନାହିଁ ସୁର ଭାଇ ! ଏ ନିଜ ମନର ବିଶ୍ୱାସର କଥା. ଭଗବାନଙ୍କୁ ମୁଁ କେମିତି ବିଶ୍ଵାସ କରିଶିଖିଲି, ସେ କଥା ଯୁକ୍ତିକରି ବୁଝାଇ ପାରିବି ନାହିଁ ସବୁ ହତାଶ ଭତରେ ଯେତେବେଳେ ଆଶାର ଆନନ୍ଦ ମନକୁ ମୋର ସ୍ପର୍ଶକରେ, ମୁଁ ବୁଝେ ମୋ ମନର ମନ୍ଦିରରେ ଭଗବାନ ଅବତରଣ କରିଛନ୍ତି...ମୋ ଭଳି ହତଭାଗିନୀ ମନରେ ଯେ ବହୁ ସମୟରେ ଭଗବାନଙ୍କ ଆବିର୍ଭାବ ହେଉଥବ, ମୋର ଏ ହସ ଖୁସି ଦେଖିଲା ପରେ କ’ଣ ତୁମେ ଅବିଶ୍ୱାସ କରୁଛ ସୁର ଭାଇ !

 

ସୁରର ମନେହେଲା,ଲୀଳାର ଜ୍ଞାନ, କଥା କହିବାର ଢଙ୍ଗ ପାଖରେ ସେ ପଛରେ ପଡ଼ିଯାଇଛି । ଲୀଳା ପାଖରେ ସବୁଥିରେ ସେ ଛୋଟ । ଯେଉଁଦିନ ଗାଁ ସ୍କୁଲରେ ଜାଣି ଜାଣି ଲୀଳାକୁ ଶ୍ରେଣୀରେ ପ୍ରଥମ କରିବା ପାଇଁ ସେ ନିଜେ ଦୁଇ ଖଣ୍ଡ ଅଙ୍କ ଭୁଲ କରି ଦେଇଥିଲା, ସେଇଦିନୁ ଲୀଳା ପ୍ରଥମ ହେଉଛି ସବୁଥିରେ ସେ ପଛରେ ପଡ଼ିଯାଇଛି ଆଗକୁ ଯିବାର ସମ୍ଭାବନା ସଂପୂର୍ଣ୍ଣ ଅନ୍ଧକାର ହୋଇଯାଇଛି ।

 

ଲୀଳାକୁ ଆଉ ସେ ରଗେଇବାକୁ ଭଗବାନଙ୍କ ଅସ୍ତିତ୍ୟ ଉପରେ କୌଣସି ସନ୍ଦେହଜନକ ପ୍ରଶ୍ନ ଉଠାଇଲା ନାହିଁ ।

 

ତୋ ପାଖକୁ ଗୋଟିଏ କଥା ପାଇଁ ଆସିଥିଲି ସୁର କହୁ କହୁ ହଠାତ୍‍ ରହଗଲା । ଲୀଳା ଲକ୍ଷ୍ୟକଲା, କଥାଟି ପ୍ରକାଶ କରିବାକୁ ସୁର ଭାଇ ସଂକୁଚିତ ହେଉଛି । ସେ ବାଧ୍ୟ କଲା କଥାଟି ପ୍ରକାଶ କରିବାକୁ ।

 

ସୁରକୁ କୁଣ୍ଠିତ କଣ୍ଠରେ କହିଲା ବିବାହ ପରେ ତୁ ଜାଣୁ ମୋର ଆର୍ଥିକ ଅବସ୍ଥା ଏକ ସାଂଘାତିକ ଅବସ୍ଥାରେ ପହଞ୍ଚିଛି । ଚାରିଆଡ଼େ ବାକି । ସେଥିରେ ପୁଣି ସାଗରିକାର ଖର୍ଚ ଡେଣା ମେଲେଇବାରେ ଲାଗିଛି । ବଜାରରେ ଚିତ୍ରସବୁ ମୋର ପସନ୍ଦ ହେଉ ନାହିଁ । ବର୍ତ୍ତମାନ ଅନେକ ଟଙ୍କା ଧାର ହୋଇଗଲାଣି । ଯଦି ତୁ କିଛି ଟଙ୍କା ଧାର ଦିଅନ୍ତୁ....

 

ହସି ହସି ଲୀଳା କହିଲା—ଧାର, କରଜ ସହରରେ କାବୁଲିବାଲା ଦେଉଛନ୍ତି ବୋଲି ମୁଁ ଶୁଣୁଚି...ତମେ ସେଥିପାଇଁ ସେମାନଙ୍କୁ ମାଗିପାର । ମୁଁ ତମକୁ ସେ ଦିଗରେ ସାହାର୍ଯ୍ୟ କରିପରିବି ନାହିଁ.....

 

ସୁର ଚୁପ୍‍ ହୋଇ ତଳକୁ ମୁହଁପୋତି ବସିଲା ।

 

ଲୀଳା କହିଲା, ମୋର ଦୁର୍ଭାଗ୍ୟ ସୁର ଭାଇ ! ଏତେଦିନ ପରେ ମଧ୍ୟ ତମେ ମତେ ନିଜର ବୋଲି ମନେ କରିପାରିଲ ନାହିଁ । ତମକୁ ସାମାନ୍ୟ ସାହାଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ମତେ ମିଳିଲା ନାହିଁ....

 

ସୁର ଥରେ ଲୀଳା ମୁହଁକୁ ମୁଣ୍ଡଟେକି ଅନେଇଲା ଆଖିରେ ତା’ର ବେଦନା ଜମିଆସିଛି-

 

ଲୀଳା ଘର ଭିତରକୁ ଯାଇ ଫେରିଆସିଲା । ହାତରେ ପୁଳାଏ ନୋଟ୍‍ । ସୁର ପକେଟରେ ସେ ନୋଟ୍‍ ବିଡ଼ାଟା ଭର୍ତି କରିଦେଈ କହିଲା, ତମର ଜଣେ ବାନ୍ଧବୀ ହିସାବରେ କ’ଣ ତମ ଉପରେ ଏତିକି ଅତ୍ୟାଚାର କରିବାର ଅଧିକାର ମୋର ନାହିଁ !

 

ନୋଟ ପୁଳାକ ପକେଟରେ ପଶିବା ପରେ ସୁର ଦେହ କେମିତି ଉଷ୍ମ ହୋଇ ଆସୁଥିଲା-। ଆଖି ଆଗରେ ତାର ନାଚି ଯାଉଥିଲା ସାଗରିକା ମୁହଁ । ସେ ମୁହଁ ଅଭିଯୋଗ ଏବଂ ବିରକ୍ତିରେ ବିକୃତ ହୋଇ ଉଠିଥିବ । ଟନିକ୍‍ ଏବଂ ଗହଣା କିଣିବା ପାଇଁ ଟଙ୍କା ଲାଗି ଅଭିମାନ କରି ସେ ପଲଙ୍କରେ ମୁହଁ ମାଡ଼ି ଶୋଇଥିବ । ବର୍ତ୍ତମାନ ତାକୁ ଉଠାଇବାକୁ ପଡ଼ିବ...

 

ସୁର ଉଠିପଡ଼ିଲା ।

 

ସୁରର ‘ପାଦଶବ୍ଦ ପାହାଚ ଦେହରୁ ନିରିବ ହୋଇଯିବା ପର୍ଯ୍ୟନ୍ତ ଲୀଳା ଅନେଇ ରହିଥିଲା–ଏକ ଲୟରେ....ଏଇ ସୁର ଭାଇ.....ଶହେ ଥର ଯାଚି କରି ଦେଇ ଆସିଥିଲେ ବି ଟଙ୍କା ସେ ଫେରାଇ ଦେଇ ଯାଇଛନ୍ତି. ଆଜି ତାଙ୍କ–କ’ଣ ହୋଇଚି ଯେ ସେ ଟଙ୍କା ମାଗିବାକୁ ଆସିଥିଲେ-!

 

ଯଶୋଧାରା ଦିନେ ଯାହା କହିଥିଲା, ତା’ କ’ଣ ସତ !

 

ସାଗରିକା କ’ଣ ସତରେ ଶିଳ୍ପୀସୁର ଭାଇ ଉପରେ ଗୋଟାଏ ବୋଝ ହୋଇଛି । ସୁର ଭାଇ ସହିତ ସାଗରିକାକୁ ଛନ୍ଦିଦେଇ ସେ କ’ଣ ଭୁଲ୍‍ କରିଛି !!

 

ସାଗରିକା ମୁହଁମାଡ଼ି ଶୋଇଚି । ଉଠୁନି । ଦଶଟା ବେଳକୁ ଅଫିସକୁ ଯାଇଛି ସୁର । ଲୀଳା ଦେଇଥିବା ନୋଟ୍‍ ବିଡ଼ାଟା ଟ୍ରଙ୍କ୍‍ ଉପରେ ସେମିତି ଖେଳେଇ ହୋଇ ପଡ଼ିଛି । ଦଶ ପନ୍ଦରଟଙ୍କା ନୁହେଁ, ସାତଶହ ଟଙ୍କା !

 

ସାଗରିକାର ମନରେ ସନ୍ଦେହର ବିଜୁଳି ରହି ରହି ଝଲସି ଉଠୁଥିଲା । କାଲି ଆସିଥିଲା ଶ୍ୟାମଳୀ, ତା’ର ଜଣେ ନର୍ସ ବନ୍ଧୁ । କହୁଥିଲା ସେ, ମେଡ଼ିକାଲରେ ପ୍ରଚାର ଚାଲିଛି ଏବେ ସୁଦ୍ଧା ଲୀଳା ସହିତ ସୁରର ଗୋପନ ପ୍ରଣୟ ! ଏଇ କେତେଦିନ ହେଲା ସୁର ମୋଟେ ପାଖ ମାଡ଼ୁ ନାହିଁ ତା’ର । ଟିଟୁର ଜନ୍ମ ପରେ ତା’ ସ୍ଵାସ୍ଥ୍ୟ ଯେମିତି ନଷ୍ଟ ହୋଇଯାଇଛି, ସେଥିରେ ତା’ ଉପରେ ବିରକ୍ତ ହେଉଛି ସବୁବେଳେ ସୁର-। ହୁଏତ ତା’ର କୁରୂପ ସୁରର ଶିଳ୍ପୀ ଆଖିରେ ଘୃଣାର ଅଞ୍ଜନ ସେଥିପାଇଁ ଅନେକ ସମୟରେ ସେ ଚାଲିଯାଉଛି ଲୀଳା ପାଖକୁ....

 

ଲୀଳା....

 

ବ୍ରାହ୍ମଣ ଘରର ବିଧବା ଝିଅ ଲୀଳା...ସୁରର ବାଲ୍ୟ ସାଥି ତରୁଣ ଜୀବନର ପରମାତ୍ମୀୟ ବାନ୍ଧବୀ ମଥାରେ ଚନ୍ଦନର ଚିତା....ବେକରେ ରୁଦ୍ରାକ୍ଷର ମାଳା...ଦେହରେ ଜ୍ୟୋସ୍ନାଶୁଭ୍ର ଶାଢ଼ୀ...କିନ୍ତୁ ମନରେ ନିଜର ଗରିବ ଶିଳ୍ପୀ ବନ୍ଧୁଟି ପାଇଁ ପ୍ରଣୟର ଗୋପନ ଅର୍ଘ୍ୟ...!

 

ନ ହେଲେ କାହିଁକି ସେ ସାମାନ୍ୟ ଅନୁରୋଧରେ ବଢ଼ାଇ ଦେଲା ସୁର ହାତକୁ ସାତଶହ ଟଙ୍କାର ନୋଟ୍‍...

 

ଏ ପୃଥିବୀ ଭିତରେ କ’ଣ କେହି କାହାର ବନ୍ଧୁ ନାହାନ୍ତି ! କିଏ ବଢ଼ାଇଦେଉଛି ଜଣେ ଗରିବ ବନ୍ଧୁର ସାମାନ୍ୟ ଅନୁରୋଧରେ ଶହ ଶହ ଟଙ୍କାର ନୋଟ୍‍ !

 

ସୁର ଆଉ ଲୀଳାର ବନ୍ଧୁତ୍ଵ ଉପରେ ସାଗରିକାର ଏକ ସନ୍ଦେହ ଘୋଟିଆସିଲା । କାନରେ ତା’ର ବାଜି ଯାଉଥିଲା ବାନ୍ଧବୀ ଶ୍ୟାମଳୀର କଥା ପଦକ...ତୋର ନିରହତାର ବେଶ୍‍ ଫାଇଦା ଉଠାଇଛି ଲୀଳା । ତୋ ସାଥିର ନିଜ ପ୍ରେମିକକୁ ଛନ୍ଦି ଦେଇ, ବୈଷ୍ଣବୀ ବୋଲି ବାହାରେ ଦେଖେଇ ହୋଇ, ମାଗଣାରେ ଔଷଧ ବାଣ୍ଟି ସୁର ସହିତ ବେଶ୍‍ ଚଳାଇଛି ପ୍ରେମ ଲୀଳା !

 

ସାଗରିକା ଦେହର ରକ୍ତକଣିକାରେ ବିଷ ସଞ୍ଚରି ଯାଇଥିଲା ।

 

ଲୀଳା କଥାରେ ଭୁଲି ସୁରକୁ ବିବାହ କରି ସେ କ’ଣ ପ୍ରତାରିତ ହୋଇଛି ? ଲୀଳାର କଥା, ବନ୍ଧୁତ୍ଵ, ସବୁ କ’ଣ ଛଳନା !

 

ସାଗରକାର ଆଖି ପତାଏ ପତାଏ ବହୁଦିନର ପୁଞ୍ଜୀଭୂତ ଅସନ୍ତୋଷ ପାଣିଫାଟି ଆସୁଥିଲା । ତା’ ପ୍ରତି ସୁରର ଖାପଛଡ଼ା ବ୍ୟବହାର କଥା ସ୍ମରଣ କଲବେଳକୁ ଲୀଳା ପ୍ରତି ରାଗ ହିଂସା, ଈର୍ଷାରେ ତା’ ମନ ପ୍ରଜ୍ୱଳିତ ହୋଇ ଉଠୁଥିଲା ।

 

ନାରୀ ସବୁ ସହିପାରେ, କିନ୍ତୁ ଅନ୍ୟ ଗୋଟିଏ ନାରୀ ପ୍ରତି ନିଜ ସ୍ୱାମୀର ସ୍ନେହ ଏବଂ ତା ପ୍ରତି ଖାପଛଡ଼ା ବ୍ୟବହାର ତା’ପକ୍ଷରେ ଅସହ୍ୟ ।

 

ସାଗରିକା ପଲଙ୍କ ଉପରୁ ଆସ୍ତେ ଉଠିଲା ।

 

ଲୁଗାର ପଣତ କାତିରେ ନିଜ ଦୁଇ ଆଖିକୁ ଭଲକରି । ପୋଛିଲା ।

 

ନିଜ ଖୁଡ଼ି ପାଖକୁ ଟେଲିଗ୍ରାମ୍‍ କଲା, ଆଜି ସନ୍ଧ୍ୟାରେ ମୁଁ ଗାଁରେ ପହଞ୍ଚୁଛି ।

 

ଚାରିଟାବେଳକୁ ସୁର ଅଫିସରୁ ଫେରି ଦେଖିଲା, ସାଗରିକା ଲୁଗାପଟା ପିନ୍ଧାପିନ୍ଧି କରୁଛି । ତାକୁ ଦେଖି ସେ କହିଲା, ଘରେ ଖୁଡ଼ିଙ୍କ ଦେହ ସାଘାତିକ । ମୁଁ ଆଜି ସାଡ଼େ ଚାରିଟା ଟ୍ରେନ୍‌ରେ ଗାଁକୁ ଚାଲିଯାଉଛି । ପାଞ୍ଚଦିନ ପରେ ଫେରିବି ।

 

ସୁର ତଟସ୍ଥ ହୋଇ ସବୁ ଶୁଣିଲା । କିନ୍ତୁ କିଛି ପ୍ରତିବାଦ କରିପାରିଲା ନାହିଁ । ପ୍ରତିବାଦ କରିବାକୁ ସତେ ଯେପରି ତା’ର କୌଣସି ଅଧିକାର ନାହିଁ ! ସେ ଜାଣେ, ଯାଜପୁର ରୋଡ଼ ଷ୍ଟେସନ ପାଖରେ ସାଗରିକାର ପୈତୃକ ଘର । କିନ୍ତୁ ସେ ଘରେ ତା’ର ଏପରି କେହି ଅଛନ୍ତି, ଯେଉଁମାନଙ୍କର ଦୁଃଖରେ ସାଗରିକା ତା’ର ଆଦେଶ ଉପଦେଶକୁ ଭ୍ରୂକ୍ଷେପ ନ କରି ସେମାନଙ୍କ ପାଇଁ ଛୁଟିଯିବ, ଏକଥା ତାକୁ ଜଣା ନ ଥିଲା ।

 

ସାଗରିକା ରିକ୍‍ସା ଷ୍ଟେସନ ଉଦ୍ଦେଶ୍ୟରେ ଦୌଡ଼ ଆରମ୍ଭ କରିଦେବା ପରେ ସୁରର ପ୍ରଥମ ଥର ପାଇଁ ମନେହେଲା, ସେ ବିବାହ କରି ଏକ ଭୟଙ୍କର ଭୁଲ୍‍ କରିଛି ।

 

ଆଖିରେ ତା’ର ଲୁହ ଜମି ଯାଇଥିଲା । ଆଖିରୁ ଲୁହ ପୋଛି ଦେଇ ସେ ଘର ଭିତରକୁ ଆସି ଦେଖିଲା, ଲୀଳା ଦେଇଥିବା ସେ ସାତଶହ ଟଙ୍କାର ନୋଟ୍‍ ସାଗରିକା ସହିତ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଛି । ଘରେ ସାଗରିକା ନାହିଁ–ଟଙ୍କା ନାହିଁ—ଟିଟୁ ଯାଇ ଲୀଳା ଘରେ କେବଳ ବସାଘରର ସେଇ ମହାଶୂନ୍ୟତା ମଧ୍ୟରେ ଡାକ୍ତରଖାନାରୁ ଫେରି ଲୀଳା ଦେଖିଲା, ଟିଟୁ ତା ଖଟ ଉପରେ ଶୋଇଛି । ତେବେ ସେ କ’ଣ ଆଜି ତାଙ୍କ ଘରକୁ ଯାଇନି କଥାଟା ବୁଝିବା ପାଇଁ ସେ ଡାକିଳା, ଧୀରା ଧୀରା ! ଯଶୋଧାର ଆସିଲା ।

 

ଟିଟୁ ଆଜି ତାଙ୍କ ଘରକୁ ଯାଇନି ଯେ ? ...ଲୀଳାର ପ୍ରଶ୍ନ । ଯଶୋଧାର ଉତ୍ତର ଦେଲା, ସୁରକୁ ଭୀଷଣ ଜର ପିଲାଟାକୁ ସେଠି କାହା ପାଖରେ ଛାଡ଼ିଦେଇଥାନ୍ତି ! ବୋହୂ ତ ବାପଘରକୁ ଯାଇଛି ଯେ ଫେରିନି ..ସୁର ବ୍ୟସ୍ତ ହେଉଛି—ଯଶୋଧାର ମଧ୍ୟ ବ୍ୟସ୍ତ ହେଲା ।

 

ଲୀଳା ଆଖିପତା ଉପରକୁ ଉଠିଗଲା ସାଗରିକା ତା’ ବାପ ଘରକୁ ଯାଇଛି ! ସୁର ଭାଇଙ୍କୁ କିଏ ତାହେଲେ ଚିକିତ୍ସା କରୁଚି ?

 

ଯଶୋଧାରର ପରାମର୍ଶକୁ ଅପେକ୍ଷା ନ ରଖି ଲୀଳା ବାହାରି ପଡ଼ିଲା ।

 

ସୁରକୁ ଜ୍ଵର ହୋଇଛି ।

 

ବିଛଣାରେ ଶୋଇ ଶୋଇ ସେ ଭାବୁଛି ତା’ ପଛ ଜୀବନର କଥା । କେଡ଼େ ସୁନ୍ଦର, କେଡ଼େ ସହଜ, ସରଳ ସେ ଦିନଗୁଡ଼ିକ ! ସାଗରିକାକୁ ବିବାହ କରି କାହିଁକ ସେ ସହଜ ସରଳ ଜୀବନକୁ କୁଟିଳ ବନ୍ଧନୀ ଭିତରେ ରଖିଦେଲା ।

 

ସାଗରିକା ନାହିଁ । ଗାଁକୁ ଯାଇଚି ।

 

ସେ ବୋଉକୁ ଆସିବାକୁ ଲେଖିବ ! କ’ଣ ଲେଖିବ ?

 

ବାହା ହେଲାବେଳେ ବାପା, ବୋଉଙ୍କୁ ସେ ପଚାରି ନାହିଁ । ଗୋଟାଏ ସୁଅରେ ବିଭାଘର ହୋଇଗଲା । କିନ୍ତୁ ସେ ସ୍ରୋତରେ ଯେତେବେଳେ ଭଟ୍ଟା ପଡ଼ୁଛି, ସେ ଆଜି ବୁଝୁଚି ସେ ଗୋଟିଏ ମସ୍ତ ଭୁଲ କରିଚି ।

 

ସୁର ଶୋଇ ଶୋଇ ଉପରକୁ ଅନେଇ ଭାବୁଥିଲା ।

 

ଦର ଆଉଜା କବାଟ କୁ ସଶବ୍ଦେ ମେଲା କରିଦେଇ ଲୀଳା ଝଡ଼ ଭଳି ଭିତରକୁ ପଶିଆସିଲା । ଆଶ୍ଚର୍ଯ୍ୟ ହୋଇ ସୁର ପଚାରିଲା, କିଏ ?

 

ଦେହ ତମର କେମିତି ଅଛି ସୁର ଭାଇ ! ଲୀଳା କଣ୍ଠରେ ଜମାଟବନ୍ଧା ଉଦ୍‌ବେଗ ।

 

କିଏ ଲୀଳା ! ତୁ ଆସିଚୁ—

 

ଲୀଳା ଉତ୍ତର ନ ଦେଇ ସୁର ପାଖରେ ବସିପଡ଼ିଲା । ମୁଣ୍ଡରେ ହାତ ମାରିଲା, ତାତି ପୁରେଇଚି । ଜ୍ଵର ଓହ୍ଲାଇ ନାହିଁ ।

 

ତମେ କ’ଣ ଖାଇଛ ? —ଫଳ କିଛି ନାହିଁ ! ଅନ୍ଧାର—ଲାଇଟ ବି ଲଗାଇ ନାହିଁ ! କ’ଣ ଯେ ତମର ଦେହ ହେଲାଣି ! ଲୀଳା ଉତ୍କଣ୍ଠିତ ହୋଇ ସବୁ ବିଷୟରେ ଥରେ ଲେଖାଏଁ ଅନୁସନ୍ଧାନ କରିନେଲା । ନିଜ ହାତରେ ଦିଆସିଲି ମାରି ସେ ଲ୍ୟାମ୍ପ ଲଗାଇଦେଲା । ବ୍ୟାଗରୁ ନିଜେ ଆଣିଥିବା କେତୋଟି କମଳା, ବେଦନା, ନାସ୍ପାତି କାଢ଼ି ଥୋଇଲା । ତାପରେ ଛଡ଼ାଇବାକୁ ଲାଗିଲା କମଳାର ପାଖୁଡ଼ା ।

 

ସୁର ଆଗ୍ରହରେ ଲୀଳାର ଏ ଅସ୍ଥିରତାକୁ ଲକ୍ଷ୍ୟ କରୁଥିଲା । ଗୋଟିଏ ଶିଶୁ ଭଳି ତା’ର ସାମାନ୍ୟ ରୋଗରେ ଅଧୀର ହୋଇଉଠିଚି ଲୀଳା ଡେଇଁ ବୁଲୁଥିବା ଝିଅଟି ଭଳି ଗତିରେ ତା’ର ଚଞ୍ଚଳତା...କାର୍ଯ୍ୟରେ ଅସ୍ଥିରତା...

 

ଦିଅ—ଆଁ କର । ନିଅ—ସୁନାଟି ପରା ! ଏ ବେଦନା ମଞ୍ଜି କେତେଟା ଚୋବାଇ କାଢ଼ି ପକାଅ–ପାଟି ଅରୁଚି ଧରିଯିବଣି ଟିକିଏ ଲେମ୍ବୁରସ ଦେଉଛି ! ଆରେ—ପିଲାଙ୍କ ଭଳି ଅଭିଲା ହେଉଚ କ’ଣ ! ନିଅ—ଖାଇଦିଅ । ସ୍ଵାସ୍ଥ୍ୟ କ’ଣ ହେବ ! ...କଥା କହୁକହୁ ଲୀଳା କମଳା ପାଖୁଡ଼ାଟାଏ ସୁର ପାଟି ଭିତରେ ପରାଇଦେଲା ।

 

ଲୀଳାର ହାତ ପାଖରୁ ନିଜ ମୁହଁକୁ ଖସାଇନେଲା ସୁର ।

 

କହିଲା, ତୁ ମତେ ଛୁ’ ନା ଲୀଳା !

 

କାବା ହୋଇ ଯାଇ ଲୀଳା କହଲା, ଛୁଇଁବି ନାଇଁ !

 

ସୁର କହିଲା, ମୁଁ କ’ଣ ତା’ର କାରଣ ବୁଝାଇବି ତତେ ! ଜଣେ ବିବାହିତ ପୁରୁଷକୁ ତୋ ଭଳି ଜଣେ ଝିଅ ସ୍ପର୍ଶ କରିବା ଉଚିତ ନୁହେଁ, ତୁ କ’ଣ ଅତିକି ବୁଝିପାରୁ ନାହୁଁ !

 

ଲୀଳା ମନରେ ପ୍ରଥମେ ଯେଉଁ ବିଷ୍ମୟ ଜମି ଯାଇଥିଲା, ତାହା କ୍ରମେ କ୍ରମେ କଟିଗଲା-। ସେ କହିଲା, ମୁଁ ଡାକ୍ତର ସୁର ଭାଇ ! କେବଳ ଝିଅ ନୁହେଁ । ଡାକ୍ତର ପାଖରେ କୌଣସି ଜିନିଷ ଅସ୍ପୃଶ୍ୟ ନୁହେଁ ।

 

ସୁର କିନ୍ତୁ ଲୀଳାର ଯୁକ୍ତିକୁ ସହଜରେ ଗ୍ରହଣ କଲା ଭଳି ଜଣାପଡ଼ିଲା ନାହିଁ । ସେ କେବଳ ନୀରବରେ କମଳା ପାଖୁଡ଼ାକୁ ପାଟିରେ ପୁରାଇ ଚୋବାଇକାକୁ ଲାଗିଲା ।

 

ସଧ୍ୟାର ନୀଳ ଅନ୍ଧାର କ୍ରମେ କ୍ରମେ ରାତ୍ରୀର କଳା ଅନ୍ଧକାରରେ ରୂପାନ୍ତରିତ ହୋଇ ଯାଇଥିଲା । ସୁରର ଔଷଧ ବ୍ୟବସ୍ଥା କରିଦେଇ–। ଲୀଳାକହିଲା ତମେ ଶୋଇଯାଅ ସୁର ଭାଇ !

 

ସୁର ଶୋଇଗଲା । ଦି ଦିନ ଜ୍ୱର ପରେ ତାକୁ ପ୍ରଥମ ଥର ପାଇଁ ଆରାମ ଲାଗୁଛି । କେତେବେଳକେ ପୁଣି ଆଖି ଖୋଲିଲା ପରେ ଦେଖିଲା, ଲଣ୍ଠନ ମିଞ୍ଜି ମିଞ୍ଜି ହୋଇ ଜଳୁଛି ପାଖ କ୍ୟାନଭ୍ୟାସ୍‍ ଚେୟାର ଖଣ୍ଡକରେ ଶୋଇ ଶୋଇ ଗୋଟାଏ କ’ଣ ପତ୍ରିକା ପଢ଼ୁଛି ବାହାରେ ରାତ୍ରିର ଅନ୍ଧକାର ଘନୀଭୂତ ହୋଇଆସୁଛି ।

 

ସୁର ନିଜ ଦେହରେ ହାତ ମାରିଲା, ଜ୍ଵର ନାହିଁ । କିନ୍ତୁ ଦୁର୍ବଲତା ଯୋଗୁ ଉଠି ବସି ହେଉନାହିଁ । ଖାଲି ଶେଯରେ ଶୋଇ ରହିଥିବା ଯୋଗୁ ପିଚା ଦରଜ ଲଗୁଛି ।

 

ସୁରର କର ଲେଉଟାଇବା ଶବ୍ଦରେ ଲୀଳା ସଚେତନ ହୋଇଉଠିଲା । ପଚାରିଲା, କ’ଣ ନିଦ ଭାଙ୍ଗିଗଲା !

 

ଛୋଟ ହୁଁ ଟିଏ ମାରି ସୁର ପୁଣି ଉପରକୁ ଅନାଇ ଶୋଇରହିଲା । ତା’ ମନରେ ଅନେକ କଥା ବୁଢ଼ୀଆଣୀ ସୂତା ଭଳି ଗୁଡ଼େଇ ତୁଡ଼େଇ ହେଉଛି । କେତେବେଳକେ ସେ ପ୍ରଶ୍ନ କଲା, ତୁ ଆଜି ରାତିରେ ଏଇଠି ରହିଗଲୁ ଲୀଳା !

 

ଲୀଳା ନିଜ ହାତର ଛୋଟ ରିଷ୍ଟୱାଚ୍‍ଟିକୁ ଦେଖି କହିଲା, ଗତ ସାଢ଼େ ଦୁଇଟା ହେଲାଣି...ସକାଳ ହେବାକୁ ଘଣ୍ଟା କେତୋଟି ଆଉ ଅବଶିଷ୍ଟ ମାତ୍ର ତେଣୁ ଆଜି ରାତିଟା ଏଇଠି କଟିଲା ବୋଲି ଧରି ନିଆଯାଇପାରେ...

 

ରାତିରେ ତୁ ମୋଟେ ଶୋଇନୁ !

 

ଶୋଇବାକୁ ଚେଷ୍ଟା କରୁଥିଲି...ପ୍ରାୟ ଅଧଘଣ୍ଟାଏ ଖଣ୍ଡେ ଶୋଇଚି, ହଠାତ୍‍ ତମେ ସାଗରିକା ନାଁ ଧରି ବିଲିବିଳେଇ ଉଠିଲ ନିଦ ଭାଙ୍ଗିଗଲା । ତା’ପରେ ଆଉ ନିଦ ଲାଗୁନି—ତମର ଏଇ ଆର୍ଟ ମାଗାଜିନଟା ପଢ଼ି ଆଖିରୁ ନିଦକୁ ତଡ଼ିବା ଲାଗି ଗୋଟାଏ ଯୋଜନା କରୁଚି.....

 

ସୁରର ପଦିଏ କଥା ପରେ ଲୀଳାର ଦୁଇ ମିନିଟର ଉତ୍ତର । ସୁର କେବଳ ଶୋଇ ଶୋଇ ସବୁ ଶୁଣି ଯାଉଥିଲା । ପୁଣି କେତେବେଳକେ ପ୍ରଶ୍ନ କଲା,ତୋ ନାମରେ ଆଉ ମୋ ନାମରେ ଯେଉଁ ଦୁର୍ନାମ ସାରା ସହରରେ ଖେଲିବୁଲୁଛି,ତୁ ଶୁଣୁଥିବୁ ନିଶ୍ଚୟ—ପ୍ରଶ୍ନ କରିଦେଇ ସୁର ଲୀଳାଆଡ଼କୁ ଚାହିଁଲା ଦେଖିବାକୁ—ତା’ର କଥା ଶୁଣି ଗୋଟାଏ ବାତ୍ୟା ଆନ୍ଦୋଳିତ ଗୋଲାପଫୁଲ ଭଳି ଲୀଳା ଚମକି ଉଠୁଚି କି ନାହିଁ !

 

କିନ୍ତୁ ଲୀଳା ନର୍ଲିପ୍ତ ଭାବରେ ସେମିତି ସେଇ କ୍ୟାନଭାସ୍‍ ଚେୟାର ଦେହରେ ଶୋଇରହି ଆର୍ଟ ମାଗାଜିନ୍‌ର ପୃଷ୍ଠା ଓଲଟାଉ ଓଲଟାଉ କହିଲା, କିନ୍ତୁ ସେ ଅପପ୍ରଚାରରେ ତିଳେ ହେଲେ ସୁଦ୍ଧା ସତ୍ୟ ନାହିଁ—ଆଜି ଯଦି ସେଇ ଅପପ୍ରଚାରକାରୀଙ୍କ ମଧ୍ୟରୁ କେହି ତମେ ବିଳିବିଳେଇଲା ବେଳେ ଏଠି ଉପସ୍ଥିତ ଥାନ୍ତା, ସେ ନିଶ୍ଚୟ ଜାଣନ୍ତା ସ୍ୱପ୍ନରେ ସୁଦ୍ଧା ସାଗରିକା ଛଡ଼ା ଶିଳ୍ପୀ ସୁରେନ୍ଦ୍ର ଲୀଳା କଥା ଚିନ୍ତା କରୁ ନାହିଁ—

 

ସୁର ଲୀଳାର ଉତ୍ତର ଶୁଣି ଗୁମ୍‍ ଖାଇଗଲା ।

 

ଲୀଳା କହିଲା, ତମର ଦୁର୍ବଳତା ଉପରେ ମୋ ମନରେ ଯେଉଁ ସନ୍ଦେହ ବେଳେବେଳେ ଉଙ୍କି ମାରୁଥିଲା, ତମର ପ୍ରଳାପରୁ କେବଳ ସାଗରିକା ନାଁ ଶୁଣି ସେ ସନ୍ଦେହ ମୋର ଘୁଞ୍ଚିଯାଇଛି–ତେଣୁ କେବଳ ଗୋଟିଏ ରାତି ନୁହେଁ—ଯଦି ସହସ୍ର ରାତ୍ରି ତମ ସହିତ ମୋର ଏମିତି ଏକାନ୍ତ ନିର୍ଜନରେ ବିତେ, ମୋର କୌଣସି ଆପତ୍ତି ନାଇଁ ।

 

ସୁର କହିଲା, କେବଳ ଆମ ଦୁହିଁଙ୍କୁ ନେଇ ଏ ସମାଜ ଗଢ଼ା ନୁହେଁ ଲୀଳା । ବାହାରେ ଜନରବ ବୋଲି ଗୋଟାଏ ଚିରାଟରାଗ —ଆମେ ଯେତେ ଯୁକ୍ତି କଲେ ମଧ୍ୟ ସେ ତାହା ଶୁଣିବ ନାହିଁ—କାଲି ସକାଳୁ ଯଦି ଜଣାପଡ଼ିଯାଏ ମୋର ଏ ନିର୍ଜନ ବସାରେ ଏକୁଟିଆ ତୁ ରାତ୍ରୀ ଯାପନ କରିଥିଲୁ—ତୁ ଅନୁମାନ କରିପାରୁଚ —କଳ୍ପନା କରିପାରୁଚୁ—

 

ସୁର ଆଉ କିଛି କହିପାରିଲା ନାହିଁ । ଗୋଟାଏ ଅନାଗତ ଭୟର ଆତଙ୍କରେ କଣ୍ଠ ତା’ର ରୁଦ୍ଧ ହୋଇଆସିଲା—ଚକ୍ଷୁ ଦୁଇଟି ମୁଦ୍ରିତ ହୋଇଆସିଲା ।

 

ଲୀଳା ବୋଧହୁଏ ସୁରରେ ଏଭଳି ଭୟାତୁର ବକ୍ତୃତା ଶୁଣି ରୀତିମତ ବିରକ୍ତ ହୋଇ ଉଠିଥିଲା । ପାଞ୍ଚ ମିନଟ୍‍ କାଳ ସେ ଏକଦମ୍‍ ଚୁପ୍‍ ହୋଇଗଲା । କିନ୍ତୁ ରାତ୍ରୀର ସେଇ ମ୍ଳାନ ଅନ୍ଧକାର ମଧ୍ୟରେ ଦେଖାଗଲା ମୁହଁରେ ତା’ର ଚାପା ଉତ୍ତେଜନା କମିଆସିଚି ।

 

କେତେବେଳେକେ ସେ ପୁଣି ମୁହଁ ଖୋଲିଲା, ଏ ସମାଜ ସମାଜ ହୋଇ ତମେ ପାଗଳ ହୋଇଯିବ ଦେଖୁଚି ସୁର ଭାଇ ! କିଏ ଗଢ଼ିଥିଲା ଏ ସମାଜକୁ କାହିଁକି ! ଏ ସମାଜ ଗଢ଼ା ହୋଇଥିଲେ ! କେତେକ ଦୁର୍ବଳ ମଣିଷ ସବଳ ମଣିଷର ଅତ୍ୟାଚାରୁ ନିଜକୁ ରକ୍ଷା କରିବା ପାଇଁ ଏ ଅନୁଷ୍ଠାନକୁ ଗଢ଼ିଥିଲେ—ସେତେବେଳେ ସର୍ତ୍ତ ଥିଲା, ସବୁ ମଣିଷ ନିଜ ନିଜର ସ୍ୱାଧୀନତାକୁ ରକ୍ଷା କରିବେ––କିନ୍ତୁ ସେତେବେଳକାର ସେଇ ନିର୍ବୋଧ,ନିରୀହ ମଣିଷଗୋଷ୍ଠୀ ଯଦି ଜାଣିଥାନ୍ତା ଏ ସମାଜ ଦିନେ ପୁଣି କେତେ ଜଣ ରକ୍ଷଣଶୀଳ ସବଳ ଲୋକଙ୍କ ହାତରେ ଏକ ଧାରୁଆ ଖଣ୍ଡା ରୂପେ ଶୋଷଣର ଅସ୍ତ୍ର ହୋଇ ରହିବ—ସେ ଯଦି ବୁଝିଥାନ୍ତା । ମଣିଷ ଜନ୍ମ ହେଲାବେଳେ ଯେଉଁ ସ୍ୱାଧୀନତାର ଅଧିକାର ନେଇ ଜନ୍ମ ହୋଇଥାଏ, ଜନ୍ମ ହେବା ପରେ ସେ ସ୍ଵାଧୀନତାର ସାମାଜିକ ବ୍ୟବସ୍ଥାର ଶିକୁଳୀ ଭିତରେ ଛନ୍ଦି ହୋଇପଡ଼ିବ, ତେବେ କଦାପି ସେ ଏ ସମାଜରୂପୀ ଭସ୍ମାସୁରକୁ ଜନ୍ମ ଦେଇ ନ ଥାନ୍ତା . ଏ ସମାଜ ଗଢ଼ା ଯାଇଥିଲା ମଣିଷ ର ନ୍ୟାଯ୍ୟ ଅଧିକାରକୁ ସେ ସବଳର ଅତ୍ୟାଚାରରୁ ବଞ୍ଚାଇ ରଖିବ... କିନ୍ତୁ ଆଜି ଯଦି ସେ ସମାଜ ତା’ର ସେ ପ୍ରତିଶ୍ରୁତି ରକ୍ଷାକରିବାକୁ ଅସମର୍ଥ ହେଉଛି, ସେ ସାମଜିକ ଶାସ୍ତି ଯେଡ଼େ ଭୀଷଣ ହେଉ ପଛେ ମୁଁ ତାକୁ ଅମାନ୍ୟ କରିବି—ସାମାନେ ଶୃଙ୍ଖଳା ନାମରେ ମୁଁ ଅମଣିଷ ହୋଇପାରିବି ନାହିଁ—ଗୋଟିଏ ଅସହାୟ ଜ୍ଵର ରୋଗକୁ ଏକୁଟିଆ ଛାଡ଼ିଦେଇ ଭୀରୁ, ଦୁର୍ବଳ ଭଳି ରାତ୍ରିର ଅନ୍ଧାରକୁ ଡରି ମୁଁ ପଳାଇଯିବି ନାଇଁ....

 

ସମାଜ ବିରୁଦ୍ଧରେ ସୁର ଲୀଳାର ଏ ଯୁଦ୍ଧ-ଘୋଷଣା ଶୁଣିଲା । କ’ଣ କହିବ କହିବ ହୋଇ କିଛି କହିଲା ନାହିଁ । କେବଳ ଅସ୍ପଷ୍ଟ ଭାବରେ ତା’ ପାଟିରୁ ବାହାରିଲା,ତୁ ନାରୀ ଲୀଳା ! କେବଳ ତୋରି ପାଇଁ କହୁଥିଲି—

 

ଲୀଳା ବିରକ୍ତିରେ ମୁହଁ ଫେରଇନେଲା—

 

ସକାଳୁ ଉଠି ସୁର ଦେଖିଲା ସେଇ କ୍ୟାନଭାସ୍‍ ଚେୟାରରେ ଲୀଳା ଶୋଇଯାଇଛି—ଗୋଟିଏ ଛିନ୍ନ ପଦ୍ମନାଡ଼ ଭଳି ତା’ର ଗୌର କୋମଳ ହାତ ଟି ଝୁଲିପଡ଼ିଚି ତଳକୁ ଆଖି ପତାରେ ରାତ୍ରି ଜାଗରଣର କାଳିମା ଲେସି ହୋଇଯାଇଛି—ଚୁର୍ଣ୍ଣକୁନ୍ତଳ କେତୋଟି ଧୀର ପବନରେ ଉଡ଼ିବୁଲୁଛି ଏଣେ ତେଣେ ।

 

ସୁର ନିରୀକ୍ଷଣ କରି ଚାହିଁଲା, ଏଇ ଲୀଳା ! ଗୋଟିଏ ପବିତ୍ର ନଷ୍ପାପ ଫୁଲ—ବୃନ୍ତଚ୍ୟତ ହେବା ପରେ ମଧ୍ୟ ସତେଜ, ସୁନ୍ଦର ଦଶୁଚି ।

 

ନିଦରୁ ଉଠାଇଦେବାକୁ ବାରମ୍ବାର ଇଛା ହେଉଥିଲେ ମଧ୍ୟ ସେ ଇଛା ଦମନ କରିନେଲା ସୁର ।

 

ସେଇ ଦିନ ଆସି ପହଞ୍ଚଲା ସାଗରିକା ।

 

ନିଜ ତୀରରେ ନିଜେ ବିକ୍ଷିତ ହୋଇ ସେ ଫେରିଆସିଲା । ସୁରର ଦେହ କଥା ଶୁଣି ବ୍ୟସ୍ତ ହୋଇପଡ଼ିଲା । ସମବେଦନାରେ ଆଖିରେ ତା’ର ଲୁହ ଦେଖାଗଲା, ସତେ ଯେମିତି ସେ ଏଇ ଦିନ ପାଞ୍ଚଟା ଭିତରେ ବଦଳି ଜାଇଛି !

 

ନିଜେ ଉଜାଡ଼ି ଦେଇ ଯାଇଥିବା ଘରକୁ ନିଜେ ପୁଣି ସେ ସଜାଡ଼ିବସିଲା । ବିକ୍ଷିପ୍ତ ହୋଇ ପଡ଼ିଥିବା ଜିନିଷପତ୍ର ସଜାଡ଼ି ରଖିଲା । ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଘରର ଆସବାବପତ୍ର ପୁଣି ସଜା ହେଲା ।

 

ଅଦୂରରେ ବସି ଢାକୁ ଲକ୍ଷ୍ୟ କରୁଥିଲା ସୁର । ମନେ ମନେ ଭାବୁଥିଲା ସାଗରିକାର କଥା । ନାରିରୂପୀ ଏଇ ନଦୀଟିର ଗତି ପ୍ରବାହ ତାକୁ ବେଳେବେଳେ ବିସ୍ମୟଚକିତ ଏବଂ ଆଉ ପୁଣି କେତେବେଳେ ଏଇ ନାରୀରୂପେ ନଦୀ ଆସ୍ଵୀନର ଶାନ୍ତ ସ୍ରୋତସ୍ୱିନୀ ଭଳି ଶାନ୍ତ କାନ୍ତ ସୁନ୍ଦର, ଆଉ ପୁଣି କେତେବେଳେ ଶ୍ରାବଣର କୂଳପ୍ଲାବିନୀ ଏଇ ନାରୀ ନଦୀର ଗତି ବି ଭୀଷଣ, ରୁଦ୍ର, ଧ୍ୱଂସମୁଖୀ-!

 

ସବୁ କାମ ସାରି ସାଗରକା ଆସି ସୁର ପାଖରେ ଆପେ ଅପେ ବସିଲା । ପଚାରିଲା, ମୋ ଉପରେ ରାଗିଚ ?

 

ସୁର ରାଗି ନ ଥିବା ଭଳି ହସିଲା ।

 

ଆଶ୍ୱସ୍ତ ହେବା ଭଲି ଶାନ୍ତ କଣ୍ଠରେ ସାଗରିକା ପୁଣି ପଚାରିଲା,ଜ୍ଵର ହେଲା—ପାଖରେ କେହି ନ ଥିଲେ—ଯଶୋଧାରା ଟିକିଏ ଆସୁ ନ ଥିଲା !

 

ସୁର ଏଥର ନର୍ଲିପ୍ତ ଭାବରେ କହିଲା, ନାଇଁ—କାଲି କେବଳ ଲୀଳା ଆସିଥିଲା—ସେଇ ରାତିକ ପାଇଁ ।

 

ଶସ୍ତ୍ରାହତ ଭଳି ଚମକିଉଠି ସାଗରିକା ପଚାରିଲା, କାଲି ସାରା ରାତି ତମ ପାଖରେ ଲୀଳା ଥିଲା !

 

ଅବିଚଲିତ ଭାବରେ ସୁର କହିଲା, ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ! ଲୀଳା ମୋର, ନାରୀ ବନ୍ଧୁ । ମୋ ଜୀବନର ଏକ ସଂକଟମୟ ମୂହୁର୍ତ୍ତରେ ଗୋଟିଏ ରାତି ସେବା କରିବାର ତା’ର କ’ଣ ଅଧିକାର ନାହିଁ !

 

ସାଗରିକା ହାତରେ ଧରିଥିବା କାଚ ଗ୍ଲାସ୍‍ ହଠାତ୍‍ ତଳେ ପଡ଼ି ଗୁଣ୍ଡ ହୋଇଗଲା । ସେ ଅପ୍ରକୃତିସ୍ଥ ହୋଇପଡ଼ିଚି । ଲୀଳା କାଲି ଗୋଟିଏ ସଂପୂର୍ଣ୍ଣ ରାତି ସେବା କରୁଥିଲା ତା’ର ସ୍ୱାମୀ—ଇହକାଳ ପରକାଳର ଦେବତାଙ୍କର ! ଭଣ୍ଡ ବୈଷ୍ଣବୀ, ତରୁଣୀ, ରୂପସୀ ଲୀଳା ! ଆଉ ସେ ଯାଇ ବସିଥିଲା ତା’ର ଖୁଡ଼ୀ ପାଖରେ ତା’ର ଅବୁଝା ପଥହୁଡ଼ା ସ୍ଵାମୀକୁ ଜବତ କରି ବାଟକୁ ଫେରାଇ ଆଣିବାକୁ !

 

ସାଗରିକାର ମନ ହେଉଥିଲା ସେ ପଥରରେ ମୁଣ୍ଡ ପିଟି ଦିଅନ୍ତା କି !

 

ସୁର ଲକ୍ଷ୍ୟକଲା, ବୈଶାଖର ଶିର୍ଣ୍ଣସ୍ରୋତା । ନାରୀ-ନଦୀ ପୁଣି ଅଷାଢ଼ର କୂଳପ୍ଲାବନୀ ନଦୀରେ ରୂପାନ୍ତରିତ ହୋଇ ମୁହଁରେ ଧ୍ଵଂସର ସଙ୍ଗୀତ ଛୁଟାଇ ଝଡ଼ ବେଗରେ ଆଗେଇଆସୁଛି ତା’ର ପରିବାରକୁ ନଷ୍ଟ କରିଦେବା ପାଇଁ–! ଉଜାଣି ବହୁଥିବା ସେ ସ୍ରୋତ ଆଗରେ ସେ କ’ଣ ଠିଆ ହୋଇପାରିବ ।

 

ସାଗରିକା କାନ୍ଦୁଚି ପିଲାଙ୍କ ଭଳି କଇଁ କଇଁ ହୋଇ । ଆଖିର ଅଶ୍ରୁ ବର୍ଷଧାରା ଭଳି ଛୁଟିଛି ଛାତି ଭିତରୁ କୋହ ଉଠୁଚି ସବୁ ବାଧା ବନ୍ଧନକୁ ଭ୍ରୁକ୍ଷେପ ନ କରି ।

 

ତମ ଜୀବନ ରେ କେବେ କ’ଣ ଭଲ ପାଇବାର ଜୁଆର ଆସି ନାଇଁ ଲୀଳା ! ମାତୃତ୍ୱ ପାଇଁ, ଦେହଭେଗ ପାଇଁ ତମର ଏ ତରୁଣୀ ଦେହରେ କେବେ କ’ଣ ଉଚ୍ଚ୍ୱାସ ଜାଗିନାଇଁ ! ତମେ କ’ଣ ଏ ସାଧାରଣ ନାରୀଙ୍କ ମଧ୍ୟରୁ ଏକ ଅସାଧାରଣ ବ୍ୟତିକ୍ରମ ! ତମର ପରିଚୟ କ’ଣ କେବଳ ଲୀଳା—ଆଉ କିଛି ନୁହେଁ ?

 

ଆଜି ସକାଳେ—ଟାଇମପିସ୍‌ର ଘଣ୍ଟା ଘଣ୍ଟା ଯେତେବେଳେ ନ’ ଅଙ୍କ ପାଖରେ ଉପସ୍ଥିତ ହୋଇ ଯାଇଥଲା—ସେତିକିବେଳେ ଶ୍ୟାମଳୀ—ମେଡ଼ିକାଲରେ ତା’ର ପରିଚିତ ନର୍ସ ବନ୍ଧୁ ଶ୍ୟାମଳୀ ଆସି ଆଜି ଏଇ ପ୍ରଶ୍ନରେ ତାକୁ ଅଥୟ କରି ପକାଇଲା ।

 

କେବଳ ଶ୍ୟାମଳୀ ନୁହେଁ—ବୈଧବ୍ୟ ପରେ ପୂଜାରିଣୀ ଦୀକ୍ଷା ଗ୍ରହଣ କରିନେଲା ପରେ ଅନେକଙ୍କ ମନରେ ଏଇ ପ୍ରଶ୍ନ ଉଇଁଚି—ଉଙ୍କି ମାରିଛି । ସେଇ ସନ୍ଦେହ, ନେଇ ପ୍ରଶ୍ନ ଆଜି ଶ୍ୟାମଳୀ କଣ୍ଠରେ ମୂର୍ତ୍ତିମନ୍ତ ହୋଇ ଉଠିଥିଲା ।

 

ଶ୍ୟାମଳୀକୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ଦେଇଥିଲ ଲୀଳା—ମୁଁ ସବୁ ସାଧାରଣ ଝିଅଙ୍କ ଭଳି ଅତି ସାଧାରଣ ଗୋଟିଏ ଝିଅ ଶ୍ୟାମଳୀ ! —କିନ୍ତୁ କପାଳ ମୋର ଛୋଟ—ଯେଉଁ ଗଛକୁ ଆଶ୍ରା କରି ମୋର ନାରୀତ୍ୱ ବିକାଶ କରିବା ପାଇଁ ଲଟେଇ ଯିବାକୁ ଠିକ୍‍ କରିଥିଲା, ରାଉରକଲା ର ଏକ ଟ୍ରକ୍‍ ଦୁର୍ଘଟଣାରେ ସେ ଗଛରେ ମୁଁ ଲଟେଇବା ଆଗରୁ ତାହା ଉପୁଡ଼ି ପଡ଼ିଲା–ତେଣୁ ଏ ଦେହର ଉଚ୍ଛିଷ୍ଟ ନେଇ ଅନ୍ୟ କୌଣସି ଦେବତାର ପୂଜା କରିବା ପାଇଁ ମୁଁ ଆସ୍ପଦ୍ଧା କରି ନାହିଁ—ଧର୍ମ କରିବାର କୌଣସି ପବିତ୍ର ଉଦ୍ଦେଶ୍ୟ ନେଇ ନୁହେଁ, ନାରୀ-ଜୀବନର ଚରମ ବିଫଳତାକୁ ପାଶୋରିଦେବା ପାଇଁ ଯେଉଁ ଭଗବାନ ମୋର ଏ ଦେହକୁ ଜନ୍ମ ଦେଇ ବିଫଳ କରି ଦେଇଛନ୍ତି, ତାଙ୍କର ପାଦତଳେ ମୁଁ ଏ ଦେହକୁ ଉତ୍ସର୍ଗ କରିଦେଇ—ତୁମେ ତାକୁ ଭଣ୍ଡ ବୈଷ୍ଣବୀର ଛଳନା ବୋଲି କୁହ—କୁହ ପଛେ ତାକୁ ଦୁନିଆ ଆଖିରେ ଧୂଳି ଦେଇ ନିଜ ନୀଚ ଶାରୀରିକ ସମ୍ଭୋଗକୁ ସାର୍ଥକ କରିବା ପାଇଁ ଯାହା ଏକ ଚକତ୍କାର ଚାଲିବାଜି, ସେଥପାଇଁ ମୋର ଦୁଃଖ ନାହିଁ–ଜୀବନରେ ଯାହା କରି ନ ପାରିଲି, ସେଥିପାଇଁ ମୋର ନିରାଶ ହେବାର କିଛି ନାହିଁ–ମୁଁ ଠିକ୍‍ ବାଟରେ ଚାଲିଛି—କାହାରିକୁ ପଥଚ୍ୟୁତ କରି ନାହିଁ—ଏହା ହିଁ ମୋ ଜୀବନର ସାନ୍ତ୍ଵନା-

 

ଜୋକ ମୁହଁରେ ଲୁଣ ଦେଲା ଭଲି ଶ୍ୟାମଳୀ ଲୀଳା ଘରୁ ବାହାରି ଆସିଥିଲା । ଶ୍ୟାମଳୀ—ହରାଶପ୍ରଣୟୀ ଡାକ୍ତର ସଦାନନ୍ଦ ମିଶ୍ରଙ୍କର ଉପନାୟିକା—ଦୂତୀ ଶ୍ୟାମଳୀ ପୁଣି ଯାଇ ପହଞ୍ଚିଥିଲା ସାଗରିକା ଘରେ—

 

ସୁର ଅଫିସକୁ ବାହାରିଗଲା ପରେ ଶ୍ୟାମଳୀ ପହଞ୍ଚିଥିଲା ସାଗରିକା ଘରେ—ସମସ୍ତଙ୍କ ଉପରୁ ବିଶ୍ଵାସ ତୁଟିଯିବା ପରେ ଏଇ ନର୍ସ ଶ୍ୟାମଳୀ ଉପରେ ସାଗରିକାର ସବୁ ବିଶ୍ଵାସ ଠୁଳ ହୋଇଚି ।

 

ଯୁଶୋଧାର ଟିଟୁକୁ ଛାଡ଼ିଦେଇ ଯାଇଥାଏ ଘରେ ।

 

ଶ୍ୟାମଳୀ ଟିଟୁକୁ ଧରି ଗେଲ କଲା । ପଚାରିଲା, ତୋ ବାପା ନାଁ କ’ଣ ?

 

ଟିଟୁର ଦରୋଟି କଣ୍ଠରୁ ଜବାବ୍‍ ଆସିଲା, ଛୁ—ଲ—

 

ଶ୍ୟାମଳୀ କିରି କିରି ହୋଇ ହସିଉଠିଲା—ମନ୍ତବ୍ୟ କଲା, ଠିକ୍‍ ବାପର ଠିକ୍‍ ପୁଅ—ବଡ଼ ହେଲେ ନାଁ । ରଖିବ ଏକା– !

 

ସାଗରିକା ମୁହଁରେ ହସ ଚହଟିଲା, ଟିଟୁ ନାଁ କହି ଶିଖିଲାଣି !

 

ଶ୍ୟାମଳୀ ପୁଣି ପଚାରିଲା, ତୋ ବୋଉ ନାଁ । କ’ଣ ?

 

ଟିଟୁ କିଛି ଉତ୍ତର ଦେଇପାରିଲା ନାହିଁ । ଏଣିକି ତେଣିକି କାବା ହୋଇ ଚାହିଁଲା । ପୁଣି ପ୍ରଶ୍ନ ଦୋହରେଇଲା ଶ୍ୟାମଳୀ—ତୋ ବୋଉ ନାଁ । କ’ଣ ?

 

ଏଥର ଟିଟୁର ଦରହସିତ କଣ୍ଠରୁ ଜବାବ୍‍ ଅସିଲା—ଲୀ—ଲା—

 

ଲୀଳା ! ହଠାତ୍‍ ଯେମିତି ସାଗରିକା ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା । ସେ ପାଟିକରି ଉଠିଲା, କ’ଣ କହଲୁ । କ’ଣ କହିଲୁରେ ମେଞ୍ଚଡ଼ ଟୋକା ।

 

ଲୀଳା—ଲୀଳା—ବୋଲି ଦୁଇ ଚାରି ଥର କହି ଟିଟୁ ହସିବାକୁ ଲାଗିଲା । ସାଗରିକାର ରାଗ, କ୍ରୋଧ ତା’ର ହସ, ଆନନ୍ଦକୁ ଯେପରି ଛୁଇଁପାରୁନି ।

 

ଶ୍ୟାମଳୀ ଏଥର ମନେ ମନେ ଖୁବ୍‍ ଖୁସି ହୋଇଛି । ଯେଉଁ ଔଷଧର ସଂଧାନରେ ସେ ଆସିଥିଲା, ତା’ର ସଂଧାନ ଦେଇଛି ଟିଟୁ । ଟିଟୁକୁ ସେ ଗେଲ କରି ସାଗରିକା ଆଡ଼କୁ ଅଙ୍ଗୁଳି ଦେଖାଇ ପଚାରିଲା; ଏ କିଏରେ ଟିଟୁ ।

 

ସାଗରିକାକୁ ଦେଖି ଟିଟୁର ମୁହଁ ଏଥର ଫାଟିଆସିଲା—ସେ ତା ପରେ ଭେଁ କିନି କାନ୍ଦିଉଠିଲା । ସାଗରିକାର ମାତୃତ୍ୱ ପ୍ରତି ଶିଶୁର ଏ ଅସହ୍ୟ ଅସ୍ୱୀକୃତିକୁ ସମ୍ଭାଳି ପାରିଲା ନାଇଁ ସାଗରିକା—କ୍ରନ୍ଦନରତ ଶିଶୁ ଉପରେ ସେ ଗୋଟାଏ ଶକ୍ତ ଚଟକଣା ବସାଇଦେଲା.....

 

ଦୁଇ ବର୍ଷର ଶିଶୁ ଟିଟୁ....ଏ ମାଡ଼ରେ ସେ ଚିରଚିରେଇ ଉଠି ରଡ଼ି ଛାଡ଼ିଲା କଇଁ ଲେଉଟିବାକୁ ଦୁଇ ମିନିଟ...

 

ଶ୍ୟାମଳୀ ତାକୁ କୋଳରେ ନେଇ ବାହାରକୁ ଚାଲିଗଲା । କିଛି ସମୟ ପରେ ଫେରି ‘ସାଗରିକାକୁ ତାଗିଦ୍‍ କଲା ପିଲାଙ୍କୁ ସବୁ ଏମିତି ମାରନ୍ତି ! ଛୁଆ ଲୋକ ଯେଉଁଠି ମା’ର ଶ୍ରଦ୍ଧା ପାଇଲା, ସେ ସିଆଡ଼େ ଢଳିଗଲା । ସେ ଅଜ୍ଞାନ...ତାର ଦୋଷ କ’ଣ ? ତୁ ତାକୁ ସେ ଡାହାଣୀ ଘରକୁ କାଇଁକି ପଠାଉଚୁ ଯେ !

 

ଶ୍ୟାମଳୀ ଚାଲିଗଲା ପରେ ସାଗରିକା ସ୍ତିର କଲା, ଲୀଳା ଯାହା ସବୁ ପଛେ ଟିଟୁକୁ ସେ କେବେ ଆଉ ତା ପାଖକୁ ପଠାଇବ ନାହିଁ ।

 

କାନ୍ଦି କାନ୍ଦି ଟିଟୁ ଶୋଇ ଯାଇଥିଲା ।

 

ତାକୁ ନେଇ ଶେଯରେ ଶୁଆଇଦେଲା ସାଗରିକା

 

ଟିଟୁ ଶୋଇପଡ଼ିବା ପରେ ବି ସାଗରିକା ନିଶ୍ଚିନ୍ତ ହୋଇପାରିଲା ନାହିଁ । ତା’ ଆଖିଡ଼ୋଲା ଦୁଇଟି ଲୁହର ସମୁଦ୍ରରେ ଭାସୁଛି । ତାକୁ ଜଣାଯାଉଚି ତା’ର ଚାରିଆଡ଼ ଶୂନ୍ୟ...ସ୍ୱାମୀ ତା’ର ନୁହନ୍ତି...ବାପଘର ତା’ର ନୁହେଁ—ନିଜ ଅନ୍ତଫାଡ଼ି ଦଶମାସ ଗର୍ଭ କଷ୍ଟ ସହି ସେ ଯେଉଁ ସନ୍ତାନକୁ ଜନ୍ମ କଲା, ସେ ହେଲା ଲୀଳାର !

 

ଏବିରାଟ ପୃଥିବୀ ଭିତରେ ସେ ଏକା—ଏକା—ଏକା— ।

 

ସ୍ଵାମୀ ମୁହଁରୁ ସେ ସ୍ନେହର କଥା ପଦେ ଶୁଣିବ ନାଇଁ ।

 

ପୁଅ ମୁହଁରୁ ‘ବୋଉ’ ବୋଲି ଥରେ ଡାକ ଶୁଣିବ ନାଇଁ ।

 

ସାଗରିକାର ମନ କେଉଁଠି ଲାଗୁ ନାହିଁ । ସେ ଅନେଇ ଯାଉଚି ଟିଟୁ ନିଦ ଭାଙ୍ଗିଲାଣି କି ନାହିଁ । ଟିଟୁ ନିଦ ଭାଙ୍ଗିଲାକ୍ଷଣି ସେ ଯାଇ ତାକୁ କୋଳକୁ ତୋଳିଆଣିଲା । ଗେଲ କରି ପଚାରିଲା, କହିବୁଟିରେ ଟିଟୁ ତୋ ବୋଉ ନାଁ କ’ଣ ?

 

ଟିଟୁ ହସି ହସି କହିଲା, ଲୀଳା ନିଜର ସବୁ ଅସନ୍ତୋଷକୁ ଚାପିରଖି ସାଗିରିକା କହିଲା, ଛି ଛି ସେ ପରା ଗୋଟିଏ ଡାହାଣୀ ! କହ ମୋ ବୋଉ ନାଁ ଛାଗଲିକା—

 

ଟିଟୁ ଏତେ ବଡ଼ ନାଁଟିଏ ଉଚ୍ଚାରଣ କରିବାକୁ ବୋଧହୁଏ ସାହସ କରିପାରିଲା ନାହିଁ । ଭେ କିନା କାନ୍ଦିଉଠିଲା ।

 

ତାକୁ ଧଡ଼୍‍ କିନି ତଳେ କଚାଡ଼ି ଦେଇ ରାଗରେ ଜର ଜର ହୋଇ ଉଠି ଗଲା ସାଗରିକା-। ନିଉଛୁଣା ଛୁଆଟା !

 

ଲୀଳା ନେଇ ସାଗରିକା ଆଉ ସୁର ଭିତରେ ତୁମୁଳ ଗଣ୍ଡଗୋଳ ।

 

ଟିଟୁକୁ ଜ୍ଵର ହୋଇଛି ।

 

ଲୀଳା ପାଖକୁ ଟିଟୁକୁ ନ ଛାଡ଼ିବା ଫଳରେ ଟିଟୁ କାନ୍ଦି କାନ୍ଦି ଖାଇ ନ ଥିଲା କିଛି ଗତ ତିନି ଓଳି ହେଲା । ସବୁବେଳେ ଖାଲି କାନ୍ଦୁ ଥିଲା । ଏଇ କାଲିଠୁ ଦେହରେ ଢାତି ପୁରାଇଚି । ଡାକ୍ତର କହୁଛି ଜ୍ଵର ‘ସୁର ସାଗରିକା ପାଖରେ ମିନତି କରିଥିଲା, ଲୀଳାକୁ ଟିଟୁ ପାଖକୁ ଆସିବାକୁ ତମେ ବାରଣ କର ନାହିଁ ତାକୁ ଟିକିଏ ଆସିବାକୁ ଦିଅ—ଟିଟୁକୁ ସେ ମା ଠୁ ବଳି ଭଲ ପାଏ...

 

ଚିହିଁକି ଉଠିଥିଲା ସୁର କଥାରେ ସାଗରିକା, ସତେ ! ମୋଠୁଁ ଟିଟୁକୁ ବେଶୀ ଲୀଳା ଭଲ ପାଏ ବୋଲି କହିପାରୁଚ ! ମାଠୁଁ ଯେ ପିଲାକୁ ବେଶୀ ଭଲ ପାଏ ସେ କ’ଣ ? ଡାହାଣୀ....ମୁଁ ସେ ଡାଆଣୀକି କେବେ ମୋ ପାଖରେ ପୁରାଇବି ନାଇଁ ସେଇ ଡାଆଣୀ ଦୃଷ୍ଟି ପଡ଼ି ମୋ ପୁଅ ଦିହ ଖରାପ—କହିରଖୁଚି ଏକା, ସେ ଏଠିକି ଆସିଲେ ତାକୁ କାମୁଡ଼ି ପକାଇବି—

 

ସାଗରିକା କଥା ଶୁଣି ନିଜ ଦୁଇ କାନରେ ହାତ ଦେଇଦେଲା । ଏ କ’ଣ କହିଯାଉଚି ସାଗରିକା ପାଗଳିନୀଙ୍କ ଭଳି ! ଛି, ଛି ଏକଥା ଯଦି ଲୀଳା କାନରେ ପଡ଼େ, କେମିତି ସେ ତା’ ପାଖରେ ମୁହଁଟେକି ଚାଲିବ ।

 

ସାଗରିକା ମୁଣ୍ଡ ଖରାପ ହୋଇଯାଇଚି । ତାକୁ ବେଶୀ ବିରକ୍ତ ନ କରି ନିମ୍ନ ସ୍ୱରରେ ସୁର କହିଲା, ଲୀଳାକୁ ତମେ ଭୁଲ୍‍ ବୁଝ ନାଇଁ ସାଗରିକା ! ସେ ଡାଆଣି ନୁହେଁ—ଗୋଟିଏ ହତ ଭାଗିନୀ । ତମେ ସେଦିନ ତା’ ପାଖରେ ସତ୍ୟ କରିଥିଲ ଟିଟୁକୁ ମଣିଷ କରିବା ପାଇଁ ତମେ ତା’କୁ ତା ହାତରେ ଟେକି ଦେବ । ସେଇ ଭରସାରେ ଟିଟୁକୁ ସେ ଟିକିଏ ସ୍ନେହ କରୁଚି—ସ୍ନେହକାଙ୍ଗାଳ ପିଲାଟା ଢଲିପଡ଼ିଚି ତା ଆଡ଼କୁ—ତମେ ତା’କୁ ଭୁଲ ବୁଝ ନାଇଁ ।

 

ସାଗରିକା ସମୁଦ୍ରର ଗର୍ଜନ ଭଳି ପାଟିକରି ଉଠିଲା—ଲୀଳା ବୋଲି ତମେ ଏତେଥର କହୁଚ, ଲାଜ ଲାଗୁ ନାଇଁ ! —ଏବେ ବି ସେ ମାଇକିନିଆ ପାଲରୁ ତମ ଗୋଡ଼ ପଦାକୁ ବାହାରୁ ନାଇଁ ! —ବାହାରେ ଲୋକ କ’ଣ କହୁଛନ୍ତି ଶୁଣୁନ ! —ମୁଁ ମୋ ପୁଅକୁ ତାକୁ ମଣିଷ କରିବାକୁ ଦେବି ବୋଲି ସତ୍ୟ କରିଥିଲି—ମୁଁ କ’ଣ ତାକୁ କହିଥିଲି ସେ ମୋ ପୁଅକୁ ମୋଠୁ ଛଡ଼େଇ ନେବ–

 

ସୁର କାଠ ଭଳି ସବୁ ଶୁଣି ଯାଉଥାଏ । ତାକୁ ଆଉ ଲୀଳାକୁ ନେଇ ବାହାରେ ଯେଉଁ ଅପପ୍ରଚାର ଚାଲିଛି, ତାକୁ ବିଶ୍ଵାସ କରୁଛି ସାଗରିକା ! ଲୀଳା ପାଲରେ ପଡ଼ିଛି ସେ ! ସୁର କାନରେ ବାଜି ଯାଇଥିଲା କାଠଯୋଡ଼ି କୂଳରେ ବହୁଦିନ ତଳେ ଦିନେ ରାତିରେ ଲୀଳା କରିଥିବା କଥା କେଇ ପଦ ମୁଁ ତମର ସବୁ ଅତ୍ୟାଚାର ସହିପାରିବି ସୁର ଭାଇ ! ହେଲେ ମୋ ପ୍ରତି ତମର କିଛି ଦୁର୍ବଳତା ରହିବ, ଏହା ମୋ ପକ୍ଷରେ ଅସହ୍ୟ—ସେଥିପାଇଁ ତମକୁ ସାଗରିକାକୁ ବିବାହ କରିବାକୁ ହେବ—

 

ଏ କ’ଣ ସେଇ ସାଗରିକା !

 

ସୁରର ଭାବାନ୍ତର ଲକ୍ଷ୍ୟକରି ସାଗରିକା ବ୍ୟାକୁଳ କଣ୍ଠରେ କହିଲା, ତମେ ମୋଟେ ଜାଣିନ—ତମେ ନିରିହ, ସରଳ ଲୋକ—ତମକୁ ସେ ମାଇକିନିଆ ଔଷଧ କରିଚି—ମୁଁ ମିଛ କହୁନି—ତମେ ମତେ ବିଶ୍ଵାସ କର—ମୋଠୁଁ ସେ ତମକୁ, ଟିଟୁକୁ ଛଡ଼େଇ ନେବ ବୋଲି ବସିଛି–

 

ସୁରର ତାତି ଆସୁଥିବା ରକ୍ତ ହଠାତ୍‍ ଜଳିଉଠିଲା ସହନଶୀଳତାର ନଈବନ୍ଧ ହଠାତ୍‍ ତାଡ଼ି ହୋଇଗଲା ସାଗରିକାର ଏଇ ନୀଚ, ହିନ ଅଭିଯୋଗରେ । ଟିଟୁ ପାଇଁ ଆସିଥିବା ଔଷଧ ଶିଶିଟାକୁ ଫୋପାଡ଼ିଦେଲା ସାଗରିକା ଉପରକୁ । ସାଗରିକାର ତାଳୁରେ ବାଜିଲା ସେ ଶିଶିଟା—

 

ମତେ ମାଇଲ—ମୋଠି ହାତ ଲଗାଇଲ—ଏଁ ଏଁ ହଠାତ୍‍ ଚିତ୍କାର କରି କାନ୍ଦିଉଠି ଘର ଦୁଆର ବନ୍ଧରେ ସାଗରିବା ଡ’ ଢୋ’ କରି ଦୁଇଥର ମୁଣ୍ଡ ବାଡ଼େଇଦେଲା—

 

ସୁର ଦେହ ସେତେବେଳଯାଏ ଥରୁଚି—ରାଗରେ, ଉତ୍ତେଜନାରେ ତା’ ମୁହଁର ରଙ୍ଗ ବଦଲୁଚି । ନିଶ୍ଵାସର ଗତି ହେଉଚି ପ୍ରଖରତର ସତେ ସେ ଯେମିତି ପାଗଳ ହୋଇଯିବ !

 

ରାଧାମାଧବଙ୍କ ଆଗରେ ଆଣ୍ଠୁମାଡ଼ି ବସି ଲୋତସଜଳ ଆଖିରେ ଲୀଳା ପ୍ରାର୍ଥନା କରୁଚି, ହେ ରାଧାମାଧବ ! ଟିଟୁକୁ ତମେ ଆରୋଗ୍ୟ କରିଦିଅ । ଅଜ୍ଞାନ ଶିଶୁ ସେ । ନିରାପରାଧ ନିରୀହ ପିଲା । ତାକୁ ଜ୍ଵରମୁକ୍ତ କରିଦିଅ । ତା’ର ଦୁଇ ଓଠରେ ହସର ଉଚ୍ଛାସ ଉଠୁ । ଆଉ ମୋ ପାଖକୁ ସେ ପଛେ ନ ଆସିଲେ ନାଇଁ—ସେ ଠୁକୁ ଠୁକୁ ହୋଇ ସେଇଠି ଚାଲୁ ଗୁଲୁ ଗୁଲୁ ହୋଇ ସେଇଠି କଥା କହୁ.. ପବନରେ ସେ ହସ, ଚାଲିର ଶବ୍ଦ, କଥାର ସ୍ଵର ଭାସି ଭାସି ଆସିବ. ସେଇୟାକୁ ଶୁଣି ମୋ ଆଖିର ଏ ଯମୁନା ଶୁଖିଲା ହୋଇଯିବ.....

 

ତମେ ନିସ୍ତୁର ହୁଅନା ରାଧାମାଧବ ! ସବୁ ଅପରାଧ ମୋର । ମୁଁ ସତରେ ଡାଆଣୀ ସ୍ଵାମୀଙ୍କୁ ଖାଇଚି ପରିବାରର ଐଶ୍ୱର୍ଯ୍ୟ ମୋର ଯୋଗୁ ପୋଡ଼ି ପାଉଁଶ ହୋଇଯାଇଛି । ମୋର ସୌଭାଗ୍ୟ ଧ୍ଵଂସ ହୋଇଯାଇଚି । ମୁଁ ଅନ୍ୟ ଜଣଙ୍କ ସୌଭାଗ୍ୟକୁ ନଷ୍ଟ କରିଦେବି କାହିଁକି ?

 

ଲୀଳାର ଆଖିରୁ ଫିଟିପଡ଼ିଚି ଅଶ୍ରୁ-ଯମୁନାର ଏକ ଅବିଶ୍ରାନ୍ତ ସ୍ରୋତ । ଆଖିର ଲୋତକସ୍ରୋତରେ ସେ ଆଜି ସତେ ଯେପରି ରାଧାମାଧବଙ୍କ ପାଦ ଧୋଇଦେବା ପାଇଁ ପ୍ରତିଜ୍ଞା କରିଛି !

 

ଟିଟୁକୁ ଜ୍ଵର...ଦୁଇଦିନ ହେଲା । ଡାକ୍ତରଖାନାରୁ ଫେରିବା ବାଟରେ ସେ ନୀତି, ସୁର, ଭାଇ ଘର ଝରକାବାଟେ ଚାହିଁଦେଇ ଆସେ ଟିଟୁ ଶୋଇଚି ରୋଗଶେଯରେ—ମୁହଁ ତା’ର କଳା ପଡ଼ି ଆସିଲାଣି—ହୁଏତ ଡାକ୍ତର ଠିକ୍‍ ଚକିତ୍ସା କରିପାରୁ ନାହିଁ ସମ୍ଭବତଃ ଫଳ, ଔଷଧ ତାକୁ ଠିକ୍‍ ପରିମାଣରେ ଦିଆଯାଇ ପାରୁ ନାହିଁ । ତା’ର ବାରମ୍ବାର ଇଚ୍ଛା ହୋଇଚି ଏ ବିଷୟରେ ଟିକିଏ ପଚାରି ବୁଝିନେବାକୁ—ଫଳଟାଏ କିମ୍ବା ଅନ୍ୟ ଟିକିଏ କିଛି କଣି ଦେଇ ଆସିବାକୁ—କିନ୍ତୁ ସାଗରିକା ଡରରେ ସେ ଭିତରେ ପଶିପାରୁ ନାହିଁ ପାଦ ଦୁଇଟି ଘୁଞ୍ଚିଆସୁଛି ପଛକୁ ଆପେ ଆପେ ।

 

ବସାରେ ଆସି ଦେଖେ ଖଟ ଖାଲି ପଡ଼ିଚି—ଟିଟୁ ନାହିଁ ଖେଳନାଗୁଡ଼ିକ ଖେଳେଇ ହୋଇ ପଡ଼ିଚି— କେହି ଖେଳିବାକୁ ନାହିଁ—ଦିନେ ଦିନେ ଡାକ୍ତରଖାନାରୁ ଫେରୁ ଫେରୁ ନୂଆ ଖେଳନା,, କିଣିବାକୁ ତା’ର ମନେପଡ଼େ ଯେ ଟିଟୁ ଆଉ ତା’ ବସାକୁ ଅସୁ ନାହିଁ—ଆଉ ଆସିବ ନାଇଁ—ଖେଳନା ଦେବାକୁ ସେ ମଧ୍ୟ ତାଙ୍କ ଘରକୁ ଯାଇପାରିବ ନାହିଁ ଅପ୍ରସ୍ତୁତ ହୋଇ । ଖେଳନା ଦୋକନରୁ ଲେଉଟିଆସେ—

 

ଟିଟୁ ଆଉ ତା’ ବସାକୁ ଆସୁ ନାହିଁ ।

 

ତାକୁ ଜ୍ଵର ହୋଇଛି ।

 

ଧାନ ଅମଳ ସରିଚି । ହିସାବପତ୍ର କରି ବୁଝା ସୁଝା କରିବାକୁ ଦିନ କେଇଟା ପାଇଁ ଯଶୋଧାର ଯାଇଚି ଗାଁକୁ । ବସାରେ ଏକୁଟିଆ—ଖାଲି ଖାଲି ଲାଗୁଛି ।

 

ଏକା ରାଧାମାଧବ—

 

ଟିଟୁର ଦେହ ଆରୋଗ୍ୟ ପାଇଁ ରାଧାମାଧବଙ୍କ ପାଖରେ ପ୍ରାର୍ଥନା ଜଣାଉଛି ଲୀଳା...କାତର, ବ୍ୟାକୁଳ ପ୍ରାର୍ଥନା । । ରାଧାମାଧବ ମନ୍ଦିରରୁ ଫେରିଆସି ପଲଙ୍କ ଉପରେ ମୁହଁମାଡ଼ି ଶୋଇଲା, ଲୀଳା । ମନ ଭିତରେ ଅଶାନ୍ତ, ଅବସାଦ କେମିତି ଗଦା ହୋଇ ଯାଇଚି । ସହରର ଚାରିଆଡ଼େ ତା’ ନାମରେ ନିନ୍ଦା, ଅପବାଦ ବ୍ୟାପୁଚି—ଶ୍ୟାମଳୀ ସାହାଯ୍ୟରେ ସଦାନନ୍ଦ ଡାକ୍ତର ସେ ଅପପ୍ରଚାରକୁ ଦୂରବେଗରେ ଚଳାଇଛନ୍ତି...

 

ତା’ର ନିଜର ହେଇ ରାଧାମାଧବଙ୍କ ଛଡ଼ା କେହି ନାହାନ୍ତି ।

 

ଲୀଳା ପଲଙ୍କ ଉପରେ ଶୋଇ ଶୋଇ ଭାବୁଥିଲା—ସୁର ଭାଇ ଯାହା କହୁଥିଲେ, ତା‘ ବୋଧହୁଏ ସତ୍ୟ । ଚାରିଆଡ଼େ ଏ ହିଂଶ୍ର ବ୍ୟାଘ୍ର ରୂପି ସମାଜର ଆଖି ଦୁଇଟା ନିଆଁ ପିଣ୍ଡୁଳା ଭଳି ଜଳୁଚି...ତାକୁ ଆଖି ଦୁଇଟାକୁ ଡରିବାକୁ ହେବ ।

 

ଲଣ୍ଠନର ଜ୍ଵଳନ୍ତ ବତୀ ଭଳି ବୈଧବ୍ୟ ପରେ ତା’ର ଯୌବନର ରୂପ-ଶିଖା ଦାଉ ଦାଉ ହୋଇ ଜଳୁଛି । ସାମାଜିକ ବ୍ୟବସ୍ଥାର କଟକଣା ଲଣ୍ଠନର କାଚ ଭଳି ସେଇ ରୂପ-ଶିଖାର ବତୀକୁ ଚାରିଆଡ଼ୁ ଘୋଡ଼ାଇ ରଖିଚି । ସମାଜ ଭିତରେ ବାସ କରୁଥିବା ଏଇ ରୂପ-ବୁଭୁକ୍ଷୁ ଲକ୍ଷ ଲକ୍ଷ କାଙ୍ଗାଳ ମଣିଷ ଲଣ୍ଠନର କାଚ ଭିତରେ ଜଲୁଥିବା ତା’ର ସେଇ ଯୌବନର ରୂପ-ଶିଖାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି ଯଦି ସେଇ ସାମାଜିକ ଶୃଙ୍ଖଳାର କାଚ ଭାଙ୍ଗି ଯାଏ, ତେବେ ତା’ର ରୂପ-ଶିଖାରେ ଝାସ ଦେବା ପାଇଁ ସେଇ ରୂପଲୋଭୀ ପତଙ୍ଗ ଦଳ ନିଜକୁ ପୋଡ଼ି ଧ୍ଵଂସ କରିଦେବା ପାଇଁ ଆଗେଇ ଆସିବେ ସହସ୍ର ସହସ୍ର ଲକ୍ଷ ଲକ୍ଷ ସଂଖ୍ୟାରେ ।

 

ତାକୁ ସେ ସାମାଜିକ ଶୃଙ୍ଖଳାକୁ ମାନିବାକୁ ହେବ ।

 

ସାଗରିକା ମନରୁ ସେ ସନ୍ଦେହର ନିଆଁ କୁ ଲିଭାଇ ଦେବାକୁ ପଡ଼ିବ ।

 

ସେ ସାଗରିକା ପାଖକୁ ଯିବ....ତା’ ହାତ ଧରିବ...ଓଠ ଧରିବ....କ୍ଷମା ଚାହିଁବ । ତା’ର ଏତେ ଅନ୍ତରଙ୍ଗ ବନ୍ଧୁ ସେ ତାକୁ ସେ କ’ଣ କ୍ଷମା ଦେବ ନାହିଁ !

 

ସେଦିନ ଆଉ ଡାକ୍ତର ଦୋକାନକୁ ଯାଇପାରିଲା ନାହିଁ ଲୀଲା ।

 

ସୁର ଭାଇର ବସାକୁ ବାହାରି ପଡ଼ିଲା ।

 

ଖରାବେଳ । ବାହାରେ ଝାଞ୍ଜି ପିଟୁଛି ।

 

ଭିତରୁ କାହାର ପାଟି ଶୁଭୁ ନାହିଁ । କବାଟ ଖୋଲି ଲଘୁ ଶଙ୍କିତ ପଦକ୍ଷେପରେ ସେ ଭିତରେ ପ୍ରବେଶ କଲା । ପ୍ରଥମ ଘରେ କେହି ନାହାନ୍ତି । ଦ୍ଵିତୀୟ ଘରେ ପଲଙ୍କ ଉପରେ ଶୋଇଯାଇଚି ସାଗରିକା–ତାକୁ ଲାଗି ସେଇଠି ଶୋଇଚି ଟିଟୁ । ଜ୍ଵର ବୋଧହୁଏ କମିଯାଇଚି ।

 

ସାଗରିକାକୁ ହଠାତ୍‍ ଡାକି ଉଠାଇଦେବାକୁ ଲୀଳାର ସାହସ ହେଲା ନାହିଁ । ଅତିତ ଦିନର କଥା କେତୋଟି ଛାୟାଚିତ୍ର ଭଲି ତା’ ଆଖି ଆଗରେ ନାଚିଉଠିଲା । ସେ ଦେଖିଲା, ସେଇ ଘରର ଗୋଟିଏ ଟେବୁଲ ଉପରେ ଖଣ୍ଡେ ଚିଠି ଅଧଲେଖା ହୋଇ ଥୁଆ ହୋଇଚି । ସାଗରିକାର ହସ୍ତାକ୍ଷର ବୋଲି ମନେ ହେଲା—ସେ ଅଧାଲେଖା ଚିଠି ଖଣ୍ଡକ ଉପରେ ଆଖି ବୁଲେଇନେଲା ଲୀଳା । ସାଗରିକା ଲେଖିଚି—

 

ଇରା ଲୋ ! ଅନେକ ଦିନ ହେଲା ତୋ ଚିଠି ପାଇଚି । ଉତ୍ତର ଦେବାକୁ ଅନେକ ଥର ଚେଷ୍ଟା କରି ମଧ୍ୟ ଦେଇପାରି ନାହିଁ । କ’ଣ ତତେ ଲେଖିବି ! ଆଗ ଚିଠି ତତେ ଲେଖିଲାବେଳେ ମତେ ଯେଉଁ କଥାସବୁ ରଙ୍ଗୀନ ଦିଶୁଥିଲା, ଆଜି ଚିଠି ଲେଖିଲାବେଳେ ସେ ପଦାର୍ଥରୁ ରଙ୍ଗସବୁ ଲିଭିଗଲାଣି ।

 

ଡାକ୍ତର ମହାପାତ୍ର ତତେ ବିବାହ ନ କରି ଠକି ଦେଇଛନ୍ତି, କିନ୍ତୁ ମୁଁ ଏଠି ବିବାହ କରି ଦିନେ ଖୁସିରେ ବିଭୋର ହୋଇ ପଡ଼ିଥିଲି, ଖବ୍‍ ପିଲାଦିନୁ ତାଙ୍କର ମନ ଲୀଲା ପାଖରେ (ଯେଉଁ ଲୀଳାଙ୍କର ପ୍ରଶଂସା ଆଗ ଚିଠିରେ ମୁଁ ତୋ’ ପାଖରେ କେତେ ନ କରିଛି ସତେ !) ବନ୍ଧା ରହିଯାଇଚି । ସେ ମନକୁ ଆଉ ସେ ମୁକୁଳାଇ ଆଣିପାରୁ ନାହାନ୍ତି ଟିକକ କଥାରେ ତାଙ୍କର ଲୀଳା-। ମୁଁ ଯେମିତି କିଛି ନୁହେଁ !

 

କେବଳ ସିଏ ନୁହନ୍ତି, ପୁଅ ବୋଲି ଯାହାକୁ କୋଳରେ ଧରିଥିଲି, ସେ ବି ମୋର ହେଲା ନାହିଁ—ସେଇ ଲୀଳା ତାକୁ ସ୍ନେହରେ କିଣିନେଇ ମୋଠାରୁ ଛଡ଼ାଇ ନେଇଛି । ମୁଁ ଏଠି ଆଉ କାହା ମୁହଁ ଚାହଁ ରହିବି !

 

ବାପଘର କଥା ତୁ ଜାଣୁ । ସେଠିକି ଯାଇ ଲାଭ ନାହିଁ ।

 

ଆଉ ଯିବି କୁଆଡ଼େ ! ତୁ ଖାଲି ଭରସା ।

 

ମୋର ହୋଇ ଡାକ୍ତର ମହାପାତ୍ରଙ୍କୁ କହିବୁ...ଖଣ୍ଡିଏ ନର୍ସ ଚାକିରି ମୋ ପାଇଁ...ଏ ଘର, ଜିନିଷପତ୍ର ସବୁ ପିତା ଲଗୁଛି । ତୋ ପାଖରେ ଟିକିଏ ମୁଣ୍ଡ ଗୁଞ୍ଜି ବାକୁ ସ୍ଥାନ ମିଳିଲେ ମୁଁ ଏ ମରଣପୂରୀରୁ ତ୍ରାହି ପାଇଯିବି ।

 

ଲୀଳା ଆଉ ପଢ଼ି ପାରିଲା ନାହିଁ ।

 

ସେ ସ୍ତବ୍‌ଧ ହୋଇ ଠିଆ ହୋଇଗଲା । ବଡ଼ କରୁଣ ଭାବରେ ଅନେଇଲା ସାଗରିକା ଆଡ଼େ ସାଗରିକା ଶୋଇଛି ମୁଣ୍ଡ ତାଳୁରେ ଏକ କ୍ଷତ ଚିହ୍ନ ସଦ୍ୟ କ୍ଷତ । ଆଖି ଫୁଲିଛି––ସେ ବୋଧହୁଏ କାନ୍ଦୁଥିଲା ।

 

ତେବେ ସତରେ କ’ଣ ସୁର ଭାଇ ସାଗରିକାକୁ ଅବହେଳା କରୁଛନ୍ତି ! ଏବେ ସୁଦ୍ଧା କ’ଣ ତା’ ପାଇଁ ସୁରଭାଇଙ୍କ ମନରେ ଦୁର୍ବଳତା ଲାଗିରହିଚି ! ଯେଉଁ ଦୁର୍ବଳତା ଘୁଞ୍ଚାଇବା ପାଇଁ ଜୋର୍‍କରି ସେ ସାଗରିକାକୁ ତାଙ୍କ ସହିତ ଛନ୍ଦିଦେଇଥିଲା, ସେ ଦୁର୍ବଳତା କ’ଣ ବିବାହ ପରେ ମଧ୍ୟ ତାଙ୍କ ମନରୁ ଗଲା ନାହିଁ ।

 

ସେ ସାଗରିକା ଆଡ଼କୁ ଆଉ ଥରେ ଅନାଇଲା ।

 

ଆହା, ହତଭାଗିନୀ ! ସ୍ଵାମୀ ଥାଇ ମଧ୍ୟ ନାରଖାର ହୋଇ କାନ୍ଦୁଚି । ସାଗରିକା ଉପରେ ଏହା ପୂର୍ବରୁ ତା’ର ଯେତେ ଅଭିଯୋଗ, ରାଗ ଥିଲା, ମିନିଟ କେତୋଟି ଭିତରେ ତାହା ମନରୁ କୁଆଡ଼େ ଲିଭିଗଲା ବରଂ ତା’ ବଦଳରେ ଏକ ଅଜ୍ଞାତ ଅନୁରାଗରେ ସାଗରିକା ପାଇଁ ତା’ର ସମଗ୍ର ମନ, ହୃଦୟ ଆଚ୍ଛାନ୍ନ ହୋଇଗଲା ।

 

ସାଗରିକାକୁ ଉଠାଇ ତାକୁ କିଛି କହିବାକୁ ତା’ର ଆଉ ସାହସ ହେଲା ନାହିଁ ।

 

ଟିଟୁକୁ ଭଲକରି ସେ ଅନେଇଲା କିନ୍ତୁ ତାକୁ ଛୁଇଁବାକୁ ତାକୁ ଡର ମାଡ଼ିଲା ତା’ର ଧାରଣା ହେଲା, ସତେ ଯେମିତି ଏଇ ନିଃସହାୟ ରମଣୀଟିଠାରୁ ସେ ଏଇ ଅମୃତର ସନ୍ତାନକୁ ଜୋର୍‍ କରି ଛଡ଼େଇ ନେଇଚି ।

 

ଆଙ୍ଗୁଠ ଚିପି ଚିପି ଚୁପ୍‍ ଚୁପ୍‍ ସାଗରିକା ଘର ଛାଡ଼ି ଲୀଳା ବାହାରିଆସିଲା ପଦାକୁ ତା’ ପରେ ଆଶ୍ଵସ୍ତିର ଏକ ଲମ୍ବା ନିଶ୍ଵାସ ଟାଣି ମୁହଁରେ ହାତ ମାରିଲା....ଘରର ଶୀତଳ ଅନ୍ଧକାର ମଧ୍ୟରେ ମଧ୍ୟ’ ତା ମୁହଁରେ ଝାଳ ଜମିଯାଇଛି ।

 

ସାଗରିକା ଆଉ ସୁର ଭିତରେ ସେଦିନର ଶିଶି ଫୋପଡ଼ା ଦୁର୍ଘଟଣା ପରେ କଥାବାର୍ତ୍ତା ହେଉ ନାଇଁ । ସାଗରିକା ଭାତ ତରକାରି ଥୋଇଦେଇ ଗଲେ ସୁର ଖାଇନେଉଛି । ଆଉ କ’ଣ ଦରକାର ତା’ ପଛରେ ମାଗୁ ନାହିଁ । ସାଗରିକା ବି ଆଗଭଳି ପାଞ୍ଚଥର ପଚାରି ବୁଝୁ ନାହିଁ । ରାତିରେ ବି ଶୋଇଲାବେଳେ କେହି କାହାରିକୁ ଛୁଉଁ ନାହାନ୍ତି । ମଝିରେ ଟିଟୁ ଶୋଉଚି । ହଠାତ୍‍ ଯଦି ଟିଟୁ ରାତିରେ କାନ୍ଦିଉଠୁଚି, ସୁର ଚେଇଁଛି, ତେବେ ସେ ସାଗରିକାକୁ ଉଠାଇ ଦେଉନି କେତେବେଳକେ ସାଗରିକା ନିଦ ଭାଙ୍ଗିଲେ–ଟିଟୁକୁ ସେ କୋଲକୁ ନେଉଛି ।

 

ସାଗରିକା ଆଉ ସୁର ଭିତରେ ସେ ଦାମ୍ପତ୍ୟ-ଜୀବନର ତିକ୍ତ କଳହ ଦ୍ଵିତୀୟ ଦିନରେ ପହଞ୍ଚିଥାଏ । ସନ୍ଧ୍ୟା ସମୟ । ଝରକା ବାଟେ ସାଗରିକା ଅନେଇଥାଏ ବାହାରର ଗୈରିକ ରାଜପଥ ଆଡ଼େ ସୁର ବୋଧହୁଏ ଅଗଣାର ଚେୟାରରେ ବସି କ’ଣ ଗୋଟିଏ ଛବି ଆଙ୍କୁଛି...

 

ସାଗରିକା ଶୁଣିଲା, ଖବର କାଗଜ ହକର ଗୋଟାଏ ତଟକା ଖବର ଡାକି ଡାକି ଯାଉଛି 'ପ୍ୟାରିସ୍‌ରେ ହୋଇଥିବା ବିଶ୍ଵ କଲା ପ୍ରଦର୍ଶନରେ ଓଡ଼ିଶାର ବିଖ୍ୟାତ ଶିଳ୍ପ ସୁରେନ୍ଦ୍ର ମହାନ୍ତିଙ୍କ ଛବି ପ୍ରଥମ ହୋଇଚି ଏକଲକ୍ଷ ଟଙ୍କା ପୁରସ୍କାର...

 

ସାଗରିକାର ଦେହ ଉଲୁସି ଉଠିଲା । ସମ୍ବାଦଟାକୁ ଶୁଣିବାକୁ ସେ ଆହୁରି କାନ ପାରିଲା-। ଏଥର ସେ ଠିକ୍‍ ଶୁଣିଚି ଶିଳ୍ପୀ ସୁରେନ୍ଦ୍ର ମହାନ୍ତି ପ୍ୟାରିସର ବିଶ୍ଵକଳା ପ୍ରଦର୍ଶନୀ ପ୍ରଥମ ପୁରସ୍କାର ଏକଲକ୍ଷ ଟଙ୍କା ।

 

ଖଟ ଉପରୁ ଏକପ୍ରକାର ଲମ୍ଫ ଦେଇ ସୁର ପାଖରେ ପହଞ୍ଚିଲା । ଡାକିଲା—ହେ ଶୁଣିଲଣି !

 

ସୁର ତୂଳିଟାକୁ ତୋଲିଧରି ଅନେଇଲା ସାଗରିକାର ମୁହଁକୁ ।

 

ସାଗରିକାର ହଠାତ୍‍ ମନେ ପଡ଼ିଗଲା ଯେ ଗତ ଦୁଇଦିନ ହେଲା ସୁର ତାକୁ ପାଟିଫିଟାଇନି—ଦୁଇଦିନ ତଳେ ତା’ ତାଳୁକୁ ଲକ୍ଷ୍ୟକରି ଔଷଧ ଶିଶି ଫୋପଡ଼ିଥିଲା—ହଠାତ୍‍ ଏସବୁ କଥା ମନେ ପଡ଼ିଯିବାରୁ ଶିଶି ବାଜି ଖଣ୍ଡିଆ ହୋଇଯାଇଥିବା ସ୍ଥାନଟି ହଠାତ୍ ପୋଡ଼ିଉଠିଲା ଭଳି ତାକୁ ଜଣାଗଲା—ସେ ଆଉ କିଛି ନ କହି ଚୁପ୍ ହୋଇଗଲା ।

 

ମୃଦୁ ହସି ସୁର ପଚାରିଲା ରହିଗଲ ଯେ !

 

ଗୋଟାଏ ବଡ଼ ଅପଚାଧ କରିଥିବା ଭଳି ଡରି ଡରି ସାଗରିକା କହିଲା; ତମର ଗୋଟାଏ ଚିତ୍ର ଲକ୍ଷେ ଟଙ୍କା ପୁରସ୍କାର ପାଇଚି ।

 

ସୁର କହିଲା, ମୁଁ ସେକଥା ଜାଣେ—ଏତକ କହି ସେ ଗୋଟିଏ ଟେଲିଗ୍ରାମ ବଢ଼ାଇଦେଲା ସାଗରିକା ଆଡ଼କୁ—ଭାରତ ସରକାରଙ୍କ ସଂଗୀତ ନାଟକ ଏକାଡ଼େମୀ ତରଫରୁ ଏ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇ ଟେଲିଗ୍ରାମ ଆସିଛି । ଆଜି ଦିନ ଦଶଟାରେ ସେ ଟେଲିଗ୍ରାମ ପାଇଚି ସୁର ।

 

ଅଥଚ ସାଗରିକାକୁ ସେ ଏ ଖବର ଏ ପର୍ଯ୍ୟନ୍ତ ଦେଇ ନ ଥିଲା—

 

ଲକ୍ଷେଟଙ୍କା ପୁରସ୍କାର ପାଇବା ଶୁଣି ସାଗରିକାର ଯେଉଁ ମୁହଁରେ ମିନଟ୍‍ କେତୋଟି ଆଗରୁ ହସର ଜୁଆର ଉଠୁଥିଲା ଟେଲଗ୍ରାମଟି ପଢ଼ି ଶେଷ କରିବା ପୂର୍ବରୁ ସେ ମୁହଁ ପୁଣି ପୋଡ଼ା, ଅଙ୍ଗାର ଭଳି କଳା ପଡ଼ିଗଲା ।

 

ନାରଣ ମାଷ୍ଟ୍ରେ ସେଦିନ ସ୍କୁଲ୍‌ରେ ଆଉ ପିଲାଙ୍କୁ ପଢ଼ାଇ ପାରି ନାହାନ୍ତି । ବେଳାବେଳି ସ୍କୁଲ୍‍ ଛୁଟି କରିଦେଇ ବାଟରେ ଯାହାକୁ ଦେଖିଛନ୍ତି, ତାକୁ କହିଛନ୍ତି, ଦେଖ ଖବର କାଗଜରେ ସୁରର ଫଟ ବାହାରିଚି.....ସେ ଛବି ଆଙ୍କି ଲକ୍ଷେଟଙ୍କା ପୁରସ୍କାର ପାଇଚି—ଖାଲି ଲକ୍ଷେ ଟଙ୍କା ନୁହେଁ—ସେ ଭାରତ ବର୍ଷର ନାଁ ରଖିଛି ପୃଥବୀରେ—ଓଡ଼ିଶା ଦେଶର ମୁଖ ଉଜ୍ଜଳ କରିଚି—ହେଃ ମୁଁ କ’ଣ ଆଉ ମାଷ୍ଟର ଚାକିରି କରୁଛି !

 

ଲେକେ କାବା ହୋଇଛନ୍ତି । ଲକ୍ଷେଟଙ୍କା ‘ନାରଣ ମାଷ୍ଟ୍ରେ ମିଛ କହୁ ନାହାନ୍ତି ତ ! ଇରେ, ସତେ ତ ! ସୁରିଆ ଫଟ ବାହାରିଛି ଖବର କାଗଜରେ—ଏଡ଼େ ଏଡ଼େ ଅକ୍ଷରରେ ଛପା ହୋଇଛି—ଲକ୍ଷେଟଙ୍କା ପୁରସ୍କାର । ଗାଁର ଦି’ଜଣ ପଚାରିଲେଣି, ଲକ୍ଷେ ଟଙ୍କଟା କେତେ.... ?

 

ନାରଣ ମାଷ୍ଟ୍ରେ ବୁଝାଉଛନ୍ତି, ଟଙ୍କାକ ଶହେ ନୂଆ ପଇସା ହେଲେ କ’ଣ ଲକ୍ଷେ ଟଙ୍କାଟା ଦୁଇ ଲକ୍ଷ ଟଙ୍କା ହେବ ପଧାନେ । ଲକ୍ଷେ ତ ଲକ୍ଷ ଟଙ୍କା— ।

 

ଶ୍ୟାମ ପଧାନେ ଆଙ୍ଗୁଠି ଟିପରେ ହିସାବ କରୁଛନ୍ତି ଏକ ଦଶ, ଶହ, ହଜାର, ଲକ୍ଷ....ଏଁ ଏଁ... । ଏତେଗୁଡ଼ାଏ ଟଙ୍କା ।

 

ପାଖରେ ବସିଥିବା ଆଉ ପାଞ୍ଚ ଜଣଙ୍କ ଆଖି ତାଲୁ ଉପରକୁ ଉଠିଯାଉଛି ।

 

ନାରଣ ମାଷ୍ଟ୍ରେ ଆଖପାଖ ପାଞ୍ଚ ଦଶଖଣ୍ଡ ଗାଁରେ ଖବରକାଗଜ ଖଣ୍ଡିକ ହଲେଇ ହଲେଇ ଘରକୁ ଫେରିଲା ବେଳକୁ ଦିନ ଗଡ଼ିଯିବାକୁ ବସିଲାଣି.. ସେ ହେମାଙ୍ଗୀନୀଙ୍କୁ ଡାକ ଛାଡ଼ିଲେ, ହେ ସୁରବୋଉ । ଶୁଣ ସୁରବୋଉ ପିଠୋଉ ବାଟୁଥିଲେ । କାଲି ସୁରର ଜନ୍ମଦିନ ଟୋକାଟା ସିନା ଘରେ ନାହିଁ, ଚକୁଳିଟାଏ ତ ପାଣିଛଡ଼ା ହେବ ।

 

ନାରଣ ମାଷ୍ଟ୍ରଙ୍କ ଡାକ ଶୁଣି ସେ ଆଖି ଟେକି ଅନେଇଲେ । ବୟସ ହୋଇଗଲାଣି । ଆଖିକୁ ଭଲ ଦିଶୁନି । ନାରଣ ମାଷ୍ଟ୍ରେ ପାଖକୁ ଘୁଞ୍ଚିଆସିଲେ । କହିଲେ, ଶୁଣ ! ମୁଁ ପରା ସୁର ଆମର ବଡ଼ଲୋକ ହେବ ବୋଲି କହିଲେ, ତମେ ଥଟ୍ଟା କରୁଥିଲ । ଏବେ ଶୁଣ । ସେ ଲକ୍ଷେଟଙ୍କା ପୁରସ୍କାର ପାଇଛି...ଲକ୍ଷେଟଙ୍କା–ଠେକୁଆ ଭଳିଆ ଅନେଇଚ କ’ଣ ।

 

ଲକ୍ଷେଟଙ୍କା କଥା ଶୁଣି ହେମାଙ୍ଗିନୀ ବିଶ୍ଵାସ କରିପାରିଲେ ନାହିଁ । ଖବର କାଗଜ ଉପରେ ତାଙ୍କର ଏକ ଆଦିମ ଅବିଶ୍ଵାସ । ଟଙ୍କା ନ ଦେଖିଲେ ସେ ବିଶ୍ଵାସ କରନ୍ତେ ।

 

ବିରକ୍ତରେ ସେ କହିଲେ, ଉଠିଲ ଏଠୁ । ଟଙ୍କା କାହାର ସଢ଼ି ଯାଉଥିଲା ଯେ ଖାଲି ଲକ୍ଷେ ଟଙ୍କା ଆଣି ଡାକି କରି କିଏ ପୁରସ୍କାର ଦେଇଯିବ ।

 

ସେ ପୁଣି ପିଠୋଉ ବଟାରେ ମନ ଦେଲେ ।

 

ନାରଣ ମାଷ୍ଟ୍ରେ ହେମାଙ୍ଗିନୀଙ୍କ ନାରୀସୁଲଭ ନିର୍ବୋଧତା ଉପରେ ବିରକ୍ତ ହୋଇ ଅସ୍ତ ଗୋଧୂଳିର ମ୍ଳାନ ଆଲୋକରେ ଆଉ ଥରେ ସେ ସମ୍ବାଦଟାକୁ ପଢ଼ିନେଲେ ।

 

ଭଡ଼ାଘର ଖଣ୍ଡକର ଦ୍ଵାର ମୁହଁରେ ଭିଡ଼ ଜମିଛି ।

 

ଅଭିନନ୍ଦନ, ସ୍ଵାଗତ ସମ୍ଭାଷଣ ଜଣାଇବା ପାଇଁ ଅସଂଖ୍ୟା ଲୋକଙ୍କ ଭିଡ଼ ଜମିଛି ସୁର ଦ୍ୱାର ମୁହଁରେ । ନ ଆସିବା ଲୋକେ ଆସୁଛନ୍ତି ନମସ୍କାର ଜଣାଉଛନ୍ତି...ଶୁଭେଚ୍ଛା ଜ୍ଞାପନ କରୁଛନ୍ତି–ସୁରର ଶିଳ୍ପୀ-ପ୍ରତିଭା ପ୍ରତି ଭକ୍ତି ଜ୍ଞାପନ କରୁଛନ୍ତି ।

 

ଫଟୋଗ୍ରାଫର ଅଳି କରୁଛନ୍ତି, ଟିକିଏ ପୋଜ୍‍ ନେଇ ଠିଆହୁଅନ୍ତୁ ଆଜ୍ଞା । ଖାଲି ଦୁଇ ମିନିଟ ଫଟୋ....ଫଟୋ ଖଣ୍ଡେ । ଅଟୋଗ୍ରାଫ୍‍—ଖାତାରେ ତା’ର ଦସ୍ତଖତ ନେବା ପାଇଁ ମଧ୍ୟ ଲୋକଗହଳି ।

 

ଏଇ ଦିନ ଗୋଟାକ ମଧ୍ୟରେ ଅଧ୍ୟରେ ଅଖ୍ୟାତ ସୁରେନ୍ଦ୍ର, ବିଖ୍ୟାତ ହୋଇ ଉଠିଚି ।

 

ସହର, ବଜାର, ଚାରିଆଡ଼େ ତା’ର ବିଷୟରେ ଆଲୋଚନା । ପତ୍ରପତ୍ରିକାରେ ତା’ର ଫଟୋ । ତା’ର ଶିଳ୍ପୀ ପ୍ରତିଭା ସମ୍ପର୍କରେ ପ୍ରବନ୍ଧ….

 

ସୁରେନ୍ଦ୍ର ବ୍ୟସ୍ତ ହୋଇଉଠିଚି ।

 

ବିଖ୍ୟାତ ହୋଇପଡ଼ିଛି ।

 

କଟକ ସହର ଶିଳ୍ପପ୍ରେମୀ ନାଗରିକମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଗୋଟିଏ ସାଧାରଣ ସଭା ଆୟୋଜନ କରିଯାଇଛି । ସମଗ୍ର ଓଡ଼ିଆ ଜାତି ତରଫରୁ କଟକ ସହରର ଶିଳ୍ପପ୍ରେମୀ ନାଗରିକମାନେ ତାକୁ ଜଣାଇବେ ବିପୁଳ ସମ୍ବର୍ଦ୍ଧନା ।

 

ସୁରେନ୍ଦ୍ର କୁ ସେ ସଭାକୁ ଯିବାକୁ ହେବ । ସେ ଟ୍ରଙ୍କରୁ ବହୁ ଦିନର ସିଲ୍‌କ ପଞ୍ଜାବିଟି କାଢ଼ି ବାହାର କରିଚି । ବିବାହବେଳେ ପିନ୍ଧିବା ପାଇଁ ତିଆରି ହୋଇଥିଲା । ପିନ୍ଧକରି ବାହାରକୁ ଯିବା ଭଳି ସେଇ ଖଣ୍ଡିଏ ବୋଲି ପରିଧେୟ । ବହୁଦିନ ଟ୍ରଙ୍କ ଭିତରେ ରହଯିବା ଫଳରେ ଜଙ୍କ୍‍ ଲଗି ଆସିଲାଣି ଅନେକ ସ୍ଥାନରେ—ତାକୁ କିନ୍ତୁ ସେଇ ଖଣ୍ଡିକ ପିନ୍ଧି ଯିବାକୁ ହିଁ ହେବ—

 

ଲୁଗା ଉପରେ ସିଲ୍‌କ ପଞ୍ଜାବିଟା ପିନ୍ଧି ସଭାକୁ ଯିବାକୁ ବାହାରିଚି, ସୁରେନ୍ଦ୍ର ଦେଖିଲା ଦୂରରୁ ଦଉଡ଼ି ଦଉଡ଼ି ଆସୁଚି ଯଶୋଧାରା । ଯଶୋଧାରାକୁ ଦେଖି ଲୀଳାର କଥା ସ୍ମରଣ ହେଲା ସୁରର । ଏତେ ଡେରିରେ ତେବେ ଲୀଲା ତାକୁ ଅଭିନନ୍ଦନ ଜଣାଇବା ପାଇଁ ଯଶୋଧାରାକୁ ପଠାଇଚି ! କିନ୍ତୁ ସେ ନିଜେ ଆସିପାରି ଥାଆନ୍ତା ତ—

 

ଯଶୋଧାରା ଧଇଁ ସଇଁ ହୋଇ ଆସି ଠିଆହେଲା ସୁରେନ୍ଦ୍ର ଆଗରେ । ହାତ ତା’ର ଥରୁଛି, ଓଠ ତା’ର କମ୍ପୁଛି । କାହିଁକି ? କ’ଣ ପାଇଁ ସୁର ପଚାରିଲା, ତୋ’ର କ’ଣ ହୋଇଚି ଧୀରା । ଲୀଳା କାହିଁ ? ଯଶୋଧାରା କମ୍ପିତ କଣ୍ଠରେ କହିଲା, ଲୀଳା ନାହିଁ ସୁର । ସେ କୁଆଡ଼େ ଚାଲିଯାଇଛି ।

 

ହଠାତ୍‍ ପାଦ ପାଖରେ ଏକ ବିଷଧର ସର୍ପକୁ ଦେଖି ଚମକି ଇଠିଲା ଭଳି ସୂର,ଚମକି ଉଠି ପଚାରିଲା ଲୀଳା ନାହିଁ ମାନେ ?

 

ଏଥର ଯଶୋଧାରାର କମ୍ପିତ ଓଠ ଦୁଇଟି ସ୍ଥିର ହୋଇଗଲା । ସେ କାନ୍ଦିବାକୁ ଆରମ୍ଭ କଲା । ଚିଠି ଖଣ୍ଡିଏ ସୁର ହାତକୁ ବଢ଼ାଇ ଦେଇ ସେ ଶୋକାବିହ୍ୱଳ କଣ୍ଠରେ କହିଲା, ମୁଁ ଦୁଇଦିନ ପାଇଁ ଗାଁକୁ ଯାଇଥିଲି—ଫେରିଆସି ଦେଖେ ତ’ ଲୀଳା ନାହିଁ—ଏ ଚିଠି ଖଣ୍ଡିକ ରଖିଦେଇ ଯାଇଛି–

 

ସୁର କଣ୍ଠରେ ଆଉ ଭାଷା ନ ଥିଲା । ତା’ର ମନେ ହେଉଥିଲା ତା’,ଦେହରେ ରକ୍ତପ୍ରବାହ ବୋଧହୁଏ ନିଷ୍ପନ୍ଦ ହୋଇଯାଇଛି । ସେ କ’ଣ କହିବ ବୋଲି ଚେଷ୍ଟା କଲା; କିନ୍ତୁ କିଛି କହିପାରଲା ନାହିଁ ।

 

ନିର୍ବାକ ଭାବରେ ଯଶୋଧାରାଠାରୁ ଚିଠି ଖଣ୍ଡିକ ନେଇ ସେ ପଢ଼ିଲା । ଲୀଳା ଲେଖିଚି–

 

ତମକୁ କ,ଣ ବୋଲି ସମ୍ବୋଧନ କରିବି, ସେ କଥା ଭାବିବାରେ ଅନେକ ସମୟ ମୁଁ ଦେଇଚି । କିନ୍ତୁ ସ୍ଥି’ର କରିପାରି ନାହିଁ । ଭାଇ ବୋଲି ଲେଖନ୍ତି, କିନ୍ତୁ ଆଜି ତାହା ଲେଖିଲେ ବୋଧହୁଏ ସତ୍ୟ ହେବ ନାହିଁ । ପିଲାଦିନୁ ତମକୁ ଯାହା ବୋଲି ଭାବି ଆସିଥିଲି, ଆଜି ମନେହେଉଛି ସେ ସବୁ ମିଛ—ଛଳନା ।

 

ମୋ ପାଇଁ ତମ ମନର କେଉଁ ଏକ କୋଣରେ କିଛି ଦୁର୍ବଳତା ରହିଗଲା । ବହୁ ଚେଷ୍ଟାକରି ତା’ ମୁଁ ଦୂର କରିପାରିଲି ନାହିଁ । ତମ ମନରେ ସେଇ ଦୁର୍ବଳତା ସାଗରିକାର ଦାମ୍ପତ୍ୟ–ପ୍ରଣୟକୁ ଛାରଖାର କରିଦେଇଛି । ତାକୁ ମୁଁ ଯେଉଁ ଆଶାର ସୁନା ହରିଣ ଦେଖାଇ ତମ ହାତ ଧରାଇ ଦେଇଥିଲି, ସେ ଆଶା ତା’ର ତୁଟିଛି । ସେଥିପାଇଁ ସେ ଆଖିରୁ ଲୁହ ଗଡ଼ାଉଚି । ମୁଁ ସବୁ ସହିପାରେ, କିନ୍ତୁ ତମ ଦାମ୍ପତ୍ୟ-ଜୀବନରେ ମୋ ପାଇଁ ଅଶାନ୍ତିର ଢେଉ ଉଠୁ, ଏକଥା ସହିପାରିବି ନାହିଁ ।

 

ଭାବିଥିଲି ଆତ୍ମହତ୍ୟା କରିବି । କିନ୍ତୁ ନନାଙ୍କ ଭୂତ ମନକୁ ମୋର ଆବୋରି ବସିଚି । ଆତ୍ମହତ୍ୟାଠାରୁ ବଳି ଆଉ ପାପ ନାହିଁ । କାନ୍ୟକୁବ୍‍ଜର ପବିତ୍ର ବ୍ରାହ୍ମଣବଂଶରେ ଏ କଳଙ୍କର କାଳିମା ମୁଁ ବୋଳିପାରିବି ନାହିଁ । ସେଥିପାଇଁ ତୁମରି ମଙ୍ଗଳ ଲାଗି ଆଜି ମୁଁ ଏଠୁ ଚାଲିଯାଉଛି । କୁଆଡ଼େ ଯିବି ମୁଁ ଜାଣେନା । ମୋ କାନରେ ସେଇ ଅଶରୀରୀ ପରମ ପୁରୁଷର ମୋହନ ବଂଶୀସ୍ଵର ଶୁଭିଯାଉଛି । ମୁଁ ତାକୁ କ’ଣ ଏଡ଼ାଇ ପାରିବି ?

 

ଗଲାବେଳେ ମୁଁ ତମ ପାଖରେ ଗୋଟିଏ ଅଳି କରିବି । ତମେ କ’ଣ ସେ ଅଳି ପୂରଣ କରିବ ନାହିଁ ? ପିଲାଦିନେ ମୋ ମନର ପରାଶ ବୁଝି ଗାଁ ସ୍କୁଲରେ ମୋ ପାଇଁ ମାଡ଼ ଖାଇବାକୁ ପିଠି ଦେଖାଇ ଦେଇଥିଲ...ମତେ ଖୁସିକରିବା ପାଇଁ ଜାଣି ଜାଣି ସ୍କୁଲ ପରୀକ୍ଷାରେ ପାଠ ଭୁଲ୍‍କରି ଦେଇଥିଲ । ଆଜି କ’ଣ ତମେ ମୋର ଏଇ ଗୋଟିଏ ଅଳି ପୂରଣ କରିବ ନାହିଁ ?

 

ମୋର ଗୋଟିଏ ଅଳି—ମତେ ଆଉ ଖୋଜିବ ନାହିଁ । ତମର ଆଖିର ଅନ୍ତରରାଳରେ ରହି ମୁଁ ତୁମର ମଙ୍ଗଳ ମନାସିବି....ଏତିକି ।

 

ଗଲାବେଳେ ତମକୁ ଦେଖାକରି ଯାଇ ହେଉନି । ତମ ଗୋଡ଼ତଲେ ମୁଣ୍ଡ ଲଗାଇ ଯାଇପାରୁନି । ଟିଟୁକୁ ଟିକିଏ ଗେଲ କରିବାର ସୁବିଧା ମିଳୁନି । ସାଗରିକାକୁ ଟିକିଏ ଛାତି ଉପରକୁ ଟାଣି ଆଣିବାର ସାହାସ ହେଉନି । ଯଶୋଧାରାକୁ କୁଣ୍ଢାଇ ଧରି ମନଭରି ବୋଉ ମରିବାର ଦୁଃଖ ପାଶୋରିଦେବାର ମଉକା ମିଳୁ ନାହିଁ । ସେଥିପାଇଁ ମନ ଛାଟି ପିଟି ହେଉଛି । ହେଲେ....

 

ହଁ, ଏଇ ଖେଳନା ପୁଡ଼ାଟା ରହିଲା ସୁର ଭାଇ ପିଲାଦିନେ ଯେଉଁ ଖେଳଘରରୁ ଆମର ବନ୍ଧୁତ୍ୱ ଗଢ଼ି ଉଠିଥିଲା, ସେଇ ଖେଳନାତକ ସାଇତି ରଖିଥିଲି । ମାମୁଁ ଘରକୁ ଗଲାଦିନ ଏ ଖେଳନା ଯାଚିଥିଲି ତମକୁ...ବଡ଼ଲୋକ ଘର ପଇସାରେ କିଣା ହୋଇଥିଲା ବୋଲି ଫେରାଇ ଦେଇଥିଲ ତମେ । ଏ ଖେଳନା ପୁଡ଼ାଟିକୁ ଟିଟୁକୁ ଦେବ । କହିବ, ଗରିବ ମାଉସୀର ଏ ଶେଷ ଉପହାର ।

 

ଆଉ ତା’ ପରେ କିଛି ଲେଖା ନାହିଁ...କେଇ ଟୋପା ଲୁହ ପଡ଼ି ଲେଖାଗୁଡ଼ିକ ଛପିଯାଇଚି ! ଲୀଳାର ଲୁହରେ ଅକ୍ଷର-ଗୁଡ଼ାକ ବିଲିବିଲା ହୋଇ ଯାଇଛି । ରୁଦ୍ଧ ଆବେଗରେ ଆଉ ବୋଧହୁଏ ଲେଖିପାରିନି ଲୀଳା ।

 

ଚିଠି ଖଣ୍ଡିକ ପଢ଼ିସାରି ସୁର ଦେଖିଲା, ଲୁହ ଡବ ଡବ ଆଖିରେ ତା ଅଡ଼କୁ ଚାହିଁରହିଛି ଯଶୋଧାରା । ଯଶୋଧାରାକୁ ସେ କ’ଣ କହି ଶାନ୍ତନା ଦେବ ! ଗାଁ ଚାହାଳୀରେ ଲୀଳା ସହିତ ବସି ସେ ଯେଉଁ ଭାଷା କହି ଶିଖିଥିଲା, ଲୀଳା ତାକୁ ଛାଡ଼ି ଚାଲିଯିବ କଥା ଜାଣିବା ପରେ ‘ତାର ମନେହେଲା ସେ ପାଠ ତା’ର ପାଶୋର ହୋଇଯାଇଛି ।

 

ସମ୍ବର୍ଦ୍ଧନା ସଭାକୁ ବାଧ୍ୟହୋଇ ଗଲା ସୁର ।

 

କିନ୍ତୁ କ’ଣ କହିବ, ସେ କିଛି ବୁଝିପାରିଲା ନାହିଁ । ତା’ର ଇଚ୍ଛା ହେଉଥିଲା ସଭାରେ ସେ କେବଳ ଲୀଳାର କାହାଣୀ କୁହନ୍ତା । ସଭାଜନଙ୍କୁ ବୁଝାନ୍ତା, ସେଇ ଗୋଟିଏ ଝିଅ, ଯେ ତାହା ଭିତରେ ଶିଳ୍ପୀର ପ୍ରତିଭାକୁ ଆଶା ଆଶ୍ଵାସନା ଦେଇ ଜୀଆଇ ରଖିଥିଲା । ପ୍ରକାଶକ, ସମ୍ପାଦକ, ଜନସାଧାରଣ ସମସ୍ତେ ଯେତେବେଳେ ତା’ ଛବିକୁ ନାପସନ୍ଦ କରିଥିଲେ, ହତାଦର କରିଥିଲେ, ସେଇ ଗୋଟିଏ ଝିଅର ଅନୁରୋଧ ତା’ ତୂଳିରେ ରଙ୍ଗ ଭରି ଦେଇଥିଲା.... ମନରେ ପ୍ରତ୍ୟୟ ଆଣି ଦେଇଥିଲା ।

 

ସେଇ ଝିଅଟି ଥିଲା ତା’ ଶିଳ୍ପୀ-ଜୀବନର ପେରଣାର ଉତ୍ସ ! ସେ ଚିତ୍ର ଆଙ୍କୁଥିଲା କେବଳ ସେଇ ଝିଅ ଜଣକ ପାଇଁ । ପ୍ୟାରିସ ଚିତ୍ରକଳା ପ୍ରଦର୍ଶନୀର ପୁରସ୍କାର ତା’ ଜୀବନରେ ଆକସ୍ମିକ ଦୁର୍ଘଟଣା...ତା’ ଜୀବନର ଚିରନ୍ତନ ସତ୍ୟ ହେଉଛି ଲୀଳା ପାଇଁ ଚିତ୍ର ଅଙ୍କା । ଆଉ ଚିତ୍ର ଆଙ୍କିବ ନାହିଁ ବୋଲି ସେ ଯେତେବେଳେ ଭୀଷ୍ମ-ପ୍ରତିଜ୍ଞା କରି ବସିବାକୁ ଯାଉଥିଲା, ସେଇ ଲୀଳା ହିଁ ତା’ ହାତରେ ଜବରଦସ୍ତ ଧରାଈ ଦେଇଥିଲା ତୂଳି....ତେଣୁ ଲୀଳାକୁ ବାଦ୍‍ ଦେଇ ତା’ ଶିଳ୍ପୀ-ପ୍ରତିଭାର ମୂଲ୍ୟ ନିର୍ଦ୍ଧାରଣ କରି ହୁଏନା...ଲୀଳା ହିଁ ହେଉଛି ତା’ ଶିଳ୍ପୀ-ପ୍ରତିଭାର ପ୍ରଚ୍ଛନ୍ନ ପ୍ରେରଣା ।

 

ସୁରର ମନେ ହେଉଥିଲା କଣ୍ଠଫିଟାଇ ସେ ଚିତ୍କାର କରନ୍ତା, ଲୀଳା ଆଜି ନାହିଁ ଏ କଥା ଚିନ୍ତାକଲା ପରେ ତା’ ଭିତରେ କିଛି ଶିଳ୍ପୀ–ପ୍ରତିଭା ଅଛି ବୋଲି ସେ ଅନୁଭବ କରିପାରୁ ନାହିଁ । ଲୀଳାର ନିର୍ବାସନ ତା’ ଭିତରେ ଯେଉଁ ମହାଶୂନ୍ୟତା ସୃଷ୍ଟି କରିଛି, ପ୍ୟାରିସ୍‍ ଚିତ୍ରକଳା ପ୍ରଦର୍ଶନୀର ଲକ୍ଷେଟଙ୍କା ପୁରସ୍କାର ସେ ଶୂନ୍ୟସ୍ଥାନ ପୂରଣ କରି ପାରିବ ନାହିଁ ।

 

ସୁର ଏକଥା କହିବ ବୋଲି ଭାବିଲା ସତ, କିନ୍ତୁ ତୁଣ୍ଡ ଖୋଲି କହିବାକୁ ସାହସ କରିପାରିଲା ନାହିଁ । ସେ ଯଦି ଏସବୁ କଥା କହେ, 'ପାଗଳ ଛଡ଼ା’ ତାକୁ ଆଉ ଲୋକେ ଅଧିକ କ,ଣ ବୋଲି ଭାବିବେ !

 

ସୁର ସଭାରେ କ’ଣ କହିଲା, ନିଜେ ସ୍ପଷ୍ଟ ମନେ ରଖିପାରିଲା ନାହିଁ | ତାକୁ ଯେଉ ସମ୍ବର୍ଦ୍ଧନା ଦିଆଗଲା, ସେଥିରେ ହୃଦୟ ତା’ର ଉଲ୍ଲସିତ ହୋଇଉଠିଲା ନାହିଁ ସେ କିପରି....ଭିଷଣ ଦୁର୍ବଳତା ଅନୁଭବ କରୁଥିଲା !

 

ବସାକୁ ଫେରି ଚୁପ୍‍ କିନି ମୁହଁମାଡ଼ି ଶୋଇଲା ସୁର । ଖାଇବା ପାଇଁ ସୁଦ୍ଧା ଉଠିଲା ନାହିଁ-। ସାଗରିକା ଯେତେ ବୁଝାଇଲେ ସୁଦ୍ଧା ସେ କିଛି ନ ବୁଝିଲା ଭଳି ଶୋଇରହିଲା !

 

ସୁର ସମ୍ବର୍ଦ୍ଧନା ସଭାକୁ ଯିବା ପରେ ଲୀଳାର ଚିଠି ପଢ଼ି ନେଇଥିଲା ସାଗରିକା ! ଲୀଳା ତା’ ପାଇଁ କଟକ ଛାଡ଼ି ଯାଇଛି, ଏକଥା ମନେ ପକାଇ ସେ ଖୁସି ହୋଇ ଉଠୁଥିଲା । ତା’ର ମନେ ହେଉଥିଲା, ବହୁଦିନ ପରେ ତା ମୁଣ୍ଡରୁ ସତେ ଯେମିତି ଏକ ଗିରିଗୋବର୍ଦ୍ଧନର ବୋଝ କିଏ, ଓହ୍ଲାଇ ନେଇଛି । ଲୀଳା ଆଉ କଟକରେ ନାହିଁ, ଏକଥା ଚିନ୍ତା, କଲାବେଳକୁ ତା ପାରିବାରିକ ଜୀବନର ଆଲୁଅ ଆଖିରେ ତା’ର ଝଲମଲ ହୋଇ ଉଠୁଥିଲା । ସେ ଭାବୁଥିଲା, ଏତେ ଦିନକେ ଭାଗ୍ୟର ଚନ୍ଦ୍ର, ତା’ର ରାହୁମୁକ୍ତ ହୋଇଛି । ସେ ଖୋଜି ପାଇଛି ତା ସୁଖୀ ଦାମ୍ପତ୍ୟ ଜୀବନର ରାହା ।

 

ନିଜ ଉଜୁଡ଼ା ଘରକୁ ପୁଣି ସଜାଡ଼ି ବସିଲା ସାଗରିକା ।

 

ଭଡ଼ାଘର ଛାଡ଼ି ନିଜ କିଣା ଗୋଟିଏ ନୂଆ କୋଠାଘରକୁ ଆସିଲା । ନୂଆ ନୂଆ ଆସବାବପତ୍ର କିଣିଲା । ସୁର ପାଇଁ ସଜାଇ ଦେଲା ଗୋଟିଏ ଆର୍ଟ ଷ୍ଟୁଡ଼ିଓ–ଘରର ଝରକା, ଦ୍ଵାର ମୁହଁରେ ନୀଳ ସବୁଜ ରଙ୍ଗର ପରଦାମାନ ଝୁଲିଲା—ବିଜୁଳୀବତିର ଧଳା ଆଳୁଅ ତାକୁ କେମିତି ପୁରୁଣା ପୁରୁଣା ମନେହେଲା—ନୀଳ, ନାଲି ବଲବ ଆଣି ଖଞ୍ଜିଲା ସେଥିରେ—ରେଡ଼ିଓଟି ଆଣି ରଖିଲା ବୈଠକ୍‍ ରୁମ୍‌ରେ କେତୋଟି ଦାମୀ ସୋଫା, କୁସନ୍‌ରେ ଭାରି ସୁନ୍ଦର ଦିଶିଲା ତା’ର ବୈଠକ ଘର ଖଣ୍ଡିକ ।

 

ସେଦିନ ନର୍ସ ଶ୍ୟାମଳୀ ଆସି ଏସବୁ ଦେଖି ଚମକି ଉଠିଲା । ସାଗରିକାର ପ୍ରଶଂସା ସେ କଲା ବହୁତ । କହିଲା ଖାଲି ଧନ ଥିଲେ ହୁଏ ନାହିଁ ସାଗରିକା । ତା ସାଙ୍ଗକୁ ମନ ଲେଡ଼ା । ଗୋଟିଏ ଅଭିଜାତ ମନ ନ ଥିଲେ ଘରକୁ ଏଭଳି ଭାବରେ କ’ଣ କେହି ସଜାଡ଼ିପାରେ !

 

ଗୋଟିଏ ସ୍ପିଙ୍ଗ୍‍ ଦିଆ ଗଦିରେ ଦୋହଲୁ ଦୋହଲୁ ନର୍ସ ଶ୍ୟାମଳୀ ମୁହଁରୁ ନିଜ ଉନ୍ନତ ରୁଚିଜ୍ଞାନର ପ୍ରଶଂସା ଶୁଣୁଥିଲା ସାଗରିକା ।

 

ମନେ ମନେ ଖୁସି ହେଉଥିଲା । ଶ୍ୟାମଳୀକୁ ସେ କହିଲା, କିନ୍ତୁ ମୋର ଏ ସାଜସଜ୍ଜା ତମ ସୁରବାବୁଙ୍କ ମନକୁ ପାଉନି । ଏ ସାଜସଜ୍ଜାର ଆଲେକ ଭିତରେ ସେ କୁଆଡ଼େ ତାଙ୍କ ଚିତ୍ରଶିଳ୍ପକୁ ଆଜି ପାଉ ନାହାନ୍ତି ! ସେ ଭଡ଼ାଘରର ଅଳିଆ ଆବର୍ଜନା ଭିତରେ ଚିତ୍ରଶିଳ୍ପ କୁଆଡ଼େ ବେଶ୍‍ ଥିଲା...

 

ସାଗରିକାର କଥା ଶୁଣି ଖୁବ୍‍ ହସିଲା ଶ୍ୟାମଳୀ । ମନ୍ତବ୍ୟ କଲା, ସେ ପୁରୁଣା ବସାଘର ନୁହେଁ ଲୋ ! ସେ ପୁରୁଣା ପରିବେଶ ହିଁ ବେଶ୍‍ ଥିଲା । ଲୀଳା-ଚାଲିଗଲା ପରେ ତାଙ୍କ ଛବିରେ ଆଉ ରଙ୍ଗ ଫୁଟୁ ନ ଥିବ... !

 

ଲୀଳା କଥା ପଡ଼ିଲେ ଏବେ ଆଉ ସାଗରିକା ଈର୍ଷାରେ ଜଲିଯାଏ ନାହିଁ । ଦୟା, ଅନୁକମ୍ପାରେ ମନ ତା’ର ଓଦା ହୋଇ ଆସେ । ଶ୍ୟାମଳୀ କଥା ଶୁଣି ସେ ମନ୍ତବ୍ୟ କଲା, ଲୀଳା ଥିଲେ ଭାରି ଭଲ ହୋଇଥାନ୍ତା ଏକା ଶ୍ୟାମଳୀ । ଏ ଘର, ସାଜସଜ୍ଜାସବୁ ଦେଖିଲେ ଭାରି ଖୁସି ହୁଅନ୍ତା । ସେ....ମୁଁ ମୋଟେ ବୁଝିପାରୁନି ଶ୍ୟାମଳୀ । ଝିଅଟା ଏମିତି ଟିକକ କଥାରେ ଏକାବାରେ କଟକ ଛାଡ଼ି ଚାଲିଗଲା କାହିଁକି ?

 

ଶ୍ୟାମଳୀ ହସୁ ହସୁ କହିଲା ଏ ତ ଅତି ସହଜ କଥା ଯେତେବେଳେ ସୁରବାବୁଙ୍କ ଠାରୁ ତୁ ତାକୁ ଆଉ ଭାଗ ନ ଦେବାକୁ ଗଣ୍ଠି ପକାଇ ବସିଲୁ, ସେ ଆଉ କଟକରେ କେଉଁ କୃଷ୍ଣଙ୍କ ମୁହଁକୁ ଚାହି ବସନ୍ତା !

ଶ୍ୟାମଳୀର କଥା ଆଜି କାହିଁକି ସାଗରିକାର ମନକୁ ଖୁବ ଆନନ୍ଦ ଦେଲା ନାହିଁ । ଲୀଳାର ଚିଠି ସେ ପଢ଼ିଛି । ତାର ସ୍ପଷ୍ଟ ଧାରଣା ହୋଇଛି, ଲୀଳା ଅପେକ୍ଷା ତା’ର ଶିଳ୍ପୀ ସ୍ଵାମୀ ହିଁ ଲୀଳାକୁ ବେଶି ଭଲ ପାଉଥିଲେ । ତା ପାରବାରିକ ଜୀବନର ସଙ୍କଟ ପାଇଁ ତା’ର ସ୍ଵାମୀ ଦେବତା ହିଁ ବେଶି ଭାବରେ ଦାୟୀ ।

ଲୀଳା ଥିଲେ ବରଂ ଭଲ ହୋଇଥାନ୍ତା । ତା’ ଜୀବନର ଦୁର୍ଦ୍ଦିନରେ ବହୁ ଭାବରେ ସାହାଯ୍ୟ କରିଛି ଲୀଳା...ତାକୁ ଅନୁଗୃହୀତ କରାଇଛି । ଲୀଳା ପାଖରେ ସେ ବହୁ ଭାବରେ ଋଣି ହୋଇ ରହିଗଲା । ଲୀଳା ତାକୁ ତା’ର ଋଣ ପରିଶୋଧ କରିବାକୁ ସୁଯୋଗ ଦେଲା ନାହିଁ ।

ଲୀଳା ଯଦି ଆଜି ଥାଆନ୍ତା, ସେ ତାକୁ ଡାକିଆଣନ୍ତା ତା’ର ଏଇ ବୈଠକ ରୁମ୍‍କୁ । ମାଡ଼ିବସି ବସାନ୍ତା ଏଇ ନରମ ସୋଫା ଉପରେ । ହାତରେ ଧରାଇ ଦିଅନ୍ତା ଗୋଟିଏ କୋଲଡ୍‍ଡ୍ରିଙ୍କ୍‍....ତା’ କାନ ପାଖରେ ଶୁଣାନ୍ତା ତା’ର ସୌଭାଗ୍ୟର କାହାଣୀ ।

ଲୀଳା କେବଳ ତା’ର ଦୁଃଖୀ, ହତଭାଗିନୀ ଦିନର ଦୃଶ୍ୟ ଦେଖିଗଲା, ତା’ ସୁଖୀ, ସାଂସାରିକ ଜୀବନ ଦେଖିଗଲା ନାହିଁ ତ !

ସାଗରିକାର ଏ ସୌଭାଗ୍ୟ ଦେଖି ଉପର ମନରେ ସେ ଖୁସି ହେଉଥିଲା । ଶ୍ୟାମଳୀ କିନ୍ତୁ ଭିତରେ ଭିତରେ ଈର୍ଷାରେ କୁହୁଳି ମରୁଥିଲା । ତାରି ଜଣେ ସାଥି ନର୍ସ ସାଗରିକା ଦିନ କେତେଟାରେ ଏତେ ସୌଭାଗ୍ୟ ଉତ୍ତରାଧିକାରିଣୀ ହୋଇ ବସିଛି ସେ ।

ସାଗରିକା ପଚାରିଲା, ଡାକ୍ତର ସଦାନନ୍ଦ ଭଲ ଅଛନ୍ତି ତ ଶ୍ୟାମଳୀ ।

ଶ୍ୟାମଳୀ ଗୋଟିଏ ହାଇ ମାରୁ ମାରୁ କହିଲା—ଏଁ, କ’ଣ କହିଲୁ ! ଡାକ୍ତର ସଦାନନ୍ଦ...ହଁ...ହଁ, ଭଲ ଆଉ କ’ଣ ?

ସାଗରିକାର ମନେହେଲା ଶ୍ୟାମଳୀର ଯୌବନ-ଉଦ୍ୟାନରୁ ଡାକ୍ତର ସଦାନନ୍ଦଙ୍କ ମନ-ଭ୍ରମର ଉଡ଼ିଯିବାକୁ ବସିଲାଣି ବୋଧହୁଏ । ଆହା ବିଚାରୀ ।

ଶିଳ୍ପ ସୁରେନ୍ଦ୍ର ମହାନ୍ତି ।

ସୁରର ସେଇ ସୁଦୃଶ୍ୟ ଏକ ମହିଲା କୋଠାଘରର ଫାଟକ ପାଖରେ ଯେଉଁ ନେମ୍‍ ପ୍ଲେଟ୍‍ ଝୁଲୁଛି, ସେଥିରେ ଚିତ୍ରିତ ଅକ୍ଷରରେ ଲେଖା ହୋଇଛି—ଶିଳ୍ପୀ ସୁରେନ୍ଦ୍ର ମହାନ୍ତି । ସେଇ ଗୃହ ପାର୍ଶ୍ଵର ଏକ ଛୋଟ କୋଠରରେ ସୁରର ଆର୍ଟ ଷ୍ଟୂଡ଼ିଓ । ଅନେକ ସମୟରେ ସେଇ ଷ୍ଟୁଡ଼ିଓ କୋଠରିରେ ଦେଖାଯାଏ ବିଭିନ୍ନ ପ୍ରକାର ଭଦ୍ରବ୍ୟକ୍ତଙ୍କୁ ସହରର ବଡ଼ ବଡ଼ ନାମଜାଦା ଲେକେ ଆସି ଭିଡ଼ କରନ୍ତି ଘର ସଜାଇବା ପାଇଁ ଛବି...ଦାମ ବି ଉଠେ ଅନେକ ।

ସରକାରୀ ମହଲରୁ ଚିଠି ଆସେ ପଞ୍ଚବାର୍ଷିକ ଯୋଜନା, ସମବାୟ ଯୋଜନା ପାଇଁ ଛବି... ଚିତ୍ର ।

ଓଡ଼ିଶା ବାହାରୁ ମଧ୍ୟ ବହୁ ସମୟରେ ଅର୍ଡ଼ର ଆସେ । ବହୁ ଦୁର୍ମୂଲ୍ୟ ଛବିର ଅର୍ଡ଼ର । ଶିଳ୍ପୀ ସୁରେନ୍ଦ୍ର ଓଡ଼ିଶାର ସୀମାରେଖା କାଟି ଆଗକୁ ବଢ଼ିଛି . ସାରା ଭାରତରେ ତା’ର ଆଦର, ଚାରିଆଡ଼େ ତା’ର ଶିଳ୍ପୀ ପ୍ରତିଭାର ଆଦର ।

 

ସୁର ଶିଳ୍ପୀ, ରଙ୍ଗଜୀବୀ । ତୂଳୀର ମୁନରେ ତା’ର ସୃଷ୍ଟିର ବୈଚିତ୍ର୍ୟ ।

 

ବହୁ ଲୋକ ଆସନ୍ତି । ତା’ର ଶିଳ୍ପସୃଷ୍ଟି ସଂପର୍କରେ ଆସି ଆଲୋଚନା କରନ୍ତି । ସାମୟିକ ପନ୍ତ୍ର ପତ୍ରିକାରେ ତା’ର କେତୋଟି ଛବି ଉପରେ ଆଲୋଚନାତ୍ମକ ପ୍ରବନ୍ଧ ବାହାରୁଛି । ତା’ର ଛବିରେ ପର୍ସିଆନ୍‍ ଆଉ ରାଜପୁତ୍‍, ଷ୍ଟାଇଲର ସମନ୍ଵୟ ହୋଇଛି କି ନାହିଁ ସେ ସଂପର୍କରେ ଦୁଇଥର ବିରୋଧାତ୍ମକ, ଆଲୋଚନା ମଧ୍ୟ ପ୍ରକାଶ ପାଇଲାଣି ।

 

ସୁର ଏସବୁ ପଢ଼େ, ହସେ ।

 

ସେ ଜାଣେ, ତା ଛବିରେ ରାଜପୁତ୍‍ ଷ୍ଟାଇଲର ପ୍ରଭାବ ନାହିଁ କି ପର୍ସିଆନ୍‍ ଚିତ୍ରଶିଳ୍ପର ପ୍ରେରଣା ନାହିଁ । ତା’ର ଶିଳ୍ପୀ ପ୍ରତିଭା ମୂଳରେ ଅଛି ଗୋଟିଏ ଝିଅର ପ୍ରେରଣା, ଦୁଇଟି କଳା ଆଖିର ପ୍ରଭାବ । ସେ ଝିଅଟି ତା ପାଖରୁ ଅନ୍ତର ହୋଇଗଲା ପରେ ତା’ର ଶିଳ୍ପୀ-ପ୍ରତିଭା ଛାରଖାର ହୋଇଯାଇଛି ।

 

ସେଇ ଝିଅଟି ଲୀଳା ।, ଲୀଳା ଗଲା କୁଆଡ଼େ ?

 

ଲୀଳାର ଶେଷ ଅନୁରୋଧ ସେ ରଖିଛି । ଅନ୍ତିମ ଅଳି ପୂରଣ କରିଛି । ସେ ତାକୁ ଆଉ ଖୋଜି ବାହାର କରିବାକୁ ଚେଷ୍ଟା “କରି ନାହିଁ ! ଯଶୋଧାରା ଜିଦ୍‍ କରୁଥିଲା । ସେ ତାକୁ ବୁଝାଇ ଦେଇଛି, ମହାସମୁଦ୍ରର ତରଙ୍ଗ ରୋଧହୁଏ ନାଇଁ ଧୀରା । ଲୀଳାକୁ ଖୋଜି ଆଉ ଲାଭ ନାହିଁ ।

 

ଲୀଳା ନାହିଁ, ଏକଥା ଭାବିଲା ବେଳକୁ ସୁରକୁ ସବୁ ଶୂନ୍ୟ ଜଣାଯାଏ । ସେ ଶୂନ୍ୟତା ସର୍ବବ୍ୟାପୀ... ଜୀବନର ସବୁ ଆଡ଼େ ସେଇ ଶୂନ୍ୟତାର ସ୍ପର୍ଶ ଅଥଚ ଲୀଳା ତା’ର କଣ ଥିଲା ?

 

ଭାବିଲେ, ଆଚମ୍ଭିତ ଲାଗେ । ବିସ୍ମୟ କୋଳାହଳ କରି ଉଠେ । ମନ ଭିତରେ ।

 

ଶେଷ ବେଳକୁ ସମ୍ବୋଧନ କରିବାକୁ ଲୀଳା ଗୋଟାଏ ଶବ୍ଦ ଆଜି ପାଇଁ ନାହିଁ ତା ଚିଠି ଆରମ୍ଭରେ । ଲୀଳା ସହିତ ତା’ର ସମ୍ବୋଧନହିନ ସଂପର୍କ, ଯେଉଁ ସଂପର୍କକୁ ହିସାବ କରି ହୁଏନା...ବିଚାର କରି ହୁଏନା, କିନ୍ତୁ ଅନୁଭବ କରିହୁଏ ।

 

ବରାଦ ଛବି ବାକି ପଡ଼ିଛି । ତାଗିଦା ଆସୁଛି ବାରମ୍ବାର ।

 

ସୁର ତୂଳି ତୋଳିଧରେ । କିନ୍ତୁ କିଛି ଭାବନା ଆସେ ନାହିଁ ମନକୁ । ଆଗେ ଯେମିତି କୌଣସି ଛବି କରିବାକୁ ଗଲାବେଳେ ଛବିର ପ୍ରତିକୃତି ମନ ଭିତରେ ନାଚି ଉଠୁଥିଲା, ସେମିତି ଆଉ କିଛି ଘଟେ ନାହିଁ ମନ ଭିତରେ । ମନ ଭିତରଟା କେମିତି ଶୂନ୍ୟ ହୋଇଯାଇଛି । ଲୀଳା କେମିତି ଅନ୍ଧକାର କରିଦେଇ ଯାଇଛି ତା ମନ ଭିତରାଟାକୁ ।

 

ଛବି ଆଙ୍କି ହୁଏ ନାହିଁ ।

 

ସାଗରିକା ତାଗିଦା କରେ, ଭଦ୍ରଲେକ ବହୁବାର ଫେରିଲେଣି । ଗୋଟିଏ ବଡ଼ ମିଲ୍‍ ମାଲିକ ସେ । ଛବିଟା ତାଙ୍କର ଶେଷ କରି ଦେଉ ନାହଁ ।

 

ସାଗରିକାର ମୁହଁକୁ ବିକଳ ଭାବରେ ଅନାଏ ସୁର କିଛି କହିପାରେ ନାହିଁ । ତା’ର ମନେହୁଏ ସାଗରିକାର ବଡ଼ ବଡ଼ ଆଖିଡ଼ୋଳା ଦୁଇଁଟୀରେ କେମିତି ଏକ ସର୍ବଗ୍ରାସି କ୍ଷୁଧା । ସେ ଆଖି ଦୁଇଟିକୁ ଦେଖିଲେ ସୁରର ମନ ଶଙ୍କିତ ହୋଇପଡ଼େ । ଧାରଣା ହୁଏ, ସେଇ ଉଜ୍ଜଳ ଆଖି ଦୁଇଟି ତା’ର ସତେ ଯେମିତି ତା’ର ଶିଳ୍ପୀପ୍ରତିଭାକୁ ଗ୍ରାସ କରଯିବ !

 

ସାଗରିକା ସୁଖି ହୋଇଛି ।

 

ଘର ସଜାଇବା, ରେଡ଼ିଓ ବଜାଇବା ବନ୍ଧୁଚର୍ଚ୍ଚା କରିବାରେ ତାକୁ ଆଉ ବେଳ ମିଳୁ ନାହିଁ-। ବେଳେବେଳେ ସେ ସୁରର ଷ୍ଟୁଡ଼ିଓ ଭିତରକୁ ଆସେ ଏମିତି ଆକସ୍ମିକ ତାଗିଦା ନେଇ-। ଏଥିମଧ୍ୟରେ ସାଗରିକା ତାର ସହଧର୍ମିଣୀ ନୁହେଁ, ଶାସନକର୍ତ୍ତ୍ରୀ ହୋଇ ଉଠିଛି ।

 

ସୁରର ମନେ ହୁଏ କେଉଁଠି କେମିତି କିଛି ଗୋଲମାଳ ହୋଇଯାଇଛି । ସେଥିପାଇଁ ଆଗ ଭଳି ସେ ଛବି ଆଙ୍କି ପାରୁ ନାହିଁ । ଆଗେ ଅଫିସରୁ ଫେରି ଅବସର ସମୟରେ ସେ ଛବି ନ ଆଙ୍କିଲେ ଆଖିକୁ ତା’ର ନିଦ ଆସୁ ନ ଥିଲା । ଏବେ ଅଫିସର ଜଞ୍ଜାଳ ନାହିଁ । ଦାରିଦ୍ର କଷାଘାତ ନାହିଁ । ତଥାପି ଛବି ଆଙ୍କିବା ପାଇଁ ତା ଭିତରୁ ପ୍ରେରଣା କେମିତି କୁଆଡ଼େ ମରଯାଇଛି ।

 

ତାର ମନେହୁଏ, ଏଇ ନରମ ଗଦି, ରେଡ଼ିଓ ଝଙ୍କାର, ରଙ୍ଗୀନ୍‍ ଆଲୁଅ ତା’ର ଶିଳ୍ପୀ ପ୍ରତିଭା ନଷ୍ଟକରି ଦେଇଛନ୍ତି । ସୁକୁମାର, ସୁରଭିତ ଫୁଲ ଲୁହା ଚିମିନିର ଅଗ୍ରଭାଗରେ ଫୁଟେ ନାହିଁ-। କେଉଁ ଗହନ କାନ୍ତାରେ ଦୂରେ ବହୁ ଦୂରେ । ଗ୍ରାମ୍ୟ ନଦୀର ତୀରେ ତୀରେ ସବୁଜ ପତ୍ରଗହଳୀରେ ଫୁଲ ଆଖି ମେଲେ, ବାସ ଚହଟାଏ । ଶିଳ୍ପୀର ମନର ରଙ୍ଗ ଉକୁଟେ ସେମିତି ଏକ ସହଜ ସରଳ ନିର୍ଜନ ପ୍ରାକୃତିକ ପରିବେଶ ଭିତରେ—କିନ୍ତୁ ଆଜି ସେ ପରିବେଶ କାହିଁ-?

 

ଏଇ ଧାରଣା ମନ ଭିତରେ ପ୍ରବେଶ କଲା ମାତ୍ରେ ସୁରକୁ ସେ ସ୍ପ୍ରିଙ୍ଗଦିଆ ଘୂର୍ଣ୍ଣନଶୀଳ ଚେୟାର କଣ୍ଟକିତ ମନେହୁଏ—ବିଜୁଳୀ ଆଲୁଅ ମନେହୁଏ ବୈଶାଖର ଧୁ ଧୁ’ ରୌଦ୍ରତାପ ଭଳି ।

 

ସେ ତା’ର ଆର୍ଟଷ୍ଟୁଡ଼ିଓର ସବୁ ଆସବାବପନ୍ତ୍ରକୁ ତା’ ପରେ ବିକ୍ଷିପ୍ତ କରିବାକୁ ଲାଗେ । ସେଇ ଅଳିଆ ଅସନା ଛବିସବୁ ଜମାଇରଖେ ଟେବୁଲ୍‍ ଉପରେ । ତା’ର ଭଙ୍ଗା ବାକ୍‌ସଟିକୁ ଆଣି ଖେଳାଇ ବସେ...

 

ତା’ର ବିଶ୍ଵାସ ହୁଏ, ପ୍ୟାରିସ୍‍ ଚିନ୍ତ୍ରକଳା ପ୍ରଦର୍ଶନର ଲକ୍ଷେଟଙ୍କା ପୁରସ୍କାର ତା ପାଇଁ ଏକ ଅଭିଶାପ । ସନାତନ ମିଶ୍ରଙ୍କ ଜମିଦାରୀ ଭଳି ଆକସ୍ମିକ ଭାବରେ ସେ ଆସିଛି, ଆଖିପିଛୁଳାକେ ସେ କୁଆଡ଼େ ଯିବ । ମଝିରେ କେବଳ ତା’ର ସୃଜନଶୀଳ ଶିଳ୍ପୀପ୍ର ତିଭାକୁ ସେ ବିଶୃଙ୍ଖଳା କରିଦେଇ ଗଲା !

 

ସାଗରିକା ଉତ୍ସାହର ଜୁଆରରେ ଭଟ୍ଟା ଆସିଛି ।

 

ସବୁ ଶୃଙ୍ଖଳା ଭୀତରେ ସେ ଏବେ ଆବିଷ୍କାର କରୁଚି କେମିତି ଏକ ଚରମ ବିଶୃଙ୍ଖଳା । ଯାହା ପାଇଁ ସେ ଏ ଘରକୁ ସଜାଇଛି, ସେ ସବୁବେଳେ ଅନ୍ୟମନସ୍କ । କୌଣସି କଥା ପଚାରିଲେ ଉତ୍ତର ଦିଅନ୍ତି ନାହିଁ । ଉତ୍ତର ପାଇଁ ବେଶୀ ଜିଦ୍‍ କଲେ ବଡ଼ ବଡ଼ ଆଖିରେ ତାକୁ ଡବ ଡବ କରି ଅନାନ୍ତି । ଆଉ କିଛି ପଚାରିବା ସାହସ କୁଳାଏ ନାହିଁ ।

 

ସେ ଧନର ଅଧିକାରିଣୀ ହୋଇଛି ସତ, କିନ୍ତୁ ଅସଲ ମଣିଷର ମନକୁ ସେ ହରାଇ ବସିଛି ।

ସେ ସୁର ପାଖରେ ଅଛି, କିନ୍ତୁ ତା’ର ସାମୀପ୍ୟ ପାଉ ନାହିଁ ସତେ ଯେମିତି ତା’ର ସେ ବହୁତ କିଛି କ୍ଷତି କରି ପକାଇଛି !

ନରୋଳାରେ ଦିନେ ଦିନେ ବସି ସାଗରିକା ଭାବେ, ଶ୍ୟାମଳୀ ଯାହା କହୁଥିଲା, ତା ବୋଧହୁଏ ସତ୍ୟ । ଲୀଳା ଏଠୁ ଚାଲିଯାଇଛି ସତ, କିନ୍ତୁ ତା’ ସଙ୍ଗେ ସଙ୍ଗେ ତା ଦାମ୍ପତ୍ୟ ଜୀବନର ସମସ୍ତ ସରାଗକୁ ସେ ଲୁଣ୍ଠନ କରିନେଇଛି ।

ଏ ଘରର ପ୍ରତି କୋଣ ଅନୁକୋଣରେ ନାଚିଉଠିଛି ସେଇ ଲୀଳାର ଲୀଳାମୟୀ ଛାୟା । ଏ ଘରର ବାୟୁମଣ୍ଡଳରେ ବ୍ୟାପି ରହିଛି ତା’ର ବିଷ ନିଶ୍ଵାସ । କଟକ ଛାଡ଼ି ଚାଲିଗଲା ପରେ ବି ଲୀଳା ତାକୁ ସୁଖରେ ରହିବାକୁ ଦେଉନି । ହାତ ଧରି ସେ ଯାହାକୁ ବିବାହ କରିଛି; ସେ ସବୁବେଳେ ଝୁରି ହେଉଛନ୍ତି ଲୀଳାକୁ ।

ଲୀଳା ! ଲୀଳା !

ସାଗରିକା ଯୁଆଡ଼େ କାନ ପାତିଲା, ତା କାନରେ ଶୁଭିଲା ଗୋଟିଏ ଝିଅର ନାମ । ସତେ ଯେମିତି ତାକୁ ଏ ଘରୁ ନ ତଡ଼ି ଲୀଳା ଶାନ୍ତି ପାଇବ ନାହିଁ !

ଏବେ ସାମାନ୍ୟ କଥାରେ ସୁର ସହିତ ସାଗରିକାର କଜିଆ ଲଗେ । ଛୋଟ କଥାରୁ ଆରମ୍ଭ ହୁଏ ମହାଭାତର ଯୁଦ୍ଧ । ଟିକକ କଥାରେ ଲୀଳା ନାମ ଧରି ଉଲୁଗୁଣା ଦିଏ ସାଗରିକା ।

ଲୀଳାର ନିନ୍ଦା ସୁର ପକ୍ଷରେ ଅସହ୍ୟ ।

 

ସେଇ ଲୀଳା କଥା ନେଇ ସୁର ସହିତ ସାଗରିକାର ହେଲା ଥରେ ତୁମୁଳ କଳହ । ସୁର କହିଲା, ଲୀଳାକୁ ତ ଲାଗି ଲାଗି ଏଠୁ ତଡ଼ିଲ, ପୁଣି କାହିଁକି. ତା’ କଥା ପକାଇ ଏଠାର ବାୟୁମଣ୍ଡଳକୁ ବିଷାକ୍ତ କରୁଛ !

 

ସାଗରକା ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲା, ତା’ ହେଲେ ଲୀଳା ଚାଲିଯାଇଛି ବୋଲି ତମେ ମୋ ଉପରେ ସବୁଦିନେ ରାଗରେ ଗର ଗର ହେଉଛ ! ଲୀଳା କଥା ଏବେ ବି ତମ ମନରୁ ଯାଇନି ! ଲୀଳା ନ ଯାଇ ମୁଁ ବୋଧହୁଏ କଟକ ଛାଡ଼ି ଯାଇଥିଲେ ତମେ ବେଶି ଖୁସି ହୋଇଥାନ୍ତ ନାଇଁ !

 

ସୁର କିଛି କହିଲା ନାହିଁ କିଛି ଉତ୍ତର ଦେଲା ନାହିଁ ।

 

ସାଗରିକା ନିଜକୁ ଭାରି ଅପମାନିତ ମନେ କଲା । ତା’ର ଧାରଣା ହେଲା, ସୁର ଚାହୁଁଛି ତାକୁ ଏ ଘର ଛାଡ଼ି ଚାଲିଯିବାକୁ । ସୁରର ଏ ସମ୍ପତ୍ତି, ସୌଭାଗ୍ୟରେ ତା’ର କିଛି ଭାଗ ନାହିଁ ! କେବଳ ଜଣେ ଉପଯାଚିକା ଭାବରେ ସେ ଆସି ଏଠାରେ ରହିଛି !

 

ସେ ଦିନ କିଛି ନ ଖାଇ ଉପାସ ରହିଲା ସାଗରିକା ।

 

ସୁର ନର୍ବିକାର । ସାଗରିକ ଭାବିଥିଲା, ସୁର ଆସି ଭାକୁ ଥନୁରୋଧ କରିବ, ଅନୁନୟ କରିବ ଖାଇବା ପାଇଁ । କିନ୍ତୁ ରାତ୍ରୀ ଦ୍ଵିତୀୟ ପ୍ରହର ଅତିକ୍ରାନ୍ତ ହୋଇଗଲା ପରେ ବି ସୁର ତା’ ପାଖ ମାଡ଼ିଲା ନାହିଁ ।

 

ସୁର କ’ଣ ତେବେ ସତରେ ଚାହେଁ ସେ ଏ ଘର ଛାଡ଼ି ଚାଲି ଯାଉ !

 

“ହଁ’ ଛଡ଼ା ଅନ୍ୟ କିଛି ଉତ୍ତର ଖୋଜି ପାଇଲା ନାହିଁ ସାଗରିକା ।

 

ତା’ର ନର୍ସିଂପଢ଼ିଲା ବେଳର ଛାନ୍ତ୍ରୀ ଇରାକୁ ଚିଠି ଲେଖିଲା ପୁଣି ସାଗରିକା । ତାକୁ ଅନୁରୋଧ କଲା, ତା ପାଇଁ ଖଣ୍ଡେ, ଚାକିରି ସ୍ଥିର କରିଦେବା ପାଇଁ । କଥା ପ୍ରସଙ୍ଗରେ ଇରାକୁ ଏଭଳି ଲେଖିଚି ବୋଲି ସୁରକୁ ସେ ସୂଚନା ମଧ୍ୟ ଦେଲା । ଭାବିଥିଲା, ଏଥର ଅନ୍ତତଃ ସୁର ତାକୁ ମନା କରିବ ଚାକିରି ନ କରିବାକୁ ବାରଣ କରିବ । କହିବ, ଏତେ ଧନ କୋଠାବାଡ଼ି ସତ୍ତ୍ୱେ ତମେ ଚାକିରି କରିବା ଭଲ ହେବ ନହିଁ ସାଗରିକା ! ବାହାର ଲୋକଙ୍କ ଆଖିକୁ ଦୃଶ୍ୟଟା ଭଲ ଦିଶିବ ନହିଁ-

 

ସୁର କିନ୍ତୁ ଏଥର ବି ସେମିତି ନିର୍ବିକାର । ସାଗରିକାର ପଥରେ ସେ ବାଟ ଓଗାଳି ଠିଆ ହେବାର କିଛି ଲକ୍ଷଣ ଦେଖାଗଲା ନହିଁ ।

 

ସାତଦିନ ପରେ ଇରା ପାଖରୁ ଚିଠିର ଉତ୍ତର ଆସିଲା ଇରା ଲେଖିଥିଲା, ସ୍ଵାମୀର ସୌଭାଗ୍ୟରେ ଭାଗୀଦାର ନ ହୋଇ ଚାକିରି କରିବା ପାଇଁ ତୋର ଯଦି ଏକାନ୍ତ ଇଚ୍ଛା, ତୁ ଏଠିକି ଆସିପାରୁ । କଲିକତା ମହାନଗରୀର ଡାକ୍ତରଖାନାରେ ନର୍ସ ଚାକିରି ଖଣ୍ଡେ ଯୋଗାଡ଼ କରିବା କିଛି ସାଧ୍ୟାତୀତ ଘଟଣା ହେବ ନାହିଁ । କଲିକତାର ଜନତା ଏତେ ରୁଗ୍‍ଣ, ଅସୁସ୍ଥ ଯେ ଡାକ୍ତର ନର୍ସଙ୍କ ସଂଖ୍ୟା ଯେତେ ବଢ଼ିଲେ ବି ତାହା ସେମାନଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ହେଉ ନାହିଁ ।

 

ବହୁ ଭାବି ଚିନ୍ତି ସୁରକୁ ଇରାର ଚିଠିଟି ଦେଖାଇଲଲା ସାଗରିକା ।

 

ସୁର କହିଲା, ଘରେ କେବଳ ବସି ବସି ଯଦି ମନ ରୁଗ୍‍ଣ ଅସୁସ୍ଥ ହୋଇଉଠୁଛି, କିଛି କାର୍ଯ୍ୟ କରିବା ହିଁ ଭଲ । ବିବାହ ପରଠୁଁ ତ ଚାକିରି କରିବ ବୋଲି ଲଗାଇଚ । ମୁଁ ସେଥିରେ ବାଧା ଦେବି କାହିଁକି ?

 

ସୁରର ଏକଥା ଶୁଣି ତଟସ୍ଥ ହୋଇଗଲା ସାଗରିକା । ସେ କଣ କେବେ ସୁରଠୁ ଏହା ଶୁଣିବ ବୋଲି ଆଶା କରିଥିଲା ! ସୁର ଏକଥା ଶୁଣିବା ପରେ କ’ଣ ସେ ଘରେ ଆଉ ରହିହୁଏ !

 

ଅଉ ସେ ଘରେ ଭାତ ଛୁଇଁନି ସାଗରିକା । ସେଇଦିନ ସେ ଇରାର ଠିକଣାରେ ଟେଲିଗ୍ରାମ୍‍ କରିଦେଲା, ଟିଟୁକୁ ସାଙ୍ଗରେ ଧରି ମୁଁ କାଲି କଲକତାରେ ପହଞ୍ଚୁଛି ଇରା !

 

ସେ ଏକ ପବିତ୍ର ପରିବେଶ ।

 

ଘରେ ସାଗରିକା ନାହିଁ । ଟିଟୁର ଦରୋଟି କଥାର ସ୍ଵର ଶୁଣାଯାଉ ନାହିଁ । ଏତେ ବଡ଼ ଘରଟା ନିଶୂନ...ଖାଁ ଖାଁ । ଯଶୋଧାରା ଗ୍ରାମକୁ ଫେରିଯାଇଛି । ସୁର ଶୁଣିଥିଲା, ସେ ଶଯ୍ୟାଶାୟୀ । ବଞ୍ଚିବାର ସମ୍ଭାବନା ଖୁବ୍‍ କମ୍‍ । ମିଶ୍ର ପରିବାର ଉପରେ ଯେଉଁ ଅଦିନିଆ ବାଲିଝଡ଼ ଉଠି ଘରର ସବୁ ଶୃଙ୍ଖଳାକୁ ଛାରଖାର କରିଦେଇଛି, ସେ ବିଶୃଙ୍ଖଳାକୁ ସଜାଡ଼ିବା ଲାଗି ଯଶୋଧାରା ମନରେ ଆଉ ଦମ୍ଭ ନାହିଁ ।

 

ସେଇ ନିର୍ଜନ, ଶାନ୍ତ ପରିବେଶ ।

 

ଶିଳ୍ପୀ ସୁରର ଜୀବନରେ ଏ ପରିବେଶ କେମିତି ଅବାଞ୍ଛିତ ମନେହେଉଛି । ସେ କୋଳାହଳଠାରୁ ଦୂରରେ ରହିବାକୁ ଚାହିଁଥିଲା । ସେ “ଚାହିଥିଲା ଏକ ନିର୍ଜନ ପରିବେଶ, ଯେଉଁଠି ସେ ତା’ର ଶିଳ୍ପସାଧନା କରିପାରିବ ! କିନ୍ତୁ ସେ ପରିବେଶ ଏମିତି ଜନହୀନ, ନିରବ, ନିସ୍ତବ୍‍ଧ ହୋଇଯିବ, ସେ କଥା କଳ୍ପନା କରିପାରି ନ ଥିଲା ।

 

ନିର୍ଜନରେ ନିଜ ଷ୍ଟୁଡ଼ିଓ ରୁମରେ ତୂଳି ଧରି ବସେ ସୁର । ସେ କାଗଜ ଉପରେ ତୂଳି ଚଳାଏ । କିନ୍ତୁ କିଛି ରୂପ ଫୁଟେ ନାହିଁ ସେ କାଗଜ ଉପରେ । ତା’ର ମନେହୁଏ ସତେ ଯେମିତୀ ତା’ ଜୀବନ-ବୀଣାର ତା’ର କେଉଁଠି କେମିତି ଛିଡ଼ିଯାଇଛି । ଆଉ ପରେ ସେ ଛିଡ଼ା ତାରକୁ ଯୋଡ଼ିବସିଲେ ବି ସେ ବୀଣାରୁ ସ୍ଵର ବାହାରୁ ନାହିଁ ।

 

କିଛି ଦିନ ତଳେ ସବୁ ଠିକ୍‍ ଥିଲା । ଲୀଲା ଥିଲା ଆସୁଥିଲା–ଗପ କରୁଥିଲା । ତଡ଼ିଦେଲେ ବି ଆପେ.ଆସୁଥିଲା ସେ ସାମାଜିକ କଟକଣା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁଥିଲା !

 

ଥିଲେ ବି ତା ପାଖରେ ସାଗରିକା, ଟିଟୁ । ଜୀବନପାନ୍ତ୍ରକୁ ବହୁଭାବରେ ସେମାନେ ପୂର୍ଣ୍ଣ କରିଥିଲେ । ବାରମ୍ବାର ମନା କଲେ ବି ସେମାନେ ତା ଜୀବନ ଉପରେ କୋଳାହଳ ସୃଷ୍ଟି କରୁଥିଲେ । ସେ କୋଳାହଳର ବରକ୍ତି ଭିତରେ ଜୀବନ ଥିଲା...ଆନନ୍ଦ ଥିଲା । କିନ୍ତୁ ଆଜି !

 

ସୁର ଭାବିଲା, ସାଗରିକାକୁ ଫେରାର ଆଣିବାକୁ ସେ ଟେଲିଗ୍ରାମ କରିବ କି ? ସାଗରିକା ତ’ ତା କଲିକତା ବସା ଠିକଣା ରଖିଯାଇଛି ।

 

ମନ ଭିତରୁ କିଏ ନାହିଁ ନାହିଁ ବୋଲି ପାଟି କରିଉଠିଲା । ହୃଦୟ ଭିତରୁ କଏ କହିଉଠିଲା, ସେଇ ସାଗରିକା, ତାର ସର୍ବଗ୍ରାସି କ୍ଷୁଧା ତା ଜୀବନର ସମସ୍ତ ସୁକୁମାର ପ୍ରବୃତ୍ତିକୁ ନଷ୍ଟ କରିଦେଇଛି । ସାଗରିକା ମନର ସଂକୀର୍ଣ୍ଣତା, ସ୍ଵର୍ଥାନ୍ଧତା ତା’ ହୃଦୟର ସମସ୍ତ ମାନବିକ ସୁ ଗୁଣକୁ ଗ୍ରାସ କରିଯାଇଛି । ସାଗରିକାର ଆବିର୍ଭାବ ତା ଜୀବନରେ ଏକ ଦୁର୍ଘଟଣା...

 

ତେବେ ? କ’ଣ କରିବ ସେ ବର୍ତ୍ତମାନ ?

 

ସୁର ମୁଣ୍ଡରେ ହାତଦେଇ ବସେ ।

 

ହଁ, ଏଥର ଠିକ୍‍ ମନେ ପଡ଼ିଛି । ବୋଉ ବୋଉ ..ବାପା !

 

ବୋଉ ! ବାପା !

 

ସତେ ଯେମିତି ଅନେକ ଦିନ ପରେ ସୁରର ସେମାନଙ୍କ କଥା ମାନେ ପଡ଼ୁଛି । ତା’ ଉପରେ କେତେ ଭରସା କରି ନ ଥିଲେ ବାପା ! ନିଜ ଅସ୍ତିରେ ଅସ୍ତ୍ର ତିଆରି କରି, ଜୀବନ-ଯୁଦ୍ଧରେ କେତେ ସେ ଲଢ଼ାଇ କରି ନାହାନ୍ତି । ଆଉ ବୋଉ–ବୋଉର ତ୍ୟାଗ ତ ହିସାବ ତାଲିକା ଦେଇ ବୁଝାଇ ହୁଏ ନହିଁ !

 

ସାଗରିକା ଯୋଗୁଁ ସେମାନଙ୍କୁ ଏକ ପ୍ରକାର ଭୁଲିଯାଇଥିଲା ସୁର ।

 

ଆଜି ହଠାତ୍‍ ମନେପଡ଼ିଛି ।

 

ସୁର ଟେଲଗ୍ରାମ କଲା ଗ୍ରାମକୁ ।

 

...ତା’ର ଦୁଇଦିନ ପରେ ।

 

ସୁର ତା ଷ୍ଟୁଡ଼ିଓ ରୁମ୍‌ରେ ବସିଛି । ବାହାରୁ ଡାକ ଶୁଭିଲା, ସୁର....ସୁର !

 

ସୁର କାନ ଡେରିଲା । କାନକୁ ମିଠା ମିଠା ଶୁଭୁଛି ସେଇ ଡାକ, ସତେ ଯେମିତି ଧାରା ଶ୍ରାବଣରେ ଆମ୍ର କୁଞ୍ଜରେ କେଉଁଠି ଡାକିଉଠୁଛି କୋଇଲି ! ସତେ ଯେମିତି ଫଗୁଣର ମଳୟ ଉଜାଣି ବହୁଛି । ସୁରର ଇଚ୍ଛା ହେଉଥିଲା, ସେ କବାଟ ଖୋଲନ୍ତା ନାହିଁ । ବହୁ ସମୟ ପର୍ଯ୍ୟନ୍ତ ସେଇ ଡାକ ସେ ଶୁଣୁଥାନ୍ତା ।

 

କିନ୍ତୁ ସୁର ବେଶୀ ସମୟ ଅପେକ୍ଷା କରିପାରିଲା ନାହିଁ । କବାଟ ଖୋଲିଦେଲା । ବାହାରେ ବାପା ଆଉ ବୋଉ–ନାରାଣ ମାଷ୍ଟ୍ରେ ଓ ହେମାଙ୍ଗୀନି । ବସ୍‍ର ଧୂଲିରେ ଦୁହେଁଯାକ ଧୂସରିତ ! ସୁରକୁ ଦେଖିଲାକ୍ଷଣି ହେମାଙ୍ଗୀନି ଆସି ତାକୁ ଏକ ପ୍ରକାର କୋଳ କରିନେଲେ । ନିଜକୁ ବୋଉର ବୁକୁରୁ ମୁକ୍ତକରି ବାପାଙ୍କ ପାଦତଳେ ମୁଣ୍ଡ ଲଗଇଲା ସୁର ।

 

ନାରଣ ମାଷ୍ଟ୍ରେ ସୁରର ନୂଆଘର ଦେଖିଲେ । କୋଠାଘର । ନୀଳ ପର୍ଦ୍ଦା ! ବିଜୁଳି ଆଲୁଅ...ପାଣିକଳ । ସୁଇଚ ଟିପିଦେଲେ ଆଲୁଅ, କଳ ଚିପିଲେ ପାଣି । ଭଡ଼ାଘର ନୁହେଁ, ନିଜ ଘର । ସୁର ସତରେ ବଡ଼ ହୋଇଛି । ସନାତନ ମିଶ୍ରଙ୍କ ଭଳି ରାଣ୍ଡୀଖଣ୍ଡୀଙ୍କ ତଣ୍ଟି ଚିପି ସେ ବଡ଼ ହୋଇନି । ନିଜ ଗୁଣ ଯୋଗୁ, ନିଜପ୍ରତିଭା ଯୋଗୁ ସେ ବଡ଼ ହୋଇଛି ।

 

ନାରଣ ମାଷ୍ଟ୍ରେ ହେମାଙ୍ଗୀନିଙ୍କୁ ସେଇ କଥା କହିବେ କହିବେ ବୋଲି ତୁଣ୍ଡ ଖୋଲୁଥିଲେ-। ହେମାଙ୍ଗିନୀ ଆଖି ମାରି ତାଙ୍କୁ ଚୁପ୍‍ କରିଦେଲା । ସୁର ଆସୁଥିଲା । ସୁର କହିଲା, ଆପଣ ସ୍କୁଲ ସବ୍‌ଇନ୍ସପେକ୍ଟରଙ୍କ ପାଖକୁ ଇସ୍ତଫାପନ୍ତ୍ର ପଠାଇ ଦିଅନ୍ତୁ । ଆମେ ସମସ୍ତେ ଏଠି ରହିବା–

 

ହେମାଙ୍ଗିନୀ ପଚାରିଲେ, ଆଉ ଗାଁ—

 

ଗାଁ କଥା ମନେ ପଡ଼ିଲାକ୍ଷଣି ସୁର ଶିହରି ଉଠିଲା । ସେଇ ନଈପଠା, ଗାଁ ତୋଟା, ମିଶ୍ରଙ୍କ ଘର, ସବୁ ଦୃଶ୍ୟ ତା ଆଖିରେ ନାଚିଗଲା । ଭୟରେ ମୁଦି ହୋଇଆସିଲା ତା’ର ଆଖି । ଲୀଳାକୁ ଛାଡ଼ି ସେ କେମିତି ଏକୁଟିଆ ସେ ମାଟିରେ ପାଦ ଥୋଇବ । ପିଲାଦିନେ ଅନ୍ଧାର ଗୁଡ଼ୁ ଗୁଡ଼ି ନାମ ଶୁଣି ସେ ଅକାରଣରେ ଯେମିତି ଶଙ୍କିତ ହୋଇ ପଡ଼ିଥିଲା, ଗାଁ ନାଁ ଶୁଣି ଆଜି ବି ସେମିତି ସେ ଭୟଭୀତ ହୋଇପଡ଼ିଲା ।

 

ନାରଣ ମାଷ୍ଟ୍ରେ ପଚାରିଲେ, ବୋହୂ କାହିଁ କିରେ ସୁର । ସେ ଚଗଲା ଟୋକାଟାର ପାଟି କ’ଣ ଶୁଭୁ ନାଇଁ !

 

ସୁର କ’ଣ ଉତ୍ତର ଦେବ ହଠାତ୍‍ କିଛି ସ୍ଥିର କରିପାରିଲା ନାହିଁ ।

 

ଧ୍ୟାନମଗ୍ନ କଟକ ସହରରୁ ଶୋଭାଯାନ୍ତ୍ରାର ନଗରୀ ଏଇ କଲିକତା !

 

ଭୋରର ପାଂଶୁଳ ଆଲୁଅରେ ସାଗରିକା ଚାହେଁ ଅଜବ ନଗରୀ ଏଇ ପ୍ରାସାଦମାଳିନୀ କଲିକତା । କୋଳାହଳ, ବ୍ୟସ୍ତତା ଆଉ ବିବ୍ରତବୋଧ ଭିତରେ ଏ ସହର ଭିତରେ ନିଜ ଜୀବନକୁ ଖୋଜିପାଇବା ଭାରି କଷ୍ଟକର ।

 

ଟିଟୁ କାନ୍ଦିବାର ସ୍ୱର ଧରିଚି । ଏବେ ଟିକକ କଥାରେ ତା’ର କାନ୍ଦଣା ।

 

ଇରା ଠିକ୍‍ କରିଦେଇଚି ତା’ ପାଇଁ ଖଣ୍ଡେ ଚାକିରି । କିନ୍ତୁ ନିଜ ଚାକିରି-ଜୀବନ ଭିତରେ ଯେଉଁ ସ୍ଵଚ୍ଛନ୍ଦ୍ୟକୁ ଖୋଜିପାଇବ ବୋଲି ବହୁ ଆଶାକରି ସେ ଏଠାକୁ ଧାଇଁ ଆସିଥିଲା, ସେ ସ୍ଵଚ୍ଛନ୍ଦ୍ୟକୁ ସେ ପାଇପାରିନି । ଟାଣ ତା’ର ଟିଳିଯାଇଛି ମନ ତାର ମଉଳି ଯାଇଛି ।

 

ଅଧରାତିରେ ନିଦ ଭାଙ୍ଗି ଗଲେ ସୁର କଥା ଭାରି ମନେପଡ଼େ । ତା’ର ଧାରଣା ହୁଏ, ଘରୁ ଗୋଡ଼ କାଢ଼ି ବାହାରି ଆସିବା ତା’ର ଭୁଲ ହୋଇଚି । ଜାଣି ଜାଣି ସୁର ଟେବୁଲ୍ ଉପରେ ତା ଠିକଣା ସେ ରଖି ଆସିଥିଲା । ଭାବିଥିଲା, ସୂର ହୁଏତ ଚିଠି ଦେବ । ପ୍ରତିଦିନ ଡାକକୁ ଚାହିଁ ରହିଥାଏ ସାଗରିକା । କିନ୍ତୁ ସୁରଠାରୁ କିଛି ଚିଠିପତ୍ର ଆସେନା ।

 

ଅନେକ ସମୟରେ ଟିଟୁ ଖୋଜେ ତା’ର ବାପାକୁ । ଲୀଳାକୁ ବି ବେଳେ ବେଳେ ଖୋଜେ । ନାମ ଧରି ଡାକେ ।

 

ଡାକ୍ତରଖାନାରେ ରୋଗୀସେବା କଲାବେଳେ ଟିଟୁ କଥା ମନେ ପଡ଼ିଗଲେ ସେ ଚଞ୍ଚଳ ହୋଇଉଠେ । ବସାରେ ଗୋଟିଏ ଚାକରାଣୀ ପାଖରେ ଏକୁଠିଆ ଟିଟୁ...ହୁଏତ କାନ୍ଦୁଥିବ ।

 

ମନ ଛାଟିପଟି ହୁଏ ହୃଦୟ ହୁଏ ବ୍ୟାକୁଳ ।

 

ମାସେ ଗଲା । ଦୁଇମାସ ଗଲା । କ୍ୟାଲେଣ୍ଡରରୁ ଦୁଇଟି ମାସର ଦୁଇ ପୃଷ୍ଠା ଚିରିଦେଇ ସାରିଲାଣି ସାଗରିକା । କିନ୍ତୁ ମନ ଭୀତରୁ ସେଇ ଗତ ଦିନର ସ୍ମୃତିକୁ ଲିଭାଇଦେଇ ପାରୁନି ।

 

ବିବାହିତ ଜୀବନର ସେଇ ଦିନ କେତୋଟିର ସ୍ମୃତି ମନରେ ତା’ର ଗାର କାଟିଯାଇଛି—ଦିନ ଯେତେ ବିତିଯାଉଛି ସେ ସ୍ମୃତିର ଦାଗ ତା’ ମନରେ ସେତେ ଉଜ୍ଜଳ ହୋଇଉଠୁଚି ।

 

ବେଳେବେଳେ ସାଗରିକା ଭାବେ ଫେରିଯିବି କି ସେ କଟକ ! କିନ୍ତୁ ପର ମୁହୂର୍ତ୍ତରେ ମନେପଡ଼େ—କେଉଁ ମୁହଁରେ ସେ ସୁର ପାଖରେ ଯାଇ ଠିଆ ହେବ ? ତେବେ ସେ କ’ଣ ସବୁଦିନ ଏମିତି ନର୍ବାସିତ ହୋଇ ରହିବ କଲିକତାରେ !

 

ନଜ ଉପରେ ଭୀଷଣ ରାଗ ହୁଏ ସାଗରିକାର । କାହିଁକି ଜାଣି ଜାଣି ସେ ନିଜ ପାଇଁ ବରିଆଣିଲା ଏଇ ନିର୍ବାସନ ଦଣ୍ଡ !

 

ସେଦିନ ରାତିଅଧରେ ଗୋଟାଏ କ’ଣ ଅଶୁଭ ସ୍ଵପ୍ନ ଦେଖି ସାଗରିକାର ନିଦ ଭାଙ୍ଗି ଗଲା । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଦେଖିଲା, ପାଖରେ ଟିଟୁ ଶୋଇଚି । ଇରାର ନଶ୍ୱାସ ଶବ୍ଦ ବାରି ହେଉଛି । କାନ ଡେରିଲା ସାଗରିକା । ଶୁଣିଲା, ଗଙ୍ଗା ନଦୀରେ ଜାହାଜ ଯିବାର ଶବ୍ଦ । ଚାରିଆଡ଼ ନିରବ, ନିସ୍ତବ୍‍ଧ । ପୁଣି ତାକୁ ଜଣାଗଲା ବହି ଯାଉଥିବା ପବନରେ ସତେ ଯେମିତି କାହାର କାନ୍ଦଣା ସ୍ଵର ଶୁଭାଯାଉଛି !

 

କଏ....କିଏ କାନ୍ଦୁଛି ଏତେ ରାତିରେ !

 

ସାଗରିକା ଉଠି ବସିଲା । କୋଳରେ ଧରିଲା ଟିଟୁକୁ । ଅନ୍ଧାରରେ ତାକୁ ଗେଲ କଲା...ଛାତିରେ ଚିପି ଧରିଲା । ଅନୁଭବ କଲା, ଏତେ ବଡ଼ କଲିକତା ସହରରେ ସେ ଏକୁଠିଆ ! ତା’ର ନିଜର ଲେକେ କାହିଁ କେତେ ଦୂରେ...ଦୂରେ..., ସୁଦୂରେ !

 

ପୁଣି ସେଇ କାନ୍ଦଣା ସ୍ୱର କାନକୁ ଶୁଭିଗଲା ।

 

ଚମକି ଉଠିଲା ସାଗରିକା, କିଏ କାନ୍ଦୁଛି ଏତେ ରାତିରେ, ଇଚ୍ଛା ହେଲା, ବିଜୁଳିବତୀ ସେ ଜାଳନ୍ତା । ପୁଣି ଡର ହେଲା, ସେ ଆଲୁଅରେ କାଳେ କିଛି ଭୟଙ୍କର ଦୃଶ୍ୟ ତା ଆଖିରେ ପଡ଼ିଯିବ ।

 

ପୁଣି କିଛି ସମୟ ପରେ ସାଗରିକା ଅନୁଭବ କଲା କାନ୍ଦଣା ଧ୍ଵନି ସତେ ସେମିତି ତା’ ଛାତି ଭିତରୁ କେଉଁଠୁ ଉଠି ଆସୁଛି । ଏତେ ସମୟ ପରେ ସେ ଯେଉଁ କାନ୍ଦଣା ଧ୍ଵନି ବାହାରର ପବନରେ ଶୁଣୁଥିଲା; ଏବେ ତାହା ସେ ଶୁଣିଲା ନିଜର ଅନ୍ତର ଭିତରୁ....ମନକପୋତୀ ତାର ବାହୁନି ବାହୁନି କାନ୍ଦୁଛି । କାହାପାଇଁ ?

 

ସକାଳ ହେଲା ଆଲୁଅ ଆସିଲା । ଶେଯ ଛାଡ଼ି ନିଜ କାମରେ ବ୍ୟସ୍ତ ହୋଇଗଲା ସାଗରିକା । କାମ ସାରି ଡାକ୍ତରଖାନାକୁ ବାହାରିଲା ବେଳେ ହଠାତ୍‍ କାହିଁକି ପଛରୁ କାନି ଟାଣିଧରିଲା ଟିଟୁ । କାନ୍ଦିଲା—ଯେତେ ବୁଝାଇଲେ ବି ବୁଝିଲା ନାହିଁ ।

 

ନୂଆ ଚାକିରି । ଅବହେଳା କଲେ କାମ ଖଣ୍ଡିକ ହାତଛଡ଼ା ହୋଇଯିବା କିଛି ବିଚିନ୍ତ୍ର ନୁହେଁ । ଚାକିରି ଖଣ୍ଡକ ଚାଲିଗଲେ ସେ କଲିକତା ନଗରୀରେ ଚଳିବ କେମିତି ।

 

ବେଳ ଗଡ଼ିଗଲାଣି । ଅନେକ ବେଳ ପରେ କାନ୍ଦୁ କାନ୍ଦୁ ଶୋଇପଡ଼ିଲା ଟିଟୁ । ସାଗରିକା କାମକୁ ବାହାରିଲା । ଟ୍ରାମ୍‍ ଷ୍ଟପେଜଟା ଅଳ୍ପ ଦୂର ।

 

ଟ୍ରାମ୍‍ ଷ୍ଟପେଜ ଆଡ଼େ ଆଗେଇଚାଲିଛି ସାଗରିକା । ମନରେ କେତେ ଆଡ଼ର କେତେ ଖିଆଲ । ଗତ କାଲିର ସେଇ ଦୁଃସ୍ଵପ୍ନ, ଟିଟୁ କାନ୍ଦଣା, ସବୁ କିଛି ମନରେ ଗୁଡ଼େଇ ତୁଡ଼େଇ ହେଉଛି-। ପ୍ରଧାନ ରାସ୍ତାରେ ଚାରିଆଡ଼କୁ ଚାହିଁ ଯିବା କଥା ସମ୍ପୂର୍ଣ୍ଣ ପାଶୋରି ଦେଇଛି ସେ ।

 

ଗୋଟାକ ପରେ ଗୋଟାଏ ହୋଇ ଅନେକଗୁଡ଼ିଏ କାର ଛୁଟିଆସୁଚି । ହର୍ଣ୍ଣ ଶୁଭୁନି ସାଗରିକାର କାନକୁ । କାନରେ ଶୁଭାଯାଉଛି କେବଳ ଟିଟୁର କାନ୍ଦଣା ସେଇ ଏଁ ଏଁ ଧ୍ଵନି ।

 

କାର୍‍ ଖଣ୍ଡେ ଛୁଟି ଆସୁଥିଲା ଝଡ଼ ବେଗରେ—

 

ତା’ର ସାମନାରେ ପଡ଼ିଗଲା ସାଗରିକା...

 

ଏକ ଭୀଷଣ ଆର୍ତ୍ତ ଚିତ୍କାର: ‘ଟ୍ରାଫିକ୍ ପୋଲିସର ହୁଇସିଲ । ସାମାନ୍ୟ ଲୋକାରଣ୍ୟ । ସ୍ଥାନିୟ ମେଡ଼ିକାଲକୁ ଫୋନ୍–

 

ଇରାର ଯତ୍ନରେ ସାଗରିକାକୁ ଏକ ସ୍ଵତନ୍ତ୍ର କ୍ୟାବିନ୍‌କୁ ସ୍ତାନାନ୍ତରିତ କରାଗଲା ।

 

ମୁଣ୍ଡରେ ତା’ର ଆଘାତ ଭୀଷଣ ଭାବରେ ଲାଗିଛି । ଡାକ୍ତରମାନେ ପରୀକ୍ଷା କରି ମତ ଦେଇଛନ୍ତି, ମେରୁହାଡ଼ ମଧ୍ୟ ଭାଙ୍ଗି ଯାଇଛି । ଇରା ଗୋଟିଏ ଟେଲିଗ୍ରାମ୍‍ କରିଦେଲା ସୁର ପାଖକୁ । ସେଦିନ ରାତି ଏଗାରଟା ସୁଦ୍ଧା ସାଗରିକାର ଚେତନା ଫେରିଲା ନାହିଁ ।

 

ଗତ ଏଗାରଟାର ଛାଇ ଆଲୁଅ ଭିତରେ ପ୍ରଥମେ ଅନୁଭବ କଲା, ତା ମୁଣ୍ଡରେ ଭୟଙ୍କର ଯନ୍ତ୍ରଣା । ଜଣେ ଡାକ୍ତରାଣୀ କେହି ବୋଧହୁଏ ତା’ର ବ୍ୟାଣ୍ଡେଜ୍‌କରି ମୁଣ୍ଡକୁ ନିଜ କୋଳ ଉପରେ ରଖିଛନ୍ତି . ଆସ୍ତେ ଆସ୍ତେ ପଙ୍ଖା କରୁଛନ୍ତି ।

 

ଜ୍ଞାନ ଫେରିପାଇଲା ପରେ ସେ ଡାକ୍ତରାଣୀଙ୍କ ମୁହଁକୁ ଚାହିଁ ଦେଖିବାକୁ ଚେଷ୍ଟାକଲା । ଦେଖିଲା ଡାକ୍ତରାଣୀଙ୍କ ମୁହରୁ ବାହାରୁଥିବା ଜ୍ୟୋତିରେ ତା’ର ଆଖି ଦୁଇଟି ଯେମିତି ଝଲସିଯାଉଛି ! ଡାକ୍ତରାଣୀଙ୍କ ମୁହଁରୁ ସେ ଆଉ ମୁହଁ ଫେରାଇପାରିଲା ନାହିଁ । କ’ଣ ଗୋଟିଏ ସମ୍ମୋହିନୀ ଶକ୍ତି ସତେ ଯେମିତି ତା’ର ଦୃଷ୍ଟି ଶକ୍ତିକୁ ଟାଣି ରଖିଛି ।

 

ସେଇ ଚିରପରିଚିତ ମୁହଁ...ଉଜ୍ଜଳ ଆଖି.. ଅମଳିନ ମୁଖମଣ୍ଡଳ । ....ଶାଣିତ ଦୃଷ୍ଟି ସ୍ନେହବୋଳା କଥା । ଲୀଳା ଲୀଳା !

 

କଥା କହିବାକୁ ଚେଷ୍ଟା କରୁଥିଲା ସାଗରିକା । ଆଖିର ଇଙ୍ଗିତରେ ନୀରବ ରହିବାକୁ ଇଙ୍ଗିତ ଦେଲା ଲୀଳା । ଗତ ଦୁଇଦିନ, ଦୁଇ ରାତ୍ରୀ ଧରି ଜଗିବସିଛି ସେ ସାଗରିକାକୁ । ଆଖିରେ ପଲକ ପଡ଼ିନି ତା’ର । ଖାଇବା ପିଇବା ଭୁଲିଯାଛି ସେ ।

 

ଇରା ଲୀଳାର ନାମ ଶୁଣିଛି ସିନା, ଆଖିରେ ଦେଖିନି କେବେ । କଲିକତା ନଗରୀର ବଡ଼ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତର ଦିନରାତି ନ ଖାଇ ନ ପିଇ ସେବା କରୁଥିବା ଦେଖି ସେ ବିସ୍ମିତ ହୋଇ ଯାଇଥିଲା ।

 

ଆହତ ଅବସ୍ଥାରେ ପ୍ରଥମେ ସାଗରିକାକୁ ଦେଖି ଲୀଲା ଘଟଣା କ’ଣ କିଛି ବୁଝିପାରି ନ ଥିଲା । କଟକ ସହରର ଶିଳ୍ପୀ ଭବନର ଗୃହବଧୂ କଲିକତା ନଗରୀର ରାଜପଥରେ କେମିତି ଏକୁଟିଆ ଏ ଦୁର୍ଘଟଣାର ସମ୍ମୁଖୀନ ହେଲା, ସେ ତାହା କଳ୍ପନା କରିପାରୁ ନ ଥିଲା ।

 

ସାଗରିକାକୁ ଦେଖି ଟିଟୁ କଥା ପଚାରିବାକୁ ସେ ଉଚ୍ଛନ୍ନ ହୋଇ ଉଠୁଥିଲା । କିନ୍ତୁ ଇରାକୁ ଦେଖି ସେ ନିଜ ମନର ସେଇ ଗୋପନ କଥାଟିକୁ ଚାପି ରଖିଥିଲା ମନେ ମନେ ।

 

କଟକ ସହର ଛାଡ଼ି କଲିକତା ଆସିଲା ଦିନୁ ସେ ଆଉ ସାଗରିକା କିମ୍ବା ସୁର ଭାଇ କାହାର କିଛି ସମ୍ବାଦ ରଖି ନାହିଁ । ସେ ଚାହୁଥିଲା ପଳାଇଯିବ କାଶୀ କି ବୃନ୍ଦାବନକୁ ଯେଉଁ ମାଟିରେ ଶେଷ ନିଶ୍ଵାସ ଛାଡ଼ିଲେ ଆତ୍ମା ମୋକ୍ଷ ହୋଇଯାଇ ସେଇ ରାଧାମାଧବଙ୍କ ପାଦରେ ଲୀନ ହୋଇଯାଏ ବୋଲି ହିନ୍ଦୁଶାସ୍ତ୍ର କହେ । ସେଠାରୁ ପଳାଇଯିବା ପାଇଁ ମନ-ବିହଙ୍ଗମ ତା’ର ବ୍ୟାକୁଳ ହୋଇ ଉଠିଥିଲା ।

 

ଡାକ୍ତର ମିନ୍ତ୍ର କନ୍ତୁ ତାକୁ ସେକଥା କରିବାକୁ ଦେଲେ ନାହିଁ । କଟକ ମେଡ଼ିକାଲ କଲେଜରେ ତା’ର ଔଷଧ ଅଧ୍ୟାପକ ଥିଲେ ଡାକ୍ତର ମିତ୍ର । ହାଓଡ଼ା ଷ୍ଟେସନରେ ଆକସ୍ମିକ ଭାବରେ ତାଙ୍କ ସହିତ ତା’ର ସାକ୍ଷାତ । ଡାକ୍ତର ମିନ୍ତ୍ରଙ୍କ ପାଖରେ କୌଣସି କଥା ଗୋପନ ନ ରଖି ସେ ସବୁ କଥା ଖୋଲି କହିଥିଲା । କାଶୀ ବୃନ୍ଦାବନ ଯିବା କଥା ଶୁଣି ପ୍ରତିବାଦ କରି ଉଠିଥିଲେ ଡାକ୍ତର ମିତ୍ର-। ଯୁକ୍ତି କରିଥିଲେ, ରୋଗ ବ୍ୟାଧିରେ ପଡ଼ି ଲକ୍ଷ ଲକ୍ଷ ନରନାରାୟଣ ଯେତେବେଳେ ଏଇ ପୃଥିବୀର ନର୍କରେ ଘାଣ୍ଟି ହେଉଛନ୍ତି, ସେତେବେଳେ କାଶୀ ବୃନ୍ଦାବନରେ ଦେହତ୍ୟାଗ କରି ଏକୁଟିଆ ସ୍ଵର୍ଗକୁ ଯିବାକୁ ତମେ କଳ୍ପନା କରିପାରୁଛ ଲୀଳା ! ତା’ ଛଡ଼ା କାଶୀ ବୃନ୍ଦାବନରେ ଦେହତ୍ୟାଗ କଲେ ଯେ ଲୋକ ସ୍ଵର୍ଗକୁ ଯାଆନ୍ତି, ଏ ବିଷୟରେ ମୋର ଘୋର ସନ୍ଦେହ...

 

ଡାକ୍ତର ମିନ୍ତ୍ରଙ୍କ ଯୁକ୍ତିକୁ ଏଡ଼ାଇ ପାରି ନ ଥିଲା ଲୀଳା ।

 

ପୁଣି ଡାକ୍ତର ମିତ୍ରଙ୍କ ସ୍ନେହ–କାରଗାରରେ ସେ ପୁଣି ବନ୍ଦିନୀ ହୋଇ ପଡ଼ିଥିଲା । କିନ୍ତୁ କଟକ ସହରର ଳୀଳା ଆଉ କଲିକତା ନଗରୀର ଲୀଳାମୟୀ ମଧ୍ୟରେ ଅନେକ ତଫାତ୍‍ ହୋଇଯାଇଛି । କଟକ ସହରର ସନାତନ ମିଶ୍ରଙ୍କ କନ୍ୟା ଲୀଳାବତୀର ମୃତ୍ୟୁ ହୋଇଯାଇଛି ଅନେକ ଦିନୁ । କଲିକତା ନଗରୀରେ ତା’ର ଘଟିଛି ପୁନର୍ଜନ୍ମ । ସେ ତାର ଅତୀତ ଭୁଲିଛି, ଭବିଷ୍ୟତ ଭୁଲିଛି । କେବଳ ବାସ୍ତବ ବର୍ତ୍ତମାନଙ୍କୁ ନେଇ ସେ ବଞ୍ଚିରହିଛି । ତା’ର ଜାତି ନାହିଁ, ଧର୍ମ ନାହିଁ....ସେ ସେବିକା, ଚିକିତ୍ସକ...ସେବା, ଚିକିତ୍ସା ହିଁ ତା’ର ଧର୍ମ ।

 

ସେଇ ଜ୍ୟୋତ୍ସ୍ନା-ଶୁଭ୍ର ଶାଢ଼ୀ ଦେହରେ ପରିଧେୟ । ମୁହଁରେ ଏକ ନମ୍ର ବିନୀତ ଭାବ । କଣ୍ଠରେ ମମତାଝରା ଭାଷା । ସବୁବେଳେ ସୁଧାଝରା କଥା । କଲିକତା ବଡ଼ ଡାକ୍ତରଖାନାରେ ସବୁ ଡାକ୍ତର, ନର୍ସ, ରୋଗୀ, ବେହେରା, ଚାକରାଣୀ ସମସ୍ତଙ୍କ ମନ କଣିନେଇଛି ଲୀଳା ଏଇ ଦିନ କେଇଟାରେ ।

 

ସାଗରିକାର ଚେତନା ବେଳକୁ ବେଳ ହଜିଯାଇଛି ।

 

ହୁଏତ ଆଉ ବେଶି ଦିନ ତାକୁ ଅଟକେଇ ରଖିହେବ ନାହିଁ । ଟିଟୁ ଆଉ ସୁର ଭାଇ କ’ଣ ଏ ଧକ୍‌କା ସମ୍ଭାଳି ପାରିବେ ! ନିଜର ସମସ୍ତ ଶକ୍ତି ଦେଇ ସାଗରିକାର ସେବା କରିବାକୁ ଲାଗିଲା ଲୀଳା । ସବୁଠୁ ମୂଲ୍ୟବାନ୍‍ ଔଷଧତକ କିଣାହୋଇ ଆସିଲା ତା’ ପାଇଁ ।

 

କିନ୍ତୁ ସାଗରିକାର ଅବସ୍ଥାରେ ବିଶେଷ କିଛି ପରିବର୍ତ୍ତନ ଘଟିଲା ନାହିଁ । ତା’ ଆର ଦିନ ସଂଧ୍ୟା ସୁଦ୍ଧା ଜଣେ ନର୍ସ ଆସି ଖବର ଦେଲା, ସାଗରିକାର ସ୍ଵାମୀ ଆସିଛନ୍ତି...ଟେଲିଗ୍ରାମ୍‍ କରାଯାଇଥିଲା ।

 

ବିସ୍ମୟର ଏକ ତରଙ୍ଗ ଉଠିଆସିଲା ଲୀଳା ମୁହଁରେ । ସୁର ଭାଇ ତା ହେଲେ ଆସୁଛନ୍ତି-! କେମିତି ଏକ ଆକଣ୍ଠ ଲଜ୍ଜାରେ ମୁହଁ ତା’ର ରଙ୍ଗ ଧରି ଆସୁଥିଲା । ସୁର ଭାଇଙ୍କ ଆଗରେ କେମିତି ସେ ଛିଡ଼ାହେବ ।

 

ସୁର ଆସିଲା । କାନ୍ଧରେ ଶୋଇଚି ଟିଟୁ । ପଛେ ପଛେ ଇରା । ଇରା କହି କହି ଆସୁଚି, ଜଣେ ଡାକ୍ତରାଣୀ ନ ଖାଇ ନ ପିଇ…ସେବା କରୁଛନ୍ତି ବୋଲି ସାଗରିକାକୁ ଏତେ ସମୟ ମରଣମୁହଁରୁ ଅଟକାଇ ରଖାଯାଇଛି !

 

ଡାକ୍ତରାଣୀ ଜଣଙ୍କୁ ଦେଖି ଚମକି ଉଠିଲା ସୁର ।

 

ଲୀଳା ମୁହଁ ତଳକୁ କରିଦେଲା ।

 

କ୍ୟାବିନ୍‌ର ସେଇ ନିର୍ଜନ ପରିବେଶ ।

 

ରାତି ଅନେକ ହୋଇଚି । କିନ୍ତୁ ସୁର କିମ୍ବା ଲୀଳା କାହାର ଆଖିରେ ପଲକ ପଡ଼ି ନାହିଁ । ସାଗରିକାର ନାଡ଼ି ବେଳେବେଳେ ଧରା ପଡ଼ୁ ନାହିଁ । ସମସ୍ତେ ବୁଝି ସାରିଲେଣି, ସାଗରିକାର ଜୀବନଯାତ୍ରା ଶେଷ ହୋଇଆସୁଚି ।

 

କେତେବେଲକେ ଆଖି ଖୋଲିଲା ସାଗରିକା । ଅନେକ ସମୟ ଧରି ଚେତନା ନ ଥିଲା-। ଆଖି ଖୋଲୀଳାକ୍ଷଣି ପ୍ରଥମେ ଦୃଷ୍ଟି ପଡ଼ିଲା ସୁର ଉପରେ । ମୂହୁର୍ତ୍ତ କେତୋଟି ଆଖି ତାର ସ୍ଥିର ହୋଇଗଲା । ମୁହଁରେ ବେଦନାର ସମସ୍ତ ଯନ୍ତ୍ରଣାକୁ ପରାସ୍ତକରି ଗୋଟିଏ ହସର ଲହଡ଼ୀ ଉଠିଆସିଲା । ବୋଧହୁଏ ସେ ବୁଝିପାରିଲା, ଏତେ ବେଳକେ ତା ଜୀବନର ବାଞ୍ଛିତ ଅତିଥି ଆସିଛନ୍ତି !

 

ସୁରର ପାଦଧୂଳୀ ନେଇ ସେ ମୁଣ୍ଡରେ ମାରିଲା ।

 

ତା’ପରେ ସେ କାହାକୁ ଖୋଜିବାକୁ ଲାଗିଲା ।

 

ଇରା ବଢ଼ାଇଦେଲା ଟିଟୁକୁ । ଟିଟୁ ଓଠରେ ହାତ ଟିକିଏ ମାରିଦେଇ ସେ ଉପରକୁ ଚାହିଁଲା । ମୁଣ୍ଡ ଉପରେ ବସିଥିଲା ଲୀଲା । ଲୀଲା ହାତକୁ ନିଜ ହାତରେ ତୋଲିଆଣୀ ଖୁବ୍‍ ଅସ୍ପଷ୍ଟ କଣ୍ଠରେ କହିଲା, ଏଇ ଟିଟୁ । ତମେ ହଁ ଟିଟୁର ମାଆ । ମୁଁ ନ କହିଲେ ବି ତମ ସୁର ଭାଇଙ୍କ ଦାୟିତ୍ଵ ତମେ ନେବ । ସେ ମୋ ଜୀବନର ଅଳ୍ପ କେତୋଟି ଦିନର ସହଚର, କିନ୍ତୁ ତମର ଆବାଲ୍ୟ ସାଥୀ...ଆମରଣ ତମେ ତାଙ୍କର ହୋଇ ରହିବ...ଏଇ ଟିଟୁ...

 

ଆଉ ସେ କିଛି କହିପାରିଲା ନାହିଁ ।

 

ଯନ୍ତ୍ରଣାର ଚିହ୍ନ ଫୁଟିଉଠିଲା ମୁହଁରେ । କଣ୍ଠ ବୋଧହୁଏ ଅଠା ଅଠା ହୋଇ ଆସୁଥିଲା । ସୁର ଟିକିଏ ଗଙ୍ଗାଜଳ ଦେଲା ତା’ ପାଟିରେ । ଏଇତକ ପାଇଁ ଏତେଦିନ ଧରି ସତେ ଯେମିତି ସାଗରିକା ଅପେକ୍ଷା କରି ବସିଥିଲା ।

 

ଦମକାଏ ପବନରେ ପ୍ରଦୀପଶିଖା ଲିଭିଗଲା, ସବୁଦିନ ପାଇଁ । ଲୀଳା କାନ୍ଦିଉଠିଲା ।

 

ସକାଳ ହେଲା । ସେ ଅଶୁଭ ରାତ୍ରୀର ଅନ୍ଧକାର ହଜିଗଲା ସେଇ ଶୁଭ ସକାଳର ଆଲୁଅ ଉପରେ । ପଛ ଜୀବନର ସବୁ ସ୍ମୃତି ଜଳିଗଲା ସାଗରିକାର ଚତାଗ୍ନି ମଧ୍ୟରେ । ଲୀଳା ଆଉ ସୁର ଠିଆହେଲେ ଆସି ଇରାର ସେଇ ବସା ଖଣ୍ଡିକ ଭିତରେ ।

 

ସକାଳ ନିଦରୁ ଉଠିଚି ଟିଟୁ I

 

ବୋଉ ବୋଉ ବୋଲି ପାଟିକରି କାନ୍ଦୁଥିଲା । ଲୀଳା ତାକୁ କୋଳକୁ ତୋଳିନେଲା । ଲୀଳା ମୁହଁକୁ ଦୋ’ ଦୋ’ ଚିହ୍ନ ହୋଇ ଅନେକ ସମୟ ଚାହିଁଲା ପରେ ଆନନ୍ଦରେ ଅଧୀର ହୋଇଉଠି କୋଳରେ ତା’ର ମୁହଁ ଯାକିଦେଲା, ସତେ ଯେମିତି ଏତେଦିନକେ ସେ ତା’ର ହଜିଯାଇଥିବା ମାଆକୁ ଖୋଜି ପାଇଛି !

 

ଲୀଳା କହିଲା, ଆଉଡେରି କାହିଁକି ସୁର ଭାଇ ! ତମର ମାୟାମମତାର ବନ୍ଧନ ଛିଡ଼ାଇ ମୁକୁଳିଯିବି ବୋଲି କେତେ ଥର ପ୍ରତିଜ୍ଞା କରିଚି, ଚେଷ୍ଟା କରିଛି; କିନ୍ତୁ ତା’ ପାରିନି । ନିଜ ଅଜାଣତରେ ନିଜେ ସେଇ ବନ୍ଧନ ଡୋରରେ ଛନ୍ଦିହୋଇ ପଡ଼ିଛି । ଆଜି ଆଉ ମୋର ମୋକ୍ଷ ଦରକାର ନାହିଁ.....ସ୍ଵର୍ଗପ୍ରାପ୍ତି ଲୋଡ଼ା ନାହିଁ । ତମେ ମୋର ସ୍ଵର୍ଗ । ତମର ସ୍ନେହ ହିଁ ମୋର ମୋକ୍ଷ ପଥ । ସେତିକି କ’ଣ ତମେ ଦେବ ନାହିଁ । ଏଥର ଚାଲ । ଫେରିଚାଲ ସେଇ ନିମଖଣ୍ଡି ଗାଁର ମିଠା ମାଟିକୁ....କାଠିକୁଟାର ନିଡ଼କୁ ।

 

ସୁର ଗମ୍ଭୀର ହୋଇଗଲା । କହିଲା, ମୋହନ ମୁରଲିର ଡାକ ଶୁଣି ତୁ ଆଉ ପଳାଇ ଆସିବୁ ନାହିଁ ତ !

 

ଟିଟୁକୁ ଦେଖାଇ ହସି ହସି ଲୀଳା କହିଲା, ଏଇ ମୋହନର ମୁରଲି ଡାକରେ ମୁଁ ଏଥର ନିଜକୁ ଭୁଲିବି । ତମ ସମାଜ, ସହ ରଡ଼ି ମୋତେ ବିଚଳିତ କରିପାରିବ ନାହିଁ । ଏଥର ଉଠ...ଚାଲ-। ଆରେ ! ପୁଣି ଠିଆହୋଇ ରହିଲ ଯେ !

 

ସୁର କହିଲା, ତୁ ସତ କହୁଛୁ ଲୀଳା ! ତୁ ପୁଣି ସେଇ ଛାୟାଶୀତଳ ଗାଁକୁ ଫେରିଯିବୁ ! ସେଇ ତୋଟାମାଳ, ପଠାବାଲି, ବାଇଗିଆ ଭେଡ଼ ପାଖରେ ପୁଣି ସେଇ ହଜିଗଲା ଅତିତକୁ ଆମେ ହାତ ଧରାଧରି ହୋଇ ଖୋଜିବା !

 

ସକାଳର ଆଲୁଅ ଝଲମଲ ହୋଇଉଠୁଛି । ବାମପଟ ଝରକା ଫାଙ୍କରେ ଦିଶୁଛି, ଗଙ୍ଗାର ସେଇ ଚଳଚଞ୍ଚଳ ଜଳଧାର.....କଳା ଘୁମର ପାଣିରେ ନାଚି ନାଚି ଜାହାଜ କେତେଟା ଯାତ୍ରା ଆରମ୍ଭ କରିଛନ୍ତି । ଜାହାଜ ଯିବାର ଶବ୍ଦ ଶୁଭୁଛି । ସମୟର ସମୁଦ୍ରଜଳରେ ଭାସି ଭାସି ଲୀଳା ଯାଇ ସୁରର ଯେଉଁ ଜୀବନ-ଜାହାଜ ସମୟର ସୁଅ ତୋଡ଼ରେ ଏଣେତେଣେ ଭାସି ଚାଲୁଥିଲା, ସେଇ ଜୀବନ-ଯାହାଜ ଆଜିପୁଣି ଫେରିଯାଉଛି ବନ୍ଦର ପାଖକୁ । ଗଙ୍ଗାର ସେଇ ନୀଳ ଜଳ ବେଣୀ ଆଡ଼କୁ ଚାହିଁ ଚାହିଁ ଲୀଳା କହିଲା, ତମର ପ୍ରତ୍ୟୟ ହେଉ ! ହେଉ ତେବେ-ଧର ଏ ହାତ ଆସ ଆଗରେ ପଡ଼ୁ ପଛେ ଧୁ ଧୁ ଧୂସର ବାଲି....ଶୁଭୁ ପଛେ ବାଘର ହେଣ୍ଟାଲ, ସିଂହର ରଡ଼ି ତମେ ମୋ ସାଙ୍ଗରେ ଅଛ । ସେଇ ମୋର ଯଥେଷ୍ଟ ନୁହେଁ ? ଗାଁ ଚାଟଶାଳୀରେ ମୋ ପାଇଁ ମାଡ଼ ଖାଇବାକୁ ତମେ ପିଠି ଦେଖାଇ ଦେଇଥିଲ । ମୋ ପାଇଁ ଜାଣିଜାଣି ଅଙ୍କ ଭୁଲ କରିଦେଇ ଆସିଥିଲ ମୁଁ ତମ ପାଇଁ କ’ଣ ସାମାନ୍ୟ କଷ୍ଟ ସହିପାରିବି ନାହିଁ ?

 

ଘୁମନ୍ତ ଟିଟୁର ଆଖିରୁ ନିଦ ତୁଟି ଯାଇଥିଲା ବୋଧହୁଏ । ସେ କହିଲା, ବୋଉ ତାଲ୍‍...ଦିବା...

 

ଇରା ପଶିଆସୁଥିଲା ଘର ଭିତରକୁ । ଟିଟୁ କଥା ଶୁଣି ସେ ପାଟିକରି ଉଠିଲା, ଆରେ ସମସ୍ତଙ୍କ ମୁହଁରେ ତ ସେଇ ଯିବାର କଥା । ମୋର ଏ ବସାଘର ଶୂନ୍ୟ ହୋଇଯିବ ଯେ । ଆଚ୍ଛା...ଆଚ୍ଛା...ଯିବ ପଛେ ଆର ଓଳିକି...ଭାତ ବଢ଼ା ହେଲାଣି...ଏ ଦୁଃଖିନୀ ଭଉଣୀଟି ଘରେ ଅଇଣ୍ଠା ପକାଇ ଦେଇଯାଅ ଥରେ ହେଲେ ।

 

ଇରାର କଥା କଛି ବୁଝିପାରିଲା ନାହିଁ ଟିଟୁ । ସେ କେବଳ ବଲବଲ ହୋଇ ଚାହିଁଲା ଲୀଳାର ମୁହଁକୁ । ଲୀଳା ମୁହଁକୁ ଚାହିଁ ମନଭରି ହସିଉଠିଲା ସୁର—ଅନେକ ଦିନ ପରେ ସୁର ମୁହଁରେ ଏମିତି ମନଖୋଲାହସ ଦେଖିଲା ଲୀଳା । ଅନେକ ଦିନ ଅନେକ ମାସ, ଅନେକ ବର୍ଷ ପରେ–

Image